Subal Mohapatra

Inspirational Others

4.9  

Subal Mohapatra

Inspirational Others

ପକୁଡି ବିକାକୁ ଯାତେରା ଦେଖା

ପକୁଡି ବିକାକୁ ଯାତେରା ଦେଖା

5 mins
700


ଇଞ୍ଜିନିଅର ହେବାର ପାଞ୍ଚ ବର୍ଷ ପରେ ବି ମକରାକୁ ଚାକିରୀ ଖଣ୍ଡେ ମିଳିଲା ନାହିଁ । ବହୁତ ମନ ଦୁଃଖରେ ଥାଏ ବିଚରା । ପ୍ରାୟ ସବୁ ସାଙ୍ଗ ଚାକିରୀ ପାଇ ଗଲେଣି । କିଛି ହାତଗୁଞ୍ଜା ଦେଇ, ତ କିଛି ବାପା କାକାଙ୍କ ଚି଼ହ୍ନ।ରେ । କିଛି ପିଲା ତ ପାଇବା ଆଶାରେ ବାପା ପଇସାକୁ ଚଳୁ କରି ଦଲାଲକୁ ଅନେଇ ବସିଛନ୍ତି । ଆଉ କିଛି ନିଜ ଭାଗ୍ୟକୁ ନିନ୍ଦଇ । ଭାରି ଗର୍ବରେ ସେତେବେଳେ କଲେଜ ଆଣିଥିବା କ୍ୟାମ୍ପସରେ ଚାକିରୀ ପାଇ ଛାତି ଫୁଲେଇ ବୁଲୁଥିଲେ । କିଛି ଦିନ ପରେ ବୁଝା ପଡିଗଲା ଯେ ଏମାନେ ପଇସା ଦେଇ ସେଠି କୋର୍ସ କରୁଥିଲେ । ଛଅ ମାସ ପରେ କୋର୍ସ ସରିବାରୁ କମ୍ପାନୀ ବି ବନ୍ଦ । ଆଉ ଚାକିରୀ? କଉ ଥିଲା ଯେ ଯିବ? ସେତେବେଳେ କଲେଜ, ପିଲାଙ୍କଠାରୁ ଟଙ୍କା ପଚିଶ ହଜାର ନେଇ କ୍ୟାମ୍ପସ ରେ ବସିବାକୁ ଦେଲା । ଆଉ ଏମାନେ କ୍ୟାମ୍ପସ ରେ ଚାକିରୀ ପାଇଗଲେ । ପ୍ରକୃତରେ କଲେଜ ଆଉ ସେ କମ୍ପାନୀ ର ଭିତିରିଆ ବୁଝାମଣା "ରାଧେ ରାଧେ, ତୋର ଅଧେକୁ ମୋର ଅଧେ" ନ୍ୟାୟରେ ପଇସା ସବୁ ପାଟିରେ ପକେଇ ଏମାନଙ୍କୁ ଅଫର ଲେଟର ଦେଇଥିଲେ । ଏବେ ସବୁ ଫୁସ... ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଗଲାଣି । କାହାକୁ କହିବେ?

