Sunita Sahoo

Abstract

2  

Sunita Sahoo

Abstract

ପଳାତକ ସ୍ବପ୍ନ

ପଳାତକ ସ୍ବପ୍ନ

5 mins
314


 ଭଲ ଘର, ଭଲ ବର ପାଇବାକୁ ସବୁ ଝିଅ ନିଶ୍ଚୟ ସ୍ବପ୍ନ ଦେଖନ୍ତି। ମିତୁ ମଧ୍ୟ ଦେଖିଥିଲା ହେଲେ ତାଠୁ ବେଶୀ ସ୍ବପ୍ନ ଦେଖୁଥିଲେ ତା ବାପା। ତିନୋଟି ଝିଅର ଦାୟିତ୍ବ ତାଙ୍କ ଉପରେ, ଯାନିଯୌତୁକ,ଭାରବେଭାର ସବୁକୁ ନେଇ ସ୍ବପ୍ନ ଦେଖୁଥିବା ବାପାଙ୍କର ଗୋଟିଏ ଚିନ୍ତା ଥିଲା। ଆଉ ତା ହେଲା ଏଇ ମିତୁର ରୋକଠୋକ୍ ସ୍ବଭାବ। ମିତୁ ଅନ୍ୟାୟ ଦେଖି ପାରେନି କି ସହି ପାରେନି। କିନ୍ତୁ ଭାରି ପରୋପକାରୀ ଝିଅଟିଏ। ତା'ର ସେଇ ଗୁଣ ଯୋଗୁଁ ବେଳ ଅବେଳରେ ସମସ୍ତେ ଲୋଡ଼ନ୍ତି ମିତୁକୁ, କଲେଜରେ ମଧ୍ୟ ସମସ୍ତଙ୍କ ଅସୁବିଧା ରେ ମିତୁ ହାତ ବଢାଏ।

  ମିତୁ ପାଇଁ ଡାକ୍ତର ବରଟିଏ ପ୍ରସ୍ତାବ ଆସିଛି, ବାପା ଙ୍କ ଖୁସି ତ କୂଳ ଲଙ୍ଘୁଥିଲା। ବଡ ଝିଅ ପାଇଁ ଡାକ୍ତର ବର, ଭଲ ଖାନଦାନୀ ଘର ପୁଣି ବିନା ଯୌତୁକ ରେ ଏଠାରେ ଅରାଜି ର ପ୍ରଶ୍ନ ହିଁ ନ ଥିଲା। ମିତୁ ମଧ୍ୟ ଖୁସି ଥିଲା। ଡାକ୍ତର ଅରୁଣ ସାମନ୍ତରାୟ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଉଚ୍ଚଶିକ୍ଷା କରିଛନ୍ତି। ମିତୁ ନିଜ ଭାଗ୍ୟକୁ ବିଶ୍ୱାସ କରି ପାରୁ ନଥିଲା।

ଏଥର ଦାୟିତ୍ବ ଥିଲା ମାଆ ଓ ଜେଜେମା ର,ଗୃହସ୍ଥ ଜୀବନର ଖାଲଢିପ ସହ ପରିଚୟ କରେଇବା।

ଶାଶୁ ଘରକୁ କିପରି ନିଜର କରିବ, ବଡସାନ ସହ ବ୍ୟବହାର ଇତ୍ୟାଦି ଇତ୍ୟାଦି। ଜେଜେମା ଓଡ଼ିଆ ଘରର ପୂଜା ପରମ୍ପରା ତଥା ଲକ୍ଷ୍ମୀ ପୁରାଣ ର ମହାତ୍ମ୍ୟ କୁ ବାଦ୍ ଦେଇ ନ ଥିଲା। ମାଆ କିନ୍ତୁ ଗୋଟିଏ କଥା ବାରମ୍ବାର କହୁଥାଏ ମିତୁକୁ, ତା'ର ସେ ରୋକଠୋକ୍ ସ୍ବଭାବ କୁ ଛାଡ଼ିବାକୁ ହେବ। ଶାଶୁ ଘରେ ବହୁତ କିଛି ସହିବାକୁ ପଡେ, ତେବେ ଯାଇ ସଂସାର ରଥ ସୁରୁଖୁରୁରେ ଗଡିଥାଏ। ତା ତଳକୁ ପୁଣି ଦୁଇ ଭଉଣୀ ଅଛନ୍ତି, ଶାଶୁଘରେ ମିତୁର ବ୍ୟବହାର ଅନୁସାରେ ତା ଭଉଣୀମାନଙ୍କ ପାଇଁ ପ୍ରସ୍ତାବ ଆସିବ। ଏତେ କଥା ଶୁଣି ମିତୁର ମଥା ଘୁରିଯାଏ। ତଥାପି ବଡ ମାନଙ୍କ କଥାରେ ନିଜକୁ ଗଢ଼ିବାକୁ ପ୍ରସ୍ତୁତ ହେଉଥାଏ।

