Susant Purohit

Inspirational Others

3  

Susant Purohit

Inspirational Others

ମୋ ଫିନଲାଣ୍ଡ ଡାଈରୀ ୨.୦

ମୋ ଫିନଲାଣ୍ଡ ଡାଈରୀ ୨.୦

8 mins
121



 ଦେଖୁ ଦେଖୁ ଆସିଯିବ ଅଗଷ୍ଟ ୫ , ଆମର ଫିନଲାଣ୍ଡ କୁ ଦ୍ବିତୀୟ ଥର ଯାତ୍ରା ରେ ଯିବାର ଏଥର ୩ ମାସ ପାଇଁ । । ପ୍ରସ୍ତୁତି ଏବେ । ବିଦେଶ ଯିବା ସହଜ ତ ନୁହେଁ , କେତେ ଯେ କାମ ଥାଏ ତାହା ଆଗରୁ କରିବାକୁ । ପ୍ରଥମ ତ ହେଲା ଭିଷା ପାଇଁ ଆବେଦନ କରିବା । ଥରେ ଫିନଲାଣ୍ଡ ଯାଇଥିଲେ ମଧ୍ୟ ପାସପୋର୍ଟ ରେ ସେହି ଥର ର ଭିଷା ଉଲ୍ଲେଖ ଥିଲେ ମଧ୍ୟ ପୁଣି ଆବେଦନ କରିବାକୁ ହୁଏ କାରଣ ସେଇଥର ଭିଷା ବର୍ଷକ ପାଇଁ ବୈଧ ଥିଲା , ଅବଶ୍ୟ ଥରେ ଗଲେ ସର୍ବାଧିକ ୮୪ ଦିନ ପାଇଁ ହିଁ ରହିହେବା , ଯଦି ଭ୍ରମଣ ପାଇଁ ଯାଉଥାନ୍ତି ବା ନିଜ ଆପଣାର କାହା ପାଖକୁ ଯାଉଥାନ୍ତି । ଅବଶ୍ୟ ୬ ମାସ ର ବ୍ଯବଧାନ ପରେ ଆଉ ଥରେ ମଧ୍ୟ ଯାଇ ହେବ ସେଇ ଭିଷା ରେ । ଆମେ ଯାଇଥିଲୁ ୨୦୧୮ ମସିହା ରେ ପରେ ଠିକ ଏହି ସମୟରେ , ଜୁଲାଇ ୩୧ ତାରିଖରେ ଆଉ ସେଠାର ପରେ ଦୁଇମାସ ହିଁ ରହିଥିଲୁ । ଆପଣ ମାନଙ୍କ ମନେ ଥିବା ମୁଁ ସମ୍ପୂର୍ଣ ଯାତ୍ରା ର ବିବରଣୀ ଦଉଥିଲି ମୋ ଫିନଲାଣ୍ଡ ଡାଇରି ଧାରାବାହିକ ଭାବରେ ପ୍ରାକ ଯାତ୍ରା ଭାଗ ଗୁଡିକ ସହିତ ୪୦ ଟି ଭାଗ ରେ । ଏଥର ପୁଣି ଯାଉଛୁ , ମୋର ପ୍ରିୟ ବନ୍ଧୁ , ବାନ୍ଧବୀ , ପାଠକ , ପାଠିକା , ଶୁଭଚିନ୍ତାକ ବରିଷ୍ଠ ଗୁରୁଜନ ମାନଙ୍କୁ ସାଥିରେ ନ ନେଇ କି ଯାଇ ହେବ ? ? ହଁ , ଆପଣ ମାନଙ୍କୁ ମୁଁ ସାଥିରେ ପୁଣି ନେବି , ପ୍ରତୀଟି ସ୍ତର ର ବିଶ୍ରୂତ ଧାରାବିବରଣୀ ପ୍ରଦାନ କରି କରି ଯେପରି ଆପଣଙ୍କୁ ଯଥା ସମ୍ଭବ ସବୁ ଦେଖିଲା ପରି ଲାଗିବ , ଭାଗୀଦାର ହେବେ ଆପଣ ମାନେ ମୋ ସହ ସବୁ ଦୃଶ୍ୟରେ , ସବୁ ଘଟଣା ରେ , ସବୁ ଭାବନାରେ ... ଯଥା ସମ୍ଭବ ଅଧିକ ଫଟୋ ଚିତ୍ର ସହିତ ଭିଡିଓ ମଧ୍ୟ ମୁଁ ନିଶ୍ଚୟ ଦେଇ ଚାଲିବି , ଯାତ୍ରା ସମୟରେ , ଆକାଶ ମାର୍ଗ ରୁ , ଟ୍ରେନ ରୁ , ବସ ରୁ , ସାଥ୍ ଦେବେ ନା ବନ୍ଧୁ ବାନ୍ଧବୀ ମାନେ ???  


