ପାପ ର ସେ ଘଡି
ପାପ ର ସେ ଘଡି
ମଣିଷ ଶ୍ରେଷ୍ଠ ଜୀବ ଆଉ ବୁଦ୍ଧିମାନ ମଧ୍ଯ। ହେଲେ ପାପ ର ସେ ଅନ୍ଧକାର ର ମୋହରୁ ମୁକ୍ତି ର ମାର୍ଗ ରେ ଚାଲିବାର ପ୍ରୟାସ ତାକୁ ଆହୁରି ଅନ୍ଧାର ଭିତରକୁ ଟାଣି ନେଇ ଅଣନିଶ୍ୱାସୀ କରିଦେଉଛି। ଇନ୍ଦ୍ରିୟ କୁ ନିୟନ୍ତ୍ରଣ କରିବାରେ ସେ ଆଜି ବି ବିଫଳ। ମଣିଷ ପଣିଆ କୁ ଭୁଲି ନାନା ଅପକର୍ମ କରୁଛି।
ବାପା ଏମିତି କେତେ ସବୁ କଥା କହି ରୋହନ୍ କୁ ବୁଝଉଥାନ୍ତି।ରୋହନ୍ ରମାକାନ୍ତ ବାବୁଙ୍କ ଏକମାତ୍ର ପୁତ୍ର। ରମାକାନ୍ତ ବାବୁ ସରକାରୀ ଦପ୍ତରରେ ଉପବିଭାଗ ଅଧିକାରୀ। ଜଣେ ସଚ୍ଚୋଟ କର୍ମଚାରୀ ଭାବେ ବେଶ୍ ଜଣାଶୁଣା। ରୋହନ୍ ୩ , ଶେଷ ବର୍ଷ ର ଛାତ୍ର। ବହୁତ ଭଲ ପଢେ ଆଉ ବାପାଙ୍କ ଆଦର୍ଶ ରେ ସେ ଅନୁପ୍ରାଣିତ। ସରକାରୀ କ୍ୱାର୍ଟର ରେ ସେମାନେ ରୁହନ୍ତି। ଵାପା ଆଉ ପୁଅଙ୍କ ର ଏଇ ଜୀବନ ଉପରେ ଅତି ସୁନ୍ଦର କଥୋପକଥନ ବାଧାପ୍ରାପ୍ତ ହେଲା କଲିଂବେଲ୍ ର ଶବ୍ଦ ରେ। ରୋହନ୍ ଯାଇ କବାଟ ଖୋଲିଲା। ଦେଖିଲା ବାପାଙ୍କ ର ସହ କର୍ମଚାରୀ ରମେଶ ବାବୁ। ତାଙ୍କୁ ଯଥାଚିତ ସମ୍ମାନ ଦେଖାଇ କହିଲା ଅଙ୍କଲ୍ ଭିତରକୁ ଆସନ୍ତୁ। ରମେଶ ବାବୁ ଆସି ରମାକାନ୍ତ ବାବୁ ଙ୍କ ପାଖେ ବସି ପଡିଲେ।
ରମାକାନ୍ତ ବାବୁ କହିଲେ ଯାଆ ମା' କୁ କହିବୁ ଚା' ଆଉ ଜଳଖିଆ ବ୍ୟବସ୍ଥା କରିବ। ରମେଶ ବାବୁ ଅଟକାଇ କହିଲେ ରହ ରୋହନ୍, ମୁଁ ଆଜି ବହୁତ ବ୍ୟସ୍ତ ଆଉ ସମୟ ର ଘୋର ଅଭାବ। ଆସନ୍ତା ବସନ୍ତ ପଞ୍ଚମୀ ରେ ଘର ପ୍ରତିଷ୍ଠା କରିବି। ବହୁତ ଲୋକଙ୍କୁ କାର୍ଡ଼ ଦେବାର ଅଛି। ଏ କାର୍ଡ ଟି ରଖେ। ଭାଉଜ ଆଉ ରୋହନ୍ କୁ ନେଇକି ଆସିବୁ, ମୁଁ କିଛି କଥା ଶୁଣିବିନି ତୋର। ରମାକାନ୍ତ ବାବୁ କହିଲେ ହଉ ଆମେ ଆସିବୁ। ରମେଶ ବାବୁ ଆସୁଛି କହି ଉଠିକି ଚାଲିଗଲେ।
