Nityananda Nandi

Inspirational

4  

Nityananda Nandi

Inspirational

ପାର୍ବଣ ଶାଢ଼ୀ

ପାର୍ବଣ ଶାଢ଼ୀ

5 mins
177



ଓଃ... ମା ! ପାର୍ବଣରେ ଶାଢ଼ୀ ଦେବନି !!

 

ଏଇ ସାମାନ୍ୟ ମା ଡାକରେ ହୃଦୟ କଣ ତରଳେ !

ଦମୟନ୍ତୀ କହିଲେ, "ଦେଖ୍ ସୁଲ ! କେତେ କୁଣିଆ ଆମ ଘରେ କହିଲୁ ? କେବେ ଥରେ ଭାବି ଦେଖିଛୁ। ଗାଆଁରୁ ଭାଇ ଭାଉଜ ଆସିଛନ୍ତି। ଚାକିରୀରୁ ପୁଅ ବୋହୂ ବି। ସାଥିରେ ଦୁଇ ଦୁଇଟି ଛୁଆ। କେତେ ଖର୍ଚ୍ଚ ହେବ ଅନୁମାନ କରି ପାରୁଛୁ ଏଇ ପାର୍ବଣରେ ? 

ତା ମାନେ ନୁହେଁ ଯେ ତୋତେ କିଛି ଦେବିନି। ପାର୍ବଣ ଯାଉ। ନିଶ୍ଚୟ ବୋନସ ଦେବି। ଶାଢ଼ୀ କହିଲେ ଶାଢ଼ୀ ନ ହେଲେ ପଇସା। ଯାହା କହିବୁ !"

ଅଚାନକ ଅଦିନିଆ ବର୍ଷା ପରେ ମାଟି ଶୁଖିବାକୁ ସମୟ ନିଏ। ମନରେ ଅକସ୍ମାତ ଝଟକା ଲାଗିଲେ ମନଟା ସହଜରେ ଶାନ୍ତ ହୁଏନା। ମନଟା ଆଉ ପଥର ନୁହେଁ ଯେ ଖରା, ବର୍ଷା, କାକର ସବୁ ସହିଯିବ। ଭାଙ୍ଗି ଚୂରମାର ହୋଇଗଲା ସୁଲର ମନଟା।

ସୁଲ କିଛି ନ କହି ଧୀରେ କି କବାଟକୁ ଆଉଜି ବାହାରି ଗଲା।


ମନଟା ଶୁଖି ଯାଇଛି। ସୁଲର ଘର ପାଖା ପାଖି ଗୋଟେ କିଲୋମିଟର ହେବ ଦମୟନ୍ତୀଙ୍କ ଘରଠୁ। ଅନ୍ୟମନସ୍କ ହୋଇ ଚାଲିଥାଏ ସୁଲ। ଗତ ସପ୍ତାହରେ ଗଲଷ୍ଟୋନ ଅପରସନ ହେଇଛି। ସାରିଆ କୁଆଡୁ କେଜାଣି ଦୁଇ ତିନି ହଜାର ଆଣି ଖର୍ଚ୍ଚ କରିଛି ମୋ ପାଇଁ।

ତା ପାଖରେ କଣ ଆଉ ପଇସା ଥିବ ? କାଲି ଅଷ୍ଟମୀ ପୂଜା। ପୁରୁଣା ଶାଢ଼ୀ ପିନ୍ଧି ପାର୍ବଣ ଦେଖିବାକୁ ଯିବି, ଲୋକ ହସିବେ !

ଭାବପ୍ରବଣ ହୋଇଗଲା ସୁଲ। ଆଖିରେ ଲୁଗା କାନିକୁ ଥାପି ରଖିଲା। ଚେଷ୍ଟାକଲା ଭୁଲିଯିବାକୁ। ଗରିବର ହାତ ଧରି ଚାଲିବାକୁ ସମୟର ସାହାସ ନାହିଁ। ଗରିବୀର ନିଷ୍ଠୁର ଚକ୍ରବ୍ୟୁହ ଭିତରେ ପାଦ ଫସିଗଲେ ଦିଗହୀନ ହୋଇଯାଏ ମଣିଷଟା। ପାଚେରୀ ପାଖରେ ଛିଡ଼ା ହୋଇ ବଗିଚାରେ ଫୁଟିଥିବା ଫୁଲର ବାସ୍ନା କଣ ପାଇ ହୁଏ, ନା...। ବଗିଚା ଭିତରେ ବୁଲିବାକୁ ହୁଏ। ତାହା ପୁଣି ଭାଗ୍ୟରେ ଥିଲେ..  

