ଦଇବ ଦଉଡ଼ି
ଦଇବ ଦଉଡ଼ି


ଆଜି ରହି ରହି ରଘୁଆକୁ ଘରକଥା ଭାରି ମନେ ପଡୁଛି। ଘରୁ ଆସିଲାବେଳେ ବୁଢ଼ୀ ମାଆଟା କେତେ କାନ୍ଦୁ ନ ଥିଲା ସତରେ,ଗେଲକରି ଵୋକ ଦେଉଥିଲା, ମୁଣ୍ଡଟାକୁ ଆଉଁସି ପକଉଥିଲା। ସତେ ଯେମିତି ସେ ଏବେବି କଅଁଳା ଛୁଆ ଟା। ତା କାନିରୁ ଗଣ୍ଠି ଖୋଲି ପଚାଶ ଟଙ୍କିଆ ନୋଟ୍ ଖଣ୍ଡେ କାଢି ରଘୁଆ ହାତରେ ଗୁଞ୍ଜି ଦେଲା, କେଜାଣି କେବେଠୁ ସେ ମସିଆ ନୋଟ୍ ଖଣ୍ଡିକ ସାଇତି ରଖିଥିଲା। ରଘୁଆ ଭାବୁଛି ସେ କେବେଠୁ ମାଆ ବୋଲି ଡାକିନି।
ମାଆ କହେ ରଘୁଆକୁ ଯେତେବେଳେ ଦୁଇବର୍ଷ ତା ବାପା ହଇଜାରେ ଆର ପାରିକୁ ଗଲେ, ସେତେବେଳେ ଭଉଣୀ ସାବି ମାଆର ପେଟରେ। ହଇଜାରେ ପ୍ରତି ଘରେ ଘରେ ଶବ ଉଠିଲା,ଆଉ ସେଥିରେ ବାପା ବି ଥିଲେ। ବାପଛେଉଣ୍ଡ ପୁଅଝିଅଙ୍କୁ ମାଆ ତା ଛାତିରେ ଲଗାଇ ରଖି ଦୁଃଖେସୁଖେ ପାଳିବାକୁ ଚେଷ୍ଟା କରୁଥିଲା କି ସେଇ ସମୟରେ ଆସିଥିଲା ମହାବାତ୍ୟା। ଯାହା ଜମି ଦୁଇ ମାଣ ଥିଲା, ଆଉ ଘରଡ଼ିହ ଖଣ୍ଡକ ମାଟିରେ ମିଶିଲା, ଖାଲି ଯାହା ତିନୋଟି ଜୀବନ ବଞ୍ଚିଗଲା।
ହେଲେ ମାଆର ଧୈର୍ଯ୍ୟ ବହୁତ, ବାତ୍ୟା ପରେ ଛୁଆଙ୍କ ମୁହଁରେ ଅନ୍ନ ଦେବାକୁ ନିଜକୁ ପଥର କଲା, ପରଘରେ ବାସନ ଧୋଇ ତା ପିଲାଙ୍କୁ ବଡ କରିଛି।
ଆଜି କାହିଁକି ମାଆ କଥା ଏତେ ମନେ ପଡୁଛି ରଘୁଆକୁ, ମାଆ ଦେହ ଭଲ ଅଛି ତ ! ଏସବୁ ଭାବିଲେ ଛାତିରେ ଛନକା ପଶେ। ସାନ ଭଉଣୀ ସାବି କେମିତି ଥିବ କେଜାଣି,ତା ଗେହ୍ଲୀ ଭଉଣୀ, ହେଲେ ହୁଣ୍ଡି ଟା। ଘରେ ମାଆକୁ ଭାଉଜକୁ ସାହାଯ୍ୟ କରିବ କ'ଣ ଖାଲି ଡେଁଉଥିବ ଏ ସାହିରୁ ସେ ସାହି। ମାଆ କହେ ଥାଉ ମୁଣ୍ଡରେ ପଡିଲେ ଆପେ କରିବ। ସାବିକୁ ଚିଡେଇବାକୁ ଭାରି ମଜା ଲାଗେ ରଘୁଆକୁ, ଭାଇ ଭଉଣୀ ଝଗଡ଼ା ରେ ମାଆ ମୁରୁକି ହସେ।
ଆଉ ରଙ୍ଗ, ରଘୁଆର ସୁନାନାକି ଭାରିଜା,ସେ ସବୁବେଳେ ସାବି ସପକ୍ଷରେ କହିବ। ନଣନ୍ଦ ତ ନୁହେଁ ଯେମିତି ଏକା ମାଆ ପେଟର ଭଉଣୀ। ସାବି କାନ୍ଦିବା ଆଗରୁ କୋଳେଇ ନେଵ। ରଙ୍ଗର ରଙ୍ଗଟା ଟିକିଏ କଳା, ହେଲେ ତା ଭିତରେ ଗୋଟିଏ ସଫେଦ ହୃଦୟ ରହିଛି, ଓଠରେ ସବୁବେଳେ ହସ। ଶାଢୀକୁ ପାଦ ଉପରକୁ ଟେକି ପିନ୍ଧେ, ଯେମିତି ତା କୋଡିଏ ଟଙ୍କିଆ ପାଉଁଜି ହଳକ ଆଖିକୁ ଦିଶିବ, ନାଲି କାଚ ଦିମୁଠା ହାତକୁ ଭିଡ଼ି ଧରିଥାଏ, ଆଉ କଳା ମୁହଁରେ ସେ ନାଲି ଟିକିଲି ବେଶ୍ ମାନେ ତାକୁ।
ଏଇ ରଙ୍ଗ କୁ ମାଆ ପସନ୍ଦ କରି ବୋହୂ କରିଥିଲା। ମାଆ କହିଲା ଆମଠୁ ଟିକିଏ ଗରିବ ହେଲେ ବୋହୂଟି ଆମକୁ ମାନିବ, ଆଉ ମାଆ କଥା କେବେ କାଟିପାରେନି ରଘୁଆ। ରଙ୍ଗକୁ ବାହା ହୋଇ ଘରକୁ ଆଣିଥିଲା ରଘୁଆ।
ମାଆ ଏବେ ଆଉ ବେଶୀ କାମଧନ୍ଦା କରି ପାରୁନି, ଦେହ ଦୁର୍ବଳ ହେଲାଣି, ରଘୁଆ ତାକୁ ଔଷଧ ଟିକିଏ ଦେଇ ପାରୁନି।
ଘରେ ଏବେ ଚାରିପ୍ରାଣୀ,ଚାରିଟା ପେଟ। ରଘୁଆ ପାଠ ପଢିନି ହେଲେ ଭାରି ପରିଶ୍ରମୀ ପିଲା। ଛୋଟରୁ ମାଆ ସହିତ ମିଶି କାମ କରେ। ଘର ଛପର କରିବା, ଇଟା ପକାଇବା,ଧାନ ଗଦା କରିବା,ହେଁସ ମଶିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର। ହେଲେ ଯେତେ କାମ କଲେ ବି ଚାରି ପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକର ପାଠ। ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୂଲି ଅଜଳା ରହିଯାଏ। ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର। ସେଥିରେ ଚାରିପ୍ରାଣୀ ରହନ୍ତି। ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥିଲା ଯେ ତା'ର ଏ ଅବସ୍ଥା ସୁଧୁରିଯିବ। ସେ ଆଉ ଗରିବ ରହିବ ନାହିଁ।
ନିର୍ବାଚନ ପାଖେଇ ଆସିଲା, ଗାଁ କୁ ଦଳ ଦଳ ନେତା ଆଉ ମାଳ ମାଳ ଗାଡି ଛୁଟି ଆସିଲା। ସମସ୍ତଙ୍କ ଆଶାର ବନ୍ଧ ଉଛୁଳୁ ଥିଲା, ରଘୁଆର ମଧ୍ୟ।
ନେତାଙ୍କର ଜୟ ଜୟକାର ଶୁଭୁଥିଲା ଆଉ ତା ସହ ରଘୁଆର ଛାତି ଭିତରୁ ସବୁ ସୁଧୁରି ଯିବାର ଆଶ୍ଵାସନା ଟିଏ ବାହାରକୁ ଶୁଣାଯାଉଥିଲା।
ନିର୍ବାଚନ ସରିଗଲା, ଗାଁ ଶୁନଶାନ୍। ସମସ୍ତେ ବସି ମୁହଁ ଚାହାଁ ଚାହିଁ ହେଲେ, କାହାରି ମୁହଁରେ ଭାଷା ନାହିଁ। ଘର ନାହିଁ, ଜମି ନାହିଁ,ଭାତ ନାହିଁ, ଲୁଗା ନାହିଁ। ଏତେ ନାହିଁ ଭିତରେ ପୁଣି ହଁ ର ଆଶା ଟିଏ ଦିଶିଲା। ଗାଁ କୁ ଜଣେ ଦଲାଲ୍ ଆସିଲା, ପଡୋଶୀ ରାଜ୍ୟ ରେ ଇଟାଗଢା ପାଇଁ ଲୋକ ଆବଶ୍ୟକ, ଖାଇବା ପିଇବା ମାଗଣା, ମାସ ପୁରିଲେ ଟଙ୍କା।
ଆଉ ଭାବିବାକୁ ସମୟ ନ ଥିଲା ରଘୁଆର। ପେଟ ପାଇଁ ତା'ର ଏ ହସଖୁସି ର ସଂସାର କୁ ଛାଡି ଦୂରକୁ ଯିବାକୁ ହେବ। ମାଆ ଭଉଣୀ ଆଉ ରଙ୍ଗକୁ ବୁଝାଇବାକୁ କମ୍ କଷ୍ଟ କରିନି ରଘୁଆ।
ଆଉ ଚାରିଦିନ ପରେ ଘର ଛାଡ଼ିବା ଛଅ ମାସ ହେଇଯିବ,ଏଇ ଛଅ ମାସ କେମିତି ଛଅଟି ଯୁଗ ପରି ବିତିଛି ସେକଥା ରଘୁଆ ହିଁ ଜାଣେ । ଠିକାଦାର କହିଥିଲା, ଛଅ ମାସରେ ଥରେ ସପ୍ତାହେ ପାଇଁ ଘରକୁ ଯାଇ ପାରିବ। ଠିକାଦାରଙ୍କୁ କହି ଆଗୁଆ ଛୁଟି ମଞ୍ଜୁର କରିବ, ସମସ୍ତଙ୍କ ପାଇଁ କିଛି କିଛି କିଣି ନେବ, ମାଆ ପାଇଁ ଔଷଧ, ଫଳମୂଳ ଆଉ ରଙ୍ଗ ହାତରେ କିଛି ନଗଦ ଟଙ୍କା ଦେବ। ଅଧା ପେଟ ଖାଇ ସଞ୍ଚି ରଖିଛି, ତା ସୁନା ସଂସାର ପାଇଁ।
ଘରକୁ ଯିବାର ସ୍ବପ୍ନ ଦେଖୁ ଦେଖୁ ରଘୁଆର ଆଖି ଟିକିଏ ଘୁମେଇ ପଡିଛି।
ବି.ଦ୍ର - ଉପରୋକ୍ତ ଗଳ୍ପାଂଶଟି ବାଉରି ବନ୍ଧୁ ଲେଙ୍କା ଙ୍କ ଦ୍ଵାରା ପ୍ରଦତ୍ତ। ଲେଖକ ମହାଶୟ ଏଥିରେ ଆମ ରାଜନୀତିରେ ଆଶ୍ଵାସନା ର ଫାଙ୍କା ଆବାଜ୍ କୁ ଦର୍ଶାଇ ବାକୁ ଚାହିଁଛନ୍ତି, ଆଉ ମୁଁ ସେଥିରେ କିଛି ବାକ୍ୟ ଯୋଡିଛି, ଆଶା କରେ ପାଠକମାନେ ପସନ୍ଦ କରିବେ।