Bhagirathi Mohanty

Abstract Tragedy Others

4  

Bhagirathi Mohanty

Abstract Tragedy Others

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

5 mins
15



ଭିତରକୁ ଯିବା ପୁଣି ବାହାରକୁ ଆସିବା ସନତ କୁ କିଛି ଫରକ୍ ପଡେ ନାହିଁ। ଭିତରେ ହେଉ କି ବାହାରେ କାହାକୁ ଶାନ୍ତି ରେ ରହିବାକୁ ଦିଏ ନାହିଁ ସେ। ଭିତରେ ଥିବାବେଳେ କଏଦୀ ମାନଙ୍କୁ ମାର୍ ପିଟ୍ କରେ। ମୁଠି ମାରି କାହାର ଦାନ୍ତ ଭାଙ୍ଗି ଦେଲାଣି ତ ଦ୍ଵନ୍ଦ ଯୁଦ୍ଧରେ ଲହୁ ଲୁହାଣ କଲାଣି।  ସେମାନଙ୍କ ର ରୁଟି ଡାଲି ଛଡେଇ ଖାଇଯାଏ।ଚୋରାରେ ଆସୁଥିବା ମଦ ପିଇଦିଏ, ଗଞ୍ଜେଇ ଟାଣି ପାଉଁଶ ଝାଡିଦିଏ । ।ଅଭିଯୋଗ ର ଫର୍ଦ ଦାଖଲ ହୁଏ ଜେଲର୍ ଙ୍କ ଆଗରେ। ଛାଟ ଖାଇ ନୋଳା ଫାଟିଯାଏ, ତଥାପି ନିର୍ଲିପ୍ତ ରହେ ସେ। ତା'ଆଖି ରୁ ଲୁହ ବୁନ୍ଦାଟିଏ ଵି ଦେଖିବାକୁ ମିଳେ ନାହିଁ। 

   ସେ କାନ୍ଦେ ନିରୋଳା ରେ। ତୋଫା ଜହ୍ନ ଆଲୁଅରେ ଠିଆ ହୋଇ ସେ ଲୁହ ଝରାଏ । ସୁନିତା ତାକୁ ବିରହ ର ଛାଟ ମାରି କ୍ଷତ ବିକ୍ଷତ କରି , କୁଆଡେ ଚାଲିଗଲା ଯେ ଆଉ ଫେରିଲା ନି।ତାକୁ ଅଗ୍ନି ପୋଡି ଦେଇନି କି ପଵନ ଉଡେଇ ନେଇନି ସେ କୋଉଠି ନା କୋଉଠି ଅଛି । ତାକୁ ସେ ଖୋଜି ବାହାର କରିବ। ସୁନୀତା ଫେରିବ, ନିଶ୍ଚୟ ଦିନେ ଫେରିବ । ତା'ଠିକଣା ଜାଣିନି ସେ କିନ୍ତୁ ତାକୁ ଏକା କରି ଯାଇପାରିବନି ସେ। 

  ଯିଏ କହେ ସେ ଆଉ ଫେରିବନି ତାକୁ ମାରି ମାରି ତଳେ ପକେଇ ଦିଏ। 

  ଏବେ ସେ ପୂର୍ବ ର ଅଧ୍ୟାପକ ସନତ ନୁହେଁ  

 ସେ ଜଣେ ଅନ୍ୟ ମଣିଷ ।ନିରୀହ, ଶାନ୍ତ,ସରଳ, ଉଚ୍ଚଶିକ୍ଷିତ ସନତ ପାଲଟି ଗଲା ଜଣେ ମଦ୍ୟପ,ଅସାମାଜିକ,ଗୁଣ୍ଡା ଶ୍ରେଣୀୟ ଲୋକ।

