କାଠ କଣ୍ଢେଇ
କାଠ କଣ୍ଢେଇ
ବାପା କହନ୍ତି, ବିନିଟା ଆମର ସୁନା ଝିଅ ।
ମାଆ କହେ, ମୋ ଝିଅ ପରି କେହି ନାହିଁ।
ଆଉ ବିନି ଘରସାରା ଖୁସିରେ ଡିଆଁ ମାରେ।ଜେଜୀ କହେ, ଝିଅ ପିଲାଟା ଏତେ କାହିଁ ଡେଁଉଛୁ !
ବିନି ଜେଜୀକୁ ଜିଭ ଦେଖେଇ ଖତେଇ ହୁଏ, ବୁଢୀ ମୁହଁ ମୋଡ଼ି ଖପ୍ପା ।
ଗାଁ ରେ ଫେରିବାଲା ପାଖରୁ ମାଆ କାଠ କଣ୍ଢେଇଟିଏ କିଣି ଦେଇଥିଲା ବିନି ପାଇଁ, ସେଇଟା ବିନିର ଭାରି ପ୍ରିୟ ।ସେ କଣ୍ଢେଇର ହସ ହସ ମୁହଁଟି ବିନିକୁ ମାଆର ମୁହଁ ପରି ଲାଗେ। ମାଆ ତା କଣ୍ଢେଇ ପାଇଁ କେତେ ରଙ୍ଗର ଜାମା ତିଆରି କରିଛି ଧଳା ,ନୀଳ, ଗୋଲାପୀ...। ବିନି ତାକୁ ଗାଧେଇ ଦେଇ ନିତି ଜାମା ବଦଳାଏ, ଯେଉଁ ରଙ୍ଗ ବିନିର ପସନ୍ଦ ସେଇ ରଙ୍ଗର ଜାମା ତା କଣ୍ଢେଇ ପିନ୍ଧେ। ଆଉ ସେ କାଠ କଣ୍ଢେଇର ପସନ୍ଦ ତ ବିନି ଜାଣି ପାରେନା। ମାଆ ବୁଝେଇ ଦିଏ ସେ ପରା କାଠରେ ତିଆରି !
ପ୍ରକୃତରେ ବିନି ଭାରି ସୁଧାର ଝିଅଟି। ସମସ୍ତଙ୍କ କଥା ମାନେ, କାହାରି କଥାକୁ ଅବଜ୍ଞା କରେନା। ବାପା ମାଆ ଗୁରୁଜନ, ସାଇପଡିଶା କାହାରି କଥାରେ ପ୍ରତିବାଦ କରି ପାରେନା।
ମାଆର ଶିକ୍ଷା, ସମସ୍ତଙ୍କ କଥା ମାନି ଚଳିଲେ ଘରେ ଶାନ୍ତି ରହିବ।
ଜେଜୀ କହେ ତୋ ମାଆ ପରି ହେବୁ କାହାରି କଥାରେ ଜବାବ୍ ଦେବୁନି।
ତେଣୁ ବିନି ସାନଭାଇର ଆଦେଶକୁ ମଧ୍ୟ ପାଳନ କରେ, ସେ ପରା ପୁଅ ପିଲା !
ଭାଇଭଉଣୀ ସଞ୍ଜରେ ପାଠ ପଢି ବସିଲେ ଜେଜୀ ବିନିକୁ ଡାକ ଛାଡେ," ଆଲୋ ବିନି, ଆସିଲୁ ଟିକିଏ ଗୋଡ ମୋଡ଼ି ଦେବୁ, ମୋତେ ଜମା ନିଦ ହେଉନି ।"
ବିନି ଧାଇଁ ଆସେ। ହଁ ସେ ମାଆ ପରି ହେବ। ତାକୁ ମାଆର କାମ ଭାରି ପସନ୍ଦ, ଓଢ଼ଣା ଟାଣି ରୋଷେଇ କରିବ, ସମସ୍ତଙ୍କୁ ଖାଇବା ବାଢିବ, ବାସନ ଧୋଇବ, ଘର ଓଳେଇବ, ଲୁଗାପଟା ସଫା କରିବ, ଠାକୁର ଘରେ ଧୂପଦୀପ ଲଗେଇବ, ଜେଜୀକୁ ତେଲ ମାଲିସ୍ କରିବ, ବାସ୍ ଏତିକି ତ କାମ ।ସେ କରି ପାରିବ।
ସେଇ ସବୁ ତ ବିନି ତା ସାଙ୍ଗ ମିଲି ସହ ଖେଳେ। ମିଛି ମିଛିକା ବୋହୂ ସାଜି ମିଛିମିଛିକା ରୋଷେଇ।
ହେଲେ ମାଆ ବେଳେବେଳେ କବାଟ ପଛରେ ରହି କାନ୍ଦେ, ପଣତରେ ଲୁହ ପୋଛେ, ଏକଥା ବିନି ଜମା ବୁଝିପାରେନା । ମାଆର ଦେହ ତ କେବେ ଖରାପ ହେବାର ବିନି ଦେଖିନି, ତେବେ ସେ କାନ୍ଦେ କାହିଁକି !
ତା କଅଁଳ ମନଟା ଆଉଟୁପାଉଟୁ ହୁଏ ଓ ପଚାରି ପାରେନା।
ଏମିତିରେ ବିନି ଦିନେ ବଡ ହୋଇଗଲା, ଆଉ ତା'ର ସତସତିକା ବାହାଘର ହେଲା।ମାଆ ପାଖରୁ ସବୁ ଶଣ୍ଠଣା ଶିଖି ଶାଶୁଘରକୁ ଗଲା। ସମସ୍ତଙ୍କ ମନ ଜିଣି ସୁନାନାକି ବୋହୂଟିଏ ସାଜିଥିଲା।ମାଆର ସେଇ ଗୋଟାଏ କଥା ମନରେ ରଖି ବିନା ଯୁକ୍ତିରେ ଆଦେଶ ପାଳନ କରୁଥିଲା । ବିନିର ପୁଅଝିଅ ହେଲେ, ସଂସାର ବଢିଲା । ପିଲାମାନଙ୍କ ମାଆ ହୋଇ କାମ କରୁକରୁ ବିନି ଜାଣି ପାରିନଥିଲା କେତେବେଳେ ପିଲାମାନେ ବି ବଡ ହୋଇଗଲେ।
ଆଇନାରେ ମୁହଁର କୁଞ୍ଚିତ ରେଖା ଆଉ ଧଳା କେଶ ଦେଖି ବିନିର ବୟସକୁ ଅନୁମାନ କରିହେଉଥିଲା। ତାକୁ କିଛି ଶିକ୍ଷା ଦେବାକୁ ବାପାମା ଆଉ ନଥିଲେ। ଏଥର ପିଲାମାନେ ଆଦେଶ ଦେଉଛନ୍ତି ଆଉ ବିନି ଅଭ୍ୟାସ ମୁତାବକ ସବୁ କରି ଚାଲିଛି।
ହେଲେ ସେ ଆଦେଶର ଶବ୍ଦ ଗୁଡ଼ିକ ଯେତେବେଳେ କାନକୁ ଅସହ୍ୟ ହୁଏ ସେତେବେଳେ ବିନିର ଅତୀତ ଆଉ ବର୍ତ୍ତମାନ ମୁହାଁମୁହିଁ ହୁଅନ୍ତି। ଆଜିକାଲି ବିନି ଏକୁଟିଆ ବସି ଭାବିବାରେ ଲାଗିଲାଣି, ମାଆ ଆଉ ତା ନିଜର ଅସ୍ତିତ୍ବକୁ ନେଇ। ସେମାନଙ୍କ ଚରିତ୍ର ସେଇ କାଠ କଣ୍ଢେଇ ଠାରୁ କୌଣସି ଗୁଣରେ ଅଧିକ ନାହିଁ। କାଠ କଣ୍ଢେଇର ନିଜସ୍ବ ଇଚ୍ଛା କି ଆକାଂକ୍ଷା ନଥାଏ, କେବଳ ଆଦେଶର ଗୋଲାମ୍।ପାଟି ଖୋଲିବାର ଅବକାଶ ନଥାଏ।
ବିନି ଏବେ ବୁଝି ପାରୁଛି ଯେ ମାଆ କାହିଁକି ଲୁଚି ଲୁଚି କାନ୍ଦେ ! ତେବେ ମାଆ ବିନିକୁ ନିଜ ପରି କାହିଁ ଗଢିଲା !
ହଁ ,କାଠ କଣ୍ଢେଇଟିଏ କେବଳ କାଠ କଣ୍ଢେଇ ହିଁ ତିଆରି କରି ପାରିବ ।