"ରୂପାଲି ଛକ” ର ଇତିହାସ
"ରୂପାଲି ଛକ” ର ଇତିହାସ
ଏକ forwarded ଲେଖା ଆଧାରରେ ଓ ଅନୁଭୂତିରୁ
୮୦ ଦଶକ ରେ ମୁଁ ଯେବେ କଲେଜର କାମ ପାଇଁ ନିୟମିତ ବ୍ରଜରାଜନଗରରୁ ଭୁବନେଶ୍ବର ଯାଉଥିଲି , ବସ ରୁ ଉତୁରି ରିକସା ଟିଏ ରେ ବସି ଯାଉଥିଲି “ରୂପାଲି ଛକ” । ମୋ ମଉସା , ଯିଏ ସେତେବେଳେ କେନ୍ଦ୍ର ସରକାର ଙ୍କ ଆଞ୍ଚଳିକ ଶିକ୍ଷା କଲେଜ ରେ ଅଧ୍ୟାପକ ଥିଲେ , ସେଇ ରୂପାଲି ଛକର ଖୁବ ନିକଟ ରେ ଭଡା ଘର ଟିଏ ନେଇ ରହୁଥିଲେ । ମଉସା , ମାଉସୀ ତ ଖୁବ ଭଲ ପାଉଥିଲେ ମତେ , ବେସି କରି ଖୁସି ହଉଥିଲେ ତାଙ୍କର ଦୁଇ ପୁଅ , ଦୁଇ ଝିଅ, ମୋର ସାନ ଭାଇ ଭଉଣୀ ଗୁଡିକ । ଦେଖିଲେ ହିଁ ଖୁସି ରେ କହୁଥିଲେ “ ଦାଦା ଆସିଗଲେ ,ଦାଦା ଆସିଲେ , ରାତିରେ ଗପ କହିବେ !!!!! “
ହଁ ବନ୍ଧୁ ବାନ୍ଧବୀ ମାନେ , ସେ ସମୟରେ ଭୁବନେଶ୍ବର ଅଲଗା ଥିଲା । ଏତେ ଗରମ ନ ଥିଲା । ସଞ୍ଜ ହେବା ଆଗରୁ ସୁଲୁସୁଲିଆ ପବନ ଆରମ୍ଭ ହୋଇ ଯାଉଥିଲା ପୁରା ସହର ଯାକ । ଏମିତି ଯେ ଛାତ ଉପର କୁ ଗଲେ ଏତେ ଭଲ ଲାଗୁଥିଲା ଯେ ଫୋଲଡିଙ୍ଗ ଖଟ ଟିଏ ରେ ସୋଇ ଗଲେ ସଙ୍ଗେ ସଙ୍ଗେ ଆରାମ ନିଦ ଆସିଯାଉଥିଲା । ସେଇଠି ମୁଁ ସଞ୍ଜ ରେ ବସେ , ମୋତେ ଘେରି ବସନ୍ତି ଭାଇ ଭଉଣୀ ମାନେ ଆଉ ଗପ ର ସୁଅ ଛୁଟେ , ମାଉସୀ ଆସି ଖାଇବାକୁ ଡାକିବା ଯାଏ । ଦିନେ ଦୁଇଦିନରେ କାମ ସରିଗଲେ ବି ଆଉ ଦୁଇଦିନ ରହିବାକୁ ଅଳି କରନ୍ତି ଓ ମୁଁ ବି ଖୁସି ରେ ରାଜି ହୋଇଯାଏ ।
ଆସନ୍ତୁ ଏବେ ସେଇ ରୂପାଲି ଛକ କଥା କୁ । "ରୂପାଲି ଛକ"........ ୱାଃ କେଡେ ସୁନ୍ଦର ତ ନାଁ ଟି .... ରୂପାଲି ..... କହିବାକୁ ମଧୁର ... ବଡ ଜଣାଶୁଣା ନାମ ଥିଲା ସେ ସମୟ ରେ ବି , ଆଜି ବି ଅଛି । ହଁ ଅବଶ୍ୟ ୮୦ ଦଶକ ରେ ସେଠାରେ ଆଜି ପରି ଏତେ ଭିଡ ନ ଥିଲା । ନ ଥିଲା ଏତେ ବଡ ବଡ ମଲ , ଦୋକାନ , ଅଫିସ ଆଦି , କି ନଥିଲା ଏତେ ସୁନ୍ଦର ରାସ୍ତା , ଫ୍ଲାଇ ଓଭର ସବୁ । ତେବେ ଛକ ଟି ଖୁବ ଜଣାଶୁଣା ଥିଲା ଆଉ ବହୁତ ପ୍ରିୟ ମଧ୍ୟ । ମୁଁ ସେତେବେଳେ ବି ଭାବୁଥିଲି ଏଇ ଛକ ର ନାମ ଏପରି କିପରି ହେଲା ? ଆହୁରି ତ ଅନେକ ଛକ , ଯେପରି ମାଷ୍ଟର କ୍ୟାଣ୍ଟିନ ଟି ମାଷ୍ଟର କ୍ୟାଣ୍ଟିନ ନାମକ ପ୍ରସିଦ୍ଧ ହୋଟେଲ ଟିଏ ଥିବାରୁ ହୋଇଛି , ଏଠାରେ କିନ୍ତୁ ତ ରୂପାଲି ନାମକ ହୋଟେଲ ଟେ ତ କାହିଁ ମୁଁ ଦେଖୁନି , ଭାବୁଥିଲି ହୁଏତ କେହି ଜଣା ଶୁଣା ମହିଳା ଙ୍କ ନାମ ଅନୁସାରେ କେହି ଏହି ନାମ ଦେଇଥିବେ ଓ ତାହା ରହିଗଲା ଭୁବନେଶ୍ବର ର ଗୋଟିଏ ପ୍ରସିଦ୍ଧ ଛକ ର ନାମ ଭାବରେ ।
ଉତ୍ତର ପାଇଲି ଆଜି , ଦୀର୍ଘ ପ୍ରାୟ ଚାରି ଦଶନ୍ଧି ପରେ । ବନ୍ଧୁ ଡାକ୍ତର ମିଶ୍ର ଙ୍କ ଦ୍ଵାରା ପ୍ରେରିତ ଏକ ଅଲେଖ୍ୟ ରେ । ଏବେ ଆସନ୍ତୁ ଜାଣିବା ତାହା । ଭୁବନେଶ୍ବର ର ସ୍ଥାୟୀ ବାସିନ୍ଦା ମାନେ ହୁଏତ ଜାଣିଥିବେ ଏହି କଥା ।
ଏବେ ସହିଦ ନଗର ଭାବରେ ପ୍ରସିଦ୍ଧ ଓ ଭୁବନେଶ୍ବର ର କେନ୍ଦ୍ର ସ୍ଥଳ ରେ ଥିବା ଅଞ୍ଚଳ ରେ ଏହି ଛକ । ବାଣୀ ବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ପାଖ । କିନ୍ତୁ ଏହି ଛକ ୧୯୭୦ ମସିହା ବେଳକୁ ଏତେ ଭିଡ ନଥିଲା ଓ ପାଖରେ ବେସି ଘର ବି ନଥିଲା । ଏହି ଛକ କୁ ଲୋକେ ଡାକୁଥିଲେ “ଫୁଡ୍ କର୍ପୋରେସନ୍ ଛକ” ଭାବରେ । ଫୁଡ୍ କର୍ପୋରେସନ୍ ଅଫ ଇଣ୍ଡିଆ ର ଅଫିସ ଗୃହ ତାହା ନିକଟ ରେ ଥିଲା ବୋଲି । ସେଇ ଛକ ଦେଇ ବେଶି ଗାଡି ମଟର ବି ଯାଉ ନଥିଲା ସେ ସମୟ ରେ । ବସ ବି ସେ ସମୟ ର ନାଲି ରଙ୍ଗ ର ଏକ୍ସପ୍ରେସ ବସ ଓ , ନେଳି ରଙ୍ଗ ର ପେସେଞ୍ଜର ବସ ସେଛକ ଦେଇ କାଁ ଭାଁ ଯାଉଥିଲା । ଆଉ ନଥିଲା ସେଠାରେ ଏଇ ରୂପାଲି ହୋଟେଲ । ସେହି ସମୟରେ ଛତ୍ରପୁର ଚିକଲଖଣ୍ଡିରୁ ଭୁବନେଶ୍ୱର ଆସିଥିଲେ ଜି.