Sunita Sahoo

Inspirational

3  

Sunita Sahoo

Inspirational

ଖୋଜା ପଡ଼େ ତାରିଖଟିଏ

ଖୋଜା ପଡ଼େ ତାରିଖଟିଏ

3 mins
186


ଯେତେ ବୁଝାଇଲେ ବି ରିହାନା କିନ୍ତୁ ନଛୋଡ଼ବନ୍ଧା, ତାକୁ ଜେଜେମାଆଙ୍କ ଜନ୍ମଦିନ ପାଳନ କରିବାକୁ ଇଚ୍ଛା । ହେଲେ ଘରେ ତ କାହାକୁ ଜେଜେମାଆଙ୍କ ଜନ୍ମ ତାରିଖ ହିଁ ଜଣାନାହିଁ, କେମିତି ହେବ ପାଳନ ! ପାପା ବହୁତ ବୁଝାଇଲେ,"ଆମେ ଜେଜେମାଆ ପାଇଁ ତୋ ପସନ୍ଦର ଶାଢ଼ୀ ଆଉ ମିଠା ନେଇ ଆସିବା, ତୁ ତାଙ୍କ ସହ ମିଶି ଖାଇଦେବୁ "।

'ନା ନା ସେସବୁ ଚଳିବନି, ଶାଢ଼ୀ ଆଉ ମିଠା ତ ଆସିବ, କେକ୍ ହେବ, ବେଲୁନ୍ ଲାଗିବ, ଘରେ ଭୋଜି ହେବ '। ପାଞ୍ଚ ବର୍ଷର ରିହାନା ଅଥୟ ହେଲାଣି, ତା ସାଙ୍ଗ ଜେନୀ ଘରେ ତା ଜେଜେବାପାଙ୍କ ଜନ୍ମଦିନ କରାଗଲା, ତା କାକା ଖୁଡ଼ୀ ସମସ୍ତେ ଆମେରିକାରୁ ଆସିଥିଲେ,ଭୋଜି ହେଲା ।ରିହାନା ସପରିବାର ଯାଇଥିଲା ସେଇ ଭୋଜିକୁ, ସେବେଠାରୁ ଲଗେଇଛି ତା ଜେଜେମାଆର ଜନ୍ମଦିନ ହେବ । ହେଲେ ରିହାନାର ପାପା ରାକେଶ ତାକୁ କେମିତି ବୁଝାଇବେ ଯେ ସେ ଜନ୍ମଦିନ ଭୋଜି କେବଳ ବାହାନା ଥିଲା, ତା କାକାଙ୍କ ବିଦେଶିନୀକୁ ବାହାଘର ପାଇଁ ଗୋଟିଏ ଆଖିଦୃଶିଆ ଯୋଜନା ଥିଲା । ସେ ଯାହାହେଉ, କେମିତି ବି ହେଉ ବୋଉଙ୍କ ଜନ୍ମଦିନ କରିବାକୁ ହେବ ନଚେତ୍ ଏ ଗେହ୍ଲୀ ନାତୁଣୀ

ଘର ଉଠାପକା କରିବ । ରାକେଶ ସ୍ତ୍ରୀ ସୀମାଙ୍କୁ କହିଲେ, "ତୁମେ କେମିତି ଟିକିଏ କଥା ଛଳରେ ବୋଉଙ୍କ ଜନ୍ମ ତାରିଖଟା ତାଙ୍କୁ ପଚାର, ତା'ପରେ ସବୁ ଯୋଗାଡ଼ କରିବା ।" ସୀମା କହିଲେ, କାହିଁ ତୁମେ ପଚାରୁନ ?

ରାକେଶ କହିଲେ, 'ନା ମ ସେ ତୁମକୁ କହିବ, ମୋତେ କ'ଣ କହିବ କି, ତୁମ ମାଆ ଝିଅଙ୍କୁ ସେ ବେଶି ଭଲପାଏ ତ ।'

ସୀମା କହିଲେ, ଆହା......।

ତା'ପରେ ଚାଲିଲା ତାରିଖ ଖୋଜା ପର୍ବ । ସୀମା ଶାଶୁଙ୍କ ପାଖରେ କଥା ଛଳରେ ପଚାରିବାକୁ ଚେଷ୍ଟା କଲେ, କହିଲେ, ବୋଉ ଆପଣ ତ ଆପଣଙ୍କ ଘରେ ସବୁଠାରୁ ବଡ଼, ତେବେ ସେତେବେଳେ ଆପଣଙ୍କ ଜନ୍ମଦିନ ପାଳନ ହେଉଥିଲା କି !

ଶାଶୁ କହିଲେ, "ନା ଲୋ, ମୁଁ ବଡ଼ ବୋଲି ମୋ ବୋଉ ପ୍ରଥମାଷ୍ଟମୀରେ ମୋତେ ବନ୍ଦାପନା କରୁଥିଲା, ବାସ୍ ଆର ଭଉଣୀମାନେ ଜଳୁଥିଲେ ଆଉ ଜନ୍ମଦିନ ଖାଲି ଯାହା ଭାଇର ହେଉଥିଲା, ଗୋଟିଏ ପୁଅ ସେ ଥିଲା ତ ।"ଶାଶୁ ଏକାଥରକେ କହିଗଲେ ।

ସୀମା କହିଲେ, ତାହେଲେ ଆପଣଙ୍କ ଜନ୍ମ ବିଷୟରେ ଆପଣଙ୍କ ବୋଉ ତ କିଛି କହୁଥିବେ ନା....

ଶାଶୁ କହିଲେ, ହଁ ବୋଉ କହେ ମୁଁ ଜନ୍ମ ହେବା ଦିନ କୁଆଡେ ପ୍ରବଳ ବର୍ଷା ହେଉଥିଲା ।

ସୀମା କହିଲେ, ତାହେଲେ ଆପଣଙ୍କ ବୟସ କେମିତି ଜଣା ପଡ଼ିବ ଯେ, ଆମ ରିହାନାର ସ୍କୁଲରେ କହିଛନ୍ତି ତ ଜେଜେମାଆ, ଜେଜେବାପାଙ୍କ ବୟସ ଲେଖିବାକୁ, ସେଥିପାଇଁ ପଚାରୁଥିଲି ।

ଶାଶୁ କହିଲେ, "ଓହୋ, ଆଲୋ ମୋର କ'ଣ ମନେଅଛି ! ହଁ ଏତିକି ଖାଲି ମନରେ ଅଛି ଯେ ସେ ଦାସ ମାଉସୀ ଆଉ ମୋ ବାହାଘର ଏକାଦିନରେ ହୋଇଥିଲା, ସେଥିରୁ ତୁ ଅନୁମାନ କରିନେ ।"

ସୀମା ମନେମନେ ହସିଲେ ।

ଦିନେ ସନ୍ଧ୍ୟାରେ ରାକେଶ ଟିଭି ଦେଖି ଦେଖି ଚା ପିଉଥିଲେ, ସୀମା ଆସି ପଛରେ ଠିଆ ହୋଇ ରହିଲେ, ରାକେଶ କହିଲେ, କ'ଣ ଏତେ ଧ୍ୟାନରେ ଦେଖୁଛ ଯେ !

ସୀମା କହିଲେ, ରୁହ ରୁହ ପାଟି କରନା, ପାଣିପାଗ ଦେଖୁଛି ।

ଟିକିଏ ସମୟ ପରେ ସୀମା କହିଲେ, କାଲି ପ୍ରବଳ ବର୍ଷା ସମ୍ଭାବନା ଅଛି, ତେଣୁ କାଲି ବୋଉଙ୍କ ଜନ୍ମଦିନ କରିବା ।

ରାକେଶ କହିଲେ, ବର୍ଷା ସହ ବୋଉର ଜନ୍ମଦିନର କ'ଣ ସମ୍ପର୍କ ଯେ !

ସୀମା କହିଲେ, ହଁ ବୋଉ କହୁଥିଲେ, ସେ ଜନ୍ମ ହେବା ଦିନ କୁଆଡେ଼ ପ୍ରବଳ ବର୍ଷା ହେଉଥିଲା, ଆଉ ତାଙ୍କ ଜନ୍ମ ତାରିଖର ମୁଁ କିଛି ସୁରାକ ପାଇ ପାରିଲିନି। ତେଣୁ କାଲି ବର୍ଷା ଅଛି, ଆଉ ତାଙ୍କୁ ଲାଗିବ ଜନ୍ମ ତାରିଖ ଠିକ୍ ଅଛି ।ଏପଟେ ରିହାନାର ମନ ବି ବୁଝିଯିବ ।

ରାକେଶର ମନକୁ ପାଇଲା, ସେମାନେ ବସି ସବୁ ତାଲିକା କଲେ, ଯେମିତି ବୋଉଙ୍କ ମନକୁ ପାଇବ ।

ସବୁବର୍ଷ ରାକେଶଙ୍କ ଜନ୍ମଦିନରେ ବୋଉ ମନ୍ଦିର ଯାଆନ୍ତି ଆଉ କିଛି ଗରିବଙ୍କୁ ଖାଇବାକୁ ଦିଅନ୍ତି, ସୀମାର ଜନ୍ମଦିନରେ ଘରେ ଖିରି ପୁରି କରି ଚାକରବାକର ସମସ୍ତଙ୍କୁ ବାଣ୍ଟନ୍ତି, ରିହାନାର ଜନ୍ମଦିନରେ ସକାଳୁ ରୋଷେଇ ଘରେ ପଶି ନାତୁଣୀ ପସନ୍ଦର କେତେ କ'ଣ ତିଆରି କରି ତା ସାଙ୍ଗ ପିଲାଙ୍କୁ ଖୁଆନ୍ତି । ବୋଉ ସେମାନଙ୍କ ପାଇଁ କେତେ କ'ଣ କରନ୍ତି ସତରେ, ହେଲେ ଏତେଦିନ ସେମାନେ କେମିତି ବୋଉର ଜନ୍ମଦିନ ଭୁଲି ଯାଉଥିଲେ ! ମନରେ କେବେ ଆସିନଥିଲା ଯେ ବୋଉର ବି ଜନ୍ମଦିନ ହୋଇପାରେ ।

ଯାହଉ, ଆଜି ରିହାନାର ଜିଦ୍ ଯୋଗୁଁ ହେଉ ପଛେ ତାଙ୍କୁ ଵୋଉର ଜନ୍ମଦିନ ପାଳିବାକୁ ସୁଯୋଗ ମିଳୁଛି ।

ରିହାନା ଏସବୁ କଥା ଶୁଣି ଖୁସିରେ ଅଧୀର ।ସେ ତା ସାଙ୍ଗ ଜେନୀକୁ ଡାକିବ,କେକ୍ ବନେଇବାରେ ମମ୍ମିକୁ ସାହାଯ୍ୟ କରିବ, ବେଲୁନ୍ ଫୁଙ୍କିବ, ଫୁଲ ସଜେଇବ ।

ଆଃ କେତେ ମଜା ହେବ !!

ପରଦିନ ସକାଳୁ ବର୍ଷାର ଆବିର୍ଭାବ, ଏପଟେ ଘର ଭିତରେ ସାଜସଜ୍ଜା ଆଉ ରୋଷେଇର ମହମହ ବାସ୍ନା । ଶାଶୁ ପଚାରିଲେ, ଆଲୋ ସୀମା, ଆଜି କ'ଣ କି !

ସୀମା ହସି କହିଲେ, ସନ୍ଧ୍ୟାରେ ଜାଣିବେ ବୋଉ ।

ବୋଉ ପୁଣି ରାକେଶକୁ ପଚାରିଲେ, ସେ କହିଲେ, ଟିକିଏ ଅପେକ୍ଷା କର ବୋଉ ।

ଜେଜେମାଆ ଏଥର ନାତୁଣୀକୁ ପଚାରିଲେ, ରିହାନା ପାଟିରେ ହାତ ଚାପି ହସିଲା, କହିଲା, ସରପ୍ରାଇଜ୍ ହେବ ପରା ।

ବୋଉ ବଲବଲ ଅନେଇ ଭାବିଲେ କିଏ ଆସୁଥିବ ବୋଧହୁଏ, ହଉ ଅପେକ୍ଷା କରେ, ବଳେ ଜଣାପଡ଼ିବ ।

ଏବେ ସନ୍ଧ୍ୟା ହେଲା, ବର୍ଷା ସେମିତି ଛେଚୁଥାଏ ।

ରାକେଶ, ସୀମା ଆଉ ରିହାନା ଏକାଥରକେ ଗାଇ ଉଠିଲେ, ହାପି ବାର୍ଥଡେ..........। ରାକେଶ, ସୀମା ବୋଉକୁ ମୁଣ୍ଡିଆ ମାରିଲେ,ରିହାନା ଫୁଲତୋଡ଼ା ଟିଏ ବଢେଇ ଦେଉଥିଲା ଜେଜେମାଆ ହାତକୁ ।

ଏଥର ବୋଉ ଆଖିରେ ଲୁହ, ଇଏ କ'ଣ..... ବୋଉର ପୁଣି ଜନ୍ମଦିନ !!

ଏତିକିବେଳେ ଜୋରରେ ବିଜୁଳି ମାରିଲା ଆଉ ରିହାନା ଡେଇଁ ପଡିଲା ଜେଜେମାଆ କୋଳକୁ ।

ବର୍ଷା ଆଉ ଘଡ଼ଘଡ଼ି ଶବ୍ଦରେ ଜନ୍ମଦିନର ତାରିଖ ଲୁଚି ଯାଉଥିଲା.....।।



Rate this content
Log in

Similar oriya story from Inspirational