ରଜ କେଇ ଦିନ ପୂର୍ବରୁ ପହଁଞ୍ଚି ଗଲେ ନାତି ଓ ନାତୁଣୀ. ପୁଅର ପୁଅ ବାବା ଓ ଝିଅର ଝିଅ ଡୁଗୁ. ଆଈମାଆଙ୍କ ସଙ୍ଗେ କଟାଳ କଲେ ଆମକୁ ଡଲ ତିଆରି କରି ଦିଅ ଆଈମାଆ ତ ଆଈମାଆ ଘାଵରେଇ ଗଲେ ଓ କହିଲେ ସ୍ନାନ ପୂର୍ଣ୍ଣମୀ ଦିନ ପୁରୀ ଯାଇ ସ୍ନାନବେଦୀ ଉପରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ସ୍ନାନ ପର୍ବ ଦେଖି ଆସିବା ଓ ଫେରିଲା ବେଳେ ପୁରୀ ବଡ଼ଦାଣ୍ଡରୁ ତୁମ ଦୁହିଁଙ୍କ ପାଇଁ ନାଲିବାଡ଼ି କିଣି ଆଣିବା ଯେ ବାବା ଜେଜେଙ୍କର ଓ ମାଆଙ୍କର ବୁଢା ବୁଢ଼ୀ ବେଳର ଚାଲି ଦେଖାଇଲା ବେଳେ ଡୁଗୁ ଆଈ ଓ ଅଜାଙ୍କର ବୁଢାବୁଢ଼ୀ ବେଳର ଚାଲି ଦେଖେଇବ. ଦୁହେଁ ଖୁସି ହୋଇ ରାଜି ହୋଇଗଲେ ଓ ସ୍ନାନ ପୂର୍ଣ୍ଣମୀ ଦିନ ଦୁଇ ନାତି ନାତୁଣୀଙ୍କ ସହ ଜେଜେ ଅଜାଙ୍କ ସାଥିରେ ଆଈଜେଜୀମା ଅଟୋ କରି ବୁଲି ବାହାରିଲେ ପୁରୀ. ସ୍ନାନବେଦୀ ଉପରେ ଚତୁର୍ଦ୍ଧାଙ୍କୁ ଦେଖି ପିଲା ଦୁହେଁ ପଚାରୁଥିଲେ ଭଗବାନଙ୍କ ନାମ, ଧାମ ଓ ଜନ୍ମ ବୃତ୍ତାନ୍ତ ସହିତ ସ୍ନାନପାଇଁ କୋଉଠୁ କେମିତି କେତେ ଗରା ପାଣି ଆସେ? ତା ପରେ କେମିତି ପ୍ରଭୁଙ୍କୁ ଜର ହୁଏ!ଫୁଲୁରୀ ତେଲ ଉପଚାର ହୁଏ ପୁଣି ଜର ପାଇଁ ଦର୍ଶନ ନଦେଇ ପଟି ଦିଅଁ ଦର୍ଶନ କରି ମନ୍ଦିରରୁ ଭକ୍ତ ବାହାରନ୍ତି ଓ ସେହି ନଅ ଦିନ ତକ ଚତୁର୍ଦ୍ଧାଙ୍କ ପ୍ରତିଛବି ରୂପେ ବ୍ରହ୍ମଗିରିରେ ଥିବା ଅଲାରନାଥଙ୍କୁ ଦର୍ଶନ କରି ଭକ୍ତ ପୁରୀରୁ ଯାଏ ଓ ପୁରୀକୁ ଫେରେ ବଡ଼ମନ୍ଦିରରେ ପଟି ଦିଅଁ ଦର୍ଶନ କରି ପାତକ ଛଡାଇ ଘରକୁ ଫେରେ. ଏସବୁ କଥା ତନ୍ମୟ ହୋଇ ଶୁଣୁ ଶୁଣୁ ବାବା ଓ ଡୁଗୁ ଅନେକ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଭୁଲି ଯାଇଥାନ୍ତି ନାଲି ବାଡ଼ି କିଣା କଥା ବରଂ ଶୁଣୁଥାଆନ୍ତି କେମିତି ଚତୁର୍ଦ୍ଧାଙ୍କର ନବଯୌବନ ଦର୍ଶନ ହୁଏ ଓ ତା ପରେ ତିନି ଠାକୁର ତିନି ରଥ ଯଥାକ୍ରମେ ଜଗନ୍ନାଥ ନନ୍ଦିଘୋଷ, ବଳଭଦ୍ର ତାଳଧ୍ୱଜ ଓ ସୁଭଦ୍ରା ମାଆ ଦେବଦଳନ ରଥରେ ବସି ଗୁଣ୍ଡିଚା ମନ୍ଦିର ଯାଆନ୍ତି ଓ ସେଠାରେ ଆଡପ ମଣ୍ଡପରେ ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଓ ପୁଣି ବାହୁଡା଼ ଦିନ ସେହି ରଥରେ ବସି ସିଂହଦ୍ୱାର ଫେରନ୍ତି.ସେସବୁ କଥା ବଡ଼ ଆଗ୍ରହରେ ଶୁଣି ନାତି ନାତୁଣୀ ଦୁହେଁ କୁହନ୍ତି ଏବର୍ଷ ଆମକୁ ରଥଯାତ୍ରା ଦେଖେଇବ ନା ଆଈମାଆ ତ ଜେଜେଅଜା ଓ ଜେଜୀଆଈ ରାଜି ହେଲେ ତ ନାଲିବାଡ଼ି କଥା ଭୁଲି ରଥକୁ ଆସିଲେ କିଣିବେ କହି ଘରକୁ ଆସିବା ପରେ କିନ୍ତୁ ବଦଳି ଗଲା ଦୁହିଁଙ୍କ ମନ. କହୁଥିଲେ ହମେ ଡଲ ଚାହିଏ ଜେଜେଆଈ. ମତେ ଏତେ ହିନ୍ଦି ଶିଖାଅନି କହି ଜେଜେଆଈ ଯେତେ ଧରା ନଦେଲେ କଣ ନାତି ନାତୁଣୀ ଛାଡ଼ିବେ!ବାଧ୍ୟ ହୋଇ ଜେଜେଆଈ ବା ଆଈଜେଜୀମା ବନେଇଲେ ଚିତ୍ରପଟ ରୂପୀ କଣ୍ଢେଇ.