   ସୁନୀତା ସହିତ ଅସାଧାରଣ ସମ୍ପର୍କ ଥିଲା ସନତ ର।ଯୋଉଠି ଦେଖାହେଲେ ବି କେହି କାହାକୁ 'ହାଇ ବାଇ' କରୁନଥିଲେ । କେବଳ ଦୁଇଜଣଙ୍କର ଓଠ ଦୁଇଟି ବିଷ୍ଫାରିତ ହୋଇ ଯାଉ ଥିଲା କିୟତ୍ ସମୟ ପାଇଁ।କିଛି କଥା ନଥାଇ କେହି କାହାର ସମୟ ନଷ୍ଟ କରୁନଥିଲେ।ଅବାଞ୍ଛିତ ପ୍ରଶ୍ନ ର ଅଡୁଆ ସୂତା ଭିତରେ ପଶୁନଥିଲେ। ଏ ଦୁଇଜଣଙ୍କର ଭଲ ପାଇବାର ସଜ୍ଞା ଥିଲା ଅଲଗା। ପ୍ରେମ କରାଯାଏ ନାହିଁ ; ହୋଇଯାଏ।ଯେଉଁ ପ୍ରେମ ପଛରେ ସ୍ବାର୍ଥ ନିହିତ ଥାଏ ତାହା କ୍ଷଣସ୍ଥାୟୀ।ବିବାହରେ ପ୍ରେମ ସମାପ୍ତ ହୁଏ ନାହିଁ। ବିଭୁ ଓ ପ୍ରେମ ଏ ଦୁଇଟି ପରିପୂରକ। ପ୍ରେମ ର ପରିଣାମ ବିବାହ ନୁହେଁ।ଏହା ଶାଶ୍ଵତ_ ଅବାରିତ ଧାରା ପରି। 

   ସନତ ଏହା ଜାଣେ ଯେ ଦଳିତ ସୁନୀତା କୁ ବୈଦିକ ରୀତି ରେ ବିବାହ କରି ଘରକୁ ବୋହୂ କରି ଆଣି ପାରିବ ନାହିଁ; ପ୍ରେମ କରି ପାରିବ ତ!ସେ ସ୍ବପ୍ନ ରେ ତା'ସହିତ ଗପିବ।ଯୋଉ ଦିନ ରାତି ସ୍ବପ୍ନ ରେ ତା' ସହିତ ଗପି ପାରେନାହିଁ ସେ ରାତି ତା'ପାଇଁ ମୂଲ୍ୟହୀନ ସାବ୍ୟସ୍ତ ହୁଏ।ରାତି ସ୍ବପ୍ନ ରେ ଆସେ ସେ କଦବା ସେ ଦିନ ସତରେ ଆସେ। ଦିନରେ କୋଉଠି ଦେଖାହେଲେ ଭଲ ହେବ_ ସାଗର ବେଳା ରେ , ନଈ କୂଳରେ କି ପାଞ୍ଚ ତାରକା ହୋଟେଲ୍ ରେ; ଯୋଉଠି ଚାରୋଟି ପାଦ ଛନ୍ଦା ଛନ୍ଦି ହୋଇଥିବ ନା ପରସ୍ପର ଠାରୁ ଦୂରତା ରକ୍ଷା କରୁଥିବେ ! 

   ଯୋଉଠି ହେଲେ ବି ଦେଖାହୁଏ।ପ୍ରେମରେ ବହୁତ କଥା କହିବାକୁ ହୁଏ ନାହିଁ।ଆଖିର କଥା କୁ ଛାତି ସାଇତି ରଖେ। ଯଦି କାହାକୁ କେହି କିଛି କୁହେ,ଏଇ କଥା "ପ୍ରେମିକା ପ୍ରେମିକକୁ ଗାଳି ଦେଇ ପାରିବ! ଏଇ ଅଧିକାର କ'ଣ କେବଳ ଦମ୍ପତି ପାଆନ୍ତି?ବିବାହ କ'ଣ ପଞ୍ଜିକୃତ ବେଶ୍ୟା ବୃତ୍ତି? "

    ସନତ ପଚାରେ," ଲିଭ୍ ଇନ ଟୁଗେଦର ନିଷିଦ୍ଧ ନା ସ୍ଵୀକୃତ।ବିଧବା ବିବାହ,ପ୍ରେମ ବିବାହ,ବିବାହିତ କୁ ବିବାହ,ସମ ଲିଙ୍ଗୀ  ବିବାହ, ଭିନ୍ନ ଧର୍ମବାଲମ୍ବି, ଭିନ୍ନ ଜାତିକୁ ବିବାହ କରିବା ବୈଦିକ ବିବାହ ଶାସ୍ତ୍ର କେଉଁଦିନ ସ୍ବୀକାର କରିବ, ଅନୁମୋଦନ କରିବ ଦୁଇଟି ମନ ପରସ୍ପର କୁ ଚାହୁଁଥିବା ବିବାହ?"

  ସନତ କହେ," ମୁଁ ତୁମକୁ ଯଦି ବିବାହ କରି ପାରିବିନି ତୁମ କୁ ଚିର କୁମାରୀ ରହିବାକୁ ପଡିବ।"

    ସୁନୀତା ର ମୁହଁ ମେଘ ଢ°କା ଆକାଶ ପରି ଗମ୍ଭୀର ହୋଇଯାଏ।ଏତେ ଭଲ ପାଇବା କ'ଣ ଠିକ୍! ସମୟ କେତେ ନିଷ୍ଠୁର ଜାଣି ନାହାନ୍ତି କି ସନତ ! ଏଇ ସମୟ ଲୁହାର ବାଡ । ସେଇ ବାଡ କୁ ଡେଇଁ କାହାକୁ ଆଗକୁ ଯିବା ପାଇଁ ଦିଏନି ଏଇ ସମୟ। ଜାତି,ଧର୍ମ, ବର୍ଣ୍ଣ ସୃଷ୍ଟି କରିଥିବା ସ୍ୱାର୍ଥପର ମଣିଷକୁ ଦଣ୍ଡ ନଦେଇ ସମର୍ଥନ କରିଚି ଏଇ ସମୟ।

ସନତ ଭୁଲି ଯାଉଛନ୍ତି ସେ ଯାହାକୁ ଭଲ ପାଉଛନ୍ତି ସେ ଜଣେ ଦଳିତ କନ୍ୟା।ତାକୁ ସ୍ବପ୍ନ ରେ ସବୁଦିନ ହିଁ ଦେଖୁଥିବେ ସେ। ସେ ଜାଣିଛି ଦେବଦାସ ପରି ବିଫଳ ପ୍ରେମ କାହାଣୀ ଆଉଥରେ ଲେଖାହେବ।

   କ୍ଲାସ ବାହାରେ ଅଧ୍ୟାପକ ସନତ ତାକୁ ଅପେକ୍ଷା କରିଥାନ୍ତି। ଯେତେ ଚେଷ୍ଟା କଲେ ବି ତାଙ୍କ ନଜର ଏଡାଇ ଯାଇ ପାରେନି ସୁନୀଈତା।

  ବର୍ଷା, ବୈଶାଖ , ବସନ୍ତ ରେ ସେଇ ଗୋଟିଏ କଥା," ମୁଁ ବଞ୍ଚିଛି ତୁମ ପାଇଁ ମରିବି ତୁମ ପାଇଁ।"

   ଏକ'ଣ! ସନତ ଙ୍କ ଏଇ ପାଗଳାମୀ ତାଙ୍କୁ ଦିନେ ମହଙ୍ଗା ପଡିବ। କଲେଜ୍ ହେଉ କି ଯେ କୌଣସି ସର୍ବ ସାଧାରଣ ସ୍ଥାନରେ ନିଜର ମାନ ସମ୍ମାନ ବି ଜଗି ଚଳୁ ନାହାନ୍ତି ଅଧ୍ୟାପକ ସନତ!ନିଜକୁ କାହିଁକି ଏତେ ଛୋଟ କରି ଦେଉଛନ୍ତି ଛାତ୍ର ଛାତ୍ରୀ ଙ୍କ ସାମନାରେ।ହାସ୍ୟାସ୍ପଦ ହେଉଛନ୍ତି ସମସ୍ତଙ୍କ ସମ୍ମୁଖରେ ।

   ଦିନେ ରାତି ବାରଟା ପରେ ରି° କଲା ସୁନିତା।

  ଫୋନ୍ ଉଠେଇଲେ  ସନତ ।

  " ହେଲୋ, ଆପଣ ଶୋଇ ନାହାନ୍ତି! ମୋ କଥା ଭାବୁଛନ୍ତି ଏତେ ରାତିରେ !! ମୋ ଆତ୍ମା କୁ ଭଲପାଆନ୍ତି ନା ମୋ ରୂପକୁ । ଆପଣ ବିଲ୍ୱମଙ୍ଗଳ ପରି ଆମ ଚାଳ ଚିରି ମୋ ପାଖରେ ପହଞ୍ଚି ଯିବେନିତ! ଏ ରୂପ ଦିନେ ଜରା ରେ ଶିକାର ହେବ । ମୋର ଏଇ ଗୋରା ଚମଡା ଦିନେ ବ୍ୟାଧି ଗ୍ରସ୍ତ ହେବ। ଆପଣଙ୍କ ଭଲପାଇବାକୁ ,ପ୍ରେମକୁ ଶେଷ ଥର ପାଇଁ କୋଟି କୋଟି ପ୍ରଣାମ କରୁଛି।"

   " ଶେଷଥର ? ମାନେ?"

 "ମାନେ ? ଏଇ ବସ୍ତିର କଙ୍ଗାରୁ କୋର୍ଟ ସିଦ୍ଧାନ୍ତ ନେଇଛି ଯଦି ଆମେ ଘର ଛାଡି ନ ଯାଉ,  ଆମକୁ ଏଇ ଘର ସମେତ ଜାଳି ପୋଡି ପାଉଁଶ କରିଦେବେ।କାରଣ ଆପଣ ନୁହନ୍ତି , କାରଣ ମୁଁ ନିଜେ, କାରଣ ମୋ ପରିବାର। କାହିଁକି ମୁଁ ଦଳିତ ପରିବାର ରେ ଜନ୍ମ ହେଇ ରୂପବତୀ ହେଲି ଏଇଟା ମୋର ଦୁର୍ଭାଗ୍ୟ।ଆପଣ ମୋତେ ଭୁଲି ଯାଆନ୍ତୁ। ଭୁଲିବାକୁ ପଡିବ। କେବେ ଯଦି ଜାତି,ଧର୍ମ , ସମ୍ପ୍ରଦାୟ ଭିତ୍ତିରେ ଏ ସମାଜ ଭାଗ ଭାଗ ହେବନି ସେଦିନ ମୁଁ ଆପଣ ଙ୍କ ନିକଟକୁ ଫେରି ଆସିବି ।".