ଆପ୍ପା ରାଓ ନାମକ ଜଣେ ଓଡିଆ ତେଲୁଗୁ ବ୍ୟକ୍ତି । ସେ ରାସ୍ତା କୁ ଲାଗି ଗୋଟିଏ ସାନ ଝୁମ୍ପୁଡି ହୋଟେଲ ଖୋଲିଲେ । ତାହାର ନାମ ଲେଖିଲେ “ ରୂପାଲି ହୋଟେଲ” । ପ୍ରକୃତ ରେ ରୂପାଲି ଥିଲା ଗାଁ ରେ ରହୁଥିବା ତାଙ୍କ ଝିଆରୀ ବା ସାନ ଭାଇ ର ଝିଅ , ଯାହାକୁ ଆପ୍ପା ରାଓ ନିଜ ଝିଅ ପରି ଭଲପାଉଥିଲେ । ହୋଟେଲ ଟି ଖୁବ ଭଲ ଚାଲିଲା । ଉତ୍ତମ ଗୁଣବତ୍ତା ପାଇଁ ଏହା ଲୋକ ଙ୍କ ଭିତରେ ପ୍ରବଳ ଆଦୃତ ହେଲା । ଉଭୟ ଶାକାହାରୀ ଓ ଆମିଷ ଖୁବ ସ୍ଵାଦିଷ୍ଟ ଭାବେ ପ୍ରସ୍ତୁତ ହଉଥିଲା , ଆଉ ଦକ୍ଷିଣ ଭାରତୀୟ ଖାଦ୍ୟ ଇଡିଲି, ଦୋସା ଆଦି ତ ନିଶ୍ଚୟ । କ୍ରମଶଃ ଏହା ଝୁମ୍ପୁଡି ରୁ ବଢି ବଡ ଅଜ୍ବେଷ୍ଟସ ଘର ହେଲା , ବହୁତ ବହୁତ ଗ୍ରାହକଙ୍କ ଭିଡ ଲାଗିଲା ସକାଳୁ ବିଳମ୍ବିତ ରାତି ଯାଏ । ନିକଟ ରେ ଥିବା ବାଣୀବିହାର କେମ୍ପାସ ର ପିଲା ମାନଙ୍କ ପାଇଁ ତ ଏହା ଏକ ସୁନ୍ଦର ଆଡ୍ଡା ହିଁ ଥିଲା ସେ ସମୟ ରେ ବି । ଆପ୍ପା ରାଓ ଙ୍କ ସହିତ ତାଙ୍କ ନିଜ ଝିଅ ଲକ୍ଷ୍ମୀ ବି ହୋଟେଲ ଚଳଉଥିଲେ ଅନେକ ସମୟ ରେ । ବହୁତ ଲୋକଙ୍କ ଧାରଣା ଥିଲା ଯେ ସେ ହିଁ “ ରୂପାଲି “ ବୋଲି । କିନ୍ତୁ ନିଜେ ରୂପାଲି କେବେ ମଧ୍ୟ ସେଠାକୁ ଆସି ନଥିଲେ ତାଙ୍କ ଜୀବଦ୍ଦଶା ରେ । ଏତେ ପ୍ରସିଦ୍ଧି ହୋଇଗଲା ସେ ହୋଟେଲ ଯେ ଧୀରେ ଧୀରେ ସମସ୍ତେ ସେଇ ଛକ କୁ ଫୁଡ କର୍ପୋରେସନ୍ ଛକ ଜାଗାରେ ରୂପାଲି ଛକ ବୋଲି ଡାକିଲେ ଓ ତାହା ପ୍ରକୃତ ରେ ସରକାରୀ ନଥି ପତ୍ର ବା ବୋଡ ରେ ରୂପାଲି ଛକ ଭାବରେ ଲେଖା ଗଲା ।
