ଘର
ଘର
ମତେ ଗୋଟେ ଦିନ କେହି ଆକଟ କରିବନି ମୋ ସ୍ବାଧୀନତାରେ ମୁଁ ଯାହା କିଛି କରିଯିବି କହି ଗୋଟେ ଛୋଟ ବାଳକ ସକାଳୁ ସନ୍ଧ୍ୟା ଯାଏଁ ଯୋଉ ଲହୁଲୁହାଣ ହୋଇଥିଲା ଆମେ ସମସ୍ତେ ଅଳ୍ପେ ବହୁତେ ପଢି, ଶୁଣି, ଜାଣି ଶିଖିଛେ. ବାଳକଟିକୁ କୁକୁର କାମୁଡି ଦେବା ସହ ଷଣ୍ଢ କେଞ୍ଚି ଦେଲା ପରେ ସେ ବୁଝିଥିଲା ବାପା, ମାଆ ଓ ଘରର ଅନ୍ୟାନ୍ୟ ମୁରବୀମାନେ କାହିଁକି ଆକଟ କରନ୍ତି କିନ୍ତୁ ଏଠି ସୁକାନ୍ତ ବୋଲି ପିଲାଟି କାହାକୁ କିଛି ଅନୁମତି ନମାଗି ଘର କଟକଣାରୁ ଦୁରକୁ ଯିବାକୁ ଚାହିଁ ସେଦିନ ଟ୍ରେନରେ ଚଢ଼ିଗଲା. ଟିକେଟ କାଟିବାକୁ ହୁଏ ବୋଲି ତାକୁ ଜଣା ନଥିଲା ତ ଟିଟିଆଇ ତାକୁ ଟିକେଟ ନଥିବାରୁ ବାଟରେ ଓଲ୍ହେଇ ଦେଇଥିଲେ.ଚାଲି ଚାଲି ବହୁବାଟ ଯିବାପରେ ଗୋଟେ ବଜାର ପଡିଥିଲା.ଦୋକାନରେ ସବୁ ବିକ୍ରୀ ହେଉଥିଲା ତ ତା ପାଖରେ ଥିବା ଖୁଚୁରା ପଇସାରେ ସେ ତେଲଭାଜି ଜିନିଷ କିଣି ଖାଇବା ପରେ ଷ୍ଟେସନ ବେଞ୍ଚରେ ଶୋଇପଡ଼ିଥିଲା. ରାତିରେ ଥରକୁ ଥର ଉଠି ପାଇଖିନା କରିବାକୁ ଯିବା ଫଳରେ ତା ପାଖରେ କେତେବେଳେ ଆସି ଶୋଇଥିବା ଭିକାରୀ ଓ ତାଙ୍କ ପୋଷା କୁକୁର ତାକୁ ବହୁ ବିରକ୍ତ ହେଲେ. ତେଣେ ଏଠି କାହିଁକି ଝାଡା ବାନ୍ତି କରୁଛୁ କହି ରାତି ଜଗୁଆଳି ପୋଲିସ ମଧ୍ୟ ତାକୁ ବିରକ୍ତ ହେଲେ. ପୂର୍ବ ସ୍ଥାନକୁ ନଯାଇ ଯୋଉଠି ଶୋଇଲେ ମଧ୍ୟ ମଶା କାମୁଡିବା ଦ୍ୱାରା ତାର ଏକୁଟିଆ ଘର ଚିନ୍ତା ଆସିଥିଲା.ଘର କଥା ମନେପଡୁଥିଲା ତଥା ମାଆ କାହିଁକି ଝୁଣା ବୁଲେଇ ଓ ମଶାରୀ ଟାଙ୍ଗି ପୁଣି ଚାରିପଟେ ତକିଆ ବାଡ଼ ଦେଇ ଶୁଆନ୍ତି ସେ ବୁଝିପାରିଲେ ମଧ୍ୟ ରାତି ଅଧରେ କୋଉ ଘରକୁ ଫେରିପାରୁଛି!
ସକାଳୁ ତାକୁ ଖୁବ ଜର. ଗୋଡ଼ ହାତ ଅବଶ କିନ୍ତୁ କେତେଟା ବଦମାସ ଶ୍ରେଣୀର ପିଲା କାହାର ପର୍ସ ଚୋରୀ କରି ଦୌଡୁଥିଲେ କାରଣ ପଛରେ ତାଙ୍କର ପୋଲିସ ହୁଇସିଲ ମାରି ଦୌଡୁଥିଲା ତ ସେମାନେ ପର୍ସଟିକୁ ସୁକାନ୍ତ ଆଡକୁ ଫୋପାଡି ଲୁଚିଗଲେ. ରାତିରେ ଘଟିଥିବା ଏ ଘଟଣାରେ ଭୋର ଭୋର ପୋଲିସ ତା ପାଖରୁ ପର୍ସ ପାଇ ତାକୁ ନେଇ ହାଜତରେ ଭର୍ତ୍ତି କରିଦେଇଥିଲା. ଚୋର ବୋଲି ମୋହର ସାଙ୍ଗକୁ ପୋଲିସଙ୍କର ମାଡ଼ ବାଜି ସୁକାନ୍ତ ସବୁ ସତ କଥା କହୁଥିଲା ତ କେହି ଶୁଣୁନଥିଲେ. ଯୋଗକୁ ତାର ଘରୁ ପଳାୟନ ପରେ ବାପା ପୋଲିସରେ ଖବର ଦେଇଥିବାରୁ ସେମାନେ ପାଖାପାଖି ସବୁ ଥାନାକୁ ଜଣେଇ ତଲାସ କରୁଥିଲେ. ଭାଗ୍ୟ ଭଲ ଜଣେ ପୋଲିସ ବାବୁ ସୁକାନ୍ତକୁ ଦେଖି ହଜିଥିବା ଓ ଘରୁ ଲୁଚି ପଳାଇ ଆସିଥିବା ପିଲା ବୋଲି ସନ୍ଦେହ କରି ଫୋନ କରିବାରୁ ସୁକାନ୍ତ ବାପା ଓ ମାଆ ପୋଲିସ ସଙ୍ଗେ ପହଁଞ୍ଚି ଆମ ପୁଅ ଇଏ ବୋଲି ବାପା ମାଆ କାନ୍ଦି କାନ୍ଦି ଚିହ୍ନଟ କରିବାରୁ ସୁକାନ୍ତ ଛାଡ଼ ପାଇଥିଲା. ଦେହରେ ଖଇ ଫୁଟୁଥିବା ସୁକାନ୍ତ ଜର ବାଉଳିରେ ମତେ ଘରକୁ ନେଇଚାଲ ବୋଲି କହୁଥାଏ. ତାପରଠୁ ସୁକାନ୍ତର କେବଳ ଘରଚିନ୍ତା. ଆଉ କୁଆଡେ ନଯାଇ, ନବୁଲି କଥାମାନି ସୁନାପିଲା ସୁକାନ୍ତ ଏକୁଟିଆ ଘର ଚିନ୍ତା କରିବାକୁ ଲାଗିବାରୁ ସେ ଏଣିକି ମନଦେଇ ପଢୁଥିଲା. ନିଜ ପ୍ରତିଭା ପଦର୍ଶନ କରିବା ସହିତ ଦିନେ ଭଲ ମଣିଷ ହେବ ବୋଲି ପିଲାଦିନୁ ଜଣା ପଡିଥିଲା.
