STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଫୁଲର ଉଷ୍ମତା

ଫୁଲର ଉଷ୍ମତା

4 mins
0

ପିଲାଦିନୁ ଫୁଲ ଗୋଟେ ନିଆରା ଝିଅ ଥିବାର ମାଆ ସୁକାନ୍ତି ଅନୁଭବ କରିଥିଲା. ଆଦିବାସୀ ପଡ଼ାର ଭାଇ ଭଉଣୀ, ମାଆ ମାଉସୀଙ୍କୁ ଏକାଠି କରି ଦୁର୍ଗାପୂଜା ଓ ଲଷ୍ମୀପୂଜା କରେଇଥିଲା ଫୁଲ ସତ କିନ୍ତୁ ଦେବୀ ମାଆମାନଙ୍କ ବିସର୍ଜ୍ଜନ ବେଳେ ନଈ କୂଳରୁ ଉଠୁନଥିଲା କାନ୍ଦି କାନ୍ଦି ଝିଅ ଫୁଲ . ବୁଝାଇ ବୁଝାଇ ଥକି ପଡ଼ିଥିବା ମାଆ ସୁକାନ୍ତି କଣ କରିବ ଭାବୁ ଭାବୁ ନଈରେ ଫୁଟିଥିବା କଇଁ ଓ ପଦ୍ମ ଫୁଲ ତୋଳି ଆଣି ଝିଅକୁ ଦେଇ ମଙ୍ଗଳା ପୂଜା କରିବାକୁ କହୁଥିଲା. ମାଆ କଥାରେ ଫୁଲର ବିଶ୍ୱାସ ହେଉଥିଲା ସତେ ଯେମିତି ମାଆ ଲଷ୍ମୀ ହୁଅନ୍ତୁ ଅବା ମାଆ ଦୁର୍ଗା, ମୂର୍ତ୍ତି ବିସର୍ଜ୍ଜନ ପରେ ସେମାନେ ନିଜେ କଇଁ ଓ ପଦ୍ମ ହୋଇ ତାଙ୍କ ଗାଁ ନଈରେ ଫୁଟି ସତେ ଯେମିତି ତାଙ୍କ ଆତ୍ମା ଶାନ୍ତି ପାଇଁ ଫୁଲ ଦ୍ୱାରା ପୂଜା ପାଉଥିବା ମାଆ ଗ୍ରାମଦେବତୀ ମଙ୍ଗଳାମାଆଙ୍କ ଗଳାରେ ଝୁଲି ପଡ଼ିବାକୁ ଚାଁହୁଥିଲେ. ଏମିତି ଫୁଲ ମନ ନେଇ ଫୁଲ ପରି ବଢୁଥିବା ଫୁଲକୁ ଦେଖି ମାଆ ସୁକାନ୍ତି ଭବିଷ୍ୟତର କେତେ ସୁନେଲି ସ୍ବପ୍ନ ଦେଖୁ ଦେଖୁ ପୁଅ ମାଦଳ ବୋଲି ଭୁଲିଯାଇଥିଲା.
   ସେଦିନ ସୁନେଲି ସକାଳର ପ୍ରଥମ ଆଲୁଅ ପଡିଥିଲା କିନ୍ତୁ ଫୁଲ ମନରେ ଆଜି ପରସ୍ତେ ଅନ୍ଧାର ଜମାଟ ବାନ୍ଧି ସାରିଥିଲା . ଯେତେ ଚାହିଁଲେ ମଧ୍ୟ ସେ ଆଜିର ଆଲୋକକୁ ସାମ୍ନା କରିପାରିବାର କ୍ଷମତା ହରାଇସାରିଥିଲା !ମାଆ କଥା ଆଜି ଖୁବ ମନେପଡୁଥିଲା. ଆଦିବାସୀ ଲଳନାମାନେ ମହୁଲି ଫୁଲ ସଂଗ୍ରହ କରିବା ସହ ଜଙ୍ଗଲ ଜାତ ପଦାର୍ଥ ସବୁ ସଂଗ୍ରହ କରିବା ସହିତ ଜାଳ ଓ ପତ୍ର ବୋଝ ବୋଝେଇ ଶ୍ରାବଣ ସଞ୍ଜରେ ତରତର ହୋଇ ଘରକୁ ଫେରିଆସୁଥିଲା ବେଳେ ଫୁଲ ସ୍କୁଲରୁ ଫେରୁଥିଲା. ଗୋଟେ ବରଷ ପରେ ମାଟ୍ରିକ ପରୀକ୍ଷା ଦେବ ଫୁଲ. ମାଆ ତାକୁ ନେଇ କେତେ ସ୍ବପ୍ନ ଦେଖିଛି ନିଶ୍ଚୟ, ହେଲେ ସେସବୁ ପୁରଣ କରିବା ପୂର୍ବରୁ ସୁନ୍ଦରୀ ପାହାଡି ଝରଣା ପରି ଝିଅ ଫୁଲକୁ ବୋହୁ କରିବାକୁ ତଥା ବିବାହ କରିବାକୁ ଅନେକ ଧାଙ୍ଗଡ଼ାଙ୍କ ଭିଡ଼. ଆଉ ସେଦିନ ଏମିତି ଏକ ରାକ୍ଷୀ ପୁନେଇଁ ସକାଳୁ ଝିଅ ଫୁଲ ମାଆ ପାଖେ ବାଢିବସିଥିଲା ତା ଜୀବନ ସ୍ୱୀକୃତି ଵିଜ୍ଞାପନ . ସେ ସନିଆଁକୁ ବିବାହ କରି ତାର ନବଜାତିକା ମାତୃହରା କନ୍ୟାର ମାଆ ହୋଇ ତାକୁ ଆପଣାର କରିବ. ସେହି ସନିଆଁ ଯିଏ ଫୁଲ ବୟସର ତିନିଗୁଣା ଥିଲା, ତା ହାତରେ ଫୁଲକୁ ଟେକିଦେବା ମାନେ ପୁଣ୍ୟ ପସରାରେ ପାପର ମଞ୍ଜି ବୁଣିବା ପରି ମନେହେଉଥିଲା ମାଆ ସୁକାନ୍ତିକୁ. ଫୁଲର କିନ୍ତୁ ଏକା ଜିଦ ସେ ସେହି ଅନାଥ ବାଳିକାର ମାଆ ହୋଇ ତାକୁ ଦୁନିଆଁରେ ପରିଚୟ ଦେବ. ଫୁଲ ଚାହେଁନା ଶାରୀରିକ ସୁଖ, ଫୁଲ ଚାହେଁନା ମାତୃତ୍ୱ, ଫୁଲ ଚାହେଁ କେବଳ ନବଜାତିକା କନ୍ୟାକୁ ଅନ୍ଧାରରୁ ଆଲୋକ ଦେଖେଇବା. ମାଆ କୁ ବୁଝେଇଥିଲା ଫୁଲ ଓ କହିଥିଲା ତୁ ଥିଲୁ ବୋଲି ବାପା ନଥିବା ଦୁଃଖ ନଥିଲା ମୋର ଆଉ ଯଦି ତୁ ନଥାନ୍ତୁ ପୁଣି ବାପା ନୂଆ ତିରିଲା ଧରି ଆସିଥାଆନ୍ତା ଘରକୁ ତେବେ ମୋର ସ୍ଥାନ କୋଉଠି ଥାଆନ୍ତା ମାଆ କହିପାରିବୁ!ଆଉ ମତେ ନେଇ ତୁ ଦେଖିଥିବା ସ୍ବପ୍ନ ସବୁକୁ ମୁଁ ଯଦି ସେହି ଝିଅ ଭିତରେ ଆବିଷ୍କାର କରେ ତେବେ ତୁ କଣ ଖୁସି ନୁଁହଁ ମାଆ!ଭାବିଲୁ ଥରେ ସେ କଅଁଳା ଛୁଆଟି କଥା. ମାଆ କୁ କଞ୍ଚା ଖାଇ ଆସିଛି ବୋଲି ତା ମୁଣ୍ଡରେ ଲାଗିଥିବା କଳଙ୍କ କାଳିମାକୁ ପୋଛି ଦୁନିଆଁ ଦାଣ୍ଡରେ ଗଣଙ୍କ ମଧ୍ୟରେ ଜଣେ କରି ଠିଆ କରେଇବାର ସ୍ବପ୍ନକୁ ସାର୍ଥକ କରିବାକୁ ଦେ ମାଆ ମତେ ଆଶୀର୍ବାଦ . ମାଆ ସୁକାନ୍ତି ପାଟିରୁ ବଚନ ବାହାରୁନଥିଲା, ଫୁଲ ସନିଆଁ ପରି ଦୋଭେଇ ବରର ହାତ ଧରି ତା କଅଁଳା ଝିଅର ମାଆ ହୋଇ ଯିବା ଯାଏଁ. କେଇଟା ଦୀର୍ଘନିଶ୍ଵାସ ଛଡା ସୁକାନ୍ତି ର ଆଉ କିଛି କରିବାର ନଥିଲା.
