ଗୁରୁ
ଗୁରୁ
ମାଟ୍ରିକ ପରୀକ୍ଷାର ଫଳ ବାହାରିବ ଆଜି. ଅଭିଭାବକ, ଶିକ୍ଷକ, ଛାତ୍ରଛାତ୍ରୀ ସମସ୍ତେ ବ୍ୟସ୍ତ ଓ ବିବ୍ରତ. କଣ ହୋଇଥିବ କାହା ପରୀକ୍ଷା ଫଳ!ଏହା ତ ଗୋଟେ ଘାଟି. ଏ ଘାଟି ଡେଇଁଲେ କଲେଜରେ ଉଚ୍ଚ ଶିକ୍ଷା ପାଇବ ପୁଅ ଅବା ଝିଅ କାହାର . ସେହି ଅନୁଯାୟୀ ଭାଗ୍ୟ ନିର୍ଦ୍ଧାରଣ ହେବ ଛାତ୍ର ବା ଛାତ୍ରୀଟିଏର ଭବିଷ୍ୟତ ର ମୁଳୁଦୁଆ ପଡ଼ିବାର ପ୍ରଥମ ପାହାଚ ଏହା. ସମସ୍ତଙ୍କ ସହିତ ସାହିତ୍ୟ ପଢ଼ାଉଥିବା ଅଶୋକ ସାର ଵି ବ୍ୟସ୍ତ ଓ ବିବ୍ରତ. ତାଙ୍କ ପଢ଼ା ବିଷୟ ସାହିତ୍ୟ ରେ କେହି କେବେ ଫେଲ ହୁଅନ୍ତିନି ସତ ହେଲେ ଆଖିଦୃଶିଆ ନମ୍ବର ମଧ୍ୟ ରଖିପାରନ୍ତିନି ଯେମିତି ରଖନ୍ତି ବିଜ୍ଞାନ, ଗଣିତ ଓ ସଂସ୍କୃତରେ. କାହିଁକିର ପ୍ରଶ୍ନ ନିଜେ ନିଜକୁ ପଚାରି ଚମକି ପଡନ୍ତି ଅଶୋକ ସାର. ମନେପଡେ କ୍ଲାସ କଥା. ସାହିତ୍ୟ ପଢ଼ାଉଥିଲା ବେଳେ ବ୍ୟାକରଣ ନବୁଝି ପ୍ରତିମ ବୋଲି ପିଲାଟିଏ ଗଣିତ କଷୁଥାଏ ତ ଦେଖି ନଦେଖିଲା ପରି କ୍ଲାସରେ କିଛି ନକହି ପ୍ରତିମକୁ ଡକାଇ ପରେ କହିଥିଲେ ଅଶୋକ ସାର ଯେ ଆରେ ବାବୁ ସାହିତ୍ୟ କ୍ଲାସରେ ଗଣିତ କଷିବା କଣ ତୋ ଭଳି ଭଲ ଛାତ୍ରର ଉଚିତ ହେଉଛି. ମୁହେଁ ମୁହେଁ ଜବାବ ଦେଇ କହିଥିଲା ପ୍ରତିମ ଯେ ସାର ସେଇଟା ଆମ ମାତୃଭାଷା ଓ ସେଥିରେ ରଚନା, ଦରଖାସ୍ତ ଲେଖିବା ସହଜ କିନ୍ତୁ ଗଣିତରେ ଶହେ ରୁ ଶହେ ନଆଣିଲେ ଗ୍ରେଡ଼ ମିଳିବକି! ତଥାପି ଅଶୋକ ସାର କହନ୍ତି ସତ ଯେ ହେଲେ ମଧ୍ୟ ସାହିତ୍ୟର ବିଷୟ ଭିତ୍ତିକ ଗଦ୍ୟ ଓ ପଦ୍ୟ ତଥା ଗଳ୍ପର ସାରାଂଶ ନବୁଝିଲେ ପ୍ରଶ୍ନ ଉତ୍ତର ଲେଖିଲାବେଳେ ଝୁଣ୍ଟିବାକୁ ପଡିବ. ସରଳାର୍ଥ ଲେଖିବା, ସନ୍ଧି ବିଛେଦ ଓ ରୂଢି ପ୍ରୟୋଗ କରିବାରେ ଅସୁବିଧା ହେବ. ପୁଣି ସବୁ ବିଷୟକୁ ଧ୍ୟାନ ନଦେଲେ କେମିତି ଭଲ ଗ୍ରେଡ଼ ପାଇ ସ୍କୁଲ ଓ ପରିବାରର ନାମ ରଖିବୁ କହତ!ପ୍ରତିମ ରୋକଠୋକ ଶୁଣେଇ ଦେଇଥିଲା ସାହିତ୍ୟରେ ପାସ ମାର୍କ ରଖିବାରେ ଅସୁବିଧା ନାହିଁ ସାର.ଆଲୋ ସଖି ଆପଣା ମହତ ଆପେ ରଖି, କଥା ବଢ଼େଇ ନଥିଲେ ଆଗକୁ ଅଶୋକ ସାର. ଏମିତିକି କ୍ଲାସରେ ପ୍ରତିମ ସାହିତ୍ୟ ପଢ଼ା ହେଲାବେଳେ ଗଣିତ କଷିଲେ କିଛି କହୁନଥିଲେ.
