Subrat Kumar Nath

Drama Abstract

5.0  

Subrat Kumar Nath

Drama Abstract

ପ୍ରେମୋଦୟ

ପ୍ରେମୋଦୟ

3 mins
481


ରାତି ପାହିଲେ ଆଲୋକର ପର୍ବ ଦୀପାବଳି , ଚଳ ଚଞ୍ଚଳ ବାତାବରଣ ଭିତରେ ଭାରି ଏକା ଏକା ଲାଗୁଥାଏ ତା ସହିତ ରାଜା ଆଉ ସୁମିତର ଛୋଟ ମୋଟ କଳହ। କେହି କାହାକୁ ବୁଝିବାକୁ ନାରାଜ। କଥାରେ ଅଛି "ଜାଣି ଶୋଇଥିବ ଯିଏ ତାକୁ ଉଠେଇବ କିଏ?" ନୀତିଦିନର କାର୍ଯ୍ୟକ୍ରମ ଥିଲା ସେ ଦୁଇ ଜଣଙ୍କର। ନିଶ୍ଚିତ ଉପସ୍ଥିତ ଥିଲି ତାଙ୍କ ପାଖରେ ହେଲେ ମନ ଭିତରେ ଗତ କାଲିର କଥା ବିଭ୍ରାଟ ସୃଷ୍ଟି କରିଥିଲା। କେତେ ଭୁଲିବାକୁ ଚେଷ୍ଟା କରୁଥିଲି ହେଲେ ଅମାନିଆ ମନ ବୁଝିବାକୁ ଶକ୍ତ ମନା କରୁଥାଏ।


ଠିକ ଏତିକି ବେଳେ ସୁନୀଲ ମାମୁଁ ଆସି ପହଞ୍ଚି ଗଲେ,ଏହା ଦେଖି ମୁଁ ମୋ ଭାବନାକୁ ଦାବି ଦେଲି କାରଣ ହୁଏତ ମୋତେ ମନ ଦୁଃଖରେ ଦେଖି ସେ ମଧ୍ୟ ଦୁଃଖିତ ହୋଇଯିବେ।


ଆରେ ମାମୁଁ ...କେତେବେଳେ ଆସିଲେ ଆପଣ? ମୁଁ ପଚାରିଲି। ମାମୁଁ କହିଲେ ସେ କଥା ଛାଡ ଆଗ କହ କଣ ହେଇଛି ତୋର ? ଆଜି କାହିଁକି ଏତେ ମନ ଦୁଃଖରେ ବସିଛୁ,ତତେ ତ ଆଗରୁ କେବେ ଏମିତି ଦେଖିନାହିଁ ମୁଁ।


ମାମୁଁ ଆଉ ମୋ ମଧ୍ୟରେ ଥିବା ସମ୍ପର୍କ ପୁରା ନିଆରା,ମୁଁ କେବେ ମଧ୍ୟ କିଛି ଲୁଚାଇ ନାହିଁ ତାଙ୍କୁ ଆଉ ସେ ମଧ୍ୟ ସବୁ କ୍ଷେତ୍ରରେ ମତେ ପୂର୍ଣ୍ଣ ସହଯୋଗ କରନ୍ତି। ସେ ଏକାକୀ ଜଣେ ଯିଏ ଭଲ ଭାବରେ ସୋନାଲିକୁ ଚିହ୍ନନ୍ତି। 

     

 ସୋନାଲି ପଟ୍ଟନାୟକ, ମୋ ପାଇଁ "ସୋନା"। ପ୍ରଥମ ଦେଖାରେ ପ୍ରଥମ ପ୍ରେମ,କୌଣସି ଏକ ସୁନ୍ଦର ବଗିଚାର ମନଲୋଭା ଫୁଲ ଟିଏ ପରି କୋମଳ ଆଉ ଦାଗ ହୀନ ଚନ୍ଦ୍ରମା ପରି ସୁନ୍ଦର। ତା'ର ସୁନ୍ଦରତାର ପରାକାଷ୍ଠା ପୁରା କଲେଜ ସାରା ବ୍ୟାପିଥାଏ। ମୁଁ ତ ମୋ ମନର ଭାବନା ଅନ୍ତରରେ ହିଁ ଜମା କରି ଦେଇଥାଏ।