ଘରେ ପହଞ୍ଚି ଦେଖିଲା ଝିଅ ଆସିଛି, ଶାଶୁ ଘରୁ। କୋଳେଇ ନେଲା ଝିଅକୁ।

ଦୁଃଖ ସବୁ ଭୁଲିଗଲା ସୁଲ। ଏଇ ତ ସମ୍ପର୍କ। ତା'ରି ଉଷ୍ମତାରେ ମନର କ୍ଷତ ସବୁ ଶୁଖିଯାଏ। ମନ ଭିତରେ ଅଭାବ ସବୁ ମେଣ୍ଟି ହୋଇଯାଏ, ଆଖି ପିଛୁଳାକେ।  

ପଡିଶା ଘର ବାଡ଼ିରୁ ଜହ୍ନି ପତ୍ର, କୁନ୍ଦୁରି ପତ୍ର ଆଣି ଶିଳରେ ବାଟି ପତୁଆ ବନେଇଲା ଝିଅ ପାଇଁ। ଘରେ କିନ୍ତୁ ଚାଉଳ ଡାଲିର ଅଭାବ ନାହିଁ, ସରକାର ପ୍ରତି ମାସ ଦିଅନ୍ତି। ଭାତ ସାଥିରେ ରସୁଣ ଛୁଙ୍କ ଦେଇ କାନ୍ଦୁଲ ଡାଲି ପରଷି ଦେଲା ଝିଅକୁ। ସାଥିରେ ପତୁଆ ପୋଡା। 

ବୋଉ ! ଆଃ କି ଆନନ୍ଦ, କେତେଦିନରୁ ତୋ ହାତ ରନ୍ଧା ଖାଇ ନ ଥିଲି !


ବସ୍ତିରେ ପାର୍ବଣ ଯାତ୍ରା। କାଲି ଅଷ୍ଟମୀ। ଶାଢ଼ୀଟିଏ ପାଇଁ ସୁଲ ଗୋଡେଇ ହେଲା ସାରିଆ ପଛେ ପଛେ। ପାର୍ବଣ ଶାଢ଼ୀର ମଜା କିନ୍ତୁ ନିଆରା, ସେଇଥିପାଇଁ ତ ଏତେ ଦୁଃଖ ସୁଲ ମନରେ। ସାରିଆ ଏତେ ସହଜରେ ମନ କଥା ବୁଝେନି। ସାରିଆକୁ ଶୁଣେଇ ଶୁଣେଇ କହିଲା, ହେଇଟି ଶୁଣୁଛ ! ପାଖ ଘର ଭାଉଜ ନୂଆ ଶାଢ଼ୀ କିଣିଛନ୍ତି ବୋଧେ। ଦେଖ ! ବାରଣ୍ଡା ତାର ଉପରେ ପଡ଼ିଛି। ଓଃ, କାଲି ଅଷ୍ଟମୀ ପୂଜା। ଆମେ କୁଆଡେ ବୁଲିବାକୁ ଯିବାନି ? ଝିଅ ଆସିଛି ପରା। ତଥାପି ସାରିଆ କିଛି କହୁ ନାହିଁ। ସିଧା ସଳଖ କିଛି ନ କହିଲେ ସାରିଆ କିଛି ବୁଝି ପାରେନି। ପୂରା ସଂଜଟା ନଷ୍ଟ ହୋଇଗଲା, ସାରିଆ ପଛରେ ଗୋଡେଇ ଗୋଡେଇ। କିଛି ବି ଲାଭ ହେଲାନାହିଁ।  