 ହଁ , ଯିବାର ସମୟ ଯେତେ ପାଖେଇ ପାଖେଇ ଆସୁଛି ସେତେ ଭାବମୟ ଭାବରେ  ମନେ ପଡି ଯାଉଛି ସେଇ ଚାରି ବର୍ଷ ଆଗରୁ ଯାଇଥିବା ସୁନ୍ଦର ଯାତ୍ରା ର ସୁନ୍ଦର ସ୍ମୃତି ସବୁ । ଏଇ କେତେ ଦିନ ହୋଇଛି ପରି ହିଁ ଲାଗୁଛି ସେ ଥର ର ଯାତ୍ରା ସହିତ ସବୁ କଥା , ସମୟ ଯେ କେତେ ଦ୍ରୁତ ଗତି ରେ ଚାଲିଯାଏ , ସତରେ ଜଣା ବି ପଡେନି । ଜୀବନର ବ୍ୟସ୍ତତା ତ ସବୁ ବେଳେ ଲାଗି ରହିଥାଏ , ଆଉ ମୁଁ ଯେ ଆଜୀବନ ବ୍ୟସ୍ତତା ଭିତରେ ବିତେଇ ଦୀର୍ଘ ୩୮ ବର୍ଷର ଚାକିରି ଜୀବନ ର ଅବସାନ ପରେ ଜୀବନ ର ଅପରାହ୍ନ ରେ ଉପନୀତ ହେବା ପରେ ଯେ ବେଶ ମୁକ୍ତ ସମୟ ପାଇବି ବୋଲି ଭାବିଥିଲି , କାହିଁ ସେ ମୁକ୍ତ ସମୟ ? ଏବେ ବି ବ୍ୟସ୍ତ , ବିଭିନ୍ନ କାମ ରେ , ଘର ତିଆରି ରେ ତ ଚାଲିଗଲା ବର୍ଷ ଟିଏ , ଭୁବନେଶ୍ବର ରେ ମୋ ଆଦର ର ନାତି ଏବେ ଯାହାକୁ ସାଢେ ଚାରି ବର୍ଷ ହେଲାଣି ,ତା ସହିତ ଦିନ ଯେ କେମିତି ବିତିଯାଏ ଜଣା ବି ତ ପଡେନି । ତେବେ ଘଟଣା କ୍ରମ ତ ଏବେ ବେଗି ବେଗି ଚାଲିବ , ନାତି ତ ପୁଅ ବହୁ ସହିତ ବିଦେଶ ଯିବ ଅନ୍ତତଃ ୩ ବର୍ଷ ପାଇଁ ଯେ ପୁଅର ପ୍ରୋଜେକ୍ଟ ସେଇଠି ଅଛି । ଭୁବନେଶ୍ବର ଘର ବିକ୍ରି ର ବ୍ୟବସ୍ଥା ହୋଇଯାଇଛି । ପୁଣି ୨୦୨୫ ରେ ପୁଅ ବହୁ ନାତି ଫେରିଲେ ଯାଇ ଭୁବନେଶ୍ବର ରେ ଆସି ପୁଣି ରହିବା ହେବ । ତେବେ ବର୍ତମାନ ଅଗଷ୍ଟ ରେ ଦ୍ଵିତୀୟ ଥର ଫିନଲାଣ୍ଡ ଯିବା ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲା ବେଳେ ମାନେ ପଡିଯାଉଛି ଗତ ଥର ର କଥା ସବୁ ଯାହା ମୁଁ ମୋର ଫିନଲାଣ୍ଡ ଡାଇରି ଧାରାବାହିକ ର ପ୍ରସ୍ତୁତି ଭାଗ ଭାବରେ ଦେଇଥିଲି ସେ ବିଷୟରେ , ବଡ ଭାବମୟ କଥା ଥିଲା ସେ ସବୁ । 


 ସେତେବେଳେ ବି ଜୁନ ମାସ ଥିଲା । ଭିଷା ପାଇଁ ତ ଅନଲାଇନ ରେ ତାରିଖ ମିଳିଯାଇଥାଏ । କଲିକତା ଠାରେ ଥିବା ବିଭିନ୍ନ ଦେଶ ର ଭିଷା ପାଇଁ ଥିବା ଅଫିସ ରେ ଆମକୁ ମୂଳ କାଗଜପତ୍ର ସବୁ ଆଉ ପସ୍ପୋର୍ଟ ଧରି ହାଜର ହେବାର ଥାଏ । ମୋ ନାତି କୁ ସେତିକି ବେଳେ ମାତ୍ର ସାତ ମାସ ।ପୁଅ କହିଲା କଲିକତା ସମସ୍ତେ ଯିବା , ଟ୍ରେନ ରେ । ବାହାରିଲୁ ସକାଳ ଟ୍ରେନ ରେ । ଗରମ ତ ହଉଥିଲା , କିନ୍ତୁ ଟ୍ରେନ ଭିତରେ ଖୁବ ଆରାମ ଦାୟକ ଥିଲା । ସନ୍ଧ୍ୟା ସାତ ସରିକି ପହଞ୍ଚିଲା ଟ୍ରେନ ହାୱଡା ଷ୍ଟେସନ ରେ , କିନ୍ତୁ ମୁଖ୍ୟ ପ୍ଲାଟଫର୍ମ ନିକଟରେ ନୁହେଁ , ପଛ ପାଖ ପ୍ଲାଟଫର୍ମ ରେ । ଗହଳି ପ୍ରବଳ , ଗୁଳୁଗୁଳିଆ ଗରମ ଆହୁରି ପ୍ରବଳ , ମୁଁ ନାତି କୁ କାଖେଇଥାଏ । ବାକି ମାନେ ଜିନିଷ ପତ୍ର ଧରି ବାହାରକୁ ଆସିଲୁ । ଏତେ ଭିଡ ରେ ଆମେ ଡ଼ାକିଥିବା ଉବର କେବ ଟି କୁଆଡେ ଆସିବ ଜଣା ବି ପଡୁ ନଥାଏ । ତେବେ ବେସ କିଛି ଦୂର ରେ ଉବର ର ଷ୍ଟାଣ୍ଡ ଟି ଥାଏ । ସେଆଡେ ଗଲୁ , ଭିଡ ଦେଇ । ମୁଁ ତ ଗରମ ରେ ଏମିତି ଯିବା ଆସିବାରେ ଅଭ୍ୟସ୍ତ , କିଛି ବେସି ଲାଗିବାର ନ ଥାଏ , କିନ୍ତୁ ଚିନ୍ତିତ ଥାଏ ମୋ ପ୍ରିୟ ନାତି ଟି ପାଇଁ । ଦେଖିଲି ତା ମୁହଁ କୁ । ଏତେ ଗରମ ରେ ବି ସେ ଖୁସି ରେ ମୋ ଆଡେ ଦେଖି ହସୁଥାଏ ଯଦିଓ ଝାଳ ରେ ବୁଡି ଯାଇଥାଏ । ଆହା କେତେ ସହି ପାରନ୍ତି ଛୁଆ ମାନେ ସତରେ .... । ଟେକସି ମିଳିଲା , ପାସ୍ପୋର୍ଟ ଅଫିସ ନିକଟରେ ନିଆ ଯାଇଥିବା ହୋଟେଲ ପହଞ୍ଚିଲୁ । ତହିଁ ଆରା ଦିନ କାମ ହେଲା , ଅବଶ୍ୟ କାଳିଆ ଙ୍କ ଅପାର କରୁଣା ର ବି ନିଦର୍ଶନ ମିଳିଲା । ସେସବୁ ତ ଆଗର କାହାଣୀ ରେ ବିଶ୍ରୂତ ଭାବେ ଦେଇଥିଲି ପଢିଥିବେ ଆପଣମାନେ । ଏଥର କିନ୍ତୁ ଆଉ ତାରିଖ ମିଳିଲା ନାହିଁ କଲିକତା ରେ । ମିଳିଲା ଚେନ୍ନେଇ ରେ , ତାହା ପୁଣି ଜୁନ ୨୮ ତାରିଖରେ । ଆଗକୁ ଅପେକ୍ଷା ଜୁନ ୨୮ ରେ କିନ୍ତୁ ଏଥର ମଧ୍ୟ ପୁଅ ବହୁ ଓ ନାତି ସହିତ ଯିବାର ସୌଭାଗ୍ୟ , ଟ୍ରେନ ରେ ତ ଯାଇ ହେବ ନି , ଯିବା ଆସିବାରେ ତିନି ଚାରି ଦିନ ଚାଲିଯିବ । ସେଇଥି ପାଇଁ ଫ୍ଲାଇଟ ରେ ଟିକେଟ କରି ଦିଆ ହୋଇଛି । ଗୋଟିଏ ଦିନ ରେ କାମ ହୋଇଯିବ । ସେଇ କାମ ସାରି ଫେରିଲେ ଆମକୁ ଭୁବନେଶ୍ବର ଛାଡି , ଜିନିଷପତ୍ର ନେଇ ସମ୍ବଲପୁର ଘର କୁ ଫେରିବାକୁ ହେବ । ବଡ ଭାବମୟ ସେଇ ବିଦାୟର ଭାବନା ...... 


