ପହିଲି ପୁଲକ
ପହିଲି ପୁଲକ
ଯଦି କାୟ ମନ ବାକ୍ୟ ରେ ତୁମେ କିଛି କାର୍ଯ୍ୟ କରିଥିବ, ଆଉ ସେଇ କାର୍ଯ୍ୟ କଲାବେଳେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଥିବ,ବିିିଭିନ୍ନ ସମସ୍ୟାକୁ ସାମନା କରି ଶେଷରେ ସଫଳତା ହାସଲ କରିଥିବ ତେବେ ସେ ଖୁସି ଠାରୁ ବଳି ଆଉ କିଛି ଖୁସି ନ ଥିବ। ଏହା ସାରା ଜୀବନ ତୁମକୁ ସନ୍ତୋଷ ଓ ଆନନ୍ଦ ଅନୁଭବ କରାଉଥିବ।
ସେମିତି କିଛି ମୋ ସହିତ ଘଟିଥିଲା। ଯାହା ଏବେବି ମନେ ପଡିଲେ ମନ ଉଲ୍ଲସିତ ହୋଇ ଉଠୁଛି। ଘର ଓ ପରିବାର ପ୍ରତି କର୍ତ୍ତବ୍ୟ ଦୃଷ୍ଟିରୁ ମୁଁ ଆଜି ପର୍ଯ୍ୟନ୍ତ କୌଣସି ସାହିତ୍ୟ ଆସର ,କିମ୍ବା ଅନ୍ୟାନ୍ୟ ସାହିତ୍ୟ ସଭା ସମିତିରେ ଯୋଗ ଦେବା ସମ୍ଭବ ହୁଏନାହିଁ। ତେଣୁ ଅନ ଲାଇନ ଓ ଆପ୍ ମାଧ୍ୟମରେ ହେଉଥିବା ବିଭିନ୍ନ ସାହିତ୍ୟ ଗୃପରେ ଘରେ ରହି ଲେଖା ଦେଇ ନିଜକୁ ମାତୃଭାଷାର ସେବାରେ ନିୟୋଜିତ କରି କିଛିଟା ସନ୍ତୋଷ ଲାଭ କରିଥାଏ। ଥରେ ଅନ୍ ଲାଇନ ଗୋଟିଏ ପ୍ରତିଯୋଗିତାର ସୂଚନା ପାଇଲି।ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ବିଭିନ୍ନ ପ୍ରସଙ୍ଗ ଉପରେ ଲେଖିବାକୁଥାଏ।ପୁରୀର ବାସିନ୍ଦା ଭାବରେ ଏବଂ ଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତିଓ ବିଶ୍ୱାସ ହେତୁ ମୋତେ ଏଇ ଦୀର୍ଘ ଲେଖାଟିକୁ ଲେଖିବା ପାଇଁ ପ୍ରବଳ ଆକାଂକ୍ଷା ସୃଷ୍ଟି ହେଲା।
ବିଭିନ୍ନ ବହି ସଂଗ୍ରହ କରି ମୁଁ ପଢାପଢି ଆରମ୍ଭ କରିଦେଲି ସମୟ ଖୁବ କମ ଥାଏ।ତଥାପି ମୁଁ ଲେଖିବା ପାଇଁ ଚେଷ୍ଟା କଲି। ଦୁଇ ତିନି ଦିନ ଥାଏ ଲେଖା ଅସମ୍ପୂର୍ଣ୍ଣ ଅଛି ହଟାତ ସ୍ୱାମୀଙ୍କର ବାଇକ ଦୁର୍ଘଟଣା ହୋଇ ହାତ ଭାଙ୍ଗି ଗଲା।ମୁଁ ଆଉ ଲେଖା ଉପରେ ଧ୍ୟାନ ଦେଇ ପାରିଲିନାହିଁ। ସ୍ୱାମୀଙ୍କର ହାତ ଅପରେସନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ଭିତରେ ଲେଖା ଦାଖଲ କରିବାର ଧାର୍ଯ୍ୟ ଦିନ ଚାଲି ଯିବାର ଭାବି ମୁଁ ଆଉ ଲେଖିଲି ନାହିଁ।ହଟାତ ଦିନେ ସୂଚନାରୁ ଜାଣିଲି ସେଇ ଲେଖା ପାଇଁ ଉଦ୍ଦିଷ୍ଟ ଦିନର ଅବଧି ବଢ଼ାଇ ଦିଆଯାଇଛି ତାହା ପୁଣି ଦୀର୍ଘ ଏକ ମାସ।ମୋ ମନରେ ପୁଣି ଆଶାର ସଞ୍ଚାର ହଲା।ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ପୁଣି ନୂତନ ଉଦ୍ଦୀପନା ନେଇ ସେଇ ଡାକ୍ତରଖାନାରେ ଥିବା ଭିତରେ ଲେଖିବା ଆରମ୍ଭ କରିଦେଲି। ମୋତେ ଗୋଟିଏ ଅପୂର୍ବ ସୁଯୋଗ ମିଳିଲା ବୋଲି ଭାବିଲି, ସେଥିପାଇଁ ମୁଁ ପ୍ରଭୁଙ୍କ ପାଖରେ ନତମସ୍ତକ ହୋଇ ଲେଖାରେ ମନନିବେଶ କଲି।
