ରୁକ୍ଷତା
ରୁକ୍ଷତା
ମୁଁଁ ମିସେସ୍ ଦାଶ, ଏକୁଟିଆ ଜୀବନଟା କେତେ ଯେ ଦୁର୍ବିସହ ମୋ ଠାରୁ ଅଧିକ କିଏ ବୁଝିପାରେ ! ବୟସ ପୂର୍ବରୁ କୁଞ୍ଚିତ କପାଳ ଓ ଗମ୍ଭୀର ଚେହେରା ପଛରେ କିଛି କାହାଣୀ ଅବଶ୍ୟ ଲୁଚି ରହିଛି। କାହାଣୀର ମୁଁଖ୍ୟ ଧାରା ସେଇ ଏକୁଟିଆ ପଣ। ମୋ ଏକୁଟିଆ ପଣ ବୁଝିବାକୁ ପୁରା କାହାଣୀ ପଢିବାକୁ ହେବ।
ଜାହ୍ନବୀ ମହାପାତ୍ର, ବାହାଘର ପରେ ମିସେସ୍ ଜାହ୍ନବୀ ଦାଶ୍। ଇଞ୍ଜିନିୟର ଶୁଭ୍ରାଂଶୁ ଦାଶଙ୍କ ଧର୍ମପତ୍ନୀ। ଶାଶୁଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ପୁରି ରହିଥିଲା, ଶାଶୁ ନିଜ ଘର ଦାୟିତ୍ବ ସବୁ ବୁଝୁଥିଲେ।ନବ ଦମ୍ପତିଙ୍କ ବୁଲାବୁଲି, ମଉଜ ମଜଲିସ ବ୍ୟତୀତ କିଛି ଚିନ୍ତା ହିଁ ନଥିଲା। ଶୁଭ୍ରାଂଶୁ ଅଫିସ ରୁ ଆସିବା ସମୟରେ ଫୁଲ ଗଜରା ଆଣିବାକୁ କେବେ ଭୁଲୁ ନଥାନ୍ତି।ଶାଶୁଙ୍କୁ ଘରକରଣା ଖୁବ୍ ଆସେ, ସେ ମୋତେ ଝିଅ ପରି ସ୍ନେହ ମଧ୍ୟ କରିଥିଲେ। ଏମିତି ଶାଶୁ ଓ ସ୍ବାମୀ ପାଇ ମୁଁ ନିଜକୁ ଧନ୍ୟ ମଣୁଥିଲି।
ଏମିତିରେ ତିନି ବର୍ଷ ହସଖୁସିରେ କଟିଗଲା, ହେଲେ ଆମକୁ ସନ୍ତାନ ସୁଖ ମିଳି ନଥିଲା। ଶାଶୁ ଅବଶ୍ୟ ଚିନ୍ତିତ ଥିଲେ, ହେଲେ ଶୁଭ୍ରାଂଶୁଙ୍କର ସେଇ ଖିଆଲି ହସ କହନ୍ତି - ଆମେ କ'ଣ ବୁଢ଼ାବୁଢ଼ୀ ହେଇ ଗଲୁଣି କି ଆହୁରି ସମୟ ଅଛି ବ୍ୟସ୍ତ ହୁଅନା । ହେଲେ ସମୟର ଖେଳ କିଏ ବା ବୁଝିଛି ! ହଠାତ୍ ଦିନେ ରାସ୍ତା ଦୁର୍ଘଟଣାରେ ଶୁଭ୍ରାଂଶୁ ଚାଲିଗଲେ ଏକା କରି। ସବୁବେଳେ ହସି ଉଠୁଥିବା ଦ୍ଵିତଳ ପ୍ରାସାଦଟି ସ୍ତବ୍ଧ ହେଇଗଲା ସବୁଦିନ ପାଇଁ। ଏକମାତ୍ର ବିଶିକେଶନକୁ ଝୁରି ଝୁରି ଶାଶୁ ବର୍ଷେ ପରେ ଆଖି ମୁଁଜିଲେ। ମୋ ଦୁନିଆ ଆରମ୍ଭ ହେବା ପୂର୍ବରୁ ସରିଗଲା। ଏତେ ବଡ ଘରେ ଶୂନ୍ୟ ମଥା ଆଉ ଶୂନ୍ୟ କୋଳ ନେଇ ଏକା