Bhagirathi Mohanty

Abstract Tragedy Others

3  

Bhagirathi Mohanty

Abstract Tragedy Others

କେମିତି ଏଇ ପ୍ରେମ

କେମିତି ଏଇ ପ୍ରେମ

7 mins
6



କର୍କଟ ଶେଷ ପର୍ଯ୍ୟାୟ ଚିହ୍ନଟ ହେବା ପରେ ସୁନନ୍ଦା କୁ ଦିନ ରାତି ଜଗି ରହିଥିଲେ ଶୁଭ୍ରାଂଶୁ।ପ୍ରଥମ ଥର ବାପା ହେବେ ଏଇ ଖୁସିରେ ସେ ସାଙ୍ଗ ସାଥିଙ୍କୁ ମିଠା ବାଣ୍ଟିଥିଲେ।

   ସେମାନେ ପଚାରୁଥିଲେ,"ଆପଣ କ'ଣ ଜାଣିପାରିଛନ୍ତି ପୁଅ ର ବାପା ହେବେ ବୋଲି,ଗର୍ଭ ଚିହ୍ନଟ ଉପାୟରେ?"

   ଶୁଭ୍ରାଂଶୁ କହନ୍ତି,"ଝିଅ ହେଉ କି ପୁଅ ମୁଁ ବାପା ହେବି ଏଇଥି ପାଇଁ ଗର୍ବିତ,ଜନ୍ମିତ ସନ୍ତାନ ମୋତେ 'ବାପା' ବୋଲି ଡାକିବ ଏଇ ଖୁସିରେ ,ଆପଣ ମାନଙ୍କୁ ଖୁସି କରୁଛି।ସୁନନ୍ଦା ଙ୍କୁ ବିଭା ହେବାର ପାଞ୍ଚ ବର୍ଷ ହେଇଗଲାଣି ନା ଝିଅ ନା ପୁଅ । କେତେ ଲୋକ କେତେ କଥା କହୁଛନ୍ତି । ମୁଁ ବିଭା ହେଲି ଛତିଶ ରେ। ସୁନନ୍ଦା ଙ୍କୁ ସେତେବେଳେ ଅଠେଇଶ। ଯୋଗ କରନ୍ତୁ ପାଞ୍ଚ;ତାଙ୍କର ହେଲା ତେତିଶ।ବିବାହ ପରେ ଆମେ ବାପା ମା' ହେବାକୁ ଚାହୁଁ ନ ଥିଲୁ ।ସେଇ ନିଷ୍ପତ୍ତି ମହଙ୍ଗା ପଡିଲା।ବାର ଲୋକ ବାର କଥା କହିଲେ" ଓଥରା ରହିବା ଭଲ ଥିଲା । ଏଇ ମାଇକିନା ଟା ମା' ହୋଇ ପାରିବନି।ଡେରିରେ ବାହା ହେଇ ଷ୍ଟାଇଲ ମାରିଲେ; ଏବେ ନାତି କି ନାତୁଣୀ ଖୋଜୁଛି ଶୁଭ ର ମା'। ପୁଅ ବୋହୂ ଛୁଆ ପାଇଁ ବ୍ୟସ୍ତ ନୁହେଁ ,ମା' ଯେତେ ଶିବ ସେବା କଲେ କ'ଣ ହେବ?"ଆଉ କିଏ କହୁଚି,"ବୟସ୍କା ଝିଅ ମା'ହେବା କାଠିକର ପାଠ।"

