Satyabati Swain

Fantasy Inspirational

3  

Satyabati Swain

Fantasy Inspirational

ଫେରିଆସ ପ୍ଲିଜ଼

ଫେରିଆସ ପ୍ଲିଜ଼

3 mins
598



ଓହୋ ଝିଅଟା କି ଯେ ଫୁଲେଇ,ଚଗଲି ଭାବିଲେ ବ୍ୟସ୍ତ ଲାଗେ । ବ୍ୟସ୍ତ ଲାଗେ ପବନ ପରି ଅସ୍ଥିର ତା ମନକୁ । ଭୟ ଲାଗେ ତା ଚଣ୍ଡୀ ରୂପକୁ । ସ୍ତବ୍ଧ ହୋଇ ଯାଏ ଦେଖି ତା ଅଣ୍ଡିରି ଚଣ୍ଡୀ ବ୍ୟବହାରକୁ । ଚାହିଁଲେ ବି ମୁଠାଇ ହୁଅନି ତାକୁ । ଜାବୋଡି ଧରି ହୁଏନି ଛାତିରେ । ତା ମନ । ମନ ହେଲେ ଅଜାଡି ପକାଇବ ପ୍ରେମ । ପୋତି ଦେବ ଆପଣାର ପଣରେ ଗୋଟା ସୁଦ୍ଧା । ଏମିତି ଲଟେଇ ହେଇ ଲାଗିଯିବ ଦେହରେ ନିର୍ଲ୍ଲଜଙ୍କ ପରି ହାଟ ବାଟ ,ସମୟ ଅସମୟ କିଛି ପର ବାଏ ନାହିଁ । ଅତି ଗୋଟେ ବେଫିକର, ବିନ୍ଦାସ,ନିର୍ଭୟ ଝିଅ । ବୁଲୁଥିବ ଅହରହ ନିଜ ଇଛା ମୁତା ବକ । ଲଗା ନାହିଁ କି ପଘା ନାହିଁ । କାହାର ଆକଟ କି ଉପଦେଶ ଖାତିର କରେନି ସେ । ନିଜ ମନର ରାଜା । ଯାହା କୁହନ୍ତି ଗୋଟେ ଉଦ୍ଧତ ଝିଅ । ବରଂ ଏମିତି କୁହ ଯାଇପାରେ ଝିଅ ନାମରେ ସେ ଗୋଟିଏ ନିଆଁ ଝୁଲ । । ବାବାରେ ବାବା ତାର କି ଦୌରାତ୍ମ୍ୟ ! ଘଣ୍ଟାକେ ମନ ହେଲେ ସବୁ ଧ୍ବଂସ କରିଦେବ । ଚାହିଁଲେ ଘଣ୍ଟାକରେ ହସାଇ ରସାଇ କିଣି ନେବ ସଂସାରଟା ସାରା ଲୋକ । ପର ଆପଣା ଭାବ ବି ନାହିଁ । ସମସ୍ତେ ତାର; ସେ କିନ୍ତି କାହାର ନୁହେଁ । ଧରା ଛୁଆଁ ଦେବ ନାହିଁ । ସତରେ ଏମିତି ଝିଅଟିଏ ଯାହାକୁ ବିରକ୍ତି ହେଲେ ବି କୋଲେଇ ନେବାକୁ ମନ ବାର ବାର ଚାହେଁ ।