ଯାହାହେଉ ବାହାଘର ଯଥାରୀତି ସରିଗଲା। ନୂଆ ଜୀବନ ଗଢ଼ିବାକୁ ପ୍ରଥମ ପାହଚରେ ପାଦ ଦେଲା ମିତୁ, ତା ଜୀବନ ସାଥୀ ସହ ପ୍ରଥମ ରାତି। ମିତୁ ଲକ୍ଷ୍ୟ କଲା ରୁମକୁ ପଶିଲା ବେଳକୁ ଡ଼ାକ୍ତର ବାବୁଙ୍କ ପାଦ ଠିକରେ ପଡୁ ନଥାଏ। ହେଲେ ସଂକୋଚରେ ମିତୁ ସିଧା ସଳଖ ମୁହଁକୁ ଚାହିଁ ପାରି ନଥିଲା। କ'ଣ ଦିପଦ କହି ଅରୁଣ ବେହୋସ୍ ହେଲା ପରି ଶୋଇଗଲେ। ମିତୁ ଶୋଇବାକୁ ଚେଷ୍ଟା କଲା, ପାଖରେ ଶୋଇ ଥିବାରୁ ଅରୁଣ ପାଖରୁ ଯେଉଁ ଗନ୍ଧ ଆସୁଥିଲା, ସେଥିରୁ ମିତୁ କିଛି କିଛି ବୁଝିଗଲା। ଦୁଃଖ ଆଉ ଚିନ୍ତା ରେ ତା ନିଦ ହଜିଗଲା।

ପରଦିନ ସକାଳୁ ଉଠି ଗୁଡ୍ ମର୍ଣିଙ୍ଗ୍ କହି ଅରୁଣ ଗାଧୁଆ ଘରେ ପଶିଗଲେ, ମିତୁ ନୂଆ ବୋହୂର ଦାୟିତ୍ବ ରେ ହେଳା କରି ନଥଲା,ଯଥା ସମୟରେ ରୋଷେଇ ଘରେ ପହଞ୍ଚି ଥିଲା। ଜଳଖିଆ ଖାଇ ସାରି ନଅଟା ସୁଦ୍ଧା ଅରୁଣ ଦାଣ୍ଡ ଘରେ ଥିବା କ୍ଲିନିକ୍ କୁ ଗଲେ ରୋଗୀ ଦେଖିବାକୁ,ଘଣ୍ଟାଏ ପରେ ଗଲେ ଡାକ୍ତରଖାନା। ଡ୍ରାଇଭର ନେବା ଆଣିବା କରୁଥାଏ, ଏତେ ଚାକଚକ୍ୟ ମିତୁର ଅଭ୍ୟାସ ନ ଥିଲା, ତେଣୁ ତାକୁ ଟିକେ ଅସହଜ ମନେ ହେଉଥିଲା।

ଡାକ୍ତର ବାବୁ ଡାକ୍ତରଖାନାରୁ ସନ୍ଧ୍ୟାରେ ଫେରିଲା ପରେ ସାଙ୍ଗସାଥୀ ସହିତ ଆସର ଜମେଇ ଫେରନ୍ତି ରାତି ସାଢ଼େ ଦଶ କି ଏଗାର। ଆଉ ପ୍ରତିଦିନ ସେଇ ଅବସ୍ଥା, ଟଳମଳ ହୋଇ ଖଟରେ ବେହୋସ୍। ମିତୁକୁ ଏସବୁ ଅସହ୍ୟ ଲାଗୁଥିଲା।

