ପ୍ରେତ ଜୀବନର ଗୀତ
ପ୍ରେତ ଜୀବନର ଗୀତ
ପଡୋଶୀ ଘରର ସ୍ତ୍ରୀ ଲୋକଙ୍କ ହାତକୁ ନିଜ ଘରର ଚାବିଟା ବଢ଼ାଇ ଦେଇ ସିଲଭି ବାହାରିଲା ନିଜ ମାଆଙ୍କ ମାମୁଁଙ୍କ କୋଠିକୁ । ସିଲଭିର ମାଆ ଥିଲେ ତାଙ୍କ ଵଂଶର ଏକମାତ୍ର ଝିଅ । ତିନିପିଢ଼ି ଧରି ତାଙ୍କ ବାପ ଘର ଵଂଶରେ ଝିଅଟିଏ ଜନ୍ମ ନେଇ ନଥିଲା ଏବଂ ମାମୁଁ ଥିଲେ ନିଃସନ୍ତାନ । ତେଣୁ ସିଲଭିର ମାଆଙ୍କୁ ତାଙ୍କ ମାମୁଁ ପୋଷ୍ୟ ସନ୍ତାନ କରିଥିଲେ । ସେତେବେଳ ସମୟରେ ମାଆଙ୍କ ମାମୁଁ ଥିଲେ ଜଣେ ମିଲଟାରୀ ଅଫିସର । ଗୋଟେ ଗୋଡ଼ ହରେଇ ଦେବା ପରେ ସେ ମିଲିଟାରୀରୁ ଅବସର ନେଇ ଥିଲେ । ଶତୃ ଆକ୍ରମଣ ସମୟରେ ସେ ନିଜ ସାଥିକୁ ବଞ୍ଚାଇବା ପାଇଁ ଶତୃଙ୍କ ନଜରରୁ ଦୂରକୁ ଚାଲି ନଯିବା କାରଣରୁ ହିଁ ଏକ ବିସ୍ଫୋଟକର ବିସ୍ଫୋଟରେ ନିଜର ଗୋଟାଏ ଗୋଡ଼ ହରାଇ ବସିଲେ ।
ପୋଷ୍ୟ ସନ୍ତାନ କରିଥିବା ହେତୁ, ମାମୁଁ ଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକାଣୀ ହେଲେ କେବଳ ସିଲଭିର ମାଆ । ସେହି ସମ୍ପତ୍ତି ଭିତରୁ ଗୋଟାଏ କୋଠି ଥିଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚନ୍ଦକା ଅଭୟାରଣ୍ୟରେ ଥିବା ଏକ ପାହାଡ଼ ଉପରେ । ସେତେବେଳେ ଏହି ଜଙ୍ଗଲଟି ଭରପୁର ଥିଲା ବନ୍ୟଜନ୍ତୁଙ୍କ ଗହଣରେ । ଜୀବନ ସାରା ଜଙ୍ଗଲ ଭିତରେ ଜୀବନ ବିତାଇ ଥିବା ମିଲଟାରୀ ମଣିଷ ରାମସିଂ ଅଜା (ସିଲଭି ମାଆଙ୍କ ମାମୁଁ ), ନିଜ ଶେଷ ଜୀବନକୁ ଜଙ୍ଗଲର ପରିବେଶରେ ହିଁ ବିତେଇବା ନିମନ୍ତେ ଏହି ଜଙ୍ଗଲ ଭିତରେ ନିଜର କୋଠିଟିଏ ଠିଆ କରିଥିଲେ ।
ଅଜାଙ୍କ ମୃତ୍ୟୁ ଏକ ରହସ୍ୟ ହିଁ ଥିଲା । ଅଚାନକ ସେ କେଉଁ ଆଡେ ନିଜ ବାସସ୍ଥାନରୁ ଅଦୃଶ୍ୟ ହୋଇଯିବା ବି ଏକ ରହସ୍ୟ ହିଁ ଅଟେ । ଜଙ୍ଗଲୀ ଜୀବଜନ୍ତୁଙ୍କ ଘେରରେ ରହୁଥିଲେ । ହୁଏତ ଅସାବଧାନତା ହେତୁ କୌଣସି ବନ୍ୟପ୍ରାଣୀ ସାମ୍ନାରେ ପଡି ଯାଇଥିବେ ଅଜା । ନଚେତ ସେ ଯେଉଁ ପରି ସାହସୀ ଓ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି, ତାଙ୍କୁ କେହି ଏତେ ସହଜରେ ନିଖୋଜକରି ଦେଇ ପାରିବ ନାହିଁ । ଘରର ସମସ୍ତ ଆସବାବପତ୍ର ସୁରକ୍ଷିତ ହିଁ ଥିଲା । ତାଙ୍କ ମୃତ୍ୟୁରେ ବହୁତ କାନ୍ଦି ଥିଲେ ସିଲଭିର ମାଆ ।