    "ସେଇ ବିପଦ ଟଳି ଯାଇଛି," କହିଲେ ଶୁଭ୍ରାଂଶୁ ବାବୁ।

  "ଆଗ ସମୟ ଏ ସମୟ ଭିତରେ ବହୁତ ତଫାତ୍।ଝିଅର ପନ୍ଦର ପୂରୁ ପୂରୁ ବିବାହ।ଗୋଟିଏ ସୀମିତ ଗ୍ରାମ୍ୟ ପରିବେଶ ରେ ଝିଅଟି ବଢେ। ସୀମିତ ବି ଥିଲା ବିଦ୍ୟା ବୁଦ୍ଧି।ଝିଅକୁ ଘିଅ କହୁଥିଲେ ତା'ର ପିତା ମାତା _ପାଖ ପଡୋଶୀ। ବଢିଲା ଝିଅ ପରିବାରକୁ ବିପଦ।ବୋହୂ କୁ ବହନ କରିବାର ଶକ୍ତି ଟୋକା ର ଅଛି କି ନାହିଁ ତାହା ବିଚାରକୁ ନେଉ ନଥିଲେ। 'କାନ୍ଧରେ ପଡିଲେ ବଜେଇ ଶିଖିବ' ଏଇ ଦୋହା ସମସ୍ତଙ୍କ ମୁହଁ ରେ ଥିଲା।ବର ତିରିଶ କନିଆଁ ଦଶ' । ଟୋକା କ'ଣ କରୁଛି ବୁଝୁଥିଲେ ନା ବୟସ ଦେଖୁଥିଲେ। ଅଳ୍ପ ବୟସରେ ବିଧବା ହୋଇ ଶାଶୂ ନଣନ୍ଦଙ୍କ ତାଡନା ସହି ସହି ଝିଅ ଟି ମୂକ ପାଲଟି ଯାଉଥିଲା। ସ୍ଥଳ ବିଶେଷରେ ସ୍ବାମୀ ଜୁଇ ରେ ସ୍ତ୍ରୀ ବିସର୍ଜନ ନେଉଥିଲା।

  ଏବେ ବିବାହ ଖସଡ଼ା ବଦଳି ଯାଇଛି। ଝିଅ ର ଇଚ୍ଛା ବିରୁଦ୍ଧ ରେ ବିବାହ ହୋଇ ପାରୁ ନାହିଁ। ପନ୍ଦର କୁ ନା,କୋଡିଏ କୁ ବି ନା।ତାହେଲେ କୋଉଟା 'ହ‍ଁ'?  

   କେତେବେଳେ ହଁ ? 

   ଝିଅ ବିବାହ ବୟସ ଅତିକ୍ରମ କରି ଗଲାଣି କି ନାହିଁ ତାହା ଗୌଣ ଚାକିରି କରିବା ମୁଖ୍ୟ। ବିବାହ ବିଚ୍ଛେଦ ଭୟ ରୁ ,ଝିଅ ଚାକିରି କରିବାର ଅନିବାର୍ଯ୍ୟତା ସୃଷ୍ଟି।" ଜଣେ ବୟସ୍କ ବନ୍ଧୁ ବକ୍ତବ୍ୟ ଶେଷ କଲେ।

  ଶୁଭ୍ରାଂଶୁ ଓ ସୁନନ୍ଦା ଦୁଇ ବନ୍ଧୁ ଥିଲେ ପିଲାଦିନରୁ। ଗୋଟିଏ ସହରରେ, ଗୋଟିଏ ସେକ୍ଟର ରେ ରହୁଥିଲେ।ଦୁଇ ପରିବାର ମଧ୍ୟରେ ଅର୍ଥନୈତିକ ଅସାମଞ୍ଜସ୍ୟ ଥିଲା ସେହି ଆଧାର ରେ କେହି କାହାରିକୁ ମାପୁନଥିଲେ ବି ସୁନନ୍ଦା ନିଜର ଆତ୍ମ ସମ୍ମାନ କୁ ବଜାୟ ରଖିଥିଲା। ଶୁଭ୍ରାଂଶୁ ଙ୍କ ବାପା ଦେଶର ଉଣେଇଶ ଜଣଙ୍କ

ଧନୀ ଭିତରୁ ଜଣେ ଥିଲେ।ଅଠର ବର୍ଷ ପୂରଣ ହେବା ଯାଏଁ ଡ୍ରାଇଭର କାର୍ ନେଇ ତା'ଶିକ୍ଷାନୁଷ୍ଠାନ ରେ ଛାଡି ଦେଇ ଆସୁଥିଲା।ଭୋଟ ଦେବାର ବୟସ ହେବାପରେ ସେ ନିଜେ ଡ୍ରାଇଭିଙ୍ଗ୍ କରିଗଲା।

