Bhagirathi Mohanty

Abstract Tragedy Inspirational

4  

Bhagirathi Mohanty

Abstract Tragedy Inspirational

ଲଳିତ ଲବଙ୍ଗ ଲତା

ଲଳିତ ଲବଙ୍ଗ ଲତା

9 mins
7



ସହର ର ଗୋଟେ ଛୋଟ ଗଳି ରେ 'ଚିତ୍ରପୁରି' ଷ୍ଟୁଡିଓ କାହାରି ଦୃଷ୍ଟି ଗୋଚର ହୁଏ ନାହିଁ। ଷ୍ଟୁଡିଓ ଟି ବଞ୍ଚେଇ ରଖିବା ପାଇଁ ଯୁବ ଫଟୋଗ୍ରାଫର ମନୋଜ କୁ ଅନ୍ୟାନ୍ୟ ଛୋଟ ଛୋଟ ବ୍ୟବସାୟ ଉପରେ  ସଂପୂର୍ଣ୍ଣ ନିର୍ଭର କରିବାକୁ ପଡେ। ବିଭା ବ୍ରତାଦି ର ଭିଡିଓ,ଟେଣ୍ଟ୍,ମାଇକ,ଭୋଜି ପାଇଁ, ହାଣ୍ଡି ଡେକଚି, ରୋଷେୟା ର ଦାଇତ୍ୱ ଆଦି ରୁ ଯାହା ମିଳେ ସେଇଥିରୁ ଘର ଭଡା,ସହ ଫଟୋଗ୍ରାଫାର ମାସିକ ବେତନ ତୁଲେଇ ଦିଏ। ମୋଟା ଅଙ୍କ ର ପଇସା ପାଇବା ପାଇଁ ତା'କେମେରା ରେ ଜନୈକା ସୁନ୍ଦରୀ ର ପୂର୍ଣ୍ଣୟାବବ ଚିତ୍ରକୁ ବନ୍ଦୀ କରି ରଖିବାକୁ ପଡିବ ଏବଂ ତା'ରାଜି ଅରାଜି ପଚାରି ଫଟୋକୁ ଡେଭଲପ  କରିବାକୁ ହେବ‌ କିନ୍ତୁ କିଏ ସେ ସୁନ୍ଦରୀ?

   କଲେଜ ର ଏକ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଭିଡିଓ କରିବା ପାଇଁ ଡାକରା ଆସିବା ପରେ ସେ ଏଇ ସୁଯୋଗ କୁ ହାତ ଛଡା କରିବା ପାଇଁ ଚାହୁଁ ନ ଥିଲା। 

  ମଞ୍ଚର ପରଦା ଅପସାରଣ ହେବା ବେଳକୁ କଲେଜ ର ଜଣେ ପ୍ରତିଭାବାନ କଳାକାର ଗୀତ ଟିଏ ନେଇ ଆସିଥିଲା। ମ୍ୟୁଜିକ୍ ସହ ସେ ତାଳ ଦେଇ ଗାଇ ଚାଲିଥିଲା:

   "ଗୋରୀ ତୋ ସୁନା ହାତରେ,

  ନାଲି ନୀଳ ଚୁଡି ରେ

 ମୋ ମନ ଲାଗିଛି।"

 ଗୀତ ଟିର ଭିଡିଓ କରିବା ସମୟରେ ତା'କେମେରା ଭିତରେ ବନ୍ଦୀ ହୋଇ ଯାଇଥିଲା ଆଗ ଧାଡିରେ ବସିଥିବା ସୁନ୍ଦରୀ ଟିଏ ଉପରେ।ଭିଡିଓ ଲାଇଟ୍ ତା' ଉପରେ ପଡିବା ବେଳକୁ 'ରେଖା,ରେଖା,ରେଖା ଧ୍ୱନି ରେ ସ୍ଥାନଟି ପ୍ରକମ୍ପିତ ହେଉଥିଲା। ସୁନ୍ଦରୀ ରେଖା ଲାଜ ରେ ସଢି ଯାଉଥିଲା। ସେ ତଳକୁ ମୁହଁ କରି ମୁରୁକି ମୁରୁକି ହସୁଥିଲା। ତା ପରେ ପରେ ନାଚ,ଗୀତ,କେରିକେଚର ,ଏକାଙ୍କିକା ;କ୍ରମଶଃ ଜମି ଉଠୁଥିଲା। ସବୁ କାର୍ଯ୍ୟ କ୍ରମ ଶେଷ ହେଉ ହେଉ ରାତି ବାରଟା ପାଖା ପାଖି ହୋଇ ଯାଇଥିଲା। ରେଖା ପଛ କୁ ଅନେଇ ଦେଖେ ତ ତା'ର ସାଙ୍ଗ ସାଥି ମାନେ କେହି ନାହାନ୍ତି। ସେ ଏକ ପ୍ରକାର ଦଉଡି ଦଉଡି ମେନ୍ ରୋଡ୍ ରେ ପହଞ୍ଚି ରିକ୍ସା ଟିଏ କି ଅଟୋ ଟିଏ କୁ ଅପେକ୍ଷା କରିଥିଲା ।ସିଙ୍ଗଲ୍ ବାଇକ୍ କୁ 'ହେଲ୍ପ' କହି ହାତ ଉଠାଉ ଉଠାଉ ଅଟକି ଯାଉଥିଲା_ ମୁଣ୍ଡ ଉପରେ ହେଲମେଟ ଥିବାରୁ ଟୋକା କି ବୁଢା ଜଣା ପଡୁ ନ ଥିଲା। 

 ପଛ ଆଡୁ ଜଣକର 'ଏକସ୍କିଉଜ୍ ମି' ମିସ୍ ରେଖା ଡାକରେ ସେ ପଛକୁ ଘୁରି ଚାହିଁଲା ବେଳକୁ ଜଣେ ଯୁବକ ।

  "ଆପଣ କିଏ?"

