ପଛ ବେଞ୍ଚର ସେଇ ପିଲାଟି
ପଛ ବେଞ୍ଚର ସେଇ ପିଲାଟି
ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୀମା କନକଭରମ୍ କୋରୋନା ରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି । ଆଇସୋଲେସନ ୱାର୍ଡର ଏକ ଛୋଟିଆ କେବିନ୍ ର ବେଡରେ ଶୋଇ ବହି ଖଣ୍ଡିଏ ଧରି ଛାତକୁ ଅନାଉ ଥାନ୍ତି । ସାରା ଜୀବନ ହଜାର ହଜାର ଛାତ୍ର ଛାତ୍ରୀ ଙ୍କ ମେଳ ରେ ରହି ଆସିଥିବା ଓ ଅବସର ପରେ ବି ଏକ ବଡ ପରିବାର ରେ ପୁଅ ବହୁ ନାତି ନତୁଣୀ ଙ୍କ ମେଳରେ ରହୁଥିବା ସୀମା ଙ୍କୁ ଏକୁଟିଆ ସମୟତକ ବଡ ଅସହ୍ୟ ଲାଗୁଥାଏ । ହଁ , ଡିଉଟି ରେ ଥିବା ନର୍ସମାନେ ଓ ଡାକ୍ତର ନିୟମିତ ଆସନ୍ତି , କିଛି କଥା ବାର୍ତା ନିଶ୍ଚୟ ହୁଅନ୍ତି , ତେବେ ବାକି ସମୟ ତ ନିର୍ଜନତା ରେ । ବାହାରେ ହୁଏତ ଅନ୍ଧାର ମାଡି ଆସିଲାଣି , ତେବେ କୋଠରି ଭିତରେ ତ କିଛି ଜାଣି ହଉ ନି । ଏହି ସମୟ ରେ ଏକ ଅଜଣା ନମ୍ବର ଥାଇ କଲ ଟିଏ ଆସିଲା । ଏଭଳି ଅଜଣା ନମ୍ବର କଲ ସୀମା ଉଠାନ୍ତି ନାହିଁ । କିଏ ହୋଇଥିବ କେଜାଣି , ହୁଏତ ବିଜ୍ଞାପନ କଲ ବି ହୋଇଥାଇ ପାରେ । ତେବେ କିଛି ଆଉ କରିବାର ନ ଥିବାରୁ ସେ କଲ ଟି ଗ୍ରହଣ କରି ସୁଇଚ ଚିପିଲେ ।
ହାଲୋ , ଶୁଭସନ୍ଧ୍ୟା ମାଡାମ , ମୁଁ ଦୁବାଇରୁ ସୋଜୀ ଗୋପାଳକୃଷ୍ଣ କହୁଛି । ମୁଁ ମାଡାମ ସୀମା କନକଭରମ୍ ଙ୍କ ଙ୍କ ସହିତ କଥା ହଉଛି ତ ?” ସେପଟୁ ଏକ ଦୃଢ ପୁରୁଷ ସ୍ଵର ଆସିଲା । ଜାଣିବାକୁ ଆଗ୍ରହୀ ହୋଇ ସୀମା କହିଲେ । “ ହଁ , ଆପଣ ସୀମା ସହିତ କଥା ହଉଛନ୍ତି ।“ କିଛି ମୁହୂର୍ତ ନୀରବତା ପରେ ସେପଟୁ ଆସିଲା , “ ମାଡାମ , ମୁଁ କିଛି ବର୍ଷ ଆଗରୁ ଯେତେବେଳେ ଦଶମ ଶ୍ରେଣୀ ରେ ପଢୁଥିଲି , ଆପଣ ମୋର ଶ୍ରେଣୀ ଅଧ୍ୟାପିକା ଥିଲେ । ସ୍ଵର ଟି ଆଦୌ ମନେ ପକେଇ ପରିଲେନି ସୀମା । ହଜାର ହଜାର ଛାତ୍ର ଛାତ୍ରୀ ଙ୍କୁ ସେ ପଢେଇଛନ୍ତି ତାଙ୍କର ଦୀର୍ଘ ୩୮ ବର୍ଷକ ର ଚାକିରି ଜୀବନ ରେ । କେତେଙ୍କ ଙ୍କ ଛଡା ତ କାହାରି ଖବର ନେଇ ହୋଇନି । କହିଲେ , “ ମୁଁ ଏବେ କୋରୋନା ରେ ପୀଡିତ ହୋଇ ହସ୍ପିଟାଲ ରେ ଅଛି । କିଛି ଜରୁରୀ କାମ ଥିଲା କି ? ପରେ କଥା ହେଲେ ଚଳିବ ? “
