Susant Purohit

Inspirational Others

2  

Susant Purohit

Inspirational Others

ଫକିର ଙ୍କ ଦାନ

ଫକିର ଙ୍କ ଦାନ

5 mins
8



ଏକ ହିନ୍ଦୀ କାହାଣୀ ଆଧାର ରେ

ଭାବାନୁବାଦ ଓ ଉପସ୍ଥାପନା : ପାର୍ଥ


ଗୋଟିଏ ରାଜ୍ୟ ର ରାଜା ବଡ ଦାତବ୍ୟ ଥିଲେ । ଗରିବ ଲୋକ ଙ୍କୁ ସେ ପ୍ରତିଦିନ ଦାନ ଦେବାର ନିୟମ କରିଥିଲେ । ସପ୍ତାହ ର ନିର୍ଦ୍ଧିଷ୍ଟ କେତେ ଦିନର ଏକ ନିର୍ଦ୍ଧିଷ୍ଟ ସମୟ ରେ ତାଙ୍କର କୋଷାଗାର ଆଗରେ ଗରିବ ଲୋକ ମାନେ ଧାଡି ହୋଇ ଛିଡା ହେଇ ଅପେକ୍ଷା କରୁଥିଲେ ଓ କୋଷାଧ୍ୟକ୍ଷ ସମୟ ହେଲା ବେଳେ ସମସ୍ତଙ୍କୁ କିଛି କିଛି ଅର୍ଥ ଦାନ କରୁଥିଲେ । ଏହି ଦାନ କର୍ମ ସମୟ ହୋଇଗଲା ମାତ୍ରେ ବନ୍ଦ କରି ଦିଆ ଯାଉଥିଲା । ଏହି ଦାନ କରୁଥିବା ବେଳେ ରାଜା ମଧ୍ୟ ଦିନେ ଦିନେ ଆସି ନିକଟ ରେ ଉପବେଶନ କରି ଖୁବ ଆତ୍ମସନ୍ତୋଷ ଲାଭ କରୁଥିଲେ ।


ସେହି ରାଜ୍ୟ ରେ ଜଣେ ବୟସ୍କ ଫକିର ଥିଲେ । ସେ ପ୍ରତିଦିନ ଦାନ ସମୟ ଆରମ୍ଭ ହେଲା ଆଗରୁ ଆସି ଧାଡି ରେ ଛିଡା ହୋଇ ଯାଉଥିଲେ । କିନ୍ତୁ ତାଙ୍କ ପଛକୁ ଆସିଥିବା ଗରିବ ଲୋକ ଟିକୁ ନିଜ ସ୍ଥାନ ଛାଡି ଦେଇ ତା ପଛକୁ ଯାଉଥିଲେ । ଗରିବ ଲୋକ ଟି କୃତଜ୍ଞତା ଭରା ଦ୍ରୁଷ୍ଟି ରେ ତାଙ୍କୁ ଦେଖି ଅଭିବାଦନ କରୁଥିଲା । ପୁଣି ଫକିର ତାଙ୍କ ପଛରେ ଆସିଥିବା ଗରିବ କୁ ତାଙ୍କ ସ୍ଥାନ ଦେଇ ଦଉଥିଲେ । ଏମିତି କରୁ କରୁ ପୁରା ଦାନ ସମୟ ଚାଲି ଯାଉଥିଲା ଓ ଫକିର ପଛରେ ହିଁ ରହି ଯାଉଥିଲେ । ସେ ଏମିତି ସବୁ ଦିନେ ଆସୁଥିଲେ ମଧ୍ୟ କେବେ ଦାନ ପାଇ ପାରୁ ନ ଥିଲେ, କାରଣ ସମୟ ସମାପ୍ତ ହୋଇ ଯାଉଥିଲା ଓ ଦରିଦ୍ର ଆସିବା ବନ୍ଦ ହଉ ନଥିଲା । କିନ୍ତୁ ଫକିର ଗଲା ବେଳେ ପରମ ଖୁସିରେ ଯାଉଥିଲେ ।