ଦିନେ ସାହସ ସଞ୍ଚୟ କରି ଶାଶୁଙ୍କୁ କହିଲା - ମାଆ, ଅରୁଣ କ'ଣ ସବୁଦିନ ମଦ୍ୟପାନ କରନ୍ତି ! ଶାଶୁଙ୍କ ମୁହଁର ହାବଭାବ ବଦଳି ଗଲା, ସ୍ବରରେ ପରିବର୍ତ୍ତନ କରି କହିଲେ - ତୁ ଆଜିକାର ମଡର୍ଣ୍ଣ ଯୁଗର ପିଲା ହେଇ ଏସବୁ କଥା ମନରେ ଧରୁଛୁ ! ଏତ ଅତି ସାଧାରଣ କଥା, କିଏ ପିଉନି ଯେ, ତୁ ଆଡଜଷ୍ଟ କରି ନେ। ସେଦିନ ମିତୁ ଚୁପ୍ ରହିଲା। ପରଦିନ ସକାଳେ ମିତୁ ଦେଖିଲା ଜଣେ ମହିଳା,ବୟସ ପଚିଶ ରୁ ତିରିଶି ହେବ,ଦାଣ୍ଡଘର କ୍ଲିନିକ୍ ଆଗରେ ଠିଆ ହୋଇ କାନ୍ଦୁଛି। ମିତୁ ପାଖକୁ ଯାଇ ପଚାରିଲା, ମହିଳା ଜଣଙ୍କ କହିଲେ - ଆଜି ମୋର ଭୃଣ ପରୀକ୍ଷା ହେବ, ଯଦି ଝିଅ ଥିବ ତେବେ ଆଗରୁ ଗୋଟିଏ ଝିଅ ଅଛି ବୋଲି କହିଛନ୍ତି ଏବେ ପୁଅ ଦରକାର, ଏସବୁ କ'ଣ ମୋ ହାତରେ ଅଛି ! ପ୍ଲିଜ ମୋ ପାଇଁ କିଛି କରି ପାରିବ ଯଦି, ମିତୁ ଶୁଣି ଆଶ୍ଚର୍ଯ୍ୟ ହେଲା , ତେବେ ଅରୁଣ ଏସବୁ କାମ ମଧ୍ୟ କରନ୍ତି ! ମୁଣ୍ଡଟା ଗୋଳମାଳ ହୋଇ ଯାଉଥିଲା। ତଥାପି ସେ ମହିଳା ର ହାତ ଧରି ଆଶ୍ଵାସନା ଟିଏ ଦେଲା, ହେଲେ ସେ କେମିତି କ'ଣ କରିବ ଭାବିଲା। ଶାଶୁଙ୍କୁ କହିବ ନା ଅରୁଣ କୁ। କିନ୍ତୁ ରାତିରେ ତ ଅରୁଣ ହୋସ୍ ରେ ନ ଥାନ୍ତି।

ପୁଣି ଶାଶୁ ଙ୍କୁ ପଚାରିଲା , ଶାଶୁ କହିଲେ - ତାର ସେ ଡାକ୍ତରି ବିଦ୍ୟାରେ ଆମେ ପଶିବା କ'ଣ ଦରକାର ତୁ ସେ କ୍ଲିନିକ୍ ଆଡେ ଯିବୁ ନାହିଁ। କିନ୍ତୁ ମିତୁ ରାତିରେ ବେହୋସ୍ ଅରୁଣ ଙ୍କୁ ପଚାରି ଦେଲା, ଅରୁଣ ଅଧା ଖୋଲା ଆଖିରେ ହସି ଦେଇ କହିଲେ - ସେଇଥିରେ ସବୁଠୁ ବେଶୀ ଲାଭ...ହା ହା ମିତୁକୁ ଇଚ୍ଛା ହେଉଥିଲା ଏଇ ମୁହୂର୍ତ୍ତ ରେ ଘର ଛାଡ଼ି ଦିଅନ୍ତା, ହେଲେ ଘରକଥା ମନେପଡ଼ିଲା, ଜେଜେମା କହିଥିଲା ,ତୋ ବ୍ୟବହାର ନେଇ ତୋ ଭଉଣୀ ଙ୍କ ବାହାଘର ହେବ। ମିତୁ ଭାବିଲା , ବିନା ଯୌତୁକ ରେ ବାହାଘର ଗୋଟିଏ ଚାଲ୍, ଗରିବ ଘର ଝିଅ ପାଟି ବନ୍ଦ କରି ପଡି ରହିବ, ହେଲେ ମିତୁର ତ ଏସବୁ ହଜମ ହୁଏନି । ତଥାପି ଅପେକ୍ଷା କଲା।