“ ମାଦାମ , ସେକଥା ମୁଁ ଜାଣେ । ୧୯୯୫ ବେଚ ର ଶ୍ରେଣୀ ର ଟପ୍ପର ସୁବ୍ବୁ ଠାରୁ ସେଇ ଖବର ପାଇ ଆପଣଙ୍କ ନମ୍ବର ନେଇ ମୁଁ ଫୋନ କରୁଛି । ସୁବ୍ବୁ କୁ ତ ଆପଣ ମନେ ପକେଇ ପାରୁଥିବେ ନା ? “ ସୌଜୀ କହିଲା ସେପଟୁ ।
ଆଗ୍ରହୀ ସ୍ଵର ରେ ସୀମା କହିଲେ , “ ହଁ , ହଁ , ମୁଁ ସୁବ୍ବୁ କୁ ମନେ ପକେଇ ପାରୁଛି । ଖୁବ ଭଲ କରୁଥିଲା ସେ । ୧୯୯୫ ମସିହା ରେ ସେ ଖାଲି ସ୍କୁଲ ରେ ନୁହଁ , ବୋର୍ଡ ପରୀକ୍ଷା ରେ ମଧ୍ୟ ଟପ୍ପର ହୋଇ ସ୍କୁଲ ର ସୁନାମ ରଖିଥିଲା । କିନ୍ତୁ ସୌଜି , ତୁମକୁ ତ ମନେ ପକେଇ ପାରୁ ନାହିଁ , ଟିକେ କୁହ ତୁମ ବିଷୟରେ । “
“ ମାଡାମ , ଆପଣ ୧୯୯୫ ମସିହା ର ଦଶମ ଶ୍ରେଣୀ ର କ୍ଳାସ ଶିକ୍ଷକ ଥିଲେ । ସେହି ଶ୍ରେଣୀରେ ମାଡାମ ଜଣେ କଳା , ଲମ୍ବ ପିଲା ଟିଏ ଥିଲା । ଖୁବ ଚଗଲିଆ । କେବେ ଠିକ ସମୟ ରେ ଆସୁ ନଥିଲା । ସବା ପଛ ବେଞ୍ଚ ରେ ବସୁଥିଲା । ହୋମ ୱାର୍କ କେବେ କରିକି ଆସୁ ନଥିଲା । ଆପଣ ତାକୁ ପ୍ରାୟ ପ୍ରତିଦିନ ଦଣ୍ଡ ଦଉଥିଲେ , କେବେ ସେଇ ପଛ ବେଞ୍ଚ ରେ ପୁରା ପିରିଅଡ ଠିଆ ହେବାକୁ ତ କେବେ ଶ୍ରେଣୀ ବାହାର କରିଡର ରେ । ମୁଁ ସେହି ସୌଜି ଗୋପାଳକୃଷ୍ଣ ମାଡାମ । ଖାଲି ଆପଣ ନୁହନ୍ତି , ସବୁ ସାର ଓ ମାଡାମ ଙ୍କ ଠାରୁ ମୁଁ ଦଣ୍ଡ ପାଇବା ସୁନିଶ୍ଚିତ ଥିଲା । ଭାରି ଚଗଳାମି କରୁଥିଲି । ସ୍କୁଲ ର ସବୁ ଚଗଲା ପିଲାଙ୍କ ନେତା ଥିଲି ମୁଁ । କିନ୍ତୁ ସବୁ ପିଲା ମତେ ଭଲ ପାଉଥିଲେ କାହିଁକି କେଜାଣି । ସବୁ ସାର ଓ ମାଡାମ ମୋତେ ବହୁତ ରାଗୁଥିଲେ କେବଳ ଆପଣଙ୍କୁ ଛାଡି ମାଡାମ । ଆପଣ ମତେ ସୁଧାରିବା ପାଇଁ ବହୁତ ବହୁତ ପ୍ରୟାସ କରୁଥିଲେ । ହେଲେ ମୋ ଦ୍ଵାରା ପାଠ ପଢା ହେଇ ପାରିବାର ନ ଥିଲା । ଆପଣ ମତେ ଯେଉଁ ଦଣ୍ଡ ଦଉଥିଲେ , ସେଇ ସମୟରେ ଯେଉଁ ଉପଦେଶ ଦଉଥିଲେ ତାହାହିଁ ମୋ ବିଚାର ଧାରା କୁ ପ୍ରଭାବିତ କରୁଥିଲା । ମୁଁ ଆଜି ଯାହା ବି ହୋଇଛି କେବଳ ଆପଣଙ୍କ ପାଇଁ ହୋଇ ପାରିଛି ଯଦିଓ ଆପଣ ଜାଣି ନାହାନ୍ତି । “
ସୀମା ଟିକିଏ ଚୁପ ରହିଯାଇଥାନ୍ତି । ଧୀରେ ଧୀରେ ତାଙ୍କ ସ୍ମୃତି ପଟଳରୁ ପରଦା ହଟି ହଟି ଯାଉଥାଏ , ଦୀର୍ଘ ୨୫ ବର୍ଷ ଆଗର ଘଟଣା ଗୁଡିକ ସଫା ସଫା ଦିଶି ଆସୁଥାଏ ତାଙ୍କ ମାନସ ଦର୍ପଣ ରେ , ଯେମିତି ଆଦ୍ୟ ଶୀତ ସକାଳର କୁହୁଡି ଧୀରେ ଧୀରେ ଅପସରି ଗଲେ ସବୁ ସଫା ଦିଶେ । ଆଃ , କି ଭାବମୟ ସମୟ ଥିଲା ତାହା । ହଁ , ଏଇ ସୌଜି , ସବୁଠାରୁ ଦୁଷ୍ଟ ପିଲା , ସବୁ ବିଷୟରେ ଫେଲ ହଉ ହଉ ରହି ଯାଉଥିଲା ଠିକ ପାସ ମର୍କ ଉପରେ ରଖି । ଆଉ ସୁବ୍ବୁ ? ସେଇ ଶାନ୍ତ , କୋମଳ ଭଲ ପିଲା ଟିଏ ସେଇ ବେଚ ର , ସବୁବେଳେ ପ୍ରଥମ ଧାଡି ରେ ବସେ , ସବୁ ବିଷୟରେ ପ୍ରଥମ ଛଡା ଦ୍ଵିତୀୟ ହୋଇଥିବା ସେ କେବେ ଜାଣି ନାହାନ୍ତି । ଗଣିତ ରେ ତ ସେ ୧୦୦ ରୁ ୧୦୦ ପ୍ରତି ପରୀକ୍ଷାରେ ! ସେଇ ସୁବୁ ପାଇଁ ସ୍କୁଲ ଗର୍ବିତ । ବୋର୍ଡ ଟପ୍ପର ବି ହୋଇଥିଲା । ଶୁଣା ଯାଉଥିଲା ସେ କେଉଁ ବଡ କମ୍ପାନୀରେ ଚାର୍ଟାର୍ଡ ଏକାଉଣ୍ଟନ୍ତ ହୋଇ ବଡ ପଦବୀ ରେ ଅଛି । ସେଇ ସୁବ୍ବୁ ତ ଏହି ସୌଜି ର ସାଙ୍ଗ ବି ଥିଲା । ତାକୁ ପଢେଇ ଦଉଥିଲା କିଛି ଯାହା ଫଳରେ ସୌଜି ପାସ କରିଯାଉଥିଲା । ତେବେ ସ୍କୁଲ ଛାଡି ଗଲା ପରଠୁ ଆଉ ଏଇ ସୌଜି ବିଷୟରେ ତ ଶୁଣି ନ ଥିଲେ ସୀମା । ଆଜି ହଠାତ୍ କିପରି ଫୋନ କଳା ବା ! “ ମଡାମ୍ ମାଡାମ , ଅଛନ୍ତି ନା ? ସୋଇ ପଡିଲେ କି ? “ ସେ କିଛି ମୁହୂର୍ତ ଭାବନା ରେ ବୁଡି ଚୁପ ହୋଇ ଯାଇଥିବା ବେଳେ ସୌଜି ର ଆବାଜ ରେ ଚମକି ଉଠିଲେ । “ ହଁ , ହଁ ସୌଜି କୁହ । ଶୁଣୁଛି । “ କହିଲେ ସୀମା