ରାତିରେ ସାରିଆ ପାଖରେ ଯାଇ ଶୋଇଲା ସୁଲ। ଭାବିଲା କହିବ ବୋଲି, ଗୋଟେ ଶାଢ଼ୀ କିଣି ଦିଅ। ଭାରି ବୋକା, ନିଜର କିଛି ବୁଦ୍ଧି ନାହିଁ। ପର୍ବ ପର୍ବାଣୀରେ ସ୍ତ୍ରୀ ପାଇଁ ଶାଢ଼ୀ ଆଣିଲେ ସ୍ତ୍ରୀ ଖୁସି ହୁଏ ବୋଲି ବି ଜାଣିନି। କିନ୍ତୁ ଯାହା କହିଲେ ମନା କରେନି। ଦିନ ସାରା ରିକ୍ସା ଚଲାଏ। କେତେ ଆଉ ରୋଜଗାର !!! ତା ସାର୍ଟ ପାକେଟରେ ଅଢେଇଶ ଟଙ୍କା ଅଛି କିନ୍ତୁ। ସଂଜରେ ଲୁଚି ଛପି ଦେଖିଥିଲା ସୁଲ। ଦେଖିଲା ଏଇଟା ହିଁ ଉପଯୁକ୍ତ ସମୟ। ଝିଅ ସାବିତ୍ରୀ ଶୋଇ ଯାଇଛି। ଉପରକୁ ମୁହଁ କରି କହିଲା ହେଇଟି ଶୁଣୁଛ ! ଚିକି ଚିକିଆ ପୋଲିଷ୍ଟର ଶାଢୀ କେତେ ପଡ଼ିବ କହିଲ ? ଭାରି ଇଚ୍ଛା ହେଉଛି ପିନ୍ଧିବାକୁ କାଲି ଅଷ୍ଟମୀରେ। ସାରିଆ କିଛି ଉତ୍ତର ଦେଲାନି। କଡ ଲେଉଟି ଦେଖିଲା। ସାରିଆର ନାକ ଡାକୁଛି। ମନକୁ ମାରି ଶୋଇଗଲା ସୁଲ। ସ୍ବପ୍ନସବୁ ମିଥ୍ୟା ବୋଲି ଶୁଣିଥିଲା ସେ।କିନ୍ତୁ ଶବ ପାଲଟି ଯିବାର କେବେ ଦେଖି ନ ଥିଲା । ନିଜ କାନ୍ଧରେ ନିଜ ସ୍ୱପ୍ନର ମୃତ ଦେହକୁ ବୋହିବାର ଯନ୍ତ୍ରଣା କେତେ ଅସହ୍ୟ !!! ସ୍ବପ୍ନ ଆଉ ଭଲ ଲାଗେନି ସୁଲକୁ। ଜନ୍ମ ଆଗରୁ ହିଁ ମନର କୋହ ଭିତରେ ସ୍ୱପ୍ନର ଭ୍ରୁଣକୁ ତିଳ ତିଳ ହତ୍ୟା କରି ଦିଏ ସୁଲ । 

ରାତି ଅଧରେ ନିଦ ଭାଙ୍ଗିଗଲା ସୁଲର। ଝିଅକୁ ଅନେଇଲା। ଆଖିରୁ ଦୁଇ ଟୋପା ଲୁହ ନିଗିଡ଼ି ଶୁଖି ବି ଯାଇଛି ଗାଲ ଉପରେ।

ସାବିତ୍ରୀ ମୋ କଥା ଆଉ ଶୁଣି ଦେଲାକି ? ନା ପେଟ ଯନ୍ତ୍ରଣା। ପେଟ ବେମାରୀ, ମଝିରେ ମଝିରେ ପେଟ ମାରେ ସାବିତ୍ରୀର। ଶୋଇ ଥାଉ, କାଲି ପଚାରିବି।


ସକାଳ ହେଲା। ଦମୟନ୍ତୀଙ୍କ ଦ୍ଵାରା ବନ୍ଧରେ ଯାଇ ଛିଡାହେଲା ସୁଲ। ଓଃ .. ମା ! ଆଜି ଅଷ୍ଟମୀ, ଦେଖ ! ମୋ ଝିଅ କଣ ବନେଇଛି। ମାଣ୍ଡିଆ ଖିରି ! ଅମୂଲ ଦେଇକି। କ୍ଷୀର ପାକେଟ କଣ ଆଉ କିଣି ହେଉଛି !! ତିରିଶ ଟଙ୍କା ପାକେଟକୁ। ଖଜୁରୀ ଗୁଡ଼ ନେଇ ଆସିଛି ସେ, ତା ଶାଶୁ ଘରୁ। ସାରିଆ ବୋରିଗୁମ୍ମା ଯାଇଥିଲା। ମାଣ୍ଡିଆ ସେଇଠୁ ଆଣିଛି। ଆମ କୋରାପୁଟ ହାଟରେ କଣ ଏମିତି ମାଣ୍ଡିଆ ମିଳିବ। ଚାଖି ଦେଖ କେମିତି ହେଇଛି। ଟିଫିନ୍ ଡବାଟିକୁ ଧରେଇଦେଲା ଦମୟନ୍ତୀଙ୍କୁ। 

ଏତେ କଷ୍ଟ କଲୁ କାହିଁକି ? ହସି ଦେଇ କହିଲେ ଦମୟନ୍ତୀ

ଶାଢ଼ୀଟା ଭଲ ହୋଇଛି ତ ! କେବେ କିଣିଲୁ ? 

ହସିଦେଲା ସୁଲ। ସାବିତ୍ରୀ , ମୋ ଝିଅର ଶାଢ଼ୀ। ଝିଅ କହିଲା ବୋଉ ! ଅଭାବ ଅଛି ତ ଶାଢ଼ୀ କାହିଁକି ଆଉ କିଣିବୁ। ଅଷ୍ଟମୀଟା ପାରି ଗଲେ ହେଲା। ତା ପରେ ବର୍ଷ ସାରା ଶାଢ଼ୀ କଣ ଦରକାର ? ଝିଅ କହିଛି ଅଧାଦିନ ମୁଁ ପିନ୍ଧିବି, ଅଧା ଦିନ ସେ ପିନ୍ଧିବ। କହିଲା, ନୂଆ ଶାଢ଼ୀ ପିନ୍ଧି ଦମୟନ୍ତୀ ମାଉସୀଙ୍କ ଘରକୁ ଯା। ଫେରିବା ସମୟରେ ପାର୍ବଣ ଯାତ୍ରା ହୋଇ ବୁଲି ଆସିବୁ।  

ତା ପରେ ଏଇ ଶାଢ଼ୀକୁ ପିନ୍ଧି ଝିଅ ବସ୍ତିରେ ବୁଲିବ। ମେଢ଼ ଦେଖିବ। ଭାବ ପ୍ରବଣ ହୋଇଗଲା ସୁଲ।

ଦମୟନ୍ତୀ ଧକ୍କା ଖାଇଲେ ମନେ ମନେ। ବିଚାରୀ ଶାଢ଼ୀ ପାଇଁ ଭାରି ନେହୁରା ହେଉଥିଲା ମୋ ପାଖରେ। ବହୁତ ବଡ ପାପ କରିଛି ମୁଁ। ବର୍ଷସାରା ଗଧ ପରି କାମ କରୁଛି। ପାଇଲା କଣ ସେ ଆମ ପାଖରୁ। ଶାଢ଼ୀ ଖଣ୍ଡେ ମାଗିଲା ଯେ ଏତେ କଥା ଶୁଣେଇଲି। ଏ ବର୍ଷ ପାର୍ବଣରେ ଶାଢ଼ୀ ଦେବିନି ବୋଲି କହିଲି। କିଛି ପ୍ରତିକ୍ରିୟା କଲା ନାହିଁ। ମାଣ୍ଡିଆ ଖିରି ଧରି ଆସିଛି। ଆମ ଘରେ ପିଠା ପଣା, ପୁରି ତରକାରୀ କେତେ କଣ ହେଇଛି। ଥରୁଟିଏ ତ କହି ପାରି ଥାଆନ୍ତି ପୁରି, ତରକାରୀ ନେଇଯାଆ। ତୋ ବର ଖାଇବ। କଣ ପାଇଲା ସେ ଆମ ପାଖରୁ। ଝିଅର ନୂଆ ଶାଢ଼ୀ ପିନ୍ଧି ଆସିଛି। ଅଧା ଦିନ ସେ ପିନ୍ଧିବ। ଆଉ ଅଧା ଦିନ ଝିଅ ପିନ୍ଧି ବସ୍ତିରେ ବୁଲିବ। ପାର୍ବଣ ଯାତ୍ରା ଦେଖିବ।


ଲଙ୍କା ବାଣ ଜଳି ଫୁଟିଯିବା ପରେ ଖାଲି ପାଉଁଶ ହିଁ ପଡି ରହେ ଚଟାଣ ଉପରେ। ଜଳି ପୋଡ଼ି ଛାରଖାର ହୋଇ ଗଲା ଦମୟନ୍ତୀଙ୍କ ମନଟି। ପାଉଁଶ ହେବା ପୂର୍ବରୁ ଜଳୁଥିବା ମନ ଭିତରେ କାହିଁକି କେଜାଣି ଜୀବନଟିଏ ଉଙ୍କି ମାରିଲା।

ସୁଲର ହାତ ଧରି ଟାଣି ନେଇଗଲେ ଦମୟନ୍ତୀ, ନିଜ ଶୋଇବା ଘରକୁ। ଆଲମିରା ଖୋଲି ନୂଆ ଶାଢ଼ୀଟିଏ ଆଣିଲେ ତା ଭିତରୁ। 

ସୁଲ ହାତରେ ଧରେଇ ଦେଇ କହିଲେ, ଏଇଟା ତୋ ଝିଅ ପାଇଁ। ତୁ ଯେଉଁ ଶାଢ଼ୀ ପିନ୍ଧିଚୁ, ପିନ୍ଧିଥା। ଏଇଟା ଦାମିକା ଶାଢ଼ୀ ତୋ ଝିଅ ପିନ୍ଧିବ। ଏତେ ଦାମିକା ଶାଢ଼ୀ !! ମୋ ଝିଅ ପାଇଁ କହି ଖୁସିରେ କାନ୍ଦି ପକେଇଲା ସୁଲ।

ନା, ମନ ଦୁଃଖ କର୍ ନି। ଆସନ୍ତା ବର୍ଷ ପାର୍ବଣ କୁ ତୋ ପାଇଁ ଭଲ ଶାଢ଼ୀ ଟିଏ କିଣି ଦେବି ଲୋ। ଶାଢ଼ୀ ଧରି ଖୁସିରେ ବାହାରି ଗଲା ସୁଲ।

ବସ୍ତି ରାସ୍ତାରେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ପଛରୁ ଦେଖୁଥିଲେ ଦମୟନ୍ତୀ। ଗୋଟାଏ ନୂଆ ଶାଢ଼ୀ ଅଧା ଦିନ ମା ପିନ୍ଧିବ, ଅଧା ଦିନ ଝିଅ। ହେ ଭଗବାନ୍ ! କେମିତି ଏକ ଦୁନିଆ ବନେଇଛ ତୁମେ !! ଗୋଟାଏ ଝିଅର ମାନବିକତା ଆଗରେ ଆମେ ସବୁ କିଛି ନୁହଁ। ମୁଁ ହାରିଗଲି ସବୁ ଥାଇକି ବି। ଶାଢ଼ୀ ପାଇଁ ନେହୁରା ହେଲା। ମୁଁ ଟାଳି ଦେଲି ତା କଥାକୁ। ଅଭାଗିନୀ, ବିଚାରୀ ସୁଲ କିନ୍ତୁ ଜିତିଗଲା। ମାଣ୍ଡିଆ ଖିରି ନେଇ ଆସିଛି ଆମ ଘରକୁ। ଗରିବ ହେଲେ କଣ ହେଲା !! ମଣିମୁକ୍ତା ଠୁ ବି ଅଧିକ ଏମାନଙ୍କ ମୂଲ୍ୟ। 

ପରାଜୟର ଗ୍ଲାନି ମୁହଁ ଉପରେ, ଅତ୍ୟନ୍ତ ଅସହାୟ। ଭାରାକ୍ରାନ୍ତ ମନକୁ ନେଇ ଆକାଶକୁ ଅନେଇଥିଲେ ଦମୟନ୍ତୀ...

ମନ କିନ୍ତୁ ବୁଝୁ ନ ଥିଲା.. ।



Rate this content
Log in

Similar oriya story from Inspirational