ଗରିବର ମୂଲ
ଗରିବର ମୂଲ


ଦୁଇ ଦିନ ହେଲାଣି ଝିଅଟାକୁ ଖୋଜି ଖୋଜି ଆମେ ସ୍ବାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଲୁଣି। ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀ ତୁଠ ବି ବାଦ୍ ଦେଇନୁ, କିନ୍ତୁ କିଛି ଖବର ମିଳୁନି। ସାଙ୍ଗସାଥୀ ବି କିଛି କହି ପାରୁନାହାଁନ୍ତି। ଆମକୁ ଦୟା କରନ୍ତୁ ସାହେବ।"
କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସ ବାବୁଙ୍କୁ ଗୁହାରି କରୁଥିଲା।
ଚା କପଟିକୁ ଚୁମ୍ବନଟିଏ ଦେଉ ଦେଉ ପୁଲିସ ବାବୁ ଧନୁ ମୁଣ୍ଡାକୁ ଅନାଇଲେ। କଳା ମଚମଚ ଦେହ, ପିନ୍ଧି ଥିବା ଧୋତି ଗାମୁଛାରେ ଯେମିତି କେବେଠୁ ବୋଧେ ସାବୁନ୍ ପାଣି ଲାଗିନି, ହାତଯୋଡି ତଳେ ବସିଛି।ତା ପାଖରେ ତା ସ୍ତ୍ରୀ ବସିଛି, ନୁଖୁରା ବାଳ,କସ୍ତା ଶାଢ଼ୀ ଖଣ୍ଡକରେ ପିଠି ଲୁଚୁନି, ଉଁ ଉଁ ହୋଇ କାନ୍ଦିବାରେ ଲାଗିଛି, ମଝିରେ ମଝିରେ ବିଳିବିଳେଇଲା ପରି କିଛି କହୁଛି, ସେଥିରୁ କିଛି ପୁଲିସ ବାବୁ ବୁଝୁଥିଲେ ଯେମିତି - ମୁଁ କହୁଥିଲି ଝିଅଟାକୁ ପାଠ ପଢାନା, ମୋ କଥା କିଏ ଶୁଣୁଛି।
ଚା କପ୍ ଟିକୁ ପିଇସାରି ଟେବୁଲ୍ ରେ ରଖିଲେ ପୁଲିସ ବାବୁ, ଧନୁକୁ ହାତ ଠାରି ପାଖକୁ ଡାକିଲେ,
କହିଲେ, ଏବେ କହ କ'ଣ ହେଲା ?
ଧନୁ କହିଲା, ବାବୁ ମୋ ଝିଅ ମିଳୁନି !
ପୁଲିସ ବାବୁ ବୁଝାଇଲେ, ଦେଖ୍ ଚବିଶି ଘଣ୍ଟା ନ ହେଲେ ଅଭିଯୋଗ ଲେଖି ହେବନି, ଝିଅ କେତେବେଳୁ ନାହିଁ ?
ଧନୁ କହିଲା, ବାବୁ ଦୁଇ ଦିନ ହେଲାଣି ବାବୁ ।
ପୁଲିସ ବାବୁ ଏବେ ନାଲି ଆଖି ଦେଖେଇ କହିଲେ,
ଆଗରୁ ଆସିଲୁନି କାହିଁକି, ଏତେ ଡେରି ଯାଏଁ ଶୋଇଥିଲୁ ?
ଧନୁ ଟିକିଏ ନଇଁ ପଡ଼ି କହିଲା, ଆସିଥିଲି ବାବୁ, ଆଉ ଜଣେ ବାବୁ ଥିଲେ, କହିଲେ ଆଗେ ନିଜେ ଖୋଜ, ନ ପାଇଲେ କାଲିକି ଆସିବୁ ।
ପୁଲିସ ବାବୁ ଏଥର ଖାତା କଲମ ଧରିଲେ, କହିଲେ- ହଉ ହଉ ଝିଅର ନାଁ କହ ,
ଧନୁ କହିଲା,' ସୁନ୍ଦରୀ' ।
ପୁଲିସ ବାବୁ,- ବୟସ ?
ଧନୁ କହିଲା- ସତର ,
ପୁଲିସ ବାବୁ - ରଙ୍ଗ ?
