ପାଇକ ମା
ପାଇକ ମା
ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରୁ ଫୁରସତ ବାହାର କରି ଅତୀତର ଦିନଗୁଡକୁ ସାଉଁଟି ବାର ଇଚ୍ଛା ଯଦିଓ ମନରେ ପ୍ରବଳ କିନ୍ତୁ ସମୟ ଆଉ କଣ ସାଥ ଦେଇ ପାରୁଛି ? ଦୀର୍ଘ ଆଠ ବର୍ଷ ପରେ ସୁଯୋଗକୁ ମୁଁ ଛୁଟିରେ ଘରେ ଥାଏ ଆଉ ମାମୁଁ ଖବର ପାଇ ଏକା ଯିଦ ଧରିଛନ୍ତି ଏଇ ଦୋଳମେଳନ ଯାତରା ଯେମିତି ହେଲେ ମୋର ମାମୁଁଘର ଆଖଡା ଭିତରେ କଟୁ ।ଖୁବ୍ ଦୁଷ୍ଟ ଥିଲି ବୋଲି ସେଇଟି ଛାଡି ଦିଆଯାଇଥିଲା ପୁରା ହାଇସ୍କୁଲ ସାର୍ଟିଫିକେଟ ପାଠ ପଢାଯାଏ । ପିଲାଦିନଟା ମୋର ପୁରାପୁରି ସେଇଠି କଟିଛି ଏଣୁ ଆଇ ବି ଖୁବ୍ ଆଦରରେ କହି ପଠେଇଛି ଦୁଇ ଚାରି ଦିନ ରହି ବୁଲି ଆସିବାକୁ ।ଏଣୁତେଣୁ ଚିନ୍ତା ପରେ ଭାବିଲି ବୁଲି ଆସିବାଟା ଠିକ୍ ହେବ। ସୁଯୋଗ ମିଳିଥିଲା ଏଣୁ ଦୋଳ ଦିନ ଆଗରୁ ବସ୍ ନେଇ ଏକା ଏକା ବାହାରିଗଲି ସୋନପୁର ର ସେଇ ସବୁଜ କ୍ଷେତ ଭିତରେ ଲସିଯାଇ ନିଜକୁ ଖୁବ୍ ଛୋଟ କରି ଅତୀତ କୁ ଫେରିଯିବାକୁ । ସେତେବେଳେ ମନ ଥିଲା ଖୁବ୍ ଛୋଟ ଠିକ୍ ତିନି ଚାରିଫୁଟ ମୋର ଅବୟବଟି ପରି । ସୁଉଚ୍ଚ ଶାଳବଣର ଛାଇ ଆଲୁଅ ର ଖେଳ ଆଉ ଥକିଗଲେ ଗଛ ଡାଳରେ ବସି ଗୁଡିଗୁଡିକା ଗୀତ ସହ ଦୋଳି । ସକାଳ ଜଳଖିଆ ରେ ଚାହା ପଛେ ଦିଢୋକ କମ୍ କିନ୍ତୁ ମୁଢି କମିଗଲେ ସ୍କୁଲ ନ ଯିବାପାଇଁ ଜିଦ୍ ଧରିବସିବା। ସ୍କୁଲ ଅଧାରୁ କାଠ ଝରକା ଫାଙ୍କରେ କାନ୍ଧଗଳା ବ୍ୟାଗ ଖଣ୍ଡିକ ବିଗୁଲି ହାତରେ ଗଳେଇ ଦେଇ ଯତ୍ ସମ୍ଭବ ସେଠାରୁ ଚାଲି ଆସି ବିଲମାଳସାରା ବୁଲି ବୁଲି ଧାନବିଡାରୁ ଖସି ପଡୁଥିବା ଶିଷାଁ ଗୋଟେଇ ଗୋଟେଇ ସଞ୍ଜବେଳେ ମାଧଗୁଡିଆଘରେ ଦିନଯାକର ଗୋଟିଆଗୋଟି ଧାନ ଦେଇ ମୁଆଁ ବଦଳ କରି ଆଣିବା । ଛୁଟି ଦିନମାନଙ୍କରେ ଡିହି ଡିହି ଖରାବେଳଟାରେ କାନ୍ତେଇ କେନାଳ ହୁଡାରେ ବସି