ରହିଗଲି। ଆଗକୁ ପଛକୁ ଭାବିବା ପାଇଁ କିଛି ନ ଥିଲା। ଏକାକିତ୍ବ ତା ଚାଦର ବିଛେଇ ସାରିଥିଲା। ଚାରିଆଡେ ଗୁମସୁମ୍ ର ପବନ ବହୁଥିଲା। ମୁଁଁ ବୁଝି ସାରିଥିଲି ଏକା ବଞ୍ଚିବା ପାଇଁ ମନକୁ ପଥର ଓ ହୃଦୟକୁ ଶକ୍ତ କରିବାକୁ ହେବ। ମୋ ଏକାକିତ୍ବ ମୋତେ କିଛି ମାତ୍ରାରେ ରୁକ୍ଷ କରି ସାରିଥିଲା।ଘରର ଚାକର ବାକର, ମାଳି, ଡ୍ରାଇଭର ସମସ୍ତଙ୍କ ଉପରେ ଚିଡଚିଡ୍ ହେବାରେ ଲାଗିଲି। ମୁଁଁ ନିଷ୍ପତ୍ତି ନେଲି ଘରଟିର ରକ୍ଷଣାବେକ୍ଷଣ ପାଇଁ ଉପର ମହଲାକୁ ଭଡ଼ାରେ ଦେବି। ତେଣୁ ପାଖରେ ଥିବା କୋଚିଂ ସେଣ୍ଟରର କିଛି ଝିଅକୁ ଘରଭଡ଼ା ଦେଲି। ସେଇ ଝିଅଙ୍କ ପାଇଁ ମୁଁଁ ହେଲି ମିସେସ୍ ଦାଶ। ଘର ମାଲିକ ମିସେସ୍ ଦାଶ..।
ଘର ତ ଭଡ଼ାରେ ଲାଗିଲା ହେଲେ ପ୍ରତିଦିନ ସନ୍ଧ୍ୟାରେ ଘର ଆଗରେ ପୁଅ ପିଲାଙ୍କ ଭିଡ ଜମିଲା। ଏସବୁ ଦେଖି ମୋ ରୁକ୍ଷତା ବଢ଼ିବାରେ ଲାଗିଲା ବିଭିନ୍ନ କଟକଣା ଲଗାଇଲି ଝିଅଙ୍କ ଉପରେ ଆଉ ଝିଅଙ୍କ ପାଇଁ ପୁଣି ହେଲି ମିସେସ୍ ହିଟଲର୍। ଘରର ଚୁକ୍ତି ଅନୁସାରେ ବର୍ଷେ ଯାଏ କାହାକୁ ବାହାର କରିବିନି, ତେଣୁ ଗୋଟିଏ କାମ ରହିଲା ପ୍ରତିଦିନ ଝିଅଙ୍କ ଉପରେ ନଜର ରଖିବା ଆଉ ମୋ ରୁକ୍ଷତାରୁ କିଛି ତାଙ୍କ ଉପରକୁ ଫୋପାଡିବା। ଚାରିଟା ରୁମ୍ ରେ ଆଠଜଣ ଝିଅ ରହୁଥିଲେ, ଖାଇବା ବାହାରୁ ଆସୁଥିଲା। କିଛି ଝିଅ ଅବଶ୍ୟ ଶାନ୍ତ ଥିଲେ ହେଲେ ଦୁଇଜଣଙ୍କ ଉପରେ ମୁଁଁ କଡା ନଜର ରଖୁଥିଲି ରୋମା ଆଉ ମନ୍ଦିରା । ଦୁହେଁ ଭାରି ଅନ୍ତରଙ୍ଗ ତାଙ୍କ ଚାଲିଚଳଣି, ବେଶଭୂଷା ସବୁ ମୋ ଆଖିରେ ଫୋଡି ହେଉଥିଲା। ସବୁବେଳେ ପୁଅ ସାଙ୍ଗ
