ପ୍ରେମ
ପ୍ରେମ
- ହୋଇପାରେ ଦୁନିଆଁ ଆଖିରେ ମୁଁ ପାଗଳ । ହୋଇପାରେ ମୁଁ ଗୋଟେ ରାତ୍ରୀଚର । ମୋ ବାପା ମା ଭାଇ ଭଉଣୀ ବନ୍ଧୁ ପ୍ରିୟଜନ ମୋତେ ହରାଇବା ଦୁଃଖରେ ପେଶି ହୁଅନ୍ତୁ ତଥାପି ତଥାପି ମୁଁ ତୁମକୁ ପ୍ରେମ କରେ ତଥାପି ମୁଁ ତୁମକୁ ଭଲପାଏ ।
ମୁଁ କହି କହି ଥକି ଗଲିଣି ଚାହେଁନା ଆଉ କାହାର ମୁଁ ବିଶ୍ବସ୍ଥ ହେବା । ଚାହେଁନା ମୁଁ କାହାକୁ ତମ ମୋ ଭିତର ସଂପର୍କ ସତ୍ୟ ବୋଲି ପ୍ରମାଣିତ କରିବା । ଚାହେଁନା ଆଉ କାହାକୁ କୈଫିୟତ ଦେଇ ଆମ ଦୁହିଁଙ୍କୁ ତର୍ଜମା କରିବା । ବାସ୍ ଅଛି ତମଲାଗି ଯାଯାବର ହୋଇ ଦୁନିଆଁ ପାଇଁ ପାଗଳ ସାଜି । ତମକୁ ଦେଖି ଦେଖି ଏ ଆଖି ବୁଜି ହୋଇଗଲେ ବି ମୋର ଦୁଃଖ ନାହିଁ ।
ଲିନିପା ତମ ଆଖିରେ ଲୁହ ଯେ ? କ'ଣ ପାଇଁ କାନ୍ଦୁଛ ?
- ମୁଁ ଅଶରିରୀଟେ ହୋଇ ବି ତୁମ ପ୍ରେମ ରେ ପଡିଗଲି ଆମର ଏ ବଳୟକୁ ଭେଦି । ଆଉ ମୁଁ ଚାହିଁ କି ବି ତୁମକୁ କିଛି ଦେଇ ପାରୁନି ଆଉ ତୁମେ କିଛି ନପାଇ ବି ସବୁଥିରେ ତୃପ୍ତ ହୋଇଯାଅ କେମିତି ? ସେଥିପାଇଁ ମୋ ଆଖିରେ ଲୁହ । ଗୋଟେ ନଥିବା ମଣିଷ ପାଇଁ ତୁମେ ପରିବାର ଘର ଦ୍ବାର ବନ୍ଧୁ ପ୍ରିୟଜନଙ୍କୁ ଛାଡି ଦେଇଛ ସେଥିପାଇଁ ଏ ଆଖିରେ ଲୁହ ।
- ସେମିତି କଥା କହି ମୋ ମନରେ ଅଧିକ କଷ୍ଟ ଦିଅନି ଲିନିପା । ଖାଲି ଏତିକି ଭାବ ତମ ହସରେ ମୋ ଖୁସି ତମ ଲୁହରେ ମୋ ଦୁଃଖ । ତୁମେ ପୂର୍ଣ୍ଣିମା ହେଲେ ମୁଁ ତୁମ ଆକାଶ ।
ଲିନିପା ଲୁହ ଛଳ ଛଳ ଆଖିରେ କହିଲା-
- ତମକୁ ପାଇବାର ଦୁଇମାସ ହୋଇଗଲା , ତଥାପି କାହିଁକି ଆଜି ପର୍ଯ୍ୟନ୍ତ ତୁମେ ମୋ ପାଇଁ ଅବୁଝା ହୋଇ ରହି ଯାଇଛ । ତୁମକୁ ଭିତର ବାହାର ପଢିକି ବି ଆଜି ପର୍ଯ୍ୟନ୍ତ ତୁମେ ବେଳେ ବେଳେ ମୋତେ ଖୁବ୍ ରହସ୍ୟମୟ ଲାଗ ।
- ମୁଁ କ'ଣ କରିବି ଯେ ମୁଁ ତ ସେମିତି । ଆତ୍ମା ବୋଲି ଗୋଟେ ଜିନିଷ ଅଛି ଆଜି ପର୍ଯ୍ୟନ୍ତ ମୁଁ ବିଶ୍ବାସ କରିନି । ଭୟ କେମିତି କା ମୋତେ ଆଜି ପର୍ଯ୍ୟନ୍ତ ସେ ଡରେଇ ପାରିନି ଅବଶ୍ୟ ସେ ମୋତେ ଡରିଛି କେତେ ଥର । ତର୍କରେ ପ୍ରଚଣ୍ଡ ଋଚି ରଖେ । ସବୁ କଥାର ସତ୍ୟାସତ୍ୟ ଜାଣିବାକୁ ଇଛା କରେ । ବାସ୍ ଏଇ ତର୍କ ସତ୍ୟ ପଛରେ ଗୋଡାଉ ଗୋଡାଉ କେତେବେଳେ ତମ ସହ ପ୍ରେମ ହୋଇଗଲା ଜଣା ପଡିଲାନି । ତୁମେ ମୋ ଜୀବନରେ ଆସିବା ପରେ ମନକୁ ପ୍ରଥମ ଭୟ ଆସିଲା ମୋର କିଛି ଭୁଲ ପାଇଁ ତୁମେ ମୋ ଠୁ ଦୂରେଇ ଯିବନି ତ ? ବାସ୍ ସେବେଠୁ ଜାଣିଲି ତୁମ ସହ ପ୍ରେମ ହୋଇଯାଇଛି ମୋର ।
ମନେଅଛି ଲିନିପା ପ୍ରଥମେ ଏଠି ସୁର୍ ସିଂ ଡାକବଙ୍ଗଳା ରେ ଆମେ ପାଞ୍ଚ ଜଣ ସାଙ୍ଗ ଯେବେ ଅଟକିଥିଲୁ , ପ୍ରଥମ ତୁମ ପାଉଁଜି ଶବ୍ଦର ରହସ୍ୟ ଭେଦ କରିବାକୁ ମୁଁ ଯାଇଥିଲି ତୁମ ପଛେ ପଛେ ।
ସାଙ୍ଗମାନେ କହିଥିଲେ ଯାଆନା ସେ ଭୁଲ୍ କରନା । ହେଲେ ଭୟ ତ ମୋତେ ଡରେ । ତେଣୁ ସେମାନଙ୍କ କଥା ବେଖାତିର୍ କରି ଚାଲିଥିଲି ସେଦିନ ତୁମ ପଛେ ପଛେ । ବହୁତ ବୁଲେଇ ଥିଲ ମୋତେ ସେଦିନ ଜଙ୍ଗଲ ସାରା । ମୋ ପାଦ ଥକି ଯାଉଥାଏ ଯେତିକି ମନରେ ତମ ପାଉଁଜି ରହସ୍ୟକୁ ଭେଦିବାର ଇଛା ପାକଳ ହେଉଥାଏ ସେତିକି ।
ତାପରେ ଅନ୍ଧାରରେ ଡାଳପତ୍ର ଦୋହଲେଇବା , ବିକଟାଳ ଆବାଜ କରିବା ତୁମ ସବୁ ପ୍ରଚେଷ୍ଟାରେ ମୁଁ ଟିକେ ବି ବିଚଳିତ ହେଲିନି । ମୋତେ ଭୟବିତ କରିବାର ସବୁ ପ୍ରୟାସ ଯେତେବେଳେ ତୁମର ବିଫଳ ହେଲା ସେତେବେଳେ ତୁମେ ଗଛ ଆଢ଼ୁଆଳରେ ରହି ତୁମ ଗୋରା ତକତକ ପାଦରେ ରୂପାର ପାଉଁଜି ରୁଣଝୁଣ୍ କରି ଦେଖାଇବାକୁ ବାଧ୍ୟ ହୋଇଥିଲ । ତାକୁ ଦେଖି