ବାପା
ବାପା
ମୁନୁ ଧାଉଁଥାଏ....., ଥରକୁ ଥର ପଡ଼ି ପୁଣି ଧାଉଁଥାଏ।
ମଝିରେ ମଝିରେ ଡାକୁଥାଏ..,ବାପା..... ବାପା । ରାସ୍ତାରେ ବୁଦା ବୁଦା ଗଛ , କୋଉଠି ପୁଣି ଅନ୍ଧାରୁଆ ଗଳି। କଙ୍କି, ପ୍ରଜାପତି, ରଙ୍ଗୀନ ଫୁଲ ଆଜି ତାକୁ କିଛି ଭଲ ଲାଗୁନି, ସେ ଆଜି ବାପାକୁ ଖୋଜୁଛି , ହଁ ତା'ର ବାପା ହିଁ ଦରକାର । ବୋଉ କହିଛି , ରାସ୍ତା ବି ବତେଇ ଦେଇଛି, ସେ ଆଜି ନିଶ୍ଚିତ ବାପାକୁ ଦେଖା କରିବ ।ଅନ୍ଧାରଟା ମୁନୁ କୁ ଭାରି ଭୟ ଲାଗେ । ବୋଉ କହିଛି, ତାରା ଆଉ ଜହ୍ନ ମଝିରେ ତା ବାପା ହସୁଥାଆନ୍ତି । ଜହ୍ନ ପାଖକୁ ଯିବାକୁ ହେଲେ ଅନ୍ଧାର ତ ରହିବ, ତେଣୁ ଆଜି ସେ ଡରିବନି , ତଥାପି ବେଳେବେଳେ ତା ଆଖି ବନ୍ଦ ହେଇ ଯାଉଛି । ଆଉ ବୋଧେ ଅଳ୍ପ ବାଟ ଥିବ, ସେ ବାପା ପାଖରେ ପହଞ୍ଚିଯିବ ।
ହଁ ହଁ ହେଇତ.....ବାପା ଦେଖାଗଲେଣି । ମିଞ୍ଜି ମିଞ୍ଜି ତାରା ମଝିରେ ବାପା ହସିଲେଣି, ହଁ ତ ସେଇ ସୈନିକ ପୋଷାକ ପିନ୍ଧିଛନ୍ତି ,ଘର କାନ୍ଥରେ ଟଙ୍ଗା ଫଟୋରେ ଯାହା ପିନ୍ଧିଛନ୍ତି ଅବିକଳ ସେଇଆ । ମୁନୁ ଠିକ୍ ପଢି ପାରୁଛି ବାପା ଛାତିରେ ଲେଖା ଥିବା, "ମେଜର୍ ପ୍ରତାପ ଷଡ଼ଙ୍ଗୀ" , ଚେହେରା ରେ ବୋଉ କହିଥିବା ସେଇ ଦର୍ପ ଆଉ ସେଇ ଠାଣି ।ମୁନୁ ଜୋରରେ ଡାକିଲା, ବାପା.......। ତାରା ମାନଙ୍କ କୋଳାହଳରେ ବାପାଙ୍କୁ ବୋଧେ ଶୁଭୁନି ।ମୁନୁ ଆଉ ଟିକିଏ ପାଖକୁ ଗଲା , ଏଥର ବାପା ଭଲ ଦିଶୁଛନ୍ତି , ପୁରା ସୁପର୍ ହିରୋ । ମୁନୁ କୁ ଚିହ୍ନି ଗଲେ ନା କ'ଣ !! ହାତରେ ଧରିଛନ୍ତି କ୍ରିକେଟ ବ୍ୟାଟ୍ , ଗୋଟେ ଫୁଟବଲ୍ , କେତେ ଖେଳନା ପୁଣି ପାଖରେ ରଖିଛନ୍ତି ତା ସାଙ୍ଗ ସୋନୁ ର ସାଇକେଲ ପରି ଗୋଟାଏ ନାଲି ସାଇକେଲ୍ । ସତରେ ଏସବୁ ମୁନୁ ପାଇଁ !! ହଁ ଏସବୁ ମୁନୁକୁ ଦରକାର , ସେ ବାପାକୁ କାନରେ କହିବ କି ସୋନୁ ପରି ତା'ର ହାତଘଣ୍ଟା ଟିଏ ବି ଦରକାର । ବାପା ଯୁଦ୍ଧ ବେଳେ ଧରିଥିବା ବନ୍ଧୁକଟି ଦେଖିବାକୁ ଇଚ୍ଛା ମୁନୁ ର,ସେ ଜାଣେ ବାପା ମନା କରିବେନି , ଏଇ ବୋଉ ଖାଲି ସବୁଥିରେ ମନା କରେ ! ସବୁ ଜିନିଷ ସହିତ ସେ ଆଜି ବାପାକୁ ସାଥିରେ ନେଇ ଯିବ ।
ସୋନୁ କହୁଥିଲା ମୁନୁ ର ବାପା ଆଉ କେବେ ଫେରିବେନି , ହୁଁ....ସେ କ'ଣ ଜାଣିଛି ଯେ , ବୋଉ କହିଛି ମୋ ବାପା ଅମର , ସୈନିକ ମାନେ କେବେ ମରନ୍ତିନି । ଆଜି ବାପା ସହ ସେଲଫି ନେବ ଆଉ ସ୍କୁଲ୍ ରେ ସବୁ ସାଙ୍ଗମାନଙ୍କୁ ଦେଖେଇବ।
ହେଇ ତ ବାପା ହାତ ବଢ଼ାଇ ଡାକିଲେଣି ମୁନୁ କୁ , ମୁନୁ ବି ଧାଇଁଲା ବାପା ପାଖକୁ......, ହେଲେ ମୁନୁ କୁ କିଏ ପଛରୁ ଟାଣୁଛି.....। ଅନ୍ଧାର ଘୁଞ୍ଚି ଟାଣ ଆଲୁଅରେ ମୁନୁ ର ଆଖି ଝଲସି ଗଲା, ବୋଉ ର ଡାକରେ ମୁନୁ ର ନିଦ ଭାଙ୍ଗି ଗଲା ।
ବୋଉ କହିଲା- ଉଠ୍ ମୁନୁ ସ୍କୁଲ ଯିବୁ, ଆଜି ପରା ଫାଦରସ୍ ଡେ , ତୁ ବାପା ବିଷୟରେ କେତେ ସବୁ ଲେଖି ରଖିଛୁ, ସ୍କୁଲରେ ଭଲ ଭାବେ କହିଦେବୁ ।
ମୁନୁ କାନ୍ଦ କାନ୍ଦ ହୋଇ କହିଲା - ନାଇଁ ବୋଉ ଆଜି ସ୍କୁଲ୍ ଯିବିନି, ମୋତେ ତୁ କାହିଁ ଉଠେଇଲୁ , ମୁଁ ଆଉ ଟିକେ ପରେ ବାପା ପାଖରେ ପହଞ୍ଚି ଯାଇଥାଆନ୍ତି ।
ବୋଉ ମୁନୁ କୁ ଛାତିରେ ଜାବୁଡ଼ି ଧରିଲେ, ସେତେବେଳେ ଜହ୍ନ କି ତାରା ନଥିଲେ, କେବଳ ବାପାଙ୍କ ପୁରୁଣା ସ୍ମୃତି କିଛି ଅଜାଡ଼ି ପଡୁଥିଲା ।।