 "ମୁଁ ,ମୁଁ ମନୋଜ ।ଏ ସମୟରେ ସେ କଥା ନ ପଚାରି ମୋ ଗାଡି ପଛରେ ଵସ।"

   "ଆପଣଙ୍କର ସାହସ ହେଲା କେମିତି ମୋତେ ଗାଡି ପଛ ରେ ବସିବାକୁ କହିବା ପାଇଁ?"

   "ସାହସ ନୁହେଁ ସାହାଯ୍ୟ ର ହାତ ବଢାଉ ଥିବାରୁ ମୋତେ ଥ୍ୟାଙ୍କସ୍ କହିବା କଥା।"  

  "ନୋ ୱୟେ, ଜଣେ ଅପରିଚିତ ସାଙ୍ଗରେ ମୁଁ ଯାଇ ପାରିବିନି।"

  "ଆଗକୁ ଚାହଁ ଗୋଟିଏ ବୋଲି ଇଲେକ୍ଟ୍ରିକ ଖମ୍ବ ରେ ଲାଇଟ୍ ନାହିଁ। କଳା କିଟ୍ କିଟ୍ ଅନ୍ଧାର। ଆକାଶରେ ମେଘ କଳା ହୋଇ ଆସିଲାଣି ।କେତେବେଳେ ବି ବର୍ଷି ପାରେ।"

 ହଠାତ ରେଖା ପାଟିରୁ ବାହାରି ଆସିଲା ,"କେତେ ଫଟେଇ ହେଉଛ ,ବସୁଛି।"

    ଚାହୁଁ ଚାହୁଁ ବର୍ଷା ଟୋପେ ଟୋପେ ପକେଇଲା। ଛକ ରେ ପହଞ୍ଚି ମନୋଜ ପଚାରିଲା, "କୋଉଠି କୁ ଯିବ ?କୁଆଡେ କିଛି ଯାନ ବାହନ ଦେଖା ଯାଉନି ,ଘରେ ପହଞ୍ଚେଇ ଦେବି?"

   "ନା"...କହୁ କହୁ ସେ "ହଁ"କହିଦେଲା।

  "ତୁମ ଘର ବଜାର ରୁ କେତେ ବାଟ ହେବ ?"

   " ଆମ ଘର ନୁହେଁ ଭିଣୋଇ ଘର । ଛ ସାତ କିଲୋମିଟର ହେବ । ମେନ୍ ରୋଡ ଛାଡି କଚ୍ଚା ରାସ୍ତାରେ ଦୁଇ କିଲୋମିଟର ପରେ ନୂଆଗାଁ ବ୍ରାହ୍ମଣ ଶାସନ।"

  "ଯିବା ତାହେଲେ ?"

  ରେଖା କିଛି କହୁନଥିଲେ ବି ତା' ମୌନତା ରୁ 'ହଁ' ବୋଲି ଜଣା ପଡି ଯାଉଥିଲା।

  ଖୁବ୍ ଜୋରରେ ପବନ ବୋହୁ ଥିଲା। ପବନ ନୁହେଁ ତ ଅଣଚାଶ।ଘଡ ଘଡି ମାରୁଥିଲା । ବାଇକ୍ ଦୋହଲି ଯାଉଥିଲା। ରେଖା ଭିଣୋଇ ଘର ଓଳି ପଛରେ ପହଞ୍ଚିବା ବେଳକୁ ଢାଳିଲା ଯେ ଢାଳିଲା।ବର୍ଷା ଛିଟାରେ ଦୁଇ ଜଣ ଯାକ ସ‍ଂପୂର୍ଣ୍ଣ ଭିଜି ଯାଇଥିଲେ।ବିଜୁଳି ଆଲୁଅ ରେ ସୁନ୍ଦରୀ ରେଖା ର ବର୍ଷା ସିକ୍ତ ବକ୍ଷୋଜ ଉପରେ ମନୋଜ ର ଆଖି ସହସ୍ର ବାର ଲାଖି ଯାଉଥିଲା। ଏ କି ଅଭଦ୍ରାମୀ : ସେ ତା'ର ଦୃଷ୍ଟି ଅଵନତ କରୁଥିଲା। 

    ତଥାପି ବର୍ଷା ଲାଗି ରହିଥିଲା । ଦୁଇ ଜଣ ଯାକ ବୋର୍ ହେଉଥିଲେ ବି କାହା ପାଟିରୁ କଥା ପଦେ ବି ବାହାରୁ ନ ଥିଲା।ବର୍ଷା କମିଲା।ମନୋଜ ବାଇକ୍ ପାଖକୁ ଯିବାବେଳେ ରେଖା କହିଲା ,"ଆଉ ଟିକେ ଅପେକ୍ଷା କରି ଯାଆନ୍ତୁ‌। ଅଦିନିଆ ବର୍ଷା ଯେମିତି ଆସିଛି ସେମିତି ଚାଲିଯିବ।"

  ତା'କଥାରେ ସହାନୁଭୂତି ଥିଲା। ଭଲପାଇବା ଥିଲା।ଗୋଟିଏ ସୁନ୍ଦରୀ ଝିଅ ମୁହଁ ରୁ ଏଇ ଦୁଇ ପଦ କଥା ହୃଦୟ ରେ ଶତ କଦମ୍ବ ଫୁଟେଇ ଦେଇଥିଲା।

