ଜିଜ୍ଞାସା
ଜିଜ୍ଞାସା


ନା କୌଣସି ଭୋଗ ବିଳାସର ରଥ ଥିଲା ଅବା କୌଣସି ଉଚ୍ଚ କୈଳାସକୁ ପଥ ଥିଲା। କିନ୍ତୁ କିଛି ରଙ୍ଗ ବେରଙ୍ଗ ମୁହୂର୍ତ୍ତରେ ଭରା ଥିଲା ଜୀବନର ଅନ୍ତିମ ଦିବସ।
ନା କୌଣସି ବଣମଲ୍ଲିର ସୁଗନ୍ଧ ରାଜିଥିଲା,ନା କୋୖଣସି ଅପୂର୍ବ ଧ୍ୱନିର ବାଦକ ବାଜିଥିଲା। କିନ୍ତୁ ଚିତ୍ତ କିଛି ସ୍ୱଳ୍ପ ବନ୍ଧୁଙ୍କ ଗହଣେ ଖୋଜିଥିଲା ଅନେକ ପ୍ରମୋଦକର ରହସ୍ୟ।
ଖବରକାଗଜ ଖଣ୍ଡିକ ଧରି ଛାତ ଉପରକୁ ପଳେଇଥିଲେ ଦାମ ବାବୁ,ସାଙ୍ଗରେ ଚାହା ଟିକିଏ ମଧ୍ୟ ନେଇ ଥିଲେ। ବୟସ ହୋଇଗଲାଣି ଯେ ଦୁଇପାଦ ଯିବାକୁ ଯୁଗେ ଲାଗୁଥାଏ। ଶୀତୁଆ ସକାଳର ଗୋଟିଏ ଝଲକ ନ ଦେଖିଲେ ଦାମ ବାବୁଙ୍କ ଦିନ ଚର୍ଯ୍ୟା ଆରମ୍ଭ ହୁଏନାହିଁ, ଭଙ୍ଗା ଚୌକି ଖଣ୍ଡକ ଉପରେ ବସି ସେଇ ପାହାଡ଼ ଉପରକୁ ଅନେଇଥାଆନ୍ତି। ମଳେ କୁହୁଡିରେ ଭର୍ତ୍ତି ଥାଏ ଆଉ ମଳେ ସକାଳର ସୁକ୍ଷ୍ମ କିରଣରେ ସୁବର୍ଣ୍ଣ ଦିଶୁଥାଏ। ଦେଖୁ ଦେଖୁ କିଛି ସମୟ ପରେ ତାହା ଅତ୍ୟନ୍ତ ଟାଣ ଖରାର ବଶବର୍ତ୍ତୀ ଥିଲା। ପାହାଡ଼ ଉପରେ ଥିବା ମନ୍ଦିରର ନେତ ସୂର୍ଯ୍ୟର ପ୍ରଭାବେ ଦାଉ ଦାଉ ହୋଇ ଜଳୁଥିଲା।
କର କମଳରେ ପର୍ବତ,ପର୍ବତ ଶିଖରେ ନେତ
ସୁକ୍ଷ୍ମ ଶୀତର ପ୍ରବାହ, ପୁଣି ସବୁଜିମା ଭରା କ୍ଷେତ
କ୍ଷେତକୁ ଚାତକ ଚାହିଁଛି,ସାଜିବ କି ନୂଆ ପଥ
ଅଜଣା ବାୟୁରେ ହଜିବ କି ମନରଥ!
ସେହି ହିଡର ପରିପ୍ରେକ୍ଷୀରେ ନାରଙ୍ଗୀ ରଙ୍ଗର ମାଟି ପଡିଥିଲା ପ୍ରାୟ ପାଞ୍ଚ ବରଷ ପୂର୍ବେ,ସେ ସରକାର ଯାଇ ଅନ୍ୟ ସରକାର ଚୟନ ହେଲେ କିନ୍ତୁ ସେ ନାରଙ୍ଗୀ ମାଟି ନା ରାସ୍ତା କାମରେ ଲାଗିଲା ନା କୌଣସି ଲୋକର କାମରେ ଲାଗିଲା। ବର୍ଷାର ପ୍ରଭାବରେ ଧୀରେ ଧୀରେ ସମତଳ ହୋଇଗଲାଣି ସେ,ପାହାଡ଼କୁ ଯାଉଥିବା ହିଡ ଆଜି ମଧ୍ୟ ନିଦ୍ରାରେ ଶୋଇଛି,କୌଣସି ନୂଆ ରଙ୍ଗ ନାହିଁ କି କୌଣସି ଅପଭ୍ରଂଶ ନାହିଁ।ଦାମ ବାବୁଙ୍କର କେବଳ ଗୋଟିଏ ଇଚ୍ଛା,ସେ ସେଇ ମନ୍ଦିରକୁ ଥରେ ଯାଆନ୍ତେ।ଏହି ଇଚ୍ଛାର ପ୍ରାରମ୍ଭ କେବେ ତାର ବର୍ଣ୍ଣନା ନାହିଁ।
ସକାଳର ମଳୟ ପରସ ଦେହକୁ ଶୀତେଇ ଦେଉଥାଏ,କାନ୍ଧରେ ସେଇ ଫିକା ନାଳିଆ ଗାମୁଛା ଓ ହାତରେ ଆଶା ବାଡ଼ି ଧରି ବାହାରି ପଡ଼ିଥିଲେ ଦାମ ବାବୁ।