ଯାହା ହେଉ, ମକରା ବିଚରା ବଞ୍ଚିଯାଇଥିଲା ସେଥିରୁ । ବାପା ତ ଚାଷୀ, ବେଳେ ବେଳେ ଭୋଜି ଭୁଜାରେ ରୋଷେଇ ବାସ କରେ । ଆଗରୁ ଜେଜେ କରୁଥିଲା । ଜମି ଖଣ୍ଡେ ବିକି ୟାକୁ ପାଠ ପଢ଼େଇଥିଲା । ସେ କଣ ଜାଣିଥିଲା ଯେ ୟା ଭିତରେ ଏତେ ପେଞ୍ଚ ଅଛି? ପଢିବା ପାଇଁ ପଇସା, ଇଣ୍ଟରଭିଉ ଦେବାପାଇଁ ପଇସା, ଚାକିରୀ ପାଇଁ ପଇସା, ଶେଷରେ ଲାଞ୍ଚ ପାଇଁ ପଇସା । ଯେଡ଼େ ବାଉଁଶ ସେଡେ ପୋଲ । ଖାଲି ପଢ଼େଇ ଦେଲେ ହେବନି, ତା ପଛକୁ ପଛ ସବୁ ଖଞ୍ଜିବାକୁ ପଡିବ । ଖୋଲା ଆଖିରେ ସ୍ବପ୍ନ ଦେଖି ଦେଖି ସେ ବିଚରା ନଖାଇ ନପିଇ ପେଟ ଭୋକ ପିଠିରେ ମାରି କାମ କରି ଚାଲିଲା । ମକରା ବି ଗାଁ ଡେଇଁ ସହର ପହଁଚିଲା ପରେ ଯେମିତି ଡେଣା ଲାଗି ଯାଇଥିଲା ତା ଦିହରେ । ବର୍ଷେ ଦୁଇ ବର୍ଷ ଖାଇ ପିଇ ହସି ଖେଳି ବୁଲି ମଉଜ କଲା ପରେ ମୁଣ୍ଡରେ ପଶିଲା ତା'ର, ଇଞ୍ଜିନିଅର ହେଇ ସାରିଲେ କରିବ କ'ଣ? ପଢା ପଢି ସବୁ ଚୁଲି କି ଗଲାଣି, ଖାଲି ଖେଳି ବୁଲି କଣ ସେ ଭଲ ଇଞ୍ଜିନିଅର ହେଇ ପାରିବ? ଭାବି ଭାବି ଭଲରେ ପଢାପଢି କଲା, ଭଲ ନମ୍ବର ରଖି ପାସ ବି କଲା । ହେଲେ ଲାଭ କଣ? ଚାକିରୀ କାଇଁ? ମକରା ଚାକିରୀ କରିବ, ଆଉ ଆମ ଦୁଃଖ ଯିବ ବୋଲି ଅନେଇ ଅନେଇ ମକରା ବା'ଆ ଆଖିରୁ ପାଣି ମଲା । ଦିନେ ସେଇ ଚାକିରୀ ଚାକିରୀ ହେଇ ମକରା ବାପା ର ଜୀବନ ଗଲା । ମକରା, ଯାହା ହେଲେ ବି ଗୋଟେ ଇଞ୍ଜିନିଅର । ଏ ପାଣି, କାଦୁଅ ତାକୁ ପୋଷେଇଲା ନାହିଁ । ମଝିରେ ଭାବିଲା ବାଙ୍ଗାଲୋର କି ହାଇଦ୍ରାବାଦ ଚାଲିଯିବ । କିନ୍ତୁ ଏତେ ପଇସା କାଇଁ? ଯାହା ଜମିବାଡ଼ି ଅଛି ତାକୁ ତ ବିକି ଭାଙ୍ଗି ଚାଲିଛି । ଏଣେ ମା ବି ଅଛି, ତାକୁ ଛାଡି ଯିବ କୁଆଡେ ? କାନମୁଣ୍ଡା ଆଉଁସି ରହିଲା ଗାଁ ରେ । ଆସ୍ତେ ଆସ୍ତେ ପାଠସାଠ ବି ସବୁ ଚୁଲି କି ଗଲା । ପାଞ୍ଚବର୍ଷ ପରେ ଆଉ କଣ ପାଠ ମନେ ଅଛି ଯେ ସେ ଯିବ ଇଣ୍ଟରଭିଉ ଦେବାକୁ? ଏବେ ଚାକିରୀ ଖୋଜିବା ବି ଛାଡିଲା । ଗାଁ ଛକ ରେ ତାସ ମାଡ ରେ ଦିନ ଯାଏ । ଘରେ ତ ମା ଅଛି, ରାନ୍ଧିବାଢି ଗଣ୍ଡେ ରଖିଥାଏ । ପୁଅ ଖାଇ ପିଇ ବୁଲୁ ଥାଏ ।

ସେଦିନ କ୍ଲବ ଘରେ ଟିଭି ଟା ଚାଲିଥାଏ । ତାସ ଖେଳ ବି ଜମିଥାଏ । ଦେଶର ଜଣେ ଟାଣୁଆ ନେତା କିଛି କହୁଥାନ୍ତି । "ବେକାରୀ" ଶବ୍ଦଟି ଶୁଣି ସେ ମୁଣ୍ଡ ଟୁଙ୍ଗାରି ଅନେଇଲା । ନେତା ଜଣଙ୍କ ଅନର୍ଗଳ ଭାଷଣ ଦେଇ ଚାଲିଥାନ୍ତି । ତାସ ଖେଳର ଘୋ ଘା ଭିତରେ ଯାହା ଶୁଣିଲା, " ପକୁଡି ଛାଣି ମଧ୍ୟ ରୋଜଗାର କରି ହେବ " । ହଠାତ ସେ ଡେଇଁ ପଡିଲା ଖେଳ ମଝିରୁ । ମୁଣ୍ଡରେ କଣ କଣ ସବୁ ଚାଲୁଥାଏ, ବୁଲୁଥାଏ, ଡେଇଁ ଉଛୁଳି ପଡୁଥାଏ । ଆଉ ଅପେକ୍ଷା ନ କରି ସେ ଘରକୁ ଆସି ଆଟୁ ଉପରେ ଚଢି କାଢି ଆଣିଲା ଜେଜେ ଅମଳର ପୁରୁଣା କାଳିଆ କଡେଇଟା । ଗାଁରେ ଯନ୍ତାଳ ହେଲେ, ତାଙ୍କ ଘରୁ ହିଁ କଡେଇ ଯାଏ । ପରଦିନ ସକାଳୁ ସେଇ କଡେଇ କୁ ହାତରେ ଧୋଇ ଧାଇ, ଚେଲା ଚାମୁଣ୍ଡା ଦୁଇ ଜଣଙ୍କୁ ଧରି ସେ ଚାଲିଲା ପାଖ ଟାଉନୁକୁ । ଟାଉନୁ ରେ ପହଞ୍ଚି ଜାଗା ଖୋଜି ଇଟା ଛଅ ଖଣ୍ଡ ପକେଇ ଦେଇ ଆରମ୍ଭ କଲା ପକୁଡି ଛଣା । ଟାଉନୁ ରେ କିଛି ବିରୋଧୀ ଦଳର କୁଜି ନେତା ୟାକୁ ଜାଣି ଥିଲେ । ବେକାର ଇଞ୍ଜିନିଅର ଭାବେ ୟାର ଖୁବ ନାଁ ଡାକ, ସେ ଅଞ୍ଚଳ ରେ । କୁଜି ନେତା ଆସି ୟାକୁ ଦେଖି ଭାବିନେଲେ ଯେ ୟେ ଚାକିରୀ ନ ମିଳିବାରୁ ଅଭିନବ ଉପାୟରେ ପକୁଡି ବିକି ପ୍ରତିବାଦ କରୁଛି । ସଙ୍ଗେ ସଙ୍ଗେ ଟେଣ୍ଟ, ଚୌକି, ମାଇକ ସବୁ ଯୋଗାଡ ହୋଇଗଲା ଆଉ ପୋଲିସକୁ ଖବର ଦେଇ ଆରମ୍ଭ ହୋଇଗଲା ପ୍ରତିବାଦ ସଭା । ପ୍ରତିବାଦ କରୁଥିବା ଦଳର କର୍ମୀ ମାନେ ହିଁ ୟାଠୁ ପକୁଡି କିଣି ଖାଇବାକୁ ଲାଗିଲେ । ଆସ୍ତେ ଆସ୍ତେ ପକୁଡି ବିକ୍ରି ବଢିବାକୁ ଲାଗିଲା । ଅବସ୍ଥା ଏମିତି ହେଲା ଯେ ଆଉ କିଛି ଶିକ୍ଷିତ ବେକାର କର୍ମୀ ବି ବିନା ପଇସା ରେ ୟାକୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଲେ । କୁଜି ନେତା ଟେଣ୍ଟ ହାଉସରୁ ୟା ପାଇଁ ଆଉ ଦୁଇ ତିନୋଟି କଡେଇ ଆଉ ବାକି ସରଞ୍ଜାମ ବି ଯୋଗାଡ କରିଦେଲେ । ଆସ୍ତେ ଆସ୍ତେ ବେପାର ଜୋର ହେଲା । ସନ୍ଧ୍ୟା ସୁଦ୍ଧା ହାତକୁ ଟଙ୍କା ପାଞ୍ଚ ସାତ ହଜାରେ ଉପରେ ଆସି ସାରିଥିଲା । କଡେଇ, ଟେଣ୍ଟ, ଚୌକି ସବୁ ମାଗଣା ... ବାଃ ବାଃ ବଢିଆ । ପରଦିନ ସକାଳୁ ପୁଣି ଆରମ୍ଭ ହୋଇଗଲା ପକୁଡି ଛଣା । ପୁଣି ଆସିଗଲେ କର୍ମୀ ସବୁ । ଦୁଇ ଦିନରେ ପାଖାପାଖି ପନ୍ଦର ହଜାର ବେପାର । ମକରାର ଲିଚୁ ଲାଇଟରୁ ବାହାରି ଟିଉବୁ ଲାଇଟ ପରି ଝଲସି ଉଠିଲା । ଦି ଦିନରେ ପନ୍ଦର ହଜାରେ ହେଲେ ମାସକୁ କେତେ ? ଏ ଧନ୍ଦା ସେ ଆଗରୁ ନ କରି ଏତେ ଗୁଡ଼େ ପଇସା ନଷ୍ଟ କଲା ବୋଲି ମନଦୁଃଖ ହେଲା ତା'ର । ହଉ, ଏବେ ତ ବୁଦ୍ଧି ମିଳିଗଲା, ଏଥର ଚାଲୁ । ନେତା ଜଣଙ୍କ ଠିକ କହିଥିଲେ ।

