Lopamudra Mishra

Classics

2  

Lopamudra Mishra

Classics

ଫୁଟଣ

ଫୁଟଣ

2 mins
573


           

   ନାଁ ବେଶି ଗରମ ହେଉଛି ନାଁ ପଡିଛି ଅଧିକ ଶୀତ l କାଉଁଳିଆ ପାଗ ସାଙ୍ଗକୁ ମଝିରେ ମଝିରେ ସୁଲୁସୁଲିଆ ପବନ ବି ବହୁଛି l ପଡୋଶୀଙ୍କ ରୋଷେଇଘର ଝର୍କାର ରେଲିଂ ଡେଇଁ ସବୁଦିନ ପରି ସେହି ନିର୍ଦ୍ଧିଷ୍ଟ ସମୟରେ ଡାଲି ତରକାରୀରେ ଫୁଟଣ ଫୁଟିବାର ଚିଡିଚିଡ଼ି ଶବ୍ଦ ଓ ଭୋକ ବଢ଼େଇଦେଉଥିବା ବାସ୍ନା ଉଡ଼ି ଆସି ଭିକିର କାନରେ ନାକରେ ପିଟିହେଉଛି l


   ଭିକି ଏକା ରହେ l ରାତି ଡିଉଟି ପଡୁଥିବା ମାସରେ ସେହି ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ସେ ତା ନିଜ ଭଡ଼ାଘରର ବେଡ୍ ଉପରେ ଦିନଯାକ ଗଡୁଥାଏ l ବାହାରକୁ ଖାଇବାକୁ ଯିବାକୁ ଇଚ୍ଛା କରେନି l ସନ୍ଧ୍ୟା ହେଲେ ଯାଇ ସେ ଘରୁ ବାହାରେ l ଭୋକ ଲାଗିଲେ ଚୁଡା କିମ୍ବା ନୁଡୁଲ୍ସ୍ ଖାଇଦିଏ l 


   ଭୋକରା ସମୟରେ ପଡିଶାଘରର ଫୁଟଣ ଫୁଟିବା ଶବ୍ଦ ଭିକିର ଭୋକକୁ ଶହେ ଗୁଣ ବଢ଼େଇ ଦିଏ l ଭିକି ବେଳେ ବେଳେ ପୋର୍ଟିକୋ ପାଖକୁ ଚାଲିଆସି ପଡିଶା ଘର ଆଡେ ଦେଖେ l ତାଙ୍କ କିଚେନ୍ ର ଝର୍କା ଖୋଲାଥାଏ l ରୋଷେଇ ହେବାର ଶବ୍ଦ ଶୁଭୁଥାଏ l କେହି ଜଣେ ଏପଟ ସେପଟ ହେଉଥିବାରେ ଦୃଶ୍ୟ ଅଳ୍ପ ଦିଶିଯାଏ l କାହାର ସରୁଆ ସରୁଆ ହାତ ଦୁଇଟି କଡେଇ ରେ କିଛି ପକାଉଥିବାର ଦିଶେ l ଏସବୁ ଦେଖିବାକୁ ଭିକିକୁ ଭାରି ଭଲଲାଗେ l ସେ ଝର୍କା ପାଖକୁ ଆହୁରି ନିରିଖେଇକି ଦେଖେ l 


   ଭିକି ତାଙ୍କୁ ଦେଖୁଥିବା ସେ ବି ଦିନେ ଦେଖିନେଲେ l ସେଦିନ ଝର୍କା ଆରପଟୁ ହାତଟିଏ ଠାରି ଠାରି ନିମନ୍ତ୍ରଣ ଦେଲା l ଭିକି ଗଲା l ଗିନାଏ ତରକାରୀ ଚାଖି କେମିତି ହେଇଛି ଜଣେଇବାକୁ କୁହାଗଲା l ଭିକି କେବଳ ଶୁଙ୍ଘିଦେଇ କହିଲା, "ଖୁବ ଭଲ l ଆଗରୁ କେବେ ଏମିତି ବାସ୍ନା ପାଇନି" l


  ଏବେ ଆଉ ଝର୍କା ନୁହେଁ କବାଟ ଖୋଲି ତରକାରୀ ଆସେ l ଫୁଟଣ ଫୁଟିଲେ ଭିକିର କ୍ଷୁଧା ବଢ଼େ l ଆରପଟର ଅଧାଖିଆ ପେଟ ଭିକିର ଭୋକ ଓ ଲାଳସାକୁ ବେଶ୍ ବୁଝେ l ଆଉ ଏବେ କେହି ଅଖିଆ ରହନ୍ତିନି l ଭିକି ଆଉ ଚୁଡା, ମୁଢି, ନୁଡୁଲ୍ସ୍ କିଣେନି କି ପଡିଶାଘର କିଚେନ୍ ର ଝର୍କା ବି ଦିନବେଳା ଖୋଲେନି l କେବଳ ମାତ୍ର ଯାହା ଅଧିକ ତାତି ଯାଇଥିବା ତେଲ କଡେଇରେ ଫୁଟଣ ଟା ପୋଡି ପାଉଁଶ ହେଇଯିବାର ପୋଡା ଗନ୍ଧ ବେଳେ ବେଳେ କିଛି ଲୋକଙ୍କ ନାକକୁ ରୁନ୍ଧିପକାଏ l


       


Rate this content
Log in

Similar oriya story from Classics