ମୁଁ ଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୌଣସି ପୁରସ୍କାର ପାଇଁ ଲାଳାୟିତ ନ ଥିଲି, କିନ୍ତୁ ସୁଯୋଗ ମିଳିଛି ଶ୍ରୀ ଜଗନ୍ନାଥଙ୍କ ବିଷୟରେ କିଛି ଲେଖିବା ପାଇଁ ତେଣୁଏହାକୁ ହାତ ଛଡା କରିବାକୁ ଚାହୁଁ ନ ଥିଲି।
ଗୋଟିଏ ମାସରୁ କୋଡିଏ ଦିନ ବିତି ଗଲା।ମୁଁ ଭଲ ଭାବେ ଲେଖିବା ପାଇଁ ଧୀରେ ଧୀରେ ସମୟ ନେଇ ଲେଖୁଥାଏ। ଅଚାନକ ଦିନେ ଶାଶୁଙ୍କ ଦେହ ଅସୁସ୍ଥ ହୋଇ ଗଲା। ସୋଡିୟମ ପୋଟାସିୟମ କମି ସଂଜ୍ଞା ହରାଇଲେ।ଡାକ୍ତର କହିଲେ ଅତ୍ୟନ୍ତ ସମ୍ବେଦନ ଶୀଳ ଅବସ୍ଥା ତେଣୁ କୋଣସି ବଡ଼ ଡାକ୍ତରଖାନାକୁ ନେବାକୁ ପଡିବ।ସଙ୍ଗେ ସଙ୍ଗେ ଜରୁରୀ କାଳୀନ ଭାବେ ଆମ୍ବୁଲାନ୍ସରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା।ସେଠାରେ ଦଶବାର ଦିନ ରହିବାପରେ ସୂସ୍ଥ ହୋଇ ଘରକୁ ଫେରିଲେ । ସେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୋତେ ସେଠାରେ ରହିବାକୁ ପଡିଲା।ଏପରି ପରିସ୍ଥିତିରେ ଲେଖିବା ମୋ ପାଇଁ କଷ୍ଟସାଧ୍ୟ ହୋଇଗଲା।ଯେହେତୁ ମୁଁ ଭାଗ ନେଇ ସାରିଛି ଅଧାରୁ ଛାଡିବାକୁ ଉଚିତ ଭାବିଲି ନାହିଁ। ସେଠାରେ ରହି ମଧ୍ୟ ଲେଖା ଜାରି ରଖିଲି।
ରାତିରେ ସାଲାଇନ ଲାଗିବ, ବୋଉ ଙ୍କର ବେଡ଼ ସଫା କରିବା, ଖାଦ୍ୟ ପାନୀୟ ଜଗିବା ଓ ସମୟ ଅନୁସାରେ ଔଷଧ ଦେବା ସହିତ ଲେଖୁଥାଏ।ଶେଷ ତାରିଖର ରାତି ଦଶଟାରେ ଲେଖା ଗୁଡିକ ଦାଖଲ କରି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲି।ପ୍ରଭୂ ଯାହା ତୁମ ଇଚ୍ଛା, ମୋର ପ୍ରତିଯୋଗିତାରେ କୌଣସି ପୁରସ୍କାର ପାଇଁ ଆଶା କରିନି, କେବଳ ତୁମ ମହିମା ବର୍ଣ୍ଣନା କରିଛି।ଏମିତି ଭାବି ମୁଣ୍ଡିଆ ମାରିଲି।କିଛିଦିନ ପରେ ମୁଁ ସେ କଥା ଜଞ୍ଜାଳ ଭିତରେ ପାଶୋରୀ ଦେଇଛି।
ବୋଉଙ୍କ ସେବାରେ ରହି ମୁଁ ଫୋନ ମଧ୍ୟ ବେଶି ସମୟ ଦେଖି ପାରେନାହିଁ।ଧୀରେ ଧୀରେ ବୋଉ ସୁସ୍ଥ ହେଉଥାଆନ୍ତି ।ଦିନେ ଗୋଟିଏ ଅଜଣା ନମ୍ବରରୁ ଫୋନ ଆସିଲା ।ଫୋନ ଉଠାଇ ଜାଣିଲି ଆମ ସାହିତ୍ୟ ଗ୍ରୁପର ଜଣେ ଭାଇ କରିଥିଲେ ଏବଂ ମୁଁ ଯେ ସେଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି।ମୁଁ ଆଶ୍ଚର୍ଯ୍ୟ ହୋଇଗଲି ,ସାଙ୍ଗେ ସାଙ୍ଗେ ଫୋନ ଚେକ୍ କରି ଦେଖିଲି ସତରେ ମୁଁ ପ୍ରଥମ ହୋଇଛି।ଠାକୁରଙ୍କୁ ମୁଣ୍ଡିଆ ମାରିଲି।ମୁଁ ଖୁସିରେ ଆତ୍ମହରା ହୋଇଗଲି।ଯେଉଁ କଷ୍ଟରେ ମୁଁ ଦୁଇ ଦୁଇ ଜଣଙ୍କ ସହିତ ଡାକ୍ତରଖାନାରେ ରହି ଆଲେଖ୍ୟଟିକୁ ଲେଖି ସମାପ୍ତ କରିଥିଲି ତାହା ଯେ ପ୍ରଥମ ସ୍ଥାନ ପାଇବ ମୁଁ ଏହା କଳ୍ପନା କରି ନ ଥିଲି। ପ୍ରଭୂ ତୁମ ଲୀଳା ତୁମେ ଜାଣ।ଏହା ମୋ ଜୀବନର ଗୋଟିଏ ଅଭୁଲା ସ୍ମୃତି।ଏ ଖୁସିକୁ ମୁଁ କେବେ ଭୁଲି ପାରିବି ନାହିଁ।