    ସନିଆଁ ଖୁବ ଶୀଘ୍ର ଅନୁଭବ କରିସାରିଥିଲା ଯେ ଫୁଲ ତା ହାତ ଧରି ତା ଭାରିଜା ହେବାକୁ ନୁହେଁ ବରଂ ତା କୁନି ଝିଅ ମାମୁନି ର ମାଆ ହେବାକୁ ଆସିଛି. ତ ଅଚିରେ ଦାଦନ ଶ୍ରମିକ ହୋଇ ସନିଆଁ ଘର ଛାଡିଲା ପରେ ଆଗକୁ ପଛକୁ ଫୁଲର ସାହା ଭରସା ହେବାକୁ କେହି ନାହିଁ ଭାବି ସେ ପଛଘୁଞ୍ଚା ଦେଇନଥିଲା ବରଂ ମାମୁନି ପାଇଁ ସବୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଓ ଛି ଛାକର ସାହିଯାଉଥିଲା. ମାମୁନି ମଧ୍ୟ ଚନ୍ଦ୍ରକଳା ପରି ବଢୁଥିଲା ଓ ପଢୁଥିଲା. ଗୋଡ଼େ ଗୋଡ଼େ ଜାଗି ଝିଅ ମାମୁନିକୁ, ମାଆ ଫୁଲ ତାକୁ ପାହାଡ଼ ସେପାରି କଲେଜରେ ପଢ଼ାଇଥିଲା. ଫୁଲ ଜାଣିନଥିଲା ଝିଅ ମାମୁନିର ଚିନ୍ତାଧାରା ଭିର୍ନ୍ନ. ଭଲ ପାଇବସିଲା ରାଜୁକୁ ମାମୁନି , ଯୋଉ ରାଜୁର ଅନେକ ଝିଅଙ୍କ ସଙ୍ଗେ ବନ୍ଧୁତା ଥିଲା. ଝିଅକୁ କଳ, ବଳ ତଥା କୌଶଳ ଲଗାଇ ଗାଁ ସ୍କୁଲରେ ଜଏନ କରିଥିବା ପୁଲକ ସହିତ ବାହା ଦେଇ ସୁଖ ସଂସାର କରିବାକୁ ବିଦା କଲାବେଳେ ଝିଅ ମାମାଲି କହିଥିଲା ମୋ ନିଜ ମାଆ ହୋଇଥିଲେ ତୁ ମତେ ରାଜୁ ସହ ବିବାହ ନଦେଇ ପୁଲକ ପରି ପିଣ୍ଡା ଓଲୁ ମାଷ୍ଟର ସହ ବିବାହ ଦେଇନଥାନ୍ତୁ. ମୁଣ୍ଡ ଉପରେ ଚାଳ ଛିଣ୍ଡିପଡ଼ିଥିଲା ଫୁଲର. ଛତା ଘେରି ଛାତ ଖସିପଡ଼ିଥିଲା ଯେମିତି ଫୁଲ ମୁଣ୍ଡ ଉପରେ.ଏତେ ସବୁ ତ୍ୟାଗର ଦୁଃଖଦ ପରିଣତି ରେ ସାମିଲ ହେବାକୁ ମାଆ ସୁକାନ୍ତି ଆଉ ଏପାରିରେ ନଥିଲା. ନା ଥିଲା ହାତଧରିଥିବା ସ୍ୱାମୀର ପତ୍ତା କି ଠିକଣା! ତ ଆଜି ସକାଳ ପାହୁ ପାହୁ ପ୍ରଥମ ଆଲୋକରେ ସେ ଦୌଡୁଥିଲା ତା ମାଦଳ ଭାଇ ପାଖକୁ. ଯାହାକୁ ମାଆ ଭରସାରେ ଛାଡି ସେ ମାମୁନି ପଛରେ ପଡି ଭୁଲିଯାଇଥିଲା ଭାଇ ପ୍ରତି ମଧ୍ୟ ତାର କିଛି କର୍ତ୍ତବ୍ୟ ଅଛି. ସେ ମାଦଳ ହେଲେ ବି ତାର ହାତ ଦୁଇଟା ଏବେବି ଫୁଲ ଅପା ହାତରୁ ରାକ୍ଷୀ ପିନ୍ଧିବାକୁ ଅସ୍ଥିର ଅଛି. ଗୋଟେ ମନ ବି ଅଛି ଯାହା ମାନବିକତାରେ ପରିପୂର୍ଣ୍ଣ.ଆସୁଥିବା ଦୀପାବଳିରେ ପୟା ଶ୍ରାଦ୍ଧ ଦେଇ ମାଆର ଆତ୍ମାକୁ ଶାନ୍ତି କରିବାକୁ ଫୁଲ ତୋଳିଆଣିଥିଲା ଅନେକ ଅନେକ ପଦ୍ମ ଓ କଇଁ ଫୁଲ.ପ୍ରତ୍ୟେକ ପଦ୍ମ ଫୁଲ ଗଣିବାରେ ଓ ଶହେଆଠ ହେବାରେ ଫୁଲର ଉଷ୍ମତା ଦେଖିବାର ଥିଲା.

,,,,,,,,,,,,,,,,,,,,,,,,
   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics