ପ୍ରବାସରୁ ଓଡ଼ିଶା ( ସତ୍ୟ ଘଟଣା )
ପ୍ରବାସରୁ ଓଡ଼ିଶା ( ସତ୍ୟ ଘଟଣା )


ସବୁକିଛି ଠିକ୍ ଠାକ୍ ଚାଲୁଥିଲା । ସକାଳ ସାତ କି ସାଢେ ଛଅରେ ଉଠିବା ଟଏଲେଟ ବାଥରୁମ କାମ ସାରି ରାତିର ପାଣିରେ ବତୁରା ଦେଶୀ ଶୋଲା ଖାଇବା ସାତଟା ପଚାଶ ପୂର୍ବରୁ କମ୍ପାନୀ ବସ ପାଖରେ ଯାଇ ପହଞ୍ଚିବା ତା ପରେ କମ୍ପାନୀ ବସରେ, ଦଶ ମିନିଟ ବାଟ ପରେ କମ୍ପାନୀରେ । କମ୍ପାନୀରେ ବାର ଘଣ୍ଟା ଡ୍ୟୁଟି ସାରି ସଂଧ୍ୟା ଆଠକୁ ଆସିବା । ରାତିରେ ରୁଟିନ୍ ପାଳି ଅନୁସାରେ ରୋଷେଇ କରିବା । ଖାଇ ପିଇ ବିଛଣାକୁ ଯିବା, ରାତି ଏଗାର କି ବାର ଯାଏଁ ମୋବାଇଲ୍ ଚିପା ତାପରେ ପୁଣି ସକାଳୁ ଉଠିବା ......ଗଲା ସବୁ ଚାଲିଗଲା ।
ଏ ଶଳା କୋରନା କୋଉଠି ଥିଲା କେଜାଣି ଆସିକି ସବୁଆଡେ ତା କାୟା ବିସ୍ତାର କରିଦେଲା । କୋରନା ସବୁଆଡେ ତାର କ୍ଷୟ କ୍ଷତି ଜାରି ରଖିଥିବା ବେଳେ ତଥାପି କମ୍ପାନୀ ଚାଲୁ ରହିଥିଲା । ଯେହେତୁ ସେତେବେଳେକୁ ଗୁଜରାଟରେ ଗୋଟେ ବି କୋରନା ରୋଗୀ ନଥିଲେ ସେଥିପାଇଁ ।
ଧିରେ ଧିରେ କୋରନା ଗୁଜରାଟକୁ ମାଡ଼ିଲା । ରୋଗୀ ସଂଖ୍ୟା ବୃଦ୍ଧି ହେଲା । କିନ୍ତୁ ତଥାପି କମ୍ପାନୀ ଚାଲୁଥିଲା, ଟେମ୍ପର୍ଚର ମାପ ସହ ସାନିଟାଇଜର୍ ବ୍ୟବହାର କରି ।
ସମସ୍ତଙ୍କ ମନରେ ଭୟ ଥିଲା ହେଲେ ସୁପରଭାଇଜର୍ ଗାଳି ଡରରେ, ଏଚ୍. ଆର୍ର ସ୍ପଷ୍ଟ କଥା ଆଗରେ ସମସ୍ତେ ଥମି ଯାଇଥିଲେ । କମ୍ପାନୀ ଯିବାକୁ ନଚାହିଁ ମଧ୍ୟ ବାଧ୍ୟ ହୋଇ ଯାଉଥିଲୁ ଆମେମାନେ ।
ହଠାତ୍ ଦିନେ ସ୍ଥାନୀୟ ଲୋକେ କମ୍ପାନୀ ଗେଟ୍ ସାମ୍ନାରେ ଆସି ଝଗଡା କଲେ, କମ୍ପାନୀ ଖୋଲା ରହିବାୁ ବିରୋଧ କରି ପ୍ରତିବାଦ କଲେ । ସେମାନଙ୍କୁ ବୁଝା ସୁଝା କରି କମ୍ପାନୀ ବାଲାଏ ଘଉଡ଼ାଇ
ଦେଲେ । ଶେଷରେ ପୋଲିସ୍ ବାଲାଏ କେମିତି ଖବର ପାଇଲେ ଦିନେ ଖରା ବେଳଟାରେ ଆସି କମ୍ପାନୀରେ ଚଢଉ କଲେ ତ ସାଙ୍ଗେ ସାଙ୍ଗେ କମ୍ପାନୀ ଛୁଟି ହେଲା ।
ଆମେ ପିଲା ସବୁ ଖୁସି ହେଲୁ ଯାହା ହେଉ ସବୁଦିନ ବାର ଘଣ୍ଟା ଖଟଣିରୁ ଟିକେ ମୁକ୍ତି ମିଳିଗଲା । ଲଗାତାର ଅଢେ଼ଇ ମାସେ ରୁମରେ ଶୋଇଲୁ । ଧିରେ ଧିରେ ମୋଦୀ ଜୀ ଲକ୍ ଡାଉନ୍ ତାରିଖ ବଢ଼େଇ ଚାଲିଲେ ଆଉ କମ୍ପାନୀ ବନ୍ଦ ରହିଲା ।
ଆମେ ସିନା ଛୁଟି ଖୋଜୁଥିଲୁ । ଶରୀର ଟିକେ ବିଶ୍ରାମ ଚାହୁଁ ବୋଲି ମନେ ମନେ ଭାବୁଥିଲୁ, ହେଲେ ରୁମରେ କୋଡ଼ିଏ ପଚିଶ ଦିନ ଶୋଇବା ପରେ ଭାରି ବୋରିଂ ଲାଗିଲା । କେତେ ମୋବାଇଲ ଚିପିବ ? କେତେ ବା ଫେସବୁକ ହ୍ବାଟସପ ୟୁଟ୍ୟୁବରେ ମେସେଞ୍ଜର ଚଲେଇବ ?
କେତେ ଲେଖା ପଢିବ ? ମତାମତ ଦେବ ? ଆଉ ଗୋଟେ ବଡ କଥା ଯେତେବେଳେ ସମୟ କମ୍ ବଞ୍ଚୁଥିଲା ସେତେବେଳେ ଟିକେ ଲେଖି ହେଉଥିଲା ଲେଖିବାକୁ ମନା ହେଉଥିଲା । ହେଲେ ଯେତେ ବେଳେ ଢେର୍ ସମୟ ପାଖରେ ଆସି ଗୁଞ୍ଜି ହେଲେ ସେତେବେଳେ କାଇଁ ଗୋଟିଏ ବି ଲେଖା ଲେଖିବା ପାଇଁ ମନ ହେଉନଥିଲା । ଭାରି ଚିଡି ଚିଡି ଲାଗୁଥିଲା । ଯେମିତି କାଗଜ କଲମ ମୋ ସହ କଟି କରି ଦେଇଛନ୍ତି । ଯେହେତୁ ମୁଁ ଜବରଦସ୍ତି ବି ଲେଖେ ବେଳେ ବେଳେ ସେଥିପାଇଁ ଦୁଇ ଚାରିଟା ଲେଖା ଗାରେଇ ହୋଇଗଲା । ହେଲେ ସତକଥା ଭାରି ବୋରିଂ ବୋରିଂ ଲାଗୁଥିଲା ସମୟ ଗୁଡା ।
କୋଉ ପ୍ରେମିକା ଥାଆନ୍ତା ଭଲା ସେ ମୋ ପାଇଁ ମରୁ ଥାଆନ୍ତା ମୁଁ ତା ପାଇଁ ଜୀଉଁ ଥାଆନ୍ତି ତାହେଲେ ତା ସହ କଥା ହୋଇ ସମୟ ବିତି ଯାଆନ୍ତା, ହେଲେ ମୋ ପରି ଅଝାଡୁଆକୁ କିଏ ବା ପ୍ରେମିକ କରିବ ? ତଥାପି ଦି ଚାରିଟା ଝିଅଙ୍କ ସହ ଗପ ସପ ଚାଲୁଥିଲା କେବେ କେମିତି ।
ତା ଛଡା ପପ୍ ଜୀରେ ପାଗଳ ହୋଇଥାନ୍ତି ଭଲା ଅନ୍ୟ ଛୁଆଙ୍କ ପରି, ସମୟ ଗୁଡା ଆଖି ପିଛୁଳାକେ କୁଆଡେ ପଳେଇ ଯାଇଥାନ୍ତା ଜଣା ପଡି ନଥାନ୍ତା ବନ୍ଧୁକ, ଗୁଳି ବର୍ଷା, ବମ୍ ଫାୟାରିଂ, ଟ୍ୟାଙ୍କ୍ ଫାୟାରିଂ ଆଉ ଶତ୍ରୁ ପଛରେ ଗୋଡ଼େଇ ଗୋଡ଼େଇ ।
ଘରୁ ବାପା ଫୋନ୍ ପରେ ଫୋନ୍ କରି ପଚାରୁଥାନ୍ତି ଦେହପା ଭଲ ମନ୍ଦ କଥା । ମଝିରେ ଥରେ ମୋତେ ଗୁଜରାଟର ରହୁଥିବା ଜାଗାର ଠିକଣା କାମ କରୁଥିବା କମ୍ପାନୀ ନାଁ ଠିକଣା ଫୋନ୍ ନମ୍ୱର୍ ଭଲମନ୍ଦ ସବୁ ମୋତେ ଫୋନ୍ କରି ଲେଖିଦେଲେ । ସରପଞ୍ଚଙ୍କ ତରଫରୁ ଲୋକ ଆସିଥିଲେ ଗାଁକୁ ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ସେମାନଙ୍କ ବିଷୟରେ ତଥ୍ୟ ନେବାକୁ । ମୁଁ ବାପାଙ୍କୁ କହିଲି ସେମାନଙ୍କୁ ପଚାରିବ ତି, କଣ ହେବ ଆଗକୁ ? କେବେ ଆମେ ଏଠାରୁ ଯିବୁ ?
ବାପା ପରେ ଫୋନ୍ କରି କହିଲେ ଯେ, ସବୁ ଗାଁର ତଥ୍ୟ ସଂଗ୍ରହ କରାଯାଇ କଲେକ୍ଟରଙ୍କ ପାଖକୁ ଯିବ, ପରେ ସେମାନେ ସଭିଙ୍କ ପାଖକୁ ଫୋନ୍ କରି ଜଣାଇବେ ।
କଣ ହେଲା କେଜାଣି ଆଉ ତ କାଇଁ ଫୋନ୍ ଫାନ୍ କିଛି ଆସିଲାନି ।
ହଁ କିଛି ଦିନ ଗଡିଗଲା ପରେ ଗୋଟେ ଫୋନ୍ ଆସିଥିଲା ,
-":ମୁଁ ବରକନ୍ଧା ପଞ୍ଚାୟତ ଅଫିସରୁ କହୁଛି । ହାଲୋ, ତମେ ପରମେଶ୍ବର କହୁଛ ?"
-" ଆଜ୍ଞା "
-"ଗୁଜରାଟରେ ଅଛ ?"
- "ହଁ, ଅଛି "
-" ଆଉ ଗାଁକୁ ଆସିବ ? "
-" ହଁ, ନିଶ୍ଚୟ "
-" ହଉ ଠିକ୍ ଅଛି "
ବାସ୍ ଏତିକି କଥାବାର୍ତ୍ତା ପରେ ଫୋନ୍ କଟିଲା ।
ତାପରେ ଆଉ କିଛି ଫୋନ୍ ଫାନ୍ ଆସିଲା ନାହିଁ । ପରେ ପୁଣି ନିୟୁଜ କହିଲା । ପ୍ରବାସରୁ ଗାଁକୁ ଆସିବାକୁ ଚାହୁଁଥିବା ପିଲାମାନେ ଅନଲାଇନ ପଞ୍ଜିକରଣ କରାନ୍ତୁ ।
ଆମେ ସାଥିରେ ରହୁଥିବା ତିନି ଜଣ କରିଦେଲୁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍, ମେସେଜରେ ଗୋଟେ କୋଡ଼ ନମ୍ଵର ଆସିଲା ଆଉ ତା ସହ ଲେଖାଥିଲା ଏମିତି
-" ଓଡ଼ିଶାକୁ ଫେରିବା ପାଇଁ ଓଡ଼ିଶା ରାଜ୍ୟ COVID19 ପୋର୍ଟାଲରେ ପଞ୍ଜୀକୃତ ହୋଇଥିବାରୁ ଧନ୍ୟବାଦ, ଆପଣଙ୍କର ଅନୁମୋଦନ ସଂଖ୍ୟା ହେଉଛି W42728213 । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣ ଥରେ ଓଡ଼ିଶାରେ ପହଞ୍ଚିବା ପରେ ଆପଣଙ୍କୁ ଏକ ବାଧ୍ୟତାମୂଳକ 14 ଦିନିଆ କ୍ବାରେଣ୍ଟାଇନ ପ୍ରକ୍ରିୟା ଅତିକ୍ରମ କରିବାକୁ ପଡ଼ିବ ।
କାଳେ ଏ ଜରୁରୀ ମେସେଜଟି ଭୁଲରେ ଡିଲେଟ ହୋଇଯିବ ସେଥିପାଇଁ ମୁଁ ନୋଟରେ କପି ପେଷ୍ଟ ମାରି ରଖିଦେଲି । ପୁଣି ମାସେ ଗଡ଼ିଲା । ଆମ ପାଖ ଅଞ୍ଚଳ ସୁରଟର ପିଲାମାନେ ପ୍ରଥମେ ଓଡିଶାକୁ ଫେରିଲେ । ଆମେ ସୁରଟରୁ ଯେହେତୁ ବହୁତ ଦୂରରେ ଥିଲୁ ତେଣୁ ଯାଇ ପାରିନଥିଲୁ । ଯାଇ ପାରିନଥିଲୁମାନେ ଆମ ପାଖକୁ କିଛି ଫୋନ୍ ଆସିନଥିଲା । ଚାହିଁକି ବସିଲୁ ପୁଣି କେବେ ଆମ ବେଳ ଆସିବ ? କଣ ହେଲା କେଜାଣି ଫୋନ୍ ଆସୁନଥିଲା ଆମ ପାଖକୁ ।
ପୁଣି ଜଣେ ସାଙ୍ଗର ବାପା ଫୋନ୍ କରି କହିଲେ -" ତୁମେ ଯୋଉଠି ରହୁଛ, ସେଠିକାର ସରପଞ୍ଚ ସହ ଯୋଗାଯୋଗ କର "
ଦିନେ ସୁବିଧା ଦେଖି ସେଠିକାର ସରପଞ୍ଚ ପାଖକୁ ଗଲୁ ।
ଗୀତା ବେହେନ୍, ଗୀତା ମଛି ତାଙ୍କ ନାଁ କିନ୍ତୁ ତାଙ୍କୁ ଗୀତା ବେହେନ୍ ବୋଲି ଡାକନ୍ତି । ମୁଁ ତାଙ୍କୁ ଭଲକି ଜାଣିନଥିଲେ ବି ଗଣତନ୍ତ୍ର ଦିବସ ଆଉ ସ୍ବାଧୀନତା ଦିବସରେ ତାଙ୍କ ଭାଷଣ ମୋତେ ମୁଗ୍ଧକରେ । ଭାଷଣ ଶେଷରେ ସମସ୍ତେ କରତାଳିରେ ପ୍ରକମ୍ପିତ କରନ୍ତି ପଞ୍ଚାୟତ ଅଫିସ୍ ସାମ୍ନା । ମୁଁ ଗୁଜରାଟି ନବୁଝୁ ଥିଲେ ବି ତାଙ୍କର କଥା କହିବାର ଶୈଳୀ ଆଉ ଜୋସ୍ ମୋତେ ଭଲ ଲାଗେ ।
ପଚାରି ପଚାରି ଯାଇ ପହଞ୍ଚିଲୁ ସରପଞ୍ଚଙ୍କ ଘର ସାମ୍ନାରେ ।
ଗୀତା ବେହେନ୍ ନିଜ ଚୁଟି ପାନିଆରେ କୁଣ୍ଡୋଉ କୁଣ୍ଡୋଉ ଆଇନା ପାନିଆ ଧରି ପଦାକୁ ଆସିଲେ । ମୁଁ ଦୁଇ ହାତ ଛାତି ପାଖରେ ଜାକି ଦେଇ ମୁଣ୍ଡ ନୁଆଇଁ ତାଙ୍କୁ ପ୍ରଣାମ କଲି । ସେ ପ୍ରତି ପ୍ରଣାମ କରି ଆମକୁ ବାରଣ୍ଡା ଉପରକୁ ଡାକିଲେ । ପାଖରେ ପଡିଥିବା ଲମ୍ବା କାଠ ବେଞ୍ଚରେ ବସିବାକୁ କହିଲେ
ଦୁଇ ଜଣ ଠିଆ ହୋଇଥିଲେ ମୁଁ ଅଧାଅଧି ବସିଗଲି ( କାହିଁକି ନା ମୁଁ କାହାର ଆଗ୍ରହ ଅନୁରୋଧକୁ ଏଡାଇ ପାରେନା ଏତେ ସହଜରେ ) ତାପରେ ଆମେ ତାଙ୍କୁ କହିଲୁ ଆମେ ତିନିଜଣ ଓଡିଶାରୁ । ତେବେ ଓଡ଼ିଶାକୁ ଯିବାକୁ ଚାହୁଁଛୁ ।
ସେ କହିଲେ, କୋଉଠି କାମ କରୁଛ ?"
ଆମେ କହିଲୁ, ଓ୍ବେଷ୍ଟର୍ଣ୍ଣରେ ।
ତାପରେ ସେ କହିଲେ -" ତେବେ ଠିକ୍ ଅଛି ତୁମେ ତୁମର ସେଠିକାର ଠିକଣା, ନାଁ, ଆଧାର କାର୍ଡ ନମ୍ବର, ମୋବାଇଲ ନମ୍ବର ସବୁ ତିନି ଜଣଙ୍କର ଗୋଟେ କାଗଜରେ ଲେଖି ମୋତେ ପଞ୍ଚାୟତ ଅଫିସରେ ଆଣି ଦିଅ । ମୁଁ ଏବେ ସେଠାକୁ ବାହାରୁଛି ।
ମୁଁ ପଚାରିଲି - ଆପଣଙ୍କ ନମ୍ବର ନେଇ ପାରିବି କି ?
ସେ କହିଲେ - ହଁ ନିଅ, ଡବଲ ସେଭେନ୍ ନାଇନ ଫାଇଭ୍......"
ତାପରେ ଆମେ ଗୀତା ବେହେନଙ୍କୁ ଧନ୍ୟବାଦ ଦେଇ ଆସିଲୁ । ଗୋଟେ ସାଧା କାଗଜରେ ପରିଷ୍କାର ଅକ୍ଷରରେ ମୁଁ ଆମ ତିନି ଜଣଙ୍କ ନାଁ, ଗାଁ, ଠିକଣା, ବାପାଙ୍କ ନାମ, ପଞ୍ଚାୟତ ଅଫିସ୍, ଥାନା, ପିନ୍ କୋଡ୍, ମୋବାଇଲ ନମ୍ବର, ଆଧାର ନମ୍ବର ସବୁ ଲେଖିଲି ତାପରେ ଆମେ ତାକୁ ପଞ୍ଚାୟତ ଅଫିସ୍କୁ ନେଇ ଗଲୁ । ବସିଲୁ ଅଧଘଣ୍ଟା ଉପରେ କିନ୍ତୁ ଗୀତା ବେହେନ୍ ଆସୁନଥିଲେ ( ତାଙ୍କ ପାଖରୁ ଆସିବାର ମୋଟ ଚାଳିଶ ପଚାଶ ମିନିଟ୍ ହୋଇ ଗଲାଣି ସେତେବେଳେକୁ ) । ବିରକ୍ତି ହୋଇ ଫୋନ୍ କଲି ତାପରେ । ସେ କହିଲେ ଟିକେ ପରେ ଯାଉଛି । ତଥାପି ପୁଣି ପନ୍ଦର ମିନିଟ୍ ବିତିଗଲା କିନ୍ତୁ ତାଙ୍କର ଦେଖା ନଥିଲା । ମୁଁ ଭାବିଲି ସ୍ତ୍ରୀ ଲୋକମାନେ ସଜପଟା ହେବାକୁ ଅଧିକ ସମୟ ନିଅନ୍ତି ହୋଇଥିବ ସେଥିପାଇଁ ବୋଧହୁଏ ଏ ବିଳମ୍ବ କିଛି ସମୟ ପରେ ଜଣେ ଆସି ପଞ୍ଚାୟତ ଅଫିସ୍ ତାଲା ଖୋଲିଲେ । ତାପରେ କିଛି ସମୟ ପରେ ଜଣେ ବାବୁ କିଏ ବାଇକରେ ଆସି ପହଞ୍ଚିଲେ, ସେ ଭିତରକୁ ଗଲେ ତାଙ୍କ ପଛେ ପଛେ ଦୁଇ ଜଣ ଲୋକ । ଆମେ ଆମର ସାଇଡ୍ ବେଞ୍ଚରେ ବସି ମୋବାଇଲ ଚିପୁଥାଉ । କିଛି ସମୟ ପରେ ଭିତରୁ ଜଣେ କିଏ ଆସି ଆମକୁ ପଚାରିଲା -" କଣ କାମ ଅଛି ? କାଇଁ ବସିଛ ?"
ଆମେ କହିଲୁ ସରପଞ୍ଚ ମ୍ଯାଡମଙ୍କୁ ଅପେକ୍ଷା କରିଛୁ ତାଙ୍କ ପାଖେ କାମ ଥିଲା । ତାପରେ ପୁରା କଥାଟା ଖୋଲିକି କହିଲୁ । ସେ ଲୋକ ଆମକୁ ଭିତରକୁ ଡାକିଲେ । ବାଇକରେ ଆସିଥିବା ସେ ବାବୁ ଜଣଙ୍କ ଆଡ଼କୁ ଇସାରା କରି କହିଲେ, " କଲେକ୍ଟର ସାହାବ୍ ଆସିଛନ୍ତି କ'ଣ କୁହ ? ( ସେ, ଲୋକଟି କଲେକ୍ଟର କହିଲା କି ଆଉ କ'ଣ କହିଲା ମୁଁ ଜାଣିନି କିନ୍ତୁ ମୋତେ ସେଇ ଭଳି ଶୁଭିଲା । ମୁଁ ଖାଲି ଏତିକି ଜାଣିଲି ସେ ଜଣେ ବଡ଼ ପଦବୀର ଲୋକଟେ ) ସେଥିପାଇଁ ମୁଣ୍ଡ ନୋଇଁ ନମସ୍କାର କରି କାଗଜଟିକୁ ତାଙ୍କ ଆଡ଼କୁ ବଢାଇ ଦେଇ କହିଲୁ -" ଆମେ, ଓଡ଼ିଶା ଯିବାକୁ ଚାହୁଁଛୁ "
ସେ କାଗଜ ଧରି ଦେଖିଲେ କିଛି ସମୟ ତାପରେ କହିଲେ, ସବୁ ଲେଖିଛ ତ ଏଥିରେ ?
ଆମେ କହିଲୁ - " ଆଜ୍ଞା, ଲେଖିଛୁ ମେଲ୍ ଆଇଡି ଦରକାର କି ସାର୍ ? "
ତାପରେ ସେ କହିଲେ - " ନାଇଁ କିଛି ଦରକାର ନାହିଁ, ଫୋନ୍ ନମ୍ୱର୍ ଦେଇଛ ହୋଇଯିବ । ତୁମେମାନେ ଏବେ ଯାଅ ତୁମ ପାଖକୁ ଫୋନ୍ ଯିବ "
ଆମେ ଧନ୍ୟବାଦ କହି ଆସିଲୁ ।
ପୁଣି ବିତିଲା ପନ୍ଦର ଦିନ କାଳ କାଇଁ କିଛି ଫୋନ୍ ଆସିବାର ନା ନଥିଲା । ଆମ ନାଁ ପଞ୍ଜୀକୃତ ହେଲା ବୋଲି ମୋବାଇଲରେ ମେସେଜ ଟିଏ ବି ନାହିଁ ।
ଆଉଥରେ ଫୋନ୍ କଲୁ ସରପଞ୍ଚ ଗୀତା ବେହେନଙ୍କୁ ।
ସେ କହିଲେ -" ଶୁଣ, ଆମ ଜରିଆରେ ତାଙ୍କ ଆଡୁ ଫୋନ୍ ତମ ପାଖକୁ ଆସିବାକୁ ବହୁତ ଡେରି ହେବ । ତେଣୁ ତୁମେମାନେ ଗୋଟେ କାମ କର, ତୁମେମାନେ ଉମରଗାଁଓ ନହେଲେ ଭିଲହାଦ୍ ଯାଅ ସେଠାରେ ସିଧା ସଳଖ ପଞ୍ଜିକରଣ କରାଯାଉଛି ଜଳଦି ହୋଇଯିବ ଆଉ ଡେରି କରନି ଯାଅ ।"
ଦେଖନି ଏ ସ୍ତ୍ରୀ ଲୋକଟାକୁ ଏତେ କଥା ଯଦି ତୋ ମନରେ ଥିଲା କାଇଁ ଆଗରୁ ତ କହୁନଥିଲୁ ? ଫୋନ୍ କଲା ପରେ କହୁଛୁ ? ( ମୁଁ ମନେ ମନେ ଏତକ ଭାବିଲି ତାପରେ କହିଲି )
-" କିନ୍ତୁ, ମ୍ୟାଡମ୍ ଆମେ ତ ଦେଖିନୁ କୋଉ ଜାଗାରେ ହେଉଛି ?
ସେ କହିଲେ -" କିଛି ନାଇଁ, ପଚାରି ପଚାରି ପଳେଇବ ଉମରଗାଁଓ ଭୂତନାଥ ମନ୍ଦିର, ନହେଲେ ଭିଲହାଦ ଷ୍ଟେସନ ପାଖରେ ହେଉଛି ।
ନିରାଶ ମନରେ ଫୋନ୍ କାଟିଲି ।
ପିଲାମାନେ କହିଲେ, ହେସ୍ କିଏ ଯିବ ଆଉ ? ବରଂ କୋରନା ଭଲସେ କମି ଯାଉ । କମ୍ପାନୀ ତ ଖୋଲା ହେଲାଣି ଏବେ କିଛି ରୋଜଗାର ଚାଲୁ । ଅଯଥା କାଇଁ ଏତେ ଟେନସନରେ ଯିବା । ତା ଛଡା କୋରନା ଯେମିତି ଡେଉଁଛି ଛଅଶହ ପିଲା ଓଡ଼ିଶା ଫେରିଲେ ସେଥିରୁ ଦୁଇଶହଙ୍କୁ କୋରନା । ଏବେ ଯାବାଯିବି ଥାଉ ।
ମୁଁ ଭାବିଲି ପ୍ରସ୍ତାବ କିଛି ମନ୍ଦ ନୁହେଁ । କାଇଁ ଅଯଥା ଏବେ ଯିବି । ଖାଲିଟାରେ ବେରୋଜଗାରିଆ ହୋଇ ଘରେ ବସିବି ? ବରଂ କମ୍ପାନୀରେ କାମ ଚାଲୁ । ସେମିତିରେ ବି ବାହାର ପିଲାଙ୍କୁ କମ୍ପାନୀ ଡକଉନି କେବଳ ପାଖ ପିଲାଙ୍କୁ ଡକଉଛି ତା ସହ ସାନିଟାଇଜର୍, ମାସ୍କ, ଦୂରତା, ସବୁ ନିୟମ ପାଳୁଛନ୍ତି କିଛି ବିଶେଷ କ୍ଷତି ନାହିଁ କହିଲେ ଚଳେ । ତେଣୁ ଘରକୁ ଏବେ ଯିବାକୁ ଆଉ ମନ କଲିନି ।
କିନ୍ତୁ ଦିନେ ବାପା ଫୋନ୍ କରି କହିଲେ " ଆରେ କେବେ ଆସୁଛୁ ? କ'ଣ ହେଲା ଆସିବା କଥା ?
ମୁଁ ମନା କଲା ଯିବାକୁ ଏବେ ।
" କିଛି ସ୍ଥିର ହେଉନି, ଏପର୍ଯ୍ୟନ୍ତ ଫୋନ୍ ଆସିନି ଏଠିକା ସରପଞ୍ଚକୁ ବି ଜଣାଇ ଦେଇଛୁ, ଦେଖାଯାଉ କଣ ହେଉଛି "
ତାପରେ ଦୁଇ ଜଣକୁ କହିଲି -" ଏଇ୍ ରୁମରେ ଏମିତି ବସନା କିଛି ଫାଇଦା ନାହିଁ, ଯାହା କରିବା କଥା କର । କମ୍ପାନୀ ଚାଲ ନହେଲେ ଗାଁକୁ ଯିବା କଥା ଯଦି ତେବେ ଉମରଗାଁଓ ଚାଲ । ସେ ଦୁହେଁ କହିଲେ -" ଚାଲୁନୁ କିଏ ମନା କରୁଛି ?"
ଆମେ ବାହାରିଲୁ ଫୁଲ ପ୍ରାଣ୍ଟ୍ ସାର୍ଟ ପିନ୍ଧି ମୁହଁରେ ମାସ୍କ ଲଗାଇ । ଖତଲବାଡା ( ଆମେ ଯୋଉ ଗାଁ ରେସ ଭଡ଼ା ଘରେ ରହୁ )
ଗାଁ ଛକର ଅଟୋ ଦୁଇ ଚାରିଟା ଠିଆ ହୋଇଥିଲେ । କିନ୍ତୁ ଅଧିକ ଯିବା ଆସିବା ଅଟୋ ଆଗ ପରି କେହି ଦେଖା ଯାଉନଥିଲେ । ଦୁଇ ଦୁଇ ଟାକୁ ହାତ ଦେଖାଇ କହିଲି ସେ ମନା କଲେ । ବାଧ୍ୟ ହୋଇ ଖାଲିରେ ଅଟୋ ଧରି ଛିଡା ହୋଇଥିବା ଲୋକଟି ପାଖକୁ ଗଲି ଆଉ ପଚାରିଲି -" ସଂଜନ ଯିବ ? ସେ କହିଲା -" ହଁ ଯିବି, କେତେଜଣ ଅଛ ?"
ମୁଁ କହିଲି - "ତିନି ଜଣ "
ସେ କହିଲା - " ଶହେ ଟଙ୍କା ଲାଗିବ "
ମୁଁ ମନେ ମନେ ବିରକ୍ତ ହୋଇ ଚାଲି ଆସିଲି ତା ପାଖରୁ, କାହିଁକି ନା ତିନି ଜଣଙ୍କ ପାଇଁ ତିରିଶ ଟଙ୍କାର ବାଟକୁ ସେ ଶହେ ଟଙ୍କା କହୁଥିଲା ।
ପାଖରେ ଥିବା ଓ୍ବେଟିଙ୍ଗରୁମରେ ବସି ଅପେକ୍ଷା କଲି ଆଉ ଗୋଟେ ଅଟୋକୁ । କିଛି ସମୟ ପରେ ଆଉ ଗୋଟେ ଖାଲି ଅଟୋ ଆସିଲା ତା ସହ କିଛି ଭଡ଼ା ନତୁଟେଇ ତା ଅଟୋରେ ବସି ପଡିଲୁ ତିନି ଜଣ । ସେ ଅଟୋ ଟିକେ ଆଗକୁ ଯାଇଛି ତ, ପ୍ରଥମ ଅଟୋ ବାଲାଟି କୋଉଠି ଥିଲା କେଜାଣି ଖପାକ୍ କିନା ଆସି ତା ପାଖରେ ହାଜର । ତାକୁ ଗୁଜରାଟିରେ କହିଲା କିଛି । ଗୁଜରାଟି ମୁଁ ଅଳ୍ପ ଟିକେ ଟିକେ ବୁଝୁଥିଲେ ବି ତା କଥାରେ ସାରାଂଶ ମୁଁ ଜାଣି ସାରିଥିଲି । ଏମିତି ଥିଲା ତା କଥା, " ମୁଁ ୟାଙ୍କ ତିନି ଜଣଙ୍କ ଠାରୁ ଶହେ ଟଙ୍କା କଥା କରିଥିଲି, ତୁ ବି ଷାଠିଏ ଠାରୁ କମ୍ କରନା । ଏବେ ଯାହା ପରିସ୍ଥିତି ?"
ସେ ବି ତା କଥା ଶୁଣି କହିଲା ଆମକୁ -" ଦର ବଢି ଯାଇଛି ଜାଣିଛ ନା ? ଷାଠିଏ ଲାଗିବ "
ଆମେ ହଁ କଲୁ, ସେ ଅଟୋ ଆଗକୁ ଗଡେଇଲା । ପୂର୍ବ ଅଟୋବାଲାଟି ପ୍ରତି ମୁଁ ମନେ ମନେ ବିରକ୍ତି ହେଲି । ଶଳା ସେଇ ଷାଠିଏ ଟଙ୍କାରେ କଥା ଛିଡ଼େଇ ତ ତୁ ନେଇ ଥାଆନ୍ତୁ ଅଯଥା କାଇଁ ଆମକୁ ବସେଇଲୁ ଏତେ ସମୟ ? ଶଃ ...
ଦଶ ମିନିଟ୍ ପରେ ଚାରି ଛକିରେ ଓହ୍ଲେଇ ପଡିଲୁ । କୁଆଡେ ଯିବୁ ଠିଆ ହୋଇ ସ୍ଥିର କଲୁ ? ଭିଲହାଦ ଯିବୁ କି ଉମରଗାଁଓ ? ଶେଷରେ ସ୍ଥିର ହେଲା ବିଲହାଦ ଯିବୁ ।
ଚାଲି ଚାଲି ଅଧା କିଲୋମିଟର ଗଲୁ ହେଲେ ଗୋଟେ ଅଟୋ ବି ରହିଲେ ନି । ସବୁ ରିଜର୍ଭ ଯାଉଥିଲା ନୁହେଁ ତ ଅଧିକ ଲୋକ ସେ ବସେଇବାକୁ ଚାହୁଁନଥିଲା ।
ଗୋଟେ ତେନ୍ତୁଳି ଗଛ ଛାଇରେ ଯାଇ ଠିଆ ହେଲୁ ତିନି ହେଁ । ପନ୍ଦର କୋଡ଼ିଏ ମିନିଟ୍ ପରେ ଗୋଟେ ଅଟୋ ତେଲ ଟାଙ୍କିରେ ତେଲ ପକାଇ ଆମ ପଛକୁ ଯାଉଥିଲା ପଳେଇ ପୁଣି କ'ଣ ଭାବିଲା କେଜାଣି ବୁଲେଇ ଆଣି ପାଖରେ ଠିଆ କଲା ପଚାରିଲା -" କୁଆଡେ ଯିବ ? "
ଆମେ କହିଲୁ -" ଭିଲହାଦ "
ସେ କହିଲା -" ଶହେ ଟଙ୍କା ଲାଗିବ "
ଆମେ -" ଏତେ ?"
ସେ -" କଣ କରିବା ଭାଇ ? ଏବେ ବା ଏୟା ଚାଲିଛି କଣ କରିବା ?
ଭିଲହାଦ କେତେ ବାଟ ଏଇଠୁ, ସେଇଟା ଆମେ ଭଲକି ଜାଣିନୁ ଯେହେତୁ ବାଧ୍ୟ ହୋଇ ବସିଲୁ । ସେ ପାଞ୍ଚ /ଦଶ ମିନିଟରେ ନେଇ ଅଧ ବାଟ ହେବ ଅଟୋ ରୋକି ଦେଇ କହିଲା
" ଏଇଠୁ ତମେ ଚାଲି ଚାଲି ଯାଅ ଆଗରେ ପୋଲିସ୍, ଅଟୋ ଛାଡିବନି ଆଗକୁ "
ଅଟୋରୁ ଓହ୍ଲେଇ ଚାଲି ଚାଲି ଗଲୁ । ମନେ ମନେ ଭାବିଲୁ ଶଳା ଅଟୋ ବାଲାଟା ଠକି ଦେଲା ପାଞ୍ଚ /ଦଶ ମିନିଟର ରାସ୍ତାକୁ ଶହେ ନେଇଗଲା ।
ଦୁଇ ଜଣ ପୋଲିସ୍ ସେ ସାଇଡରେ କାରଟେ ରଖି ସେଠି ଛିଡା ହୋଇଥିଲେ । ଆମେ ଯେମିତି ବାରିକେଟ୍ ଟପିକି ସେପଟକୁ ଯାଇଛୁ ତ ଡାକିଲା ପୋଲିସ୍ଟା ।
" ଏକ୍ କୁଆଡେ ? ଏଠିକି ଆସ ।"
ଆମେ ଗଲୁ କହିଲୁ -" ସାର୍, ଆମେ ଭିଲହାଦ ଯିବୁ । ରେଜିଷ୍ଟେସନ୍ କରିବା ପାଇଁ ଓଡ଼ିଶା ଯିବାକୁ ।
ସେ ଏତିକି କଥା ଶୁଣି ତାଙ୍କ ଠେଙ୍ଗୁଲି ଉଠେଇ କହିଲା
-" ସେଠି ହେଉନି, ଉମରଗାଁଓ ଯାଅ "
ଆମେ କହିଲୁ -" କିନ୍ତୁ ସାର୍ ଆମକୁ ତ ସରପଞ୍ଚ ଜୀ କରିଥିଲେ, ତେଣୁ ଆମେ ଆସିଲୁ ଆପଣ କାହିଁକି ମନା କରୁଛନ୍ତି ?"
ତାପରେ ଚାରି ଫୁଟର ପ୍ଲାଷ୍ଟିକ ବାଡିଟି ମୋ ଉପରକୁ ଉଚେଁଇ ବାଡେଇବା ବାଡେଇବା ଉପରେ -" ଯା, ଚାଲ୍ ଏଠୁ '
-" ମୋ, କଥା ତ ଟିକେ ଶୁଣନ୍ତୁ, ବୁଝିବାକୁ ଚେଷ୍ଟା କରନ୍ତୁ "
-" ଯାଉଛୁ ନାଁ, ଦେଖିବୁ ଏବେ ...? "
ଆଉ କିଛି ଅଧିକ କହିବାକୁ ନଦେଇ ଦୁଇ ସାଙ୍ଗ ଇସାରା ଦେଲେ ଫେରି ଯିବାକୁ । ମୁଁ ଫେରି ଆସିଲି, ନହେଲେ ସତ ସେଦିନ ଜଙ୍ଘ ପିଚା ନାଲି ପଡିବାଟା ଥୟ ଥିଲା ।
ସେଇଠୁ ପୁଣି ଫେରିଲୁ । ଅଟୋରେ ବସିଥିବା ଜାଗାକୁ ସେଠୁ ଚାଲି ଚାଲି ବାହାରିଲୁ ଉମରଗାଁଓ ଯିବାକୁ ।
ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଯିବା ପରେ, ପ୍ରଥମରୁ ହିଁ ପୋଲିସ୍ ଠିଆ ହୋଇଥିଲେ ଉମରଗାଁଓ ପ୍ରବେଶ ବାଟରେ, ପଚାରିଲେ, କୁଆଡେ ? "
ଆମେ କହିଲୁ -" ଉମରଗାଁଓ "
ସେ କହିଲେ - " ଫର୍ମ ଭରିବା ପାଇଁ, କି ? "
ଆମେ କହିଲୁ -" ହଁ "
-" ତେବେ ଠିକ୍ ଅଛି, ଜଳଦି ଯାଅ ବନ୍ଦ ହୋଇଯିବ ଚାରିଟା ବେଳକୁ । "
ଆମେ କହିଲୁ -" କିନ୍ତୁ କୋଉଠି ହେଉଛି ଆମେ ତ ଜାଣିନୁ । ସେ କହିଲେ ଗାନ୍ଧୀଓ୍ବାଡି ଯିବ ସେଠି ଯାଇ ପଚାରିଦେବ ଭୂତନାଥ ମନ୍ଦିର, ସେଇଠି ହେଉଛି ।
ମୁଁ ମୋବାଇଲ୍ ନୋଟରେ ଟାଇପ୍ କରି ଦେଲି । କାଳେ ଭୁଲି ଯିବି ସେଥିପାଇଁ । କାହିଁକି ନା ମୋର ଟିକେ ଭୁଲାଳିଆ ପ୍ରକୃତି, ମୋର ଅନେକ କିଛି ମନେ ରହେନା ।
କମସେ କମ୍ ପନ୍ଦର କିଲୋମିଟର ଚାଲିଲୁ ସେଦିନ ସେ ଭୂତନାଥ ମନ୍ଦିରରେ ପହଞ୍ଚିବା ପାଇଁ । ଯାହା ହେଉ ବାଟରେ ପାଣି ପିଇ ତରଭୁଜ ଖାଇ ଚାଲି ଚାଲି ଯାଇ ପହଞ୍ଚିଗଲୁ ପଚାରି ପଚାରି । ସମୟ ଦିନ ତିନିଟା ପରେ ହେବ, ସେଠି ପହଞ୍ଚିବା ପରେ ସେଠି ପିଲା ଆଠ ଦଶଜଣ ଥିଲେ । ଆହୁରି ଦି ଜଣେ ଜଣେ ଆସୁଥିଲେ । କିନ୍ତୁ ଫର୍ମ ଭରିବା ବାବୁମାନେ ସେତେବେଳେକୁ ଅପେକ୍ଷା କରି କରି ଥକି ଯାଇଥିଲେ ବୋଧହୁଏ ସେଥିପାଇଁ ତାଙ୍କ ବେଡିଂ ପତ୍ର ଉଠେଇ ଯାଇ ରୁମରେ ବିଶ୍ରାମ ନେଉଥିଲେ । ମନ୍ଦିରର ପଣ୍ଡିତଙ୍କୁ ଯାଇ ପଚାରିଲୁ, " ଆମେ ଦୂରରୁ ଆସିଛୁ ଆମର ଫର୍ମ ପୂରଣ ପାଇଁ ... ତେଣୁ ଟିକେ କିଛି ...."
ସେ କହିଲେ - " ଏବେ କିଛି ଆଉ ହୋଇ ପାରିବନି ବାବୁ । ସେମାନେ ସବୁ ଚାଲି ଗଲେଣି । ପୁଣି କାଲି ସକାଳୁ ଆସ । ଶିଘ୍ର ଆଠ ଭିତରେ ଆସିବ, ମୁଁ ତମକୁ ଆଗ କରେଇ ଦେବି । ଓଡ଼ିଶା ପାଇଁ ଅଧିକା ପିଲା ଆସୁ ନାହାନ୍ତି, ତେଣୁ ଅଧିକ ଡେରି ହେବନି । ପିଲା କେହିନଥିଲେ ତ ସେଥିପାଇଁ ସେମାନେ ବନ୍ଦ ବାନ୍ଦ କରି ପଳେଇଲେ । "
ମୁଁ ମନେ ମନେ ଭାବିଲି, ଇଏ କି କଥା ଭାଇ ? ସରକାର ତାଙ୍କୁ ଡ୍ୟୁଟିରେ ଏଇଥିପାଇଁ ନିୟୋଜିତ କରିଛନ୍ତି ? କମ୍ ସେ କମ୍ ସମୟ ଯାଏଁ ତ ବସିବା କଥା ? ନିଜ ସୁବିଧା ପାଇଁ ସମୟ ପୂର୍ବରୁ ବନ୍ଦ କରିଦେବାମାନେ କ'ଣ ? କିଏ କେତେ ଦୂରରୁ ଆସିଛନ୍ତି କେତେ କଷ୍ଟରେ କଣ କରିବେ ସେମାନେ ? ସରକାର ଏ କୋଢିଆଙ୍କୁ କାଇଁ ଏ କମରେ ନିୟୋଜିତ କରିଛି କେଜାଣି ?
ତିନି ଜଣ ହତାସ୍ ହେଲୁ ।
ଗୋଡ଼ ଦୁଇଟା ବିନ୍ଧୁଥିଲା ତ କାହିଁରେ କେତେ, ସେଇ ପିଣ୍ଡାରେ ଅଧ ଘଣ୍ଟା ଚାଳିଶ ମିନିଟ୍ ଯାଏ ବସିଲୁ ମୋବାଇଲ ଟିପିଲୁ ଇଛା ହେଉଥିଲା ଶୋଇ ପଡ଼ିବାକୁ ସେଇଠି, କିନ୍ତୁ ଆମେ ନିରୁପାୟ ।
କେତେଜଣ ଆସିଥିଲେ ଆସୁଥିଲେ ସମସ୍ତେ ଧିରେ ଧିରେ ଫେରିଲେ ଆମେ ଆଉ କ'ଣ କରି ପାରିଥାନ୍ତୁ, ଆମେ ବି ଫେରିଲୁ ।
ଏଥର କିନ୍ତୁ ଫୁଲ ରୁମ୍ ଯାଏ ଚାଲି ଚାଲି ଫେରିବାକୁ ପଡ଼ିଲା । ପ୍ରାୟ ବାର /ତେର କିଲୋମିଟର ହେବ । ସେଦିନ ପୁରା ହାଲତ୍ ଶୁଖିଗଲା । ରୁମରେ ପହଞ୍ଚିଲା ବେଳକୁ ଦୁଇ ଗୋଡ଼ ଯେମିତି ଛିଡି ପଡୁଥାଏ । ଖରାବେଳର ଭାତ ଆଉ ଅଣ୍ଡା ତର୍କାରି ଯାହା ବଞ୍ଚିଥିଲା ତାକୁ ଖାଇ ଦେଇ ଶୋଇବୁ ଭାବିଲୁ, ଆଉ ରୋଷେଇ କରିବାକୁ ମନ ହେଲାନି । ସୁଶାନ୍ତ ( ସାଙ୍ଗ )କୁ କହିଲି " ଆରେ, ଅଣ୍ଡା ଚାରିଟା ଭୁଜିଆ କରିଦେ, ଖାଇ ଦେଇ ଶୋଇ ପଡିବା । ଓୟେ, ଅଣ୍ଡା ଭୁଜିଆ ପରେ ସୋରିଷ ତେଲ ଆଉ ରସୁଣ ଚାରି କୋଲା ଫୁଟେଇ ଦେବୁ, ଗୋଡ଼ରେ ମାଲିସ୍ କରିବା, ଟିକେ ଆରାମ ଲାଗିବ ।
ଖାଇବା ସରିବା ପରେ ଗରମ ରସୁଣ ଫୁଟା ସୋରିଷ ତେଲ ମାଲିସ୍ କରିଦେଲି ପାଦରୁ ଜଙ୍ଘ ଯାଏଁ । ଶୋଇ ପଡିଲୁ ।
, " କାଲି ସକାଳେ ଯିବା ନା ନାହିଁ ? ଫର୍ମ ପୂରଣ ପାଇଁ ?
