କୁଡିଏ ପାଚ୍ ଟକା
କୁଡିଏ ପାଚ୍ ଟକା
୧୯୮୫ ମସିହାର କଥା। ଜଣେ ମଧ୍ୟ ବୟସ୍କ ଆଦିବାସୀ ଲୋକ ଟେନସା ସହରକୁ ଆସିଥିଲା। ମଇଳା ଫଟା ଧୋତି ସାଙ୍ଗକୁ କାନ୍ଧରେ ପଡିଥାଏ ଗୋଟେ ମଇଳା ଗାମୁଛା। କାଖରେ ଜାକି ରଖିଥାଏ, ଗୋଟେ ଠେକୁଆ ଛୁଆ। ପିଠି ପଛ ପଟେ ଝୁଲିଥାଏ ଗୋଟେ ବଡ଼ ଆଲୁମିନିଅମ୍ ହାଣ୍ଡି। ଡାକ ଛାଡି ଚାଲିଥାଏ, "ମହୁ ନବ ...ମହୁ ; ଅଦା କିଲ ଦଶ ଟକା, ଗୁଟେ କିଲ କୁଡିଏ ପାଚ୍ ଟକା" (ଅର୍ଥାତ୍: ଅଧା କିଲୋ ୧୦ ଟଙ୍କା ଓ ଏକ କିଲୋ ୨୫ଟଙ୍କା)। ଏମିତି ଡାକ ଛାଡି ଛାଡି ପଶି ଆସିଲା ବ୍ୟାଙ୍କ ସାମ୍ନା ଗଳିରେ। ଲୋକମାନଙ୍କୁ ବଡ କୌତୁକିଆ ଲାଗିଲା। ଏମିତି କି ଦର? ଅଧା କିଲୋ ଯଦି ୧୦ଟଙ୍କା ହୁଏ, ତେବେ ଏକ କିଲୋକୁ ତ ୨୦ ଟଙ୍କା ହେବା କଥା। ଏଭଳି ଲୋକକୁ ଦେଖି କାହା ମନରେ ଦୟା ଆସିଲା ତ କାହା ମନରେ ଆସିଲା, "ଏ ଲୋକଟା ନିଶ୍ଚୟ ଭକୁଆ ହେଇଥିବ"। ମିଶ୍ର ଘର ମାଉସୀ ଦେଖିବାକୁ ଆସିଲେ, କିନ୍ତୁ କିଣିବାକୁ ମନା କଲେ। ପଚାରିବାରୁ କହିଲେ "କିଣିଥାନ୍ତି ଯେ, ୨୫ଟଙ୍କା ଦେଇ କିଲେ କିଣିଲେ ଲୋକେ ହସିବେ, ଆଉ ଦୁଇ ଥର ଅଧା କିଲୋ ଲେଖାଏଁ କିଣିଲେ ଲୋକଟାକୁ ଠକିବା ସାର ହେବ। ତେଣୁ ନ କିଣିବାଟା ହିଁ ଠିକ୍"। କିନ୍ତୁ ଜଣେ ମଉସା ହାତରେ ଚାରିଟି ଦଶ ଟଙ୍କିଆ ନୋଟ ଧରି ଚାଲି ଆସିଲେ ଓ ସେ ଆଦିବାସୀ ଲୋକଠାରୁ ଚାରି ଥର ଅଧା କିଲୋ ଲେଖାଏଁ ମହୁ କିଣି ନେଲେ। ଲୋକଟା ନିର୍ବିକାର ଭାବରେ ଚାରିଥର ଅଧା କିଲୋ ଲେଖାଏଁ ମହୁ ମାପି ଦେଇଗଲା ଓ ମନ ଖୁସିରେ ଯିବାକୁ ବାହାରିଲା। ଯିବା ବେଳକୁ କହୁଥାଏ, "ଠେକୁଆ ନେଲେ ଆନି ଦେବି, କୁଟୁରା ନେଲେ ଆନି ଦେବି, ଇତ୍ୟାଦି ଇତ୍ୟାଦି".... ମଉସା ମହୁ କିଣି ବହୁତ ଖୁସି ଥିଲେ, ଆଦିବାସୀ ଲୋକଟା ଆଜି ମସ୍ତ ଭକୁଆ ବନିଚି।
କିଛି ଦିନି ପର କଥା। ମଉସା ଦିନେ ରାତିରେ ପରଟା ଖାଉଥିଲେ। ଖାଉ ଖାଉ ମନେ ପଡିଗଲା ମହୁ କଥା। ମାଉସୀଙ୍କୁ କହିଲେ , "ମହୁ ଟିକେ ଦେ"। ମାଉସୀ ମହୁ ବୋତଲଟା ଧରି ପହଁଚିଗଲେ ମଉସାଙ୍କ ଆସନ ପାଖରେ। ମାଉସୀ ମହୁ ବୋତଲରୁ ମହୁ ଦେଲା ବେଳକୁ ମଉସା ଏକ ଲୟରେ ଚାହିଁ ରହିଥିଲେ ବୋତଲଟାକୁ, ମହୁର ରଙ୍ଗ ଓ ଗୁଣ ପରଖିବାକୁ। କିନ୍ତୁ ୟେ' କଣ, "ମହୁଟା ଦୁଇ ଥାକିଆ ସ୍ତର ସ୍ତର ଭଳି ଦେଖା ଯାଉଚି ? ବୁଝା ପଡିଲା: ଯେଉଁ ସରଳ ଭକୁଆ ଆଦିବାସୀଟାକୁ ମଉସା ଠକି ଦେଇଛନ୍ତି ବୋଲି ଭାବୁଥିଲେ, ସେ ଆଦିବାସୀ ଲୋକଟା ଗୁଡ ପାଣି ମିଶା ମହୁ ଦେଇ ମଉସାଙ୍କୁ ଠକି ଦେଇଚି।
କଥାଟା ବିଜୁଳି ବେଗରେ ଆମ ଗଳିରେ ପ୍ରଚାର ହେଇ ଗଲା। ତା' ପରଠୁ କୌଣସି ପିଲା ଅନ୍ୟ କାହାକୁ ଠକିବାକୁ ଚେଷ୍ଟାକରି ଧରା ପଡିଗଲେ ପିଲାଏ କୁହା କୁହି ହେଲେ, "କୁଡିଏ ପାଚ୍ ଟକା ଚଳିବନି"।