              ଜାଣିଛ ମୋର ବ୍ୟାଡ ଲକ୍ ସେଇ ବଦମାସୀ ଝିଅଟା ପ୍ରେମରେ ମୁଁ ପୁରାପାଗଳ...ଦେବଦାସ । ସବୁ ଫାଜିଲାମୀ, ସ୍ବେଚ୍ଛାଚାରିତା ସତ୍ତ୍ୱେ ବି ସେ ମୋତେ ବହୁତି ବହୁତି ଭଲ ଲାଗେ । ତା ବିନା ମୋ ସ୍ଥିତି ଅସମ୍ଭବ ଲାଗେ ଯେମିତି । ତାକୁ ଛାଡି ଜୀଇଁବା ମୋର ସମ୍ଭବ ହିଁ ନୁହେଁ । କଣ କରିବି ଭଲ ପାଇବା କଣ ଭଲ ମନ୍ଦ ଦେଖେ ? ସେ ପରା ନିହାତି ଗୋଟେ ଅନ୍ଧ ଚିଜ । ଢଳି ଯାଇଛି ହୃଦୟ ଢାଳି ଦେଇଛି ତା ପାଖେ ମୋ ମନ,ପ୍ରେମ,ଭାଵ,ଭାଗ୍ୟ ଓଭବିଷ୍ୟ ବି । କାରଣ ସେ ମୋ ପ୍ରେମିକା । ସାଙ୍ଗ ହୋଇ ଚାଲିବାକୁ କଥା ଦେଇ ଯାଇଛି ତା ବାବା ମାଙ୍କ ଅନୁମତି ପାଇଁ । ଯାଇଛି ଯେ ସେଇ ଯାଇଛି ଆସିବା ନା ଧରୁନି ।


         କହିଥିଲା ରଜକୁ ଆସିବ ପକ୍କା । ତା ବିନା ରଜ ଗୋଟିଏ ରଜ ନା କଣ??କେତେ ପାନ ଖାଇବୁ..ଦୋଳି ଖେଳିବୁ...ପୋଡ ପିଠାର ଆନନ୍ଦ ନେବୁ । ପୁଣି କଥା ଛିଡେଇ ଥିଲା ଆସିଲେ ସଲମାନ ଖାନ ସିନେମା ଦେଖେଇ ନେବି । କଣ କଣ ବରାଦ ଏଇ ଯେମିତି ଖେମଜୀରୁ କାନ ଫୁଲ,ଲାଲ ଚାନ୍ଦ୍ ରୁ ପାଉଜି,କେଦାରସନ୍ ରୁ ଶାଢ଼ୀ,ବଜାର କୋଲକାତାରୁ ମେକଅପ୍ ସାମଗ୍ରୀ ସବୁ କିଣିବ । ମୋ ମାସର ସମ୍ପୂର୍ଣ୍ଣ ଦରମାଟି ନିଅଁଣ୍ଟ ପଡିଥାନ୍ତା କି କଣ ।


            କିନ୍ତୁ ସେ ଆସିଲାନି ଯେ.... । କଥା ଦେଇ କଥା ରଖିଲା ନାହିଁ । କି ମିଛେଇ ଝିଅଟା ମ । ମୋ ହୃଦୟ ସଂଗେ ଖେଳୁଛି । ସବୁ କଥା ଦେବି ବୋଲି ରାଜି ହୋଇଥିଲି । ପୁରୀରେ ଦି ଚାରି ଦିନ ବେଳାଭୂମି ଦାମୀ ହୋଟେଲ ବୁକ୍ କରି ଥିଲି ତାକୁ ନେଇ ରଖିବି ବୋଲି । କଣ ହେଲା ସତରେ ! ମୁଁ ଏଣେ ମନ ସଜାଡି କି ବସିଛି ମନକୁ ଖୁସିର ଚାଦର ତଳେ ଘୋଡେଇ ଦେଇ । ଆନନ୍ଦର ଶୀତଳ ସ୍ପର୍ଶ ଦେବା ବାଲିର ଦେଖା ନାହିଁ ? ଟାୱାର ନାହିଁ କି କଣ ଫୋନ୍ ବି ଲାଗୁନି ! ଓ ଅତିଷ୍ଠ , ଅଧୈର୍ଯ୍ୟ ହେଇ ଗଲିଣି ମୁଁ । ହେ ମୋ ମନର ମାନସୀ ଯୁଆଡେ ଥାଏ ଶୀଘ୍ର ଆସ । ନଚେତ ମୁଁ ଅସହ୍ୟ ତାତି ଆଉ ବରଦାସ୍ତ କରି ପାରୁନି ।