ସେ ଦୁହେଁ ମୋତେ ଗାଳି କରି କହିଲେ, ଯଦି ଯିବା କଥା ତୁ ଏକା ପଳା "
ତ ଆଉ ଗଲୁନି । ସକାଳ ନିଷ୍ପତ୍ତି ହେଲା ଏଥର କମ୍ପାନୀ ଯିବାକୁ ।
ରୁମରେ ଖାଲିଟାରେ ବସିଲେ କଣ ହେବ ? କିଛି ପଇସା କମେଇ ଦେବା ତା ସହ ଏ କୋରନା ଟିକେ କମି ଯାଇଥିବ ଆଉ ଟ୍ରେନ ଗାଡ଼ି ଘୋଡା ସବୁ ଚାଲିବା ସ୍ବାଭାବିକ ଭାବେ ଚାଲୁ ତା ପରେ ଯିବା ।
ମୁଁ ବି ଭାବିଲି ହଁ ପ୍ରସ୍ତାବ ମନ୍ଦ ନୁହେଁ । ତେଣୁ ଘରକୁ ଯିବା କଥା ଏବେ ମନରୁ ପୋଛି ଦେଲି । କମ୍ପାନୀ ନିୟମିତ ଭାବେ ଗଲୁ । ଯିବା ଚାରି ପାଞ୍ଚ ଦିନ ହୋଇଛି ।
ବାପା ପୁଣି ଦିନେ ଫୋନ୍ କଲେ -" କେବେ ଆସୁଛୁ ପୁଣି ? କଣ ହେଲା ଆସିବା କଥା ?
ମୁଁ ମନା କଲି ଯିବାକୁ - " ମୁଁ କଣ କରିବି ? କିଛି ତ ହେଉନି ? ଫୋନ୍ ଫାନ୍ ଆସୁନି କୁଆଡୁ, କଣ କିଛି ଗୋଟେ ସ୍ଥିର ହେଲେ ସିନା ମୁଁ ଯିବି କି ନଯିବି କହିବି "
ବାପା କହିଲେ -" ଆରେ ଶୁଣୁ, ସେ ଝିଅର ବାପା ଫୋନ୍ କରିଥିଲେ । କହିଲେ, ପୁଅ କେବେ ଆସିବ ? ତୁ ଆସିଲେ ପୁଣି କଥା ଆଗକୁ ବଢିବ ।
-" କାଇଁ ଆଉ ମାସେ ଯାଉ ଡ୍ୟୁଟି ଫୁଲ୍ କରିଦିଏ ତାପରେ ଗଲେ କଣ ହେବନି ?
ତାପରେ ବାପା ଆଙ୍ଗୁଠି ଗଣିଲେ ବୈଶାଖ... ଆଷାଢ଼.... ଶ୍ରାବଣ .... ଆରେ ଆଷାଢ଼ରେ ବା ଶେଷ ବାହା ଅଛି ?
ନ ଆସିଲେ କେମିତି ହେବ ?
ମୁଁ କହିଲି -" ଏବେ ନଗଲେ ହେବନି ?ମାନେ ଏବେ ବାହା ନହେଲେ ପୁଣି କେବେ ଯାଇ ? କୋଉ ମାସରେ ?
ପୁଣି ବାପା ମାସ ଗଣିଲେ ବୈଶାଖ... ଜୈଷ୍ଠ .... ଆଷାଢ଼ ... ଶ୍ରାବଣ ... ଭାଦ୍ରବ .... ଆରେ ପୁଣି ଯାଇ ଅକ୍ଟୋବର ନଭେମ୍ବର ଆଡକୁ । ବହୁତ ଡେରି ହୋଇଯିବ । ସବୁ ବେଳେ ସୁଯୋଗ ଆସେନି, ବାହା ରାଶିଟା ଫିଟିଛି ତ କରିଦେଲେ କାମ ବଢିବ ନହେଲେ ପଳେଇଲେ ଅସୁବିଧା । ତୁ ସୁବିଧା ଦେଖି ଶିଘ୍ର ପଳେଇ ଆ "
ମୁଁ କହିଲି -" ଦେଖୁଛି କଣ ହେଉଛି, ଯଦି ହେବ ଯିବି ନହେଲେ ନାଇଁ ଦେଖିବା ପରେ କଣ ହେଉଛି ? "
ମୁଁ ଭାବିଲି ଏତେ ମାସ ପୁଣି ଡେରି ହୋଇଯିବ । ମୋ ହିରୋଇନଟାବି ଭାରି ସୁନ୍ଦରୀ ଦିଶୁଛି ଫଟୋରେ । ଯଦି ହାତ ଛଡା ହୋଇଯିବ ଗଲା ।
ଯାହା ହେଉ ମୋତେ ଯିବାକୁ ପଡ଼ିବ, ତାପରେ ବାପା ଆହୁରି କହିଥିଲେ, ଏବେ ବାହା ହେଲେ ଭୋଜି ଭାତ ଖର୍ଚ୍ଚ ବି ବଞ୍ଚିଯିବ । ଲୋକ ଅଧିକ ଭିଡ ହେବାକୁ ସରକାର ମନା କରିଛନ୍ତିି ଯେଣୁ । ସବୁଆଡୁ ଦେଖିଲେ ବାପାଙ୍କ ଆଇଡିଆ କିଛି ମନ୍ଦ ନୁହେଁ ।
ହେଲେ ଗାଁକୁ ଯିବି କେମିତି ? ସେଦିନ ତ ସେ ଭୂତନାଥ ମନ୍ଦିର ପଣ୍ଡିତେ କହିଥିଲେ ଫର୍ମ ପୂରଣ କରିବାର ଶେଷ ଦିନ କାଲି । ( ସତରେ କି ମିଛରେ କହିଥିଲେ ମୁଁ ଜାଣିନି )
ତା ପୂର୍ବ ଦିନ ପାଦ ଗୋଡ଼ର ହାଲ୍ ତ ପୁରା ଖରାପ୍ ହୋଇଯାଇ ଥିଲା ଚାଲି ଚାଲି । ତେଣୁ ତା ପରଦିନ ଯିବାକୁ ଚାହିଁଲେ ବି ଗୋଡ଼ ବିନ୍ଧା ଯୋଗୁଁ ଯାଇ ପାରିନଥିଲୁ ।
ଅଯଥା କାଇଁ ରୁମରେ ବସିବୁ ତେଣୁ ଡ୍ୟୁଟି ଗଲୁ । ପାଞ୍ଚ ଛଅ ଦିନ ଲଗାତାର ଡ୍ୟୁଟି ଗଲା ପରେ । ଦିନେ ସକାଳୁ ସାଙ୍ଗ ସୁଶାନ୍ତ ପାଖକୁ ତା ସାଙ୍ଗ ଜଣେ ଫୋନ୍ କଲା -" ଆରେ ଏବେ ଯିଏ ଓଡ଼ିଶା ଯିବାକୁ ଚାହୁଁଛ ଏବେ ସାଙ୍ଗେ ସାଙ୍ଗେ ଆଠଟା ଭିତରେ ଆସ ଉମରଗାଁଓ, ଏଠି ତୁରନ୍ତ ମେଡ଼ିକାଲ ଟେଷ୍ଟ କରାଯାଇ ଟିକେଟ ଦିଆ ଯାଉଛି । "
ସୁଶାନ୍ତ ମୋତେ ଯେତେବେଳେ ଏ କଥା କହିଲା ମୁଁ ଶୁଣି ଖୁସି ହେଲି । ( ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ) ହେଲେ ଯିବୁ କେମିତି ? ପୁଣି ସେଦିନ ଭଳି ଚାଲି ଚାଲି ଯିବାକୁ ଧୈର୍ଯ୍ୟ ନଥାଏ । ଅଟୋ ବି ମିଳୁନି ସେ ଯାଏଁ । କଣ କରିବୁ ?
ହେସ୍....
ଭାରି ଚିଡି ଚିଡି ଲାଗିଲା ।
ତାପରେ ପଡୋଶୀ ଭାଉଜଙ୍କ ସ୍କୁଟି ମାଗି ଆଣିଲି ଲକ୍ ଖୋଲି ରାସ୍ତାକୁ ଓହ୍ଲେଇ ଆଣିଲି ।
ଗୋଟାକୁ ଡାକିଲି ସେ କହିଲା -" ହେକ୍ ମୁଁ ଏବେ ଗାଁକୁ ଯିବିନି ଯିଏ ଯିବା କଥା ଯାଅ "
ଆଉ ଗୋଟା ରାଜି ହୋଇଥିଲା ମୋ ସହ ଆସିବାକୁ ତାର ପୁଣି କ'ଣ ହେଲା କେଜାଣି ସେ ଡ୍ରେସ୍ ପିନ୍ଧି ସାରି ମନା କଲା କହିଲା, ମୋର ଅଲଗା କାମ ଅଛି । ମୋର ଭାରି ରାଗ ଚିଡିଲା ତା ଉପରେ କହିଲି, ଏଇକ୍ ଯିବୁ ଯଦି ଆ ନହେଲେ ମନା କର୍ ଏମିତି ରଙ୍ଗ ହଅନା ମୋ ସହ ।
ସେ କିଛି କହିଲାନି ମୁଁ ଏକା ସ୍କୁଟି ଷ୍ଟାର୍ଟ କରି ଚାଲିଲି ।
ଯେହେତୁ ବାଟ ଦେଖିଥିଲି ମୋର କିଛି ଅସୁବିଧା ହେଲାନି ।
ପୁଣି ଅଧଘଣ୍ଟା କି ଚାଲିଶି ମିନିଟ୍ ପରେ ସେ ଭୂତନାଥ ମନ୍ଦିରରେ ପହଞ୍ଚିବା ପରେ ସେ ପଣ୍ଡିତେ କହିଲେ । ଆଜି ତୁମେ ଏଠି କ'ଣ ଛିଡା ହୋଇଛ ? ତମ ଓଡ଼ିଶା ଯିବାକୁ ପିଲାମାନଙ୍କୁ ପାଇଁ ଆନନ୍ଦବିହାରରେ ସେଠି ଆଜି ଟିକେଟ କଟା ଯାଉଛି ଶିଘ୍ର ଯାଅ । ପଚାରିଲି ସେଟା କୋଇପଟେ ?
ସେ କହିଦେଲେ ସିଧା ଏପଟେ ଯାଇ ମେନ୍ ରୋଡ୍କୁ ଉଠିଯିବ ତାପରେ ଡାହାଣ ପଟେ ପାଞ୍ଚ ଦଶ ମିନିଟ ବାଟ ଯିବ ସେଇଠି ବାମ ପଟେ ଗେଟ୍ ଲାଗିଛି ଆନନ୍ଦବିହାର ଲେଖା ଅଛି ସେଇଠି ଯିବ, ଏବେ ଯାଅ ।
ମୁଁ ସ୍କୁଟି ବୁଲେଇ ଯାଇ ପହଞ୍ଚିଲି ସେଠି । ଗେଟ୍ ପାଖରେ ଯାଇ ପହଞ୍ଚିଲା ବେଳକୁ । ତାର ଡାହାଣ କଡେ ଗୋଟେ ବଡ ଖୋଲା ପଡିଆ ସେଠି ଟେଣ୍ଟ୍ ବନ୍ଧା ଯାଇଛି ।
ବହୁତ ପିଲା ଜମା ହୋଇଛନ୍ତି ସେଠି । ଡାକ୍ତର ଟିମ୍ କମ୍ପୁଟର ସହ କିଛି କର୍ମଚାରୀ । ପୋଲିସ ଆଉ ମାଇକ୍ରୋ ଫୋନରେ ଘୋଷଣା କରୁଥିବା କିଛି ଯୁବକ ।
ସେ ଘୋଷଣା କରୁଥାନ୍ତି । କେବଳ ଓଡ଼ିଶାକୁ ଯିବାକୁ ଚାହୁଁଥିବା ପିଲାମାନେ ଏଠାରୁ ଟିକେଟ ସାର୍ଟିଫିକେଟ ଆଉ କୁପନ ନେଇ ଯିବେ ଏବଂ ଆଉ ଥରେ ତିନିଟା ସମୟରେ ଆସି ଟ୍ରେନ ଟିକେଟ ନେଇ ସିଧା ଷ୍ଟେସନକୁ ଯିବେ ଆଜିରେ ଟ୍ରେନ ଅଛି । ମୁଁ ଆଉଥରେ କହି ରଖୁଛି, ଯିଏ ପଞ୍ଜିକରଣ କରିଛନ୍ତି ବା ପଂଜିକରଣ କରି ନାହାନ୍ତି ସମସ୍ତେ ଏଠାରେ ନିଜ ଆଧାର କାର୍ଡ ଦେଇ ଟିକେଟ ସଂଗ୍ରହ କରି ପାରିବେ । ଏଠାକୁ ଆସିନଥିବା ନିଜର ପରିଚିତ ବନ୍ଧୁମାନଙ୍କୁ ବି ଜଣାଇ ଦିଅନ୍ତୁ ଏକଥା ।"
ମୁଁ ଯାଇ ସିଧା ଲାଇନରେ ଛିଡା ହେଲି । ଆମ କମ୍ପାନୀର ଗୋଟେ ଚିହ୍ନା ଓଡ଼ିଆ ପିଲା ଆଗରୁ ଛିଡା ହୋଇଥିଲା ମୁଁ ତା ପଛରେ ଯାଇ ଛିଡା ହୋଇଗଲି । ସେ ସେତେବେଳେକୁ ତା ଘରେ କାହାକୁ ଫୋନ୍ କରି ଗାଳି ଦେଉଥିଲା ,ମୋତେ ଦେଖି କହିଲା, " ତମ ମୋବାଇଲରେ ବାଲାନ୍ସ ଅଛି ? ଦେଲ ଟିକେ ହ୍ବାଟସପରେ ଆଧାର କାର୍ଡ ପଠାଇବେ ଘରୁ ମୋର ଚାର୍ଜ ପୁରା ଡାଉନ୍ ବନ୍ଦ ହୋଇଯିବ ମୋବାଇଲ ଏବେ । ସେତେବେଳୁ କହୁଛି ପଠା ଶଳା କିଛି ବୁଝି ପାରୁନାହାନ୍ତି । "
ତାପରେ ମୋ ମୋବାଇଲରେ ନମ୍ବର ଡାଏଲ କରି ତା ଘରକୁ ଫୋନ୍ କରି କହିଲା ମୋ ନମ୍ବରରେ ତା ଆଧାର କାର୍ଡ ପଠାଇବା ପାଇଁ ।
କିଛି ସମୟ ପରେ ଆସିଲା ହ୍ବାଟସପରେ ଆଧାର କାର୍ଡ ମୁଁ ଥାଙ୍କ୍ୟୁ ଲେଖିଦେଲି । ସେ ଲେଖିଲା ହଉ । ମୁଁ ଥାଙ୍କ୍ୟୁ ଲେଖି ନଥାନ୍ତି ଯଦି ଝିଅଟିକୁ ଡିପିରେ ଦେଖି ନଥାନ୍ତି, ସତରେ ଝିଅଟି ବହୁତ ସୁନ୍ଦରୀ ଥିଲା । ମୁଁ ପଚାରିଲି ଇଏ କିଏ କିରେ ? ସେ କହିଲା, ମୋ ଭଉଣୀ । ମୁଁ ପଚାରିଲି, କଣ ? ପଢୁଛି ?
ସେ କହିଲା, ହଁ ତାର ଏବେ ପ୍ଲସ ଟୁ ସେକେଣ୍ଡ ଇୟର ହେଲା ।
ମୁଁ ତା ଫଟୋକୁ ଦୁଇ ତିନିଥର ଜୁମ୍ କରି ଦେଖିଲି ସତରେ ବହୁତ ସୁନ୍ଦରୀ ଆକର୍ଷଣୀୟ ଲାଗୁଥିଲା ଡିପିରେ ।
ତାପରେ ଧାଡ଼ି କମି ଆସୁଥିଲା ମୋ ନମ୍ବର ଆସିଲା, କମ୍ପ୍ୟୁଟର ପାଖରେ ବସିଥିବା ଯୁବକ ଜଣକ ଆଧାର କାର୍ଡ ମାଗିଲେ । ମୁଁ ଦେଲି, ତାପରେ ନାଁ ପଚାରିଲେ ମୁଁ କହିଲି, ଶ୍ରୀମାନେଶ୍ବର ଓଝା । ତାପରେ ମୋ ମୋବାଇଲ ନମ୍ବର ମାଗିଲେ ମୁଁ ଦେଲି । ତାପରେ ଆଉଜଣେ ମ୍ୟାଡାମଙ୍କ ପାଖକୁ ଗଲି । ସେ ମଥା ପାଖରେ ଟେମ୍ପରଚର୍ ମାପିବା ମେସିନ୍ କେଇ ସେକେଣ୍ଡ ଦେଖାଇ ଆଧାର କାର୍ଡ ଦେଖି ମୋ ନାଁ ଲେଖିଦେଲେ ସାର୍ଟିଫିକେଟ ଭଳି ଗୋଟେ କାଗଜରେ । ସେଇ କାଗଜର ତଳକୁ ଦୁଇ କଡେ ଗୁଜରାଟ ସରକାରଙ୍କ କିଛି ଷ୍ଟାମ୍ପ ଛାପା ହୋଇଥିଲା ଆଉ ତା ଉପରେ କିଛି ମାନ୍ୟ ଗଣ୍ୟଙ୍କ ଦସ୍ତଖତ ହୋଇଥିଲା ।
ମୋର ସେସବୁ କଥାରେ କିଛି ନେବା ଦେବା ନଥିଲା ମୁଁ କେବଳ ଏତିକି ଜାଣିଲି ଏ କାଗଜ ଆମକୁ ଓଡିଶା ଯିବାକୁ ସାହାଯ୍ୟ କରିବ ବାସ୍ । ମାନେ, କେହିବି ଅଟକାଇ ବେନି, ବାସ୍ ।
ମୁଁ ପଚାରିଲି ସେ ମ୍ୟାଡାମଙ୍କୁ, " ମ୍ୟାମ୍ ଆଉ କିଛି ଟେଷ୍ଟ କରିବେନି କି ? ବ୍ଲଡ୍ ଅନ୍ୟ କିଛି ? "
ସେ କହିଲେ, " ଆଉ ଯାହା ରହିଲା ତମ ଓଡ଼ିଶାର କରିବ । ଏ ସାର୍ଟିଫିକେଟ ନିଅ ଦେଖିଲେ ତୁମକୁ କେହି କୋଉଠି ଅଟକାଇ ବେନି । "
ମୁଁ ମନେ ମନେ ଭାବିଲି ହାତରେ ସିନା ପ୍ରମାଣ ପତ୍ର କୋରନା ହୋଇନି ବୋଲି । ହେଲେ ରକ୍ତରେ କୋରନା ନଥିବା ବା ଅଧା ବାଟରୁ କୋଉଠି କୋଇନା ମୋ ପାଖକୁ ନ ଡେଇଁବ ବୋଲି କଣମାନେ ଅଛି ?
ମୁଁ ଆଉ କିଛି ଅଧିକ ପଚାରିଲିନି । ଆଉ ଜଣେ ମ୍ୟାଡାମ୍ ମୋ ହାତକୁ ସେ ସାର୍ଟିଫିକେଟ ଆଉ ଗୋଟେ କୁପନ ନେଇ ଦେଲେ ଯୋଉଥିଲେ ତିନି ଶହ ତେୟାଅଶି ଲେଖା ଯାଇଥିଲା ।
କହିଲେ, ୟାକୁ ନିଅ । ତିନିଟା ବେଳକୁ ନିଜର ବ୍ୟାଗ୍ ପତ୍ର ଧରି ଆସିବ ।
ସେମାନେ ମୋ ଠୁଁ ଛଅ ଶହ ନବେ ଟଙ୍କା ରଖିଲେ କହିଲେ ଯେ ,
ତିନିଟା ବେଳକୁ ଆସିଲେ ଟ୍ରେନ ଟିକେନ୍ ମିଳିବ ଓ ସମସ୍ତେ ଷ୍ଟେସନ ଯିବ, ଆଜିରେ ଟ୍ରେନ ଅଛି ।
ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି ଖୁସି ହେଲି । ଗୋଟେ ଦିନେ ଟ୍ରେନ ? ସବୁ କିଛି କ୍ଲିୟର୍ ? ଭଲ ହେଲା । ପୁଣି ଫେରିଲି ଆଉ ଥରେ ଆସିବାକୁ ଅଛିଯେ ତିନିଟା ବେଳକୁ ।
ଫେରି ଆସୁଥିବା ବେଳେ ମନ କହିଲା, ରୁମରେ ଦୁଇଟା ଯାକ ଟୋକା ମନା କଲେ ସିନା ଆସିବାକୁ ମୋ ସହ, ହେଲେ ମୋର ତାଙ୍କୁ ଜଣାଇ ଦେବାଟା ଉଚିତ୍ ହେବ ଏ ବିଷୟରେ । ନହେଲେ ପଛରେ ମୋର ଭୁଲ ଦର୍ଶେଇବେ କିଛି ଦୋଷ ନଥାଇ ବି । ତେଣୁ ଫୋନ୍ କରି ଏଠିକାର ବିବରଣୀ ସବୁକିଛି ସଫା ସଫା ଜଣାଇ ଦେଲି । ସେ ଦୁହିଁଙ୍କ ମନରେ କଣ ଥିଲା କେଜାଣି ? ସବୁ ଶୁଣି ମନା କଲେ । ଏଭଳି ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରୁଛନ୍ତି ଦେଖି ମୁଁ ମନେ ମନେ ବହେ ଗାଳି ଦେଲି ଦୁହିଁଙ୍କୁ ।
ତାପରେ ରୁମରେ ଯାଇ ପହଞ୍ଚିଲା ବେଳକୁ ସେମାନେ ସଫା ସଫି ଚଳେଇଛନ୍ତି ଘର, ବ୍ୟାଗ୍ ପତ୍ର ସଜାଡୁଛନ୍ତି ।
କାରଣ କ'ଣ ପଚାରିବାରୁ କହିଲେ, ଆମର ବି ଯିବାର ଅଛି ଗୋଟେ ଜାଗାକୁ । ମୋର ରାଗ ଥିଲା ସେମାନଙ୍କ ଉପରେ ଅଧିକ କିଛି ଯୁକ୍ତି କଲିନି ତାଙ୍କ ସହ । ତମର ଯାହା ଇଛା ସେୟା କର ।
କିନ୍ତୁ ପରେ ଜାଣିଲି ସେ ଦୁହେଁ ଛୁପାରୁସ୍ତମ୍ ମୋତେ ନଜଣାଇ ମୋ ପଛେ ପଛେ ସେ ଜାଗାକୁ ଯାଇ କୁପନ୍ କାଟି ଆସିଛନ୍ତି ।
ମୁଁ ଧୁଆ ଧୋଇ ହୋଇ ଖାଇବା ସାରି । ବ୍ୟାଗ୍ ପତ୍ର ସଜାଡି ବାହାରିଲା ବେଳକୁ ସେ ବି ବାହାରିଲେ । ଆରପଟ ହଷ୍ଟେଲରୁ ଅନ୍ୟ ପିଲାମାନେ ଯାଉଥିଲେ ଅଟୋରେ ତାଙ୍କ ସହ ଆମେ ଯିବାକୁ ସ୍ଥିର ହୋଇଥିଲା ।
ତ ଗାଁକୁ ଯିବୁ, କେବେ ଫେରିବୁ ତାର କିଛି ଠିକଣା ନାହିଁ ତେବେ ଏ ଗ୍ୟାସ୍ ଚୁଲା ବାଲତି ମଗ ବାସନ କୁସନ ଏତେ ସବୁ କ'ଣ ହେବ କାହା ହେପାଜତରେ ରଖିକି ଯିବୁ ?
