Dr. Padma Charan Mishra

Inspirational

3.3  

Dr. Padma Charan Mishra

Inspirational

ମୂଲ୍ୟବୋଧ

ମୂଲ୍ୟବୋଧ

3 mins
764


ରାଉରକେଲା ନିକଟବର୍ତ୍ତୀ ଏକ କ୍ଷୁଦ୍ର ଶିଳ୍ପ ନଗରୀ ଟେନସା ସହରରେ ବଢିଥିବାରୁ, ନିଜ ପୌତୃକ ଗାଁକୁ ଗଲେ "ବାବୁ"କୁ ତା' ଗାଁଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ସହରୀ ପିଲା ଭାବରେ ବିବେଚନା କରୁଥିଲେ। ସହରର ଲୋକେ ମୂଳଭୁତ ଜ୍ଞାନ ବିଷୟରେ ଅଜ୍ଞ ବୋଲି ସେମାନଙ୍କର ଦୃଢ ଧାରଣା ଥିଲା। ତା' ବାପାଙ୍କର ଚାକିରୀ କାଳ ଭିତରେ ସେ ୩/୪ ଥର ଗାଁକୁ ଯାଇଥିବ। ସବୁଥର ତା'ର ସେଭଳି ଅନୁଭୁତ ହୁଏ। ଚାଷବାସ, ଅମଳ ବା ଚାଷ ସମ୍ବନ୍ଧୀୟ କୌଣସି ଜ୍ଞାନ ଉପରେ ବାବୁ ତଥା ତା'ର ଭାଇ ଭଉଣୀଙ୍କୁ ଗାଁଲୋକେ ଅନାଡି ଭାବନ୍ତି। ଛୋଟବେଳୁ ସାନ ମାନଙ୍କ ପ୍ରତି ବାବୁ ପ୍ରୟତ୍ନଶୀଳ ତଥା ସମ୍ବେଦନଶୀଳ ଥିଲା।


୧୯୯୫ ମସିହାରେ ତା' ବାପା ଚାକିରୀରୁ ଅବସର ନେବା ପରେ ଗାଁରେ ରହୁଥାନ୍ତି। ବର୍ଷେ ଉତ୍ତାରୁ ମାନ୍ଦ୍ରାଜ୍ ନଗରୀରୁ ଇଂଜିନିୟରିଂ ସାରିବା ପରେ ବାବୁକୁ କିଛି ବର୍ଷ ବେକାର ବୁଲିବାର ସୌଭାଗ୍ୟ ମିଳିଥିଲା। ସେହି ବେକାରୀ ସମୟ ଭିତରେ ସମାଜର ଅନେକ କଠୋର ଅନୁଭୁତି ହେଇଥିଲା। ରୋକଠୋକ୍ କହିବାକୁ ଗଲେ, ମଣିଷ ଚିହ୍ନିଁବାର କଳା ଟିକେ ଶିଖି ଯାଇଥିଲା। ୧୯୯୭ ମସିହାରେ ତା'ର ଉପର ଭଉଣୀର ବାହାଘର ଥାଏ। ତାଙ୍କର ଗୋଟେ ଜମିରେ ସେଥର ଆଳୁ ଚାଷ ହେଇଥାଏ। ଅମଳ ସମୟ ଉପନୀତ। ବାହାଘର ଯୋଗାଡରେ ସମସ୍ତେ ଲାଗିଥାନ୍ତି। ଦିନେ ବାବୁକୁ ତା' ବାପା ଦାୟିତ୍ୱ ଦେଲେ। ଜମିରୁ ମୂଲିଆ ଲଗେଇ ଆଳୁ ଖୋଳିବା କାମ। ବାବୁ ଆଉ କି ବିଳମ୍ବ କରେ? ୩-୪ଟା ଝୋଟ ବସ୍ତା ହାତରେ ଧରି ବୀର ଦର୍ପରେ ଘରୁ ବାହାରି ଗଲା। ବାବୁକୁ ଦେଖି ତା'ର ବଡ ମାଆ ଠୋ ଠୋ ହେଇ ହସି ଉଠିିଲେ। ବାବୁ କିଛି ବୁଝି ନ ପାରି ପଚାରିଲା,


- କଣ ହେଲା, ବଡ ମାଆ? 


