DR SAMIR RANJAN BEHERA

Abstract Tragedy Inspirational

3  

DR SAMIR RANJAN BEHERA

Abstract Tragedy Inspirational

ପିତୃତ୍ୱ

ପିତୃତ୍ୱ

9 mins
144


             

"ଓହୋ ଟିକେ ଶାନ୍ତିରେ ଶୋଇବାକୁ ଦେବନି l ସକାଳୁ ହେଇଛି କି ନାହିଁ ଏଠି ଖଟ ଖଟ ସେଠି ଧଡ ଧଡ଼ l ଆରେ କାହିଁକି ସେମିତି ହେଉଛ, ତମ ପାଇଁ ମୋତେ ଯାହା ଲାଗିଲାନି ଏ ଘର ଛାଡି ଯିବାକୁ ପଡିବ l"

ବିରକ୍ତି ହୋଇ ଚିଲେଇ ଉଠେଇଲେ ସୁମତି ସାମନ୍ତରାୟ l

"ଆରେ ସୁମତି, ଆଜି କମ୍ପାନୀ ଇନସପେକ୍ସନ ଅଛି, ବସ ସାତ ଟା ବେଳେ କହିଛନ୍ତି ପହଂଚିବା ପାଇଁ ସେଇଥି ପାଇଁ ମୁଁ ଟିକେ ତରବରିଆ ହଉଛି ଛ ଟା ବାଜିଲାଣି ଗାଧୁଆ ପାଧୁଆ ଲୁଗା କଚା ବଗିଚାରେ ପାଣି ଦେବା ଠାକୁର ପୂଜା କେତେକାମ ରହିଲାଣି, ତମେ ତ ସାହାଯ୍ୟ କରୁନ ଓଲଟି ଚିଡଚିଡା ହେଉଛ l ଛାଡ ମୋ ଭାଗ୍ୟ l "

ଏତିକି କହି ସୁକାନ୍ତ ଓରଫ ସୁକାନ୍ତ ସାମନ୍ତରାୟ ନିଜ କାମ ତରତର ହେଇ କରିଚାଲିଲେ l

ହଟାତ କଲିଂ ବେଲ ବାଜିଉଠିଲା l ଏତେ ସକାଳୁ କିଏ ଅସିଥାଇ ପାରେ, ଟିକେ ବିବ୍ରତ ହେଇ ଉଠିଲେ ସୁକାନ୍ତ l ଏଣେ ପତ୍ନୀଙ୍କ ମୁଣ୍ଡକୁ ପୋକ ଚଢ଼ିଗଲା

" ଓହୋ ଆଉ ଶୋଇହେବନି, ଏମାନେ ପାଗଳ କରିଦେବେ ମୋତେ, ଏତେ ସକାଳୁ ସକାଳୁ କିଏ ଭିକାରି ଆସିଗଲାଣି

ଶୁଣ କବାଟ ଖୋଲିବା ଦରକାର ନାହିଁ ସେ ଵେଲ ମାରି ମାରି ଆପଣା ଛାଏଁ ପଳେଇବ l"

ପୁଣି କଲିଙ୍ଗ ବାଜି ଉଠିଲା.....

ଶୁଣି ନସୁଣିଲା ପରି ନିରବ ରହିଲେ ସୁକାନ୍ତ ସୁମତି l

ସୁକାନ୍ତ ନିଜ କାମରେ ବ୍ୟସ୍ତ ରହିଲେ, ସୁମତି ନିଦ ଅଳସ ଭାଙ୍ଗିବାରେ ଲାଗିଲେ l ଏହା ପନ୍ଦର କୋଡିଏ ମିନିଟ ହେଇଗଲାନି ଆଉ କଲିଙ୍ଗ ଵେଲ ବି ବାଜୁ ନାହିଁ l ଯାହାହେଉ ଭିକାରୀ ଟା ପଳେଇଲା l ଏହି ତରତର ଭିତରେ ସୁକାନ୍ତ ପ୍ରାୟ ସବୁ ନିତ୍ୟ କର୍ମ ସାରିଦେଇଥାଏ l ଆଉ ବାକି ଠାକୁର ପୂଜା ଟା ରହିଲା ତାପରେ ମୋତେ ଶୀଘ୍ର ବାହାରିବାକୁ ପଡିବ l ବଗିଚା ରୁ ଫୁଲ ଆଣିବା ପାଇଁ ସେ କବାଟ ଟା ଖୋଲିଦେଲା , ହଟାତ ଚମକି ପଡିଲା

ବାପା !!

