STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ସବୁଠୁ ଦୂରରେ

ସବୁଠୁ ଦୂରରେ

2 mins
2

ଗୋଟିଏ ଛୋଟ ଗାଁରେ ରହୁଥିଲେ ଜଣେ ବୃଦ୍ଧା ମାଆ, ତାଙ୍କ ନାମ କମଳା। ଦିନେ ତାଙ୍କ ଘରେ ସ୍ୱାମୀ, ପୁଅ ଓ ବୋହୂଙ୍କ ହସଖୁସିରେ ଘରଟି ପୂରି ଉଠୁଥିଲା। ସକାଳ ହେଲେ ପୁଅର ଡାକ, ବୋହୂର ଚା' ଦେବା ଓ ନାତିର ମିଠା ହସରେ ତାଙ୍କ ଜୀବନ ଆନନ୍ଦମୟ ହୋଇଯାଉଥିଲା। କିନ୍ତୁ ସମୟର ଚକ୍ରରେ ସବୁକିଛି ବଦଳିଗଲା। ସ୍ୱାମୀ ଆରପାରିକୁ ଚାଲିଗଲେ, ଆଉ ପୁଅ ଚାକିରି କରିବା ପାଇଁ ସହରକୁ ଯାଇ ସେଠାରେ ଘରସଂସାର ଗଢ଼ିଲା। ଗାଁର ସେହି ପୁରୁଣା ଘରଟିରେ କମଳା ମାଆ ଏକୁଟିଆ ରହିଗଲେ।

    ପ୍ରତିଦିନ ସକାଳେ ସେ ଘରର ଦୁଆର ଖୋଲି ରାସ୍ତାକୁ ଚାହିଁ ରହୁଥିଲେ। ମନେ ମନେ ଭାବୁଥିଲେ, “ଆଜି ବୋଧହୁଏ ମୋ ପୁଅ ଫୋନ୍ କରିବ, ମୋ ଦୁଃଖସୁଖ ପଚାରିବ।” କିନ୍ତୁ ଦିନ ପରେ ଦିନ ବିତିଯାଉଥିଲା। ପୁଅର କାମର ବ୍ୟସ୍ତତା ଓ ସଂସାରର ଦାୟିତ୍ୱ ମଧ୍ୟରେ ମାଆଙ୍କ ପାଇଁ ସମୟ କମିଯାଉଥିଲା। ରାତି ହେଲେ ଘରର ଚାରିକାନ୍ଥ ତାଙ୍କୁ ଖାଇ ଗୋଡ଼ାଇବା ପରି ଲାଗୁଥିଲା। ଖଟ ଉପରେ ଶୋଇ ସେ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ କାନ୍ଦୁଥିଲେ। ତାଙ୍କ ଆଖିରୁ ଝରୁଥିବା ଲୁହକୁ ପୋଛିବା ପାଇଁ ପାଖରେ କେହି ନଥିଲେ।ପୁଅ ବହୁ ଦୂରରେ ଥିଲା ସତ ହେଲେ ଜଣାଅପଡୁନଥିଲା।ଆଜି ଲାଗୁଛି ପୁଅ ତାଙ୍କର ତାଙ୍କ ଠାରୁ ବହୁ ଦୂରରେ।

    ଦିନେ ଭୀଷଣ ବର୍ଷା ହେଉଥିଲା। କମଳା ମାଆ ଜ୍ୱରରେ କମ୍ପୁଥିଲେ। ରୋଷେଇ କରିବାକୁ ଶକ୍ତି ନଥିଲା, ପାଣି ଗ୍ଲାସଟିଏ ଆଣିଦେବାକୁ ମଧ୍ୟ କେହି ନଥିଲେ। ସେହି ସମୟରେ ପଡ଼ୋଶୀ ଘରର ଛୋଟ ଝିଅ ରିନା ତାଙ୍କୁ ସେହି ଅବସ୍ଥାରେ ଦେଖି ନିଜ ମାଆଙ୍କୁ ଡାକି ଆଣିଲା। ସେମାନେ କମଳା ମାଆଙ୍କୁ ଔଷଧ ଦେଲେ, ଖାଇବାକୁ ଦେଲେ ଓ ତାଙ୍କ ପାଖରେ ବସି ରହିଲେ। ରିନା ତାଙ୍କ ହାତ ଧରି କହିଲା, “ଜେଜେମାଆ, ଆପଣ ଆଉ କାନ୍ଦନ୍ତୁ ନାହିଁ। ଆମେ ଅଛୁ ନା!” ଏହି କେଇପଦ କଥା କମଳା ମାଆଙ୍କ ହୃଦୟକୁ ଛୁଇଁଗଲା। ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ସେ ଲୁହରେ ଏଥର ଟିକିଏ ଆଶ୍ୱାସନା ମଧ୍ୟ ଥିଲା।କିଛିଦିନ ପରେ ପୁଅ ଗାଁକୁ ଆସିଲା। ମାଆଙ୍କ ଦୁର୍ବଳ ଚେହେରା ଓ ଶୂନ୍ୟ ଆଖି ଦେଖି ସେ ନିଜ ଭୁଲ ବୁଝିପାରିଲା। ମାଆଙ୍କ ହାତ ଧରି କହିଲା, “ମାଆ, ମୋତେ କ୍ଷମା କରିଦିଅ। ମୁଁ ଟଙ୍କା ରୋଜଗାର କରିବାରେ ଏତେ ବ୍ୟସ୍ତ ହୋଇଗଲି ଯେ ତୁମ ମନର ଦୁଃଖ ବୁଝିପାରିଲି ନାହିଁ।” କମଳା ମାଆ ପୁଅର ମୁଣ୍ଡ ଆଉଁସି କହିଲେ, “ପୁଅ, ମୋର ଧନସମ୍ପତ୍ତି ଦରକାର ନାହିଁ। ମୁଁ କେବଳ ତୋର ପାଖରେ ବସି ଦୁଇପଦ କଥା ହେବାକୁ ଚାହେଁ।” ସେହିଦିନଠାରୁ ପୁଅ ମାଆଙ୍କ ପାଇଁ ନିୟମିତ ସମୟ ବାହାର କଲା ଏବଂ ତାଙ୍କୁ ନିଜ ପାଖକୁ ନେବାର ବ୍ୟବସ୍ଥା କଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy