ମନ
ମନ
ମନ କେବେ କଣ ଖୋଜେ ତାହା ସମସ୍ତଙ୍କୁ ଅଜଣା. ଆଖି ବୁଜିଦେଇ କିଏ ବା ଦେଖିଛି କେମିତି ଦିଶଇ ଜହ୍ନ!.... ନିଜର ମନକୁ ନିଜେ ବୁଝେଇବା ସବୁଠୁ କଠିନ କାମ... ଭାରି ଅବୁଝା ଏ ମନ.... ଭାରି ଅବୁଝା ଏ ମନ.କାମନର ବିନାଶ ରେ ଦୁଃଖର ବିନାଶ ଜାଣି ମଧ୍ୟ କାମନା କୁ ପରିତ୍ୟାଗ କରିବା ବଡ଼ ଅସହଜ. ସେଥର ସୁଭଦ୍ରାଙ୍କର ଧଳା ଚପଲ ହଳେ କିଣି ପିନ୍ଧିବାକୁ ମନ ହୋଇଥିଲା ତ ନିଜ ସହରରୁ ଆରମ୍ଭ କରି କେତେ କୁଆଡେ ଖୋଜିଲେ ମଧ୍ୟ ମିଳିନଥିଲା ବେଳେ ନିଜ ବାପାଙ୍କ କଥା ଭାବି ମନ ବୁଝେଇନେଇଥିଲେ ସୁଭଦ୍ରା. ପିଲାଦିନେ ତାଙ୍କ ବାପା ସମସ୍ତଙ୍କ ଅଭାବ ଅସୁବିଧା ବୁଝି ଯାହାର ଯାହା ଦରକାର ଆଣିଦେଉଥିଲା ବେଳେ ନିଜ ପାଇଁ ଚପଲ କିଣିବା ଜରୁରୀ ବୋଲି ବୁଝି ମଧ୍ୟ ଆଖି ଦିଅନ୍ତି ମୁଜି. ସେଦିନ ବୋଉ ତାଙ୍କର ପଣତ ତଳେ ବାପାଙ୍କ ଛିଣ୍ଡି ଯାଇଥିବା ଚପଲରୁ ସେଫଟିପିନ କାଢି ଡାମ୍ଫଣ ଓ ସୂତାରେ ସିଲେଇ କରୁଥିବା ଦେଖି ସୁଭଦ୍ରା ନିଜ ପାଇଁ ବାପା ଆଣିଦେଇଥିବା ପାଣି ବୋତଲ ଓ ଛତା ସାନ ଭାଇକୁ ଦେଇ ଦେଇଥିଲେ ଓ ଭାବିଥିଲେ ବଡ଼ ହେଲେ ବାପାଙ୍କ ଦରକାରୀ ଜିନିଷ ନିଶ୍ଚୟ କିଣିବେ କିନ୍ତୁ ସେ ସୁଯୋଗ ଆସିବା ପୂର୍ବରୁ ବାପା ସ୍ୱର୍ଗକୁ ଟିକେଟ କାଟି ସାରିଥିଲେ. ବାପାଙ୍କ ବଦଳେ ବୋଉକୁ ଚପଲ ପିନ୍ଧେଇବେ ଭାବୁଥିବା ସୁଭଦ୍ରା ସେତିକି ଵି କରିପାରିନଥିଲେ କାରଣ ବୋଉ ସାନଭାଇ ପାଖରେ ଆରାମ କରି ରହୁ ରହୁ ସେ ମଧ୍ୟ ବାପାଙ୍କ ପଥ ର ପଦଯାତ୍ରୀ ହୋଇଗଲା. ସତରେ ପିତା ଓ ମାତା ଜୀବନରୁ ଗଲା ପରେ ତାଙ୍କ ସ୍ଥାନ କେହି ପୁରଣ କରିପାରନ୍ତି ନାହିଁ. ଆଉ ଏବେ ଯୌବନରେ ଅନେକ କାମନାକୁ ଚାପି ବାପା ମାଆ ଶିଖେଇଥିବା ଶିକ୍ଷା, ସଂସ୍କୃତିକୁ ପାଥେୟ କରି ଚାଲୁ ଚାଲୁ କେତେବେଳେ କେତେବେଳେ ଝୁଣ୍ଟୁ ଝୁଣ୍ଟୁ ସମୟ ଅତିକ୍ରାନ୍ତ ହେଉଥିବା ବେଳେ ମଧ୍ୟ ମନକୁ ମନେଇ ନେବା ଭାରି ଅସମ୍ଭବ.ମନ ଭାରି ଅବୁଝା ନା ସତରେ.
ଏବେ ପୁଅ ବୋହୁ କି ଝିଅ ଜୋଇଁଙ୍କ ପରିବାରରେ ସାମିଲ ନହୋଇ ସୁଭଦ୍ରା ନିଜ ସ୍ୱାମୀଙ୍କ ସହ ରହନ୍ତି ନିଜ ସଂସାରରେ.. ତା ଭିତରେ ଏବେ ପିଲାଏ ଅନେକ ଘରୋଇ ଉପକରଣ ସବୁ ଅନଲାଇନରେ ମଗେଇ ଦେଇଯାଆନ୍ତି ତ ପିଲାଙ୍କ ମନ ଭାଙ୍ଗନ୍ତି ନାହିଁ ସୁଭଦ୍ରା. ପୁଅ ଆଣିଦେଇଥିବା ବବି ପ୍ରିଣ୍ଟର ଛଅଟି ଭିର୍ନ୍ନ ଭିର୍ନ୍ନ ରଙ୍ଗର କପ ଭିତରୁ ବାଇଗଣୀ କପ ଟା କେମିତି କେଜାଣି କେତେବେଳେ ଚଡ଼କି ଗଲା ତ ମନ ଭାଙ୍ଗିଗଲା ସୁଭଦ୍ରାଙ୍କର. ସେ ଭାବୁଥିଲେ ସେଇ ଏକା ସାଇଜ ସହ ଏକା ପ୍ରିଣ୍ଟ ଓ ବାଇଗଣୀ ରଙ୍ଗର କପଟିଏ ମିଳିଯାଆନ୍ତା ନାହିଁ!ପୁଅ ପାଖକୁ ଗଲେ କଲିକତାରେ ପଡୁଥିବା ମେଳାରେ ଖୋଜନ୍ତି କିନ୍ତୁ ମିଳେନାହିଁ. ଝିଅ ପାଖକୁ ଗଲେ ଅନଲାଇନ ରେ ମିଳିବକି ପଚାରନ୍ତି ତ ସେ ନିଜ ଦୁଇ ସନ୍ତାନଙ୍କ ଜଞ୍ଜାଳ କରୁ କରୁ ମାଆ ମନ ପଢିବାକୁ କେତେ ପ୍ରସ୍ତୁତ ହୁଏ କେଜାଣି କିନ୍ତୁ ସୁଭଦ୍ରା ଘରକୁ ଫେରିବା ଯାଏଁ ପାଇ ପାରନ୍ତି ନାହିଁ ତାଙ୍କ ମନ ପସନ୍ଦର ସେଇ ଚିଜ ଚଡକି ଯାଇଥିବା କପଟି ପରି କପଟିକୁ . ଏଥର କୁମାର ପୂର୍ଣ୍ଣମୀ ଲଷ୍ମୀପୂଜା ଦେଖିବାକୁ ଓଡିଶାର ଢେଙ୍କାନାଳ ସହରରେ ନିଜ ଘରକୁ ପୁଅ ଓ ଝିଅ ଉଭୟ ନିଜ ସଂସାର ସହ ପହଁଞ୍ଚି ଉପହାର ଖୋଲୁଥିଲେ ତ ସେଥିରୁ ନୂଆ ଶାଢ଼ୀ, ଚୁଡ଼ି, ସ୍ବେଏଟର ଦେଖି ଯେତିକି ଖୁସି ତାଠୁ ଅଧିକା ଖୁସି ପୁଅ ଆଣିଥିବା ଧଳା ଚପଲ ସାଙ୍ଗକୁ ଝିଅ ଆଣିଥିବା ବବି ପ୍ରିଣ୍ଟ ର କପ ସେଟ ଦେଖି ଖୁସି ହୋଇଥିଲେ ସୁଭଦ୍ରା. କପ ସେଟ ଭିତରୁ ଠିକ ସେଇ ବାଇଗଣୀ ରଙ୍ଗର ବବି ପ୍ରିଣ୍ଟ କପଟିକୁ ଉଠାଇ ନେଇ ସ୍ୱାମୀ କହୁଥିଲେ ଏମିତି ଗୋଟେ କପ ଖୋଜି ଖୋଜି ପାଉନଥିଲି ଯା ହେଉ ମିଳିଗଲା. ତୁମେ କାହିଁକି ଖୋଜୁଥିଲ ବାପା! ଏଇଟା ତ ମାଆର ଦରକାର. ଆରେ ଏମିତି କପଟି ଥରେ ମୋ ହାତରୁ ଡାନିଂ ଟେବୁଲରେ ବାଡେଇ ହୋଇ ଚଡକି ଯିବାପରେ ମାଆର ମନ ଯେତେ ଖରାପ ତାଠୁ ଅଧିକା ମୋ ମନ ପରା ଖରାପ. ମନ ଭାଙ୍ଗିଗଲେ ଚୁନା ନା. ସମସ୍ତେ ହସୁଥିଲେ ସତ ହେଲେ ସୁଭଦ୍ରାଙ୍କ ମନ ସହିତ ହୃଦୟ ବୁଝିଯାଇଥିଲା ଅନେକ କିଛି.
