Susant Purohit

Others

4  

Susant Purohit

Others

ଦଲାଲ ଓ ଖୁଡୀଙ୍କ ଭଡାଘର

ଦଲାଲ ଓ ଖୁଡୀଙ୍କ ଭଡାଘର

3 mins
308


ମୂଳ ଲେଖା : ହିନ୍ଦୀ କାହାଣୀକାର ବିନୟ କୁମାର ମିଶ୍ରା


ଭାବାନୁବାଦ ଓ ଉପସ୍ଥାପନା : ସୁଶାନ୍ତ ପୁରୋହିତ ପାର୍ଥ


  ( ଜଣେ ମଧ୍ୟସ୍ଥି, ଯାହାଙ୍କୁ ପେଶାଗତ ଭାବରେ ଦଲାଲ କୁହାଯାଇଥାଏ, ସେହିପରି ଜଣେ ବ୍ୟକ୍ତିଙ୍କ ଅନୁଭୂତିଟିଏ କାହାଣୀ ଭାବରେ ବର୍ଣ୍ଣିତ । ଆସନ୍ତୁ ଜାଣିବା ଏହି ଭାବମୟ କଥାଟି ଆମ ଓଡିଆରେ, ଆମ ଭାବ ସହିତ )


 ମୁଁ, ନିଜକୁ ଦଲାଲ ବୋଲି ବୋଲେଇବା ସପକ୍ଷରେ ନଥିଲେ ମଧ୍ୟ ଦଲାଲି ହିଁ ମୋର ପେଶା । କାହାର ଘରଟିଏ ଭଡା ଲାଗେଇବାର ଅଛି, କିଏ ସହରକୁ ବଦଳି ହେଇ ଆସିଥିବାରୁ ତାକୁ ଘରଟିଏ ଆବଶ୍ୟକ ଅଛି ଭଡା ସୂତ୍ରରେ, କାହାର ଜମି ଖଣ୍ଡିଏ ବିକ୍ରି କଲେ ଯାଇ ନିଜ ପୁଅକୁ ଇଂଜିନିୟରିଂ କଲେଜରେ ଏଡମିସନ କରେଇ ହେବ, ଝିଅ ବାହାଘର ପାଇଁ କିଏ ତାଙ୍କ ଗାଁରେ ଖାଲି ପଡିଥିବା ଜମିତକ ବିକିବାକୁ ଚାହୁଥିବେ ବା କାହାର ନୂଆ ଘର ତୋଳିବାକୁ ସହର ନିକଟ ଆଞ୍ଚଳରେ ପ୍ଲଟ ଖଣ୍ଡିଏ ଦରକାର, ଏହିଭଳି ଲୋକମାନେ ଆସନ୍ତି ମୋ ପାଖକୁ । ଆଉ ମୁଁ ଅନେକ ବର୍ଷ ହେଲା ଏହି ପେଶାରେ ଥିବାରୁ ସବୁ ଖବର ରଖିଥାଏ ଓ ସମସ୍ତଙ୍କ ପାଇଁ କିଛି ନା କିଛି ବ୍ୟବସ୍ଥା କରିଦିଏ । ଯାହା କମିଶନ ମିଳେ ସେଥିରେ ଚାଲେ ମୋ ପରିବାର, ଖୁବ ଆଡମ୍ବରରେ ନ ହେଲେ ମଧ୍ୟ ଠିକ ଭାବରେ । 


 ଦିନେ ବସ୍ତିର ଖୁଡୀ ମତେ ଡାକି ତାଙ୍କ ଘର ଭଡା ଦେବାକୁ ଗୋଟେ ଭଲ ପରିବାର ଦରକାର ବୋଲି କହିଲେ । ଖୁଡୀ ଏତେ ବଡ ଘରେ ଏକା ରହୁଥିଲେ । ପୁଅ ତ ବାପା ଚାଲିଯିବା ପରେ କିଛି ମାସ ତା ପରିବାରକୁ ଏଇଠି ରଖିଦେଇଥିଲା, ତେବେ ପିଲା ଛୁଆଙ୍କ ପଢା ଅସୁବିଧା ବୋଲି ବାହାନା ଦେଖେଇ ଖୁଡୀଙ୍କୁ ଏକା ରହିବାକୁ ଛାଡି ଦେଇ ତା ପରିବାର ନେଇ ବଡ ସହରକୁ ଚାଲିଗଲା । ଯଦିଓ କାମବାଲିଟିଏ ଆସି ଘର କାମ କରିଦିଏ, ଖୁଡୀ କିନ୍ତୁ ଘରେ ବାକି ସମୟରେ ଏକା । ତେଣୁ ସେ ଏତେ ବଡ ଘରକୁ ନିଜ ପାଇଁ ବଖୁରିକିଆ ଘରଟିଏ ଛାଡି ବାକିତକ ଭଡା ଦେଇ ଦେବାକୁ ଚାହିଲେ । ପୁଅ ତ ଆଉ ପଇସା ବି ପଠାଉ ନାହିଁ ମଧ୍ୟ ଅନେକ ମାସରେ । ଚଳିବାକୁ ଭଡା କିଛି ମିଳିଗଲେ ସୁବିଧା ହେବ ।