ଏହି କଥା କିନ୍ତୁ ଜଣେ ପରିଷଦ , ଯିଏ ଦାନ ଦେବା କାର୍ଯ୍ୟ ତଦାରଖ ପାଇଁ ନିଯୁକ୍ତ ହୋଇଥିଲେ ତାହା ନଜର କରି ପାରିଲେ । ଚକିତ ହେଲେ ,ଭାବିଲେ, ” ଆହା ଏହି ବୁଢା ଫକିର ଟି ଏତେ ଦିନ ହେଲାଣି ଆସୁଛି ଓ କେବେ କିଛି ନ ପାଇ ଖାଲି ହାତ ରେ ଫେରୁଛି !!!! “ ସେ ରାଜା ଙ୍କ ପାଖକୁ ଯାଇ କଥା ଟି କହିଲେ । ରାଜା ବି ଚକିତ ହେଲେ , ଏତେ ଦିନ ଧରି ଲୋକ ଟି ଆସୁଛି ଆଉ ଆଜିଯାଏ କିଛି ପାଇନି ।


ତାହିଁ ଆର ଦିନ ଦାନ ହେବା ସମୟ ରେ ରାଜା ନିଜେ ଆସି ସବୁ ଲକ୍ଷ୍ୟ କଲେ ଓ ଶେଷ ରେ ଖାଲି ହାତ ରେ ଚାଲି ଯାଉଥିବା ସେଇ ଫକିର ଙ୍କୁ ଡାକିଲେ । କହିଲେ , “ ଫାକିର ମହାଶୟ , ଆପଣ ସବୁ ଦିନେ ଆସୁଛନ୍ତି , ନିଜ ସ୍ଥାନ ଅନ୍ୟ ମାନଙ୍କୁ ଦେଇ ଚାଲୁଛନ୍ତି , କେବେ କିଛି ପାଉ ନାହାନ୍ତି ।ଏହାର କାରଣ କଣ ? କୁହନ୍ତୁ କଣ ଦରକାର ମୁଁ ନିଜେ ଆପଣଙ୍କୁ ଦାନ କରିବି । “