ବାପା... ତମେ... ଏତେ ସକାଳୁ.. ହଟାତ... ଲଜ୍ଜିତ ଅନୁଭବ କରୁଥିଲା ସୁକାନ୍ତ, କିଛି ଉତ୍ତର ନଦେଇ ଘର ଭିତରକୁ ପଶିଗଲେ ନିରାକାର ବାବୁ l ଅଖା ଆଉ ବ୍ୟାଗ ଟା କଣ ରେ ରଖିଦେଇ ଡ୍ରଇଂ ରୁମ ସୋଫା ଉପରେ ବସି ପଡିଲେ l ଏଣେ ସୁମତି କାନରେ ବାପା ଶବ୍ଦଟା ପଡ଼ିଗଲାଣି ବୋଧେ , ସେ ବିବ୍ରତ ଭାବରେ ଉଠିପଡ଼ି ଝାଡା ଝୁଡି କରି କବାଟ କଣ ଦେଇ ଦେଖିଲେ ଯେ ଶ୍ୱଶୁର ଆସିଛନ୍ତି l ମନେ ମନେ କ୍ରୋଧିତ ଓ ବିରକ୍ତ ହେଇଉଠିଲେ...

ସୁକାନ୍ତ ଆସି ବାପା ଙ୍କୁ ଇତସ୍ତତଃ ଭାବେ ପ୍ରଣାମ କଲେ

" ବାପା ମୁଁ ବ୍ୟସ୍ତ ଅଛି, ଆଜି ଇନସପେକ୍ସନ ହେବ ମୋତେ ସାତ ଟା ସୁଧା ପହଂଚିବାକୁ ପଡିବ, ସାଢେ ଛ ଟା ହେଲାଣି, ତମେ କିଛି ଖବର ନଦେଇ ହଟାତ ପହଂଚିଗଲ, ମୋତେ କହିଥିଲେ ମୁଁ ଷ୍ଟାଣ୍ଡ ରୁ ନେଇଆସିଥାନ୍ତି l ଟିକେ ଫୋନ କରିଦେଇଥିଲେ କଣ ପ୍ରୋବ୍ଲେମ ହେଇଥାନ୍ତା, ମା ବି ବିଚିତ୍ର ଫୋନ ଟେ ତ ଦେଇଆସିଥିଲି ସେ ବି ଟିକେ କଲ କଲାଣି l ମୁଁ କେତେ ଟେନସନ ରେ ଅଛି ତମେ ବୁଝି ପାରିବନି, ଗତ ମାସ ଦରମା ମିଳିନି, ତା ପୂର୍ବ ମାସ ବି ଯେତିକି ମିଳିଲା ମୁନା ସ୍କୁଲ ଫି ଦେଲି, ସେ ଗାଡ଼ି ଇନଷ୍ଟାଲମେଂଟ ସୁଝିଲା ପରେ ଆଉ ମୋ ପାଖରେ ବଳିଲା ନାହିଁ l ସେଇଥିପାଇଁ ତମ ପାଖକୁ ପଇସା ପଠେଇ ପାରି ନାହିଁ l ତାପରେ ମୁଁ ତ ସବୁ ମାସ କିଛି ନା କିଛି ପଇସା ପଠାଉଛି ତମ ମାନଙ୍କ ଚଳିବା ପାଇଁ ସାନ ଭାଇ ସୁଦାମ ବସି ଘରେ ଗେଫା ମାରୁଛି, ଟ୍ୟୁସନ ବି କଲେ ଟଙ୍କା ହଜାରେ ପାଆନ୍ତା, କିଛି ଟା ତ ଘର ଚଳିବାରେ ଆଡ଼ଜଷ୍ଟ ହୁଅନ୍ତା l"

ବିରକ୍ତି ଭାବରେ ବାପାଙ୍କୁ କେତେ କଥା ଶୁଣେଇ ଦେଲା ସୁକାନ୍ତ, ନିରାକାର ବାବୁ ନିରବ ରହିଲେ

" ହଉ ସୁକୁ ତୁ ଅଫିସ ଯା, ତୋର ଲେଟ ହେବ, ଫେରିଲେ କଥା ହେବା l"

ଏତିକି କହି ନିରାକାର ବାବୁ ସୋଫା ଉପରେ ଟିକେ ଗଡି ପଡିଲେ l

କଣ ଆଉ କଥା ହେବ..."ଜମି ତଳି ମଡ଼ା ହେଇନି, ଘର ଲୋନ ଇନଷ୍ଟାଲମେଂଟ ସୁଝା ହେଇନି, ହରି ଗ୍ରସେରୀ ଦୋକାନ ରେ ବାକି ପଡିଛି, ତୋ ମା ମେଡ଼ିସିନ ଅଣାଯିବ, ୨ ମାସ ହେଲା ପଇସା ପଠେଇନୁ, କିଛି ପଇସା ଦେ l "'

ଅତ୍ୟନ୍ତ ବିରକ୍ତି ହେଇ ବେଡ଼ ରୁମ କୁ ପଶିଗଲେ ସୁକାନ୍ତ

" ବାପା ଆସିଲେଣି, ନିଶ୍ଚୟ ତ ପଇସା ମାଗିବେ, ତମେ କୁଆଡୁ ଆଣିବ, ବାପା ଙ୍କୁ ରୋକ ଠୋକ ମନା କରିଦେଉନ ସେ ପଳେଇବେ, ଏମାନେ ଆମକୁ ଭଲ ରେ ଟିକେ ବଂଚିବାକୁ ଦେବେନି ସତେ ପଇସା ଗଛ ଲଗା ହେଇଛି ଏଠି l ଦୁଇ ମାସ ଘରକୁ ପଇସା ପଠା ଯାଇନି ଯେ ସବୁ ମରିଯାଉଛନ୍ତି l

ଶୁଣ ଖବରଦାର କହୁଛି ଦୁଇ ମାସ ଘରକୁ ନଦେଇ ମୋ ଗହଣା କିଣା ହେବା ପାଇଁ ଯେଉଁ କୋଡିଏ ହଜାର ରଖିଥିଲ ଯଦି ସେଥିରୁ ଗୋଟେ ଟଙ୍କା ବି ଦେଇଛ, ତାହେଲେ ମୋତେ ଚିହ୍ନିବ l "

କର୍କଶ ସ୍ବର ରେ ସୁମତି କହିପକେଇଲେ l

ସୁକାନ୍ତ ବି ବିରକ୍ତି ଚିଡିଚିଡା ହେଇ ଘରୁ ଅଫିସ ଉଧେଶ୍ୟ ରେ ଘରୁ ବାହାରିଗଲା l

ନିରାକାର ବାବୁ ବୋଧେ ସବୁ ଶୁଣି ପକାଇଲେ କି କଣ ସ୍ତବ୍ଧ ହେଇ ସୋଫା ରେ ପଡିରହିଥାନ୍ତି l ସତରେ ଏ ସମାଜ କେତେ ପରିବର୍ତନଶୀଳ , ଇଏ ସେଇ ସୁକୁ ତ ଯାହାକୁ ଏ ନିରାକାର ଶାଶନ କରି ମଣିଷ କରେଇ ଥିଲା, ମାଟି ସାଙ୍ଗେ ମାଟିହେଇ ଯାଇଥିଲା ଦୁଇ ପୁଅ କୁ ସମାଜ ଆଗରେ ସ୍ଥାପନ କରିବାପାଇଁ l

ପନ୍ଦର ମିନଟ ବିଳମ୍ବ ହେବାରୁ ବସ ଠୁ ବହେ ଗାଳି ଖାଇବାକୁ ପଡିଲା ସୁକାନ୍ତ କୁ l

ଆଜି ଦିନଟା ବହୁତ ଖରାପ ରେ ଚାଲିଛି... ସକାଳୁ ସକାଳୁ ବାପା ଙ୍କୁ କେତେ କଥା ଶୁଣେଇଦେଲି, ଯାହାହେଲେ ବି ସୁକାନ୍ତ ସିନା ବିରକ୍ତି ହେଇ ବାପା ଙ୍କୁ ବହୁତ ଶୁଣେଇଦେଲା କିନ୍ତୁ କାହିଁକି କେଜାଣି ରକ୍ତ ର ଏ ସମ୍ପର୍କ ସୁକାନ୍ତ ମନ କୁ ବାରମ୍ବାର କୁଠାରଘାତ କରୁଥାଏ । ହୃଦୟ ରୁ କିଏ ଗୋଟେ କହୁଥାଏ