 ସେତେବେଳେ ସହରକୁ ନୂଆ ଆସିଥିବା ଗୋଟିଏ ପରିବାର ପାଇଁ ଘରଟିଏ ଦରକାର । ବାକି ଘର ଖୋଜୁଥିବା ସମସ୍ତଙ୍କ ପରି ତାଙ୍କୁ ମଧ୍ୟ ଭଲ ଏରିଆରେ କମ ଭଡାରେ ବଡ ଘରଟିଏ ଦରକାର । ସକାଳୁ ମୁଁ ତାଙ୍କୁ ପରିବାର ସହ ନେଇଗଲି ଖୁଡୀଙ୍କ ଘର ଦେଖେଇବାକୁ । ବାପା, ମା ଓ ଦୁଇ ସାନ ସାନ ପୁଅ, ଝିଅ ଭାରି ଖୁସି ହେଇ ଘର ସାରା ଦେଖୁଥାନ୍ତି ଥରକୁ ଥର ଯାଇ । ଏଣେ ଖୁଡୀ ମଧ୍ୟ ଛିଡା ହେଇ ଦେଖୁଥାନ୍ତି ସେମାନଙ୍କୁ ମୁଗ୍ଧ ହୋଇ । ବାବୁଙ୍କ ସ୍ତ୍ରୀ ପଚାରିଲେ ଘରେ “ ପାଣିର ଅସୁବିଧା ତ ନାହିଁ ? “ ଖୁଡୀ କିଛି କହିବା ଆଗରୁ ମୁଁ ଅଭ୍ୟାସଗତ ଢଙ୍ଗରେ ଚଟା ପଟ କହିଲି, “ ଘର ପରା ଖୁଡୀ ଙ୍କର, ଏଇଠି ପାଣି, ବିଜୁଳି କିଛି ବି ଅସୁବିଧା ନାହିଁ । “ 


 ବାବୁ ଜଣକ ନିଜ ପତ୍ନୀଙ୍କ ସହ ଚୁପ ଚୁପ କିଛି କଥା ହେଲା ପରେ ଆମକୁ କହିଲେ, “ ଘର ତ ଠିକ ଅଛି, ତେବେ ଭଡା ଦଶ ହଜାର ଟିକିଏ ବେଶୀ ହେଇଯାଉଛି । ତାପରେ ଘର ବି ପୁରୁଣା । ମୁଁ ଆଠ ହଜାର ଦେଇପାରିବି ଓ ୬ ମାସ ନୁହେ ଦୁଇମାସର ଆଡଭାନ୍ସ ଦେଇ ପାରିବି ।“ ମୁଁ ମନେ ମନେ ଭାବୁଥାଏ, “ ଯାହାହାଉ ଖୁଡୀ ତ ଏଥିରେ ରାଜି ହେବେ ନାହି । କାଲି ପୁଣି ଅନ୍ୟ କାହାକୁ ଦେଖେଇ ଭଡା ଲଗେଇ ଦେବି । ଆଠ ହଜାରରେ ଗଲେ ତ ମୋ କମିଶନ ବି କମିଯିବ ଯେ । “


 କିନ୍ତୁ ମୋତେ ଚକିତ କରି ଖୁଡୀ କହିଲେ, “ ହଉ, ଠିକ ଅଛି । କେବେଠୁ ଆସି ରହିବ ? “


ମୁଁ ଟିକିଏ ନିରାଶ ହୋଇ ଖୁଡୀଙ୍କ ପାଖକୁ ଘୁଞ୍ଚି ଯାଇ ତାଙ୍କ କାନ ପାଖରେ କହିଲି, “ ଖୁଡୀ, ଏମିତି କାହିଁକି ରାଜି ହୋଇଗଲେ ? ମୁଁ ତ କାଲି ଅନ୍ୟ ପରିବାରକୁ ଆଣି ଦେଖେଇଥାନ୍ତି ଯେ ! “