    ତାପରେ ଏକ ବିକଟାଳ ଶଦ୍ଦ । ସେ ବିଛଣାରୁ ଉଠିପଡି ଦଉଡି ଦଉଡି ଯାଇ ସୁନୀତା ରହୁଥିବା ଗଳିରେ ପହଞ୍ଚିଗଲା।କିନ୍ତୁ ସେତେବେଳ କୁ ସବୁ ଶେଷ ହୋଇ ଯାଇଥିଲା। ହୁତ୍ ହୁତ୍ ହୋଇ ଜଳୁଥିଲା ସୁନିତା ରହୁଥିବା ଏକ ବଖରିଆ ଚାଳଘର । ତାଙ୍କର ବୁଝିବାକୁ ବାକି ରହିଲାନି ଯେ ଏ କାଣ୍ଡ  ଏଠାକାର ବସ୍ତି ବାସିନ୍ଦାଙ୍କର। । ନିଆଁ ଭିତରକୁ ପଶିଯିବା ବେଳକୁ ବସ୍ତିର ଜଣେ ଯୁବକ କହିଲା,"ସାର୍ ନିଆଁ ଭିତରେ ସୁନୀତା ଆଉ ତା' ପରିବାର ଭସ୍ମିଭୂତ ହୋଇ ଯାଇଛନ୍ତି ।ସୁନୀତା ଏବଂ ତା' ପରିବାର କୁ ବାହାର ପଟୁ ଚାବି ଦେଇ ଘର ସହିତ ସେମାନଙ୍କୁ ଜାଳି ଦେଇଛନ୍ତି ବସ୍ତି ବାସିନ୍ଦା, ଏଇଥିପାଇଁ ଯେ ସେ ଜଣେ ଆର୍ଯ୍ୟ ପୁଅ କୁ ଭଲ ପାଉଛି ଏବଂ ତାକୁ ବିବାହ କରିବା ପାଇଁ ତା' ପରିବାର ଉପରେ ଚାପ ପକଉଛି। ଆପଣ ଜାଣିଥିଲେ ଜାଣିଥିବେ ପ୍ରକୃତ କଥା କ'ଣ।ମୁଁ ବି ଦିନେ ସୁନୀତାକୁ ପାଇବା ଲାଗି ପାଗଳ ହୋଇ ଯାଇ ଥିଲି। କିନ୍ତୁ ଯେଉଁ ଦିନ ଜାଣିଲି ଆପଣ ଦଳିତ ସୁନିତାକୁ  ନିଜର କରିବାକୁ ଚାହୁଁଛନ୍ତି, ମୁଁ ତା' ରାସ୍ତାର କଣ୍ଟା ହେଲି ନାହିଁ । ଆପଣ ମୋ ଭିତରେ ଆକାଶ ପାତାଳ ତଫାତ । ତାକୁ ପାଇବା ପାଇଁ ଆପଣ ଏଇ ଦୃଷ୍ଟିରୁ ହକ ଥିଲେ ଯେ ଆପଣ ଉଚ୍ଚଶିକ୍ଷିତ, ଉଚ୍ଚ ବଂଶଜ,ବିଭା ହେବା ପାଇଁ ଥିଲେ ଉପଯୁକ୍ତ କାରଣ ମୋ ପରି ଆପଣ ବେକାର ନୁହନ୍ତି ।ଜଣେ ଦଳିତ ଝିଅକୁ ଦଳିତ ପୁଅ ବିଭା କରିବା ରେ କିଛି ପ୍ରତିବନ୍ଧକ ନାହିଁ।କିନ୍ତୁ ଗୋଟିଏ ଫୁଲକୁ ଦୁଇଜଣ ମାଳି। ଆମେ ଦୁଇଜଣ ଯାକ ହାରିଗଲେ।"

  ଦଳିତ ଯୁବକଟି ସେ ସ୍ଥାନ ଛାଡି ଚାଲିଗଲା ପରେ ସନତ ଅନ୍ଧାର ଭିତରେ କୁଆଡେ ହଜି ଯାଇଥିଲା।ପୁଣି ଦୃଶ୍ୟ ହେଲା ଜଣେ ଅସାମାଜିକ ଯୁବକ ଭାବେ।ସେ ଭୁଲି ଯାଇଥିଲା ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ।'ସୁନୀତା' ,'ସୁନୀତା' ବୋଲି ଉଚ୍ଚ ସ୍ବରରେ ଚିତ୍କାର କରୁଥିଲା ସେ, କି ରାତି କି ଦିନ। ସେ ବିଶ୍ଵାସ କରି ପାରୁ ନଥିଲା ସୁନୀତା ଜଳି ପୋଡି ପାଉଁଶ ହୋଇ ଯାଇଛି ବୋଲି। 

  ସେ ଚରସ୍ ଖାଇ ,ମଦ ପିଇ ଯାହାକୁ ଇଚ୍ଛା ତାକୁ ବାଡଉ ଥିଲା। ଦାଦାଗିରି କରି ଚଳନ୍ତା ଟ୍ରକ୍ କୁ ଗୁଳି ମାରି ଅଟକେଇ ବଟି ଆଦାୟ କରୁଥିଲା। ଅତ୍ୟଧିକ ମଦ ପିଇ ନର୍ଦ୍ଦମା ରେ ସାରା ରାତି ଶୋଇ ପଡୁଥିଲା।

   ଦୁର୍ଦ୍ଦାନ୍ତ ସନତ କୁ ପିଛା କରି ନୟାନ୍ତ ହୋଇଯାଇଥିବା ପୋଲିସ୍ ତାକୁ ପାଇଥିଲା ମଇଳା ଗଦା ଉପରେ । ସେତେବେଳକୁ ତା'ଜୀବନ ଦୀପ ଲିଭି ଯାଇଥିଲା।



Rate this content
Log in

Similar oriya story from Abstract