ସମୟ ଗଡ଼ିବା ସହିତ ଏବେ ଚନ୍ଦକା ଜଙ୍ଗଲ ଟାଙ୍ଗରା ଭୂଇଁ ପାଲଟି ଗଲାଣି କହିଲେ ଚଳେ । ଯାତ୍ରୀମାନେ ଏବେ ସେହି ଜଙ୍ଗଲକୁ ଦୁଃସାହସିକ ପଦ ଯାତ୍ରାରେ ବୁଲି ଯାଆନ୍ତି । ଏକ ପର୍ଯ୍ୟଟନ ସ୍ଥଳୀ ହୋଇ ଗଲାଣି ସିଲଭି ଅଜାଙ୍କ ସେହି କୋଠି ଇଲାକା । ତେଣୁ ଜଣେ ବେସରକାରୀ ସଂସ୍ଥା ସେଠାରେ ହୋଟେଲ ଟିଏ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ପାଖା ପାଖି ତିନି କୋଟି ଟଙ୍କାର ପ୍ରସ୍ତାବ ଆସିଛି । ସେଇ ଅପନ୍ତରା ଅଜଣା ଅଶୁଣା ସ୍ଥାନରେ, ପାହାଡ଼ ଉପରେ ଥିବା ପୁରୁଣା କୋଠିଟା ବା ଆଉ କି କାମରେ ଲାଗିବ । ଇଆଡ଼େ ତ ଆହୁରି ସମ୍ପତ୍ତି ଅଛି । କିନ୍ତୁ ମାଆ କହିଥିଲେ ସେଇଟି କେବେ ବିକିବୁ ନାହିଁ । ତେଣୁ ସିଲଭି ଚିନ୍ତା କରିଲା ସ୍ଥାନଟିକୁ ଚୁକ୍ତି ଅନୁସାରେ ସେହି ବେସରକାରୀ ନିର୍ମାଣଧୀନ ସଂସ୍ଥାକୁ ଭଡା ଆକାରରେ ଦେବ।
ସ୍ଥାନଟିର ସୀମା, ସ୍ଥାୟୀତ୍ୱ ଇତ୍ୟାଦି ପରଖି ନେବା ପାଇଁ ଏବଂ କେଉଁ କେଉଁ ସ୍ଥାନ ଭାଙ୍ଗି ନୂତନ ରୂପେ ନିର୍ମାଣ କରିବା ଉପଯୁକ୍ତ ହେବ ପରଖି ନେବା ପାଇଁ ମାସେ ସେହି ଠାରେ ରହିବାର ଯୋଜନା କରି ନେଲା ସିଲଭି । ନିଜ ଆବଶ୍ୟକତା ଅନୁଯାୟୀ ଅଳ୍ପ କିଛି ଜିନିଷପତ୍ର ବ୍ୟାଗରେ ପୁରାଇ ଖୋର୍ଦ୍ଧା ଜିଲ୍ଲାର ଚନ୍ଦକା ଅଭୟାରଣ୍ୟରେ ଥିବା ସେହି ପାହାଡ଼ ଉପରର ମିଲଟାରୀ ଅଜାଙ୍କ କୋଠିକୁ ଅଗ୍ରସର ହେଲା ସିଲଭି।
ପ୍ରାୟ ସାତ ଘଣ୍ଟାର ଲମ୍ବା ଡ୍ରାଇଭ କରି ପହଞ୍ଚି ଗଲା ସିଲଭି । ନିଜ ସାଥିରେ ମାସକର ଖାଦ୍ୟ ପାନୀୟ ସାମଗ୍ରୀ ବି ନେଇଥିଲା । ସେଠାରେ ରହିବା ପାଇଁ ପାଖ ଗ୍ରାମର ଜଣେ ଗରିବ ଦମ୍ପତିଙ୍କୁ ସଫା ସୁତରା କରିବାରେ ନିୟୋଜିତ କରି ଦେଇଥିଲା ସେ ପହଁଚିବା ଆଗରୁ ।
ରାମ ଓ ରୁନୁ ସ୍ୱାମୀ-ସ୍ତ୍ରୀ । ମେମ୍ ସାହେବ ଆସିବା ଦେଖି ଓହ୍ଲାଇ ଆସିଲେ ତଳକୁ । ସମସ୍ତ ଜିନିଷ ପତ୍ର ପିଠିରେ ଲଦି ରାମ ଉପରକୁ ଚଢ଼ିଲା । ଅବଶ୍ୟ ଅଧା ପାହାଡ଼ ଯାଏଁ ସିଲଭିର ଅଜା ଅସ୍ଥାୟୀ ରାସ୍ତାଟିଏ ଗଢି ଦେଇଥିଲେ । କାରଟି ଅଧା ପାହାଡ଼ ଉପର ଯାଏ ଉଠି ପାରିଲା । ବାକି ଉପରକୁ ଚାଲି ଚାଲି ଯିବାକୁ ହେବ । ପାହାଡ଼ ପାଦ ଦେଶରୁ ଶିଖର ଆଡ଼କୁ ଅଗ୍ରସର ହେବା ସହିତ କୋଠି ଧୀରେ ଧୀରେ ନିକଟତର ହେଉଥିଲା ।
