ପ୍ରେମପକ୍ଷୀ
ପ୍ରେମପକ୍ଷୀ
ଦିନ ୨ଟା ସମୟ। ମଧ୍ୟାହ୍ନ ଭୋଜନ ବିରତି ପରେ ଅଫିସ୍ ମୁହାଁ ହେଇ ମୁଁ ଘରୁ ବାହାରୁଥାଏ। ଜୋତା ପିନ୍ଧି ସାରି ଠିଆ ହେଇଚି କି ନାହିଁ, ମୋବାଇଲ୍ ଫୋନ୍ ବାଜି ଉଠିଲା। ଫୋନ୍ ଉଠେଇ ଦେଖିଲା ବେଳକୁ, "ବାବୁନା"ର ଫୋନ୍। ଟେନସାର ରାମଚନ୍ଦ୍ର ପଟ୍ଟନାୟକଙ୍କ ସାନ ପୁଅ ବାବୁନା। ମୋ ସହିତ ୧୯୮୭ରେ ମାଟ୍ରିକ୍ ପାସ୍ କରିଛି। ଅନ୍ତରଙ୍ଗ ବାଲ୍ୟ ବନ୍ଧୁ। ଫୋନ୍ ଆର ପଟୁ ଶୁଣାଗଲା,
- ଆଉ ଘଣ୍ଟାଏ ଭିତରେ ଆତ୍ମହତ୍ୟା କରିବି
କଥାଟା ଶୁଣି ବହେ ଝାଳ ମୋର ବୋହିଗଲା। ସଙ୍ଗେ ସଙ୍ଗେ ପାଟିରୁ ବାହାରିଲା,
- ବାବୁନା, ଟିକେ ରହି ଯା ମୁଁ ଘଣ୍ଟାଏ ଭିତରେ ତୋ' ପାଖରେ ପହଞ୍ଚୁଚି; ତୋ'ର ଯାହା କିଛି ଅସୁବିଧା ଅଛି ମୁଁ ଦୂର କରି ନ ପାରିଲେ, ତୁ ତେଣେ ଯାହା ଉଚିତ୍ ଭାବିବୁ କରିବୁ; ମତେ ଖାଲି ଗୋଟେ ମୌକା ଦେ
ବାବୁନା ମୋ କଥାରେ ରାଜି ହେଇଗଲା। ତା' କଥା ଗୁଡାକ ସେଦିନ ଖୁବ୍ ଦୃଢ ଭଳି ଲାଗିଲା। ଛାତିଟା ମୋର ଧଡଧଡ୍ ହେଉଥିଲା। ସମୟର ସଦୁପଯୋଗ କରିବାକୁ ଯାଇ, ଉପରିସ୍ଥ ଅଫିସରଙ୍କ ଅନୁମତି ନେଇ ମୁଁ ସିଧା ବାହାରି ପଡିଲି ରାଉରକେଲା। ବୀରମିତ୍ରପୁର-ରାଉରକେଲା National Highway ଉପରେ ସେଦିନ କିନ୍ତୁ ବସଟା ଖୁବ୍ ଶିଘ୍ର ମତେ ରାଉରକେଲାର TCI Chowk ନିକଟରେ ପହଞ୍ଚାଇ ଦେଲା। ବସରୁ ଓହ୍ଲାଇ ସିଧା ଧାଇଁ ଗଲି ବାବୁନା ଘରକୁ।
ମଉସା, ମାଉସୀ, ବାବୁନା ସମସ୍ତେ ବିଷର୍ଣ୍ଣ ବଦନରେ ବସିଥିଲେ। କଥା କଟାକଟି, ମନୋମାଳିନ୍ୟ ଥିଲା ଭଳି ମାହୋଲ୍ ଥିଲା। ମତେ ଦେଖି ମାଉସୀ ଚିତ୍କାର କରି କହି ଉଠିଲେ,
- କି ସାଙ୍ଗରେ ଏଇଟା ତୋ'ର? ବାହା ହବ ବୋଲେ "ମିତା"କୁ ଏକା ବାହା ହବ, ନହେଲେ ବିଷ ଖାଇବ ବୋଲି କହୁଚି। ସିଏ ମରିଗଲେ, ଆମେ କୁଆଡେ ଯିବୁ? ପୃଥିବୀଟାରେ ଖାଲି ମିତା ଏକା ସୁନ୍ଦରୀ ଝିଅ ଅଛି କିରେ ବାହା ହେବାକୁ; ଆଉ କେହି ସୁନ୍ଦରୀ ଦୁନିଆରେ ନାହାଁନ୍ତି କିୱା"?
ମୁହଁ ଛିଞ୍ଚାଡି ମାଉସୀ କଥା ଗୁଡାକ କହୁଥିଲେ। ମାଉସୀଙ୍କ ବ୍ରହ୍ମପୂରିଆ କଥାଗୁଡାକ ମତେ ସେଦିନ ବ୍ୟଥିତ କରୁଥିଲା। ଜାଣୁଥିଲି, କିଛି ଗୋଟେ ବଡ ଗଡବଡ୍ ହେଇ ଯାଇଛି। ମିତାକୁ ମୁଁ ଆଗରୁ ଦେଖିଛି। ବହୁତ ସୁନ୍ଦର ଝିଅଟା। ବାବୁନାର ଦୂର ସମ୍ପର୍କୀୟ ମାମୁଁଙ୍କ ଝିଅ। ବାବୁନା ଓ ମିତା ପରସ୍ପରକୁ ଭଲ ପାଇ ବସିଥିବେ, ମୋ କଳ୍ପନା ବାହାରେ ଥିଲା। ବାବୁନାର ବାପା ରାମ ମଉସା ମତେ ଦେଖି ଟିକେ ଆଶ୍ବସ୍ଥ ଅନୁଭବ କରୁଥିଲେ। ମୋ ଉପରେ ତାଙ୍କର ଗଭୀର ଆସ୍ଥା ଥିଲା। ବାବୁନାକୁ ତାଙ୍କ ଘର ବାହାରକୁ ଡାକି ନେଇ ଘଟଣାଟା ବିଷୟରେ ପଚାରିଲି। ବାବୁନା ଆଖି ଛଳ ଛଳ କରି କହି ଉଠିଲା,
- ମିତା ଛଡା ମୁଁ କାହାକୁ ବାହା ହେଇ ପାରିବିନି। ଦିଦି (ବାବୁନାର ବଡ ଭଉଣୀ, ଲିଲି ଅପା) ତାଙ୍କ ଘରକୁ ମୋର ଟିପ୍ପଣା ପଠେଇ ଥିଲା। ସେମାନେ କହିଲେ, ଜାତକ ଜମା ମିଶୁନି। ତେଣୁ ବାହାଘର ହେଇ ପାରିବନି। ଏଇ ଜାତକ ଯୋଗୁଁ ହିଁ ସବୁ ଅସୁବିଧା ହେଇଛି। ମିତାକୁ ବାହା ନହେଲେ, ମୋର ବଞ୍ଚିବାର କିଛି ମାନେ ନାହିଁ
ଟିକେ ସମୟ ଚିନ୍ତା କରିବା ପରେ, ମୋ ମୁଣ୍ଡକୁ ବୁଦ୍ଧିଟିଏ ପଶିଲା। ବାବୁନାକୁ ସେ ବିଷୟରେ କିଛି ନକହି, ଆଶ୍ବାସନା ଦେଲି ଦିନେ ଭିତରେ ତାର ସମସ୍ୟାର ସମାଧାନ କରିଦେବି ବୋଲି। ଖାଲି, ମତେ ଗଞ୍ଜାମର ପୋଲସରା ସହର ପାଖରେ ଥିବା ମିତା ଘରର ଫୋନ୍ ନମ୍ବର ଆଉ ମିତାର ରାଶି, ନକ୍ଷତ୍ର ଜାଣିବା ଦରକାର ଥିଲା। ବାବୁନା ଫଟାପଟ୍ ନିଜ ମୋବାଇଲରୁ ତାଙ୍କ ନମ୍ବର ବାହାର କରି ଦେଲା। ଆଉ ମିତାର ରାଶି, ନକ୍ଷତ୍ର ତ ସିଏ ଘୋଷି ପକେଇ ଥିଲା। ଦିନ ପ୍ରାୟ ୪ଟା ସମୟରେ ମୁଁ ରାଉରକେଲାରୁ ବୀରମିତ୍ରପୁର ଅଭିମୁଖେ ବାହାରି ପଡିଲି।
ସେଦିନ ସନ୍ଧ୍ୟା ୫ଟା ୩୦ ବେଳେ ଘରେ ପହଞ୍ଚି, କୋହିନୂର ପାଞ୍ଜିଟା ଖୋଲିଲି। ଟିକେ ଓଲଟ ପାଲଟ କରି ହିସାବ କିତାବ କଲି। ତା'ପରେ ୧୫ ମିନିଟ୍ ଯାଇଛି କି ନାହିଁ, ମିତା ଘରକୁ ଫୋନ୍ ଲଗେଇଲି। ମିତାର ମାଆ ଫୋନ୍ ଉଠେଇଲେ। ଦଣ୍ଡବତଟିଏ କରି କହଲି,
- ମାଇଁ, ମୁଁ ବାବୁନାର ଟେନସା ସାଙ୍ଗ ମିଶ୍ର କହୁଚି