ଖୁଡୀ ହସିଲେ, ଆଉ କହିଲେ, “ ଦେଖୁନାଁହ କି, କେତେ ସୁନ୍ଦର ଛୁଆ ଯୋଡିକ, କେତେ ଖୁସିରେ ଖେଳୁଛନ୍ତି ଏଠାରେ । ଆଉ ବହୁଟି ମଧ୍ୟ କେତେ ଆଦରରେ କଥା ଲାଗୁଛି ମୋ ସହିତ । ଭଡା ଦୁଇ ହଜାର କମ ହୋଇଗଲେ କଣ ହେଇଗଲା, ମୁଁ ଭାବିନେବି ପ୍ରତି ମାସରେ ଏଇ ଗେହ୍ଲା ଛୁଆ ଦୁଇଟିଙ୍କ ପାଇଁ ମୁଁ ମାସକୁ ଦୁଇ ହଜାର ଖରଚ କରୁଛି ବୋଲି । “


ମୁଁ ପୁରା ଚୁପ ।


ବାବୁ ଜଣକ ଖୁଡୀଙ୍କୁ କହିଲେ, “ ମା, ୟାଙ୍କୁ ଘର ବହୁତ ଭଲ ଲାଗୁଛି । ବେଶୀ କରି ବଡ ରୋଷେଇ ଘରଟି । ଆମେ କାଲି ସନ୍ଧ୍ୟା ସୁଦ୍ଧା ଜିନିଷପତ୍ର ନେଇକି ଆସିଯିବୁ । “ ଏହା କହି ସେ ପକେଟରୁ କୋଡିଏ ହଜାର ଟଙ୍କା ବାହାର କରି ଖୁଡୀଙ୍କୁ ଦେଲେ । ବାକି ଚାରି ମାସର ଆଡଭାନ୍ସ କାଲି ଦେଇଦେବି କହିଲେ ।


ମୁଁ ଆହୁରି ତାଯୁବ !!!!


ଘରୁ ବାହାରିବା ପରେ ବାବୁ ଜଣଙ୍କୁ ପଚାରିଲି, “ ଆଜ୍ଞା, ଖୁଡୀ ତ ମାସକୁ ଆଠ ହଜାରରେ ରାଜି ହୋଇଥିଲେ । ଆପଣ ଫେର ଦଶ ହଜାର ହିସାବରେ କାହିଁକି ଦେଲେ ? “


ବ୍ୟକ୍ତି ଜଣକ ଯାହା କହିଲେ ଶୁଣି ମୋ ମନ ଆନନ୍ଦରେ ଅଧୀର ହୋଇଗଲା । ଏତେ ଦିନର ଦଲାଲି ବ୍ୟବସାୟରେ ପୁରା ସନ୍ତୁଷ୍ଟି ପାଇଥିବା ଏହା ହେଲା ମୋ ଜୀବନର ଶ୍ରେଷ୍ଠ କାରବାର ଓ କହିବା ଅନାବଶ୍ୟକ, ମୁଁ ଖୁଡୀ ବା ସେଇ ଭଦ୍ର ବ୍ୟକ୍ତିଙ୍କ ଠାରୁ କିଛି ବି କମିଶନ ନେବାକୁ ମନା କଲି ଓ ଘରକୁ ଫେରିଲା ବେଳେ ମୋ ଆଖିରେ ଅନନ୍ଦାଶ୍ରୁ ବହି ଯାଉଥିଲା କଳା ଚଷମା ତଳେ ।


ଭାଦ୍ର ବ୍ୟକ୍ତି ଜଣକ କହିଥିଲେ, “ ମହାଶୟ, ଭଡା ଘର ତ ଅନେକ ମିଳିବ ଏଇ ସହରରେ, କିନ୍ତୁ ଭଡା ଘରଟିଏ ଆମ ପାଇଁ ଏମିତି ସ୍ନେହମୟୀ “ମା “ଟିଏ ସହିତ, ଆମ ଛୁଆ ଦୁଇଟା ପାଇଁ “ ଜେଜେମା “ ଜଣେ ସହିତ ତ ମିଳିବ ନାହିଁ ଆଉ କେଉଁଠି । ମୁଁ "ମା "ଆପଣଙ୍କୁ କହୁଥିବା କଥା ଶୁଣିଲି । ମାଆଙ୍କ ପଇସା ମୁଁ କିପରି କାଟିବି ? “



Rate this content
Log in