   ବାଟରେ ସୁନନ୍ଦା କୁ ପାଇଗଲେ ,ଗାଡି ଏକ ନମ୍ବର କୁ ଆଣି,ବ୍ରେକ୍ ଦେଇ ମୁଣ୍ଡ ବାହାର କରି କୁହେ,"ବହୁତ ଖରା ହେଇଚି ,ସାଇକେଲ ଟି 'ମୋ ସାଇକେଲ' ପାର୍କିଂ ରେ ରଖି ,ଚାବି ଦେଇ ଆସି କାର୍ ରେ ବସ। ଆଜିକାଲି ବିନା ଚାବି ରେ 'ଆମ୍ବାସଡାର୍' କାର୍ ଛାଡିଦେଇ ଗଲେ ବି କେହି ଚୋରି କରି ନେବେ ନାହିଁ।"

    ଶୁଭ୍ରା‍ଂଶୁ ଙ୍କ ଏତାଦୃଶ ଆକ୍ଷେପ ତା'ଗାଲରେ ଶକ୍ତ ଚାପୁଡା ଟାଏ ମାରିବା ପରି ଲାଗିଲା।

  "ନାଇଁ ମୁଁ ଠିକ୍ ଅଛି, ତୁମେ ଯାଇ ପାର",କହି ସାଇକେଲ ପେଡାଲ୍ ରେ ଗୋଡ ଦେଇଥିଲା ସୁନନ୍ଦା ।

  'ବି.ଜେ.ବି ରେ ପହଞ୍ଚିବା ପରେ ସୁନନ୍ଦା କୁ ତା'ସାଙ୍ଗ ସଙ୍ଗୀ ମାନେ ଘେରି ଯାଇ 'ଚିଅରସ୍' କରିଥିଲେ।

   ସୁନନ୍ଦା କିଛି ବୁଝି ନ ପାରି ଡୋଳା ଯୋଡାକ ଉପରକୁ ଟେକି ପଚାରିଲା,"କ'ଣପାଇଁ ମୋତେ ଚିଅର୍ସ କରୁଚ?"

   ଦୀର୍ଘାଙ୍ଗୀ, ସ୍ବେତାଙ୍ଗୀ , ସୁନନ୍ଦା ପଚାରିଲା।

   "ତୁମେ ବି.ଜେ.ବି. ର ନାଁ ତଳକୁ ହେବାକୁ ଦେବ ନାହିଁ । ଆଜି ପରୀକ୍ଷାର ରେଜଲ୍ଟ ବାହାରିଛି ; ତୁମେ ପ୍ଲସ ଟୁ ସାଇନ୍ସ ର ସମସ୍ତଙ୍କୁ ପଛରେ ପକେଇ ଦେଇଛ। ମିଠା ଦେବାକୁ ହେବ ।"

  ଟିକେ ଦୂରରେ ଥାଇ ଶୁଭ୍ରାଶୁଂ ମୁଣ୍ଡ ତଳକୁ କରି 'ବିଦ୍ୱାନ୍ ସର୍ବତ୍ର ପୂଜ୍ୟତେ' ର ଓଡିଆ ମାନେ ଖୋଜି ପାଇ ଯିବା ପରେ ଫରେନ୍ କାର୍ ଟିର ରଙ୍ଗ ଧୀରେ ଧୀରେ ଉଡି ଯିବା ପରି ଲାଗୁଥିଲା।ଧନ ଗର୍ବ ବଢାଏ, ଅହଙ୍କାର ବଢାଏ, ହୀନମନ୍ୟତା ବି ବଢାଏ ସେ ଏହା ଅନୁଭବ କରୁଥିଲା।ଶ୍ମଶାନ କୁ  ପଟୁଆର ରେ ଯାଉଥିବା ଶବ ଧନୀ ଟିଏ ହୋଇନଥିବ ,ସେଇଟି ଜଣେ ମହାତ୍ମା, ବିଦ୍ବାନ୍ ,ମନିଷୀ , ବିଦୁଷୀ, ଦେଶ ଭକ୍ତ ର । ସାଇକେଲ ରେ ଆସିଥିବା ସୁନନ୍ଦା କୁ ତା' ସାଙ୍ଗମାନେ କାନ୍ଧରେ ବସାଇ ବୁଲୁଥିଲେ_ ମର୍ସିଡିସ୍ କାର୍ ରେ ଆସିଥିବା ଶୁଭ୍ରାଂଶୁ ସେମାନଙ୍କ ସହିତ ଯୋଗ ଦେଇ ପାରୁନଥିଲା ,ତା' 'ଅହଂ' ତାକୁ ଟାଣି ଧରିଥିଲା।