ଭାବନା ରୁ ପଦେ 


  ସଂବେଦନଶୀଳ ବ୍ୟକ୍ତି ଟିଏ ପାଇଁ ଜୀବନ ଟା ପ୍ରକୃତରେ ଭାରି କଷ୍ଟମୟ , ବିଶେଷତଃ ମୋ ପରି ବ୍ୟକ୍ତି ପାଇଁ , ଯିଏ ସ୍ମୃତି କୁ ଛାଡି ପାରେ ନାହିଁ । ଜୀବନର ଦୋ ଛକି ରେ ରହିବାର ଅନୁଭୂତି ତ ଅନେକଙ୍କର ନିଶ୍ଚୟ ରହିଛି , ମୋର ବି ଥିଲା ଅଛି ଓ ରହିଥିବ ବାକି ଥିବା ଜୀବନ ଯାକ । ଏବେ ସେହିପରି ଏକ ସମୟ ମୋ ପାଇଁ । ଅବସର ଯାଏ ତ ଏତେ କର୍ମବ୍ୟସ୍ତ ରହିଲି ଯେ ଆଉ କିଛି ଭାବିବାକୁ ସମୟ ହିଁ ନ ଥିଲା । ତେବେ ଭାବମୟ ମୁହୂର୍ତ ସବୁ ସେତେବେଳେ ବି ଥିଲା । ୧୯୯୯ ମସିହା ରେ ଯେବେ ବଦଳି ମାଗି ଝାରସୁଗୁଡା କଲେଜ ରେ ଯୋଗ ଦେଲି , ଝୁରିଲି ମୋର ପ୍ରଥମ କର୍ମସ୍ଥଳୀ ବ୍ରଜରାଜନଗର କୁ , ଯେଉଁଠି ଦୀର୍ଘ ୨୧ ବର୍ଷ ରହିଥିଲି , ଘରେ ଘରେ ପରିଚିତ ହୋଇ ଯାଇଥିଲି , ବଜାର ଗଲେ ଯେଉଁ ଦୋକାନ ଗଲେ ପୂର୍ବତନ ଛାତ୍ର ମାନେ ଆଦର କରି ବସାଉଥିଲେ , ଚା ମଗାଉଥିଲେ ମୋ ପାଇଁ , ଆଦର ରେ ଦୁଇପଦ କଥା ହୋଇ ହଉଥିଲା । ତେବେ ସବୁକିଛି ତ ଅସ୍ଥାୟୀ ଏ ଦୁନିଆ ରେ , ଆମେ ବି । ନୂଆ ଜୀବନ ଶୈଳୀ ସହିତ ଖାପ ଖୁଏଇ ନେବାକୁ ହିଁ ହୁଏ । ମୁଁ ବି ଅଭ୍ଯାସ ରେ ପଡିଲି ପୁଣି ଯିବା ଆସିବା ର ଜୀବନ ରେ ।ଜୀବନ ଚକ୍ର ତ ଗଡି ଚାଲିଲା କେଇ ବର୍ଷ ଏମିତି । ତେବେ ଦେଖୁ ଦେଖୁ ପୁଅ ର ପ୍ଲସ ଟୁ ସମାପ୍ତ ହୋଇ ତାର ଭୁବନେଶ୍ବର ରେ ଇଂଜିନିଯରିଂ ପଢିବା ସ୍ଥିର ହୋଇଗଲା । ପୁଅ ସହିତ ମୋର ଅଧିକ ନିବିଡତା ଥିଲା ତାର ପିଲା ଦିନରୁ , ବିଶେଷତଃ ସେ ଇଞ୍ଜିନିରୟଙ୍ଗ ପଢିବା ପାଇଁ ହଷ୍ଟେଲ ରେ ରହିବାକୁ ଆସିବା ଆଗରୁ । ସେ ସମୟରେ ଆମ ସମ୍ବଳପୁର ର ପୁରୁଣା ଘରେ ଉପର ମହଲା ମାତ୍ର ଗୋଟିଏ ବେଡରୁମ ସହିତ ଉପରେ ରୋଷେଇ ଘର ଥିବା ବେଳେ ତଳେ ପାହାଚ କୁ ଲାଗି ଗୋଟିଏ ବଡ ବେଡରୁମ ଥିଲା । ରାତିରେ ଖାଇ ସାରିଲେ ମା , ଝିଅ ଉପର କୋଠରି ରେ ଶୋଉଥିଲା ବେଳେ ପୁଅ ଓ ମୁଁ ତଳ କୋଠରି କୁ ଚାଲି ଆସୁଥିଲୁ । ପୁଅ ପଢୁଥିଲା ଓ ମୁଁ ବହି ଖଣ୍ଡେ ଧରି ପଢୁଥିଲି । ତାକୁ ଗଣିତ ପଢେଇ ବି ଦଉଥିଲି । ରାତି ବେସୀ ହେଲେ ବାପ ପୁଅ ସୋଇ ଯାଉଥିଲୁ। ଯେଉଁ ଦିନ ପ୍ରଥମ କରି ପୁଅ କୁ ଆଣି ମଉସା ଙ୍କ ଘରେ ରେ ଛାଡି ଆମେ ଦୁହେଁ ଘରକୁ ଫେରିବାକୁ ଟ୍ରେନ ଧରିଲୁ ସେ ଦିନର ଦୁଖ ତ ଅବର୍ଣନୀୟ , ଇଚ୍ଛା ହିଁ ହଉ ନଥାଏ ପୁଅ କୁ ଏକା ଏଠି ଛାଡି ଯିବାକୁ । କିନ୍ତୁ ଛାତିରେ ପଥର ଦେଇ ତ ତାର ଭବିଷ୍ୟତ ପାଇଁ ଛାଡିବାକୁ ହେବ ।ଦୁଃଖ ପୁଅ ପାଇଁ ବି ,ଆହା ସେ ବାପା ,ମା ,ଭଉଣୀ ଙ୍କୁ ଛାଡି କେବେ ଅନ୍ୟତ୍ର ରହି ନ ଥିଲା । କିଭଳି ଲାଗୁଥିବ ତାକୁ ? ହଁ ସାଙ୍ଗ ସାଥି କରିନେବ ଶୀଘ୍ର , ମେଳାପୀ ସେ ,ଏତିକି ଆମ ପାଇଁ ବଡ଼ ଭରସା ଥିଲା । ଠିକ ଏହି ଅନୁଭୂତି ଆପଣ ମାନେ ସବୁ ବନ୍ଧୁ ବାନ୍ଧବୀ ନିଶ୍ଚୟ ଅନୁଭବ କରିଥିବେ ନିଜ ପୁଅ , ଝିଅ କୁ ଉଛ ଶିକ୍ଷା ପାଇଁ ହଷ୍ଟେଲ ରେ ଯଦି ଛାଡିଥିବେ । ବଡ କଷ୍ଟକର ଏହି ଅବସ୍ଥା । ମତେ ତା ପରେ ବେଶ କିଛି ଦିନ ରାତିରେ ଏକୁଟିଆ ଶୋଇଲା ବେଳେ ନିଦ ହୋଇ ନଥିଲା । କିନ୍ତୁ ସମୟ ବଳେ ସବୁ ଅଭ୍ଯାସ ରେ ପଡିଯାଏ , କର୍ମ ବ୍ୟସ୍ତତା ବି ଏକ ବଡ ମହୌଷଧି ମନକୁ ଭୁଲେଇବା ପାଇଁ ।ପର ବର୍ଷ ଠିକ ସେହି ଅନୁଭୂତି , ଝିଅ କୁ ଆଣି KIIT ହଷ୍ଟେଲ ରେ ଛାଡିକି ଗଲା ବେଳେ । ସେଥର ତ ପୁରା ଖାଲି ଘର କୁ ଫେରିଲୁ ଆମେ ଦୁହେଁ ,ପୁରା ସୁନଶାନ ଖାଁ ଖାଁ ଲାଗୁଥାଏ ଘର ଟି , ନା ପୁଅର ଦୌଡ଼କୁଦା , ନା ଝିଅ ର ତା ମା କୁ ରୋଷେଇରେ ସାହାଯ୍ୟ କରିବାର ..... 