“ ମାଡାମ , ମୁଁ ଆଉ ବେସି ନ ପଢି ଚାଲିଆସିଲି ମୋ କକେଇ ଙ୍କ ପାଖକୁ ଏଇ ଦୁବାଇ କୁ । ଏଇଠି ଗୋଟିଏ କମ୍ପାନୀ ରେ କାମ ପାଇଲି , ସାଧାରଣ ଶ୍ରମିକ ଭାବେ । ଆପଣ ହିଁ କହିଥିଲେ ନା ମ୍ଯାଡାମ , “ ସୌଜି ତୁମେ ବେଞ୍ଚ ଉପରୁ ଥାଇ ଚାରିଆଡେ ଲକ୍ଷ୍ୟ କର , ଦେଖିବ ସବୁଆଡେ ସୁଯୋଗ ହିଁ ସୁଯୋଗ ରହିଛି । ତୁମକୁ ସେଇ ଭିତରୁ ଭୁଲ ଠିକ ବାଛି ନେଇ ଆଗେଇବାକୁ ହେବ ।“ ବାହାରେ ଛିଡା ହେଲେ କହୁଥିଲେ “ ସୌଜି ପ୍ରକୃତି କୁ ଦେଖ, ସବୁ ବିଦ୍ୟା କ୍ଳାସ ଭିତରେ ନାହିଁ , ପ୍ରକୃତି ରୁ ବି ବହୁତ ଶିଖି ପାରିବ ଯଦି ଠିକ ଠଉରାଇ ପାରିବ । “ ବେସ୍ , ସେଇ କଥା ହିଁ ମୋ ମନ ଭିତରେ ଥିଲା ମାଦାମ , ଆଉ ତା ପରେ ତାହା ହିଁ ମତେ ରାସ୍ତା ଦେଖେଇଲା । ମୁଁ କାମ କଳା ବେଳେ ସବୁଆଡେ ଦେଖି ଦେଖି ଶିଖିଲି । ଉପର କୁ ଉପର ଉଠିବା ମୋ ପାଇଁ ସହଜ ହୋଇଗଲା ମାଦାମ । ଧୀରେ ଧୀରେ ମୁଁ ମୋର କାମ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରି କମ୍ପାନୀ ରେ ହିଁ ବହୁତ ଉପର କୁ ଉଠିଲି । ପରେ ନିଜେ ଗୋଟିଏ କମ୍ପାନୀ ଖୋଲିନେଲି , ‘ ସୌଜି ଗୋପାଳକୃଷ୍ଣ ଲଜିଷ୍ଟିକ କମ୍ପାନୀ’ । ଆଜି ଏହି କମ୍ପାନୀ ରେ ମୋ ଅଧୀନ ରେ ଦୁଇ ହଜାର କର୍ମଚାରୀ ଅଛନ୍ତି ମାଦାମ । ତେବେ ଆଜି ହିଁ ସୁବ୍ବୁ ମତେ କହିଲା ଆପଣଙ୍କ ବିଷୟ । ଆମେ କଥା ହୋଇ ଆମ ବେଚ ର ଯେତେ ଯାହାଙ୍କ ନମ୍ବର ପାଇଲୁ ସମସ୍ତଙ୍କ ସହ ଯୋଗାଯୋଗ କଲୁ । ମୋଟ ସାତ ଜଣ । ଆପଣ ସମସ୍ତଙ୍କୁ ପଢେଇଛନ୍ତି । ସେ ଭିତରୁ ତିନି ଜଣ ଇଞ୍ଜିନିଅର ହୋଇ ତିନିଟି ଦେଶ ରେ ଅଛନ୍ତି ବଡ ବଡ କମ୍ପାନୀ ରେ । ତିନିଜଣ ଡାକ୍ତର ଅଛନ୍ତି ଦିଲ୍ଲୀ ରେ , ଆଉ ଜଣେ ଆସାମ ରେ ଧର୍ମଯାଜକ ଅଛି । ଆମେ ଠିକ୍ କରୁଥିଲୁ ସମସ୍ତେ ମୁମ୍ବାଇ ପହଞ୍ଚି ଗାଡି ଟିଏ ନେଇ ଆପଣଙ୍କ ହସ୍ପିଟାଲ ରେ ପହଞ୍ଚି