   ସେଇ ଦିନ ଠାରୁ ତା'ର ଜିଦ୍ ବଢ଼ିଯାଇଥିଲା ସୁନନ୍ଦା କୁ ପାଇବା ପାଇଁ। ତା'ପରି ସେ ସାଇକେଲ ଚଢି କଲେଜ୍ ଆସୁଥିଲା। ଏ.ସି. କେଣ୍ଟିନ୍ ରେ ନଖାଇ, ନଡା ପାଲ ଉପରେ ପକେଇ କାଠ ଚେୟାର ଟେବୁଲ ପଡିଥିବା ଘରେ ବସି ଟିଫିନ୍ ଖାଉଥିଲା।କୋର୍ଟ ଟାଇ ପିନ୍ଧି କଲେଜ୍ ଆସୁ ନଥିଲା,ଆସୁଥିଲା ସାଧାରଣ ପେଣ୍ଟ ସାର୍ଟ ପିନ୍ଧି। କଲେଜ୍ ପଡିଆରେ ପିଲାମାନଙ୍କ ସଙ୍ଗେ ମିଶି କ୍ରିକେଟ, ଫୁଟବଲ୍,ବେଡ୍ ମିଣ୍ଟନ୍ ଖେଳୁଥିଲା।ସେଇ ଦିନ ଠାରୁ ସେ ବାପାଙ୍କର ଆଲିସନ୍ ବାଙ୍ଗାଲୋ ରେ ରହୁ ନଥିଲା , ରହୁଥିଲା ଉଆନ୍ ବିଏଚ୍ କେ ଫ୍ଲାଟରେ।

   ଏକଥା ସୁନନ୍ଦା ଜାଣି ନ ଥିଲା ଯେ ଶୁଭ୍ରାଂଶୁ କେଵେ ଠାରୁ ସାଇକେଲ ରେ କଲେଜ୍ ଆସିଲାଣି।ସେ ସୁନନ୍ଦା ପାଖରେ ଧରା ପଡିଗଲା।

   "ଆପଣ,ବାଇ ଦି ୱେ, ତୁମେ କୋଉ ଦିନ ଠାରୁ ସାଇକେଲ ରେ କଲେଜ୍ ଆସିଲଣି!ଏତେ ବଡ ଘର ର ପୁଅ ସାଇକେଲ ଚଢି କଲେଜ୍ ଆସୁଛି _ ମୋ ଆଖିକୁ ବିଶ୍ଵାସ ଯାଉନି!!!"

  "କଟା ଘା'ରେ ଚୂନ ଦିଅନା । ସତରେ ମୁଁ ମୋର ଭୁଲ ବୁଝି ପାରିଛି। ବାପାଙ୍କର ଅର୍ଜିତ ପଇସା ରେ ମୁଁ ଅୟସ୍ କରୁଥିଲି । ମୁଁ ଜଣେ ନିଃସଙ୍ଗ ଅଶ୍ଵାରୋହୀ ,ମୋର ସାଙ୍ଗ ବୋଲି କେହି ନାହାନ୍ତି। କେହି ମୋ ସଙ୍ଗେ ସମକକ୍ଷ ହୋଇ ପାରୁ ନାହାନ୍ତି । ମୁଁ ସେମାନଙ୍କୁ ମୋପାଖରେ କେବେ ହେଲେ ଦେଖିନାହିଁ। କାର୍ ଡୋର୍ ଖୋଲି ଦେଇ ସେମାନଙ୍କୁ ଭିତରକୁ ଆସିବାକୁ କହିବା ବେଳକୁ ,ସେମାନେ"ନାଇଁ ଆଜ୍ଞା ,ଆପଣ ଯାଆନ୍ତୁ" ବୋଲି କହୁଛନ୍ତି ।ମୁଁ ଜଣେ ଏତେ ବଡ ବ୍ୟକ୍ତି ହୋଇ ଗଲିଣି ଯେ ସେମାନେ ମୋତେ 'ଆପଣ' କହିଵେ?ଆନ୍ତରିକତା ହୀନ ସମ୍ପର୍କ ବେଶି ଦିନ ରହେ ନାହିଁ"

   କଲେଜ୍ ପହଞ୍ଚି ଯିବାରୁ ଆଳାପ ସେତିକିରେ ବନ୍ଦ ରହିଥିଲା। ସୁନନ୍ଦା କୁ ଏଇ ଦେଖେଇ ହେବା ଗୁଣ ଜମା ଭଲ ଲାଗେ ନାହିଁ।ଶୁଭ୍ରାଂଶୁ କଣ ଠେଲାଗାଡିରେ ,ଆଳୁଚପ୍, ସିଙ୍ଗଡ଼ା , ବରା ,ପକୋଡି, ଭୁଗୁନି ବିକି ପାରିବେ? ଏମିତି ଏକ ରେଷ୍ଟୁରାଣ୍ଟ ଖୋଲିବେ ଯେଉଁଠି ମଦ,ମା‍ଂସ , ଚିକେନ୍ ପକୋଡା, ନନ୍ ଭେଜ୍ ସୁପ୍ ମିଳୁଥିବ। କାଉଣ୍ଟର ରେ ଗୁଗୁଲ୍ କିମ୍ବା ଫୋନ୍ ପେ ରେ ଟଙ୍କା ପଠେଇ ହେଉଥିବ।ତାଙ୍କ ପ୍ରତି ପଳ ରକ୍ତରେ ଖାନଦାନୀ ର ଗର୍ବ ପ୍ରବାହିତ। ସେ ଯାହାସବୁ କରୁଛନ୍ତି ସବୁ ଛଳନା।ଅନ୍ୟ ଏକ ପ୍ରକାର ଇର୍ଷା ପ୍ରତିଭାମୟୀ ସୁନନ୍ଦା ପ୍ରତି।

   ସପିଙ୍ଗ ମଲ ର ତୃତୀୟ ମହଲା, ଯୋଉଠି କେବଳ ଡ୍ରେସ୍ ,ଟି ସାର୍ଟ , ଜିନ୍ ପେଣ୍ଟ ମିଳେ ସୁନନ୍ଦା ସହିତ ତାଙ୍କର ଦେଖା ହୋଇ ଯାଇଥିଲା ।ଗହଳି ଠେଲି ଶୁଭ୍ରାଂଶୁ ତା'ପାଖରେ ପହଞ୍ଚି ଯାଇ "ହାଏ" କହି ହାତ ବଢେଇ ଦେବା ବେଳକୁ ସୁନନ୍ଦା ର ହାତ ଟିକେ ବି ହଲିନଥିଲା। ଓଲଟି ତାଙ୍କୁ ସେ କହିଥିଲା ,"ନିଜକୁ ସମ୍ଭାଳି ରଖ, ମୁଁ ତୁମକୁ ଡେଟ୍ ପାଇଁ ଏଠିକି ଡାକି ନାହିଁ। ପବ୍ଲିକ ପ୍ଲେସ୍ ରେ ନିଜର ଇଜ୍ଜତ ଜଗି ଚଳିବାକୁ ହୁଏ। କେମିତି ଜାଣିଲ ମୁଁ ଏଠାକୁ ଆସିଛି ବୋଲି?"

  ଅପମାନ ରେ ଶୁଭ୍ରାଂଶୁ ଙ୍କ ମୁହଁ ଲାଲ ପଡି ଯାଇଥିଲା।ସେ ତତକ୍ଷାଣାତ୍ ତଳକୁ ଆସି କାର୍ ଚଳେଇ ପଳେଇ ଆସିଥିଲା। ଏତେ ଅନ୍ୟମନସ୍କ ଥିଲାଯେ ଟ୍ରାଫିକ ନିୟମ ନ ମାନି ଦ୍ରୁତ ଗତିରେ କାର୍ ଡ୍ରାଇଭ୍ କରି ଜୋରିମାନା ଦେଇଥିଲା।

   ବାରମ୍ବାର ଅପମାନ ଦେଇ ସୁନନ୍ଦା କୁ କ'ଣ ମିଳେ ? ହାତ ପାଉନଥିବା ଚନ୍ଦ୍ରମା କୁ କ'ଣ କେହି ଭଲ ପାଇ ପାରିବେନି? ଦୂରରେ ଥିଲେ ବି ସମସ୍ତଙ୍କ ପ୍ରେମ କୁ ସେ ନିଜର କରେ।ସେ ତାକୁ ଯେତେ ହୃଦୟରୁ ଦୂରକୁ ଠେଲି ଦେବ,ସେ ସେତିକି ତା'ର ନିକଟତର ହେବ।

  କଲେଜ୍ ଯିବା ବାଟରେ ଭେଟ ହୋଇଗଲେ ଶୁଭ୍ରା‍ଂଶୁ ତାକୁ କୁହେ,"ଆମେ ଶୀଘ୍ର ବାହାରି ଆସିଛୁ,ଚାଲ ଆଇସକ୍ରିମ ଖାଇବା,କଫି ପିଇବା; ତୁମ ପସନ୍ଦରେ ଆଉ ଯାହା କହିବ ଖାଇବା : ନା କ'ଣ କହୁଚ ?"

  ସୁନନ୍ଦା ରୁକ୍ଷ ସ୍ବରରେ କୁହେ,"ଏତେ ଶସ୍ତା ହୋଇ ଯାଉଚ କାହିଁକି? ତୁମ ବଂଶ ଆଭିଜାତ୍ୟ ଭୁଲି ଯାଉଛ? ତୁମେ କିଏ ଆଉ ମୁଁ କିଏ?"

  ତା'ଗାଲ ରେ ଚଟକଣା ଟିଏ ବସେଇ ଦେଇ କହିବ କି ପ୍ରଥମେ ଆମେ ମଣିଷ । ମଣିଷ, ମଣିଷ ଭିତରେ ସମ୍ପର୍କ ଧନ ତରାଜୁ ରେ ମପା ଯାଏ ନାହିଁ,ଦୁଇଟି ହୃଦୟ ର ନିବିଡତା ର ନିକିତି ହେଉଛି ,ଜଣକ ବିନା ଆଉ ଜଣେ ନିରର୍ଥକ ମନେ କରିବା।

   ଦୁଇ ବନ୍ଧୁ କସଟି ପଥରରେ ପରସ୍ପର କୁ ପରୀକ୍ଷା କରିବା ବେଳକୁ ସମୟ ସେମାନଙ୍କୁ ଉତ୍ତର ଯୌବନ ଆଡକୁ ଟାଣି ନେଉଥିଲା। ବର୍ଣ୍ଣାଢ଼୍ୟ ବୟସ ବେରଙ୍ଗ ହୋଇ ଯାଉଥିଲା।