ଏପଟେ କୁଜି ନେତାଙ୍କ ଉପର ନେତା ଆସି ମକରାକୁ ତାଙ୍କ ଦଳରେ ମିଶିବାକୁ ଆହ୍ବାନ ଦେଲେ । ଦୁଇ ଦିନ ଭିତରେ ୟାର ଏତେ ନାଁ ଦେଖି ତାକୁ ଏଥର ନିଜ ଦଳରୁ ଠିଆ କରେଇବା ପାଇଁ ସେ ଅଣ୍ଟା ଭିଡ଼ିଲେ । ତୁଣ୍ଡ ବାଇଦ ସହସ୍ର କୋଷ ପରି ଦେଖୁ ଦେଖୁ କଥା ଚାରିଆଡେ ରାଷ୍ଟ୍ର ହୋଇଗଲା । ହେଲେ ମକରା ନିଜର ଏକ ସ୍ୱାଧୀନ ଦଳ କରିବ ବୋଲି ଘୋଷଣା କଲା । ଏବେ ମକରା ବାବୁ ହେଲେ ସେ ଅଞ୍ଚଳର ସବୁଠୁ ବଡ ବେକାରୀ ବିରୋଧୀ ନେତା । ଦଳର ଚିହ୍ନ ହେଲା ପକୁଡି । ପକୁଡି ଦଳର ସବୁ କର୍ମୀ ସକାଳେ ଓ ସନ୍ଧ୍ୟାରେ ପକୁଡି ଛାଣନ୍ତି ଆଉ ରୋଜଗାରର ଦଶ ପ୍ରତିଶତ, ଦଳର ପାଣ୍ଠିକୁ ଯାଏ । ଏଥର ମକରା ବାବୁ ଏମଏଲଏ ଆସନରେ ଠିଆ ହେବେ ବୋଲି ଫର୍ମ ପକେଇଛନ୍ତି ବୋଲି ଶୁଣା ଯାଉଛି । ଜିତିବେ ତ ନିଶ୍ଚିତ । ଏବେ ଆଉ ତାଙ୍କ ଅଞ୍ଚଳରେ କେହି ଜଣେ ବେକାରୀ ଦେଖିବାକୁ ମିଳୁ ନାହାନ୍ତି । ସନ୍ଧ୍ୟାରେ ନାଲି ପାଣି ଆଉ ପକୁଡି ଖୁବ ଜମୁଛି ।

ସେଦିନ ସନ୍ଧ୍ୟାରେ ସେ ହାତରେ ରଙ୍ଗୀନ ପାଣିରୁ ଗ୍ଲାସେ ଧରି ତିନିମହଲା ଘରର ବାଲକୋନୀରେ ବସି ତଳେ ବିସ୍ତିର୍ଣ ବଗିଚାରେ ଫୁଟି ଥିବା ଫୁଲ ଗୁଡିକ ଦେଖୁଥିବା ବେଳେ ପୁରୁଣା କଥା ତାଙ୍କର ମନେ ପଡି ଯାଉଥିଲା .ସେଦିନ ସେ ଯଦି ପକୁଡି ଛାଣିବାକୁ ଆସି ନଥାନ୍ତେ ତେବେ କଣ ହୋଇଥାନ୍ତା ? ଆଉ କଣ ପାଠ ମନେଥିଲା ଯେ ଚାକିରୀ କରିଥାନ୍ତେ? ସେ ତ ସେଦିନ ନେତା ଜଣଙ୍କଠୁ ବୁଦ୍ଧି ପାଇ ପକୁଡି ଛାଣି ଦି ପଇସା ରୋଜଗାର କରିବାକୁ ଟାଉନୁକୁ ଆସିଥିଲେ । ଜମି ବିକ୍ରି ପଇସା, ବ୍ୟାଙ୍କରୁ ସରି ଆସୁଥିଲା । ଛକରେ ତାସ ଖେଳି ଖେଳି ବିରକ୍ତ ଲାଗି ଯାଇଥିଲା । ଘର ଚଲେଇବା ଆଉ ଦି ମୁଠା ଖାଇବା ଯୋଗାଡ କରିବା ପାଇଁ ନିଜ ପାଠପଢାର ଅହଙ୍କାର ଛାଡି ବାପା ଜେଜେ କରୁଥିବା ବୃତିକୁ ଆପଣେଇ ନେଇ ପକୁଡି ଦୋକାନଟିଏ କରିବା ପାଇଁ ଆସିଥିଲେ । ହେଲେ ଏହାକୁ କୁହନ୍ତି ଭାଗ୍ୟ । ଯେତେବେଳେ ସାଥ ଦିଏ, ଛପର ଫାଡ଼ି କି ଦିଏଯାତେରା ଦେଖା ଆଉ କଦଳୀ ବିକା , ନା ନା ପକୁଡି ବିକା ଆଉ ଯାତେରା ଦେଖା ଏକାବେଳେ ହୋଇଯାଇଥିଲା ତାଙ୍କର...।

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା..


Rate this content
Log in

Similar oriya story from Inspirational