ହୋଟେଲ ଟି ୧୯୮୨ ମସିହା ଯାଏ ସେଠାରେ ଚାଲିଥିଲା । ସେହି ବର୍ଷ ନୂଆ ଗୁଡିଏ ନିର୍ମାଣ ସହିତ ରୂପାଳି ଛକ ର ଜାଗା କୁ ନେଇ ଜମି ବିବାଦ ଆରମ୍ଭ ହେଲା ।ହୋଟେଲ ଟି ବନ୍ଦ ହୋଇଗଲା । କିନ୍ତୁ ସବୁଦିନ ପାଇଁ ସେହି ପ୍ରସିଦ୍ଧ ଛକ ର ନାମ ରୂପାଲି ଛକ ହୋଇ ରହିଗଲା ଓ ରହିଥିବ । ଦୁଃଖଦ କଥା ଏହା ଯେ ଯାହାର ନାମ ଅନୁସାରେ ଏହି ପ୍ରିୟ ଛକ ନାମିତ ସେଇ ରୂପାଲି ଙ୍କର ଖୁବ ସ୍ୱଳ୍ପ ବୟସ ରେ ପରଲୋକ ହୋଇଯାଇଥିଲା , ଯାହା ପ୍ରାୟ ୪୦ ବର୍ଷ ଆଗର କଥା ।
ଏବେ ବି ମୁଁ ଯେବେ ସେଇ ରୂପାଲି ଛକ ବାଟ ଦେଇ ଯାଏ , ମନ ଟି ସ୍ମୃତି ବିଜଡିତ ହୁଏ , ମାନେ ପଡେ ସେହି ୮୦ ଦଶକ ର କଥା , ସେଇ ରୂପାଳି ଛକ ଦେଇ ଯାଉଥିଲି ମଉସା ଘର , ବୁଲିବାକୁ ବି ଆସି ପହଞ୍ଚୁଥିଲି , ଅବଶ୍ୟ ମୁଁ ଯାଉଥିବା ବେଳେ ରୂପାଲି ହୋଟେଲ ନ ଥିଲା ଆଉ । ମଉସା ବି ତାଙ୍କ ନିଜ ଘର ତିଆରି କରୁଥିଲେ ସେ ସମୟ ରେ , ଜାଗା ଟି ଥିଲା ଏବେ ଥିବା ବିରାଟ ଇଂଦ୍ରଧନୁ ମାର୍କେଟ ସାମ୍ନାରେ , ସେ ସମୟ ରେ କ୍ଷେତ ବାଡି ଜାଗା ହିଁ ଥିଲା ବନ୍ଧୁ ବାନ୍ଧବୀ ମାନେ , ମଉସା ଙ୍କ ପ୍ଲଟ କୁ ଯିବାକୁ କେବଳ ପାଦ ଚଲା ରାସ୍ତା ଯେ ଥିଲା ଆଉ ମଉସା ମତେ ଦେଖେଇ ନେଲେ ତାଙ୍କ ବଜାଜ ସ୍କୁଟର କୁ ବେଶ କିଛି ଦୂର ରେ ଛାଡି ଚାଲିକି ଯିବାକୁ ହଉଥିଲା ମଉସା ଙ୍କ ନୂଆ ଘର ତିଆରି ଜାଗା କୁ । ଏବେ ସେ ଜାଗା ଏକ ବିରାଟ ମାର୍କେଟ ଅଞ୍ଚଳ !!!!!
( ଭୁବନେଶ୍ୱର ରେ ବାସ କରୁଥିବା ତଥା ଭୁବନେଶ୍ୱର ସହିତ ସମ୍ପର୍କ ରେ ଥିବା ସବୁ ବନ୍ଧୁ ବାନ୍ଧବୀ ଙ୍କୁ ଅନୁରୋଧ ଏହି ରୂପାଲି ଛକ ବିଷୟ ରେ ଥିବା ଅନୁଭୂତି ଏଠାରେ ଲେଖନ୍ତୁ ସମସ୍ତେ ଜାଣିବା ନା !!! ମୁଁ ତ ଲେଖିଲି ମୋର ସୁନ୍ଦର ଅନୁଭୂତି ଏହି ସ୍ଥାନ ଉପରେ )