ପରଦିନ ସକାଳେ ଅରୁଣ ଉଠିବା ପୂର୍ବରୁ ସେ ଲୁଚି ଲୁଚି କ୍ଲିନିକ୍ ରେ ପଶି ସବୁ ମେସିନ ର ତାର ପଛ ପଟରୁ କାଟିଦେଲା, ଆଉ ନ ଜାଣିବା ପରି ରୋଷେଇ ଘରେ ପହଞ୍ଚିଲା। ଦଶଟା ବେଳେ ସେ ମହିଳା ଆସି କାନ୍ଦିବାର ଦେଖି , ତାକୁ କହିଲା - ବ୍ୟସ୍ତ ହୁଅନି , ଆଜି ତୁମର କିଛି ହେବନି, ହେଲେ କାଲି ଏଠାକୁ ଆସିବନି, ନିଜ ପିଲାକୁ ବଞ୍ଚାଇବାକୁ ଉପାୟ ନିଜେ କର, ତୁମେ ପାରିବ। ମିତୁର କଥାରେ ଭରସା ଓ ସାହସ ଉଭୟ ଥିଲା। ଅରୁଣ ସେଦିନ କିଛି କାମ କରିପାରି ନ ଥିଲେ, ବିରକ୍ତ ହୋଇ ଡାକ୍ତରଖାନା ଗଲେ। ତାପରଠୁ ସେ ମହିଳା ଆଉ ଆସି ନ ଥିଲା। କିଛି ଦିନ ପରେ ଘରେ ଗୋଟିଏ ପାର୍ଟି ର ଆୟୋଜନ କରିଥିଲେ ଅରୁଣ, ସେଥିରେ ମିତୁର ଦୁଇ ଭଉଣୀ ମଧ୍ୟ ଆସିଥିଲେ ଏବଂ ଅରୁଣଙ୍କ କିଛି ସାଙ୍ଗ। ରାତ୍ରୀଭୋଜନ ଚାଲିଥିଲା, ଶାଶୁ ଶୀଘ୍ର ଖାଇ ଶୋଇବାକୁ ଗଲେ। ତାପରେ ଆରମ୍ଭ ହେଲା ମଦ ର ଆସର। ମିତୁ ଶୀଘ୍ର ଖାଇ ଦେଇ ଭଉଣୀମାନଙ୍କ ସହ ଉପର ଘରକୁ ଯିବାକୁ ଚାହୁଁଥିଲା, ହେଲେ ମଦ୍ୟପ ଗୁଡିକ ତାଙ୍କୁ ଘେରି ଯାଇ ଅଶ୍ଳୀଳ ଇଙ୍ଗିତ କରି ଜୋରରେ ଗୀତ ବଜାଇ ନାଚିଲେ। ମିତୁ ଦେଖିଲା ଜଣେ ପିଲା ତା ସାନ ଭଉଣୀ କୁ ଛୁଇଁ ବାକୁ ଚେଷ୍ଟା କରୁଛି,ସେ ଆଉ ଅପେକ୍ଷା ନ କରି ଢୋ କରି ଗୋଟେ ବ୍ରହ୍ମ ଚାପୁଡ଼ା ବସାଇଲା, ସେ ଶବ୍ଦରେ ନାଚ ଗୀତ ବନ୍ଦ ହୋଇଗଲା। ଅରୁଣ ଧାଇଁ ଆସିଲେ, ମିତୁକୁ ଗୋଟେ ଚାପୁଡ଼ା ବସାଇ ଦେଲେ। ତା ହାତଧରି ପଛ ପଟକୁ ମୋଡ଼ି ଦେଲେ। ମିତୁ ଯନ୍ତ୍ରଣା ରେ ଚିତ୍କାର କରି ଉଠିଲା।