ଏମିତି ଦ୍ଵନ୍ଦ୍ୱରେ ଥିବା ବେଳେ ପଡୋଶୀ ଗୁଜରାଟୀ ଭାଇନା କହିଲେ,
" ଆମ ପାଖରେ ସବୁ ରଖି ଦେଇ ଯାଅ, ଯୋଉ ଦିନ ଆସିବ ଆମ ଠାରୁ ନେଇଯିବ । ତୁମର ଯଦି ଆସିବା ଡେରି ହୁଏ ତେବେ ମାଲିକାଣୀ ବୁଢୀ ଘର ଖାଲି କରି ଅନ୍ୟ କାହାକୁ ଦେଇ ପାରେ । ତମ ଜିନିଷ ପଟା କୁଆଡେ ହଜିବ ତାର କିଛି ହିସାବ ରହିବନି । "
ପଡୋଶୀ ଭାଇନା ଠିକ୍ କହୁଥିଲେ । ସେହି ଆଜବେଷ୍ଟସ ଘରେ ରହିବାର ଚାରିମାସ ଭିତରେ ପାଖ ପଡୋଶୀଙ୍କ ସହ ବେଶ୍ ଘନିଷ୍ଠ ହୋଇ ଯାଇଥିଲୁ ଆମେ । ଖାସ୍ କରି ସେ ଭାଉଜ ବହୁତ ମେଳାପି ଥିଲେ ଆଉ ତାଙ୍କର ତିନି ପିଲାମାନେ ବି ବେଶ୍ ମିଶୁଥିଲେ ଆମ ସହ । ସବୁ ବେଳେ ଆମ ରୁମ୍ ଆଗରେ ଆମେ ଥିଲା ବେଳେ ରୁମ୍ ଭିତରେ ଆମ ପାଖରେ ଖେଳି କୁଦି ଦୁଷ୍ଟାମୀ କରି ମାହୋଲଟାକୁ ଏକଦମ୍ ଚଳଚଞ୍ଚଳ କରି ରଖୁଥିଲେ ।
ମୁଁ ଗଲା ପରେ ଏମାନଙ୍କୁ ବହୁତ ମନେ ପକାଇବି । ତେଣୁ ସମସ୍ତଙ୍କୁ ପାଖକୁ ଡାକି ଗୋଟେ ଦୁଇଟା ସେଲଫି ନେଲି । ଚକଲେଟ ଖାଇବାକୁ ଟଙ୍କା ଶହେ ଦେଇ ଆସିଲି ବାଣ୍ଟି କି ଖର୍ଚ୍ଚ କରିବେ ।
ଜିନିଷ ପଟା ସବୁ ଭାଇନାଙ୍କ ଜିମା ଦେଇ ଆସିଲି ରୁମ୍ ତାଲା ପକାଇ । ଘର ମାଲିକାଣୀ ପାଖକୁ ଗଲି ଘର ଚାବି ଦେବାକୁ, ତାର ଦୁଇ ମାସର ଘର ଭଡ଼ା ବି ବାକି ଥିଲା ।
ଆଗରୁ ସେ ବୁଢୀ କହୁଥିଲା, ଗାଁକୁ ଗଲାବେଳେ ପାଖରେ ଯେତିକି ଥିବ ଦେଇକି ଯିବ, ପରେ ବରଂ ଯାହା ଦେବ ।
କିନ୍ତୁ ତାକୁ ଚାବି ଦେଲାବେଳେ ସେ ରଙ୍ଗ ଦେଖାଇଲା ,
କହିଲା, "ସବୁ ପଇସା କ୍ଲିଅର୍ କରି ଯାଅ କେତେବେଳେ ଆସିବ ନ ଆସିବ କିଛି ତାର ଠିକଣା ନାହିଁ ତେଣୁ ସବୁ ଟଙ୍କା ଦେଇକି ହିଁ ଯିବ ... ।
ମୁଁ ଯେତେ ବୁଝାଇଲି ଏବେ କମ୍ପାନୀ ପଇସା ମିଳିନି ପାଖରେ ବି ଏତେ ପଇସା ନାହିଁ ( ପାଖରେ ଯଦିଓ ପଇସା ଥିଲା, ଆମେ କିନ୍ତୁ ଦେବାକୁ ଚାହୁଁ ନଥିଲୁ । ପଇସା ଟିକେ କମ୍ ଥିଲା ସେଥିପାଇଁ ) ହେଲେ ସେ ଦୁହେଁ ବୁଢା ବୁଢ଼ୀ ମୋର କିଛି କଥା ବୁଝିଲେନି ଶୁଣିଲେନି ।
ଆମ ଦୁଇ ଟୋକାଙ୍କୁ ଫୋନ୍ କରି କହିଲି, ବୁଢ଼ୀ ଛାଡୁନି ଆହୁରି ଦେଢ଼ ହଜାର ମାଗୁଛି । କଣ କରିବି ? ଦେଇ ଦେଉଛି ?
ସେମାନେ କହିଲେ, ହଉ ଦେଇ ଦେଇକି ଆସ୍ । ଶଳା କଞ୍ଜୁସ୍ ବୁଢ଼ୀ ଛାଡିବନି ଜମା ।
ସାଙ୍ଗରେ ଯାଇଥିବା ପଡୋଶୀ ଗୁଜରାଟୀ ଭାଇନା ମୋତେ କହିଲେ, " ଯଦି ପଇସା ନାହିଁ ଥାଉ, ମୁଁ ଦେଇ ଦେଉଛି ବ୍ୟସ୍ତ ହୁଅନି ପରେ ମୋତେ ପଠାଇ ଦେବ ।
"ମୁଁ ମନା କଲି, କାରଣ ମୁଁ ଚାହୁଁ ନଥିଲି କାହା ପାଖରେ ବି ଛୋଟ ହେବାକୁ । କାଲିକି କିଏ ଦେଖିଛି ? ଯଦି ଅସୁବିଧା ହେବ ପଇସା ନଦେଇ ପାରିଲି, ତେବେ ?
କିନ୍ତୁ ପଡୋଶୀ ଭାଇନାଙ୍କ ଆପଣାପଣ ଆଉ ସାହାଯ୍ୟ ମନୋଭାବ ଦେଖି ବହୁତ ଖୁସି ଲାଗିଲା, ଆଉ ଘର ମାଲିକାଣୀର କଠୋରପଣ ଦେଖି ସେତିକି ମନ ଖରାପ ମଧ୍ୟ ହେଲା ।
ସତରେ ଦୁଇ ଜଣ ଗୁଜରାଟି । ହେଲେ ,ଜଣେ ଧନୀ ଘର ମାଲିକାଣୀର ମନ ଆଉ ଆମ ପରି ତାଙ୍କ ଆଜବେଷ୍ଟସ ଘରେ ଭଡାରେ ରହୁଥିବା ପଡୋଶୀଙ୍କ ମନ ଭିତରେ ସତରେ କେତେ ଫରକ୍ ?
ସତରେ ଧନୀ କେବେ ଅଭାବିର ମନ କଥା ବୁଝି ପାରେନି ।
ମୁଁ ତାପରେ ବୁଢ଼ୀକୁ ପଇସା ଦେଇ ଆସିଲି । ଆଉ କହିଲି,
"ଦେଖନ୍ତୁ ସମସ୍ତଙ୍କର ଭଲ ସମୟ ଆଉ ଖରାପ ସମୟ ପଡେ ଆଉ ଏମିତି ଜଣକ ଅସୁବିଧା ସମୟରେ ତାର ପରିସ୍ଥିତି ନବୁଝି ମୁହଁ ମୋଡ଼ି ଦେବା ଜମା ଠିକ୍ ନୁହେଁ ।
ତାପରେ ଆମେ ଆର ହଷ୍ଟେଲକୁ ତିନି ଜଣ ଚାଲିକି ଗଲୁ
ରିଜର୍ଭ କରା ଯାଇଥିବା ତିନୋଟି ଅଟୋରେ ପ୍ରାୟ ତିନିଛଅ/ତିନିସାତ ଜଣ ଆଗ ପଛ ହୋଇ ଗଲୁ ଉମରଗାଁଓ ଆଉଥରେ, ଟିକେଟ ଆଣିବା ସହ ଷ୍ଟେସନକୁ ଯିବାକୁ ।
ସେଠି ଓହ୍ଲେଇ ଅଟୋ ଭଡା ଜଣକା ଚାଳିଶି ଟଙ୍କା ହିସାବରେ ତୁଟେଇ ପହଞ୍ଚିଲୁ ପଡ଼ିଆରେ । ତାପରେ ପୁଣି ଧାଡ଼ିରେ ଠିଆ ହେଲୁ । କିନ୍ତୁ ମାଇକରେ ଘୋଷଣା କରାଗଲା, " ଏବେ ଟିକେଟ ଆସିନାହିଁ ବହୁତ ଡେରି ଅଛି । ବିଶୃଙ୍ଖଳା ନକରି ଦୟାକରି ଧୈର୍ଯ୍ୟର ସହ ଧାଡ଼ିରେ ଛିଡା ହୁଅନ୍ତୁ । ଯଦି ପାଦ ବିନ୍ଧୁଛି ତେବେ ସେଇଟି ବସି ପଡନ୍ତୁ "
ଘଣ୍ଟେ ଦେଢ଼ ଘଣ୍ଟେ ପରେ ପ୍ରାୟ ଚାରିଟା ପଚାଶ ବେଳକୁ ଟ୍ରେନ ଟିକେଟ ଆସିଲା । ଶହେରୁ ଦୁଇଶହ, ଦୁଇଶହରୁ ତିନିଶହ, ତିନିଶହରୁ ଚାରିଶହ, ଚାରିଶହରୁ ପାଞ୍ଚଶହ, ପାଞ୍ଚଶହରୁ ଛଅଶହ ସବୁ ଅଲଗା ଅଲଗା ଧାଡ଼ିରେ ସିରିଏଲ ଭଳି ଅଲଗା ଅଲଗା ଟେବଲ ସାମ୍ନାରେ ଛିଡା ହେବାକୁ ଘୋଷଣା ହେଲା ।
ଆମେ ସେମିତି ଛିଡା ହେଲୁ ଆମର ବି ନମ୍ବର ଆସିଲା କିଛି ସମୟ ପରେ । ଆମେ କୁପନ୍ ଦେଲୁ ଟିକେଟ ମିଳିଲା । ତାପରେ ଘୋଷଣା କରାଗଲା ପ୍ରତ୍ୟେକ ବସ ସାମ୍ନାରେ ଚାଳିଶି ପିଲା ହିସାବରେ ଛିଡା ହୁଅନ୍ତୁ ।
ସେ ଗଣା ଗଣି କିଏ କରୁଛି ଆମେ ଯାଇ ଛିଡା ହୋଇପଡିଲୁ ବସ ସାମ୍ନାରେ । ବହୁତ ସମୟ ଖରାରେ ଛିଡା ହେବା ପରେ ତାପରେ ବସରେ ଚଢିବା ପାଇଁ ଘୋଷଣା କରାଗଲା ।
ଜଣେ ଜଣେ ଚଢିଲୁ । ବହୁତ ସମୟ ବସ ଛିଡା ହେଲା ସମସ୍ତ ପିଲା ଗଣା ହେଲେ । ତାପରେ ମାଇକରେ ଘୋଷଣା ପରେ ବସ ସବୁ ଗୋଟି ଗୋଟି ଛାଡ଼ିଲା ।
ପ୍ରାୟ ତେର/ଚଉଦଟା ବସରେ କେବଳ ଓଡ଼ିଶା ପାଇଁ ପିଲା ବସିଲେ । ଗାଡ଼ି ଚାଲିଲା ଭାପି ଷ୍ଟେସନ୍ । ପ୍ରାୟ ଘଣ୍ଟେ ଦେଢ଼ ଘଣ୍ଟେ ପରେ ପହଞ୍ଚିଲୁ ଭାପି ଷ୍ଟେସନରେ । ତାପରେ ସେଠି ଅଧ ଘଣ୍ଟେ ପର୍ଯ୍ୟନ୍ତ ଛିଡା ହେଲା ବସ । କାହିଁକି ନା ଗୋଟେ ବସ ପିଲା ଟ୍ରେନରେ ବସି ସାରି ଫେରିବା ପରେ ଆଉ ଗୋଟେ ବସ ଷ୍ଟେସନ ଭିତରକୁ ପସୁଥିଲା । ପୋଲିସ ଛିଡା ହୋଇଥିଲେ ଜାଗା ଜାଗା । ଆମେ ଧାଡ଼ି ଧାଡ଼ି ହୋଇ ଚାଲିଲୁ । ପୋଲିସ କହୁଥାଏ ଜଳଦି ଚାଲ୍ ଗାଡ଼ି ଛାଡ଼ିବ ସମୟ କମ୍ । ମୁଁ ଚାଲିଥିଲି ତରତର ହୋଇ ବ୍ୟସ୍ତ ଭିତରେ ମୋ ଚକାଲଗା ବ୍ୟାଗ୍ର ହ୍ୟାଣ୍ଡେଲ ଗୋଟେ ପଟ ବାହାରକୁ ବାହାରି ଗଲା, ଛିଡା ହୋଇ ତାକୁ ସଜ କରୁଛି ତ ହଠାତ୍ ଗୋଟେ ପୋଲିସ୍ ବାଲା ଆସି । ବାଡି ଉଚେଁଇ ମୋ ମାକୁ ଗାଳି ଦେଲା । ଏକ୍ ମାଧୁର୍..... ଲାଇନରେ କାଇଁ ଛିଡା ହୋଇନୁ ?"
ମୁଁ ମନେ ମନେ ତାକୁ ଶୋଧିଲି । ଶଳା ଅନ୍ଧଟା କି ବେ ତୁ ? ତୋ ମା .... ଦେଖି ପାରୁନୁ ... ମୋର କଣ ଅବସ୍ଥା ?
ତାପରେ ଟ୍ରେନ ଭିତରେ ଯାଇ ବସିଲୁ । ଅଧଘଣ୍ଟା ଛିଡା ହେଲା ପରେ ଟ୍ରେନ ଚାଲିଲା । ଟିକେ ଶାନ୍ତି ଲାଗିଲା । ଯାହା, ହେଉ ଆମେ ଓଡ଼ିଶା ଫେରିବୁ ଏହା ନିଶ୍ଚିତ ହୋଇଗଲା ।
ମୁଁ ଝରକା ପାଖ ଉପର ସିଟଟା ଅକ୍ତିଆର କରି ଦେଇଥାଏ ଆଉ ମୋ ସାଙ୍ଗଟା ମୋ ତଳେ ଝରକା ପାଖରେ ବସିଲା ,
ଚାଲିଲା ଗାଡ଼ି, ସମୟ ଦେଖିଲି ରାତି ଆଠଟା ଦଶ ।
ଆଗ ଦେଖିଲି ମୋବାଇଲ୍ ଚାର୍ଜର ପାଇଁ ପାଖରେ ଥିବା ପିନରେ କରେଣ୍ଟ ଅଛି କି ନାହିଁ ? ହଁ ଅଛି । ରକ୍ଷା ହୋଇଗଲା, ଯାହା ହେଉ ନହେଲେ ଭାରି ବୋରିଙ୍ଗ୍ ଲାଗିଥାନ୍ତା ମୋବାଇଲ ବିନା । ଘରକୁ ଆଗ ଫୋନ୍ କରି ଜଣାଇ ଦେଲି ଗାଡ଼ି ଛାଡ଼ିଲା ବୋଲି ।
ତାପରେ ଫେସ୍ ବୁକ୍ ୟୁଟ୍ୟୁବ ହ୍ବାଟସଆପରେ ବ୍ୟସ୍ତ ରହିଲି । ମୁଁ ଭାବିଥିଲି ପ୍ରତ୍ୟେକ ବଗିରେ ବୋଧହୁଏ ଗୋଟେ ଗୋଟେ ପୋଲିସ୍ ଥିବେ ନିରୀକ୍ଷଣ କରିବା ପାଇଁ । କିନ୍ତୁ ସେମିତି କେହି ବି ନଥିଲେ । ତାପରେ ସିଟରେ କୋଉଠି ତିନିଜଣ କୋଉଠି ଦୁଇ ଜଣ ଲେଖା ବସୁଥିଲୁ । ଦୂରତାର କିଛି ବି ସଠିକ୍ ନିୟମ ନଥିଲା ଟ୍ରେନ ଭିତର କିଛି ବି ପାଳନ କରା ଯାଉନଥିଲା । ଆମେ ମାସ୍କ ପିନ୍ଧି ଥାଉ, ପାଖରେ ମୋର ସାନିଟାଇଜର ଥାଏ । କିଣିଥିଲି ଆଠପାଞ୍ଚ ଟଙ୍କା ଦେଇ ଯାହା ହେଉ କାମରେ ଆସିଲା ।
ଶହେ ଟଙ୍କା ଦେଇ ଇଅର ଫୋନ୍ କିଣିଥିଲି । ପୂର୍ବ ଦିନ ଏଟିଏମରୁ ପଇସା ଉଠାଇବାକୁ ଆସିଥିବା ବେଳେ । ଯାହା ହେଉ ଗୀତ ଶୁଣି ଶୁଣି ସମୟ କଟିଯିବ । ରାତି ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇ ନଥିଲା ବୋଧହୁଏ । ତେଣୁ ପ୍ରାୟ ଲୋକ ଖାଦ୍ୟ ବଳେଇକି ଆଣିଥିଲେ ସାଙ୍ଗରେ । ରାତି ନଅ / ସାଢେ ନଅ ବେଳକୁ ଖାଇବା ଆରମ୍ଭ କଲେ ଯେଝା ଯେଝା ସିଟରେ । ମୋର ଖାଇବା ପାଇଁ କିଛି ଗରମ ଖାଦ୍ୟନଥିଲେ ବି ବିଶେଷ କିଛି ଚିନ୍ତା ନଥିଲା ।
ଟ୍ରେନରେ ଖାଦ୍ୟ ମିଳିବ କି ନମିଳିବ ଏମିତି ଭାବିକି, କଣ ଶୁଖିଲା ଖାଦ୍ୟ ନେଇକି ଯିବି ? ମାସେ ତଳେ ପଡୋଶୀ ଭାଉଜ ମୁଫତରେ ଦେଇଥିବା ଚାରି କିଲୋ ଗହମକୁ ଗରମ କରି ଭାଜି ଦେଇ ତାକୁ କଳରେ ପେଶି ଆଣିଥିଲି । ସେ ଗହମ ଛତୁଆ ଚକଲେଟ ଡବାରେ ଦୁଇ ଡବା ଫୁଲ୍ ହେଲା ପରେ ଆହୁରି ଦଶ ଥର ଖାଇବା ଭଳି ଛତୁଆ ବଳି ଥିଲା ।
ବାସ୍ ଗୋଟେ ଡବା ସରି ଯାଇଥିଲା ଆଉ ଗୋଟେ ଡବା ଫୁଲ୍ ଥିଲା । ସେଇ ଫୁଲ୍ ଡବାକୁ ସାଙ୍ଗରେ ଆଣିଥିଲି ଟ୍ରେନରେ ଖାଇବା ପାଇଁ । ଯାହା ହେଉ ଟ୍ରେନରେ ପ୍ରଥମ ରାତିଟା ଗହମ ଛତୁଆରେ ଚଳିଗଲା ।
ତାପର ସକାଳ ନଅ /ଦଶ ହେବ ଗାଡି ପହଞ୍ଚିଲା ବଡନେରା ଷ୍ଟେସନରେ । ଏଇଟି ମିଳିଲା ସମସ୍ତଙ୍କୁ ଖାଇବା ,
ଗୋଟେ ପାଣି ବୋତଲ ଆଉ ତା ସହିତ ମସଲା ଭାତ । ଭାତରେ ହରେକ ରକମର ମସଲା ପଡ଼ି ଗୋଳା ହୋଇଛି ଆଉ ତେଜ ପତ୍ର ତା ସହ ଦେଶି ଶୋଲା ବି ପଡିଛି । ଭଲ ସ୍ବାଦିଷ୍ଟ ଲାଗିଲା । ଯାହା ହେଉ ପେଟ ପୂଜା ହୋଇଗଲା ସଭିଙ୍କର । ମନେ ମନେ ଧନ୍ୟବାଦ ଦେଲି ଏସବୁ ବ୍ୟବସ୍ଥାର ଆୟୋଜକ ଆଉ ସମସ୍ତ ସାହାଯ୍ୟକାରୀଙ୍କୁ ।
ତାପରେ ଖରାବେଳେ ଟ୍ରେନ ପହଞ୍ଚିଲା ନାଗପୁରରେ । ଖରାବେଳମାନେ ଦୁଇଟା ସାଢ଼େ ଦୁଇଟା ହେବ ନାଗପୁରରେ ମିଳିଲା ଖାଦ୍ୟ ପାଣି ବୋତଲ ।
ହଁ ଖାଦ୍ୟ ଦୁଇଥର ମିଳି ସାରିଲାଣି ତଥାପି ମନରେ ସନ୍ଦେହ ଥାଏ ଆଗକୁ ପାଣି ଖାଦ୍ୟ ମିଳିବ କି ନାଁ ।
ଏମିତି ବେଳେ ହଠାତ୍ ଫୋନ୍ ଆସେ ପବିତ୍ର ଭାଇଙ୍କର ଫେସବୁକରୁ ପରିଚିତ ଜଣେ ଉଦାର ସ୍ୱଭାବର ମଣିଷ ( ପବିତ୍ର ବ୍ରହ୍ମପୁତ୍ର ନାୟକ )
- " ଭାଇ କଣ ଟ୍ରେନର
େ ଗାଁକୁ ଫେରୁଛନ୍ତି ? ଏବେ କୋଉଠି ? ଏବେ ଆପଣଙ୍କ ପୋଷ୍ଟ ଦେଖିଲିତ ଫେସବୁକରୁ ସେଥିପାଇଁ କଲ୍ କଲି "
ହଁ ମୁଁ କହିଲି, ଏବେ କିଛି ସମୟ ଆଗରୁ ବଡନେରା ଷ୍ଟେସନ ଛାଡିଲା ।
ସେ କହିଲେ, " ଆଉ ଖାଇବା ଠିକ୍ ଟାଇମରେ ମିଳୁଛି ନା ନାଇଁ ?"
- "ଦୁଇଥର ତ ତ ମିଳି ସାରିଛି ଆଗକୁ କଣ କରିବେ କେଜାଣି ଜାଣିନି । "
ସେ ତାପରେ କହିଲେ, "ଡୋଙ୍ଗରଗୁଡା ଷ୍ଟେସନରେ ଆମର ସେ ବନଫୁଲ ପରିବାର ଜଣେ ସଦସ୍ୟ ରେଲ୍ଓ୍ବେରେ ଅଛନ୍ତି, ସେଠି ପହଞ୍ଚୁ ପହଞ୍ଚୁ ଆପଣଙ୍କ ସଂଧ୍ୟା ହୋଇଯିବ । ତ ପହଞ୍ଚିବା ପୂର୍ବରୁ ତାଙ୍କୁ ଜଣାଇଲେ ସେ ଖାଦ୍ୟ ନେଇ ଆପଣଙ୍କ ପାଖେ ପହଞ୍ଚାଇବେ ।
ମୁଁ ଖୁସି ହେଲି ।
ତାପରେ ପଚାରିଲେ, " କେତେଜଣ ଅଛ ? ମୁଁ କହିଲି ଆମେ ତିନି ଜଣ ।
ହଁ ଠିକ୍ ଅଛି ମୁଁ କହି ଦେଉଛି ତାଙ୍କୁ ସେ ଆପଣଙ୍କ ସହ କଥା ହେବେ । ତାପରେ ସେ ବଡ଼ ଭାଇ ( ନିର୍ମଳ ରାଉତ ) ମୋତେ ମେସେଞ୍ଜରରେ କଥା ହୋଇ ନମ୍ବର ମାଗିଲେ ତାପରେ ମୁଁ ନମ୍ବର ଦେଲି । କଥା ହେଲି ତାଙ୍କ ସହ । ସେ କହିଲେ, ଠିକ୍ ଅଛି ଆମ ଷ୍ଟେସନ ପୂର୍ବରୁ ଗୋଇନ୍ଦା ଷ୍ଟେସନ ପଡ଼ିବ ସେଇଟି ପହଞ୍ଚିଲେ ମୋତେ ଜଣାଇବ ସେଠୁ ଘଣ୍ଟାକର ବାଟ, ଆମ ଷ୍ଟେସନ ଡୋଙ୍ଗରଗଡରେ ମୁଁ ଠିଆ ହୋଇଥିବି ।
ମୁଁ କହିଲି - " ହଉ "
ତାପରେ ସେ କହିଲେ -" କେତେ ନମ୍ବର ବଗିରେ ଅଛ ? "
ମୁଁ କହିଲି। -" ମୁଁ ଜାଣିନି, ସେ କହିଲେ ଗଣିକି କୁହ "
ମୁଁ ବଗି ଗଣିବାକୁ କବାଟ ପାଖକୁ ଗଲି ମୁଣ୍ଡ ପଦାକୁ ବାହାର କରି ରହିଲି ଦୁଇ ପଟକୁ । ହେଲେ ଜଣା ପଡୁନଥିଲା କିଛି ଯେହେତୁ ଟ୍ରେନଟି ପୁରା ସିଧା ଚାଲୁଥିଲା । ତେଣୁ ପରେ ଗଣିକି କହୁଛି କହିଲି । ତାପରେ ଟିକେ ପରେ ଗୋଟେ ବୁଲାଣି ଆସିଲା ଏଥର ଗଣି ଦେଲି ଇଂଜିନକୁ ଛାଡି ଆମେ ଚାରି ନମ୍ବର ବଗିରେ ଥିଲୁ ।
ସେ ବଡ଼ ଭାଇ କହିଲେ ଠିକ୍ ଅଛି ମୁଁ ଖାଦ୍ୟ ଧରି ଷ୍ଟେସନ୍ ପାଖରେ ଠିଆ ହୋଇଛି ଆସନ୍ତୁ ତେବେ । ( ତାପରେ ଗୋଟେ ସେଲଫି ମୋ ହ୍ବାଟସପରେ ପଠାଇଲେ ତାଙ୍କୁ ଚିହ୍ନିବା ପାଇଁ। )
ତାପର ମୋ ମନରେ ଗୋଟେ କଥା ଥିଲା ପଚାରିଦେଲି -
" ବଡ଼ ଭାଇ, ଆପଣ ବନଫୁଲରେ ସଂପାଦକ ଅଛନ୍ତି କି ?"
ସେ କହିଲେ -" ହଁ ମୁଁ ଅଛି "
ଶୁଣି ଖୁସି ଲାଗିଲା ।
କଥା ହେବାର ଘଣ୍ଟେ ଦୁଇ ଘଣ୍ଟା ପରେ ସେ ଡୋଙ୍ଗରଗଡ ଷ୍ଟେସନ୍ ଆସିଲା । ପହଞ୍ଚିଲି ଫୋନ୍ କଲି, ସେ କହିଲେ ମୁଁ ଠିଆ ହୋଇଛି ଆପଣ ଆସନ୍ତୁ ।
ମୁଁ କବାଟ ପାଖକୁ ଗଲି ଦେଖିଲି ବଡ଼ ଭାଇ ଆଉ ଜଣକ ସହ ଗୋଟେ ବ୍ୟାଗ୍ ଧରି ଆସୁଛନ୍ତି । ମୁଁ ତାଙ୍କୁ ହାତ ହଲେଇକି ଓହ୍ଲେଇ ପଡ଼ିଲି । ଆଗ ତାଙ୍କୁ ପ୍ରଣାମ କଲି ସେ ପ୍ରତି ପ୍ରଣାମ କଲେ । ଟ୍ରେନଟି ମାତ୍ର ତିନି ମିନିଟ ପାଇଁ ରହିବ ତେଣୁ ପ୍ରଥମେ ଦୁହିଁଙ୍କର ସେଲଫି ନେଲି । ସେ ବି ତାଙ୍କ ମୋବାଇଲରେ ନେଲେ ।
ତାପରେ ପଚାରିଲେ -" ପବିତ୍ରକୁ ଜାଣିଛ ?"
ମୁଁ କହିଲି -" ଭାଇଙ୍କ ସହ ପୁରୁଣା ସଂପର୍କ । ବହୁତ ବହୁତ ଧନ୍ୟବାଦ ବଡ଼ ଭାଇ ଆମ ପାଇଁ ଆପଣ ଏତେ କଷ୍ଟ କରି ନିଜ ହାତରେ ରୋଷେଇ କରି ଆଣି ଏଠି ଖାଇବା ପହଞ୍ଚାଇଲେ ।
ସେ କିଛି କହିଲେନି ଟିକେ ହସି ଦେଲେ । ମୁଁ ତାପରେ ପଚାରିଲି, " ଆଉ ଏଠି କେତେଦିନୁ ? "
ସେ କହିଲେ -" ଆଗରୁ ଅମକ ଜାଗାରେ ଥିଲି ( କୋଉ ଜାଗା କହିଥିଲେ ମନେ ନାହିଁ ) ତାପରେ ଏଠାକୁ ଟ୍ରାନ୍ସଫର୍, ଏଠି ମୋର ଦୁଇ ବର୍ଷ ହେଲାଣି । "
ସେ ରେଳ ବିଭାଗର ସିନିୟର ସେକ୍ସନ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ ।
ବହୁତ ଖୁସି ଲାଗିଲା ଯାହାହେଉ ରେଳ ବିଭାଗର ଜଣେ ବରିଷ୍ଠ କର୍ମଚାରୀ ହୋଇ ମଧ୍ୟ ତାଙ୍କ ମୂଲ୍ୟବାନ ସମୟରୁ ଆମ ପାଇଁ କାଢି ରୋଷେଇ କରି ଆମ ପାଇଁ ଢେର୍ ସମୟ ଯାଏଁ ଅପେକ୍ଷା କରି ଠିଆ ହୋଇଥିଲେ ।
ସେ ବହୁତ ବ୍ୟସ୍ତ ଥିଲେ ତେଣୁ ଖୁବ୍ ଶୀଘ୍ର ବିଦାୟ ନେଇ ଚାଲିଗଲେ । ମୁଁ ଧନ୍ୟବାଦ ସହ ଟ୍ରେନରେ ଚଢିଲି ।
ଟ୍ରେନ ଆଗେଇଲା
କାହାର ଖାଦ୍ୟ ନାହିଁ ( ମତଲବ ଗରମ ରନ୍ଧା ଖାଦ୍ୟ ନାହିଁ ) କିନ୍ତୁ ଆମ ପାଖରେ ଭରପୁର ଖାଇବା । ଖାଇବା ବ୍ୟାଗ୍ ଖୋଲିବାକୁ ଆଉ ଖାଇବାକୁ ଖରାପ ଲାଗୁଥାଏ ସମସ୍ତଙ୍କ ସାମ୍ନାରେ । ହେଲେ କଣ ଆଉ କରାଯିବ, ଖାଇବା କିଛି ବି ଯାଚି ହେବନି କାହାକୁ କୋରନା ପାଇଁ । ତୁମର ରୋଗ ଥାଉ କି ନଥାଉ । ତାଛଡା କଣ ପ୍ରମାଣ ଅଛି ଯେ ଆମ ଦେହରେ କୋରନା ନଥିବାର ।
ଖାଇବା ପୂର୍ବରୁ ପ୍ରଥମେ ଝରକା ଉପର ମୋ ସିଟକୁ ଯାଇ ଖାଦ୍ୟ ଖୋଲିକି ଦେଖିଲି । ତିନି ଜଣଙ୍କ ପାଇଁ ଯଥେଷ୍ଟ ଖାଇବା ଥିଲା ଖାଇକି ଖୁବ୍ ବଳିବ । ଖାଦ୍ୟରେ ଥିଲା, ଭାତ, ଡାଲି, ଛଅଟି ଅଣ୍ଡା ତର୍କାରୀ, ଗୋଟେ ଦହି ପ୍ୟାକେଟ, ପୁରି ଦଶ ବାରଟା, ପୁର ଦିଆ ପିଠା ପରି ଚାରି/ଛଅଟା ( ମୁଁ ତାକୁ ମାଣ୍ଡୁଅ କହେ ) ତା ସହ ପିଆଜ ଲଙ୍କା ଲୁଣ ।
ଖାଲି ସେତିକି ନୁହେଁ ତା ସହ ଗୋଟେ ଗୁଡ୍ ଡେର ବଡ଼ ବିସ୍କୁଟ ସହ ପାଣି ବୋତଲଟେ ।
ସେସବୁ ଖାଇବା ଦେଖିକି ହିଁ ଖାଇବା ପୂର୍ବରୁ ମୋ ପେଟ ପୁରିଗଲା । ଖାଦ୍ୟକୁ ସଜେଇ ରଖି ତା'ର ଭଲ ଫଟୋ ଦୁଇ/ତିନିଟା ଉଠାଇଲି ସ୍ମୃତି ରହିବ ସବୁ ଦିନକୁ ।
କେମିତି କୃତଜ୍ଞତା ଜଣାଇବି ଏ ସାହାଯ୍ୟ ଆଉ ଉଦାରତା ପାଇଁ । ତେଣୁ ପବିତ୍ର ଭାଇଙ୍କୁ ପ୍ରଥମେ ଫୋନ୍ କରି ଜଣାଇ ଦେଲି ଯେ ସେ ବଡ ଭାଇ ( ନିର୍ମଳ ରାଉତ ) ଖାଦ୍ୟ ଦେଇ ଗଲେଣି "
ପବିତ୍ର ଭାଇ କହିଲେ, " ଏସବୁ ଈଶ୍ୱରଙ୍କ ଯୋଗସୂତ୍ର ଭାଇ "
ପବିତ୍ର ଭାଇ ସବୁବେଳେ ଏମିତି ହିଁ କୁହନ୍ତି ।
ପରେ ଅବଶ୍ୟ ଖାଇବା ମିଳିଥିଲା ( ସରକାରଙ୍କ ତରଫରୁ ), ପନ୍ଦର ମିନିଟ୍ ପରେ ଆଗ ଷ୍ଟେସନରେ । ସାଧା ବିରିଆନି ପରି ଭାତ କିଛି ଭାତ ଆଚାର, ପେଡା ମିଠା ଗୋଟେ ଆଉ ପାଣି ବୋତଲ ।
କିନ୍ତୁ ପବିତ୍ର ( ପବିତ୍ର ବ୍ରହ୍ମପୁତ୍ର ନାୟକ ) ଭାଇଙ୍କ ସହଯୋଗ, ଆଉ ବଡ ଭାଇ ନିର୍ମଳ (ନିର୍ମଳ ରାଉତ) ବାବୁଙ୍କ ଉଦାରତା ଦେଖି ମୁଁ ବହୁତ ପ୍ରୀତ ହେଲି । ଦୁଇ ଜଣଙ୍କ ପ୍ରତି କୃତଜ୍ଞତାରେ ଭରିଗଲା ମନ ମୋର ।
ପେଟେ ପେଟେ ଖାଇବା ପରେ, ପୁରି ବିସ୍କୁଟ ମାଣ୍ଡୁଅ ବଳିଥିଲା ( ରଖିଥିଲୁ ସକାଳେ ଖାଇବା ପାଇଁ, ଅଇଁଠା ବି କରିନଥିଲୁ ଆଗ ଦିନ ସୋମବାର ଥିବାରୁ ) । ସକାଳକୁ ପୁଣି ବ୍ରସ୍ କରି ପୁରି ମାଣ୍ଡୁଅ ଖାଇଲୁ ।
ପୂର୍ବ ରାତି ଖାଇବା ପରେ ବଡ଼ ଭାଇ ନିର୍ମଳ ବାବୁଙ୍କୁ ହ୍ବାଟସପରେ ଧନ୍ୟବାଦ ଦେଲି ସ୍ବାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ଦେଇଥିବାରୁ ଆଉ ତାଙ୍କର ଏ ଉଦାରତା ଆଉ ସାହାଯ୍ୟ ପାଇଁ ।
ହଁ ଆଉ ଗୋଟେ ଭଲ କଥା କହିବାକୁ ମନେ ନାହିଁ, ଯୋଉଟା ମୋତେ ସବୁଠୁ ଅଧିକ ଖୁସି ଦେଇଥିଲା ।
ମୁଁ ଗୁଜରାଟ ଛାଡ଼ିବା ପରେ ପରେ ଗୋଟେ ଷ୍ଟେସନରେ ଓହ୍ଲେଇ ନିଜର ସେଲଫି ଉଠେଇ ଫେସବୁକରେ ପୋଷ୍ଟ କରିଥିଲି । ଫେସବୁକ ସାଥିମାନଙ୍କୁ ଜଣାଇବା ପାଇଁ ଯେ ମୁଁ ଗୁଜରାଟରୁ ବିଦାୟ ନେଲି ।
ବହୁତ ବନ୍ଧୁମାନେ ବଡ଼ ଭାଇ ଆଉ ବଡ଼ ଦିଦିମାନେ ଶୁଭେଚ୍ଛା ବାର୍ତ୍ତା, ସ୍ବାଗତମ୍ ବାର୍ତ୍ତା ଆଉ ଖୁସି ବାର୍ତ୍ତାରେ ଭରି ଦେଇଥିଲେ କମେଣ୍ଟ ବକ୍ସ ।
କିନ୍ତୁ କିଛି ସମୟ ପରେ ହଠାତ୍ ଜଣେ ଦିଦି ମେସେଞ୍ଜରକୁ ଆସି ପଚାରିଲେ । ତୁମେ ଗୁଜରାଟରେ ଥିଲ ? ବିଶ୍ୱା ସ ହେଉନି, ନମ୍ବର ଦେଲ ।
ମୁଁ ନମ୍ବର ଦେଲି ସେ ସାଙ୍ଗେ ସାଙ୍ଗେ ଫୋନ୍ କଲେ ।
ଭଉଣୀ ତା ନିଜ ଭାଇ ସହ ବହୁତ ଦିନ ପରେ କଥା ହେଉଛି କି ? ସେହିପରି ଲାଗିଲା ମୋତେ ତାଙ୍କ କଥା ଶୁଣି ।
କହିଲେ ଖୁସି ସହିତ ଆଶ୍ଚର୍ଯ୍ୟ ହୋଇ -" ଭାଇ ଲୋ ମୋ ଭାଇ, ତମେ ଗୁଜରାଟରେ ଥିଲ । ମୋର ବିଶ୍ୱା ସ ହେଉନି । ସବୁବେଳେ ଲେଖା ପୋଷ୍ଟ କର ପଢେ ହେଲେ କେବେ ମୁଁ ଭାବିନଥିଲି ତୁମେ ଏତେ ଦୂରରେ ଥିବ ବୋଲି ।
ହଉ ଜମା ବି ଭୟ କରନି ଭାଇ । ମନରେ ପଜିଟିଭ୍ ଥିଙ୍କିଙ୍ଗ ରଖ । ତମର କିଛି ଅସୁବିଧା ହେବନି, ହଉ ଭାଇ ଶିଘ୍ର ପଳେଇ ଆସ । ହୁସିଆର ଆସିବ ମୁହଁରେ ମାସ୍କ ଆଉ ସାନିଟାଇଜର୍ ପାଖରେ ଅଛି ନାଁ ?
ମୁଁ ହଁ କହିଲି ।
ପୁଣି ଖୁସି ଆଶ୍ଚର୍ଯ୍ୟ ମିଶାମିଶି ସ୍ୱରରେ କହିଲେ, " ସତ କହୁଛି ମୁଁ ଜମା ବିଶ୍ୱାସ କରି ପାରୁନି ତମେ ଏତେ ଦୂରରେ ଥିବ ବୋଲି ! ମୁଁ ଯେତେବେଳେ ପୋଷ୍ଟ ଦେଖିଲି ଛାନିଆଁ ହୋଇଗଲି, ସତରେ ... . "
ତାପରେ ଆହୁରି କେତେ କଥା ହେଲେ । ପରେ କହିଲେ ନମ୍ବର ରହିଲା ଫୋନ୍ କରିବ କଥା ହେବା ।
ମୁଁ ହଁ କହି ଫୋନ୍ କାଟିଲି । ମନଟା ଖୁସିରେ ଭରିଗଲା ଯେମିତି ଏଇ ଗୋଟିଏ ଫୋନ୍ କଲ୍ରେ ।
ସତରେ ବେଳେ ବେଳେ ସଂାପର୍କ ଭିତରେ ଏମିତି ଜଣେ ଜଣେ ଘନିଷ୍ଠ ଆଉ ଆତ୍ମୀୟ ହୋଇ ଯାଆନ୍ତି ଯୋଉଥି ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଇଛା ହୁଏ ।
ଏବେ ବି ଅନୁ ଦିଦି କଥା ହୁଅନ୍ତି । ଭଲ ମନ୍ଦ କଥା ପଚାରି ବୁଝନ୍ତି । ମୁଁ ସବୁକଥା ଖୋଲି କହେ ସେ ବି କୁହନ୍ତି । ଜଣେ ସୁନ୍ଦର ସରଳ ନିଷ୍କପଟ ଝଳନା ଟିକେ ବି ସ୍ପର୍ଶ କରିନଥିବା ମଣିଷ ଟେ ହେଉଛନ୍ତି ମୋ ଅନୁ ଦିଦି । ଆପଣ ଦୁଇଥର ସମ୍ବୋଧନ କରିଛି ତ ତାଗିଦ୍ କଲେ, " ଆପଣ କ'ଣ କହୁଛ ? ଦିଦି ଡାକୁଛ ପରା ? ତମେ କୁହ । "
ଅଧିକ ଖୁସି ଲାଗିଲା । ରେଭେନ୍ସାରେ ଜଣେ ଗବେଷିକା ହୋଇ ମଧ୍ୟ ଛୋଟ ପିଲାଟିଏ ପରି ସରଳ ମନଟିଏ ପାଇଛନ୍ତି ଆମ ଅନୁ ଦିଦି । ମୁଁ ଆଉ କାହା କଥା କହୁନି । ଆପଣ ମାନଙ୍କ ସମସ୍ତଙ୍କ ପ୍ରିୟ ( ଫେସ୍ ବୁକରେ ଜଣେ ସୁ ଦକ୍ଷ ଲେଖିକା, କବୟିତ୍ରୀ ଅନ୍ନପୂର୍ଣ୍ଣା ଦାସ )
ହେଉଛନ୍ତି ମୋ ଅନୁ ଦିଦି ।
ଏତେ ସୁନ୍ଦର ମଣିଷ ଜୀବନରେ ଆସନ୍ତି । ମନେ ମନେ ଭାବନା ଆସେ ଈଶ୍ୱର ଉଦ୍ଦେଶ୍ୟରେ, ଆଗରୁ କାହିଁକି ପରିଚିତ କରନ୍ତିନି ଯେ ଏମିତି ମଣିଷଙ୍କ ସହ ?
ଗପୁ ଗପୁ ବହୁତ କଥା ଗପିଦେଲି ଅନୁ ଦିଦିଙ୍କ କଥା, ଏବେ ପାଇଁ ଏତିକି ଥାଉ । ନହେଲେ ଅନୁ ଦିଦି କହିବେ ମୋତେ ନପଚାରି ସବୁ କଥା ଖୋଲି ଦେଲା ।
ହଁ ତାପର ଦିନ ସକାଳ ହେଲା ସମ୍ବଲପୁରରେ ।
ପାହାଡ଼ କଡର ନାଲି ସୁରୁଜ ଉଇଁବାର ସୁନ୍ଦର ଫଟୋ ପୋଷ୍ଟ ହେଲା ଫେସବୁକ କାନ୍ଥରେ ।
ସକାଳ ନଅଟାରେ ପହଞ୍ଚିଲୁ ଅନୁଗୋଳ ଷ୍ଟେସନରେ । ସେଠାରେ ପୋଲିସ୍ ମାନଙ୍କ କଡ଼ା ନିର୍ଦ୍ଦେଶ ," କେହିବି ତଳକୁ ଓହ୍ଲାଇବ ନାହିଁ । ଯେଉଁ ଜିଲ୍ଲାର ନାଁ ମାଇକରେ ଡକା ହେବ କେବଳ ସେଇ ଜିଲ୍ଲାର ପିଲାମାନେ ହିଁ ତଳକୁ ଓହ୍ଲାଇବେ । "
ପୋଲିସ୍ମାନେ ସବୁ ମୁଣ୍ଡରୁ ଗୋଡ଼ ଯାଏଁ ନିବୁଜ ଧଳା ପୋଷାକ ପିନ୍ଧି ଥାଆନ୍ତି । ଗୋଡରେ କଳା ବୁଟ୍ ଆଣ୍ଠୁ ତଳ ପର୍ଯ୍ୟନ୍ତ । ମୁହଁ କଭର୍ କାଚ ପରି ଧଳା ପ୍ଲାଷ୍ଟିକ ଜରିରେ ।
ପ୍ରଥମେ ଅନୁଗୋଳ ନାଁ ଡକାଗଲା କେବଳ ଅନୁଗୋଳ ପିଲାମାନେ ଓହ୍ଲେଇ ଗଲେ ଟ୍ରେନରୁ । ତାପରେ ଯାଜପୁର, ତାପରେ ଢେଙ୍କାନାଳ .. ସବୁ ଗୋଟି ଗୋଟି ଡକା ଗଲା ତାପରେ ଚାରି/ଛଅଟା ଜିଲ୍ଲା ପରେ ଆମ କେନ୍ଦ୍ରାପଡ଼ା ଜିଲ୍ଲା ଡକାଗଲା । ଗୋଟି ଗୋଟି ଓହ୍ଲେଇକି ଚାଲିଲୁ ଆଗକୁ । ଦୂରତା ରଖି ଧଳା ଗୋଲେଇ କରା ଯାଇଥିବା ବନ୍ଧନୀ ଭିତରେ ।
କଡ଼ରେ ତିନି / ଚାରି ଫୁଟ ଦୂରତାରେ ବସିଥିଲେ ବାବୁମାନେ । ସେ ଡାକିଲେ ତାଙ୍କ ପାଖକୁ ଗଲୁ ଟିକେ ଦୂରେଇ କି ଛଡ଼ାରେ ଠିଆ ହେବାକୁ ଇସାରା କଲେ । ଆମେ ଆହୁରି ଦୂରେଇ ଠିଆ ହେଲୁ । ସେ ପଚାରିଲେ ନାଁ କଣ ? ବାପାଙ୍କ ନାଁ କଣ ? କୋଉ ବ୍ଲକ୍ ? କୋଉଠୁ ଫେରିଲ ?
ଆମେ ସବୁ ଗୋଟି ଗୋଟି ପ୍ରଶ୍ନର ଉତ୍ତର ଦେଉ ଥାଉ ।
ତାପରେ ଆମକୁ ଆଗକୁ ଯିବାକୁ ଇସାରା କଲେ । ବାଉଁଶରେ ଲମ୍ବରେ ବନ୍ଧା ଯାଇଥିଲା ପ୍ରବେଶ ପାଇଁ ଜଣେ ମଣିଷ ଚଉଡାରେ ତିନି / ଚାରିଟା ଦ୍ୱାର । ଆମେ ଦୁଇଜଣ ଗୋଟେ ଲାଇନରେ ଆଗକୁ ଗଲୁ । ଲାଇନ୍ ଶେଷ ମୁଣ୍ଡରେ ଜଣେ ଜଣେ ଠିଆ ହୋଇଥିଲେ ତାପମାତ୍ରା ମପା ଯନ୍ତ୍ରକୁ ମଥାରେ ଲଗାଇ ଆଗକୁ ପରୀକ୍ଷା ପରେ ଡାହାଣ ହାତ ମଣିବନ୍ଧରେ ଗୋଟେ କାଳି ଛପା ଷ୍ଟାମ୍ପ ବାଡାଗଲା, ଯାହା ଶିଘ୍ର ଲିଭିବନି । ତାପରେ ଆଗକୁ ଯିବାକୁ ନିର୍ଦ୍ଦେଶ ଦେଲେ । ଆମେ ଆଉ ଟିକେ ଆଗକୁ ଗଲୁ ତ ଗୋଟେ କଡ଼ରେ ପାଣି ବୋତଲ ଗୋଟେ ଆଉ ଦୁଇଟି ଦଶ ଟଙ୍କିଆ ଗୁଡ୍ ଡେ ବିସ୍କୁଟ ସମସ୍ତଙ୍କୁ ଦିଆ ଯାଉଥିଲା ଆମେ ନେଲୁ ।
ତାପରେ ଆମକୁ ନେବାପାଇଁ ଛିଡା ହୋଇଥିବା ବସରେ ଯାଇ ବସିଲୁ । ବସରେ ଲୋକ ଫୁଲ୍ ହୋଇ ସାରିଥିଲେ ବସ ଚାଲିବା ଡେରି କରୁଥିଲା । ବୋଧହୁଏ ପୋଲିସର ଆଦେଶକୁ ଅପେକ୍ଷା କରିଥିଲା ଡ୍ରାଇଭର୍ ।
ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍ ପରେ ବସ ଛାଡ଼ିଲା ।
ଆମେ ଦୁଇଜଣ ତା ପୂର୍ବରୁ ଗୋଟେ ବିସ୍କୁଟ ଖାଇ ପାଣି ଅଧା ବୋତଲ ପିଇ ସାରିଥିଲୁ । ଆଉ ଜଣେ ଆମ ସାଙ୍ଗରେ ଯିଏ ଥିଲା ସେ ଜଣଙ୍କ ଟ୍ରେନରେ ବସିଥିଲା, ଯେହେତୁ ତାଙ୍କ ପୁରୀ ଜିଲ୍ଲାର ନାଁ ସେପର୍ଯ୍ୟନ୍ତ ଘୋଷଣା କରା ଯାଇ ନଥିଲା ।
ଅନୁଗୋଳରୁ ବସ ଛାଡ଼ିଲା ସମୟ ଦଶଟା ପନ୍ଦର ପାଖା ପାଖି ହେବ ସେଇଠୁ ସିଧା କେନ୍ଦ୍ରାପଡ଼ା । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ପହଞ୍ଚିଲା ଗାଡ଼ି ବିନା ରୁକାବଟରେ । ସମୟ ସେତେବେଳକୁ ଅପରାହ୍ନ ତିନି ଟାରୁ ଚାରିଟା ମଧ୍ୟରେ କିଛି ହୋଇ ସାରିଥାଏ ।
ଓହ୍ଲାଇଲୁ ଜଣେ ଜଣେ । ସେଠାରେ କାର୍ଯ୍ୟ ନିରୀକ୍ଷକମାନେ ନିର୍ଦ୍ଦେଶ ଦେଲେ ସେପଟେ ଧାଡ଼ିରେ ଠିଆ ହେବାକୁ । ଆମେ ସବୁ ଯାଇ ଠିଆ ହେଲୁ ଚୂନରେ ଦିଆ ଯାଇଥିବା ଚିହ୍ନ ଭିତରେ ।
ଆହୁରି ଚାରିଟା ବସ ସେଠି ଛିଡା ହୋଇ ଥାଏ ଆଗରୁ ଆସି ସେମାନଙ୍କ ନାମ ଲେଖା କାର୍ଯ୍ୟକ୍ରମ ସରି ଯାଇଥାଏ ସେମାନଙ୍କୁ ତାଙ୍କ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚାଇବା ପାଇଁ ବସ ପ୍ରସ୍ତୁତ ହୋଇ ସାରିଥାଏ ।
ଗାଡ଼ିରେ ବସିଥିବା ଲୋକମାନେ ବିରକ୍ତି ଭାବ ପ୍ରକାଶ କରୁଥାଆନ୍ତି । ସବୁତ ସରିଲାଣି ବସ ଛାଡିବା ଏତେ ଡେରି କାଇଁ ହେଉଛି ବୋଲି କୈଫିୟତ ମାଗୁଥିଲେ ।
ଏଠିବି ଆମ ଠାରୁ ଦଶ ମିଟର ଦୂରରେ ଟେଣ୍ଟ୍ ବନ୍ଧା ଯାଇଥାଏ ସେଠାରେ କିଛି କର୍ମଚାରୀ ବସି ଥାଆନ୍ତି । ଆଉ ପୋଲିସ୍ମାନେ ଟହଲୁଥାଆନ୍ତି ।
ତାପରେ ଆମକୁ କୁହାଗଲା, " ଯେଉଁ ମାନଙ୍କ ବ୍ଲକ ଗୋଟିଏ ସେମାନେ ଗୋଟେ ଲାଇନରେ ଛିଡା ହୁଅନ୍ତୁ। "
ସମସ୍ତେ ଜାଗା ବଦଳ କରି, ଠିଆ ହୋଇଗଲେ ଯେଝା ଯେଝା ବ୍ଲକ୍ ଧାଡ଼ିରେ । ଆମେ ଦୁଇଜଣ ହିଁ କେବଳ ଗୋଟିଏ ବ୍ଲକ୍ ମହାକାଳପଡ଼ାର ଥିଲୁ ।
ଜଣେ କିଏ ଚଷମା ପିନ୍ଧା ସାର୍ ଚେୟାର ପକାଇ ଆମ ସାମ୍ନାରେ ଚାରି / ପାଞ୍ଚ ଫୁଟ ଦୂରରେ ବସିଲେ ଗୋଟେ ଖାତା କଲମ ଧରି । ଜଣ ଜଣଙ୍କୁ ପଚାରିଲେ । ତମ ନାଁ ? ବାପାଙ୍କ ନାଁ ? ବ୍ଲକ୍ ? ପଞ୍ଚାୟତ ଅଫିସ୍ ?
ସମସ୍ତେ ଜଣ ଜଣ କରି କହୁ ଥାଆନ୍ତି ଆଉ ବସରେ ଚଢିବା ପୂର୍ବରୁ ପାଖ କାର୍ଟୁନ୍ ବକ୍ସରୁ ପଲିଥିନରେ ପଶିଥିବା ଗୋଟେ ପାଣି ବୋତଲ ଆଉ ଗୋଟେ ବିସ୍କୁଟ ନେଇ ଯାଉ ଥାଆନ୍ତି । ଆମ ପାଳି ସବା ଶେଷରେ ପଡ଼ିଲା ଆମେ ସବୁ ବିବରଣୀ ଦେଇ ପଲିଥିନ ଗୋଟେ ନେଇକି ଗଲୁ । ବସ ଛାଡିବା ଡେରି କରୁଥାଏ, ଅଧିକ ଗରମ ହେତୁ ବାହାରକୁ ଯାଇ ଟିକେ ଥଣ୍ଡା ପବନ ଖାଇ ବୁଲା ବୁଲି କଲୁ, ସ୍ପେସାଲ ଆମ ମାନଙ୍କ ପାଇଁ ବନା ଯାଇଥିବା ଆଠ ଦଶଟି ପାଣି ଟ୍ୟାପ୍ରେ ଗୋଡ଼ ହାତ ମୁହଁ ଧୁଆ ଧୋଇ ହେଲୁ । ଟିକେ ଶାନ୍ତି ଲାଗିଲା ତାପରେ ବସରେ ଯାଇ ବସିଲୁ । କିଛି ସମୟ ପରେ ଗାଡ଼ି ଛାଡ଼ିଲା । ତେବେ କୋଉଠି ଆମ କ୍ବାରେଣ୍ଟାଇନ ସେଣ୍ଟର ପଡ଼ିଛି ସେଇଟା ଜଣା ପଡିନଥିଲା ସେତେବେଳେକୁ । ଶୁଣୁ ଶୁଣୁ ଜଣା ପଡ଼ିଲା ଆଳିରେ ।
ପାଖ ଟୋକା କହିଲା, ଇରେ ... ଏତେ ବାଟ ...!
ପ୍ରାୟ ସେଠୁ ପଚାଶ /ଷାଠିଏ କିଲୋମିଟର ଦୂର ହେବ ।
ମୁଖ୍ୟ ରାସ୍ତା ପରେ ଗାଁ ଭିତର ସରୁ ରାସ୍ତା ଦେଇ ବସ ଚାଲି ଥାଏ । ମୁଁ ମନେ ମନେ ହନୁମାନ ରାମଙ୍କୁ ପ୍ରାର୍ଥନା କରୁଥାଏ । କାହାର କିଛି ନହେଉ ଆମେ ସୁରକ୍ଷିତରେ ଯଥା ସ୍ଥାନରେ ପହଞ୍ଚି ଯାଉ ।
ମନରେ ଭୟ ଥାଏ ବସ ଦୁର୍ଘଟଣା କଥା ସବୁ ।
ତାପରେ ବାଟରେ ଦୁଇ ତିନିଟା ଜାଗାରେ ଠିଆ ହେଲା ବସ । ଉପରେ ଇଲେକ୍ଟ୍ରି ତାର କମ୍ ଉଚ୍ଚରେ ଥିବାରୁ ବସ ଛାତରେ ବାଜିବାର ଆଶଙ୍କା ଥାଏ । ତେଣୁ ଗାଁର କିଛି ଲୋକ ସାହାଯ୍ୟ କଲେ । ବସ ଉପରେ ଚଢ଼ି ତାରକୁ ବାଉଁଶରେ ଉପରକୁ ଟେକି ଧରିଲେ । ବସ ଆଗକୁ ଆଗକୁ ଚାଲିଲା । ସେମାନଙ୍କୁ ହୃଦୟରୁ ଧନ୍ୟବାଦ ସହଯୋଗ ପାଇଁ ।
କିଛି ପିଲା ତ ଓହ୍ଲେଇ ପଡ଼ିବାକୁ ଜିଦି ଧରି ବସିଲେ ଇଲେକ୍ଟ୍ରି ତାର ଭୟରେ । କିନ୍ତୁ କୋରନା ପାଇଁ ଗାଁ ଅଧାରେ ଓହ୍ଲେଇଲେ କଣ କାଳେ ବିଘ୍ନ ଉପୁଯିବ ସେଥିପାଇଁ ସେମାନେ ଥୟ ଧରିଲେ ।
ତାପରେ ଜାଗା ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ସଂଧ୍ୟା ହୋଇଗଲା । ବସରୁ ଓହ୍ଲେଇ ପଡି ପଢିଲି ଗେଟରେ ଲେଖା ଅଛି, ମହାଦେଇ ପାଟଣା ଆବାସିକ ସେବାଶ୍ରମ, ବ୍ଲକ୍ - ଆଳି, କେନ୍ଦ୍ରାପଡ଼ା, ସ୍ଥାପିତ -୧ନଅ ପାଞ୍ଚଚାରି ।
ସେଠି କିଛି ସାର୍ମାନେ ଠିଆ ହୋଇଥିଲେ । ବସ ଭିତରେ ଆମେ ଚାରିପାଞ୍ଚ ଜଣ ଭଳି ଥିଲୁ କିଛି ସମୟ ସାର୍ ମାନଙ୍କର ବିଚାର ବିମର୍ଶ ହେଲା ସ୍କୁଲ ଭିତରେ ଥିବା ବେଡ୍ ସଂଖ୍ୟା କମ୍ ଥିଲା ।ମାନେ ତିନିସାତ ଜଣଙ୍କ ପାଇଁ ବେଡ୍ ଥିଲା । ତେଣୁ ଆମେ ତିନିସାତ ଜଣ ବସରୁ ଓହ୍ଲେଇଲୁ । ବାକି ସବୁ ପାଖ ଏକ ସ୍କୁଲକୁ ଗଲେ ।
ଆମେ ଓହ୍ଲେଇକି ଜଣେ ଜଣେ ଦୂରତା ରଖି ଆମ ବ୍ୟାଗ୍ ପତ୍ର ଧରି ଆଗ ପଛ ହୋଇ ଠିଆ ହେଲୁ । ଜଣେ ଜଣେ ଆଗକୁ ଯାଉ ଥାଆନ୍ତି, ମୋ ପାଳି ଆସିଲା । ପିଣ୍ଡାରେ ବସିଥିବା ସାର୍ ଜଣକ ପଚାରିଲେ
_" ନାଁ କୁହ "
ମୁଁ କହିଲି - ଶ୍ରୀମାନେଶ୍ବର ଓଝା
-" ବ୍ଲକ୍ ?"
-" ମହାକାଳପଡ଼ା "
-" ପଞ୍ଚାୟତ ?"
-" ବରକନ୍ଧା "
-" ମୋବାଇଲ ନମ୍ବର କୁହ "
ମୁଁ କହିଲି -" ସିକ୍ସ ଥ୍ରୀ ଡବଲ ଫାଇଭ୍ ଓ୍ବାନ୍ ଟ୍ରିପଲ୍ ଥ୍ରୀ ଜିରୋ ...."
ତାପରେ ସେ କହିଲେ, ତମର ସାତ ନମ୍ଵର ରୁମ୍ ତେତିଶି ନମ୍ବର ବେଡ୍ ।
ପଚାରିଲି କୋଉଟା ?, ସେ ଆଙ୍ଗୁଠି ଇସାରା କଲେ ସାମ୍ନାକୁ ।
ମୁଁ ଗଲି ସାମ୍ନା ରୁମକୁ ପ୍ରବେଶ ଦ୍ୱାର ଉପରେ ଲେଖା ଥିଲା ସୁବାଷ ବୋଷ୍ କକ୍ଷ, ଭିତରକୁ ଗଲି ରୁମ୍ ଭିତରେ ସାତଟି ଲୁହା ଖଟିଆ ପଡ଼ିଛି ଅଲଗା ଅଲଗା ଦୁଇ ଫୁଟ ଦୂରତା ହିସାବରେ । ସ୍କୋୟାର ପାଇପ୍ର ଲୁହା ଖଟିଆ ସବୁ ସମାନ ଦୁଇ ଫୁଟ ଚଉଡ଼ା ଆଉ ଛଅ ଫୁଟ ଲମ୍ବର । କୋରନା ପାଇଁ ସ୍ପେସାଲ ତିଆରି ହୋଇଛି । ସେଥିରେ ଗଦି ଫିଟିଙ୍ଗ୍ ହୋଇଛି । ବାକି ତକିଆ ଖୋଳ ସହ ଆଉ ଗୋଟେ ପତଳା ବେଡ଼ ସିଟ୍ ତା ଉପରେ ବିଛା ଯାଇଛି ।
ଆମର ଦୁଇଦିନ ହେଲାଣି ଗାଧୁଆ ପାଧୁଆ କିଛି ନାହିଁ ଦେହ ଅସ୍ତ ବ୍ୟସ୍ତ ଲାଗିଲାଣି । ପ୍ରଥମେ ଡ୍ରେସ୍ ବଦଳାଇ ପଚାରିଲୁ, ଟଏଲେଟ ବାଥରୁମ୍ ଆଉ ପାଣି ସୁବିଧା କୋଉଠି ?
କର୍ମଚାରୀ ଜଣେ କହିଦେଲେ ସେ ମୁଣ୍ଡରେ ଅଛି ବୋଲି । କିନ୍ତୁ ସେଠି ପାଣି ସୁବିଧା ଦେଖିବା ବେଳକୁ ଗୋଟିଏ ହିଁ ଟିୟୁବଓ୍ବେଲ । ଟଏଲେଟ ସାତଟା ତାପରେ ମୋ ସାଙ୍ଗ ଠେକୁଆ ( ମୁଁ ତାକୁ ଠେକୁଆ ବୋଲି ଡାକେ ) ମୋବାଇଲ ଟର୍ଚ୍ଚ ନେଇ ଖୋଜି ପକାଇଲା ଗୋଟେ ଜାଗାରେ ପାଇପ୍ କନେକସନ୍ ହୋଇଛି ପାଣି ବି ବାହାରୁଛି । ତେଣୁ କିଛି ସମୟ ପରେ ଆମର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଆମକୁ ଦେଇ ଗଲେ । ତାଙ୍କ ସେବାଶ୍ରମ ନାମ ଛପା ଥିବା ଗୋଟେ ବ୍ୟାଗରେ ଆଇନା, ପାନିଆ, ବସ, ପେଷ୍ଟ, ମାସ୍କ, ଛୋଟ ତେଲ ବୋଟଲ, ଗୋଟେ ସାବୁନ, ସର୍ଫ, ପାଣି ବୋତଲ, ଦାଢ଼ି କାଟିବା ପାଇଁ ଜିଲେଟ୍ ବ୍ଲେଡ୍ ଆଉ ତା ସହିତ ଥିଲା ଛୋଟ ପ୍ଲାଷ୍ଟିକ ବାଲଟି ସହିତ ଜଗ୍ । ପରେ ବି ଆସିଲା ଗୋଟେ ( ପାଞ୍ଚଟା ଜାଗା ଥିବା ) ଗୋଟେ ଷ୍ଟିଲ୍ ଥାଳି ।
ମୁଁ ବାଲଟି ଜଗ୍ ସାବୁନ ତେଲ ଧରିକି । ଡ୍ରେସ୍ ପାଲଟି ସାରି ପ୍ରଥମ ଟଏଲେଟ ଗଲି ତାପରେ ଦୁଇ ଦିନର ଝାଳୁଆ ଗନ୍ଧ ଅପରିଷ୍କାର ଡ୍ରେସ୍କୁ ସର୍ଫରେ ସଫା କଲୁ ତାପରେ ଭଲକି ସାବୁନ ତେଲ ଲଗେଇ ଭଲକି ଗାଧୋଇ ସାରିଲା ପରେ ରୁମରେ ଆସି ଡ୍ରେସ୍ ବଦଳେଇ ସାରି ବସିଲୁ ।
କେତେବେଳେ ଖାଇବା ଆସିବ ଆଉ କ'ଣ ଆସିବ, ଏ କଥା ଭାବୁ ଭାବୁ ରାତି ଆଠଟା ତିରିଶି ବେଳକୁ ପଲିଥିନରେ ସେବାଶ୍ରମ ଗେଟ୍ ପାଖକୁ ଅଟୋରେ ଦୁଇ ଜଣ ଲୋକ ଖାଦ୍ୟ ଧରିକି ଆସିଲେ । ଆମକୁ ଡକାଗଲା । ଆମେ ଜଣେ ଜଣେ ଗଲୁ ଥାଳି ନେଇ ମୁହଁରେ ମାସ୍କ ପିନ୍ଧି କି ଗୋଟେ ଗୋଟେ ପଲିଥିନ ଧରି ଆସିଲୁ ।
ସେ ରାତିର ଖାଇବାଟା ଖୁବ୍ ଶାନ୍ତି ଲାଗିଲା । ଖାଇବାରେ ଆସିଥିଲା, ଭାତ, ଘନ ହରଡ ଡାଲି, ଦେଶୀ ଶୋଲା ତର୍କାରୀ । ଭୀଷଣ ଭୋକ ସାଙ୍ଗକୁ ସ୍ୱାଦକର ଖାଇବା । ବାସ୍ ଏଥର ଟିକେ ଶାନ୍ତି ଲାଗିଲା ।
ରୁମ୍ ଭିତରେ ଦୁଇଟି ସିଲିଂ ଫ୍ୟାନ୍ ଲାଗିଛି । ମୋ ତେତିଶି ନମ୍ବର ଖଟିଆଟି ଏକଦମ୍ ମଝିରେ ହିଁ ପଡ଼ିଥିଲା । କିନ୍ତୁ ସେଠାରେ ଏତେ ପବନ ବାଜୁନଥିଲା । ତଥାପି ଟ୍ରେନ ମାଡ଼ ଖିଆ ଦେହଟା ଶୋଇ ପଡ଼ିଲା । ହେଲେ ବଡ଼ ଅସୁବିଧା ଗୋଟିଏ ଥିଲା ସେ ରୁମ୍ ଭିତରେ ଆମେ ସାତ ଜଣ ଥିଲୁ ହେଲେ ମୋବାଇଲ୍ ଚାର୍ଜ କରିବା ପିନ୍ ଗୋଟେ ଥିଲା । ସମସ୍ତେ ଆଗ ପଛ ହୋଇ ବସେଇଲେ । ମୁଁ ରାତି ସାଡେ ତିନିଟା ବେଳକୁ ଉଠି ମୋବାଇଲ ଚାର୍ଜରେ ଲଗେଇ ଦେଲି ।
ମୋର ସକାଳକୁ ଆରାମରେ ଫୁଲ୍ ଚାର୍ଜ ହୋଇଗଲା । ସକାଳୁ ଉଠି ମୁହଁ ଧୋଇ ଚାରିଆଡ଼େ ଭଲକି ଦେଖିଲି । ଭଲ ସୁନ୍ଦର ପ୍ରସସ୍ଥ ଜାଗା ଟିଏ । ସାମ୍ନାରେ ବାମ ପାଖରେ ସିମେଣ୍ଟ ବାଡା ଘେରା ବଉଳ ଗଛ, ମଲ୍ଲି ଫୁଲ ପରି ଛୋଟ ଛୋଟ ଫୁଲ ଥିବା ଗଛ ଆହୁରି କେତେ ଡିଜାଇନର ଫୁଲ ଗଛ ଆହୁରି ବଡ ବଡ ଫୁଲ ଗଛ ବେଶ୍ ସୁନ୍ଦର ଦିଶୁଛି ।
ଆଉ ସିଧା ସାମ୍ନାରେ ବାହାର ଗେଟ୍ ପାଖରେ ଅଫିସ୍ ଥିଲା । ତାର ପଛକୁ ଲମ୍ବାର ଆଠ ବଖରା ପଢା ରୁମ୍ । ଆମ ପାଞ୍ଚ ବଖରା ରୁମ୍ ବି ସେମିତି ହେଲେ ସେ ରୁମ୍ ଗୁଡିକଟି ସିଧା କିନ୍ତୁ ଆମର ଏଲ୍ ଟାଇପର ଘର । ତାପରେ ଆମ ରୁମରୁ ବାହାରି ଡାହାଣ ପଟକୁ ଗଲେ, ଗୋଟେ ଗେଟରେ ତାଲା ଲାଗି ଉପରେ ଲେଖା ଯାଇଛି " ବାଳିକା ଛାତ୍ରୀ ବାସ " ତା ତଳକୁ ଲେଖା ଥିଲା "ପ୍ରବେଶ ନିଷେଧ " ।
ସେଇ ଲେଖାଟିକୁ ଦେଖିବା ବେଳୁ ମୁଁ ମନେ ମନେ ଭାବୁଥାଏ ଲେଖାଟି କେବେ ବି ଠିକ୍ ଲେଖା ହୋଇନି । ବଡ଼ ଦିଦି କେତେ ଜଣ ବନ୍ଧୁଙ୍କୁ ଫୋନ୍ କରି ପଚାରିଲି ବୁଝିଲି । ମୋ ଅନୁମାନ ଆଉ ତାଙ୍କ କହିବା ମୁତାବକ । ଯଦି ଛାତ୍ରୀ ଲେଖା ଅଛି ତାପୂର୍ବରୁ ବାଳିକା କାଇଁ ଲେଖା ହୋଇଛି । ତାପରେ ଶେଷରେ ଆବାସ କିମ୍ବା ନୀବାସ ପରିବର୍ତ୍ତେ କେବଳ ବାସ କାଇଁ ଲେଖା ଯାଇଛି ?