ଧନୁ କହିଲା- ତା ମାଆଠୁ ଟିକିଏ ସଫା ବାବୁ ।
ପୁଲିସ ବାବୁ ତା ସ୍ତ୍ରୀ କୁ ଚାହିଁ କିଛି ଲେଖିଦେଲେ।
ପୁଲିସ ବାବୁ - ଉଚ୍ଚତା କେତେ ହେବ ?
ଧନୁ କହିଲା- କ'ଣ ବାବୁ ଝିଅର ?
ପୁଲିସ ବାବୁ ଚିହିଁକି ଉଠି କହିଲେ- ଆଉ କ'ଣ ତୋର ?
ଧନୁ କହିଲା- ବାବୁ ତା ମାଆଠୁ ଟିକିଏ ବାଙ୍ଗରା ହେବ ।
ପୁଣି ପୁଲିସ ବାବୁ ତା ସ୍ତ୍ରୀ କୁ ଚାହିଁ କିଛି ଲେଖିଦେଲେ
ପୁଲିସ ବାବୁ ପୁଣି ପଚାରିଲେ - କୁଆଡେ ଯାଇଥିଲା ଝିଅ ?
ଧନୁ କହିଲା - ଟିଉସନ ଯାଇଥିଲା ଆଜ୍ଞା ।
ପୁଲିସ ବାବୁ - କେତେ ପଢୁଥିଲା ?
ଧନୁ କହିଲା- ଏଇଥର କ'ଣ ବଡ ପରୀକ୍ଷା ଥିଲା, ମୁଁ ମୁରୁଖ ଲୋକ ଆଜ୍ଞା, ଝିଅଟି ଭଲ ପଢେ ବୋଲି ତା ସ୍କୁଲରେ ମାଷ୍ଟର ମାନେ କହୁଥିଲେ, ତେଣୁ ଦିନରାତି ଖଟି ଖଟି ତାକୁ ପାଠ ପଢାଉଥିଲି। ସେଇ ଗୋଟାଏ ଝିଅ ଯେ ତାକୁ ପୁଅ ପରି ପାଳିଥିଲି।
କାନ୍ଦି କାନ୍ଦି ପୁଣି କହିଲା ଧନୁ - ତା ମାଆ ମନା କରୁଥିଲା,ଝିଅଟାକୁ ଏତେ କାହିଁ ପଢଉଛୁ, ମୁଁ ପୋଡାମୁଁହା ଭାବିଲି ସେ ମୋର ପୁଅ ହେବ।
ପୁଲିସ ବାବୁ ପାଟିକଲେ, ଆରେ ରହ କାନ୍ଦୁଛୁ କାହିଁକି, ଫଟୋ ଆଣିଛୁ ?
ଧନୁ କହିଲା - ନାଇଁ ବାବୁ, ଛୋଟ ବେଳର ଫଟୋଟିଏ ଘରେ ଅଛି, ମେଳାରେ....
ପୁଲିସ ବାବୁ ଧମକାଇ କହିଲେ - ହେ..., ବାଜେ କଥା ସବୁ, ହଉ କହ କୋଉ ପୁଅ ସହ କିଛି ସମ୍ପର୍କ ଥିଲା ?
ଧନୁ ମୁଣ୍ଡା ଓ ତା ସ୍ତ୍ରୀ ଅବାକ୍ ହୋଇ ମୁହଁ ଚାହାଁ ଚାହିଁ ହେଉଛନ୍ତି, ଏହି ସମୟରେ ପାଖ ଗାଁ ର ମୁଖିଆ ହରିବନ୍ଧୁ ପଧାନ ପହଞ୍ଚିଲେ ଥାନାରେ। ତାଙ୍କୁ ଦେଖି ପୁଲିସ ବାବୁ କଲମ ଛାଡ଼ି ଠିଆ ହୋଇ ପଡିଲେ।
ଧାଇଁ ଯାଇ ମୁଖିଆଙ୍କୁ ଜୁହାର ହେଲେ।
ବାବୁ କହିଲେ - ସାର୍ ଆପଣ କାହିଁକି ଆସିଲେ, ଫୋନ କରିଥାଆନ୍ତେ।
ମୁଖିଆ କହିଲେ - ଫୋନ ଲାଗୁନି ତେଣୁ ନିଜେ ଧାଇଁ ଆସିଲି, ଶୀଘ୍ର ଅଭିଯୋଗ ଲେଖ ଆଉ କାମରେ ଲାଗିଯାଅ।
ପୁଲିସ ବାବୁ କହିଲେ - ହଁ ସାର୍ କୁହନ୍ତୁ କ'ଣ ହୋଇଛି ?
ମୁଖିଆ କହିଲେ - ଆରେ ମାସେ ହେଇଛି ନୂଆ ଗାଡିଟା,ବଡ ସଉକରେ ପୁଅଟା କିଣି ଥିଲା, ସକାଳେ ଆଜି ମନ୍ଦିର ଆଗରୁ କିଏ ନେଇଗଲା। ପୁଅ ଟିକିଏ ଅନ୍ୟମନସ୍କ ହୋଇ ଗାଡ଼ିରେ ଚାବିଟା ଛାଡ଼ି ଦେଇ ମନ୍ଦିର ଭିତରକୁ ଗଲା, ଆଜି ତା'ର ଜନ୍ମଦିନ ତ !
ଆସିଲା ବେଳକୁ ଗାଡି ନାହିଁ। ଜନ୍ମଦିନଟାରେ ମୁହଁ ଶୁଖେଇ ଘରକୁ ଫେରିଲା। ତେଣୁ ଯେତେ ଶୀଘ୍ର ହେବ ଗାଡିଟାକୁ ଖୋଜ। ଦେଢ ଲକ୍ଷ ଟଙ୍କା ଦେଇ ଗୋଟେ ଖୁସିରେ ଗାଡିଟା କିଣି ଥିଲା। ଏକା ନିଶ୍ଵାସରେ ମୁଖିଆ ଏତେ କଥା କହିଗଲେ।
ପୁଲିସ ବାବୁ ବିନା ପ୍ରଶ୍ନରେ କ'ଣ ସବୁ ଲେଖି ନେଲେ, ଆଉ ସଙ୍ଗେ ସଙ୍ଗେ ଠିଆ ହୋଇ ଥିବା ଦିଜଣ ହାବିଲଦାର ଙ୍କୁ ଠାରି ଦେଇ କହିଲେ - ମୋ ପଛରେ ଶୀଘ୍ର ଚାଲ ।
ଧନୁ ମୁଣ୍ଡା କିଛି ବୁଝି ପାରୁ ନଥାଏ। ବିକଳ ହୋଇ ପୁଲିସ ବାବୁଙ୍କ ଆଗକୁ ଧାଇଁ ଗଲା, କହିଲା - ବାବୁ ମୋ ଝିଅ !
ପୁଲିସ ବାବୁ ତରତର ହୋଇ ଚଢାଗଳାରେ କହିଲେ - ହଁ ହଁ ଘରକୁ ଯାଇ ଫଟୋଟିଏ ନେଇ ଆସିବୁ।
ଏଇ ସମୟରେ ଜଣେ ହାବିଲଦାର ପାଖକୁ ଲାଗି ଆସି କହିଲା - ଦେଖୁଛୁ ତ ମୁଖିଆଙ୍କ ଦାମୀ ଗାଡ଼ିଟି ଚୋରି ହେଇଛି ।
ପୁଲିସ ବାବୁ ଥାନରୁ ବାହାରିଗଲେ, ପଛେ ପଛେ ହାବିଲଦାର ମାନେ।
ପୁଲିସ ବାବୁ ମୁଖିଆଙ୍କୁ ଆଶ୍ଵାସନା ଦେଉଥିଲେ -
ଆପଣ ଘରକୁ ଯାଆନ୍ତୁ, ଗାଡି ନିଶ୍ଚୟ ମିଳିଯିବ।
ଗରିବ ବିଚରା ଧନୁ ମୁଣ୍ଡା ଘରକୁ ଫେରି ଝିଅର ଫଟୋ ଖୋଜୁଥିଲା .... ।
ବି.ଦ୍ର - ଏଥିରେ ଥିବା ଗଳ୍ପାଂଶଟି ଲେଖିକା ବିସ୍ମିତା ସାହୁଙ୍କ ଦ୍ଵାରା ପ୍ରଦତ୍ତ। ଲେଖିକା ଏଥିରେ ଜଣେ ଗରିବ ବାପର ଆକୁଳ ନିବେଦନ କୁ ଦର୍ଶାଇ ବାକୁ ଚାହିଁଛନ୍ତି, ଆଉ ମୁଁ ତାଙ୍କୁ ସମର୍ଥନ କରି ଗପଟିଏ ରଚନା କରିଛି , ଆଶା କରେ ଆପଣ ମାନଙ୍କୁ ଭଲ ଲାଗିବ।