ବାସ୍, ସେଇ ଅନ୍ଧାର ରାତିରେ ମିତୁ ଦୁଇ ଭଉଣୀ ଙ୍କୁ ନେଇ ଶାଶୁଘରୁ ବାହାରି ଗଲା। ଅଟୋଟିଏ ଭଡାକରି ଘରେ ପହଞ୍ଚିଲା। ରାତି ବାରଟା ହେବ ବୋଧେ, ଏତେ ରାତିରେ ଝିଅଙ୍କୁ ଦେଖି ବାପା ମାଆ ତଟସ୍ଥ। ମିତୁ ସବୁ କଥା କହିଗଲା, ଆରମ୍ଭ ରୁ ଅନ୍ତ ଯାଏଁ। ସେ ରୋକଠୋକ୍ ଶୁଣାଇ ଦେଲା ସେ ଆଉ ଅରୁଣ ପାଖକୁ କସ୍ମିନ କାଳେ ଯିବ ନାହିଁ। ଏକଥା ଶୁଣି ବାପା ମୁଣ୍ଡରେ ହାତ ଥୋଇ ବସିଲେ, ମାଆ କାନ୍ଦି ବାକୁ ଲାଗିଲା। କିଛି ସମୟ ପରେ ଦୁହେଁ ମିତୁକୁ ବୁଝାଇବାରେ ଲାଗିଲେ, ବାହାଘର ପରେ ବାପଘରେ ଆଶ୍ରା ନେଲେ ଲୋକେ କ'ଣ କହିବେ ! ଯେତେ ହେଲେ ସେମାନେ ବଡ ଲୋକ ଆମକୁ ସହିବାକୁ ହେବ, ସେ ତ ତୋତେ ଘରୁ କାଢି ନାହାନ୍ତି, ଗୋଟିଏ ହାତରେ ତାଳି ବାଜେନା। ପୁଣି ତୋ ଭଉଣୀ ମାନଙ୍କୁ ଆଉ କିଏ ବାହା ହେବ ଇତ୍ୟାଦି....।

ଏତେ କଥା ଶୁଣି ମିତୁକୁ ଜୋରରେ କାନ୍ଦିବାକୁ ଇଛା ହେଉଥିଲା, ଅରୁଣ ଙ୍କ ଚାପୁଡ଼ା ଠାରୁ ଆଜି ବାପାଙ୍କ କଥା ବେଶୀ କଷ୍ଟ ଲାଗୁଥିଲା। ଏବେ ସେ କୁଆଡେ ଯିବ ବାପାଙ୍କୁ ଆଶ୍ଵାସନା ଟିଏ ଦେଇ ଶୋଇବାର ବାହାନା କଲା। ଭାବୁଥିଲା ସତରେ ବାହାହୋଇ ସେ କେତେ ପର ହୋଇଗଲା, ତା ପାଇଁ ତା ଜନ୍ମସ୍ଥାନ ରେ ଆଉ ସ୍ଥାନ ନାହିଁ। ଯାହା ବି ହେଉ ସେ ଅରୁଣ ପାଖରେ ରହିବନି। ଭାବି ଭାବି ରାତି ସରିଗଲା। ଆଉ ତା'ପରେ ସକାଳର ସୂର୍ଯ୍ୟ କିରଣ ରେ ରାତିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା। ସେ ଚାଲିଥିଲା ଏକ ମୁହାଁ ହୋଇ ସେହି ରାସ୍ତାରେ ଯେଉଁ ରାସ୍ତା ଆଉ ତା ଘର ଦେଇ ଫେରିବନି। ଛାଡ ହୋ.....ସେ ସଂସ୍କୃତି ଓ ପରମ୍ପରା କଥା, ଯାହା ନିଜ ଘର ଝିଅ ବୋହୂଙ୍କ ଦେହକୁ ସୁରକ୍ଷା ଦେଇ ପାରେନି। ସେ ଭୁଲି ସାରିଥିଲା ସିନ୍ଦୂର ର ମହାତ୍ମ୍ୟ, ଲକ୍ଷ୍ମୀ ପୁରାଣର ଗାଥା, ଆଈମା'ର ରଜା ରାଣୀ କଥା। ତା ପାଖରେ ଦୁଇଟି କାମ ବାକି ଥିଲା।

ପ୍ରଥମଟି ଲଣ୍ଡା ହେବଓ ଦ୍ବିତୀୟ ଟି କ୍ୟାରାଟେ ଶିଖିବା ।


ବି.ଦ୍ର - ଚିନ୍ମୟୀ ବାରିକ ଙ୍କ ପ୍ରଦତ୍ତ ଗଳ୍ପାଂଶକୁ ନେଇ ମୁଁ ରଚନା କରିଛି ଏହି ଗଳ୍ପ ଟି, ଆଶା କରେ ପାଠକ ମହଲରେ ଆଦୃତ ହେବ ।


Rate this content
Log in

Similar oriya story from Abstract