ମାଇଁ ମତେ ଆଗରୁ ଚିହ୍ନିଁଥିଲେ। ମିତା ସହିତ ଆମ ଟେନସା ସାଙ୍ଗ ଅଂଶୁ ମହାନ୍ତି (ରବି ମହାନ୍ତିଙ୍କ ବଡ ପୁଅ)ର ବାହାଘର କରିବାକୁ ମାଇଁଙ୍କୁ ଥରେ ପ୍ରସ୍ତାବ ବି ଦେଇଥିଲି। ମାଇଁ ରାଜି ଥିଲେ। ହେଲେ, ବାବୁନା ମୋ ଉପରେ ସେଦିନ କାହିଁକି ଖୁବ୍ ବିରକ୍ତ ହେଇ ଉଠିଥିଲା। ସେତେବେଳେ ବୁଝି ପାରି ନଥିଲି ଭିତିରି କଥାଟା କଣ....
- ମାଇଁ, ବାବୁନା ସହିତ ମିତା ବାହାଘର ପାଇଁ କଣ ଅସୁବିଧା ହେଲା?
ମାଇଁ କହିଲେ,
-- କଣ କହିବି ବାବୁ, ମୋର ତ ପୁରା ୧୬ ଅଣା ଇଛା ଥିଲା, ହେଲେ ଲିଲି ବାବୁନାର ଯେଉଁ ଟିପ୍ପଣା ଦେଲା, ଜମାରୁ ମେଳ ଖାଉନି। ଜାଣି ଜାଣି ଜାତକ ନ ଶୁଝିଲେ, ବାହାଘରଟା କେମିତି କରିଦେବୁ, କହିଲ?
ମାଇଁଙ୍କୁ ବୁଝେଇବାକୁ ଯାଇ କହିଲି,
- ମାଇଁ, ସେ ଲିଲି ଅପାଟା ଗଧୁଣୀଟା। ପାଠ ତ ଭଲ ପଢୁ ନଥିଲା। ତେଣୁ ସ୍ମରଣ ଶକ୍ତି ବି ଭଲ ନଥିବ ବୋଲି ମୁଁ ଭାବୁଛି। ଭୁଲ୍ ଭାଲ୍ କଣ ଦେଇ ଦେଇଥିବ। ମୁଁ ପରା ବାବୁନାର ଛୋଟବେଳର ସାଙ୍ଗ। ତା'ର ଜନ୍ମ ତାରିଖ, ଜନ୍ମ ସମୟ ସବୁ ଠିକ୍ ଠିକ୍ ଜାଣିଛି। ତା'ର ରାଶି ନକ୍ଷତ୍ର କଣ ମତେ ପୁରା ଜଣା ଅଛି। କହିବ ଯଦି, ଦେବି ମାଇଁ କହି ଉଠିଲେ,
-ଦିଅ ବାବୁ, ଦିଅ
ମୁଁ ଆଉ କି ବିଳମ୍ବ କରେ। ବାବୁନାର ଜନ୍ମ ତାରିଖକୁ ୭ ଦିନ ବଢେଇକି ମାଇଁଙ୍କୁ କହି ଦେଲି, ଆଉ ଜନ୍ମ ସମୟଟା ଯାହାଥିଲା, ସେଇଟାକୁ ଠିକ୍ କହିଲି। ମାଇଁ କାଗଜ ଗୋଟେ ଧରି ଲେଖି ପକଉଚି କହି ବୋଧେ ଲେଖିଲେ। ସାଙ୍ଗେ ସାଙ୍ଗେ କହିଲେ,
- ଏବେ ଯାଉଚି ପୋଲସରା। ପୁଣି ବ୍ରାହ୍ମଣକୁ ଦେଖେଇ ଗଣାପୋଛା କରିବି
ମୁଁ କହିଲି,
-ମାଇଁ ସାଙ୍ଗରେ ମାମୁଁଙ୍କୁ ବି ନେଇଯାଅ
ମାଇଁ ମୋ କଥାରେ ରାଜି ହେଇଗଲେ। ଫୋନ୍ କାଟିଲି। ଠିକ୍ ୩୦ ମିନିଟ୍ ପରେ ପୁଣି ଫୋନ୍ ଲଗେଇଲି। ଜାଣିଥିଲି, ମାମୁଁ ମାଇଁ ଦୁହେଁ ପୋଲସରା ବାହାରି ଯାଇଥିବେ ଆଉ ଘରେ କେବଳ ମିତା ହିଁ ଥିବ। ଫୋନ୍ ବାଜିବାରୁ ମିତା ଉଠେଇଲା। ନିଜର ପରିଚୟ ଦେବାରୁ ମିତା ଚିହ୍ନିଁଗଲା। ମୋର ପୁରା ପ୍ଲାନଟା ମିତାକୁ କହିଲି। ମିତା ଭୟରେ କମ୍ପି ଉଠିଲା। ତା' ପାଟିରୁ ବାହାରି ପଡିଲା,
- ବାହାଘର ପରେ କିଛି ଅଘଟଣ ହେବନି ତ ଭାଇ?