ସିଲଭି ତୁଣ୍ଡରୁ ସ୍ୱତଃ ବାହାରି ଆସିଲା -" ବାଃ !! କି ସୁନ୍ଦର। "
ରୁନୁ - ହେଇଟି ମେମ୍ ସାହେବ । ଏଇ ଉପରେ ବହୁତ ଥଣ୍ଡା ପଡେ। ଏବେସିନା ଆଗ ପରି ଜଙ୍ଗଲଟା ଘଞ୍ଚ ନୁହେଁ। ତଥାପି ଏଠି ହେଟା ବାଘ, କଶରୀ ଭାଲୁ, ବିଲୁଆ, ଗଧିଆ, ଅଜଗରଙ୍କ ଆତ ଜାତ ଅଛି । ଅବଶ୍ୟ ହାତୀ କାଁ ଭାଁ କେବେ ଦେଖା ଦିଅନ୍ତି । ତେମେ ମେମ୍ ସାହେବ ଉପର କୋଠରୀରେ ରହିବ। ଯାହା ଅସୁବିଧା ହେଲେ ମୋ ମରଦକୁ ଡାକିବ । ମୁଁ କୋଠି ଚାରି ପଟେ ଲାଗିଥିବା ବିଦ୍ୟୁତ ତାରରେ ବିଦ୍ୟୁତ ପ୍ରବାହ ଚାଲୁ ରଖିଥିବି । ତେଣୁ ଆମକୁ ନଜଣାଇ କେବେ ବାହାରକୁ ଯିବାକୁ ଚେଷ୍ଟା କରିବେନି କି, କାନ୍ଥରେ ହାତ ଦେବେନି? ଏଇଟା ଆମ ସୁରକ୍ଷା ପାଇଁ । ଏବେ ତେମେ ଆପଣ ଧୁଆ ଧୋଇ ହେଇ ଯାଅ ତ, ମୁଁ ଜଳଖିଆ ନେଇ ଆସୁଛି । "
ଭିତରକୁ ଗଲା ସିଲଭି। ନିଜ ଥକ୍କା ମେଣ୍ଟାଇ ଗଡ଼ ପଡ଼ ହେଉ ହେଉ ସନ୍ଧ୍ୟା ହେଇ ଯାଇଥିଲା । ଛାତ ଉପରକୁ ଗଲା ସିଲଭି। ଚାରିଆଡ଼ ଅନ୍ଧାର ହିଁ ଅନ୍ଧାର କୋଠିର ଛାତ ଉପରେ ଥାଇ ନଜର ପକାଇଲା ସିଲଭି। ହଁ ଦୂର ଦୂରରେ ସହର ଭିତରର ବିଦ୍ୟୁତ ଖୁଣ୍ଟ କେଉଁଠି କେମିତି ମିଞ୍ଜି ମିଞ୍ଜି ହେଉଛି । ପାହାଡ଼ ଉପରର ତାପମାତ୍ରା ଶୂନ୍ୟ ଡିଗ୍ରୀ ପରି ଅନୁଭୂତ ହେଉଛି ରାତି ବେଳା। ନିଜକୁ ନିଜେ ଭିଡି ଜାକି ହେଉଥିଲା ସିଲଭି । ଜଙ୍ଗଲୀ ଜନ୍ତୁଙ୍କ ରଡି ବି କିଛି କମ୍ ଭୟଙ୍କର ଶୁଣା ଯାଉନଥିଲା । ସତେ ଯେପରି କେଉଁ ଅଶରୀରୀ ମାନଙ୍କ କିଳିକିଳା ରଡି। ଅଜାଙ୍କ ମୃତ୍ୟୁ କାହିଁକି ହୋଇଥିବ ବୋଲି ମନରେ ପ୍ରଶ୍ନଟି ପୁଣି ଉଙ୍କି ମାରୁଥିଲା ସିଲଭିର ? ରୁନୁ ବାହାର ଅଗଣାରେ କାଠ ଚୁଲା ଟିଏ ଜାଳି ରାତି ଖାଦ୍ୟ ପ୍ରସ୍ତୁତ କରୁଥାଏ । ରାମ, ଅଜାଙ୍କ ଅମଳର ଏକ ପୁରୁଣା ବଡ଼ ବନ୍ଧୁକ ଟାଏ ଧରି ଗେଟ୍ ପାଖେ ବସିଛି । ଲମ୍ବା ନିଶ୍ୱାସ ଟିଏ ଛାଡି ସିଲଭି ସିଡ଼ି ଘର କାନ୍ଥକୁ ଆଉଜି ବାଡ଼ ଉପରେ ବସିଲା । ହଠାତ୍ ତାକୁ ଲାଗିଲା ତା କାର୍ ଟା ବୋଧେ ଆପେ ଆପେ ତଳକୁ ତଳକୁ ଖସି ଯାଉଛି ।
---" ରାମ !"