ଆଜି ଫଳାଫଳ ଲିଷ୍ଟର ପ୍ରଥମ ଦଶ ଜଣଙ୍କ ଭିତରେ ପ୍ରତିମକୁ ଖୋଜି ଖୋଜି ହାଲିଆ ହେବା ପରେ, ଦ୍ୱିତୀୟ, ତୃତୀୟ କି ଚତୁର୍ଥ ସ୍ତମ୍ଭ କୋଉ ଗ୍ରେଡ଼ରେ ପ୍ରତିମର ନାମ ନଥିବା ଦେଖି ବୋର୍ଡ ଅଫିସକୁ ଦଉଡି ବୁଝିଥିଲେ ପ୍ରତିମ ଫେଲ ହୋଇଯାଇଛି. ରାତି ସାରା ଅଶୋକ ସାର ଶୋଇପାରିନଥିଲେ. ପୁରୁଣା ଦିନର ପୁରୁଣା କଥା ମନେପଡୁଥିଲା. ପ୍ରତିମର ଗୋଟି ଗୋଟି ଶବ୍ଦ ତାଙ୍କ କର୍ଣ୍ଣ ପଟଳରେ ଗୁଞ୍ଜରିତ ହେଉଥିଲା ଯେ ସାହିତ୍ୟ ଗୋଟିଏ ପାଠ ନା ଅସରପା ଗୋଟେ ଚଢ଼େଇ. ପ୍ରତିମ ସବୁଥିରେ ଭଲ କରିଥିଲେ ମଧ୍ୟ ନିଜ ମାତୃଭାଷା ସାହିତ୍ୟରେ ହିଁ ଫେଲ ହେବା ପରେ ଅଶୋକ ସାର ନିଜ ଚେଷ୍ଟାରେ ସେହି ସ୍କୁଲରୁ ବଦଳି ହୋଇ ଅନ୍ୟତ୍ର ଚାଲିଆସିଥିଲେ. ଏ ଭିତରେ ସାର ଅବସର ପରେ ସାହିତ୍ୟର ଉର୍ନ୍ନତି ସାଧନା ପାଇଁ ଗଳ୍ପ, ଗୀତ, କବିତା, ଶିଶୁ ସୁଲଭ ଗଳ୍ପ ଓ କବିତା, ପ୍ରବନ୍ଧ, ସ୍ତମ୍ଭ ଓ ସମ୍ପାଦକୀୟ ଲେଖି ସାହିତ୍ୟମନସ୍କ ହୋଇଯାଇଥିଲେ.
ସେଦିନ ସାହିତ୍ୟ ଆସରରେ ଅଶୋକ ସାର ମୁଖ୍ୟ ଅତିଥି ରୂପେ ଡାକରା ପାଇ ଆସିଥିବା ବେଳେ, ତାଙ୍କ ସହ ଥିବା ଯୁବ ପ୍ରବଚକ ମହାଶୟଙ୍କୁ ଚିହ୍ନା ଚିହ୍ନା ଲାଗୁଥିଲା ତ କୋଉଠି କୋଉ ସଭାରେ ଦେଖିଥିବେ ଭାବି ଚୁପ ହୋଇ ଅଶୋକ ସାର ବସିଥିବା ବେଳେ ଯୁବ ପ୍ରବଚକଙ୍କ କହିବା ପାଳି ପଡିଲା. ସେ ନିଜ ସିଟରୁ ଉଠିଆସି ପ୍ରଥମେ ଅଶୋକ ସାରଙ୍କୁ ପ୍ରଣାମ କରି ନିଜ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇ ଅନେକ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ ଯେମିତିକି ପ୍ରତିଟି ଶବ୍ଦ ଜୀବନ୍ତ ଓ ତାକୁ କାଟିଲେ ରକ୍ତ ବାହାରେ. ପୁଣି କହିଥିଲେ କି ବହି ବା ପୁସ୍ତକ ପଢିବା ଖୁବ ଉପାଦେୟ ଥିଲେ ମଧ୍ୟ ନିଜ ଅନ୍ତଃକରଣରୁ ସ୍ୱତଃ ନିଗିଡି ଆସୁଥିବା ସାହିତ୍ୟ ପ୍ରବାହକୁ କେବଳ ଉପଯୁକ୍ତ ଗୁରୁ ହିଁ ବୁଝିପାରି ନିଜ ଆଚ୍ଚରଣ ଓ ଉଚ୍ଚାରଣରେ ଦର୍ଶାଇ ସାହିତ୍ୟର ପଥ ପଦର୍ଶକ ହୋଇପାରିଥାନ୍ତି. ଯୁବ ପ୍ରବଚକଙ୍କ ନାମ ଶୁଣି ମଧ୍ୟ ଚିହ୍ନି ପାରୁନଥିବା ଅଶୋକ ସାର ଏଥର ଠିକ ଚିହ୍ନିଲେ ସେ ଆଉ କେହିନୁହେଁ. ସେହି ପୁରୁଣା ଦିନର ଛାତ୍ର ପ୍ରତିମ ଥିଲା ସେ. ସେତେବେଳକୁ ବକ୍ତବ୍ୟ ଶେଷ କରି ପ୍ରତିମ ଗୁରୁ ଅଶୋକ ସାରଙ୍କୁ ଉ.. ଅ.. ମ ମିଶ୍ରଣରେ ଓଁ ଉଚ୍ଚାରଣ କରି ପାଦ ଛୁଇଁ ପ୍ରଣାମ କଲା ବେଳେ ଅଶୋକ ସାର ପ୍ରତିମକୁ ପାଦ ତଳୁ ଉଠାଇ ଛାତିରେ ଚାପି ଧରିଥିଲେ ବେଶ କିଛି ସମୟ ପାଇଁ.ଅଶୋକ ସାର ବୁଝିସାରିଥିଲେ ପୁରୁଣା ଦିନର ଛାତ୍ର ପ୍ରତିମ କିଛି ହେଉ ନହେଉ ଭାଷା ସାହିତ୍ୟକୁ ବୁଝି ଭଲମଣିଷ ହୋଇଯାଇଛି.