ଶୁଣି ମୁଁ ଅଧିର ହୋଇ ଯାଇଥିଲି । ପ୍ରସ୍ତାବ ଦେଲି ମୁଁ ତୁମ ମୁହଁ ଦେଖିବାକୁ ଚାହେଁ । ତୁମେ ହସିଥିଲ ଗୋଟେ ମାୟାବିନି ହସ। ଆଉ କହିଥିଲ ତୁମ ମୁହଁ ଦେଖିବାକୁ ହେଲେ ମୋତେ ପ୍ରତିଦିନ ଏ ଜଙ୍ଗଲକୁ ଆସିବାକୁ ପଡ଼ିବ ଅଧ ରାତିରେ ।
- ମୁଁ କହିଦେଲି ଆଉ ତୁମେ ପାଗଳ ପରି ଚାଲି ଆସୁଥିଲ ସବୁଦିନ ରାତିରେ ମୋତେ ଆବିଷ୍କାର କରିବା ପାଇଁ ।
- ଆଉ ତମେ ଫୁଲେଇ ମୋତେ କୋଉ ଦେଖା ଦେଉଥିଲ ଯେ , ନିଜକୁ ବିଭିନ୍ନ ଢ଼ଙ୍ଗରେ ରଙ୍ଗରେ ନିଜ ଦେହକୁ ଦେଖାଉଥିଲ । କେବେ ପାର୍ଶ୍ଵରୁ କେବେ ପଛରୁ । କେବେ ମୁହଁ ଢାଙ୍କି ସାମ୍ନାରୁ । କେବେ ଭିଜା ଶାଢ଼ୀ ଭିଜା ଦେହରେ ପ୍ରକଟ ହେଉଥିଲ ତ ଆଉ କେତେବେଳେ ନିଜ ନାଭି ସରୁ ଅଣ୍ଟାକୁ ଦେଖାଇ ମୋତେ ଜଳାଇବାର ବୃଥା ଚେଷ୍ଟା କରୁଥିଲ । ଆଉ କେତେବେଳେ ତ ସଂପୂର୍ଣ୍ଣ ଉଲଗ୍ନ ଛାୟା ମୂର୍ତ୍ତିଟେ ହୋଇ ମୋତେ ନିମନ୍ତ୍ରଣ କରୁଥିଲ କାମ ଜ୍ବାଳାରେ ଜଳି ଯିବାକୁ ।
କିନ୍ତୁ ମୁଁ ଦେଖିବାକୁ ଚାହୁଁଥିଲି ତୁମ ମୁହଁ ନାକି ତୁମ ଦେହ ଅବା ଯୌବନ । ଖେଳୁଥିଲ ତ ଖେଳିଥାନ୍ତ ଏମିତି ଆହୁରି ଛମାସ ନିଜ ମୁହଁକୁ ଲୁଚେଇ ,
" ମୁଁ ଯାଉଛି ଆଉ କେବେ ଏଠାକୁ ଫେରିବିନି "
ମୁଁ ତ ଏଇ ଶେଷ କଥା କହିକି ଅଭିମାନ କରି ଯେତେବେଳେ ଚାଲି ଆସୁଥିଲି ତୁମ ପାଖରୁ ସେତେବେଳେ ତୁମେ କଣ ପାଇଁ ପଛରୁ ଡାକିଲ ଯେ ? ମୋର ଏଇ ପଦିଏ କଥାରେ ଏମିତି କଣ ଯାଦୁ ଥିଲା ଯେ ତୁମେ ଅଧିର ହୋଇ ନିଜ ମୁହଁ ଦେଖାଇଥିଲ ।
ଆଛା ଲିନିପା ତୁମେ ମୋ'ଠି ଏମିତି କଣ ଦେଖିଲ , ସେତେବେଳେ ତୁମେ ହଠାତ୍ ବୁଲିପଡ଼ି କହିଥିଲ , କୁଆଡେ ଯାଉଛ ପ୍ରିୟ କ'ଣ ମୋ ଉପରେ ଏତେ ଅଭିମାନ ? ଭୟହୀନ ମଣିଷଙ୍କର ଧୈର୍ଯ୍ୟ ତେବେ ଏତିକି ?