 କାହିଁ ସେ ସତେଜ ଫୁଲର ବିଚଳିତ ସୁଗନ୍ଧ ଆଉ କାହିଁ ମୁଁ ସେଇ ଛୋଟ ନଦୀର ଦରଭଙ୍ଗା ବନ୍ଧ।


ଏପରି ଭାବେ ଭାବନାକୁ ମନର ପୁଟୁଳିରେ ବାନ୍ଧି ଆଗେଇ ଚାଲିଥାଏ। କିଛି ସ୍ନେହ କଲମର ଧାରରୁ ବହୁଥାଏ ଆଉ କିଛି ଦୁଃଖ ଅନ୍ତରରେ କୋହର ରୂପ ନେଇ ଥାଏ।


ଗୁଡ଼ାଏ ଦିନର ପ୍ରତୀକ୍ଷା ଇନ୍ଦ୍ରଧନୁ ସାଜିଥିଲା ଯେବେ ହଟାତ ହଳଦୀ ରଙ୍ଗର ଚୁଡ଼ିଦାର ପିନ୍ଧି ଆସିଥିଲା ଆଗକୁ ସେ,ଗଣେଶ ପୂଜାର ରଙ୍ଗ ଭିତରେ ସେ କିଛି ନିଆରା ଲାଗୁଥିଲା ମୋତେ। ପୁରା କଲେଜ ଜାଣିଥିଲା ଆମ ବିଷୟରେ , ସେ ମଧ୍ୟ ଜାଣିଥିଲା କିନ୍ତୁ ଦୁର୍ଭାଗ୍ୟର କଥା ଏୟା ଯେ ମୁଁ କେବେ ସାହସ କରି କହି ନଥିଲି।


ଆରେ ତୁମ ନମ୍ବରଟା ପଠେଇଲ ମୋତେ,କିଛି କଥା ଥିଲା..ସେ ସୁନ୍ଦର ଓଠ ମୋତେ କହୁଥିଲା, ମନ ତ ଗଗନ ଗାମୀ ଥିଲା। ତଥାପି ନିଜକୁ ନିୟନ୍ତ୍ରଣ କରି ନମ୍ବର ଦେଇଥିଲି।


ପରେ ସବୁ କିଛି ଠିକ ଚାଲୁଥାଏ,ଏମିତି ଏକ ସମୟ ମଧ୍ୟ ଆସିଗଲା ଯେବେ ଦୁହେଁ ଦୁହିଁଙ୍କୁ ଛାଡି ରହି ପାରୁ ନଥିଲୁ। ଗୋଟେ ଦିନ ନ ଦେଖା ହେଲେ ଲାଗୁଥାଏ ଯେମିତି କିଛି ବଡ ଦୁର୍ଘଟଣା ହେଇଯାଇଛି,ଯେମିତି ମଧୁ ମାଛି ଆଉ ଫୁଲ ର ମଧ୍ୟରେ ପ୍ରାଚୀର ସ୍ଥାପନ ହୋଇଛି।

କିନ୍ତୁ କିଛିଦିନ ପରେ ସବୁ କିଛି ବଦଳି ଯାଇଥିଲା, ସନ୍ଦେହ ଆଗରେ ପ୍ରେମ ବନ୍ଧା ପଡିଥିଲା।


 ମାମୁଁ ଙ୍କ କଥା ଶୁଣି ମୁଁ କହିଲି ନାଇଁ କିଛି ନାହିଁ ମାମୁଁ ,ଏମିତି ଭଲ ଲାଗୁନି...ଏତିକି କହି ଚାଲି ଯାଇଥିଲି ଛାତ ଉପରକୁ।


ଝିପି ଝିପି ବର୍ଷା ସହ କିଟି କିଟି ଅନ୍ଧାର ତା ସହିତ ଆହୁରି ବିଜୁଳିର ଅନିୟମିତ ଲୁଚକାଳି ଖେଳ ସମ୍ପୂର୍ଣ୍ଣ କଲୋନୀକୁ ଚାରିକାନ୍ଥ ଭୁକ୍ତ କରିଥାଏ। ସେଇ ଝିପି ଝିପି ବର୍ଷା ସହ କେଜାଣି କେମିତି ଏକ ଅଳ୍ପ ସମୟର ମିତ୍ରତା ସ୍ଥାପନ ହୋଇଯାଇଥିଲା। ମେଘର ପ୍ରତ୍ୟେକ ବିନ୍ଦୁ ଗତ କାଲିର ଚିତ୍ରକୁ ମୁଖମାନ କରୁଥାଏ।