--"(ତଳେ ଥାଇ ବଡ଼ ପାଟିରେ ରାମ .....) ହଁ, ମେମ୍ ସାହେବ । କଣ ହେଲା ?"
---" ରାମ, ଦେଖତ । ମୋ ଗାଡିଟା ତଳକୁ ଗଡ଼ି ଗଡି ଯାଉନି ତ । ଚକା ତଳେ ତୁମେ ପଥର ରଖି ଥିଲ ଟି ?"
---" ଆଜ୍ଞା ମେମ୍ ସାହେବ । ବ୍ୟସ୍ତ ହୁଅନ୍ତୁ ନାହିଁ । ସେ କୋଉ ଜଙ୍ଗଲୀ ଜନ୍ତୁ ହେଇଥିବ ମ । ମୁଁ ଗାଡି କୁ ଭଲ ଭାବେ ଠିଆ କରିଛି । ଚାରି ଚକ ତଳେ ପଥର ରଖିଛି ବଡ଼ ବଡ଼ । "
ଅନ୍ଧାରେ ସ୍ପଷ୍ଟ ତ କିଛି ବାରି ହେଉ ନଥାଏ।ରାମ କଥା ଉପରେ ବିଶ୍ୱାସ କରି ନିରବ ରହିଲା ସିଲଭି।ପର ଦିନ ସକାଳେ ଯେବେ ସେହି ବେସରକାରୀ ନିର୍ମାଣଧୀନ ସଂସ୍ଥାର ଲୋକଙ୍କୁ କୋଠିର ପରିଦର୍ଶନ ନିମନ୍ତେ ଆଣିବା ପାଇଁ ତଳକୁ ଆସିଲା ସିଲଭି, ଦେଖିଲା ତା କାର୍ ଟି ପୂର୍ବ ସ୍ଥାନରେ ନଥିଲା। ରାମକୁ ଡକାଇ ଖୋଜିବାରୁ ଜଣା ପଡିଲା କାର୍ ଟି ପାହାଡ଼ର ତଳକୁ ଗଡ଼ି ଗଡି ଚାଲି ଯାଇଛି। ରାମ ଉପରେ ବହେ ବିରକ୍ତ ହୋଇ ସିଲଭି ବଡ଼ କଷ୍ଟରେ ତଳକୁ ଗଲା। ସେହି ସଂସ୍ଥାର କର୍ମଚାରୀଙ୍କୁ ନିଜ କୋଠିଟି ଭଲ ଭାବେ ଦେଖାଇ ସାରିବା ପରେ ଦ୍ବିପ୍ରହର ଭୋଜନ ଶେଷ କରିଲା ସିଲଭି ସେମାନଙ୍କ ସହିତ।
ଚାରିଦିନ ପରେ ନିଜ ମତାମତ ଜଣେଇବା କହି ସେହି ଲୋକମାନେ ଚାଲିଗଲେ। ସେଦିନ ସନ୍ଧ୍ୟାରେ ସେ ନିଜେ ଠିଆ ହୋଇ ନିଜ ଗାଡି ଚକ ତଳେ ପଥର ରଖାଇଲା ରାମକୁ କହି। ସିଲଭି ନିଜ କୋଠରୀରେ ଶୋଇଛି। ଠିକ୍ ରାତି ନଅଟା ବେଳକୁ ଗତ କାଲି ରାତି ପରି କାରଟି ପାହାଡ଼ ତଳକୁ ଆପେ ଆପେ ଖସି ଯିବା ପରି ଶବ୍ଦ ଶୁଭିଲା ସିଲଭିକୁ । ବାହାରକୁ ସିଲଭି ରାମକୁ ଡ଼କାଇଲା। ରାମ ଆସିବାରୁ ସିଲଭି ନିଜ ଗାଡି ତଳକୁ ଖସି ଯାଉଛି କହିବାରୁ ରାମ ତା କଥାକୁ ଭ୍ରମ କହି ପାହାଡ଼ ତଳକୁ ଜମା ଓହ୍ଲାଇଲା ନାହିଁ । ପର ଦିନ ସକାଳେ ଦେଖିବା ବେଳକୁ ଗତ କାଲି ପରି କାର୍ ଟି ପାହାଡ଼ ତଳେ ହିଁ ଥିଲା। ଆଶ୍ଚର୍ଯ୍ୟ ହେଲା ସିଲଭି।
ସେଦିନ ସନ୍ଧ୍ୟାରେ ସିଲଭି ବସି ନିଜ କୋଠିର କିଛି କାଗଜ ପତ୍ର ଦେଖୁଥାଏ । ହଠାତ୍ କଣ ଗୋଟେ ବଡ଼ ଶବ୍ଦ ହେଲା । ଆଉ ପୂର୍ବ ପରି ଗାଡିଟି ପାହାଡ଼ ତଳକୁ ଖସି ଖସି ଯିବା ପରି ଶବ୍ଦ ବି ଜଣା ପଡିଲା। ଭୟରେ ରାମ ଓ ରୁନୁ ନିଜ କୋଠରୀରେ ଜାକି ଜୁକି ହୋଇ ବସିଥାନ୍ତି । ସିଲଭି ଯେତେ କହିଲେ ବି ତା ସହିତ କେହି ଏଇ ଅନ୍ଧାର ରାତିରେ ତଳକୁ ଯିବାକୁ ବାହାରିଲେ ନାହିଁ । ପରଦିନ ସକାଳେ ଯେବେ ସିଲଭି ତଳକୁ ଯାଇ ଦେଖେ ତ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଆଚମ୍ବିତ ହୋଇ ସିଲଭି କେବଳ ଏସବୁ ଆଖି ଫାଡ଼ି ଫାଡ଼ି ଦେଖୁଥିଲା। କିନ୍ତୁ କିଛି ବୁଝି ପାରୁ ନଥିଲା। ଏଥର ଆଉ ସିଲଭି କାର୍ ଟିକୁ ଉପରକୁ ନେଲାନାହିଁ। ଭାବିଲା ଗ୍ରାମର କିଛି ଦୁଷ୍ଟ ଯୁବକ ମାନେ ତାକୁ ଏପରି ହଇରାଣ କରୁଥାଇ ପାରନ୍ତି । ରାମ ଓ ରୁନୁ ସେହି ସ୍ଥାନ ଛାଡି ନିଜ ଘରକୁ ଫେରି ଯିବାକୁ ଜିଦ୍ କରିଲେ । ତେଣୁ ସେମାନଙ୍କୁ ନରଖି ରାଗରେ ସିଲଭି ଦୁହିଁଙ୍କୁ ବିଦା କରିଦେଲା। ରାମ କହିଲା ସନ୍ଧ୍ୟା ପୂର୍ବରୁ ସେ ଆସି ରାତି ପାଇଁ ଖାଦ୍ୟ ଦେଇ ଚାଲିଯିବ ପଛେ ଏଇ କୋଠିରେ ରହିବ ନାହିଁ । ଏଇ କୋଠିରେ ଭୂତ ରହୁଛି । ସିଲଭି ଏସବୁରେ ଅବିଶ୍ୱାସ କରି ସେମାନଙ୍କୁ ବିଦା କରିଲା।
ସେଦିନ ଆଉ କୌଣସି ଶବ୍ଦ ଶୁଭି ନଥିଲା । ସିଲଭି ପାହାଡ଼ ତଳକୁ ଆସିଲା ନିଜ କାରର ଅବସ୍ଥା ଦେଖିବା ପାଇଁ ତ ସେ ଚମକି ପଡିଲା। କାରଣ ତା କାର୍ ଟି ସେ ଗତ କାଲି ପାହାଡ଼ ତଳ ଭାଗରେ ରଖି ଥିଲା ମାତ୍ର ସେଇଟି ବର୍ତ୍ତମାନ ଥିଲା ପାହାଡ଼ର ସେହି ମଧ୍ୟ ଭାଗରେ, ଯେଉଁଠୁ ପ୍ରତିଦିନ ତା କାର୍ ତଳକୁ ଖସି ଯାଉଥିଲା ଆଶ୍ଚର୍ଯ୍ୟ ! ନିଜ କୋଠରୀକୁ ଫେରିଯାଇ ସିଲଭି ଭାବୁଥିଲା ତେବେ କଣ ରାମ କଥା ସତ । ମୁଣ୍ଡ ସାରା ଝାଳ। ତଣ୍ଟି ଶୁଖି