" ସୁକାନ୍ତ କିଛି ଭୁଲ କରୁନୁ ତ, ଯେଉଁ ବାପା ତୋତେ ଏ କମ୍ପାନୀ ରେ ପୁରେଇବା ପାଇଁ ତାଙ୍କର ସମସ୍ତ ଅର୍ଜିତ ଧନ ଡୋନେସନ ଆକାର ରେ ଦେଇ ଦେଇଥିଲେ, ସେଇ ବାପା ଙ୍କୁ କିଛି ପଇସା ପାଇଁ ମିଛ କହି ପକେଇଲୁ , ବାପା ତ ତୋତେ କିଛି କହିନଥିଲେ, ତୁ ଆଗତୁରା ତାଙ୍କ ମର୍ମ କୁ ଆଘାତ ଦେଇ ଚାଲିଲୁ l ବାଃ ରେ ସୁକାନ୍ତ ବାଃ ତୋତେ ପିତୃ ଭକ୍ତି ପାଇଁ ନୋବେଲ ପ୍ରାଇସ ମିଳିବା କଥା l"

ବ୍ୟସ୍ତ ବିବ୍ରତ ହେଇ ଉଠିଲେ ସୁକାନ୍ତ, ମନ ଟା ଭଲ ଲାଗୁନଥାଏ ।

ବାଟରେ ଆସିଲା ବେଳେ ଭଲ ଖାସି ଟେ ମରାଯାଉଥିଲା । ବାପା ଟିକେ ମଟନ ଖାଇବାକୁ ଭଲ ପାଆନ୍ତି , ସାଇଡ ରେ ଚିଲିକା ଚିଙ୍ଗୁଡ଼ି ବିକ୍ରି ହେଉଥିଲା, କାହିଁକି କେଜାଣି ଆଣିବାକୁ ଇଛା ହେଲାଣି l କାହିଁକି ବାପା ପ୍ରତି ଏତେ ଘୃଣା ଭାବ ଆସିଗଲା, ତିନି ମାସ ପାର ଆସିଛନ୍ତି ବାପା କଣ ସେମିତି ଫେରିଯିବେ ଟଙ୍କା ତ ସୁମତି ଦେବାକୁ ମନା କରିବେ l ହେଲେ ଟିକେ ତାଙ୍କ ଫେବରାଇଟ ଜିନିଷ ଟିକେ ଖୁଏଇ ତ ହେବ l ଫୋନ କଲେ ସୁକାନ୍ତ

" ଶୁଣୁଛ ଟିକେ ମଟନ ନେଇଯାଉଛି ରାନ୍ଧିଦେବ , ଛୋଟ ଚିଙ୍ଗୁଡ଼ି ଟିକେ ନେଇଯାଉଛି ଘାଣ୍ଟ ରେ ପକେଇବ l ବାପା ମଟନ ଚିଙ୍ଗୁଡ଼ି ଖାଇବାକୁ ଭଲ ପାଆନ୍ତି ନା l"

"ଆଉ ଦେଶୀ କୁକୁଡ଼ା ଟିକେ ନେଇଆସ, ରୋହି ମାଛ ନେଇଆସ, ପନିର ଛତୁ ମିଠା ରସଗୋଲା ଆଣି ଭର୍ତି କରିଦିଅ ବାପା କଣ ବାହାଘରିଆ ଖାଇବାକୁ ଆସିଛନ୍ତି ନା ଜୋଇଁ ପଣିଆ ଖାଇବାକୁ ଆସିଛନ୍ତି, ପଇସା ନେବାକୁ ପଳେଇଆସିଲେ ଏତେ ବାଟ ଆହୁରି ସ୍ୱାଦିଷ୍ଟ ବ୍ୟଞ୍ଜନ ଖୁଏଇ ବାବୁ ଅପ୍ୟାୟିତ କରିବେ l କିଛି ଆଣିବା ଦରକାର ନାହିଁ, ଡାଲି କରିଦେଉଛି ଘରେ ତମ ମା ବୋଇତାଳୁ ସଜନା ଛୁଇଁ ପଠେଇଛନ୍ତି ଘାଣ୍ଟ କରିଦେଉଛି, ବାସ l ଆଉ ବେଶୀ ପ୍ରେମ ଦରକାର ନାହିଁ । ଭାତ ଖାଇବାକୁ ତମେ ଆସିବନି ନହେଲେ ବାପା ତମ ମୁଣ୍ଡ ଖାଇବା ଆରମ୍ଭ କରିଦେବେ l"

"ସକାଳୁ ବାପା କିଛି ଖାଇଛନ୍ତି ନା "