ସେ କହିଲେ,


- ତୁ ସହରୀ ପିଲା; ଆଳୁ କେମିତି ଖୋଳାଯାଏ, ତୁ କଣ ଜାଣିଚୁ? ମୂଲିଆ ମାନେ ଆଳୁ ଖୋଳୁ ଖୋଳୁ କେତେ ଚୋରୀ କରନ୍ତି; ଯେତିକି ବାହାରିବ ବୋଲି ଭାବୁଥିବୁ, ତାର ଅଧା ହିଁ ମିଳିବ; ସେମାନେ ଖୋଳିବା ବେଳକୁ ଅଧା ଆଳୁ ମାଟି ଭିତରେ ଲୁଚେଇ ଦେବେ; ରାତିରେ ପୁଣି ଯାଇ ସେଗୁଡାକୁ ଖୋଳି ନିଜ ଘରକୁ ନେବେ ।


ବଡ ମାଆ କଥା ଶୁଣି ବାବୁର ଅକଲ ଗୁଡୁମ୍ ହେଇଗଲା। ତା' ଆଖି ଆଗରେ ସେମାନେ ଚୋରୀ କରିବେ, ଅଥଚ ସିଏ ଜାଣି ପାରିବିନି? ଆଗପଛ ବିଚାର କରିବାକୁ ତା' ପାଖରେ ଆଉ ସମୟ ନଥିଲା, ତାକୁ ଜମି ଆଡକୁ ଯିବାକୁ ପଡିଲା।


ଆଳୁଖୋଳା ସରିଲା ପରେ ସେଦିନ ଅପରାହ୍ନ ୪ଟା ବେଳେ ସାଙ୍ଗରେ ୪ ବସ୍ତା ଆଳୁ ନେଇ ବାବୁ ଘରେ ପହଞ୍ଚିଲା। ତା' ବାପା ଭାବିଥିଲେ ଅତି ବେଶିରେ ୩ ବସ୍ତା ମିଳିବ। ବଡ ମାଆ କିନ୍ତୁ ୪ ବସ୍ତା ଆଳୁ ଆଣିବା ଦେଖି ବାବୁ ଆଡକୁ ଆଖି ଦୁଇଟାକୁ ବଡ ବଡ କରି ଚାହିଁ ରହିଥିଲେ। କେମିତି ଏମିତି ହେଲା, ସେ ବୁଝିପାରୁ ନଥିଲେ। ବଡ ମାଆ ବାବୁକୁ ପଚାରିବାରୁ ସେ ଘଟଣାଟା କହିଲା.......


ଜମିକୁ ଯିବା ବାଟରେ ବାବୁକୁ ଦେଖି ଜଣେ ଦୁଇ ଜଣ ଗାଁ ଲୋକ ବି ହସୁଥିଲେ। ସହରୀ ପିଲାଟା ଭକୁଆ ହେବାକୁ ବାହାରିଚି ବୋଲି ଲୋକେ ଭାବୁଥିଲେ। ପାଣି ବୋତଲ ଗୋଟେ ଧରି ବାବୁ ଚାଲିଥାଏ। ବାଟରେ ଗୋଟେ ଦୋକାନରୁ ୫ ଟଙ୍କାର କିଛି ଚକଲେଟ୍ କିଣି ପକେଟରେ ପୁରେଇଲା। ମୂଲିଆ ଚାରିଜଣ ତା' ସହିତ ଚାଲିଥାନ୍ତି। ସାଥିରେ ସେମାନଙ୍କର ୩ଟା ଛୁଆ ବି ଥାଆନ୍ତି। ଜମିରେ ପହଞ୍ଚିବା ପରେ ଆରମ୍ଭ ହେଇଗଲା, ଆଳୁ ଖୋଳା। ବାବୁ ସତର୍କତାର ସହ ଦେଖୁଥାଏ। ସବୁ ଠିକ୍ ଠାକ୍ ଚାଲିଲା। ଦିନ ୧୧ଟା ପରେ ଭୀଷଣ ଖରା ହେଲା। ମୂଲିଆ ଦଳ ସେ ପର୍ଯ୍ୟନ୍ତ ଚୋରୀ କରିବାର କୌଣସି ଲକ୍ଷଣ ବାବୁ ଦେଖିବାକୁ ପାଇଲାନି। ବଡ ମାଆ କଥା ଉପରେ ତା'ର ସନ୍ଦେହ ହେଉଥିଲା। ଖରାରେ ଥିବା ଦେଖି ବାବୁକୁ ସମବେଦନା ଜଣେଇବାକୁ ଯାଇ ଜଣେ ମୂଲିଆ କହି ପକେଇଲା,