   ଶୁଭ୍ରା‍ଂଶୁ ଉପରେ ବାହାଘର ର ଚାପ ନଥିଲା । ଧନୀ ଘର ର ପୁଅ ମାନଙ୍କର ବିବାହ ଏକ ସଉକ! ପରୀକ୍ଷା ମୂଳକ ଭାବରେ ବିବାହ ର ଅସଲ ଉଦ୍ଦେଶ୍ୟ ସେମାନେ ଜାଣି ସାରି ଥାଆନ୍ତି। ବିବାହ ପରେ ସେ ତା'ର ପ୍ରଥମ ପୁରୁଷ କି ବୋଲି ପ୍ରଶ୍ନ ବି କରନ୍ତିନି।ବରଂ ସାହାଯ୍ୟ କରନ୍ତି ତାକୁ ଛାଡପତ୍ର ଦେଇ ଆଉ କାହାକୁ ଆପଣେଇ ନେବା ପାଇଁ!

   ଶୁଭ୍ରା‍ଂଶୁ କିନ୍ତୁ ଅଲଗା ଧରଣର।ତା'ର ଆଦର୍ଶ : ଜଣକୁ ଉନ୍ମେହି ରେ  ପକେଇ,ଚବିଶ କାରେଟ୍ ସୁନା କି ନୁହେଁ ଜାଣିବା ଆଉ ତା' ସହିତ ହସ କାନ୍ଦ, ମାନ ଅଭିମାନ ର ତିକ୍ତ ମଧୁର ସମ୍ପର୍କ କୁ ସାଙ୍ଗରେ ଘେନି ସେପାରି କୁ ଚାଲିଯିବା।

   ଶୁଭ୍ରା‍ଂଶୁ ,ଯଦି ବାହା ହେବ ସୁନନ୍ଦା କୁ ନହେଲେ ଅଭିଆଡ଼ା ରହିବାର ବଜ୍ର ଶପଥ ନେଇଛି ହେଲେ ସୁନନ୍ଦା ର କ'ଣ ହୋଇଛି !ଇତ୍ତିର୍ଣ୍ଣ ବୟସରେ ସେ କାହାକୁ ଅପେକ୍ଷା କରିଛି କି?

  ଝିଅ ମାନେ ଭାରି ସଂଜମି ।ଏତେ ସହଜରେ ସେମାନଙ୍କ ପେଟରୁ କଥା ବାହାରେ ନି। ଯାହାକୁ ଭଲ ପାଆନ୍ତି ଖୁବ୍ ପରୀକ୍ଷା ନିଅନ୍ତି ତା'ର।ପୂର୍ବରୁ ତାହା ନଥିଲା ବୋଲି ଶାଶୂ ଘର କୁ ଯମ ଭୁବନ  ବିଚାର କରୁଥିଲା ନବ ବଧୂ।ଝିଅଟିଏ କାହାକୁ ଥରେ ମନ ଦେଇ ଦେଲେ ଫେରେଇ ଆଣି ପାରେ ନାହିଁ।ତା'ପାଇଁ ବଞ୍ଚେ; ତା'ପାଇଁ ମରେ ବି।ଯେଉଁମାନେ ଝିଅ ମାନଙ୍କ ନିରୀହତା ର ଶାସ୍ତି ଦୁଷ୍କର୍ମ ରେ ଦିଅନ୍ତି ସେମାନଙ୍କୁ ସେ ଘୁଣାକ୍ଷରେ ଦେଖେ ନାହିଁ।

  କଲେଜ୍ କରିଡର୍ ରେ ଦିନେ ଦେଖା ହୋଇଗଲା ସୁନନ୍ଦା ସହ। ଶୁଭ୍ରାଂଶୁ ତାକୁ ଅତିକ୍ରମ କରି ଚାଲି ଯାଉଥିଲା।ତାକୁ ପଛରୁ ଡାକି ସୁନନ୍ଦା ହସି ହସି ପଚାରିଲା,"କଫି ପିଇବ? " 

   କିଏ ପଚାରୁଛି?ସୁନନ୍ଦା! ଅଦିନ ରେ ମଳୟ !ଧୂସର ଉପତ୍ୟକାକୁ କସୁମିତ କରିଦେଲା କେ!ହଁ ଫୁଲ ସହିତ ଫାଲଗୁନ।

