ଡ. ପଦ୍ମ ଚରଣ ମିଶ୍ର

Inspirational Children

4.0  

ଡ. ପଦ୍ମ ଚରଣ ମିଶ୍ର

Inspirational Children

ସୁନାର ମାଟି

ସୁନାର ମାଟି

3 mins
278


ବ୍ୟାଙ୍କ ସାମ୍ନା ଗଳିଟିର ଶେଷ ଦୁଇଟା ସରକାରୀ ଘର ବଳଦେବ ସିଂହ ଓ ବିନୟ ଭୂଷଣ ରାୟ ଅଙ୍କଲଙ୍କ ଘର ଥିଲା। ସେହି ବର୍ଷ ସେହି ଗଳିଠାରୁ ଅନତୀ ଦୂରରେ ଥିବା ଅନ୍ଯ ଏକ ନିମ୍ନ ବର୍ଗର କଲୋନୀରେ ରହୁଥିବା ଜଣେ ଆଦିବାସୀ ସଂପ୍ରଦାୟର ଟପ୍ନୋ ମଉସା ରାୟ ଅଙ୍କଲଙ୍କ ପଡୋଶୀ ହେଇ ସେ ଗଳିକୁ ଆସିଥିଲେ। ମାଉସୀ ଓ ୪ ପୁଅ: ଡିବୁ, ମୁନା, ମାସୀ ଓ ହିତମଙ୍କୁ ନେଇ ତାଙ୍କ ପରିବାର। ସେ ଘରଟାକୁ କେହି ଲୋକ ଆସିବାକୁ ମଙ୍ଗୁ ନଥିଲେ। କାରଣ ବଗିଚା କହିଲେ କିଛି ନଥିଲା। ଟେନସା ଲୋକେ ସେ ସମୟରେ ବଡ ସୌଖିନ୍ ପ୍ରକୃତିର ଥିଲେ। ବାଡି ବଗିଚା ତାଙ୍କ ରକ୍ତରେ ଥିଲା। କିଛି ନହେଲେ ଫୁଲ ଗଛ ଲଗେଇ ଦେଉଥିଲେ। ଅମୃତଭଣ୍ଡା, ସଜନା, ପିଜୁଳୀ ଗଛ ପ୍ରାୟ ସମସ୍ତଙ୍କ ଘରେ ଥିଲା। ହେଲେ ସେ ଘରଟା ଚାରିଆଡ ମାଙ୍କଡା ପଥରରେ ପରିପୂର୍ଣ୍ଣ ଥିଲା। ପଥର ଏତେ ବଡ ବଡ ଥିଲା ଯେ ଖାଲି ବସିବାକୁ ହିଁ ହେଉଥିଲା। ଟପ୍ନୋ ମଉସା ବଡ ପରିଶ୍ରମୀ ଲୋକ ଥିଲେ। ସେମିତି ଦେଖିବାକୁ ଗଲେ ତାଙ୍କ ପରିବାରରେ କେହି କାହାଠାରୁ ଊଣା ନଥିଲେ। ଦିନ କେଇଟା ନ ଯାଉଣୁ, ଟପ୍ନୋ ମଉସା କୋଉଠୁ ଗୋଟେ ବଡ ହାତୁଡି ଆଉ ଛେଣୀ ଯୋଗାଡ କରି ଆଣିଲେ। ମଉସା ମାଇନ୍ସରେ ବୃହଦାକାର ଡମ୍ପର ଚଳାଉ ଥିଲେ। ଏ.ବି.ସି. ସିପ୍ଟ ଡିଉଟି ପଡେ। ଏ. ସିପ୍ଟ ଥିବା ଡିଉଟି ଦିନ ଗୁଡାକୁ ଛାଡି ବାକି ଦିନ ଗୁଡାକ ଲାଗି ପଡନ୍ତି ବାଡିରେ। ପଥର ଫଟା କାମ। ଏତେ ବଡ ବଡ ପଥର ଥାଏ ଯେ ବିଶ୍ବାସ କରି ହେବନି। କିନ୍ତୁ ଟପ୍ନୋ ମଉସା ଅହରହ ଲାଗିଥାନ୍ତି। ମାଉସୀ ଛେଣୀଟାକୁ ଗୋଟେ ଲୁହା ତାର ଲଗେଇ ପଥର ଉପରେ ଦେଖାନ୍ତି ଆଉ ମଉସା ମାରି ଚାଲନ୍ତି ହାତୁଡିରେ ପାହାର ପରେ ପାହାର। ଏମିତି ଚାଲିଥାଏ। ଦିନ ପରେ ଦିନ ଗଡି ଚାଲିଲା। ପାହାଡ ପରି ପଥର ଗଦା ହେବାରେ ଲାଗିଥାଏ। ସାପ୍ତାହୀକ ଛୁଟୀ ଦିନରେ ସେ ପଥର ଗୁଡାକୁ ପାଚେରୀର ରୂପ ଦିଆଯାଏ। ଡିବୁ, ମୁନା, ମାସୀ ଲାଗି ପଡନ୍ତି ମଉସାଙ୍କୁ ସାହାଯ୍ୟ କରିବାରେ। ଗଳିରେ ସମସ୍ତଙ୍କର କଣ୍ଟା ତାର ବାଡ ଥାଏ, ହେଲେ ଟପ୍ନୋ ମଉସାଙ୍କ ପଥର ପାଚେରୀ ଧିରେ ଧିରେ ଉଠିବାରେ ଲାଗିଥାଏ। ଦେଖୁ ଦେଖୁ ମାସ କେତେଟାରେ ୪ ଫୁଟ ଉଚ୍ଚତାର ପଥର ପାଚେରୀଟିଏ ଠିଆ ହେଇଗଲା। ପଥର ପାଚେରୀ ଗଢା ସରିବା ବେଳକୁ ଟପ୍ନୋ ମଉସାଙ୍କ ବଗିଚାରେ ସମ୍ପୂର୍ଣ୍ଣ ରୂପେ ମାଟି ଆସି ଯାଇଥିଲା। ସତେ ଯେମିତି ସେତିକି ମାଟି ପାଇବାକୁ ଟପ୍ନୋ ମଉସା ଏକାଗ୍ର ଚିତ୍ତରେ ତାଙ୍କର ସମସ୍ତ ପରିଶ୍ରମକୁ ନିଗାଡି ଦେଇଥିଲେ। ମୁଣ୍ଡରେ ଗାମୁଛା ଖଣ୍ଡେ ବାନ୍ଧି ଖରା ବର୍ଷାକୁ ଖାତିରି ନକରି ଏକା ନିଶାରେ ଲାଗି ପଡିଥିଲେ ସେହି ମାଟି ଟିକକ ସନ୍ଧାନରେ। ମାଟି ନଥିଲା ତ, ସିଏ ଥିଲା ସୁନା। ସେହି ସୁନାର ମାଟି ଚେନାଏର ସନ୍ଧାନ ପାଇବା ପରେ ଟପ୍ନୋ ମଉସା ଗାଈ ଗୋବର ଖୁବ୍ ପକେଇ ଥିଲେ। ଦିନ ସାରା ଲାଗିଥାନ୍ତି ମାଟିକୁ ସମତଳ କରିବାରେ। ଦେଖୁ ଦେଖୁ ସେ କାମ ବି ପୁରା ହେଇଗଲା। ଆରମ୍ଭ ହେଇ ଯାଇଥିଲା ଭେଳିକି ଭେଳି ଚାଷ। ପନି ପରିବା ତ ନିତିଦିନିଆ ଚାଲିଲା, ହେଲେ ବର୍ଷା ଦିନେ ଥରେ ଧାନ ଚାଷ, ତା' ପରେ ମୁଗ, ହରଡ ଚାଷ କରିବାକୁ ବି ଭୁଲି ନଥିଲେ। କାହା ପରେ କଣ ଚାଷ କରାଯିବ, ସେଗୁଡାକ ବିଷୟରେ ସେ ଅଭିଜ୍ଞ ଥିଲେ। ସେତିକି ଜମିରେ ସେ ମକା, ଭେଣ୍ଡି, କାକୁଡି, ଜହ୍ନିଁ, ଲାଉ, କଖାରୁ, ସଜନା, କଦଳୀ, କୋବି ଇତ୍ୟାଦି ପ୍ରଚୁର ମାତ୍ରାରେ ଚାଷ କରି ପାରୁଥିଲେ। ମଉସାଙ୍କ ହାତରେ ଫଳୁଥିଲା ସୁନା। ବୋଧହୁଏ ମଉସା ସେହି ସୁନାର ମାଟି ସନ୍ଧାନରେ ୧୫/୨୦ ଡମ୍ପର ପଥର ତାଡି ବାହାର କରିବାକୁ ପଣ କରି ନେଇଥିଲେ। ଦଶରଥ ମାଝିଙ୍କ ନାଁ ଅନେକ ଶୁଣିଥିବେ। ନିଜ ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ଏକୁଟିଆ ଲାଗି ପଡିଥିଲେ ପାହାଡର ବୁକୁ ଚିରିବାକୁ। ସେଥିରେ ସେ ସଫଳ ହେଇଥିଲେ। ଦେଶ ସାରା ଲୋକ ତାଙ୍କୁ କେତେ ବାଃ ବାଃ କରିଥିଲେ। ହେଲେ ୧୯୭୯/ ୮୦ ମସିହାର ଟେନସାରେ ଘଟିଥିବା ଟପ୍ନୋ ମଉସାଙ୍କ ଘଟଣା ଆଶ୍ଚର୍ଯ୍ୟମୟ। ଏଡେ ବଡ ପଣ? ନଦେଖିଲା ଲୋକ ସହଜରେ ବିଶ୍ବାସ କରିବନି। ମତେ ତ ଲାଗେ, ଦଶରଥ ମାଝି ମହାଶୟ ଆମ ଟପ୍ନୋ ମଉସାଙ୍କଠାରୁ ପ୍ରେରଣା ନେଇ ସେ ପାହାଡଟାର ବୁକୁଟାକୁ ଚିରି ରାସ୍ତା ବନେଇଥିବେ ।


Rate this content
Log in

Similar oriya story from Inspirational