ଯାଉଛି। ସେ ଏବେ ଏମିତି ସ୍ଥାନରେ ଯେ ତଳକୁ ଯିବା ପାଇଁ ତାକୁ ସେହି ଭୂତ ସ୍ଥାନଟି ପାରି କରିବାକୁ ହେବ । ଉପରେ ସେ ଏକା। ଯଦି ଭୂତଟି କୋଠିକୁ ଚାଲି ଆସେ । ନିଜକୁ ଆଇନାରେ ଦେଖି କିଏ ବୋଲି ଚମକି ପଡିଲା ସିଲଭି। ତା ପରେ ଗୁଡାଏ ସମୟ ହସିବାକୁ ଲାଗିଲା ନିଜକୁ ନିଜେ କହିଲା --" ପାଗଳୀ ମୁଁ । ଏଇ ମୂର୍ଖଙ୍କ କଥାକୁ ସତ ମାନି କଣ ସବୁ ଭାବି ଯାଉଛି? କେହି ଭୂତ ଫୁତ ନାହିଁ। ମୁଁ ହିଁ ସେଇଠି ରଖିଥିବି କିନ୍ତୁ ମନେ ମନେ ଭାବୁଛି ତଳେ ଥୋଇଥିଲି ବୋଲ ।"
ରାମ ସନ୍ଧ୍ୟା ହେଉ ହେଉ ରାତିର ଖାଦ୍ୟ ସିଲଭି ପାଖରେ ପହଞ୍ଚାଇ ଦେଇ ଚାଲିଗଲା। ଖାଇସାରି ଠିକ୍ ରାତି ନଅଟା ବେଳକୁ ବ୍ୟାଟେରୀ ଚାଳିତ ଟର୍ଚ୍ଚ ଟିଏ ଧରି କାର୍ ରଖିଥିବା ସ୍ଥାନକୁ ଚାଲିଲା ସିଲଭି। ମନେମନେ ଏଇଆ ସ୍ଥିର କରି, ଯେ କେହି ବି ତା କାର୍ କୁ ତଳକୁ ଖସାଉଛି । ଆଜି ସେ ତାକୁ ନିଜେ ଧରିବ। ସେ ତଳକୁ ଗଲା ବେଳକୁ ତା ଆଗରେ ଆଗରେ ଜଣେ କେହି ଅନ୍ଧାର ରେ ତଳ ଆଡ଼କୁ ଯାଉଥିଲେ। ସିଲଭି ସେ କିଏ ଜାଣିବା ପାଇଁ ଚୁପ୍ ଚାପ୍ ତାଙ୍କ ପଛେ ପଛେ ଚାଲିଲା। ଭୂଇଁରେ କେହି ଜଣେ ବୈଶାଖୀ ଧରି ଚାଲିବା ପରି ଠକ୍ ଠକ୍ ଶବ୍ଦ ଶୁଭୁଥିଲା। ସିଲଭି ଅନୁମାନ କରି ପାରୁଥିଲା ସେ ବ୍ୟକ୍ତି ଜଣଙ୍କ ଜଣେ ଭିନ୍ନକ୍ଷମ ମଣିଷ । ତାଙ୍କର ଗୋଡ଼ ଟିଏ ନାହିଁ ବୋଧେ। ସେ ହିଁ ବୈଶାଖୀର ସାହାରା ନେଇ ତଳକୁ ଯାଉଛନ୍ତି । ବେଶ ପୋଷାକରୁ ସେ ଜଣେ ମିଲିଟାରୀ ପରି ଜଣା ପଡୁଥିଲେ । ଠିକ୍ କାର୍ ପାଖା ପାଖି ହେବା ପରେ ସିଲଭିକୁ ଯେମିତି ଖୁବ୍ ଶୀତ ଲାଗିଲା। ତା ଛାତିର ସ୍ପନ୍ଦନଟା ଖୁବ୍ ଜୋରରେ ଧକ୍ ଧକ୍ ହେବାକୁ ଲାଗିଲା । ପଛକୁ ଦେଖେ ତ କୋଠି ଆଉ ଦେଖା ଯାଉନି । ଆଗରେ ସେ ଛୋଟା ଲୋକଟା ତା କାର୍ ଆଡ଼କୁ ମାଡି ଯାଉଛି । ଭୟରେ ଥରି ଥରି ସିଲଭି କହିଲା --" ମିଲିଟାରୀ ଅଜା !!"
ଅଟକି ଗଲା ସେଇ ଲୋକଟି। ସିଲଭିର ବଚନ ସ୍ଫୁରୁ ନଥାଏ ଆଉ। ସେ କେବଳ ଲମ୍ବା ଲମ୍ବା ନିଶ୍ୱାସ ନେଉଥିଲା। ଲୋକଟା ଯେମିତି କୁ ସେମିତି ସ୍ଥିର ହିଁ ଥିଲା।ହେଲେ ସିଲଭିକୁ ଯେପରି ଲାଗୁଥିଲା ସେ ସେହି ଲୋକଟିର ଚେହେରାକୁ ଦେଖି ପାରୁଛି। ପିଲାଦିନେ ସେ ମାଆଙ୍କ ପୁରୁଣା ଅଲମୀରାରେ ଦେଖିଥିଲା ମିଲିଟାରୀ ଅଜାଙ୍କ ଫୋଟୋଟିଏ। ପଇଁଚାଳିଶି ବର୍ଷୀୟ ଡେଙ୍ଗା ସୁସ୍ଥ ଲୋକଟାଏ। ନାକ ତଳକୁ ମୋଟା ମୋଟା ବହଳ ଦୁଇପଟା ନିଶ । ଗୋରା ତକ ତକ ଶରୀରକୁ ମୁଣ୍ଡ ଉପରେ ପୁରୁଣା ମିଲିଟାରୀ ଅଫିସରଙ୍କ ଟୋପି । ଓଠରେ ସେଇ ଦରୋଟି ହସ ।
--" ଚାଲି ଯା ତୁ ଏଠୁ !!"
ଏ କଥାଟା କିଏ କହିଲା ଆଶ୍ଚର୍ଯ୍ୟ ଚକିତ ହୋଇ ସିଲଭି ଚାରି ଆଡକୁ ନଜର ବୁଲାଉ ଥାଏ । ତାକୁ ଲାଗୁଥିଲା ସେ ଏବେ ଯେଉଁଠି ସେହି ଛୋଟା ମଣିଷ ଟିକୁ ଦେଖିଥିଲା ସେଠି କେହି ନାହିଁ । ତଥାପି ସେଠି ସତେକି ଗୋଟିଏ ଅସ୍ପଷ୍ଟ ଛାୟା ଟିଏ ଥିଲା ପରି ଲାଗୁଥାଏ। ଯେଉଁ ଛାୟାର ଏପାଖ ସେପାଖ ପରିବେଶ ସ୍ପଷ୍ଟ ଦେଖା ଯାଉଚି ।
ସିଲଭି --" ଅଜା । ଯଦି ଏ ତୁମେ, ତେବେ ମୋତେ ଏସବୁ କଣ ପାଇଁ କରୁଚ ସତ କୁହ ।"
-- (ଅନେକ ସମୟ ନୀରବତା ପରେ...) ହଁ, ମୁଁ ତୋ ମିଲିଟାରୀ ଅଜା। ପଚିଶବର୍ଷ ତଳେ ଏଇଠି ଘର କରି ମୁଁ ମୋ ବାକି ଜୀବନ ବିତାଇବି ବୋଲି ଭାବିଥିଲି।ହେଲେ କିଛି ଅସାମାଜିକ ପ୍ରକୃତିର ଲୋକ ଏଇ କୋଠିକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଥିଲେ। ଏଇଟି ନିକାଞ୍ଚନ ଇଲାକାରେ ଅବସ୍ଥାପିତ। ତେଣୁ ଏଠୁ ବେଆଇନ ଗୋଳା ବାରୁଦ କାରବାର କରିବା ପାଇଁ ସେଇ ଅସାମାଜିକ ବ୍ୟକ୍ତି ମାନେ ମୋତେ ଛଳନାକରି ହତ୍ୟା କରିଲେ। ସବୁ ସନ୍ଧ୍ୟାରେ ମୋର ଅଭ୍ୟାସ ଏହି ସ୍ଥାନକୁ ଆସି କିଛି ସମୟ ବସିବା । ଯେଉଁଠି ତୁ ତୋ ଗାଡି ରଖିଛୁ। ସେଦିନ ବି ଆସିଥିଲି। ସେମାନେ ଅତର୍କିତ ଭାବେ ଅନ୍ଧାରରେ ଲୁଚି ରହି ମୋ ଉପରକୁ ଗୁଳି ଚାଳନା କରି ଥିଲେ। ଏଠାରୁ ସ୍ୱରଶବ୍ଦ ଗାଁ ଯାଏଁ ପହଞ୍ଚି ପାରି ନଥିଲା। କେହି ଜାଣି ନଥିଲେ ମୋ ସହିତ କଣ ଘଟିଲା । ତୋ କାର୍ ତଳେ ସେମାନେ ମୋତେ ମାଟି ଖୋଳି ପୋତି ଦେଇଛନ୍ତି ।