ସରପ୍ରାଇଜ୍ନ ଦେବୁ ବୋଲି । କିନ୍ତୁ ମାଡାମ କୋରୋନା କଟକଣା ଯୋଗୁଁ ତାହା ଏବେ ସମ୍ଭବ ହେଲା ନହିଁ । ତେଣୁ ଆମେ ଏହି କଂଫେରେନ୍ସ କଳ ଲଗେଇ ଆପଣଙ୍କୁ ଯୋଗା ଯୋଗ କଲୁ । ଏବେ ଆମେ ଆଠ ଜଣ ଯାକ ଏହି କଥା ଶୁଣୁଛୁ ମାଦାମ , ସୁବ୍ବୁ ବି । “
ଏତେ କଥା ଶୁଣି ଯାଉଥାନ୍ତି ସୀମା ସ୍ତବ୍ଧ ହୋଇ । ବହି ଟି ତାଙ୍କ ହାତ ରୁ କେତେ ବେଳେ ଖସି ଯାଇଥାଏ ତାଙ୍କୁ ଜଣା ବି ନ ଥାଏ । ସ୍ତବ୍ଦ୍ଧ , ବିଲକୁଲ୍ନ ସ୍ତବ୍ଦ୍ଧ ସୀମା କନକଭରମ୍ ! ମନ ଭିତରେ ବିଜୁଳି ଚମକ୍ ପରି ପଛ ଦିନର ସ୍ମୃତି ଦଉଡୁଥାଏ । ଆରେ ! ଏବେ ପୁରା ମାନେ ପଡିଗଲା ସେଇ କଳା ଡେଙ୍ଗା ପିଲାଟି , ସୌଜୀ , ହସ ହସ ମୁହଁ , ତେବେ ଚଗଳାମି ଭରା , ପିଲାଟି କୁ ତ ସେ ସିଲାବସ ର ପାଠ ପଢେଇ ପାରିଲେନି । ସିଲାବସ ବାହାର ପାଠ ସେ ଶିଖିନେଲା , ଏତେ ସୁନ୍ଦର ଭାବେ , ଏତେ ସଫଳ ଭାବରେ ! ତାଙ୍କ ୩୮ ବର୍ଷ ଶିକ୍ଷକତା ଭିତରେ ତ ସେ ପଛ ବେଞ୍ଚର କେହି ଜଣକୁ ବି ଜାଣି ନାହାନ୍ତି ଏତେ ସଫଳତା ପାଇଥିବାର । ହଁ କିଛି ପରେ ସଫଳ ବ୍ୟବସାୟୀ , ସଫଳ ରାଜନୈତିକ ବ୍ୟକ୍ତି ହୋଇଥିବା ସେ ଜାଣନ୍ତି । କିନ୍ତୁ ସୌଜି ? ମେଟ୍ରିକ ପାସ ପିଲା , ଦୁବାଇ ଯାଇ ସେଇଠି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଟେ ଛିଡା କରିଦେଲା ? ପୁଣି କିଛି ସମୟ ବିତି ଯାଇଥିଲା ନୀରବତା ରେ । ଏଥର କିନ୍ତୁ ସୁବ୍ବୁ , ୧୯୯୫ ର ଟପ୍ପର , କହିଲା ଫୋନ ରେ “ ମାଡାମ , ହାଲିଆ ହୋଇ ଗଲେ କି ? ମୁଁ ସୁବ୍ବୁ କହୁଛି । ଆପଣ ତ ମୋଟେ ମନେ ପକାଉଥିବେ ? “ ହଁ , ହଁ ସୁବ୍ବୁ , ତୁମ ସମସ୍ତଙ୍କ କଥା କୁହ , କିଏ କଣ କରୁଛ ? “ ଜଣେ ଜଣେ କରି ସମସ୍ତେ ତାଙ୍କ କଥା କହିଲେ । ମାଡାମ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା ଜଣେଇଲେ ଆଉ ଶେଷକୁ କହିଲା ସୁବ୍ବୁ ପୁଣି ଚମକେଇ ଦେବା ପରି କଥା ଟିଏ ସୀମା ମାଡାମ ଙ୍କୁ । “ ମାଦାମ , ମୁଁ ତ ଚାର୍ଟାର୍ଡ ଏକାଉଣ୍ଟନ୍ତ ହୋଇ ଆମେରିକା ର ଏକ କମ୍ପାନୀ ରେ ଅର୍ଥ ଅଧିକାରୀ କାମ ପାଇଲି ।