କେମିତି ଅବା କହିଥହାନ୍ତି ଯେ ମାମୁଁଁଙ୍କୁ!! ଛୋଟ ମୋଟ ଝଗଡା କେଉଁଠି ନାହିଁ!? ହଁ ଭୁଲ ଥିଲା ସତ ଯେ କହିଦେଲି ଭୁଲିଯିବା ପାଇଁ ମତେ କିନ୍ତୁ କୌଣସି ମନ୍ଦ ଉଦ୍ଧେଶ୍ୟରେ ନଥିଲି ମୁଁ,ନା ସୋନାକୁ ଭୁଲିବାର କୌଣସି ଯୋଜନାବଦ୍ଧ ଥିଲି ମୁଁ,କଣ ଗୋଟେ ଭୁଲ ବୁଝାମଣା ଯୋଗୁ ଏମିତି ହୋଇଯାଇଥିଲା। ପରେ କେତେ ଥର ଫୋନ କରିଛି କିନ୍ତୁ ସେ ଉଠାଇ ନାହିଁ।


ବର୍ଷା ସହ ମିତ୍ରତା ତ ରଦ୍ଦ ହୋଇଥିଲା ମା'ର ଡାକ ଯେବେ କର୍ଣ୍ଣପାତ ହେଲା। ଆରେ.. ଖାଇବୁ ଆସେ କହି ମା ଡାକୁଥାଆନ୍ତି ମୋତେ।


ଏହି ସବୁ ଅନିଶ୍ଚିତତା ଭିତରେ କେବେ ଆଖି ଲାଗିଗଲା ଜାଣି ନାହିଁ। ଖାଇଲା ପରେ ସୋଇ ଯାଇଥିଲି ନିଘୋଡ଼ ନିଦରେ ।

ଏଇ ଛୋଟ କଥାକୁ ଧରି ଆତ୍ମହତ୍ୟାର ଉଦ୍ୟମ କଣ ଉଚିତ ଥିଲା ତା'ର? ?!...ଏୟା ଭାବି ଭାବି ଏପଟେ ଦ୍ୱୀପର ଶିଖାରେ ନିଆଁ ଲାଗିଥାଏ,ସେ ପଟେ ହୃଦୟ ଜଳୁଥାଏ। ଗତ ଦୁଇ ଦିନ ହେବ ସେ ଡାକ୍ତରଖାନାରେ,ଜୀବନ ମରଣ ସହ ଲଢେ଼ଇ କରୁଥାଏ। ସବୁ ସେଇ ଜଗନ୍ନାଥଙ୍କ ଉପରେ ଛାଡିଥିଲି ମୁଁ।


ଆଲୋକର ପର୍ବ ଦୀପାବଳି ମୋ ପାଇଁ ଏକ ସ୍ମରଣୀୟ ହୋଇ ରହିଗଲା ଯେବେ ଡାକ୍ତର କହିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି,ଖୁସି ର ଲୁହ ବାଟ ଉଣ୍ଡୁ ଥିଲା। ଆଉ ଅଜାଣତରେ କିଛି ଲୁହ ବରଷି ଯାଇଥିଲା ମଧ୍ୟ।


ହେଇଟି ଶୁଣୁଛ?...

ମୁଁ କହିଲି...ହଁ ସୋନା କୁହ କଣ ହେଲା?

ଯାଅ ପୁଅକୁ ନେଇ ଆସିବ, ସ୍କୁଲ ଛୁଟି ହୋଇଯାଇଥିବ।


ସେ ଆଲୋକର ପର୍ବରେ ଜଗନ୍ନାଥଙ୍କ କୃପାରୁ ଭୁଲ ବୁଝାମଣାରେ ବୁଡୁ ଥିବା ନୌକା ସଠିକ ଭାବେ ଆଗେଇ ଯାଇଥିଲା।ଆଉ ଏକ ପ୍ରେମୋଦୟର ପ୍ରାରମ୍ଭ ସେ ଶୁଭ ସକାଳର କଅଁଳ କିରଣରୁ ଆରମ୍ଭ ହୋଇଥିଲା।


ପ୍ରେମର ନା ଥାଏ ଅନ୍ତ ନା ଥାଏ ଜନ୍ମ ଏହା ସର୍ବଦା ବିଦୀୟମାନ,କେବଳ ଅନୁଭବ ହିଁ ଯଥାର୍ଥତା ଦିଏ ତାକୁ।



Rate this content
Log in

Similar oriya story from Drama