ସ୍ମିତ ହସି ଫକିର କହିଲେ ,ମହାରାଜ , ଆପଣ ଏତେ ବଡ ରାଜ୍ୟ ର ରାଜା । ଆପଣଙ୍କ ଧନ, ସମ୍ପତ୍ତି, କ୍ଷମତା ଅପରିସୀମ । ଆପଣ ପୂଣ୍ୟ ଅର୍ଜନ କରିବା ପାଇଁ , ଖୁସି ପାଇବା ପାଇଁ ଦରିଦ୍ର ଙ୍କୁ ଦାନ କରୁଛନ୍ତି ଏହା ଆପଣଙ୍କ ମହାନୁଭବତା ।ଆପଣ ଯେବେ କେହି ବୁଭୁକ୍ଷୁ ର ପାତ୍ର ରେ ଦାନ ଦିଅନ୍ତି , ସେ ତ ଖୁସି ହୁଏ , ମୁଁ ଲକ୍ଷ୍ୟ କରେ ଯେ ଆପଣ ବି ତାହା ଦେଖି ଅତ୍ୟନ୍ତ ପ୍ରୀତ ହୁଅନ୍ତି । ଧର୍ମ ର ସୁ ଫଳ ତ ମହାରାଜ ନିଶ୍ଚୟ ପାଇବେ କାରଣ ଉପରୁ ପରମାତ୍ମା ତ ଦେଖୁଛନ୍ତି । ମୁଁ ତ ଫକିର ଟିଏ ମହାରାଜ , ମୋ ପାଖରେ ତ କିଛି ବି ନାହିଁ ଦାନ କରିବାକୁ । ହଁ , ମହାରାଜ , ମୁଁ ବି ଦାନ କରୁଛି , ଯାହା ମୋ ପାଖରେ ଅଛି । ମୁଁ ବି ଚାହେ ସେଇ ଖୁସି ପାଇବାକୁ ଆଉ ମୋ ପାଖରେ ମୋ ସ୍ଥାନ ଆଉ କାହାକୁ ଦେଇ ତାହାକୁ ଦାନ ପାଇବାକୁ ଦେବା ହିଁ ମୋର ଦାନ , ଯାହା ମୁ ଅଗଣିତ ଲୋକ ଙ୍କୁ ଦେଇ ଆସୁଛି , ତାଙ୍କ ମୁହଁ ରେ ହସ ଟିକିଏ ଦେଖି ପାରୁଛି ପ୍ରତିଦିନ ଅନେକ ଥର । ଆଉ ମହାରାଜ , ମୁଁ ତ ଫକିର ଥିଲି , ଫକିର ହିଁ ରାହିଥିବି ସବୁ ଦିନେ । ମୋର ନା ପରିବାର ଅଛି , ନା କେହି ଆତ୍ମୀୟ ଅଛନ୍ତି । ମୋର ଧନ , ରତ୍ନ , ପାର୍ଥିବ ସମ୍ପତ୍ତି ରେ କି ଆବଶ୍ୟକ । ଏ ସବୁ ତ ମୋ ପାଇଁ ବୋଝ ସଦୃଶ । ଭୋକ ମେଣ୍ଟେଇବାକୁ ଦୁଇ ମୁଠା ଅନ୍ନ ତ ମିଳିଯାଏ ଲୋକ ଙ୍କ ତରଫ ରୁ । ଆପଣଙ୍କ ଧର୍ମ ରେ ବି ମହାରାଜ ,ଦେବତା ମାନଙ୍କ ମୂର୍ତି ରେ ତାଙ୍କ ମୁଖ ମଣ୍ଡଲ ରେ ସର୍ବଦା ଶାନ୍ତି , ଖୁସି ହିଁ ଥାଏ , କାରଣ ସେମାନେ “ ଦେବାର “ ତୃପ୍ତି ହିଁ ପାଇଥାନ୍ତି । ଆମେ କାହାକୁ କିଛି ବି ଦାନ କଲେ , ସମ୍ମାନ ବି ଦେଲେ , ଆମେ ତାର କେଇ ଗୁଣା ସମ୍ମାନ ନିଶ୍ଚୟ ପାଇଥାଉଁ । “


ରାଜା ଅବାକ୍ ହୋଇ ଶୁଣି ଯାଉଥାନ୍ତି । ଫକିର ଙ୍କ ନମ୍ରତା , ତାଙ୍କର ଦୟାଶୀଳତା ପରି ଗୁଣ ଦେଖି ତାଙ୍କ ପ୍ରତି ଦୟାବାନ ରାଜା ଙ୍କ ସମ୍ମାନ ବହୁତ ବଢି ଯାଇଥାଏ । ସେ ଫାକିର ଙ୍କୁ ସ ସମ୍ମାନେ ଆତିଥ୍ୟ ପ୍ରଦାନ କରି ବିଦାୟ ଦେଲେ ।


ବନ୍ଧୁ , ବାନ୍ଧବୀ ମାନେ , ଏକ ଛୋଟିଆ କଥା ଟିଏ ଏହା , ଗଳ୍ପ ବୋଲି ବି କୁହାଯାଇ ପାରିବ ନାହିଁ । ତେବେ ବହୁତ କିଛି ସଚେତନତା ର ବାର୍ତା ଦିଏ ଏହା , ବହୁତ କିଛି ଚିନ୍ତା ର ଖୋରାକ ଦିଏ ଏହି କଥା । ମଣିଷ ଶିଶୁ ଟିଏ ଯେତେବେଳେ ଧରାପୃଷ କୁ ପ୍ରଥମେ ଜନ୍ମ ନେଇ ଆସେ ତାହାର ହାତ ପାପୁଲି ଦୁଇଟି ମୁଦ୍ରିତ ଥାଏ , ଚକ୍ଷୁ ମଧ୍ୟ ମୁଦ୍ରିତ ଥାଏ । ସେ ଆସି ନ ଥାଏ କିଛି ବି ନେଇକି , ଦେଖି ନ ଥାଏ କିଛି ବି , ଜାଣି ମଧ୍ୟ ଥାଏ ନି କିଛି । ଆଉ ଗଲା ବେଳେ ? ଗଲା ବେଳେ ମଧ୍ୟ ତାର ଚକ୍ଷୁ ମୁଦ୍ରିତ ଥାଏ , ହାତ କିନ୍ତୁ ଖୋଲା ଥାଏ । କିଛି ବି ନେଇକି ଯାଏ ନାହିଁ ।


ଏହି ଧରା ପୃଷ୍ଠ ରେ କେହି ଧନୀ ହୋଇଥାଏ , କେହି ଦରିଦ୍ର , କେହି ନିଜେ ଓ ନିଜ ପରିବାର କୁ ସ୍ବଚ୍ଛଳ ଭାବରେ ଚଳେଇବାକୁ ସମର୍ଥ ଥାଏ ତ ଆଉ କେହି ନ ଥାଏ । କେହି ସୁସ୍ଥ , ହୃଷ୍ଟ ପୃଷ୍ଟ , ନିରୋଗ ଥାଏ ତ କେହି ବହୁତ ବ୍ୟାଧି ଗ୍ରସ୍ତ ଥାଏ । କାହାର ଅନ୍ୟ ମାନଙ୍କ ସହିତ ଅତି ଉତ୍ତମ ସମ୍ପର୍କ ରହି ପାରିଥାଏ ତ କିଏ ଅନ୍ୟ ମାନଙ୍କ ଚକ୍ଷୁଶୀଳ , ଘୃଣା ର ପାତ୍ର ମଧ୍ୟ ହୋଇଥାଏ । ସବୁ ମଣିଷ ତ ଏକା ଭଳି ଜନ୍ମ ହୋଇ ଥାନ୍ତି । କିଛି ବି ଜାଣି ନ ଥାନ୍ତି ଜନ୍ମ ବେଳେ । ତେବେ ଏପରି କାହିଁକି ହୁଏ ? କିଛି ଲୋକ କାହିଁକି ଦୁର୍ଭାଗ୍ୟ ର ଶିକାର ହୁଅନ୍ତି ? କିଛି ଲୋକ କାହିଁକି ଭାଗ୍ୟଶାଳୀ ହୋଇ ଥାନ୍ତି ? ?