ଥରେ ଦୁଇ ଥର ଆକଟ କରିଥିଲି ହେଲେ ସେମାନେ ବଦଳି ନଥିଲେ। ସକାଳେ ନଅଟାରୁ ଯାଇ କଲେଜ କୋଚିଂ ସାରି ରାତି ଫେରନ୍ତି ସାଢେ ଆଠଟା। ମୁଁଁ ପ୍ରତିଦିନ ଝରକା ଫାଙ୍କରୁ ଲକ୍ଷ୍ୟ କରେ ନିହାତି ପୁଅ ଦୁଇ ତିନି ସାଙ୍ଗରେ ଥିବେ। ଗେଟ୍ ପାଖରେ ଘଡ଼ିଏ କଥା ହେଲା ପରେ ଭିତରେ ପଶିବେ ଭାରି ଅସହ୍ୟ ହୁଏ ଏସବୁ ହେଲେ ମନଟାକୁ ବୁଝାଏ ଇଏ ଆଜିକାଲି ର ଟ୍ରେଣ୍ଡ ବୋଲି।
ଦିନକର କଥା ମୋ ଚିନ୍ତା ଓ ଭାବନାକୁ ଓଲଟପାଲଟ କରିଦେଲା, ସେଦିନ ଝିପିଝିପି ବର୍ଷା। ରୋମାକୁ ଜ୍ୱର ତାକୁ ଛାଡି ସବୁ ଝିଅ କଲେଜ ଯାଇଥିଲେ। ରାତି ଆଠଟା ବେଳକୁ ସମସ୍ତେ ଫେରି ଆସିଲେ ହେଲେ ମନ୍ଦିରାର ଦେଖା ନାହିଁ।ମୋ ମୁଁଣ୍ଡକୁ ପିତ୍ତ ଚଢି ସାରିଥିଲା ଭାବିଲି ବର୍ଷ ପୁରିବାକୁ ଆଉ ମାସେ ଅଛି କେମିତି ମାସ ପୁରିବ ଆଉ ଏ ଉଦଣ୍ଡି ଝିଅ ଦିଟାକୁ ଘରୁ ବାହାର କରିବି। ସେମାନଙ୍କ ପାଇଁ ଅଯଥାରେ ମୋର ରକ୍ତଚାପ ବଢୁଛି।
କିଛି ସମୟ ପରେ ମନ୍ଦିରା ଆସିଲା।
ହେଲେ..................
ସେଦିନ ମନ୍ଦିରାର ରେପ୍ ହୋଇଥିଲା ତା ବେହୋସ୍ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେ଼ଇ ଅଟୋ ରିକ୍ସା ବାଲାଟେ ତାକୁ ଗଟର କଡରୁ ଉଠାଇ ଆଣିଥିଲା।ସବୁଥର ପରି ମୁଁଁ ତା ଆସିବା ବାଟକୁ ଚାହିଁଥିଲି। ମୁଁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି। ଅଟୋ ରିକ୍ସା ତାଠୁ ପଇସା ମାଗି ନଥିଲା। ଅଟୋରୁ ଓହ୍ଲାଉ ଓହ୍ଲାଉ ମନ୍ଦିରା କଚାଡି ହୋଇ ତଳେ ପଡ଼ିଲା, ମୁଁଁ ଯନ୍ତ୍ରବତ୍ ଧାଇଁ ଗଲି। ପାଖକୁ ଯାଇ ଯାହା ଦେଖିଲି ମୋ ଅନ୍ତରାତ୍ମା କାନ୍ଦି ଉଠିଲା। ତାକୁ ଛାତିରେ ଜାବୁଡ଼ି ଧରିଲି,ତା ଉଲଗ୍ନ ଦେହଟା ସାରା ରାମ୍ପୁଡା ଦାଗ, ଯେମିତି ଗଧିଆ କି ଶିଆଳ ତାକୁ ଝାମ୍ପି ଖାଇଛନ୍ତି। ମୋତେ ଦେଖି କାନ୍ଦିବାର ପ୍ରୟାସ କରି ପୁଣି ବେହୋସ୍ ହେଲା। ମୋତେ ଆଉ ବୁଦ୍ଧିବାଟ ଦିଶୁ ନଥଲା। ଅନ୍ୟ ଝିଅମାନଙ୍କ ସହାୟତା ରେ ମୋ ଘର ଭିତରକୁ ଆଣି ତାକୁ ଲୁଗାପଟା ପିନ୍ଧାଇଲି ମୋର ଜଣେ ଚିହ୍ନା ମହିଳା ଡାକ୍ତରଙ୍କୁ ଘରକୁ ଡାକିଲି ତାର ଚାକିତ୍ସା ପାଇଁ।