ଗୋଟିଏ ପାଦ ଆଗକୁ ବଢୁ ନଥାଏ, ସବୁ ସେଇ ବୟସର ପ୍ରଭାବ,ଭୁଲି ଯାଇଥିଲେ ସେ ଯେ ଚପଲ ଖଣ୍ଡିକ ମଧ୍ୟ ଆଣିବାର ଥିଲା। ଯାତ୍ରାର ପ୍ରାରମ୍ଭରେ ତ ମୋହର ଲାଗି ସାରିଥିଲା ତେଣୁ ଆଉ ପଛଘୁଞ୍ଚା ଦେବାକୁ ଚାହୁଁନଥିଲେ ଦାମ ବାବୁ,ହେଲେ ସେଇ ନାରଙ୍ଗୀ ରଙ୍ଗର ମାଟି ପୁଷ୍ପର ପଥରେ ଦୁଃଖ ଦାୟକ କଣ୍ଟା ସାଜୁଥିଲା। ଶୀତର ମର୍ମାହତ ଗୀତକୁ ଶୁଣି ଶୁଣି ଆଗକୁ ବଢ଼ୁଥିଲେ ଏବଂ କିଛି ସମୟ ପରେ ଦେଖିଲେ କିଛି ଅବୋଧ ଶିଶୁଙ୍କ ମେଳି,ଏବଂ ସେମାନଙ୍କ ହାତରେ ଥିଲା ସଦ୍ୟ ନିର୍ମିତ ଭାରତ ମାତାର ଏକ ଅଭିନବ ପ୍ରତିମୂର୍ତ୍ତି। ଭାରତ ମାତାଙ୍କର ଜୟ ଜୟ ନାରାରେ ଚାରିପାଖ ଗୁଞ୍ଜିତ ହେଉଥାଏ।
ହଟାତ କେହି ଜଣେ ଦାମ ବାବୁଙ୍କୁ ଦେଖିଲା,ଏବଂ ପଚାରିଲା "ଜେଜେ କେଉଁଠିକୁ ଯିବେ?" ଉତ୍ତର ଥିଲା ସେ ଛୋଟ ପର୍ବତର ଶିଖର ଦେଶକୁ,ପିଲାଟି କହିଲା ଠିକ୍ ଅଛି ଆସନ୍ତୁ ଆମେ ମଧ୍ୟ ସେଠାକୁ ଯାଉଛୁ,ଆଜି ସାଧାରଣତନ୍ତ୍ର ଦିବସ ତେଣୁ ସେଠାରେ ପତାକା ଉତ୍ତୋଳନ ହେବ।
ଏହା ଶୁଣି ଦାମ ବାବୁଙ୍କ ଆଶାର ଆଲୋକରେ ସ୍ବର୍ଣ୍ଣର କିରଣ ପଡିଲା,ସେଇ ଶିଶୁ ମାନଙ୍କ ସହ ଚାଲିଲେ ଲକ୍ଷ୍ୟ ସ୍ଥଳକୁ। କିଛି ସମୟର ପଦ ପରିଶ୍ରମ ପରେ ପହଞ୍ଚିଥିଲେ ସେ ସେହି ପର୍ବତ ଶିଖରରେ।ଦୁନିଆ କେତେ ଛୋଟ ତାହାର ପରିକଳ୍ପନା କରୁଥିଲେ। ପରେ ସେଇ ମନ୍ଦିର ପିଣ୍ଢାରେ ସେଇ ନାଳିଆ ଗାମୁଛାଟିକୁ ମୁଣ୍ଡରେ ଦେଇ ଟିକିଏ ଗଡ଼ି ପଡ଼ିଥିଲେ।
ତା ପରଠାରୁ ଦାମ ବାବୁ ଆଉ ଉଠି ନାହାଁନ୍ତି।
ତାତ୍ପର୍ଯ୍ୟ: ଦୁଇଟି ଶବ୍ଦ କେବେ ବ୍ୟର୍ଥ ଯାଏନାହିଁ ଗୋଟିଏ ହେଉଛି ଜନ୍ମ ଆଉ ଗୋଟିଏ ହେଉଛି ମୃତ୍ୟୁ। ଜନ୍ମ ଯେତିକି ସୁନ୍ଦର ମୃତ୍ୟୁ ମଧ୍ୟ ସେତିକି ସୁନ୍ଦର ହୋଇଯାଏ ଯଦି କଷ୍ଟ ଓ ଦୁର୍ଦ୍ଦଶାର ବାହାରେ ନିଜର ବିଚାରର ଆଖ୍ୟାରେ ହୁଏ। ମୃତ୍ୟୁ ସର୍ବଦା କଳା ରଙ୍ଗର ପରଦା ନୁହଁ ଏହା ବେଳେ ବେଳେ ଇନ୍ଦ୍ରଧନୁର ସତରଙ୍ଗ ମଧ୍ୟ ହୋଇପାରେ।
ଦ୍ୱିତୀୟରେ କୌଣସି କର୍ମ ସହଜ ନୁହଁ କି ତୁମକୁ ଅତି ଶିଘ୍ର ଫଳ ପ୍ରାପ୍ତି ହେବ ଏବଂ କୌଣସି କର୍ମ ଏତେ କଷ୍ଟ ଦାୟକ ନୁହଁ ଯେ ତୁମେ ସେଥିରେ ବିଫଳ ହେବ।