  ଗୋଟାଏ ଯୋଡେ ବାଦଲ ବଗ ପର ପରି ଝୁଲି ରହିଥିଲେ ଆକାଶରେ।

  ଗାଡି ପାଖକୁ ଯାଉ ଯାଉ ରେଖା ପାଖରୁ ତା'ଫୋନ୍ ନମ୍ବର ନେଇ ମନୋଜ କହିଲା, "ଦରକାର ନହେଲେ ଫୋନ୍ କରିବିନି ।ଆସୁଛି ପୁଣି କେତେବେଳେ ଦେଖା ହେବ।"

ରେଖା ହାତ ଯୋଡି ନମସ୍କାର କରୁଥିଲା।

  ସେଇ ଦିନ ଠାରୁ ମନୋଜ ର କାମରେ ମନ ଲାଗୁନଥିଲେ ବି ପେଟ ପୋଷିବା ପାଇଁ ଜେରକ୍ସ ,ପ୍ରିଣ୍ଟ ଆଉଟ୍,ପାସପୋର୍ଟ ସାଇଜି ଫୋଟୋ ,ପ୍ରେମୀ ଯୁଗଳ ଙ୍କ ଫଟୋ ଉଠାଉ ଥିଲା। ଏଇ ଯୋଡି ଯାଉ‍ଁଳି ଙ୍କ ଫଟୋ ଉଠେଇବା ବେଳେ ରେଖା ଓ ନିଜକୁ ସେମାନଙ୍କ ଭିତରେ ଦେଖି ପାରୁଥିଲା।କିନ୍ତୁ ରେଖାକୁ ଫୋନ୍ କରୁ ନଥିଲା।ଅନେକ ସମୟରେ ଷ୍ଟୁଡିଓ ର ଦାଇତ୍ୱ ସହକାରୀ ହାତରେ ନ୍ୟସ୍ତ କରି କିଛି କାମ ନ ଥାଇ ଇଆଡେ ସିଆଡେ ଘୁରି ବୁଲୁଥିଲା।କଲେଜ ଯାଉଥିବା ଓ କଲେଜ୍ ରୁ ଫେରୁଥିବା ଝିଅ ମାନଙ୍କ ଭିତରେ ସେ ରେଖାକୁ ଖୋଜୁଥିଲା।ପଛପଟୁ ରେଖା ପରି ଦିଶୁଥିବା ଝିଅଟିକୁ 'ହାଲୋ 'କହି ପୁଣି 'ସୋରି'କହୁଥିଲା ।ସମସ୍ତେ ଇଉନିଫର୍ମ ପିନ୍ଧିଥିବାରୁ ରେଖାକୁ ସେ ମିସ୍ କରୁଥିଲା କି! କଲେଜ୍ ରେ ଦୁଇ ତିନି ଫେରା ଚକ୍କର ମାରିବା ତା'ର ଡେଲି ରୁଟିନ୍ ହୋଇ ଯାଇଥିଲା।ତା'ମନରେ ସନ୍ଦେହ ଘନୀଭୂତ ହେଉଥିଲା ,ରେଖା କଲେଜ୍ ଆସୁଛି ନା, ନାହିଁ ! ଆସୁଥିଲେ ଥରେ ବି ଦେଖା ହୁଅନ୍ତାନି !

  ତା'ଭାବନା ଠିକ୍।‌ରେଖା କଦବା କଲେଜ୍ ଆସେ।ଇଚ୍ଛା ଥିଲେ ବି ଆସିପାରେ ନାହିଁ। ବାମନଘାଟୀ ସଵଡିଭିଜନ୍ ର ଝିଅ ରେଖା ପରିସ୍ଥିତି ଚାପରେ ସଦର ସବଡିଭିଜନ୍ ରେ ଭିଣୋଇ ଘରେ ରହି କଲେଜ୍ ରେ ପଢ଼ିବାପାଇଁ ନାଁ ଲେଖା ହୋଇଥିଲା ସତ କିନ୍ତୁ କଲେଜ ଆସିବା ଏବଂ କ୍ଲାସ କରିବାର କିଛି ଠିକ୍ ଠିକଣା ନ ଥିଲ।ବାସି କାମରୁ ଆରମ୍ଭ କରି ରୋଷେଇ କରିବା ଯାଏଁ ସେ ସବୁ କରି ସାରିବା ବେଳକୁ ଡେରି ହୋଇ ଯାଏ । ବଡ ଭଉଣୀ କୁଟା ଖଣ୍ଡକୁ ଦିଖଣ୍ଡ କରେ ନାହିଁ । କିନ୍ତୁ ସେ ଏଇ ସର୍ତ୍ତରେ ଏଠାକୁ ଆସିନଥିଲା । ବାପା ମା ,ଗୋଟିଏ ଭାଇ ଓ ଭଉଣୀଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ଅପମୃ‌ତ୍ୟୁ ହେବା ପରେ ବେସାହାରା ରେଖା ଭିଣୋଇ ଘରେ ଆଶ୍ରୟ ନେଇଥିଲା; ପାଠ ପଢି,ଚାକିରି କରିବ ,ଭଲ ଘରେ ବାହାହେବ ଏଇ ପ୍ରତିଶୃତି ରେ । ଭଉଣୀ ଭିଣୋଇ ଯାହା କହିଥିଲେ ତାର ଓଲଟା କଲେ। ସେମାନଙ୍କ ଅନ୍ତର ର କଥା ତାହା ନଥିଲା । ଚାକରାଣୀ ପରି ଖଟେଇବା ଥିଲା ଅସଲ ଉଦ୍ଦେଶ୍ୟ।