ଗଭୀର ଭାବରେ ଭାବିଲେ ଏହାର ଅନ୍ୟ କିଛି ଉତ୍ତର ନାହିଁ , କେବଳ ପୂର୍ବ ଜନ୍ମ ର କର୍ମଫଳ ଏହା । କେହି ହୁଏତ ପୂର୍ବ ଜନ୍ମ ରେ ହିଂଶା , ଘୃଣା , ଅପରାଧ କରିଥିବ , ସେ ଏ ଜନ୍ମ ରେ ତାହାର ପରିଣତି ପାଉଥିବ । କେହି ପୂର୍ବ ଜନ୍ମ ରେ ଖୁବ ନିଷ୍ଠାବାନ ଥିବ , ଧର୍ମ , ଦାନ ଆଦି କରିଥିବ ସେ ଏହି ଜନ୍ମ ରେ ସୁଖ ପ୍ରାପ୍ତି ହୋଇଥିବ । ତେଣୁ ଆମକୁ ଆମର ପର ଜନ୍ମ ପାଇଁ କିଛି ସୁ କର୍ମ କରିକି ଯିବାକୁ ହେବ , ଦାନ କରିକି ଯିବାକୁ ହେବ , ଦାନ ମାନେ କେବଳ ଅର୍ଥ ଓ ସମ୍ପତ୍ତି ନୁହେଁ ବନ୍ଧୁ ବାନ୍ଧବୀ ମାନେ , ଅନ୍ୟ ପ୍ରତି ଦୟା , ସମବେଦନା , ସମ୍ମାନ , ସୁ ବ୍ୟବହାର , ବିପଦ ଆପଦ ରେ ପାଖରେ ଛିଡା ହେବା , ଛୋଟ ଛୋଟ କାର୍ଯ୍ୟ ତାଙ୍କ ପାଇଁ କରିଦେବା , ଯାହା ତାଙ୍କ ଜୀବନ କୁ କିଞ୍ଚିତ ଖୁସି ଦେଇ ପାରିବ , କିଛି ହସ ଫୁଟେଇ ପାରିବା ତାଙ୍କ ମୁହଁରେ ..... ସେ ସବୁ ମଧ୍ୟ “ ଦାନ “ ସେଇ କାହାଣୀ ର ଫକିର ଙ୍କ ଦାନ ପରି .......


ଏ ସବୁ ପାଇଁ ଆମକୁ ଦୁଇଟି କଥା ବିଚାର କଲେ ଆପେ ଜାଣି ପାରିବା ଆମେ କେତେ ଠିକ କେତେ ଭୁଲ ବାଟରେ ଯାଉଛୁ । ଏହି କଳି ଯୁଗ ର ଶେଷ ଅର୍ଦ୍ଧ ରେ ଆମେ ଯଦି ଗୋଟିଏ ସପ୍ତାହର ବା ଗୋଟିଏ ମାସର ଆମର କାର୍ଯ୍ୟ କୁ ତର୍ଜମା କରିଯିବା , ଆମେ ଜାଣିବା ଆମେ କେତେ ଥର କ୍ରୋଧ କରିଛୁ , କେତେ ଈର୍ଷା କରିଛୁ , କେତେଥର ଅନ୍ୟ କୁ ଖରାପ ବୋଲି ଭାବିଛୁ , କେତେ କାହାକୁ ସାହାଜ୍ଯ ଟିକିଏ କରିବା କଥା ତାହା ଏଡେଇ ଯାଇଛୁ ,… ଇତ୍ୟାଦି ଆମର ସବୁଛୋଟ , ବଡ ଭୁଲ କୁ ତାଲିକା ବନେଇବା ନିଶ୍ଚିତ ଭାବରେ ତାଲିକା ଟି ଲମ୍ବା ହୋଇ ଚାଲିବ ,( ବନ୍ଧୁ ମାନେ ମୋର ବି ହୋଇଛି ତାଲିକା ଲମ୍ବା ) କାରଣ ଆମେ ସେ ସବୁ କୁ ସେହି ସମୟ ରେ ଚିନ୍ତନ କରି ନଥାଉ । ନିଜେ ମଧ୍ୟ ଚକିତ ହୋଇଯିବା ଆମେ କିପରି ଏତେ ଭୁଲ କରି ପାରିଲେ !!!!! ଆଉ ଏହା ହିଁ ହେବ ଆମକୁ ଆଜି ଠାରୁ ଆଗକୁ କଣ କରିବାକୁ ହେବ , କିପରି ଆମ କର୍ମଫଳ ଠିକ କରିବାକୁ ହେବ ଆଗାମୀ ଜନ୍ମ ପାଇଁ ମଧ୍ୟ ଓ ଆନନ୍ଦ ହାସଲ କରି ହେବ ବର୍ତମାନ ର ସମୟ ପାଇଁ ମଧ୍ୟ , ଯେପରି କାହାଣୀର ସେଇ ଫକିର ପାଉଥିଲେ ........


Rate this content
Log in

Similar oriya story from Inspirational