ବନିଶି କଣ୍ଟାରେ ଦିନଯାକରେ ଦି ଚାରୋଟି କଣ୍ଟିଆ କି କେରାଣ୍ଡି ମାରି ମାମୁଁକୁ ଲୁଚେଇ ମାଇଁକୁ ନେଇ ଦବା । ସାଇକେଲ ଟାୟାର ଖଣ୍ଡେ କୋଉଠୁ ପାଇଗଲେ ଭାଗବାଣ୍ଟି ତାକୁ ଚଲେଇ ଚଲେଇ ନିଜେ ତ ଗୁଳି ଚକାରୁ ବି ସୁତା ବାହାର କରିଦବା । ନିତେଇ ଅଜାଙ୍କ ବାଡିପଟ ପିଜୁଳି ଆମ୍ବ ସାପେଟା କି ସୁଆଦିଆ ଆହା! ଫୁଲ କଷି ନଧରୁଣୁ ଡେମ୍ଫ ସହ ଓପାଡି ଖାଇଯିବା । ପୁରୁଣା ଖାତା ତ ଖାତା ଆଇର ରସଚୁଡି ସହିତ ଚୋରେଇ ଓଜନ କରି ସୁନୁପାପୁଡି ଖାଇଯିବା । ଘରକୁ କୁଣିଆ ଆସିଲେ ତାଙ୍କ ଠାରୁ ପାଞ୍ଚ ଦଶ ଚାନ୍ଦେଇବା ଆଶାରେ ଆଗପଛ ବୋଲକରା ହେଇ ଘୁରି ବୁଲିବା । ସ୍କୁଲ ଗଲାବେଳେ ଖଣ୍ଡେ ମାତ୍ର କଲମ ନେଇ ଫେରିଲା ବେଳେ ସାନ ବଡ କରି ଗାଏଁ ମୋଟ ଦଶ ବାରଟି କଲମ ଆଉ ପେନସିଲ ସାଙ୍ଗ ରେ ନେଇ ଫେରିବା । ରଙ୍ଗଣି ପଡିଆର ନାଲି ସାଧବ ବୋହୁ କି ଉଡି ବୁଲୁଥିବା ପ୍ରଜାପତି, ବର୍ଷାଦିନିଆ ବିଲ କଙ୍କଡା କି କଙ୍କିଗୁଡାକୁ ଅତି ଯତନେ ଫାସରେ ପୁରେଇ ଏଇ ସାହିରୁ ସେ ସାହି କରି ଗାଁ ଟା ସାରା ବୁଲେଇବା ।ଶିବରାତ୍ରୀ ରେ ରାତିସାରା ଉଜାଗର ରହି ଦରଜଳା ଦୀପଗୁଡାକୁ ଲିଭେଇ ଆଣି ଏକାଠି କରି ଜାଳିବା ।ଆଇ ମା କୋଳରେ ବସି ପରି ରାଇଜ ସୁକୁମାରୀ ଆଉ ମଣ୍ଡାଖିଆ ଅସୁର ର ଗପ ଶୁଣିବା ପାଇଁ ଟିକି ସହ ଝଗଡା ଆଉ ଶେଷରେ ରାମାୟଣ କାହାଣୀ ଶୁଣି ଶୁଣି ଭାରି ମୁଣ୍ଡଟି କୁ ଧିରେ ଧିରେ କରି ଭୂମିଷ୍ଠ କରି ବିଶ୍ରାମ ନବା ।ଭାଇ ସ୍କୁଲ ଚାଲିଗଲା ପରେ ତାର ବଡ ବଡ ସାର୍ଟପ୍ୟାଣ୍ଟ ପିନ୍ଧି ଆଇନା ଆଗରେ ଅଗପଛ ଉପର ତଳ କରି ଚାହିଁ ନିଜକୁ କିଛି କ୍ଷଣପାଇଁ ଖୁବ୍ ବଡ ବୋଲି ଅନୁଭବ କରିବା । ରଜ ପୂନେଇଁ ଦୋଳ ଏସବୁ ରେ ଗୋଡ ତଳେ ଲାଗୁନଥାଏ ।