- ତୁମେ ବାବୁ ସହରୀ ଲୋକ, ଗଛ ଛାଇ ତଳେ ବସିଥାଅ; କେତେ ଆଉ ଖରା ଖାଇବ; ଆମେ ତ ଖୋଳୁଚୁ ଖରା ଭାରି କାଟୁଥିଲା। ସେମାନଙ୍କ କଥା ମାନି ବାବୁ କିଛି ସମୟ ଗଛ ଛାଇ ତଳେ ବସି ପଡିଲା। ବୋତଲରୁ ପାଣି ବାହାର କରି ପିଇଲା। ଘଣ୍ଟାଏ ସମୟ ସେମାନଙ୍କ ଛୋଟ ପିଲାଙ୍କ ସହିତ ଆଦରରେ କଥା ହେଇ ହେଇ କଟେଇଲା। ପକେଟରୁ ସବୁ ଚକଲେଟ୍ କାଢି ସେମାନଙ୍କୁ ଦେଲା। ପିଲା ଗୁଡାକ ଚକଲେଟ୍ ଖାଇ ବହୁତ ଖୁସି ହେଲେ। ସେମାନଙ୍କର ଖୁସି ବାବୁ ପାଇଁ ଅମୂଲ୍ୟ ଥିଲା। ବୋଧହୁଏ ସେମାନଙ୍କ ସହିତ ଗାଁ ଲୋକେ ସେମିତି ଉତ୍ତମ ବ୍ୟବହାର କରୁ ନଥିଲେ। କିଛି କ୍ଷଣ ସେମାନଙ୍କ ସହ କାଟିବା ପରେ ପୁଣି ଜମି ପାଖକୁ ବାବୁ ଗଲା। ନିଜେ ମୂଲିଆ ମାନଙ୍କୁ ଆଉ ଟିକେ ସାହାଯ୍ୟ କରିବାକୁ ଯାଇ ଆଳୁ ଖୋଳିବାରେ ଲାଗିଗଲା। ବାବୁକୁ ଆଳୁ ଖୋଳିବା ଦେଖି ପିଲାଗୁଡାକ ବାବୁ ସହିତ ମିଶିଗଲେ। ସେମାନେ କିନ୍ତୁ ଆଳୁ ଖୋଳା ସରିଥିବା ଜାଗା ଗୁଡାକର ମାଟିକୁ ବାରମ୍ବାର ଓଲଟାଇବାରେ ଲାଗିଲେ। ସେ ଭିତରୁ ପ୍ରଚୁର ମାତ୍ରାରେ ଆଳୁ ବାହାରିଲା। ଘଣ୍ଟାଏ ଭିତରେ ମୂଲିଆମାନେ ଏତେ ପରିମାଣରେ ଆଳୁ ଲୁଚେଇ ଦେଇଥିବେ, ବାବୁ ଭାବି ପାରିଲିନି। ବାହାରୁଥିବା ଆଳୁଗୁଡାକୁ ପିଲାମାନେ ଆଳୁ ଗଦାରେ ଜମେଇବାରେ ଲାଗିଗଲେ। ବାବୁ ସବୁ ଦେଖୁଥିଲେ ବି ଆଚମ୍ବିତ ନହେବାର ଅଭିନୟ କରୁଥିଲା। ମୂଲିଆମାନଙ୍କର ହାବଭାବରେ କିଛିଟା ପରିବର୍ତ୍ତନ ଆସିଥିଲେ ବି ବାବୁ ନଜାଣିବା ପରି ରହିଲା। ସେମାନେ ସେମାନଙ୍କର ନିଷ୍କଳଙ୍କ, ଅବୋଧ ଶିଶୁମାନଙ୍କ ଉପରେ କ୍ରୋଧିତ ହେଉଥିଲେ। ମୂଲିଆ ମାନଙ୍କର ଯଦିଓ ଅର୍ଦ୍ଧେକ ଆଳୁ ପ୍ରାପ୍ୟ ଥିଲା, ତଥାପି ଅଧାରୁ କେମିତି ପାରୁ ପର୍ଯ୍ୟନ୍ତ ଅଧିକ ନେବେ, ତାର ଚକ୍ରାନ୍ତ ସେମାନେ କରିଥିଲେ। ବାବୁର ୫ ଟଙ୍କାର ସ୍ନେହବୋଳା ଚକଲେଟ୍ ତଥା ପିଲା ମାନଙ୍କ ସହିତ ମଧୁର ବାର୍ତ୍ତାଳାପ ମୂଲିଆ ମାନଙ୍କର ସମସ୍ତ ଚକ୍ରାନ୍ତକୁ ଅକାମୀ କରି ଦେଇଥିଲା। ସେମାନଙ୍କର ବାପାମାଆଙ୍କର ପ୍ରବଞ୍ଚନାକୁ ସେମାନେ ସମ୍ପୂର୍ଣ୍ଣ ରୂପେ ପଦାରେ ପକେଇ ଦେଇଥିଲେ। 

.............................


ବାବୁ କଥା ଶୁଣି ବଡ ମାଆ ତା' ଆଡକୁ ଚାହିଁ ଆଖି ମିଟମିଟ୍ କରୁଥିଲେ। ଛୋଟପିଲାଙ୍କୁ ସ୍ନେହ କଲେ ପରିଣାମ ଏମିତି ବି ହେଇପାରେ, ତାର ଉଦାହରଣ ସେ ସ୍ବଚକ୍ଷୁରେ ଦେଖୁଥିଲେ।



Rate this content
Log in

Similar oriya story from Inspirational