ମୁଁ ପଛକୁ ବୁଲି ପଡିଛି ତ ହତବାକ ହୋଇଗଲି ସତରେ, ଏମିତି ଅନିନ୍ଦ୍ୟ ସୁନ୍ଦରୀ ତୁମେ ହୋଇଥିବ ତାହା ମୋ କଳନା ବାହାରେ ଥିଲା । ସେମିତି ଚାହିଁ ରହିଥିଲି ମନ୍ତ୍ରମୁଗ୍ଧ ହୋଇ ଭୋର୍ ହେବାଯାଏ । ଆଉ ତୁମେ ସେଠୁ ଅଦୃଶ୍ୟ ହୋଇ ସାରିଥିଲ କେତେବେଳୁ ।
- ମନେ ଅଛି ତା ପରଦିନ ରାତିରେ ମୁଁ ତୁମକୁ ଆସି ଉଠାଇଲି ନିଦରୁ । ଦିନ ସାରା ବୋଧେ ବୁଲୁଥିଲ ଜଙ୍ଗଲ ସାରା ନିଜକୁ ଭୁଲି ଥକି ଥକି ଶୋଇ ଯାଇଥିଲ ବେଧଡକ ଗଛକୁ ତକିଆ ପତ୍ର ସବୁକୁ ଶେଯ କରି । ମୁଁ କହିଥିଲି କଣ ଘରକୁ ଫେରିବନି କି ?
ତାପରେ ମୁଁ କ'ଣ କହିଥିଲି ?
ପ୍ରିୟ ହସି ହସି ପଚାରିଲେ
- ତୁମେ ? ତୁମେ ତ ପ୍ରେମିକ ପ୍ରବର ସାଜିଥିଲ ସେତେବେଳେ । କହିଥିଲ ମୁଁ ଯିବନି ଆଉ ତୁମକୁ ଛାଡି ।
ମୁଁ ପଚାରିଥିଲି
" ତୁମେ ତ ମୋ ମୁହଁ ଦେଖିବାକୁ ଚାହୁଁଥିଲ ଦେଖିଲ ପୁଣି କଣ ଯେ ? "
ତାପରେ ତୁମେ ଉତ୍ତର ଦେଇଥିଲ ।
ତୁମକୁ ଦେଖିବା ପରେ ଆଉ ହରେଇ ବାର ଇଛା ହେଉନି ।
- " ଯୋଉଠି ପାଇବାର ହିଁ କିଛି ନାହିଁ ସେଠି ହରାଇବାର ପ୍ରଶ୍ନ ଉଠୁଛି କୋଉଠୁ ? "
ତାପରେ ତୁମର ଉତ୍ତର ଥିଲା
- " ତୁମକୁ ନ ପାଇପାରେ ତୁମ ସହ ଖୁସିର ମୁହୂର୍ତ୍ତ ତ ପାଇବି । ତୁମକୁ ଦେଖିବା ପରେ ତୁମେ ମୋତେ ପ୍ରେମିକା ପ୍ରେମିକା ଲାଗୁଛ ତେଣୁ ମୁଁ ତୁମକୁ ହରେଇ ବାକୁ ଚାହେଁନା । ହଠାତ୍ କୋଉ ଆବେଗ ମୋତେ ଗ୍ରାସ କଲା ଜାଣିନି , କେଉଁ ଅନୁରାଗରେ ମୁଁ ମୁଗ୍ଧ ହେଲି ତାହା ବି ଅଛପା , ହେଲେ ମୋତେ କାଇଁ ତମେ ନିଜର ନିଜର ଲାଗିଲ ଯେମିତି ଲାଗିଲା ବହୁତ ଆଗରୁ ମୁଁ ତୁମକୁ ଚିହ୍ନେ ତାପରେ ମୁଁ ତୁମକୁ ଆଲିଙ୍ଗନ କରିବା ପାଇଁ ବାହୁ ପ୍ରସ୍ତାରି ଦେଇଥିଲି ତୁମେ ମୋତେ ଧରିବା ମୋହରେ ଦୌଡ଼ି ଦୌଡ଼ି ଆସି ପଡ଼ି ଯାଇଥିଲ ତଳେ । ଯେତେ ପଡୁଥିଲ ଯେତେ ସହୁଥିଲ ସେତେ ସେତେ ମୋତେ ପାଇବାକୁ ଆତୁର ଛୁଇଁ ବାକୁ ଆତୁର ହେଉଥିଲ । ମୁଁ ଅଦୃଶ୍ୟ ଜାଣିକି ବି ମୋ ପ୍ରେମରେ ପଡୁଥିଲ ଥରକୁ ଥର । ମୋତେ ପ୍ରେମିକା ସଜେଇ ନିଜେ ପ୍ରେମିକ ସାଜୁଥିଲ ମୋର ପ୍ରତି ମୁହୂର୍ତ୍ତର ।
- " ଆଛା ଲିନିପା ଆଜି ଯାଏଁ ତ ତୁମ ବିଷୟରେ କିଛି କହିଲନି ? "
- " କ'ଣ କହିବି ? କ'ଣ କରିବ ସେ କଳଙ୍କିତ ଅଧ୍ୟାୟ ଶୁଣି ? ଥିଲା ଜଣେ ଯାହାକୁ ମୁଁ ମୋର ସବୁକିଛି ଭାବିଥିଲି । ବିଶ୍ବାସ ଭରଷା ଦେଇ ମୋତେ ଆପଣେଇ ନେଇଥିଲା । ସିନ୍ଦୂର ଶଙ୍ଖା ର ମିଛ ମୋହ ଦେଖାଇ ମୋତେ ଲୁଟି ଚାଲିଥିଲା । ମୁଁ ତା ପ୍ରେମରେ ପାଗିଳୀ ଥିଲି ହେଲେ ସେ ମୋ ଦେହକୁ ନେଇ ପାଗଳ ଥିଲା । କିନ୍ତୁ ଦିନେ ପାଗଳାମିର ସବୁସିମା ଟପି ଯାଇଥିଲା ସେ ରାକ୍ଷସଟା , ମେଡ଼ିସିନ ଖାଇ ମୋତେ ରାତିସାରା ଥରକୁ ଥର ବଳାତ୍କାର କରିଥିଲା । ମୁଁ ଦେହ ଛାଡ଼ିଲା ପରେ ତଥାପି ମୋତେ ସେ ଅମଣିଷ ଛାଡି ନଥିଲା ମୋ ଶବକୁ ବି ଝୁଣି ଖାଇଥିଲା ବେଇମାନଟା ସେ ଶାନ୍ତ ହେଲା ପରେ ଯେତେବେଳେ ସେ ଜାଣିଲା ମୁଁ ଆଉ ନାହିଁ ଗାଡ଼ିରେ ଆଣି ଏଇ ଜଙ୍ଗଲରେ ଗୋଟେ ଗଛରେ ମୋ ଶାଢ଼ୀରେ ମୋତେ ଝୁଲେଇ ଦେଇଥିଲା ।
ସେହିଦିନ ଠାରୁ ମୁଁ କେତେ ଦେହ ଲୋଭି ମାନଙ୍କ ଗାଡ଼ି ସାମ୍ନାକୁ ଯାଇ ନିଜ ଛାତିର ନିଜ ଅଣ୍ଟାର ଲୁଗା ଖସେଇ ଏଇ ଜଙ୍ଗଲରେ ମାରିଦେଇଛି । ହେଲେ ତୁମେ ସେମାନଙ୍କ ଭିତରୁ ଜଣେ ନୁହଁ , ତୁମେ ଜଣେ ଦିବ୍ୟ ପୁରୁଷ ସଂପୂର୍ଣ୍ଣ ଉଲଗ୍ନ ହେଲାପରେ ବି ମୋ ଦେହକୁ ତୁମେ ଚାହିଁନଥିଲ ।
କେବଳ ମୋତେ ହିଁ ଚାହିଁଥିଲ । ସେଇଥିପାଇଁ କେବଳ ସେଇଥି ପାଇଁ ମୁଁ ତୁମ ପ୍ରେମରେ ପଡି ଯାଇଛି । କାସ୍ ନିୟତି ତମ ସହ ମୋର ବହୁତ ଆଗରୁ କାହିଁକି ପରିଚୟ କରାଇଲେନି କେଜାଣି ?
କାସ୍ ........... ଛାଡ ସେ ସବୁ .........
ଆଛା କହିଲ ତୁମେ ଏମିତି ମୋ ସହ କେତେଦିନ ଥିବ ?
ଦୁନିଆଁକୁ ଭୁଲି ପ୍ରିୟଜନଙ୍କ ପାଖେ ସ୍ୱାର୍ଥପର ସାଜି । ବରଂ ଭଲ ହେବ ତମେ ଫେରିଯାଅ ତମ ପରିବାର ତମ ଭାଇ ଭଉଣୀ ତମ ସାଙ୍ଗ ସାଥିଙ୍କ ପାଖକୁ ଏବେବି ତମ ବାଟକୁ ଚାହିଁ ବସିଛନ୍ତି ସେମାନେ ।
- ହେଲେ ତୁମ ବିନା ଯେ ମୁଁ ବଞ୍ଚି ପାରିବିନି ।
- କିନ୍ତୁ ମୁଁ ତ ପ୍ରେତାତ୍ମା ।
- ମୁଁ ସେସବୁ ବୁଝେନି କେବଳ ଏତିକି ବୁଝେ ତୁମେ ମୋର , ଆଉ ତମକୁ ନେଇ ମୋ ପ୍ରେମ ବାସ୍ ।
- ଗୋଟେ କଥା କହିବି ପ୍ରିୟ ?
- କୁହ
- ତୁମେ କଣ ଚାହଁ ନା ତୁମ ଲିନିପା ମୁକ୍ତି ପାଉ ବୋଲି ?
- ଖାଲି କୁହ ମୋତେ କଣ କରିବାକୁ ପଡ଼ିବ ।
- ମୋର ପିଣ୍ଡ ଦିଆ ହେବ । ମୋ ଅସ୍ଥି ଗଙ୍ଗାରେ ବିସର୍ଜନ କରି ବ୍ରାହ୍ମଣ ଭୋଜନ ଦେବ , ତାପରେ ଯାଇ ମୁଁ ମୁକ୍ତି ପାଇବି । ତମ ଲିନିପାକୁ ଏ ଅତୃପ୍ତ ଜନ୍ମରୁ ମୁକ୍ତି ଦେବ ନା ?
- ତମ କହିବା ହିସାବରେ କରିବି ତ ନିଶ୍ଚୟ , ହେଲେ ତମକୁ ଛାଡି ମୁଁ କେମିତି ରହିବି ? ମୁଁ ବି ଆତ୍ମହତ୍ୟା କରିଦେବି ତମ ପରେ ପରେ , ହୁଏତ ଆଉ କୋଉ ଲିନିପାକୁ ଏଠାରେ ଅପେକ୍ଷା କରି ।
- ନା , ମୁଁ ମୋ କଥା ଫେରାଇ ନେଉଛି , ଦରକାର ନାହିଁ ମୋ ମୁକ୍ତି ଦରକାର ନାହିଁ ତମର ଆତ୍ମହତ୍ୟା କରିବା । ମୁଁ ଏମିତି ଥାଏ ପଛେ ଅତୃପ୍ତ ହୋଇ ତମକୁ ସାମ୍ନାରେ ପାଇ ।
- ହେଲେ ଲିନିପା ମୁଁ ପା ତମକୁ ଭଲପାଏ , ଭଲପାଉଥିବା ମଣିଷ କ'ଣ କେବେ କାହାର ଦୁଃଖ ଦେଖିପାରେ ?
---------------------୦୦୦------------------
✍️.. ପରମେଶ୍ବର ଓଝା
ମହାକାଳପଡ଼ା , କେନ୍ଦ୍ରାପଡ଼ା
ମେଲ୍-- ojhaparameswar@gmail.com
ମୋ -- ୬୩୫୫୧୩୩୩୦୧