"ହଁ ହଁ ତମ ବାପା ଙ୍କୁ ମୁଁ ଉପାସ ରଖିନି ମ l ଘରୁ ମୁଢି ନେଇଆସିଥିଲେ ଅଖା ରେ , ଆଉ ତମ ମା ନଡ଼ିଆ ମିଠେଇ ବାଦାମ ଆମ୍ବ ପଠେଇଥିଲେ ସେଇଗୁଡ଼ା ସବୁ ଦେଇଛି ଖାଇବା ପାଇଁ l ପଣସ ପଠେଇଥିଲେ ମୁଁ ସେ କୋଷ କାଢ଼ିବା ପ୍ରେମ କରିପାରିବିନି, ସେମିତି ପଡିଛି ଆସିଲେ ତମେ ଭାଙ୍ଗିବ ନହେଲେ ବିକ୍ରି କରିଦେବ l ବୁଢ଼ୀ କେତେ ଜିନିଷ ପଠେଇଛି ଦେଖ ପଇସା ନେବା ପାଇଁ l ଗାଉଁଲି ମଣିଷକୁ ଚିହ୍ନିବା ବହୁତ କଷ୍ଟ l"

ସୁମତି ର କଥା ଗୁଳି ପରି ବାଜୁଥାଏ ସୁକାନ୍ତ ଦେହରେ । ହେଲେ ନିରବ ଥାଏ, କିଛି କହିପାରୁ ନଥାଏ l

"ନଡ଼ିଆ ମିଠେଇ, ସଜନା ଛୁଇଁ, ଘର ଆମ୍ବ ପଣସ ବୋଇତାଳୁ ମୋତେ ବହୁତ ଭଲ ଲାଗେ ବୋଲି ମା ପଠେଇଛି, ମନଟା ବିବ୍ରତ ହେଇଉଠୁଛି ସୁକାନ୍ତ । ପିତା ର ପିତୃତ୍ୱ ଆଉ ତା ମା ର ମାତୃତ୍ୱ କାହିଁକି କେଜାଣି ରୁନ୍ଧି ଦେଉଛି ତାର ପିତୃତ୍ୱ କୁ l ସମାଜ ର ଆଜି ଗୋଟେ ସମ୍ମାନିତ ଜାଗା ରେ ରହି ବି ସେ କଣ ତାର ସନ୍ତାନତ୍ଵ କୁ ବଳି ପକେଇ ଦେଇଛି ଅସହାୟ ପିତା ମାତା ଆଗରେ l

ଏହା ଭିତରେ ଲଞ୍ଚ ସମୟ ହେଇଯାଇଥାଏ, ଯିବି ନା ଯିବିନି କଣ କରିବି ଏମିତି କନଫ୍ୟୁସନ ରେ ସୁକାନ୍ତ ମୁଣ୍ଡ କାମ କରୁନଥାଏ l

" ନା ଯିବିନି ଗଲେ ବାପା ଦୁନିଆ କଥା ଶୁଣେଇବେ, ଇମୋସନାଲ ବ୍ଲାକମେଲ କରିବେ ପଇସା ମାଗିବେ l ରାତିରେ ଯିବି ସିଧା ଶୋଇଯିବି... କିଛି ଶୁଣିବିନି ବାପା କଥା l ବେଶୀ ଯଦି ପଇସା କଥା କହିବେ ସିଧା ମନା କରିଦେବି l "

ଏଣେ ବାପା ଙ୍କୁ ଚିଡି ଚିଡି ହେଇ ଯାହା ବି ସୁମତି ଖାଇବାକୁ ଦେଲେ ଖୁସି ମନ ରେ ଖାଇ ଦେଇ ନାତି ଟୋକା ସହ ଟିକେ ଖୁସି ଗପ କରୁଥାନ୍ତି l

ହଟାତ ସୁମତି ଚିଲେଇ ଉଠିଲେ

" ସିପୁନ ଏଠିକି ଆସ୍, ଜେଜେ ବାପା ଶୁଅନ୍ତୁ ତାଙ୍କୁ ଡିଷ୍ଟର୍ବ କରିବା ଦରକାର ନାହିଁ l

"ନାଇଁ ବୋହୁ ସିପୁନ ବସୁ ମୋ ସହ ଟିକେ କଥା ହେଉ ମୋତେ ଭଲ ଲାଗିବ l "

"ନା ନା ତାର ଟ୍ୟୁସନ ଅଛି ସେ ଟିକେ ଶୋଇଲା ପରେ ଟ୍ୟୁସନ ଯିବ ତାପରେ ଆପଣ ତ ପଇସା ନେଇ ଗଲେ ହେଲା, ପୁଅ ସହ କଣ ମତଲବ l "

ନିରବ ରହିଲେ ନିରାକାର ବାବୁ ଭାଷା ନଥାଏ କିଛି କହିବାକୁ l

ବିଶାଦ ମାନସିକତା ଭିତରେ ବୁଡି ରହି ନିରାକାର ବାବୁ ଙ୍କ ଆଖିକୁ ଟିକେ ନିଦ ଆସିଯାଇଛି l

ହଟାତ ଉଠିଲା ବେଳକୁ ସନ୍ଧ୍ୟା ଛ ଟା l

"ଓହୋ ଛ ଟା ବାଜିଲାଣି, ସୁକୁ ଏଯାଏଁ ଫେରିଲାଣି ଟାଇମ ହେଇଯାଉଛି ମୋତେ କାମ ସାରି ପୁଣି ଫେରିବାକୁ ପଡିବ l'

"ବୋହୂମା ସୁକୁ କେତେବେଳେ ଫେରିବ କି, କିଛି ଅର୍ଜଣ୍ଟ କଥା ହେଇ ପଳେଇଯାନ୍ତି ।ସକାଳ ଠୁଁ ଟିକେ କଥା ହେଇପାରିଲାନି ବିରକ୍ତି ହେଇ ପଳେଇଲା l ବ୍ୟସ୍ତ ଥିଲା ନା ସେଇଥିପାଇଁ, ହେଲେ ମୋ ପୁଅ କଣ ମୋ ଉପରେ ରାଗିବ ମୁଁ କଣ ତାକୁ ଜାଣିନି l "

"ସେ କେତେବେଳେ ଆସିବେ ମୁଁ ଜାଣେନି , ତାପରେ ବାପା ବାରମ୍ବାର ମୁଁ କହୁଛି ତାଙ୍କ ପାଖରେ ପଇସା ଏବେ ନାହିଁ ସେ ଦେଇପାରିବେନି ଆପଣ ଯିବାର ଅଛି ତ ଯାଆନ୍ତୁ l ଆମକୁ ଟିକେ ଶାନ୍ତିରେ ବଂଚିବାକୁ ଦିଅନ୍ତୁ l"

ନିରବ ରହିବା ଛଡା ନିରାକାର ବାବୁ ଙ୍କ ପାଖରେ ଆଉ କିଛି ଉପାୟ ନଥିଲା ଖାଲି ନିଜକୁ ପ୍ରଶ୍ନ କରିଚାଲୁଥାନ୍ତି ମୋ ପିତୃତ୍ୱ ରେ କଣ କିଛି ଭୁଲ ରହିଲା ସୁକୁ କୁ ସଂସ୍କାର ଦେବାରେ କଣ ଭୁଲ ରହିଲା, ଆଜି କାହିଁକି ପୁଅ ବୋହୁ ମୋ ପିତୃତ୍ୱ ଉପରେ ପ୍ରଶ୍ନବାଚୀ କରିଛନ୍ତି l

"ଶୁଣ ବାପା ଆଜି ପଳେଇବେ କହୁଛନ୍ତି, ତମେ ଆଦୌ ଆସନି ମୁଁ ଇଆଡୁ ସିଆଡୁ କହି ମେନେଜ କରୁଛି । ବାପା ଗଲା ପରେ ମୁଁ ତୁମକୁ ଫୋନ କରିଦେବି ତାପରେ ତମେ ଘରକୁ ଆସିବ l ବାସ ବୁଢ଼ା ସେମିତି ଥରେ ଫେରିଲେ ମଜା ଟା ନେବ ଆଉ ପଇସା ପାଇଁ ଆସିବନି l"

ତାଚ୍ଛଲ୍ୟ ଭଙ୍ଗୀରେ ସୁମତି କହିପକାଇଲେ ଫୋନରେ l

ଇନ୍ସ୍ପେକ୍ସନ ବି ସରିଗଲାଣି, ଲେଟ ରେ ଆସିଥିବାରୁ ବସ ବହେ ସୁଧିଲେ ପୁଣି ପତ୍ନୀ ର ଏ ତାଚ୍ଛଲ୍ୟ ଭରା ଫୋନ l

ସୁକାନ୍ତ ମନ ଟା ଚଳଚଞ୍ଚଳ ହେଇ ଉଠିଲା, ପିତୃତ୍ୱ ର ଡାକ ତାକୁ ଆଉ ରୋକି ପାରିଲାନି l ସ୍ନେହ ମମତା ଭଲ ପାଇବାର ଆହ୍ୱାନ ତା କାନରେ ପ୍ରତିଧ୍ୱନି ହେଲା, ଆଉ ନିଜକୁ ଆୟତ୍ତ ନ କରିପାରି ବାହାରିଲେ ସୁକାନ୍ତ ଘର ମୁହାଁ l