ମନ୍ଦିରାର ଘରଲୋକଙ୍କୁ ଖବର ଦେବା ପାଇଁ ରୋମାକୁ ଫୋନ ନମ୍ବର ମାଗିଲି। ମନ୍ଦିରାକୁ ଦେଖି ଭୟ ,ଲଜ୍ଜା ଓ ଆଶଙ୍କାରେ ରୋମା ଗୋଟାପଣେ ଥରୁଥିଲା। ବହୁତ ପଚାରିବା ପରେ ଜାଣିଲି ମନ୍ଦିରା ଅନାଥ ସେ କିଛି ପିଲାଙ୍କୁ ଟିଉସନ କରି ଚଳେ, ସେଥିପାଇଁ ପ୍ରତିଦିନ ଡେରି ହୁଏ ଫେରିବାରେ।
ତାପରେ ଆଉ କିଛି ଉପାୟ ନପାଇ ମନ୍ଦିରାକୁ ଘରେ ରଖି ସବୁ ଦାୟିତ୍ବ ନେଇ ଚିକିତ୍ସା କରାଇଲି। ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲା। କିଛି ଦିନ ପରେ ମନ୍ଦିରାକୁ ସେଦିନର ଘଟଣା ବିଷୟରେ ପଚାରିଲି। ସେ କହିଲା ତା'ର କିଛି ଜଣା ଆଉ କିଛି ଅଜଣା ପୁଅ ସେଦିନ ବିଧିବଦ୍ଧ ଭାବେ ଛପି ରହିଥିଲେ ରୋମା ଆଉ ମନ୍ଦିରାକୁ ବଳାତ୍କାର ପାଇଁ, ଭାଗ୍ୟବଶତଃ ରୋମା ଯାଇ ନଥିଲା ଏବଂ ଶୀକାର ହେଲା ମନ୍ଦିରା। ମୋ ଗୋଡ଼ ତଳେ ପଡି ମନ୍ଦିରା ସେତେବେଳକୁ ବୁକୁ ଫଟା କ୍ରନ୍ଦନ କରୁଥିଲା ଆଉ ମୋ ହୃଦୟଟା ତରଳି ଯାଉଥିଲା ତା ତତଲା ଲୁହରେ। ତାକୁ ସାଥିରେ ନେଇ ଥାନାକୁ ଗଲି ଅଭିଯୋଗ ଲେଖେଇବା ପାଇଁ। ସେତେବେଳେ ଥାନାବାବୁ ତାସହ ମୋ ସମ୍ପର୍କ ପଚାରିଲେ ଆଉ ମୁଁଁ ନିର୍ଦ୍ଵନ୍ଦରେ ଦସ୍ତଖତ କରି ଲେଖିଦେଲି ମୁଁଁ ତା ମାଆ।
ମନ୍ଦିରା ମୋତେ ଅବାକ୍ ହୋଇ ଚାହିଁ ରହିଥିଲା, ସେଇ ଥାନାରେ ଦୁହେଁ କୁଣ୍ଢାକୁଣ୍ଢି ହୋଇ ଦୁହିଁଙ୍କର ଅନାଥପଣକୁ ଦୂର କରୁଥିଲୁ ଆଉ ମୋ ଚେହେରାରୁ ରୁକ୍ଷତା ଲିଭି ଲିଭି ଆସୁଥିଲା ।
ବି.ଦ୍ର - ମୋ ଗଳ୍ପ ରେ ମିଶିଥିବା ଗଳ୍ପାଂଶଟି ଲେଖକ ଅଜୟ ମହଲାଙ୍କ ପ୍ରଦତ୍ତ। ଗଳ୍ପାଂଶଟି ଭାରି ମର୍ମସ୍ପର୍ଶୀ ଥିଲା, ତାଙ୍କ ଅଧୁରା କାହାଣୀକୁ ପୁରା କରିବାକୁ ମୁଁଁ ଚେଷ୍ଟା କରିଛି ।