ଏଇ କିଛି ବର୍ଷ ଆଗରୁ ମତେ ସୌଜି ଆସିକି ନେଇ ଗଲା ତା କମ୍ପାନୀ କୁ ମୁଖ୍ୟ ଅର୍ଥ ଅଧିକାରୀ ଭାବରେ । ମୁଁ ଏବେ ସୌଜି ର କମ୍ପାନୀ ରେ ଦୁବାଇ ରେ କାମ କରେ । ମୁଁ ଖୁବ ଖୁସି ଅଛି ମାଦାମ ସୌଜି ଅଧୀନ ରେ କାମ କରିକି । “
ଚମତ୍କାର ! ସୀମା ହତବାକ୍ ହୋଇ ଭାବୁଥାନ୍ତି । ଶ୍ରେଣୀ ରେ ଯିଏ ଗଣିତ ରେ ୧୦୦ ରୁ ୧୦୦ ରଖୁଥିଲା , ଯେଉଁ ପଛ ବେଞ୍ଚ ପିଲା ସୌଜି କୁ ପାସ କରିବାକୁ ଶିଖେଇ ଦଉଥିଲା , ସେ ଏବେ ସେଇ ପଛ ବେଞ୍ଚ ପିଲାର ତିଆରି କମ୍ପାନୀ ରେ ତା ଅଧୀନ ରେ କାମ କରୁଛି ! ଖୁସି , ଭାବମୟତା ରେ ସୀମା ଙ୍କ ଆଖିରୁ ଗଡୁଥିଲା ଧାରେ ଲୁହ ଭୁଲିଯାଇଥିଲେ ସେ ଅଛନ୍ତି କୋରୋନା ୱାର୍ଡ ରେ ହୁଏତ ଖୁସି ରେ ତାଙ୍କ ଦେହ ପୁରା ଠିକ ହୋଇ ଯାଇଥିଲା । ଦୁଇଦିନ ପରେ ଯେବେ ତାଙ୍କୁ ଡାକ୍ତର ତାଙ୍କୁ ଛାଡିବାକୁ ଅନୁମତି ଦେଲେ , କାଉଣ୍ଟରକୁ ନିଜ ପୁଅ ସହିତ ଦେ ଦେବାକୁ ଗଲା ବେଳେ ଡାକ୍ତର ନିଜେ ତାଙ୍କୁ ଫୁଲ ତୋଡା ଟିଏ ଦେଇ ଶୁଭେଚ୍ଛା ଜଣେଇ କହିଲେ ତାଙ୍କର ପୁରା ବିଲ ଦୁବାଇ ର ଏକ ବଡ କମ୍ପାନୀ ତରଫ ରୁ ଅନ ଲାଇନରେ ଦିଆ ସରିଛି ଓ ସେଇ କମ୍ପାନୀ ତରଫ ରୁ ଗାଡି ଟିଏ ଆସି ତାଙ୍କୁ ଘର କୁ ନେବାକୁ ଅପେକ୍ଷା କରିଛି ପୋର୍ତିକୋ ରେ
ଆମ ଅନନ୍ୟ ସଂସ୍କୃତ ରେ ଶିକ୍ଷକ ର ବ୍ୟାଖ୍ୟା ଅଛି ବିଭିନ୍ନ ଶ୍ରେଣୀ ର ଶିକ୍ଷକଙ୍କ । ଏ ଭିତରୁ " ଗୁରୁ " ହଉଛି ଶ୍ରେଷ୍ଠ ଓ ଗୁରୁ ଜେନ ଏପରି ଶିକ୍ଷକ ଯିଏ ପାଠ ପଢେଇବା ସହିତ ସଫଳ ଜୀବନ ବଞ୍ଚିବାର ମାର୍ଗ ହିନ ଦେଖେଇ ଦେଇଥାଏ ଛାତ୍ର ଙ୍କୁ । ଆମ ସମାଜ ରେ ଏହି ଭଳି " ଗୁରୁ " ନିଶ୍ଚୟ ଅଛନ୍ତି ସୀମାଙ୍କ ପରି , ଆଉ ସେହିଭଳି ଗୁରୁଙ୍କୁ ଏହି ଅଲେଖ୍ୟ ସମର୍ପିତ ।