"ବୋଉମା ଆଠ ଟା ହେଲାଣି, ସୁକୁ ଟା ଏଯାଏଁ ଆସିଲାଣି ମନଟା ଭଲ ଲାଗୁନି ହଉ ମୁଁ ବାହାରୁଛି, ସେ ମୁଢି ଗୁଡା ଟିଣରେ ଭରିଦେଇ ମୋତେ ସେ ଜରି ଟା ଦେ , ତୋ ମା କହିଛି ପୁଣି ମୁଢି ପଠେଇଲା ବେଳେ ସେଇ ଜରିରେ ପଠେଇବ l "

ହଟାତ ସୁକାନ୍ତ ପଶିଆସିଲା ଘର ଭିତରକୁ, ସୁମତି ମନେ ମନେ ବହୁତ ରାଗି ଉଠୁଥିଲେ l

"ଭଲ କଲୁ ବାପା ସୁକୁ, ଅଫିସରେ ସବୁ ଭଲରେ ଭଲରେ ହେଇଗଲାଟି ଆରେ ଖାଇଛୁ ନା ବାପା । ମୁଁ ତର ତର ହେଉଥିଲି ଏବେ ପଳେଇବି ... ଟିକେ ପାଖକୁ ଆସିଲୁ ସୁକୁ l"

ସରି ବାପା ମୋ ପାଖରେ ପଇସା ଏବେ ନାହିଁ,ଦୁଇ ମାସ ହେଲା ବହୁତ ହଇରାଣ ହେଲିଣି । ଦରମା ଠିକ ସେ ମିଳୁନି । ମୁଁ ଆର ମାସ ରେ କିଛି ପଠେଇଦେବି l"

ପୁଣି କଞ୍ଚା ମିଛ ର ଆଶ୍ରା ନେଲେ ସୁକାନ୍ତ l

" ଆରେ ବାବା ସେଇଥିପାଇଁ ତୋ ମା ମୋତେ ବସେଇ ଉଠେଇ ଦେଲନି, ସବୁବେଳେ ମୋ କାନରେ ଭଅଁର ଭଳିଆ ଫୁଙ୍କି ଚାଲିଲା ସୁକୁ ଦୁଇ ମାସ ହେଲା ପଇସା ପଠେଇନି ମାନେ ନିଶ୍ଚୟ ସେ ହଇରାଣ ହେଉଥିବ । ତମେ ସେ ସୁଲିଆପଦା ଜମି ଟା ବିକି ଦେଇ ଯାହା ପଇସା କିଛି ହେଉଛି ତାକୁ ଦେଇ ଆସ ଭୁବନେଶ୍ୱର ଟାଉନରେ ଚଳିବା କେତେ କଷ୍ଟ କଣ ମୁଁ ଜାଣେନି, ପୁଅ ବୋହୁ ନାତି ମୋର କେମିତି ଚଳୁଥିବେ......... ଆଜି ଫାଇନାଲ ହେଲା ସେ ଜମି ଯିଏ ନେଲା ପଚାଶ ହଜାର ଦେଲା.... ଚାଳିଶ ହଜାର ତୋ ପାଇଁ ଆଣିଛି  ଆଉ ସୁଦାମ କଣ କଂପୁଟର କୋଚିଂ ନେବ ତା ପାଇଁ ଆଠ ହଜାର ରଖିଛି ଆଉ ତୋ ମା ର ମେଡିସିନ l ଧରିଲୁ ବାପା ଏ ବ୍ୟାଗଟା ଚାଳିଶ ହଜାର ଅଛି l ମୁଁ ଯାଉଛି ନ ଟା ବେଳେ ନାଇଟ କୋଚ ଧରିବାକୁ ପଡିବ l"

ଆଶ୍ଚର୍ଯ୍ୟରେ ଅନେଇ ରହିଥାଏ ସୁକାନ୍ତ.. ପୃଥିବୀଟା ଯେମିତି ତା ଚାରିପଟେ ସାଇଁ ସାଇଁ ହେଇ ଘୁରୁଛି , ବାପାଙ୍କ ଏ ସ୍ନେହ ଭରା କଥାଟା ସତେ ତା କାନକୁ ଅତଡ଼ା କରିଦଉଛି, ଟଙ୍କା ବ୍ୟାଗ ଟା ଧରିବା ପାଇଁ ସତେ ଟା ଶରୀରର ବଳ ଲୋପ ପାଇଯାଇଛି l

ସୁମତି ବି ଅପଲୋକ ନୟନରେ ଅନେଇ ଥାଏ ବାପାଙ୍କୁ । ନ ବୁଝି କେତେ ଆଘାତ ସେ ଦେଇଦେଲା ବାପାଙ୍କୁ , ଲଜ୍ଜାରେ ମୁହଁ ପୋତି ଯାଉଥିଲା ସୁମତିଙ୍କର l

"ବାପା.... ଆଜି ରହିଯାଅନ୍ତନି..." ବାଷ୍ପରୁଦ୍ଧ କଣ୍ଠ ରେ କହିଲେ ସୁକାନ୍ତ l ବୋଧେ ବାପାଙ୍କ ସ୍ବର ସହ ସ୍ବର ମିଳାଇବା ପାଇଁ ତାର ସାହସ ନଥିଲା l

"ନାଇଁ ସୁକୁ ତୋ ମା ଦେହ ଭଲ ନାହିଁ, କାଲିଠୁ ତା ଛାତି ପେନ ହେଉଛି । ମୁଁ ଷ୍ଟାଣ୍ଡ ରୁ ମେଡ଼ିସିନ ନେବି ଆଉ ତା ଚଷମାଟା ସଜାଡି ବସ 9 ଟା ରେ ଆସିବ ପଳେଇବି , ତ ରମେଶ ଦାଦି ଫୋନ କରି ଟିକେଟ କରିଦେଇଛି l"

"ବାପା... ଟିକେ କଣ ଖାଇକି ଯାଅ... ମୁଁ ବସ ଷ୍ଟାଣ୍ଡରେ ଛାଡି ଦେଇ ଆସିବି... l"

"ନାଇଁ ବାପା ତୁ ବ୍ୟସ୍ତ ହେନି, ବୋଉମା ଦିନରେ ବହୁତ ପେଟଭରା ଖୁଏଇଛି... ସନ୍ଧ୍ୟାରେ ପୁଣି ପକୋଡ଼ି ଚା ବିସ୍କୁଟ ଖାଇଛି, ଟିକେ ବି ଭୋକ ଲାଗୁନି ତାପରେ ତୁ ବାବା ରେଷ୍ଟ ନେ ଦିନ ଯାକ କେତେ ଖଟିଲୁଣି ଥକା ହେଇଯାଇଥିବୁ l ଯାଉଛି ସୁକୁ ... ଯାଉଛି ବୋଉମା... ଭଲ ରେ ଥାଅ... ଏ ବାପାଟା ବଂଚିଥିବା ଯାଏଁ ବ୍ୟସ୍ତ ହେବନି... ଆଉ ଏ ବାପାର ପିତୃତ୍ୱକୁ ବି ପ୍ରଶ୍ନ କରିବନି l"

ଲଜ୍ଜାରେ ମୁହଁ ପୋତି ଯାଉଥାଏ ସୁକାନ୍ତ ଆଉ ସୁମତିର l

ସନ୍ଧ୍ୟା ବେଳେ ରାଗରେ ସୁମତି କିଛି ବି ଦେଇନଥିଲି ଖାଇବାକୁ, ତଥାପି ୟାଙ୍କ ଆଗରେ ବାପା ମୋର ଇଜ୍ଜତର ଟେକ ରଖି ଚାଲିଗଲେ l"

ନିର୍ମିନେଶ ନୟନରେ ଅନେଇଥାନ୍ତି ସୁକାନ୍ତ, ଦୃଶ୍ୟପଟରୁ ଅଦୃଶ୍ୟ ହେଇ ଯାଉଥାନ୍ତି ବାପା l ଆଜି ପିତାର ପିତୃତ୍ୱ ଆଗରେ ନତମସ୍ତକ ହେଇଯାଉଥାଏ ସୁକାନ୍ତ... ବୋଧେ ପିତୃତ୍ୱର ମହାନତା ବୁଝିବା ତା ଶକ୍ତି ବାହାରେ ଥିଲା... କି ଅର୍ଥର ଲାଳସା ତାକୁ ଅନ୍ଧ କରିଦେଇଥିଲା l

ଅଜାଣତରେ କିଛି ଲୁହ ଅଜାଡି ହେଇ ପଡୁଥିଲା ଅନୁତାପ ବହ୍ନିରେ ll



Rate this content
Log in

Similar oriya story from Abstract