        "କିରଣ" ତା ସାଂଗ କହୁଥିଲା ସେ କୁଆଡେ ମୋ ଉପରେ ନୁହେଁ ମୋ ଆତ୍ମୀୟ ସ୍ୱଜନଙ୍କ ଉପରେ ଭାରି ରାଗିଛି । ମୋ ଲୋକମାନେ ତା ଆସିବା ବାଟରେ କଣ୍ଟା ସାଜୁଛନ୍ତି ଜଂଗଲ ସଫା କରୁଛନ୍ତି,କାରଖାନା ଓ ଗାଡି ମଟର ଧୂଆଁ , ଅଳିଆ ଆବର୍ଜନା,ପଲିଥିନ ପାହାଡ଼ର ବିଷାକ୍ତ ଗ୍ୟାସରେ ସେ କୁଆଡେ ଗୋଟିଏ ଅଜଣା ରୋଗରେ ଆକ୍ରାନ୍ତ । ହୁଏତ ଆଉ କିଛି ଦିନ ପରେ ତାର ସବୁ ଚଞ୍ଚଳତା ଶେଷ ହୋଇଯିବ । ସେ ଅଭିମାନ କରିଛି,ରାଗିଛି ମୋ ନିଜ ଲୋକଙ୍କ ଉପରେ ।


      ହେ ମୋ ପ୍ରାଣପ୍ରିୟା "ମୌସୁମୀ" ! କ୍ଷମାକରିଦିଅ, ମୋ ମୁଢ ଲୋକମାନଙ୍କୁ । ଅଭିମାନ ତେଜି ଆସ ଗୋ ପ୍ରେୟସୀ ତୁମ ବିନା ମୋ ଜୀବନ ଓ ମୋ ଆତ୍ମୀୟ ସ୍ୱଜନ ଛଟପଟ ହେଲୁଣି । ମୁଁ କଥା ଦେଉଛି ମୋ ଲୋକ ମାନଙ୍କ ଗୋଡ଼ହାତ ଧରିବି ତୁମକୁ ଅସୁବିଧାରେ ପକାଇବେ ନାହିଁ । ସେମାନଙ୍କ ଭିତରେ ଜାଗରଣ ଆଣିବି । ବାତିନି ଦେଇଛି ବି । ପିଲାଟିକୁ ଗଛଟିଏ ନୀତି ସମସ୍ତେ ଆପଣେଇବେ । ଗାଡି ମଟର ଅପେକ୍ଷା ସାଇକେଲର ବହୁଳ ବ୍ୟବହାର କରି ଜା ଆସ କରିବେ । ଅଳିଆ ଆବର୍ଜନା ଏଣେ ତେଣେ ଫିଙ୍ଗିବେ ନାହିଁ । ଗଛ ଯଥେଷ୍ଟ ପରିମାଣରେ ଲଗାଇବେ । କଂକ୍ରିଟ ଜଙ୍ଗଲ ସୁରକ୍ଷା ପାଇଁ ସବୁଜ ଜଙ୍ଗଲ ସୃଷ୍ଟି କରିବେ । ପଲିଥିନ ପରିବର୍ତ୍ତେ କାଗଜ,କପଡା ବ୍ୟାଗ ବ୍ୟବହାର କରିବେ । ଧୂଆଁ ରୋକିବା ପାଇଁ ମୁଣ୍ଡ ଖଟେଇ କିଛି ବାହାର କରିବେ । କେଉଁଠି ମୁହଁ ଛପା ଦେଇ ବସିଛ । ତୁମ ଦହନ ଦଗ୍ଧ ମୋ ପ୍ରାଣ ଶରୀର । ମୋ ଘରେ ତାତିର ଗୁଳୁଗୁଳି । ଜୀବନ ଦୁର୍ବିସହ । 


ଫେରିଆସ ଶୀଘ୍ର ମାନମୟୀ ରାଧିକେ । ପ୍ଲିଜ଼ ଏତିକି କଥା ରଖିବନି ତୁମ ପ୍ରିୟ "ଶ୍ରାବଣ" ର ....


Rate this content
Log in

Similar oriya story from Fantasy