ପଞ୍ଚୁକ ସ୍ନାନ
ପଞ୍ଚୁକ ସ୍ନାନ
ଗୀତା,ଟିକି, ସୁନି, ଜୟନ୍ତୀ ଆଉ ଝରଣା ପ୍ରତ୍ୟେକ ବର୍ଷ ପଞ୍ଚୁକ ପାଳନ୍ତି l ରାତି ପ୍ରାୟ ସାଢେ ଚାରି ରୁ ଉଠି ଗାଁ ଦାଣ୍ଡ ଖରକି ଖରକି ପହଁଞ୍ଚନ୍ତି ପୋଖରୀ ନିକଟରେ l ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ପୋଖରୀ ହୁଡ଼ା ରେ ବୃନ୍ଦାବତୀ ଙ୍କୁ ପୂଜା ଅର୍ଚ୍ଚନା କରନ୍ତି l ପୁଣି ଗାଁ କୁ ଫେରି ସାଙ୍ଗ ହୋଇ ଦେବ ଦର୍ଶନ ନିମନ୍ତେ ଦେବାଳୟ ଯାଆନ୍ତି l
ପଞ୍ଚୁକ ଚାରିଦିନ ବିତି ଯାଇଥାଏ l ଚତୁର୍ଥ ଦିନ ରାତିରେ ଟିକି ଅନ୍ୟ ସାଙ୍ଗ ମାନଙ୍କୁ କହିଲା ଆରେ ତୁମେ ମାନେ ସଅଳ ଉଠି ଚାଲିଯିବନି l ମୁଁ ମାନୁଛି ମୋର ଉଠିବା ଟିକେ ବିଳମ୍ବ ହେଇ ଯାଉଛି କିନ୍ତୁ କାଲି ଚେଷ୍ଟା କରିବି ସଅଳ ଉଠିବା ପାଇଁ l ଗୀତା କହିଲା କାଲି ପୂର୍ଣ୍ଣିମା ଆମେ ଶୀଘ୍ର ଗଲେ ଶୀଘ୍ର ବୃନ୍ଦାବତୀ ପୂଜା ସାରି ମନ୍ଦିର ଯିବା l କାଲି ପୁଣି ବୋଇତ ଭସା ବି ଅଛି l ନହେଲେ ମନ୍ଦିରରେ ପ୍ରବଳ ଭିଡ଼ ହୋଇଯିବ l ତୁ ଯଦି ଶୀଘ୍ର ନ ଉଠିବୁ ଆମେ ଚାଲିଯିବୁ l ଟିକି ର କି ମନ ଥୟ ଧରେ l ମୋର ପୂଜା ସମ୍ପୂର୍ଣ୍ଣ ହେବ ନାହିଁ କାଳେ ମୋ ନିଦ ନ ଭାଙ୍ଗିବ ଏମିତି ଅନେକ ଭାବନା ତା ମନରେ ଘାରୁଥାଏ l କେତେବେଳେ ତାକୁ ନିଦ ହୋଇଯାଇଛି l
ଧଡ଼ ପଡ଼ ହୋଇ ଉଠି ପଡିଲା ସେ l ଲାଗିଲା ସାଙ୍ଗ ମାନେ ଡାକୁଛନ୍ତି l ରାତିରୁ ପ୍ରସ୍ତୁତି କରି ରଖିଥିବା ପୂଜା ସରଞ୍ଜାମ ଓ ଲୁଗା ଗୋଟିଏ କାଖରେ ଯାକି ଆଉ ଗୋଟେ ହାତରେ ଖଡ଼ିକା ଝାଡୁ ଧରି କବାଟ ଖୋଲି ବାହାରି ପଡିଲା l ଦେଖିଲା ବାହାରେ କେହି ନାହାଁନ୍ତି l ଭାବିଲା ସେମାନେ ମୋତେ ଡାକି ବାହାରି ଗଲେଣି ବୋଧେ l ଜହ୍ନ ପକ୍ଷ ରାତି,ରାସ୍ତା ପୁରା ସ୍ପଷ୍ଟ l ତେଣୁ ଗୋଟେ ଲୟରେ ବାଟ ଖରକି ଚାଲିଥାଏ l କିଛି ବାଟ ଗଲା ପରେ ଭାବିଲା କଣ କାହିଁ କିଛି ଚହଳି ଶୁଭୁ ନାହିଁ କି ସେମାନେ ଗାଁ ଦାଣ୍ଡ ଅଳେବାର କୌଣସି ଚି଼ହ୍ନ ନାହିଁ l ଭୟ ଲାଗିଲା, ଚାରିଆଡ଼କୁ ଚାହିଁଲା ସବୁଆଡେ ନିଃଶବ୍ଦ l କଣ କରିବ ମନରେ ଗୋଟିଏ ଭୟ କାଳେ ସେମାନେ ପହଞ୍ଚି ବୃନ୍ଦାବତୀ ପୂଜା କରିଦେବେ ମୋ ପୂଜା ଅସମ୍ପୂର୍ଣ୍ଣ ରହିଯିବ l ସେମାନେ ଆଜି ବୋଇତ ଭସାଇବାର ଅଛି ତେଣୁ ସେମାନେ ଚାଲିଯାଇଥିବେ ଭାବି ମନକୁ ବୁଝାଉ ଥାଏ l ଏମିତି କେତେ କଣ ଭାବି ଆଗକୁ ବଢିଲା ପହଁଚିଲା ପୋଖରୀ ହୁଡାରେ ଏ କଣ କେହି ନାହିଁ ସେଠି l ପୁରା ଶୂନ ସାନ, ବଟ ଉସ୍ତ ଗଛ ର ଝଙ୍କାଳିଆ ଛାଇ ସାଙ୍ଗ କୁ ଶୁଭିଲା ଏକ ଅଟହାସ୍ୟ ଯେପରି ତା କାନ ପରଦା ଫାଟି ଯିବ l ଯାହା ଧରିଥିଲା ଫୋପାଡ଼ି ଏକ ଲୟରେ ଦୌଡିଲା ଘରକୁ l କବାଟ ଟିକୁ ଧଡ଼ କି ଦେଇ ଆଉଜି ପଡିଲା ବାଡ଼ ରେ l ଗୋଟେ ଦୀର୍ଘ ନିଶ୍ୱାସ l ଚାହିଁଲା ଘଣ୍ଟା କୁ l ଘଣ୍ଟା ରେ ବାଜିଥିଲା ମାତ୍ର ସାଢେ ଦିଟା l