ଆଉ ଏବେ , 


 ଜୀବନର ଏମିତି ଏକ ମୋଡ ଆସିଛି ଯେଉଁଥିରେ ଅବସର ପରଠାରୁ ଏକା ସଙ୍ଗେ ରହି ଆସୁଥିବା ପୁଅ , ବହୁ ଓ ଅତି ଆଦରର ନାତି ଠାରୁ ବିଛୁରିତ ହୋଇ ରହିବାକୁ ହେବ , ଅନ୍ତତଃ ତିନି ବର୍ଷ ପାଇଁ । ପୁଅ ର ବିଦେଶ ରେ ତାର ପ୍ରୋଜେକ୍ଟ ପାଇଁ ଯିବାକୁ ହେବ । ନାତି ସହିତ ମୋର ସଂଶ୍ଳିଷ୍ଟ ଯେ କେତେ ଅଧିକ ଥିଲା , ତାହା ତ ଭାଷା ରେ କହି ହେବନି । ଜେଜେ ନାତି ଦିନସାରା ଏକାଠି ରହୁଥିଲୁ । ସଞ୍ଜ ନଇ ଆସିଲେ ଆମେ ବାହାରି ଯାଉଥିଲୁ ପାର୍କ କୁ ପ୍ରତିଦିନ । ଆମ ଭିତରେ ଗୋଟେ ନିବିଡ ବନ୍ଧୁତା ଥିଲା କୁହାଯାଇପାରେ ଯଦିଓ ମୁଁ ବାର୍ଦ୍ଧକ୍ୟ ରେ ପହଞ୍ଚିଥିବା ଜଣେ ବ୍ୟକ୍ତି ଓ ସେ ଦୁନିଆ କୁ ନୂଆ ନୂଆ ଚିନହୁଥିବା ଚାରି ବର୍ଷ ର କୁନି ଛୁଆ । ବୁଲି ଯିବା ସମୟ ହେଲେ ସେ ନିଜେ ଯାଇକି ମୋ ପେଣ୍ଟ ଶାର୍ଟ ଆଣି ମୋତେ ଧରେଇ ଦିଏ ଓ ସ୍କୁଟର ଚାବି ବି ଚୌକିରେ ଚଢି ଆଣି ମୋ ହାତରେ ଦିଏ । ସେ ବିଦେଶ ଗଲେ ସେଇ ସମୟ ମୋତେ ଖୁବ କଷ୍ଟ ଦେବ । ଏବେ ତାକୁ ଛାଡିକି ରହିବାକୁ ହେବ । ମୋ ପାଇଁ ପ୍ରକୃତ ରେ ବହୁତ ବହୁତ ସଂବେଦନଶୀଳ ସମୟ ଟିଏ । ହଁ ଜାନୁଆରୀ ମାସ ରେ ଫିନଲାଣ୍ଡ ରେ ଜନ୍ମ ହୋଇଥିବା ନତୁଣୀ କୁ ଦେଖିବାକୁ ଆତୁର ହୋଇ ଅପେକ୍ଷା କରିଥିଲୁ ଆଉ ସେଇ ସମୟ ବି ଶୀଘ୍ର ଆସିବାକୁ ଯାଉଛି ଆସନ୍ତା ଅଗଷ୍ଟ ରେ । ଏପଟେ ପୁଅ , ବହୁ , ନାତି ଠାରୁ ଦୂରେଇ ଯିବାର ଦୁଖ ବି ଘାଣ୍ଟି ଦଉଛି , ସେପଟେ ନତୁଣୀ କୁ ହାତ ରେ ଧରିବାର ସ୍ଵପ୍ନ ବି ବିଭୋର