କଞ୍ଚାମାଲ ହିସାବରେ ମିଳିଗଲା ପ୍ଲାଏ ପଟା ତ ତା ଉପରେ ରଙ୍ଗ ଓ ତୁଳୀ ସାହାଯ୍ୟରେ ଆଙ୍କୁଥିଲେ ଜେଜେମା ତିନିଗୋଟି ଚିତ୍ରପଟ ରୂପୀ କିଛି. ଏହି ସମୟରେ ରଥଯାତ୍ରା ମଧ୍ୟ ପାଖେଇ ଆସୁଥିଲା ତ ସମସ୍ତେ ରଥ ଦେଖିବାକୁ ଚାଲିଲେ ପୁରୀ ବଡ଼ଦାଣ୍ଡକୁ. ଝେଜେଇଁ ଝେଜେଇଁ ଝାଇଁ ଘଣ୍ଟମାଡ଼ ଓ ହରିବୋଲ ହୁଳହୁଳିରେ ରଥ ସବୁ ତା ପରକୁ ପର ଲାଗିଲେ ଗୁଣ୍ଡିଚା ମନ୍ଦିରରେ. ବାବା ଜେଜେଅଜାଙ୍କ କାନ୍ଧରେ ଓ ଡୁଗୁ ଜେଜେଆଈଙ୍କ କାଖରେ ବସି ଦେଖୁଥିଲେ ପ୍ରଭୁଙ୍କୁ ଓ କହୁଥିଲେ ଜୟ ଜଗନ୍ନାଥ, ଜୟ ବଳଭଦ୍ର ଓ ଜୟ ମାଆ ସୁଭଦ୍ରା. ରଥ ଦେଖି ଘରକୁ ଫେରିବା ପରେ ନଡ଼ିଆ ଗୋଟମାସବୁକୁ ବେବି କୋକୋନଟ କହି ତହିଁରେ ରଥ ନିର୍ମାଣ କରିବା କୌଶଳ ଜେଜେଅଜାଙ୍କଠାରୁ ଶିଖି ଓ ବନେଇ ଖୋଜୁଥିଲେ ଠାକୁରଙ୍କୁ ତ ଜେଜେ ଆଈ କରିଥିବା ଚିତ୍ରପଟକୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା କହି ରଥଉପରେ ବସାଇ ଘଣ୍ଟ ପିଟି, ଧୂପ ଦୀପ ଝୁଣା ଛାଟି ବାହୁଡା଼ ଯାତ୍ରା କରାଉ ଥିଲେ ତ ଚୂଡ଼ାଘଷା ଡ଼ାଲମା ଓ କ୍ଷୀରି ଖଟା ଖାଇ ଘର କାମକୁ ଆସୁଥିବା ମିସ୍ତ୍ରୀ, ଶ୍ରମିକ ସମସ୍ତେ ରଥ ଉପରେ ଥିବା ତିନି ଚିତ୍ରପଟ ଦେଖି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଅବିକଳ ନକଲ ବା ପ୍ରତିଛବି କହିଲା ବେଳେ ଜେଜେଆଈଙ୍କ ଆଖିରୁ ଭକ୍ତିରେ ନିଗିଡି ପଡୁଥିଲା ଅଶ୍ରୁ. ଡୁଗୁ ଓ ବାବା କହୁଥିଲେ ଚାଲନା ପୁରୀ ପ୍ରଭୁଙ୍କୁ ରଥରେ ଦେଖିସାରି ନାଲିବାଡ଼ି କିଣିଦେବ. ଆଉ ମନା କରିବାକୁ ଉପାୟ ନଥିଲା କାରଣ ନାତି ନାତୁଣୀ ଦୁହେଁ କହୁଥିଲେ ଚାଲନା ପ୍ରଭୁଙ୍କୁ ଦେଖେଇବ ତୁମ ନିଜ ହାତଅଙ୍କା ତାଙ୍କ ପ୍ରତିଛବି. ସେ ଖୁସି ହେଇଯିବେ. ଅଜା କହୁଥିଲେ ଚାଲ ଚାଲ ପୁରୀ ଯିବା.