କେବେ ଜଣାଇବି ସାର୍ କିମ୍ବା ମ୍ୟାଡାମଙ୍କୁ ସେ ଭୁଲ୍ଟା ସଂଶୋଧନ କରେଇ ଦେବେ ।
ସେ ଛାତ୍ରୀ ନୀବାସ ଫାଟକର ଠିକ୍ ସାମ୍ନା କାନ୍ଥକୁ ଲାଗିକି ଡାହାଣ ପଟରେ ସିମେଣ୍ଟ ବାଡା ଘେରା ଛୋଟ ନାଲି ମନ୍ଦାର ଆଉ ଗୋଲାପି ରଙ୍ଗର ମନ୍ଦାର ଫୁଲ ଗଛ ବେସ୍ ସୁନ୍ଦର ଦିଶୁ ଥାଆନ୍ତି । ଆଉ ତା ସାଙ୍ଗକୁ ଛୋଟ ନଡ଼ିଆ ଗଛ ପରି ଡିଜାଇନର ଗଛ ବି ବେଶ୍ ଆକର୍ଷଣୀୟ ଲାଗୁଥାଏ । ତାର ଟିକେ ଆଗକୁ ଗଲେ ଡାହାଣ ପଟେ ଛୋଟ ରୁମ୍ ଭିତରେ ଗ୍ୟାସ ଟାଙ୍କି ଭରିବା ପାଇଁ କିଛି ଝୁଲା ପାଇପ୍ କନେକ୍ସନ୍ ହୋଇଥାଏ ଆଉ ଗେଟ୍ ପାଖକୁ ଲାଗିକି ହୋଇଥାଏ ଆଉ ଗେଟ୍ ପାଖକୁ ଲାଗିକି ଗୋଟେ ଅଦରକାରୀ ବଡ଼ ଫିଲଟରଟେ ଥାଏ । ତା ବାମ ପଟକୁ ଶେଷ ମୁଣ୍ଡକୁ ପାଣି ପାଇପ କନେକ୍ସନ୍ ଆଠ/ଦଶଟି ପାଣି ଟ୍ୟାପ୍ ପାଇଁ ଜାଗା ଅଛି କିନ୍ତୁ ଦୁଇଟି ଲାଗିଛି ବାକି ସବୁ ବନ୍ଦ ଅଛି । ତାର ସିଧା ବାମ ପଟକୁ ବଡ଼ ଫାଙ୍କା ପଡିଆ ପ୍ରଥମରେ ଟିୟୁବଓ୍ବେଲ, ଶେଷ ଆଡକୁ ପରିଶ୍ରା ପାଇଁ ଖୋଲା ଘର ପାଞ୍ଚଟି । ବାମ ପଟକୁ ପକାର ଗୋଟିଏ ଡଷ୍ଟବିନ୍ । ତାହାର ଡାହାଣ ପଟକୁ ଟଏଲେଟ ଚାରିଟା ତା ପଛକୁ ଆଉ ତିନିଟା ।
ସକାଳୁ ସକାଳୁ ପିଲା ମାନଙ୍କ ମନରେ ଅଶାନ୍ତି । ଅଭିଯୋଗ କଲେ ଚାରିଟା ଟଏଲେଟରେ ମଳ ସଫା ହୋଇନିମାନେ କାଇଁ କେତେ ଦିନୁ ପଡି ରହିକି ମୁହଁ ବନ୍ଦ । ଆଲୋଚନା ହେଲା ସାର୍ କି ମ୍ୟାମ୍ ଆସିଲେ ସେମାନଙ୍କୁ ଜଣାଇବେ ।
ସକାଳ ସାଢେ଼ ସାତ ଆଠ ବେଳକୁ ଜଣେ ମୋଟି ମ୍ୟାଡାମ୍ ( ଖରାପ ଭାବିବନି ମୋ ଆଖିକୁ ଯାହା ଦେଖାଯାଏ ମୁଁ ସିଧା କହିଦିଏ ) ଆଉ ଦୁଇ ଜଣ ଆଶା କର୍ମୀ ଶାଢ଼ୀରେ ପତଳା ସ୍ତ୍ରୀ ଲୋକ ଭିତରକୁ ଆସିଲେ ଅଫିସ୍ ଘରକୁ ଗଲେ ।
ପିଲାମାନଙ୍କୁ ବୋଧହୁଏ ଲାଜ ଲାଗିଲା ସେ ଟଏଲେଟ କଥା କହିବାକୁ ।
ତା ପରେ ଆଠ ସାଢେ ଆଠ ବେଳକୁ ଆସିଲା ଖାଦ୍ୟ ଉପମା, ଡାଲମା ପଲିଥିନରେ । ଆମେ ସବୁ ଥାଳି ନେଇ ଗଲୁ ଗେଟ୍ ପାଖରୁ ଆଣିକି ଆସିଲୁ । ଗାଧୁଆ ଗାଧି ନିତ୍ୟକର୍ମ ସାରି ଆମେ ଉପମା ଡାଲମା ଖାଇ ଯେଝା ଯେଝା କାମରେ ମାତିଗଲୁ । କିଏ ଶୋଇବା କାମରେ ତ ଆଉ କିଏ ମୋବାଇଲ ଟିପା କାମରେ । ଆଉ କିଏ ବୁଲିବା ବସିବା କାମରେ ।
ଆଉ ଟିକେ ପରେ ନଅ / ଦଶ ବେଳକୁ ସାର୍ ଜଣେ ଆସିଲେ ଅଫିସ୍ ପାଖକୁ । ପିଲାମାନଙ୍କୁ ଡାକି ଭଲ ମନ୍ଦ କଥା ପଚାରିଲେ । ପିଲାମାନେ ଅଭିଯୋଗ କଲେ ଚାରିଟା ଟଏଲେଟ ପ୍ୟାନ୍ ସଫା ହୋଇନି, ଅପରିଷ୍କାର ହୋଇ ପଡ଼ିଛି ଶୁଖିଲା ମଳରେ ମୁହଁ ବନ୍ଦ ହୋଇ ପଡ଼ିଛି ତାର କିଛି ଗୋଟେ କରନ୍ତୁ ? ନହେଲେ ଏତେ ପିଲା ଚଳିବୁ କେମିତି ଦୁଇଟା ଟଏଲେଟରେ ?
ସାର୍ କହିଲେ ଠିକ୍ ଅଛି ଏ ଦାୟିତ୍ଵରେ ଥିବା ସେ ଟୋପି ଭାଇଙ୍କୁ ମୁଁ କହୁଛି ସେ ଟୋପି ଭାଇ ତାକୁ ସଫା ସଫି କରେଇ ଦେବେ ।ତମେ ବ୍ୟସ୍ତ ହୁଅନି । ପିଲାମାନେ ଏବେ ତାଙ୍କ ଅନ୍ୟ କାମରେ ମନ ଦେଲେ ।
ତା ପରଦିନ ସେଇ ଟୋପି ଭାଇ ବି ଆସିଲେ ପିଲାମାନେ ଆଉ ଥରେ ସେଇ ଟଏଲେଟ ବାବଦ ଅଭିଯୋଗ କଲେ ।ସେ କହିଲେ ହୋଇ ଯିବ ସଫା ବ୍ୟସ୍ତ ହୁଅନି ।
ପିଲା ମାନଙ୍କ ମନରେ ଅଶାନ୍ତି ଉପୁଜିଲା ଆମ ଭିତରୁ ଜଣେ ବୟସ ଚାଳିଶି କିନ୍ତୁ ଦୁଇଦୁଇ ବର୍ଷୀୟ ମନ ଥିବା ଲୋକଟିଏ ଯାଇ ସେ ଟଏଲେଟର ଭିଡିଓ କରି ଏ ବିଭାଗରେ କୈାଣସି ଏକ କାର୍ଯ୍ୟରେ ନିୟୋଜିତ ଥିବା ତା ପରିଚିତ ସରକାରୀ କର୍ମଚାରୀଙ୍କ ପାଖକୁ ପଠାଇ ଦେଲା ।
ତା ପରଦିନ ସରପଞ୍ଚ ସମେତ ସେ ଟୋପି ଭାଇ ଆଉ ଦୁଇ ଜଣ ମେହେନ୍ତର ଲୋକ ଆସି ଟେଏଲେଟ୍ ସଫା କରିବା ସହ ପଛ ପାଇପ୍ ଜାମ୍ ହୋଇ ଯାଇଥିଲା ତାକୁ ବାହାର କରି ନୂଆ ପାଇପ୍ ବସେଇ ଦେଇ ଗଲେ ।
ତା ପରଦିନ ସଂଧ୍ୟାରେ ସରପଞ୍ଚ ବାବୁ ଆସି ଅଫିସ୍ ସାମ୍ନାରେ ବସି କହିଲେ -" ସେ ବଳରାମ ସାହୁ କିଏ ? ଡାକିଲ ତାଙ୍କୁ "
ସେଇ ଲୋକଟି ଆସିବାରୁ ସରପଞ୍ଚ କହିଲେ -" ଆଛା ତମେ ସେ ଟଏଲେଟ ଭିଡିଓ କରି ସେ ଅମକ ( ମୋର ନାମ ମନେ ନାହିଁ )ବାବୁଙ୍କ ପାଖକୁ ପଠାଇ ଥିଲ ?"
ସେ କହିଲେ - " ହଁ ମୁଁ ପଠାଇଥିଲି "
ତାପରେ ସରପଞ୍ଚ -" ଜାଣିଛ ସେ ଅମକ ବାବୁଙ୍କ ସହ ମୋର କେତେ ବର୍ଷର ଚିହ୍ନା ? କାଇଁ ଅଯଥା ପଠାଇଲ ? ସେ ସେଇ ଭିଡିଓକୁ ନିୟୁଜରେ ଛାଡିଦେଲେ ଆମ ସ୍କୁଲ ନାଁ ବଦନାମ ହେଲା "
ତାପରେ ସେ କହିଲା -" ଆମେ ତ କହି କହି ଦୁଇଦିନ କାଳ କେହି ଶୁଣିଲେନି, କିଛି କଲେନି । ତେଣୁ ବାଧ୍ୟ ହୋଇ ଆମେ ପଠାଇଲୁ ।
ତାପରେ ସରପଞ୍ଚ କହିଲେ - " ତମେମାନେ କହିବାର ତା ପରଦିନ ତ ଆମେ କଲୁ ।
କିଛି ପିଲା କହିଲେ ନାଇଁ ତ ଦୁଇ ଦିନ ପରେ ଯାଇ ସଫା ହେଲା, ଏ ଭିଡିଓ କଲି ତାଙ୍କୁ ପାଖକୁ ଛାଡିବା ପରେ ।
ତାପରେ ସରପଞ୍ଚ ବୁଝାଇବା ଢଙ୍ଗରେ କହିଲେ ତମେ ବୁଝି ପାରୁନ । ଏବେ କୋରନା ପରିସ୍ଥିତି କେହି ଭୟରେ ଘରୁ ବାହାରୁ ନାହାନ୍ତି । ମେହେନ୍ତରକୁ ବାଧ୍ୟ କରି କେତେ କଷ୍ଟରେ ଆମେ ଆଣିଲୁ ତାହା ଆମେ କେବଳ ଜାଣିଛୁ । ଖାଲି ଏଇଟି ବସିକି କହି ଦେଉଛ ?
କିଛି ସମୟ କଥା କଟା କଟି ପରେ ସେ କଥା ସେଇଟି ଥମିଲା । ବାସ୍ ରାତିରେ ପୁଣି ଖାଦ୍ୟ ଆସିଲା ଗେଟ୍ ପାଖକୁ ଭାତ ଡାଲି ବୁଟ ତର୍କାରୀ ।
ରହିଲୁ ସାତ ଦିନ ବିଶେଷ କିଛି ଅସୁବିଧା ହୋଇନି । ବରଂ ଆରାମ ଆଉ ଅଳସୁଆମି ଲାଗିଛି ଖାଇ ଶୋଇ ଶୋଇ ।
ତିନିଟି ଆମିଷ ବାରରେ ଅଣ୍ଡା ମାଛ ଆଉ ଚିକେନ୍ ହୋଇଛି । ଏତେ ଭଲନଥିଲେ ବି ଏତେ କିଛି ଖରାପ ନଥିଲା ଖାଦ୍ୟ ।
ପୁଳେ ପିଲା କ୍ରିକେଟ ଖେଳନ୍ତି ସାମ୍ନାରେ ଫାଙ୍କା ଜାଗାରେ ସବୁଦିନ ପ୍ରାୟ ଚାରି ଟାରୁ ଛଅ କି ସାଢେ ଛଅ ।
କିଛି ପିଲା ଛାତ ଉପରେ ବୁଲନ୍ତି । କିଛି ପିଲା ମୋବାଇଲ ଧରି ଦିନ ମାନ କଟେଇ ଦିଅନ୍ତି । କିଏ ପ୍ରେମିକା ସହ ଗପୁଥାଏ ତ କିଏ ନୂଆ ବାହା ସ୍ତ୍ରୀ ସହ ଛପି ଛପି ପ୍ରେମ କରୁଥାଏ ମୋବାଇଲରେ ।
ଥରେ ଶିକ୍ଷୟିତ୍ରୀ ଆସି କହିଲେ ଯେ
" ତମେମାନେ ସାମ୍ନାରେ ଥିବା ଦୋକାନକୁ ଚାହୁଁଛ, ଛାତ ଉପରୁ । ସେଠାକୁ ଆସୁଥିବା ଝିଅ ପିଲାଙ୍କୁ ? ଅଭିଯୋଗ ଆସିଛି "
ଏମାନେ ସବୁ ମନା କଲେ, " ଆମେ ଛାତ ଉପରକୁ ଯାଉଛୁ ସତ ହେଲେ କୋଉ ଝିଅ ପିଲାଙ୍କୁ ଆମେ ତ ସେମିତି କାହାକୁ ସେମିତି ଚାହିଁନୁ, ସେମାନେ ମିଛ କହୁଥାଇ ପାରନ୍ତି । "
ତାପରେ ମ୍ୟାଡାମଙ୍କ କଡ଼ା ନିର୍ଦ୍ଦେଶ ଦେଲେ, " ଛାତ ଉପରକୁ ଯିବନିମାନେ ଯିବନି । ତମ ଲାଗି ଆମ ସମ୍ମାନ ତଳେ ପଡ଼ିବ ନାଁ କ'ଣ ?"
ହଁ ତା ପରଠୁ ସେ ଛାତ ଉପରକୁ କେହି ଗଲେନି ।
ଆଉ କିଛି ମାଡୁଆ ପିଲାଙ୍କ ପ୍ରକୃତି ନଥାଏ କି ? ସେଇ ପ୍ରକୃତିରୁ ସେମାନେ ବାହାରି ପାରୁନଥିଲେ । କେବଳ ସାର୍ ମ୍ୟାଡାମଙ୍କ ଅଗୋଚରରେ ସେମାନେ ଛାତ ଉପରକୁ ଯାଉଥିଲେ ପୁଣି ବୁଲି ବାଲି କରି ଚାଲି ଆସୁଥିଲେ ।
ଦିନେ ଦିନେ ଅଧିକ ସାଉଣ୍ଡ ବାଲା ସ୍ପିକର୍ରେ ଗାନା ବଜେଇ ଏନଜଏ କରୁଥିଲେ । ଜଣେ ଟିକ୍ ଟକ୍ ହିରୋ ଥିଲା ଆମ ରୁମରେ । ତା ସହ ବେଶ୍ ମନୋରଞ୍ଜନ କରନ୍ତି ପୁଳେ ଗୀତ ବଜେଇ ଟିକ୍ ଟକ୍ ବନେଇ ।
ଟୋକାଟା ବି ବଡ ରଙ୍ଗିଲା, ଆଗ ବାଳ ଆଠ୦ ପ୍ରତିଶତ ଏକଦମ୍ କହରା ରଙ୍ଗ କରିଛି । ଚିରା ଜିନ୍ସ ପ୍ୟାଣ୍ଟ୍ ପିନ୍ଧିବା ତାର ସଉକ୍ । ଷ୍ଟାଇଲିସ୍ ବୁଟ୍ ଆଉ ଘଡିକୁ ଘଡ଼ି ଡ୍ରେସ୍ ପଟା ବଦଳ କରି ଟିକ୍ ଟକ୍ କରାହେବ ।
ଦିନେ ସେ ଛାତ୍ରୀ ନିବାସ ସାମ୍ନା ଡାହାଣ କଡ ଘର ପିଲାର୍କୁ ଆଉଜି ମୁଁ ମୋ ଖାତା କରମ ଧରି ଲେଖୁଛି ଗୁଜରାଟରୁ ଫେରିବାର ବିବରଣୀ । ସେତିକି ବେଳେ ସେ ମୋଟୀ ମ୍ୟାଡାମ ଜଣଙ୍କ ଆସିଲେ ସେଠାକୁ ଫୁଲ ତୋଳିବାକୁ ହାତରେ ଗୋଟେ ପଲିଥିନ ଧରି । ଫୁଲ ତୋଳା ଆରମ୍ଭ ହେଲା, ମୁଁ ଟିକେ ଟିକେ ଚାହୁଁଥାଏ ତାଙ୍କୁ ପୁଣି ଖାତାକୁ ଚାହିଁ ଲେଖି ପକଉ ଥାଏ କିଛି । ଭାବିଲି କହିଦେବି ସେ " ବାଳିକା ଛାତ୍ରୀ ବାସ। " ଏ ଲେଖାଟି ଭୁଲ ଅଛି ବୋଲି । ଜମା କଥା ହୋଇନି ତାଙ୍କ ସହ ଆସିବା ଦିନଠୁଁ । ତେଣୁ ହଠାତ୍ କିଛି କହି ପାରିଲିନି । ସେ ବୁଲିପଡ଼ି ମୋତେ ଚାହିଁ କହିଲେ -' କଣ ପଢୁଛ ? "
ମୁଁ କହିଲି " ଆଜ୍ଞା "
ତାପରେ କହିଲି -" ମ୍ୟାଡାମ୍, ଆପଣଙ୍କ ସେଠି ଯୋଉ ଲେଖା ହୋଇନି ? ସେଇଟା ଭୁଲ ଅଛି ?"
ମ୍ୟାଡାମ୍ ଛାତ୍ରୀ ନିବାସ ଗେଟ୍ ଉପରକୁ କିଛି ସମୟ ଚାହିଁଲେ ।
ତାପରେ ମୁଁ କହିଲି -" ଛାତ୍ରୀ ବାସ ନୁହେଁ ମ୍ଯାଡାମ୍ । ଛାତ୍ରୀ ନିବାସ ହେବ । ତାପରେ ଛାତ୍ରୀ ପୂର୍ବରୁ ବାଳିକା କାହିଁକି ଲାଗିଛି ? ମ୍ୟାଡାମ୍ ପରେ ତାକୁ ସଂଶୋଧନ କରି ଦେବେ ।"
ସେ ମୋତେ ଚାହିଁ ଥିଲେ ହେଲେ ମୋ କଥାକୁ ଗୋଟେ ପର୍ସେଣ୍ଟ ବି ଧ୍ୟାନ ଦେଇନଥିଲେ ମୋତେ ଲାଗିଲା।
କାରଣ ମୁଁ ଏତେ କଥା କହିବା ପରେ ମୋତେ ହସି ହସି ଚାହିଁ ଚାଲିଗଲେ ଏତକ କହୁ କହୁ -" ଏ ଫୁଲଟାକୁ ଲୁଚେଇ ନେବାକୁ ପଡିବ ନହେଲେ ...."
ମୁଁ ମନେ ମନେ ଭାବିଲି ଏ ଲୋକଟାର କେବେବି ସାହିତ୍ୟ ପ୍ରତି ଋଚି ନଥିବ । ଛାଡ... ।
ଏମିତି ଚାହୁଁ ଚାହୁଁ ଛଅ ଦିନ ବିତିଗଲା । ସରପଞ୍ଚ ଆଉ ଜଣେ ଶିକ୍ଷକ ଆସି କହିଲେ ଦୁଇ ଦିନ ଆଉ କ'ଣ ଶିକ୍ଷକ ଆସି କହିଲେ ଦୁଇ ଦିନ ପରେ ତୁମେମାନେ ଏଠାରୁ ଚାଲିଯିବ ।
ପିଲାମାନେ କହିଲେ ...ସାର୍, ଅନ୍ୟ ଜାଗାରେ ତ ଚଉଦ ଦିନ ରଖା ଯାଉଛି ଆପଣ ସାତ ଦିନେ କେମିତି ବିଦା କରି ଦେବେ ?