  ଗାଁ ର ଅଙ୍କା ବଙ୍କା ଗୋହିରି ର ଧାରେ ଧାରେ ବହୁ ଦୂର କୁ ବ୍ୟାପି ଯାଇଥିବ ସବୁଜ ଶସ୍ୟ କ୍ଷେତ୍ର କୁ ନିର୍ନିମେଷ ନୟନରେ ଚାହିଁ ରହି ରେଖା ଭାବେ କାଇଁ ମନୋଜ ଫୋନ୍ କରୁ ନାହାନ୍ତି ତ? ସବୁ ପୁରୁଷ କ'ଣ ଏକା ପରି ,କଥା ଦେଇ କଥା ରଖନ୍ତି ନି!ସିଏ ତ ଘର ଦେଖି ଯାଇଛନ୍ତି ,ଥରେ ବି ତ ଆସୁନାହାନ୍ତି? ସେ ତା' ଭୁଲ ବୁଝି ପାରେ। ନା,ନା ସେ ନ ଆସି ଭଲ କରିଛନ୍ତି । ସେଇ ଟୋକାଟା କିଏ ବୋଲି ପଚାରିଲେ ତା'ପାଖରେ ଉତ୍ତର ନାହିଁ।

   ମନୋଜ ର ବି ଇଚ୍ଛା ହୁଏ ଥରେ ଯାଇ ରେଖାକୁ ଦେଖି ଆସନ୍ତା ।ତା' ଭଲ ମନ୍ଦ ବୁଝି ଆସନ୍ତା।ପୁଣି ଭାବେ ଫୋନ୍ ତ କରି ପାରୁନି ତା'ପାଖ କୁ ଯିବ କ'ଣ?କାହିଁକି ଫୋନ୍ କରୁନି ? ଫୋନ ରିସିଭ୍ ନ କରିବାର ଭୟରେ ନା ଅନ୍ୟ କିଛି! ଥରେ ଚେଷ୍ଟା କଲେ କେମିତି ହୁଅନ୍ତା ? କାପୁରୁଷ କୁ କୌଣସି ସୁନ୍ଦରୀ ଭଲ ପାଏ ନାହିଁ! ସେ ଚାହେଁ ତା'ପୁରୁଷ ଟି ବୀର ପରି ଲଢି ତାକୁ ଜିତି ନେଇଯାଉ ନତୁବା ସ୍ଵର୍ଗ ପ୍ରାପ୍ତି କରୁ।ରେଖା ସହିତ ଦେଖା ହେବାର କେତେ ମାସ ହୋଇ ଗଲାଣି; ଶରତ ଯାଇ,ହେମନ୍ତ ପୁଣି ଶୀତ ଯାଇ ବସନ୍ତ ହେଲାଣି। ବସନ୍ତ ଯୌବନ ର ମଧ୍ୟାହ୍ନ। ଯେଉଁ ଫୁଲ ଗଛ କୁ ଚାହଁ ଫୁଲରେ ଲଦି ହୋଇଛି‌।ପଲ୍ଲବ ପାଟଳ ମଧୁ ଋତୁ ରାଟ ଧରା ମାଡିବା ବେଳକୁ ସବୁ ବଦଳି ଯାଉଛି। ପ୍ରିୟର ସ୍ପର୍ଶ ଲୋଡୁଛି ପ୍ରିୟା।ନିଦ ହଜି ଯାଉଛି ତା'ବିନା ।

   କେତେବେଳେ ମନୋଜ ର ଆଙ୍ଗୁଳି ମାଡି ଦେଲାଣି ରେଖା ର  ଫୋନ୍ ନମ୍ବର ରେ।ଥରକରେ କୃତକାର୍ଯ୍ୟ।

   "କିଏ?"

    " ମୁଁ ମନୋଜ। ତୁମେ ରେଖା ତ?"

  "କେମିତି ଅଛ? ମୋ କଥା ଆଜି ମନେ ପଡିଲା ?"

  "ସବୁଦିନ ମନେ ପଡେ।କେତେ ଥର ଭାବେ ଫୋନ୍ କରିବି ବୋଲି _ କହିଥିଲି ଦରକାର ହେଲେ ଫୋନ୍ କରିବି; ତଥାପି କାହିଁକି ପଶ୍ଚାତପଦ ହୋଇଗଲି ଜାଣେନି ।ତମେ ମୋ ପରି ମୁକ୍ତ ନୁହେଁ।ତୁମ ନିଜ ଇଚ୍ଛା ଅନୁସାରେ କିଛି କରି ପାରିବନି । ବହୁତ ଖୋଜେ ତମକୁ।କିନ୍ତୁ ମୋର ସାହସ ହୁଏନି ପଚାରିବାକୁ, ତମର କୌଣସି ସାଙ୍ଗକୁ।ତମ କୁ ପାଇବା ପାଇଁ ପ୍ରତିଦ୍ବନ୍ଦୀ ମାନଙ୍କ ମଧ୍ୟରୁ ମୁଁ ଜଣେ ହୋଇ ପାରିବି ନାହିଁ।ତମ ପରି ସୁନ୍ଦରୀଙ୍କର ପ୍ରତି ପଦେ ପଦେ ଶତ୍ରୁ। ମୁଁ ତମର ବଡି ଗାର୍ଡ ହୋଇ ପାରିବି? ତମେ କେତେବେଳେ କଲେଜ୍ ଆସ ଫେର ପୁଣି କେତେବେଳେ ?"

   ଏତେ ସମୟ ବକ ବକ ହେଉଥିବା ମନୋଜ କୁ ସେ କାନ୍ଦି କାନ୍ଦି କହୁଥିଲା ,"ବାହର ଶତ୍ରୁତା ,ପ୍ରତିଦ୍ବନ୍ଦିତା ମୋତେ ପାଇବା ପାଇଁ ,କିନ୍ତୁ ମୁଁ ଯୋଉ ଘରେ ରହୁଛି ମୋର ନିଜ ଲୋକ ମୋର ଶତ୍ରୁ :ମୋ ନିଜ ଭଉଣୀ ।ମୋ ନିଜ ଭିଣୋଇ ଙ୍କ ହୀନ ଦୃଷ୍ଟି ରେ ଶିକାର ମୁଁ।ମୁଁ ଆଉ ପାଠ ପଢୁନି କି କଲେଜ୍ ଯାଉନି । ଯଦି ପାରୁଛ ....

ସେ ଆଉ କିଛି କହି ପାରୁନଥିଲା।ତା'ଆଖିର ବୋହିଆସୁ ଥିବ ଲୁହ ୟା ଆଖି ଦୁଇଟି କୁ ଓଦା କରି ଦେଉଥିଲା।  

  ରେଖା ସହିତ ପ୍ରଥମ ଆଳାପରେ ମନୋଜ ଯେତିକି ଶାନ୍ତି ପାଇ ଥିଲା ତାଠାରୁ ଅଧିକ ଚିନ୍ତାଗ୍ରସ୍ତ ହୋଇ ପଡିଥିଲା।ତା' ହାତ ଗୋଡ ରେ ଶିକୁଳି ଲାଗି ନ ଥିଲେ ବି ଚାରିଟା ନାଲି ଆଖି ଯେ ତାକୁ ପ୍ରତି ମୁହୂର୍ତ୍ତ ରେ ଯେ ଖୁଣି ପକାଉଥିଲେ ଏହା ତା'କଥାରୁ ସ୍ପଷ୍ଟ ଜଣା ପଡି ଯାଉଥିଲା।ସେ କିଛି ଗୋଟାଏ ଉପାୟ ଖୋଜୁଥିଲା ତାକୁ ବନ୍ଧନ ମୁକ୍ତ କରିବା ପାଇଁ। ତା'ମାନେ ମନୋଜ ଚାହେଁ କିଛି ବାହାନା କରି ସେ ଏଇ ଟାଉନ୍ କୁ ଚାଲି ଆସୁ।ହଠାତ୍ ତା ମୁହଁ ଆଲୋକିତ ହୋଇ ପଡିଥିଲା।ସେ କହିବ ଫାଇନାଲ ଇଆର୍ ପରୀକ୍ଷା ପାଇଁ ପଢା ପଢି କରିବାକୁ ସେ ଏବର୍ଷ ଓମେନସ୍ ହଷ୍ଟେଲ ରେ ରହିବ। ଏଇଟା ତା'ଭଲ ପାଇଁ ବି।ସେ ପାଠ ପଢିବ । ରେଖା ପରି ସ୍କଲର୍ ପରୀକ୍ଷା ରେ ନିଶ୍ଚୟ ଭଲ କରିବ।

  ଏ କଥା ସେ ରେଖାକୁ ଜଣେଇ ଦେଇଥିଲା।ବାକି ଅନ୍ୟ କଥା ପରେ ବୋଲି ଫୋନ୍ ରଖୁ ରଖୁ କହିଥିଲା।

 ଘନ ଅନ୍ଧକାର କାରା ଭିତରୁ ମୁକୁଳିବାର ଆନନ୍ଦରେ  ରେଖା ମୁହଁ ଉଜ୍ଜଳ ହୋଇ ପଡିଥିଲା।ତା'ର ଭଲ ଚାହୁଁନଥିବା ତା' ଭଉଣୀ ଭିଣୋଇ ପ୍ରତିବାଦ ର ସ୍ବର ଉଠେଇ ଥିଲେ ବି ତାକୁ ଅଟକେଇ ପାରିନଥିଲେ।

 ମନୋଜ ପଠେଇ ଥିବା  ରିକସା୍ ରେ ଜିନିଷ ପତ୍ର ଲଦି ହଷ୍ଟେଲ କୁ ଆସିବା ପୂର୍ବରୁ ଭଉଣୀ ଭିଣୋଇ ଙ୍କୁ ପ୍ରଣାମ କରି ରିକସା୍ ରେ ଉଠିବା ସମୟରେ ସେ ସ୍ପଷ୍ଟ ଭାବରେ କହିଲା,"ଯାହା ପାରିବ ଦେବ। ସେତିକିରେ ମୁଁ ଚଳେଇ ନେବି।"

  ଏଣିକି ମନୋଜ ଉପରେ ଭରସା। ସେ ଜାଣେନି ୟାପରେ ,ତା'କପାଳରେ କ'ଣ ଲେଖା ଅଛି।

  ଟାଉନ ସ୍କୁୟର୍ ରେ ମନୋଜ ଗୋଟେ ଜଳଖିଆ ଦୋକାନ ବେଞ୍ଚ ରେ ବସିଥିଲା ରିକସା୍ କୁ୍ ଅପେକ୍ଷା କରି।ରିକସା୍ ପହଞ୍ଚିଗଲା‌ ‌‌। ରିକସା୍ବାଲା ବେଡିଂ ବିସ୍ତର୍ ନେଇ ଆଗକୁ ଚାଲିଲା । ରେଖା କୁ ପଛେରେ ବସେଇ ହଷ୍ଟେଲ ଆଡକୁ ବାଇକ୍ ରେ ମୁହେଁଇଲା ମନୋଜ।ଉଦ୍ଦିଷ୍ଟ କୋଠରୀ ରେ ରିକ୍ସାବାଲା ବେଡିଂ ବିସ୍ତର ଆଦି ଥୋଇଦେଲା ପରେ ତା'ର ପଇସା ତୁଲେଇ ଦେଇ ରେଖା ହାତକୁ ଚାରିଟା ପାଞ୍ଚଶହ ଟଙ୍କିଆ ନୋଟ ବଢେଇ ଦେଇ ମନୋଜ କହିଲା,"ଏତିକି ରଖି ଥାଅ , ଏ ମାସର ମିଲ ଖର୍ଚ୍ଚ ବାବଦକୁ। ମୋ ନାଁ ଲୋକାଲ ଗାର୍ଡିଆନ୍ ତାଲିକା ରେ ଥିଲେ ବି ଅତ୍ୟାବଶ୍ୟକ ନହେଲେ ମୁଁ ଆସିବି ନି। ମୋ ପାଇଁ ତୁମେ ସାଙ୍ଗ ମାନଙ୍କର ଟାହି ଟାପରା ର ଶରବ୍ୟ ହେବ ମୁଁ ତାହା ଚାହେଁ ନାହିଁ। ଅନ ଲାଇନ୍ ରେ ଟଙ୍କା ପଠେଇ ହେବ ସେଥିପାଇଁ ଚିନ୍ତା କରିବନି ।ତୁମ କାମରେ ମନ ଦେବ ଅନ୍ୟ କାହା କଥାରେ ମୁଣ୍ଡ ପୂରେଇବ ନାହିଁ। ଆସୁଛି।"

  ବାଇକ୍ ଟି ତା'ଦୃଷ୍ଟି ପଟରୁ ଅପସରି ଯିବା ଯାଏଁ ରେଖା ନିଷ୍ପଲକ ଚାହିଁ ରହିଥିଲା। ମନୋଜ ଏତେ ନିଃସ୍ୱାର୍ଥପର କି ଆକଟିଂ କରୁଛନ୍ତି _ଅଳ୍ପ ଦିନ ଭିତରେ ଜଣା ପଡିଯିବ।ତାକୁ ସେ ଭଲପାଏ ବୋଲି ଜଣେଇବା ପାଇଁ ଏଇଟା ଗୋଟିଏ କ'ଣ ଉପାୟ!ତ୍ୟାଗ ରେ ପ୍ରେମ ବଞ୍ଚିରହେ; ଭୋଗରେ ନୁହେଁ‌।ଯଦି ମନୋଜ ଅନ୍ତର ତଳେ ବାସନା ହୀନ ପ୍ରେମ ଥାଏ ତାହେଲେ ତାକୁ ହିଁ ଶେଷ ରେ ସେ ପାଇବ।

  ଧୀରେ ଧୀରେ ମନୋଜ ଉପରେ ବିଶ୍ଵାସ ଦୃଢିଭୂତ ହେଉଥିଲା ତା'ର।ସେ ଯାହା କହିଥିଲା ତାହା କରୁଥିଲା।ମାସକୁ ମାସ ଟଙ୍କା ଫୋନ୍ ପେ ରେ ପଠେଇ ଦେଉଥିଲା।ତା'ସହ ହଷ୍ଟେଲ କୁ ଆସି ସାଙ୍ଗରେ ନେଇ ପାର୍କ ଯାଉ ନ ଥିଲା କି ଫୋନ୍ କରୁନଥିଲା ।

  ଥରେ ତା'ର ଖୁବ୍ ମନେ ପଡିଲେ ମନୋଜ।ସେ ଫୋନ୍ ନ କରି ରହି ପାରିଲାନି। 

  ମନୋଜ ତାକୁ ପ୍ରେମ କବିତା ନ ଶୁଣେଇ ପଚାରିଲା,"ଆଉ ସବୁ ଠିକ୍ ଠାକ୍ ଚାଲିଛି ତ?ପଇସା ଦରକାର କି ?"

   "ନା ମନୋଜ ଭାଇ । ଇଚ୍ଛା ହେଲା ଟିକେ କଥା ହେବା ପାଇଁ....

  "ମୁଁ ଏବେ କାମ ବ୍ୟସ୍ତ ପରେ କଲ୍ କରିବି।"ଫୋନ୍ କାଟିଦେଲା ମନୋଜ।

  ସେ ତାକୁ କ'ଣ କହିପାରିବ ,କ୍ଷତି ରେ ଚାଲିଛି ତା' ଷ୍ଟୁଡିଓ। ତାକୁ ମାସିକ ଖର୍ଚ୍ଚ ଦେବା ପାଇଁ ସାଙ୍ଗ ସାଥିଙ୍କ ଠାରୁ ଧାର ଉଦ୍ଧାର କରୁଛି ବୋଲି; ରେଖା ଯେମିତି କୈାଣସି ପ୍ରକାରେ ଜାଣି ନ ପାରୁ ।

 କିନ୍ତୁ ରେଖା ଜାଣି ପାରିଥିଲା ମନୋଜ ର ଆର୍ଥିକ ଦୁରବସ୍ତା ‌। ତା'ର ଜଣେ ସାଙ୍ଗର ଭାଇ ତା' ସାନ ଭଉଣୀ କୁ ଦେଖା କରିବା ଆସି କହୁଥିଲା ,"ଫଟୋ ଗ୍ରାଫର୍ ମନୋଜ ତା'ଠାରୁ ଟଙ୍କା ଧାର ନେଇ ଦଉନି ଆଙ୍ଗୁଳି ତେଢା ନକଲେ ସିଏ ଟଙ୍କା ଦେବନି। ତା'ର ଷ୍ଟୁଡିଓ ବିକ୍ରି କରି ଦେବାର ସମୟ ଆସିଗଲାଣି । ଆଜି ତା'ର, ମୋର ହେବ ।"

    ଏ କ'ଣ ସେ ଶୁଣୁଛି ।ଏତେ କଷ୍ଟରେ ତାକୁ ସେ ଟଙ୍କା ଦେଉଛନ୍ତି !ଚିନ୍ତିତ ହୋଇ ପଡୁଥିଲା ରେଖା। ତା'ସାଙ୍ଗର ଭାଇ ଯାହା କହୁଥିଲା....ମାର ପିଟ୍ କରିବ ତାଙ୍କ ସହ !

   ତତକ୍ଷଣାତ୍ ମନୋଜ ଙ୍କୁ ପଚାରିଲା,"ତୁମେ ମୋତେ ଧାର କରଜ କରି ଟଙ୍କା ଦଉଛ?କାହିଁକି ତମେ ମତେ ଏତେ ଭଲ ପାଉଛ ?

ମୋ କଥା ଶୁଣ ଆଜି ତମେ ଘରୁ ବାହାରିବ ନାହିଁ। ମୋ ସାଙ୍ଗର ଭାଇ ଠାରୁ ତମେ ଟଙ୍କା ଆଣି ପରିଶୋଧ କରୁ ନ ଥିବାରୁ ଆଜି ତମ ସହ  ମାର ପିଟ୍ କରିବ ,ଏହା ତା' ସାନ ଭଉଣୀ କୁ କହୁଥିଲା । 

   "ସେମିତି କିଛି ହେଲେ ମୁଁ ସମ୍ଭାଳି ନେବି । କିନ୍ତୁ ଚୁଡି ପିନ୍ଧି ଘରେ ଲୁଚି ରହି ପାରିବିନି ।ହଁ ,ବ୍ୟବସାୟ ମାନ୍ଦାରେ ଚାଲିଛି।ଆଉ ମାସେ ଭିତରେ ତମ ପରୀକ୍ଷା ସରିଯିବ । ତୁମେ ଭିଣୋଇ ଘର କୁ ଫେରିଯିବନି କି ? ୟାପରେ ଧାର ଉଦ୍ଧାର ଶୁଝି ଦେବି...

 ମନୋଜ କଥା ନ ସରୁଣୁ ରେଖା କହିଲା," ନା,ମୁଁ ଭିଣୋଇ ଘର କୁ ଆଉ ଫେରି ଯିବିନି ।"

   "ଆଉ କୋଉଠିକୁ?"

  "ତମ ପାଖକୁ। ତମ ଷ୍ଟୁଡିଓ ରେ ମୁଁ କାମ କରିବି। ଦେଖିବ ଡ୍ରୟାର କେମିତି ଫୁଲି ଉଠିବ ଟଙ୍କାରେ।"

 ମନୋଜ ସୁଉଚ୍ଚ ଆକାଶ କୁ ଉଠି ଯାଇ ତଳକୁ ଖସି ପଡୁଥିଲା ।ସତରେ  ଲକ୍ଷ୍ମୀ  

କଣ ତା'ଷ୍ଟୁଡିଓ ରେ ପାଦ ପକେଇବେ !

  ପରୀକ୍ଷା ସରି ଯାଇଥିଲା। ସମସ୍ତେ ଯେ ଯାହାର ଘରକୁ ଚାଲି ଯାଇ ଥିଲେ କିନ୍ତୁ ସହରରେ ଗୋଟିଏ ସିଙ୍ଗଲ ରୁମ୍ ନେଇ ରେଖା ରହିଥିଲା ମନୋଜ ଙ୍କୁ ସାହାଯ୍ୟ କରିବା ପାଇଁ ।ତାଙ୍କ ଷ୍ଟୁଡିଓ କ୍ଷତି କୁ ଭରଣ କରିବା ପାଇଁ। ଲାଭ ଦେବା ପାଇଁ।

  । ସେ ଜାଣିବାକୁ ଚାହୁଁ ଥିଲା ମନୋଜ ଭଳି ଜଣେ ପ୍ରତିଭାବାନ ଫଟୋଗ୍ରାଫର କାହିଁକି ଏତେ ତଳେ ପଡିଛନ୍ତି। ସହର ର ଅନ୍ୟ ଷ୍ଟୁଡିଓ ଗୁଡିକର ସ୍ଥିତି ଏତେ ସୁଦୃଢ କୋଉ କାରଣରୁ ! 

    ସେ ହଠାତ୍ କହି ଉଠିଥିଲା 'ଇଉରେକା'। ପ୍ରତ୍ୟୋକ ଷ୍ଟୁଡିଓ ର ବାହାରେ ଭିତରେ ସୁନ୍ଦରୀ ମାନଙ୍କର ପୂର୍ଣ୍ଣାବୟବ ଫଟୋ। ମନୋଜ ଏ କଥା ଭାବି ନାହାନ୍ତି କେମିତି ?

   କଥା ପ୍ରସଙ୍ଗରେ ତାଙ୍କୁ ସେ କହିଲା ,"ତୁମ ଷ୍ଟୁଡିଓ ର ମାନ୍ଦାବସ୍ଥା ର କାରଣ ମୁଁ ଜାଣି ପାରିଛି ।"

   -କ'ଣ?

  -ସୁନ୍ଦରୀ ମାନଙ୍କର ତୈଳ ଚିତ୍ର ତମ ଷ୍ଟୁଡିଓ ର ଆଗରେ ପଛରେ ଭିତରେ ବାହାରେ ନାହିଁ ତ ?