କରୁଛି ... ଏପରି ଅବସ୍ଥା ମୋର ଏବେ । ଯଦିଓ ଆମେ ଭୁବନେଶ୍ବର ଛାଡି କି ଯାଉଛୁ ତିନିବର୍ଷ ପାଇଁ ଯୋଗାଯୋଗ ତ ରହିବ ଏଇ ଫେସବୁକ ରେ , whatsapp ରେ , ଫୋନ ରେ ମଧ୍ୟ , ସଦା ସର୍ବଦା ମୁଁ ଆପଣ ମାନଙ୍କ ସହିତ ଥିବି , ସମ୍ବଲପୁର ରେ ଥିଲେ ବି , ଫିନଲାଣ୍ଡ ଗଲେ ବି । କିନ୍ତୁ ଅନେକ ଅନେକ ବନ୍ଧୁ ବାନ୍ଧବୀ ଙ୍କ ନିକଟରେ ହିଁ ଥିବାର ଯେଉଁ ଅନୁଭୂତି ହଉଥିଲା , କିଛି ସଭା ସମିତି ରେ ଭେଟ ହେବାର ଅବିସ୍ମରଣୀୟ ଆନନ୍ଦ ଯେଉଁ ମିଳୁଥିଲା ତାହା ତ ଆଉ ହୋଇ ପାରିବ ନାହିଁ ଏବେ ।ଝୁରିବି ମୁଁ ଭୁବନେଶ୍ବର କୁ । ହଁ , ତିନି ବର୍ଷ ପରେ କାଳିଆ ଯଦି ଚାହିଁବେ ପୁଣି ଏଇଠି ଆସି ନିଶ୍ଚୟ ରହିବୁ ପୁଅ , ବହୁ , ନାତି , ବିଦେଶରୁ ଫେରିଲେ । 


“ ये जीबन है , इसी जीबन का ,

यही है, यही है, यही है रंगरूप, 

थोड़े गम है , थोड़ी खुसियाँ , 

यही है , यही है छाब धूप , 

     ये है जीबन ............” 

  


 ତେବେ ବର୍ତମାନ ପାଇଁ ବିଦାୟ ଦିଅନ୍ତୁ ବନ୍ଧୁ , ବାନ୍ଧବୀ ମାନେ , ଭୁବନେଶ୍ବର ରୁ , ହୁଏତ କର୍ମ ବ୍ୟସ୍ତତା ଭିତରେ ରେ ରହିବାକୁ ହେବ ଏଇ କିଛି ଦିନ , ଆଉ ଲେଖା ବି ସ୍ଥଗିତ ରଖିବାକୁ ହେବ ଅନ୍ତତଃ ଦୁଇ ସପ୍ତାହ ଯାଏ । ଫିନଲାଣ୍ଡ ଡାଇରି ୨.୦ ଆଗକୁ ଜାରି ରହିବ । 


 ସମସ୍ତଙ୍କୁ ଶୁଭ ସନ୍ଧ୍ୟା ର ଅଭିନନ୍ଦନ ।




Rate this content
Log in

Similar oriya story from Inspirational