ସେମାନେ ମୋତେ ମାରିବା ପରେ ଏଠି ନିଜ କାରବାର କରିବାକୁ ଆସିଥିଲେ । ମୋ ଅତୃପ୍ତ ଆତ୍ମା ସେମାନଙ୍କୁ ଗୋଟି ଗୋଟି କରି ମାରିଚି। ମୋତେ ଅଶାନ୍ତି ଲାଗୁଥିଲା ତୋ ଗାଡିର ଚାପରେ । ସେଥିପାଇଁ ହଟାଇ ଦେଉଥିଲି ତୋ ଗାଡି। ହେଲେ ଜାଣିଲି ତୋ ସହିତ ବି ଠିକ୍ ଏହି ଘଟଣା ଘଟିବାକୁ ଯାଉଛି । ଯେଉଁ ମାନଙ୍କ ସହିତ ତୁ ଏହି କୋଠିରେ ବେପାର କରିବାକୁ ଚାହୁଁଚୁ।ସେମାନେ ତୋତେ ଠିକ୍ ମୋ ପରି ମାରିବାର ଯୋଜନା କରୁଛନ୍ତି । ହୁଏତ ସେମାନେ ଗତ କାଲି ତୋ ଉପରେ ଆକ୍ରମଣ କରି ପାରନ୍ତି । ଏଥିପାଇଁ ତୁ ତଳେ ତୋ ଗାଡି ରଖିଥିଲୁ ବୋଲି ମୁଁ ଏଠିକି ନେଇ ଆସିଥିଲି। ଭାବିଲି ତୁ ଚାଲିଯିବୁ। ତୋତେ ଏଠୁ ଚାଲି ଯିବା ପାଇଁ ହିଁ ମୁଁ ଇସାରା ଦେଉଛି । ତୁ ବୁଝି ପାରୁ ନାହୁଁ । "
ସ୍ତମ୍ବିଭୁତ ହୋଇ ସିଲଭି ନିଜ କାର୍ ଆଡ଼କୁ ମଟ ମଟ କରି ଚାହିଁ ରହିଥିଲା । ତାକୁ କେହି କେଉଁଠି ବି ଦେଖା ଯାଉ ନଥିଲେ । ଅଥଚ ଏସବୁ କଥା ତାକୁ କିଏ କହୁଛି । ଚେତା ହରାଇ ସିଲଭି କଟା ଗଛ ପରି ଦୁମ୍ କରି ତଳେ ପଡିଗଲା । ଯେବେ ତା ଚେତା ଫେରିଲା ସେ ନିଜକୁ ପାଇଲା କୋଠି ଭିତରେ । ତାକୁ ଏଠାକୁ କିଏ ଆଣିଲା। ସେ ତ ପାହାଡ଼ର ମଧ୍ୟ ଭାଗରେ କାର୍ ପାଖେ ଥିଲା । ତୁରନ୍ତ ସିଲଭି ସେଠାର ଥାନା ଅଧିକାରୀଙ୍କୁ ଡକାଇ ନିଜ କାର୍ ରଖିଥିବା ସ୍ଥାନକୁ ଖୋଳେଇ ଥିଲା । ଏକ କଙ୍କାଳ ସେଠାରୁ ବାହାରିବା ପରେ ସିଲଭିର କଥା କୁ ସମସ୍ତେ ବିଶ୍ୱାସ କରିଲେ । ସେହି ସମୟରେ ତା କାର୍ ଭିତରେ ଛପି ଥିବା ଜଣେ ବ୍ୟକ୍ତିକୁ ପୋଲିସ ଧରିଲା। ସେହି ବ୍ୟକ୍ତି ଜଣଙ୍କ ସ୍ୱୀକାର କରିଲା ଯେ ତାକୁ ଗାଡ଼ିରେ ବିସ୍ଫୋଟକ ଖଞ୍ଜିବା ପାଇଁ ସେହି ବେସରକାରୀ ନିର୍ମାଣକାରୀ ଅଧିକାରୀ ମାନେ ହିଁ ପଠାଇ ଥିଲେ। ସେମାନ ସମସ୍ତଙ୍କୁ ପୋଲିସ ଥାନାକୁ ଟାଣି ନେଲା ।
ସିଲଭି ମିଲଟାରୀ ଅଜାଙ୍କ କଙ୍କାଳର ଶବ ସଂସ୍କାର କରିଲା ସେହି କୋଠିର ଅଗଣାରେ । ଆଉ ନିଜ ହାତରେ ସମ୍ପୁର୍ଣ୍ଣ କୋଠିଟିକୁ ଜାଳି ପୋଡି ଭସ୍ମ କରିଦେଲା । ତାକୁ ଲାଗିଲା ସତେକି ସେଇ ପାହାଡ଼ର ଶିଖର ଉପରକୁ ମିଲିଟାରୀ ଅଜାଙ୍କ ଆତ୍ମାଟି ଆତ୍ମ ସନ୍ତୋଷର ହସଟିଏ ହସି ହସି ତାକୁ ଆଶୀର୍ବାଦ ଦେଉଛନ୍ତି ଏବଂ ବାଷ୍ପ ହୋଇ ବାଦଲ ଭିତରେ ମିଳେଇ ଯାଉଛନ୍ତି ।