ସେ ଗଲା ପରେ ରମାକାନ୍ତ ବାବୁ ଭାବୁଥିଲେ ଏଇ ସ୍ୱଳ୍ପ ବେତନରେ ତାଙ୍କର ଘର ଚଳିବା ଅସମ୍ଭବ ହେଲେ ରମେଶ ଘର ତିଆରି କରି ପ୍ରତିଷ୍ଠା କରିବାର ଆୟୋଜନ ରେ ଵ୍ୟସ୍ତ। କଲେଜ ର ବହୁତ ଭଲ ସାଙ୍ଗ ଆଉ ସହକର୍ମୀ ରମେଶ। ହେଲେ ସେ ଯେବେ ଠୁ ଲାଞ୍ଚ ନେଇ କାମ କରୁଛନ୍ତି, ରମାକାନ୍ତ ବାବୁ ଆଉ ତାଙ୍କୁ ସାଙ୍ଗ ର ମାନ୍ଯତା ନଦେଇ ସହକର୍ମୀ ଭଳି ଆଚରଣ କରନ୍ତି। ଆଉ ଆଗଭଳି ଯିବା ଆସିବା ନାହିଁ ତାଙ୍କ ଘରକୁ। ସେ ଭାବୁଥିଲେ ଟଙ୍କା ପାଇଁ କେତେ ବଦଳି ଗଲା ରମେଶ। କଲେଜ ରେ ପଢୁଥିବା ସେଇ ସଚ୍ଚୋଟ ରମେଶ ଯିଏ ଆଇସ୍ କ୍ରିମ୍ ବାଲା ୧୦ ଟଙ୍କା ଯାଗାରେ ୧୧ ଟଙ୍କା ଫେରାଇ ଥିଲା ବୋଲି, ୨ କି. ମି ସାଇକେଲରେ ଯାଇଥିଲା ୧ ଟଙ୍କା ଫେରାଇବା ପାଇଁ ସେ ଆଜି ଲାଞ୍ଚୁଆ ଆଉ ମିଛୁଆ। କଥା କଥାରେ ଲାଞ୍ଚ। କୌଣସି କାମ ଆଉ ବିନା ଟଙ୍କା ରେ ସେ କରୁନାହିଁ। ବା ରେ ସମୟ, ତୋର କି ଖେଳ। ମନେ ମନେ ଭାବିଲେ ମୁଁ କାହିଁକି ଏତେ ଚିନ୍ତା କରିବି। ତାକୁ ଅନେକ ଥର ବୁଝେଇଛି। ପାପ ର ସେ ଅନ୍ଧାରୀଗଡ଼ ଭାରି ଭୟଙ୍କର। ଏହି କ୍ଷଣକ ଖୁସି ତୋତେ ସବୁଦିନ ପାଇଁ ଯନ୍ତ୍ରଣା ର ନାଗଫାଶ ରେ ଵାନ୍ଧି ଦେବ। ମାନ,ସମ୍ମାନ ସବୁ ନଷ୍ଟ ହୋଇଯିବ। ଯାହା ପୁଣି ଥରେ ମିଳିବା ଅସମ୍ଭବ। ହେଲେ ଅବୁଝା ଲୋକ କୁ ବୁଝେଇବା ନିରର୍ଥକ।
ଆ ଭିତରେ ଦୀର୍ଘ ୧୦ ବର୍ଷ ବିତିଗଲାଣି।ଆଜି ରବିବାର। ରମାକାନ୍ତ ବାବୁ ଘର ଆଗରେ ବସି ଚା' ପିଉ ଥାନ୍ତି। ପେପର୍ ବାଲା ଆସି ପେପର୍ ଫିଙ୍ଗି ଦେଇ ଚାଲିଗଲା। ରୋହନ୍ ର କୁନି ପୁଅ ଚାଲି କି ଆସି ଜେଜେ ପେପର୍ ନିଅ କହି ଦେଇ କି ଚାଲିଗଲା। ତାର କୁନି ହାତ ରୁ ପେପର୍ ଟିକୁ ନେଇ ତାକୁ ଗେଲ କରୁ କରୁ ତାଙ୍କର ଧ୍ଯାନ ପେପର୍ ସେ ଉପରେ ଥିବା ରମେଶ ବାବୁ ଙ୍କ ଫଟୋ ଉପରକୁ ଚାଲିଗଲା ଯେଉଁଥିରେ ଲେଖାଥିଲା ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉପବିଭାଗ ଅଧିକାରୀ ରମେଶ ପଟ୍ଟନାୟକ। ରମାକାନ୍ତ ବାବୁ ଏ ସବୁ ଦେଖି ଭାବୁଥିଲେ ଅନ୍ଧକାର ର ସେ ମୋହ ତୁଟି ତ ଯାଇଥିବ ନିଶ୍ଚିତ ଭାବେ ହେଲେ ଅଣନିଶ୍ୱାସୀ ରମେଶ ଏବେ ପାଗଳପ୍ରାୟ ପାଲଟି ଯାଇଥିବ। ପାପ ର ଘଡି ପୁରିଯାଇଛି ଯେତେବେଳେ ଏବେ ବଞ୍ଚିବାର ପ୍ରଶ୍ନ ହିଁ ଉଠୁନି।