  କଫି ଟେବୁଲ୍ ରେ ନିରବରେ କଥା ହେଉଥିଲେ ଦୁଇ ପ୍ରେମୀ। ଜଣ କ ବିନା ଆଉଜଣେ ଅପୂର୍ଣ୍ଣ ବୋଲି ;ସେମାନଙ୍କ ଲୁହ କହି ଦେଉଥିଲା,ହସ କହି ଦେଉଥିଲା। 

  "ତମ ଘରକୁ କୋଉ ଦିନ ଫେରିବ?"ଫୋନ୍ ରେ ପଚାରିଥିଲା ସୁନନ୍ଦା ।

   ଡିଜିଟାଲ ୱଆଚ୍ ରେ ରାତି ଗୋଟିଏ।ତାଙ୍କ ପରି ସେ କ'ଣ ଡେରିରେ ଶୁଏ ? ସେଇ ଗୋଟିଏ ପ୍ରଶ୍ନ ତାଙ୍କୁ ଘରକୁ ଫେରେଇ ନେଇଥିଲା। ତାପରେ....

   ସାହାନାଇ,ଭେରି,ତୂରୀ ର ମୃଦୁ ମଧୁର ସ୍ବର ରେ ସୁନନ୍ଦା ର ହୃଦୟ ପୁଲକିତ ହୋଇ ଯାଉଥିଲା।ଯିଏ ବାଜା ଟମକ ବଜେଇ ତାକୁ ସ୍ବାଗତ କରି ନେବାପାଇଁ ଆସୁଛନ୍ତି ସେ ତା'ର ବହୁ ପ୍ରତିକ୍ଷିତ ନାୟକ ଶୁଭ୍ରାଂଶୁ।ସେ ଯେତେ ଥର ତାଙ୍କୁ ପରୀକ୍ଷା କରିଛି ଅନର୍ଶ ଏବଂ ଡିଷ୍ଟିଂସନ ସହ ପାସ୍ କରିଛନ୍ତି ସେ। ପାଠରେ ତାକୁ ବିଟ୍ କରି ନ ପାରିଲେ ବି ପ୍ରେମ ରେ ବିଟ୍ କରିଛନ୍ତି।

     ସେଇ ଦିନ ଠାରୁ କେହି କାହାଠାରୁ ଅଲଗା ହୋଇ ନ ଥିଲେବି କଥା କହିନଥିବା ଅବୋଧ ଶିଶୁଟିକୁ ଛାଡି ଚାଲିଯିବ ସୁନନ୍ଦା ଏ କଥା ଭାବି ପାରୁନଥିଲା ଶୁଭ୍ରାଂଶୁ। ଷ୍ପେଶାଲ କେବିନ୍ ର ଟୁଲ ଉପରେ ବସିଥିବା ଶୁଭ୍ରାଂଶୁ ଙ୍କ ଆଖି କେତେବେଳେ ଲାଗିଯାଇଥିଲା।ହଠାତ୍ ଏକ ବିକଳ ଚିତ୍କାର ରେ ସେ ଚାହିଁ ଦେଖନ୍ତି ତ ସୁନନ୍ଦା ର ମୁହଁ ଢଳି ପଡିଛି ଗୋଟିଏ ପଟକୁ । ଡାହାଣ ହାତଟି ତାଙ୍କ ହାତକୁ ଯାବୁଡି ଧରିଛି।

   ମର୍ତ୍ତ୍ୟ ଛାଡି ଚାଲି ଯିବା ବେଳେ ସତେ ଯେମିତି ସେ କହିଦେଇ ଯାଇଛି ,"ମୁଁ ଯେଉଁ ହାତ ଧରି ତମ ପାଖକୁ ଆସିଥିଲି, ସେଇ ହାତ ଛାଡି ଚାଲି ଯିବି କେମିତି?"



Rate this content
Log in

Similar oriya story from Abstract