ମୁଁ ବୁଝେଇ ଦେଲି,
- ଯାହା କିଛି ଦୋଷ ତୃଟି ଥିବ, ସବୁ ପୂଜା ପୂଜି କରି ଠିକ୍ କରିଦେବି, ତୁ ଚିନ୍ତା କରନା; କିନ୍ତୁ ମୋ ସହିତ କଥା ହେଇଥିଲୁ ବୋଲି ମାମୁଁ, ମାଇଁଙ୍କୁ କହିବୁନି
ପ୍ରାୟ ଘଣ୍ଟାଏ ଦେଢଘଣ୍ଟା ପରେ ମାମୁଁ ମାଇଁ ଘରକୁ ଫେରିଥିଲେ। ମାଇଁଙ୍କ ଆଖି ଛଳଛଳ ଥିଲା। ମିତାକୁ କୁଣ୍ଢେଇ ପକେଇ କହିଲେ,
-- କେତେ ବଡ ଅନ୍ୟାୟ କାମଟେ ମୁଁ କରିବାକୁ ଯାଉଥିଲି; ମୋ ପିଲା ଜୀବନ ସାରା କେତେ କଷ୍ଟ ପାଇଥାନ୍ତା; ପୁରା ରାଜଯୋଟକ ପଡୁଚି; ଏଥର ବାହାଘର ଯେମିତି ହେଲେ, ହେବ
ପରଦିନ ବାବୁନା ଘରକୁ ଫୋନ୍ ଆସିଲା। ବାହାଘର ଠିକ୍ ହେଇଗଲା। କେଉଁ ଦୋଷ ପାଇଁ କି ପୂଜା ବିଧି ହୁଏ, ବାହ୍ମଣକୁ ସେଟିଂ କରା ହେଇଥିଲା। କାହାକୁ କାନୋକାନ୍ ଖବର ବି ହେଲାନି। ବାବୁନା ମିତାର ବାହାଘର ୨୩ ଜାନଆରୀ ୨୦୦୬ ଦିନ ଖୁବ୍ ଧୁମଧାମରେ ହେଲା। ପ୍ରେମପକ୍ଷୀ ଦୁଇଟି ଏକ ହେଇ ଯାଇଥିଲେ।
ବାହାଘର ଦିନ କିନ୍ତୁ ମୁଁ ଭୁବନେଶ୍ବରରେ ଅଂଶୁର ବାହାଘରରେ ବରଯାତ୍ରୀ ହେଇ ଯାଇଥିଲି। ବାବୁନାର ଏଥିରେ ସମ୍ମତି ବି ଥିଲା। ଏବେ ବାବୁନାର ଗୋଟେ ୧୪ ବର୍ଷର ସୁନ୍ଦର ପୁଅ ଓ ୧୦ ବର୍ଷର ସୁନ୍ଦରୀ ଝିଅଟେ ଅଛି। ରାମ ମଉସା, ମାଉସୀ ସ୍ବର୍ଗାଲୋକକୁ ଚାଲି ଗଲେଣି। ବାବୁନା ଆଉ ମିତା ଭିତରେ ଆଜି ପର୍ଯ୍ୟନ୍ତ ସେମିତି କେବେ ମନୋମାଳିନ୍ୟ ହେଇନି। ଖୁବ୍ ସୁରୁଖୁରୁରେ ତାଙ୍କ ସଂସାର ଡଙ୍ଗା ଚାଲିଛି।