ସେ କହିଲେ -" ଏବେ ନିୟମ ବଦଳି ଯାଇଛି "
ତାପରେ ପିଲାମାନେ କହିଲେ -" ଆମର କିଛି ଆଉ ପରୀକ୍ଷା ହେବନି ? କୋରନା ପାଇଁ, କୋରନା ଆମ ଠାରେ ଅଛିକି ନାହିଁ ଆମେ କେମିତି ଜାଣିବୁ ?
ସେ କହିଲେ -" ଏବେ ଏୟା ହେଉଛି, ଯଦି ଲକ୍ଷଣ ଦେଖା ଯାଉଛି ତେବେ ଯାଇ ପରୀକ୍ଷା ପାଇଁ ତାଙ୍କୁ ଡକା ଯାଉଛି ନହେଲେ ନାଇଁ ?"
ଆମେ ପୁଣି କହିଲେ -" ସାର୍ ଏବେ ତ ବିନା ଲକ୍ଷଣରେ ରୋଗ ବାହାରୁଛି ତେବେ ଆମେ କେମିତି ସିୟୋର ହେବୁ ଯେ ଆମ ଠାରେ ରୋଗ ନାହିଁ ବୋଲି ?
ସେ କହିଲେ -" ସେଥିରେ ଆମେ କିଛି କରି ପାରି ପାରିବୁନୁ । ସେମାନଙ୍କର ଯାହା ଉପରୁ ନିର୍ଦ୍ଦେଶ ଦେଇଛନ୍ତି ବାସ୍ ତାଙ୍କୁ ଆମେ ପାଳନ କରୁଛୁ ।
ତା ପରଦିନ ଆମ ରୁମରେ ଜଣଙ୍କୁ ଜର ହୋଇଛି । ଦୁଇ ଦିନ ହୋଇଗଲାଣି ବୋଲି କହିଲା, ଆଉ ଜଣେ ବୟସ୍କ ଲୋକ ଅଭିଯୋଗ କଲା ଦୁଇ ଚାରିଥର । ମୁଁ କହୁଛି ମୋ ଗଳା ଦରଜ ଏ ମେଡିସିନ ଖାଇ କମୁନି ହେଲେ ତୁମର କେହି ଶୁଣୁନାହାନ୍ତି । ମୋ ଗଳା ଏତେ ଦରଜ ଯେ ମୁଁ ଛେପ ଢ଼ୋକି ପାରୁନି ଦରଜ ଲାଗୁଛି ଭିଷଣ ।
ତା ପରଦିନ ସ୍କୁଲର ସାର୍ ଆସି ବସିଲେ ସଂଧ୍ୟାରେ କାହା ପାଖକୁ ଫୋନ୍ କରି ବିଡ଼ିଓଙ୍କ ନମ୍ବର ମାଗିଲେ । ବିଡିଓଙ୍କ ସହ କଥା ହୋଇ । ସାରିଲା ପରେ କହିଲେ ଯେଉଁ ଦୁଇ ଜଣଙ୍କ ଦେହ ଖରାପ ସେ ଦୁହେଁ ରହିବେ, ମେଡିକାଲ ଯିବେ । ବାକି ସମସ୍ତେ ଦୁଇ ଦିନ ପରେ ଘରକୁ ଯିବେ ।
ତାପରେ ପୁଣି ସେ ଜ୍ବର ହୋଇଥିବା ପିଲା । ଆଉ ଗଳା ଦରଜ ଲୋକ ସାର୍ଙ୍କ ସାମ୍ନାରେ ବସି କଥାସବୁ ଆଲୋଚନା କରୁଥିଲେ ସଂଧ୍ୟାରେ । ଆମେ ସବୁ ଥିଲୁ ସେଠି ପାଖରେ ।
ସାର୍ ସରପଞ୍ଚକୁ ( ତା ଅନୁପସ୍ଥିତିରେ ) ଢେର୍ କଥା କହି ଲାଞ୍ଛନା କଲା -" ତୁ ଗୋଟେ ସରପଞ୍ଚ ହୋଇଛୁ, କୋଉଦିନ ଆସି ଭଲ ମନ୍ଦ କଥା ହେବୁନୁ ପିଲାଙ୍କ ସହ ? କୋଉ ଦିନ ବୁଝି ଲୁଣୁ ପିଲାଙ୍କ ଭଲ ମନ୍ଦ ? କୋଉ ଦିନୁ ଟିକେ ବି ରଖିଛୁ ପିଲାଙ୍କ ଖବର ? ଖାଲି ଥରେ ଅଧେ ଆସି ମୁହଁ ଦେଖେଇ ଦେଇ ଗଲେ କଣ ହେବ ?
ଜମା ଭଲ ଲୋକ ନୁହେଁ ମ ଏଠିକା ସରପଞ୍ଚ । ମୋ ଭାଗ୍ୟ ଖରାପ ଯେ ମୁଁ ଏଠିକୁ ଟ୍ରାନ୍ସଫର୍ ହୋଇ ଆସିଛି । "
ତାପରେ ଆମକୁ -
" ତମେମାନେ ଜମା ବ୍ୟସ୍ତ ହୁଅନି ପିଲା ମାନେ, ହୁସିଆର୍ ରୁହ । ଏ ଦୁଇ ଜଣ ମେଡିକାଲ ଯିବେ କାଲି । "
ସାତ ଦିନ ପୁରି ଗଲା, ଆମେ ପଚାରିଲୁ । ଆପଣ ଆମ ଯିବା ବ୍ୟବସ୍ଥା କରିବେ ନା ଆମେ ନିଜ ଖର୍ଚ୍ଚରେ ଯିବୁ ।
ସେ କହିଲେ -" ନିଜ ଖର୍ଚ୍ଚରେ ଯିବ "
କିଛି ପିଲା କହିଲେ ଅନ୍ୟ ଜାଗାରେ ତ ସେମାନେ ନେଉଛନ୍ତି ଛାଡ଼ିବାକୁ ନିଜ ନିଜ ବ୍ଲକ୍କୁ ଆପଣ କାହିଁକି ନେବେନି ।
ସେ କହିଲେ -" ନା, ମିଛ କଥା ସେମିତି ବ୍ୟବସ୍ଥା ନାହିଁ ଏବେ । "
ମୁଁ ଫୋନ୍ କଲି ମାମୁଙ୍କୁ । କେମିତି ଯିବି ?
ସେ କହିଲେ, " ଠିକ୍ ଅଛି, ଦେଖେ ଯଦି କିଛି ସୁବିଧା ହେଉଛି ସେପଟୁ ଗାଡ଼ି କରି ପଳେଇଆ ନହେଲେ ଦେଖିବା କଣ ହେଉଛି ? "
ଆମ ରୁମ୍ ପିଲା ଜଣକୁ ଯୋଉ ଜ୍ବର ହୋଇଥିଲା ସେ କହିଲା ସତକଥା ପରେ, " ଦୁଇଦିନ ହେଲା ମୁଁ ଏ ଘର କବାଟ କୋଣରେ ଗୋଟେ କଳା ଛାଇ ( ଭୂତ ) ଦେଖୁଛି । ତାଙ୍କୁ ଦେଖି ବୋଧହୁଏ ମୋତେ ଜର ହୋଇ ଯାଇଛି ଲାଗୁଛି । "
ତାପରେ ବ୍ୟାଗ୍ରୁ ବାହାର କରି ପିନ୍ଧିଲା ବାପା ଦେଇଥିବା ଡଉଁରିଆକୁ । ଯାହାକୁ ପନ୍ଦର ଦିନ ହେବ ହାତ ଅବାଗିଆ ଲାଗୁଛି କହି ବ୍ୟାଗ୍ରେ ରଖି ଦେଇଥିଲା । ତାକୁ କୋରନା ହୋଇଛି ଭାବି ଆମେ ଯୋଉ ସନ୍ଦେହ କରୁଥିଲୁ । ପରେ କୋରନା ହୋଇ ନଥାଉ ଏମିତି ଭାବିକି ମନକୁ ସାନ୍ତ୍ଵନା ଦେଲୁ ଢେର୍ ।
ଶେଷରେ ଯୋଗକୁ ତା ସାଙ୍ଗରେ ହିଁ ଆମର ଫେରିବାର ଥିଲା । ହେଲେ ତା ପୂର୍ବରୁ ସେଠାକୁ ଆସୁଥିବା ସାର୍ଙ୍କୁ ଗୋଟେ ଅଟୋ ବୁଝିବାକୁ କହିଥିଲି । ସେ ଫୋନ୍ ନମ୍ୱର୍ ଆଣି ବୁଝିଲେ ସେ କହିଲା ସାତଶହ ଟଙ୍କା ନେବ । ହଁ ନାଇଁ ଦିକି ସିଖି ହେଇ ହେଇ ଶେଷରେ ଟଙ୍କା ପାଞ୍ଚଶହରେ କଥା ଛିଡିଲା । କିନ୍ତୁ ଅସଲରେ ସେତିକି ବାଟ ଦୁଇ ଜଣକ ପାଇଁ ଟଙ୍କା ଦୁଇଶହରୁ ଗୋଟେ ଟଙ୍କା ବି ଅଧିକା ନୁହେଁ ।
କିନ୍ତୁ ପରେ ସେ ଜ୍ବର ହୋଇଥିବା ପିଲାଟି ଗୋଟେ ବୋଲେରୋ ବୁଝିଲା ତାଙ୍କ ଗାଁର । ସେ ଦୁଇଜଣ ଯିବେ ତାଙ୍କ ସହ ଆମେ ବି କଥା ହେଲୁ ପଳେଇବୁ । ମୁଁ କହିଲି କେତେ ନେବ ପଇସା ? ସେ କହିଲା ଯାହା ଦେବ ଗୋଟେ ଆଉ କ'ଣ ? ମୁଁ କହିଲି, ତଥାପି ? ସେ କହିଲା ତମେ କହୁନ । ମୁଁ କହିଲି ଆମେ ଦୁଇ ଜଣ ଦୁଇଶହପଚାଶ/ତିନିଶହ ଦେଇ ଯିବୁ ଆଉ କ'ଣ ? ସେ କହିଲା ହଉ ଠିକ୍ ଅଛି ।
ଯିବା ଦିନ । ସାତ ଦିନ ପୁରି ଯାଇଥିଲା । ଆଠ ଦିନକୁ ସକାଳ ନଅ /ନଅ ଟା ତିରିଶି ଆଡ଼କୁ ଉପମା ତର୍କାରୀ ଆସିଗଲା । ଖାଇକି ରେଡି ହେଲୁ । ଖାଇବାକୁ କାହାର ଇଛା ହେଉନଥାଏ ଘରକୁ ଯିବା ଖୁସିରେ । ସବୁଦିନ ଠାରୁ ଶେଷ ଦିନର ଉପମା ତର୍କାରୀ ଅଧିକ ନଷ୍ଟ ହେଲା ।
ତାପରେ ଆମକୁ ଜଣ ଜଣ କରି ଡାକିଲେ । ତାଙ୍କ ଖାତାରେ ଦସ୍ତଖତ ନେଲେ । ତା ସହ ହାତରେ ଗୋଟେ କାଳି ଛପା ଷ୍ଟାମ୍ପ । ଆମ୍ଭକୁ ଗୋଟେ କାଗଜ ଦିଆଗଲା ।
କିଛି ପିଲା ପଚାରିଲେ, "ସାର୍ ଆମକୁ ଯୋଉ ଦୁଇ ହଜାର ଟଙ୍କା ମିଳିବାର ଥିଲା । ସେଇଟା କୋଉଠୁ ମିଳିବ ?
ଜଣେ ସାର୍ କହିଲେ, " ଏହାକୁ ( କ୍ବାରେଣ୍ଟାଇନ୍ ସାର୍ଟିଫିକେଟ ) ନେଇ ତୁମେ ବ୍ଲକରେ ଜିମା ଦେବ । ସେଠୁ ପରେ ତମ ଆକାଉଣ୍ଟରେ ପଇସା ଆସିବ ।
କିଛି ପିଲା ଅଭିଯୋଗ କଲେ - " ସାର୍ ଅନ୍ୟ ଜାଗାରେ ତ କ୍ବାରେଣ୍ଟାଇନ୍ ସେଣ୍ଟରରେ ଆକାଉଣ୍ଟ ନମ୍ବର ଆଉ ଆଧାର କାର୍ଡ ନମ୍ବର ଦିଆ ଯାଉଛି । ଆପଣ କ'ଣ ଆମ ସ଼୍ୟାଡେ କହୁଛନ୍ତି ଦେବାକୁ ? "
ତାପରେ ସେ ସାର୍ କହିଲେ, " ତମେମାନେ ଭୁଲ ଶୁଣିଛ । ସେମିତି କିଛି ନାହିଁ । ଏହି କାଗଜକୁ ନେଇ ତୁମ ବ୍ଲକରେ ହିଁ ଜିମା ଦିଆ ହେବ । ଆଉ ଯଦି ତୁମକୁ ଲାଗୁଛି ଏଠି ଆକାଉଣ୍ଟ ନମ୍ବର ଦେଇ ପଇସା ଯିବ ବୋଲି । ତେବେ ଆକାଉଣ୍ଟ ନମ୍ବର ଦେଇ କି ଯାଅ ଆମର କିଛି ଆପତ୍ତି ନାହିଁ । "
ସେ ସାରଙ୍କ କଥାରେ ସତ୍ୟତା ଥିବାର ସମସ୍ତେ ଅନୁଭବ କଲୁ ତେଣୁ କେହି ଜଣେ ହେଲେ ବି ଆକାଉଣ୍ଟ ନମ୍ବର ଦେଲେନି କେବଳ ଦସ୍ତଖତ କରି କାଗଜ ଧରି ହାତରେ କଳା ଛାପା ଷ୍ଟାମ୍ପ ମାରି ବାହାରିଲୁ ଘରକୁ ।
ଯିବା ପୂର୍ବରୁ ସେ ପତଳା ମ୍ୟାଡମ୍ ଆସି ବୁଝେଇ କହିଲେ -" ଜମା ବି ତୁମେମାନେ ବାହାରେ ବୁଲିବନି । ନିଜେ ଘରେ ଅଲଗା ରହିବ ସାତ ଦିନ ଟିକେ ସାବଧାନ ଚଳିବ । କାହା ସହ ମିଶା ମିଶି କରିବନି । "
ସମସ୍ତେ ହୁଁ ହାଁ ମାରି ଫେରିଲୁ । ଯିଏ ଯେଝା ଯେଝା ଗାଡ଼ି ଠିକ୍ କରିଥିଲେ ସେଥିରେ ଗଲେ । ସେ ପିଲାର ବୋଲେରୋ ବି ଆସି ପହଞ୍ଚିଲା । ଦଶଟା ପାଖା ପାଖି ହେବ ସମୟ, ଆମେ ପହଞ୍ଚିଲା ବେଳକୁ ଆଉ ଦୁଇ ଜଣ ଆସି କହିଲେ ଆମ ଦୁଇ ଜଣକୁ ନେଇ ଅଧା ବାଟରେ ଛାଡି ଦେବ ? ତାଙ୍କୁ ବି ନେଇ ଗଲୁ ।
ଆସିଲା ବେଳେ ସାର୍ କହିବା ମୁତାବକ, ବାଲତି ଜଗ୍ ଥାଳି ବାକି ସାମାନ ପଟା ସାଙ୍ଗରେ ଆଣିକି ଆସିଥିଲୁ । କେବଳ ଖଟିଆ ଆଉ ଗଦି ତକିଆଙ୍କୁ ଛାଡିକି ।
ଶ୍ୱା ମସୁନ୍ଦରପୁର ଗଡା ଠାରୁ ସେ ପିଲାଟି ଭିତରକୁ ଯିବ ତେଣୁ ସେଠି ଆମ ଦୁଇ ଜଣକୁ ଓହ୍ଲେଇ ଦେଲା ।
ମୋ ସାଙ୍ଗରେ ଥିବା ପିଲାଟି ଅଟୋ ପିଲାଟି ଅଟୋ ମଗାଇଥିଲା ଆଗରୁ । ଆସିବା ଟିକେ ଡେରି କଲା ଅଟୋ । ବାସ୍ ସେ ଅଟୋରେ ବସି ମୁଁ ଆମ ମାମୁ ଘର ଗୋପଛକ ଦୋକାନ ପାଖରେ ଓହ୍ଲେଇ ପଡ଼ିଲା । ସେ ପିଲାଟି ମୋତେ ଛାଡି ତାର ଗାଁ ଦଶମଉଜିକୁ ଗଲା ।
ମାମୁକୁ ତାପରେ ଫୋନ୍ କଲି । ମାମୁ ଗୋଟେ ପିଲାକୁ ପଠାଇଲା ତା ସିବିଜେଡ୍ ଗାଡ଼ି ସହିତ । ମୁଁ ପ୍ରଥମେ ବସି ପଡ଼ିଲି, ମାମୁ ପୁଅ ବଡ ବ୍ୟାଗ୍କୁ ମଝିରେ ରଖିଦେଲା ତା ଉପରେ ମୋ କାନ୍ଧ ଗଳା ବ୍ୟାଗ୍ ରଖିକି ଏକଦମ୍ ପଛରେ ବସିଥିଲି ମୁଁ । ପୁଣି ଗୋଟେ ସାଇଡରେ ପ୍ଲାଷ୍ଟିକ ବାଲ୍ଟି ମଗ୍ ବି ଟଙ୍ଗା ହୋଇଥିଲା ।
ଗୋଟେ କଥା କହିବାକୁ ଭୁଲି ଯାଇଛି । ମୋ ସାଙ୍ଗରେ ଥିବା ପିଲାଟି ବାଲଟି ଜଗ୍ ଥାଳି ସାଙ୍ଗରେ ନେବାକୁ ମନାକଲା ତେଣୁ ମୁଁ ନେଇ ଆସିଲି । ଯାହା ହେଉ ଲାଭରେ ରହିଲି ।
ତାପରେ ଦୁଇ ଦେଢ଼ ଘଣ୍ଟା ପରେ ଯାଇ ପହଞ୍ଚିଲୁ ଘର ପାଖରେ । ଆମ ଗାଁ ଷାଠିଏବାଟିରେ । ଓହ୍ଲେଇ ପଡ଼ିଲି ତ ଗୋଡ଼ ଗୋଦରା ହୋଇ ଗଲାଣି ସେତେବେଳେକୁ । ସାନ ଭାଇ ଆସି ବଡ଼ ବ୍ୟାଗ୍ଟା ଉଠେଇ ନେଇଗଲା । ଆଉ ବାପା ନେଇଗଲେ ତାଙ୍କର କାନ୍ଧଗଳା ବ୍ୟାଗ୍ । ମୁଁ ବାଲଟି ଖୋଲିକି ନେଉ ନେଉ ସାଙ୍ଗରେ ଆସିଥିବା ଟୋକାକୁ କହିଲି " ଏଇକ୍, ଚାଲରେ ଖାଇ ଦେଇ ଯିବୁ । ଆ ଘରକୁ ଆ "
ସେ ଜମା ଆସିଲାନି, ହୁଏତ ରାଗ ରଖିକି । କାହିଁକି ନା ମୋତେ ବାଟ ସାରା ଖାଲି ଚାରି ଛଅ ଥର କହି ସାରିଥାଏ । "ଭାଇ ବାହାରୁ ଆଇଚ ଟିକେ ଚାଲୁନ କାଉଣ୍ଟର ଆଡ଼କୁ ଯିବା "
ମୁଁ ତାକୁ କହିଥିଲି, " ଭାଇରେ ମୁଁ ସେ ଭକ୍ତ ନୁହେଁ । ଯଦି କଣ ଖାଇବୁ ତେବେ ଚାଲ୍ ଯାହା ଖାଇବୁ ମୁଁ ଦେବି । ହେଲେ ପିଇବା କଥା କହନା ।
ସେ ଆଉ କିଛି କହି ନଥିଲା ।
ତେଣୁ " ପରେ କେତେବେଳେ ଆସିବି " ଏତକ କହି ଗାଡ଼ି ବୁଲେଇ ଚାଲିଗଲା ।
ମୁଁ ଆମ ଡିହ ଉପରକୁ ଉଠିଲି । ମୁଁ ବାପା ଆଉ ଭାଇଙ୍କ ହାତକୁ ସାନିଟାଇଜର୍ ପ୍ରଥମେ ଛିଞ୍ଚି ଦେଲି କହିଲି " ନିଅ ହାତ ସଫା କରିଦିଅ "
ମୋ ପାଖରେ ଥିବା ସାନିଟାଇଜର୍ ଆଉ ଗୋଟେ ଦେଇ ଦେଲି ତାଙ୍କୁ । ଟଏଲେଟ ଆଉ ଟିୟୁବଓ୍ବେଲ ବ୍ୟବହାର ପରେ ହାତ ସବୁବେଳେ ସଫା କରିବେ । ଯେହେତୁ ସେ ଦୁଇଟା ମୁଁ ବ୍ୟବହାର କରିବି ।
ତାପରେ ମୋ ବ୍ୟାଗ୍କୁ ତଳ ଅଗଣାରେ ଥୋଇ ଦେଲି । ଖରା ଟିକେ ଖାଇବା ପାଇଁ । କାନ୍ଧଗଳା ବ୍ୟାଗର ଡ୍ରେସ୍ ପଟା ସବୁ ବାହାର କରି ଦେଲି ଖରାରେ । ଆଉ ବଡ଼ ବ୍ୟାଗ୍ରୁ ଖୋଲି ଦେଲି ଉପର କଭର୍ ।
ତାପରେ ମୋ ପାଇଁ ସ୍ପେସାଲ କଣ ଘରଟି ସଫା ହୋଇଥିଲା । ଦେଖିଲି ସେ ଘର, ବାପାଙ୍କୁ କହିଲି, " ଏତେ କନ୍ଥା ତକିଆ ରଖନି ଏଠି ନେଇଯାଅ ଗୋଟେ ଗୋଟେ ରଖି । ସାତ ଦିନ ପରେ ନହେଲେ ଧୋଇବାକୁ ସବୁ ହଇରାଣ ହେବ "
ତାପରେ ଘର ଟିୟୁବଓ୍ବେଲରେ ସାବୁନ ତେଲ ମାରି ଭଲକି ଘସି ମାଜି ହୋଇ ଗାଧୋଇ ପଡିଲି ।
ବୋଉ ରାନ୍ଧିଥିଲା, ଗରମ ଭାତ, ପୋଇ ଆଳୁ ସନ୍ତୁଳା ଆଉ ଭେଣ୍ଡି ଗୋଟି ଭଜା ତା ସହ କାଗିଜି ଲେମ୍ବୁ ଲଙ୍କା ରସୁଣ ପାଣି । ବାଃ ପେଟେ ବାଡ଼େଇ ଦେଇ ଲମ୍ବ ହୋଇ ଶୋଇ ପଡ଼ିଲି ଖଟ ଉପରେ, ଟେବୁଲ ଫ୍ୟାନ୍ ଲଗେଇ ।
ଥାଉ ଏତିକି ...
କଥା କହୁଥିଲେ ପୁଣି ସରିବନି ।
( ଧୈର୍ଯ୍ୟର ସହ ଲେଖାଟି ପଢି ଥିବାରୁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ )