ଡ. ପଦ୍ମ ଚରଣ ମିଶ୍ର

Others

4.0  

ଡ. ପଦ୍ମ ଚରଣ ମିଶ୍ର

Others

କଳିଙ୍ଗ ହେୟାର କଟିଂ ସେଲୁନ୍

କଳିଙ୍ଗ ହେୟାର କଟିଂ ସେଲୁନ୍

3 mins
137


ସେଦିନ ଥାଏ ରବିବାର। ସକାଳୁ ସକାଳୁ କାଙ୍ଗାଳୀ ବାରିକ ମଉସାଙ୍କ ଦୋକାନରେ ପହଞ୍ଚିଗଲି। ଦୋକାନ ଖୋଲି ନଥିଲା। ମଉସାଙ୍କ ଦୋକାନ ଆଗରେ ଶାଳ ପଟାର ବେଞ୍ଚଟିଏ ପଡିଥିଲା। ବସି ପଡିଲି। ଟେନସା ମାର୍କେଟର ପୁରୁଣା ଦୋକାନ ଲାଇନର ଉତ୍ତର ପଟରେ କାଙ୍ଗାଳୀ ମଉସାଙ୍କ ଦୋକାନଟା ଥିଲା। ଦୋକାନ ଆଗରେ ଛୋଟ ବୋର୍ଡଟିଏ ଲାଗିଥିଲା। ଲେଖା ହେଇଥିଲା, କଳିଙ୍ଗ ହେୟାର କଟିଂ ସେଲୁନ୍। ଏପାଖ ସେପାଖ ଚାହିଁ ଅପେକ୍ଷାରେ ରହିଥାଏ ମଉସାଙ୍କ ଆଗମନକୁ। ଦୂରରୁ ଦେଖିଲି, ମଉସା ଆସୁଛନ୍ତି।

ପରଦିନ ୫ମ ଶ୍ରେଣୀର ବାର୍ଷିକ ପରୀକ୍ଷାର ପ୍ରଥମ ଦିନ ଥିଲା। ମୁଣ୍ଡରେ କେଶ ବଢି ଯାଇଥାଏ। ଛୋଟ ବେଳେ ଖୁବ୍ ଶିଘ୍ର ବଢୁଥିଲା। ମୁଣ୍ଡଟା ଖାଲି ହେଇଗଲେ, ହାଲୁକା ଲାଗିବ। ମଉସା ଦୋକାନ ଖୋଲୁ ଖୋଲୁ ପଚାରିଲେ, 

- କଣ କେଶ କାଟିବୁ କିରେ?

ମୁଣ୍ଡ ଟୁଙ୍ଗାରୀ ହଁ ମାରିଲି।

ମଉସା ହାତରେ ବାଲତି ଗୋଟେ ଧରି ମାର୍କେଟର ପାଣିଟାଙ୍କି ଆଡକୁ ଚାଲିଲେ। କିଛି ସମୟ ପରେ ହାତରେ ପାଣି ବାଲତିଏ ଧରି ଫେରିଲେ। ତା'ପରେ ହାତରେ ଖଣ୍ଡେ ଝାଡୁ ଧରି ଓଳେଇବା ଆରମ୍ଭ କରିଦେଲେ। ପୁରା ଦୋକାନକୁ ଓଳାଉ ଓଳାଉ ୧୫ ମିନିଟ ଲାଗିଗଲା। ମୁଁ ସେମିତି ଭକୁଆ ଭଳି ବସିଥାଏ। ଝାଡୁମରା ସରିବା ପରେ ଦୋକାନ ସାରା ପାଣି ଛିଞ୍ଚିଲେ। ତା'ପରେ ଧୂପ ଲଗେଇ ପୂଜା କଲେ। ସେହି ପୂଜା କରୁ କରୁ ମଉସା ଦୁଇଜଣ ପହଞ୍ଚି ଗଲେ। କାଙ୍ଗାଳୀ ମଉସା ସେମାନଙ୍କୁ ଦେଖି ମୁରୁକି ହସା ଗୋଟେ ମାରିଲେ। କାଙ୍ଗାଳୀ ମଉସା ସେ ମଉସା ମାନଙ୍କ ସହିତ ଦୁଃଖସୁଖ ହେବା ଆରମ୍ଭ କରି ଦେଇଥିଲେ। ମୁଁ ବ୍ୟସ୍ତ ହେଇ ପଡୁଥାଏ, କେମିତି ମୋର ସହଳ ସରିଲେ, ଘରକୁ ଯାଇ ପଢିବାକୁ ବସିବି। କାଙ୍ଗାଳୀ ମଉସା କାମ ସାରି ଜଣେ ମଉସାଙ୍କୁ ଇସାରା କଲେ ଚେୟାରରେ ବସିବାକୁ। ସେ ମଉସା ଜଣକ ବସି ପଡିଲେ। ଦାଢୀକଟା ଆରମ୍ଭ ହେଲା। ଯେମିତି ସେ ମଉସାଙ୍କ ସରିଛି, ଭିଡ ବଢି ଚାଲିଲା। ଦାଢୀକଟା ସରି ପ୍ରଥମ ମଉସା ଚେୟାରରୁ ଓହ୍ଲାଇଲା ପରେ ଆର ମଉସା ଜଣକ ଫଟକରି ସେ ଚେୟାରରେ ବସି ପଡିଲେ। କାଙ୍ଗାଳୀ ମଉସା ଦାଢୀକଟା ବ୍ରସ୍ ଧୋଇ ସଫା କରିବା ଭିତରେ ଆର ମଉସା ଚେୟାର ଅକ୍ତିଆର କରି ସାରିଥିଲେ। ସିଏ ବି ଦାଢୀ କାଟିଲେ। ତାଙ୍କର ବି କଟା ସରିଲା। ଭାବିଲି, ଏଥର ମଉସା ମତେ ଡାକିବେ। ହେଲେ ସେ ଦ୍ବିତୀୟ ମଉସା ଚେୟାର ଛାଡୁ ଛାଡୁ, ଫଟ୍ କରି ଆଉ ଜଣେ ମଉସା ଚେୟାର ମାଡି ବସିଲେ। ସିଏ କେଶ କାଟିଲେ ଆଉ ଦାଢୀ ବି। ତାଙ୍କ ସେବା ଚାଲୁ ଚାଲୁ କହି ପକେଇଲେ, 

- ମୁଁ ଟିକେ ହଡବଡିରେ ଅଛି। ସିଆଡେ କାଲୁ ମିଆଁ ମାଂସ କାଟିବା ଆରମ୍ଭ କରି ଦେଇଥିବ। ସହଳ ନଗଲେ, ବୁଢୀଛେଳୀ ମିଶେଇ ଦେବ

ସେ ମଉସାଙ୍କର ଅଧା ଘଣ୍ଟା ଲାଗିଗଲା। ତାଙ୍କର ସରୁ ସରୁ ଆଉ ଜଣେ ମଉସା ପରିବା କିଣିଲେ, ଘରେ ରୋଷେଇ ହେବ କହି ଚେୟାରରେ ବସି ପଡିଲେ। ତାଙ୍କର କେଶ କଟା। ମୁଁ ଖାଲି କାଙ୍ଗାଳୀ ମଉସାଙ୍କ ଦୋକାନରେ ଲାଗିଥିବା ଘଡି ଆଡେ ବାରମ୍ବାର ଚାହୁଁଥିଲି। ସମୟ ଗଡି ଚାଲିଥାଏ। ଜଣେ ପରେ ଜଣେ ମଉସା ବିଭିନ୍ନ ଆଳ ଦେଖେଇ ମତେ ପଛକୁ କରି ଦେଉଥାନ୍ତି। ଛୋଟ ପିଲା ଥିଲି। କାହାକୁ କିଛି କହି ପାରୁ ନଥିଲି। ଆମର ସଂସ୍କାର ସେମିତି ହିଁ ଥିଲା। ବଡ ମାନଙ୍କୁ ଅପମାନ ଲାଗିଲା ଭଳି କିଛି ମୁହଁରୁ ବାହାରିବା ଅସମ୍ଭବ ଥିଲା। ସମୟ ସହିତ ମୋର ବ୍ୟସ୍ତତା ବଢି ଯାଉଥିଲା। କାଙ୍ଗାଳୀ ମଉସାଙ୍କ ଆଡକୁ ବିକଳିଆ ହେଇ ଚାହିଁ ରହିଥିଲେ ବି ସିଏ କିଂକର୍ତ୍ତବ୍ୟବିମୁଢ ଥିଲେ। ସମୟ ଧିରେ ଧିରେ ୧୨ ଟା ୩୦ ପାର୍ ହେଲା। ଦୋକାନ ଖାଲି ହେବାକୁ ଲାଗିଲା। ଶେଷ ଗରାଖ ବି ମତେ ପଛକୁ କରି ଚେୟାରରେ ବସି ପଡିଲେ। ଏଥର ଭାବିଲି, ମୋର ଶେଷ ପାଳି। ଚେୟାରରେ ବସିଲା ବେଳକୁ ଦିନ ଗୋଟାଏ ପାର୍ ହେଉଥିଲା। ହଟାତ୍ ପହଞ୍ଚି ଗଲେ, ବିଜୟ ଭାସ୍କର ସାମନ୍ତରା ମଉସା। ମତେ ଦେଖି କହିଲେ, 

- ବାପା ରେ, ମୁଁ ଟିକେ ବ୍ୟସ୍ତରେ ଅଛି। ଆଗ ମୁଁ ଟିକେ କେଶ କାଟିଦେଲେ, ଚଳିବନି? ଘରେ ବହୁତ କାମ ଅଛି

ସାମନ୍ତରା ମଉସାଙ୍କ ଅନୁରୋଧକୁ ମୁଁ ଏଡାଇଯିବା ଅସମ୍ଭବ ଥିଲା। ସେ ଆକାଶବାଣୀର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଥିଲେ। ତାଙ୍କ ପ୍ରତି ମୋର ଢେର୍ ସମ୍ମାନ ଥିଲା। ଚେୟାରରୁ ଉଠି ପଡିଲି। ଆଉ ମଉସାଙ୍କୁ ଛାଡିଦେଲି। ମଉସା କେଶ କାଟିଲେ ଆଉ ଦାଢୀ ବି। ଶେଷରେ ଚେୟାରରେ ବସିଲି।

କାଙ୍ଗାଳୀ ମଉସା ମୋର କେଶ କାଟିବା ଆରମ୍ଭ କଲେ। କହିଲେ, 

- କେଡେ କଥା ହେଲା ! ତୁ ସବୁଠୁ ଆଗରୁ ଆସି ସବା ଶେଷରେ କେଶ କାଟୁଛୁ। କଣ କରିବା, ମଉସା ଗୁଡାକ ପରା ସମସ୍ତେ ବ୍ୟସ୍ତ ଲୋକ

ମୋ କେଶ କଟା ସରିଲା ବେଳକୁ ଅପରାହ୍ନ ଗୋଟାଏ ୪୫ ମିନିଟ। ସକାଳ ୭ରୁ ଘରୁ ବାହାରି ଅପରାହ୍ନ ଦୁଇଟା ପରେ ଘରକୁ ଫେରିଥିଲି। ପରଦିନର ପରୀକ୍ଷା ବିଷୟରେ ଚିନ୍ତା କରି ଶିହିରି ଉଠୁଥିଲି। କାନ ଧରିଲି। କାଙ୍ଗାଳୀ ମଉସାଙ୍କ ଦୋକାନକୁ ଆଉ କେବେ ଆସିବିନି ବୋଲି ମନେ ମନେ ସ୍ଥିର କରି ନେଇଥିଲି। ସତରେ ଆଉ କେବେ ବି ଯାଇ ନଥିଲି।

ସେଦିନ ମତେ ଏକ ଶିକ୍ଷା ମିଳିଥିଲା। ପରବର୍ତ୍ତୀ ସମୟରେ ସେଲୁନରେ କେଶ କାଟିବା ବେଳେ ଯଦି ସ୍କୁଲ୍ ପିଲା ନଜରକୁ ଆସନ୍ତି ମୋ ଆଗରୁ ସେମାନଙ୍କ କାଟିବାର ବ୍ୟବସ୍ଥା କରେଇ ଦିଏ। ଛୋଟ ସ୍କୁଲ୍ ପିଲାଙ୍କୁ ଆମେ ପ୍ରାଧାନ୍ୟ ଦେବା କଥା, ଏଇଟା ମୋ ଅଭ୍ୟାସରେ ପଡି ଯାଇଥିଲା।

ଡ. ପଦ୍ମ ଚରଣ ମିଶ୍ର


Rate this content
Log in