   ମନୋଜ ଅର୍ଥପୂର୍ଣ୍ଣ ହସଟିଏ ହସିଲା।

  "ହସୁଛ କାହିଁକି?"

   "କିଏ ସେ ସୁନ୍ଦରୀ ତାକୁ ଜାଣ?"

  "ଏ ସହରରେ କ'ଣ ସୁନ୍ଦରୀଙ୍କର ଅଭାବ?"

  "ସେମାନଙ୍କୁ କିଣି ପାରିବାର ପଇସା ମୋ ଠାରେ ନାହିଁ। ତୁମେ ଭାବୁଛ କି ସେମାନେ ବିନା ପଇସା ରେ ତମ ଷ୍ଟୁଡିଓ ରେ ବିଭିନ୍ନ ପୋଜ ରେ ଫଟୋ ଦେବେ ?"

  "ତା'ର ସମାଧାନ ର ଉପାୟ ମୋ ପାଖରେ ଅଛି।"

"ତମ ପାଖରେ!"

 "ମୁଁ କ'ଣ ସୁନ୍ଦରୀ ନୁହେଁ?"

ଲଳିତ ଲବଙ୍ଗ ଲତା କ୍ଷଣକରେ ଝାଉଁଳି ଗଲା। 

  "ତମେ ମତେ ଯେତିକି ଦେଇଛ ଜୀବନ ସାରା ତମ ପାଖରେ ଋଣି ହୋଇ ରହିଯାଏ, ତମେ ଚାହଁ?"

   ମନୋଜ ର ଲୋମ ଟାଙ୍କୁରି ଉଠୁଥିଲା।

  ତା'ପାଟିରୁ ବାହାରି ପଡିଥିଲା,"ତୁମରି ପରି ସୁନ୍ଦରୀ ଟିଏ ଦେଖିଲି ନାହିଁ କେଣେ ।"

  ଯେଉଁମାନେ ରେଖାକୁ କଲେଜ୍ ର ସାଂସ୍କୃତିକ ଉତ୍ସବ ପର ଠାରୁ ଆଉ କେବେ ଦେଖିନ ଥିଲେ 'ଚିତ୍ରପୁରି  ଷ୍ଟୁଡିଓ' ରେ ‌ ତା'ର ବିଭିନ୍ନ ପୋଜ୍ ର ଫଟୋ ଦେଖି ଆକର୍ଷିତ ହୋଇ ଆସିଥିଲେ। ସେଇ ଦିନ ଠାରୁ ଷ୍ଟୁଡିଓ ର ଡ୍ରୟାର ଫୁଲି ଉଠିଥିଲା।

  ମନୋଜ ଯେତେବେଳେ ତାକୁ ପ୍ରଶଂସା ରେ ପୋତି ପକାଉ ଥିଲା ସେ ତା'ର ଅତି ନିକଟ କୁ ଯାଇ କହୁଥିଲା,"ଆରେ ୟାର୍  ମୁଁ ତୁମକୁ ଛାଡି ଆଉ କୁଆଡେ ଯିବି?"

 ସେ ମିଛ କହୁଥିଲା।ସିଏ ତା'ର ହୋଇ ପାରି ନ ଥିଲା କି ଆଉ କାହାର ବି ହୋଇ ପାରି ନ ଥିଲା ।

 ରେଖା ର  ଷ୍ଟୁଡିଓ ଆସିବାର ଡେରି ହୋଇ ଯାଇ ଥିବାରୁ ମନୋଜ ସେ ରହୁଥିବ କୋଠରୀ ଆଗରେ ପହଞ୍ଚିବା ବେଳକୁ ସେଠାରେ ଲୋକ ମାନଙ୍କର ଭିଡ । ପୋଲିସ ଗାଡି ଠିଆ ହେଇଛି।

 "କ'ଣ ହୋଇଛି ?"

  ତା'ପ୍ରଶ୍ନ ର ଉତ୍ତର ରେ ଜଣେ କହିଲା ,"ଏଠି ଜଣେ ଝିଅ ରହୁଥିଲା ସେ ଫ୍ୟାନ୍ ରେ ଝୁଲି ସୁଇସାଇଡ୍ କରିଛି ବୋଲି ପୋଲିସ୍ ସନ୍ଦେହ କରୁଛି। କିନ୍ତୁ ତା' କ୍ଷତ ବିକ୍ଷତ ଦେହ ଦେଖି ପୋଲିସ୍ ତାକୁ କିଏ ମଡ଼ର୍ର କରିଛି ବୋଲି ସନ୍ଦେହ କରୁଛି । ପଞ୍ଚନାମା ପରେ ସବୁ ଜଣା ପଡିବ"ଗୋଟାଏ ବଡ ଚିତ୍କାର କରି ମନୋଜ ସେଇଠି ଗଡି ପଡିଥିଲା।ଡାକ୍ତରଖାନା ରେ ତା'ର ସେନସ୍ ଫେରି ଥିଲେ ବି ସେ କାହାକୁ ଚିହ୍ନି ପାରୁ ନ ଥିଲା।ତା'ସ୍ମରଣ ଶକ୍ତି ଚାଲି ଯାଇଥିଲା।ଡାକ୍ତରଖାନାରୁ ବାହାରି ସେ କୁଆଡେ ଚାଲି ଯାଇଥିଲା । ହଜି ଯାଇଥିବା ଲୋକ ନାଁ ରେ ମନୋଜ ନାଁ କୁ ଦରଜ କରି ପୁଲିସ ଚୁପ ଚାପ ବସିଥିଲା।


Rate this content
Log in

Similar oriya story from Abstract