ଏମିତି ଅନେକ କିଛି ଘଟଣା ଗୁଡାକ ସାହିତ୍ୟ ବହିର ଗଦ୍ୟ ପରେ ପଦ୍ୟ ଓ ପଦ୍ୟ ପରେ ଗଦ୍ୟ ଭଳି ପୃଷ୍ଠା ପରେ ପୃଷ୍ଠା ଓଲଟି ଚାଲିଛି ମୋ ଆଖି ଆଗରେ । ଏତିକି ଭିତରେ ଆଖି ବି ଲାଗଯାଇଯାଏ ଅଜଣା ଏକ ଆନନ୍ଦ ଓ ଉଲ୍ଲାସ ମନରେ ଆଶା ବାନ୍ଧି ଧରି । ଅପରାହ୍ନ ପ୍ରାୟ ତିନିଟା ବେଳେ ବସ୍ ଗୋଡିବର ଛକରେ ଆସି ଲାଗିଲା । ରୀତିମତ ଭାବେ ଏଇଥର କିନ୍ତୁ ମାମୁଁ ଆସିନଥିଲେ ।ମାମୁଁ ପୁଅ ବିଗୁଲି ଆସି ନେଇଗଲା ତା ଦୁଇଚକିଆ ଯାନଟିରେ ପବନ ବେଗରେ । ଗାଡିଟି ଉପରୁ ସେଇ ପିଲାବେଳର ଚରାଭୂଇଁ ର ଅବୟବକୁ ଅବଲୋକନ ପୂର୍ବକ ମୁଁ ଆଶ୍ଚର୍ଯ୍ୟ ହୋଉଥାଏ । ଗାଁ ତ ଆଉ ଗାଁ ହେଇ ନାଇଁ ଇଏ ତ ଏକ ରକମର ସହର କହିଲେ ଚଳେ। ମାଧଗୁଡିଆ ଏବେ ହୋଟେଲ ଫାଷ୍ଟଫୁଡ ସେଣ୍ଟର ।କାନ୍ତେଇ କେନାଳ ଏବେ ସିମେଣ୍ଟ ବ୍ରିଜ୍। ଶାଳବଣ ଏବେ ବନଦୁର୍ଗା ଟିମ୍ବର୍ ହବ୍ । ବିଲମାଳ ଏବେ ଆଖିଝଲସା ଅଟ୍ଟାଳିକାର ଆଧାର । ସାଧବ ବୋହୁ ବୋଧେ ଆଉ ଆସୁନଥିବେ ଏଇ କଲୋନୀ ଆଡେ । ନିତେଇ ଅଜାଙ୍କ ଫଜୁଳି ଆମ୍ବ ତୋଟା ଏବେ ମା ଭୈରବୀ ଫାର୍ମ ହାଉସ । ସ୍କୁଲ ଝରକା ଦେଇ ବ୍ୟାଗ ଆଉ ଗଳେଇ ହେବନି, କାରଣ କାଠ ଝରକା ଗୁଡାକ କାଚର ରୂପ ନେଇଛି । ଗାଁ ଆଉ ଅଳସି କନ୍ଯାଟେ ପରି ଲାଜୋଉବି ନାହିଁ । ସେ ଆଜି ଉଚ୍ଚ ଶିକ୍ଷିତା ଖ୍ରୀଷ୍ଟିଆନ ଲେଡି । ଏସବୁଥିରେ ଆମେ ନିଜକୁ ବି ତ ବଦଳେଇ ସାରିଲେଣି ନା। ଆଉ କଣ ସେ ସମୟ ଅଛି । ପରିବର୍ତ୍ତନ ତ ସମାଜର ନିୟମ। ବାସ୍ ଏଇ ପଦିକ କଥା ମୁଣ୍ଡକୁ ଆସିଛି କି ନାଇ ଆଖିରେ ପଡିଲା ମନ୍ଦିର ଛକ ଉପରେ ବସି ପାଇକ ମା ଘିଅ ଦୀପ ଫୁଲମାଳ ବିକ୍ରି କରୁଛି । ବିଗୁଲିକୁ ଆତର୍କିତ ଭାବେ ଗାଡି ଅଟକେଇବାକୁ ନିର୍ଦେଶ ଦେଇ ଛୁଟି ଚାଲିଲି ତା ଆଡକୁ ।ଆଉ ସେ ମଣ୍ଡଣି ମୁହଁ ନାହିଁ। ମୁଖମଣ୍ଡଳରେ ଆଉ ସେ ତେଜ ନାହିଁ। ଖୁବ୍ ମଳିନ ମୁହଁରେ ରେଖାଗୁଡାକ ଏଣେତେଣେ କରି ଚାଲିଯାଇ ଆହୁରି କଦର୍ଯ୍ୟ କରି ଦେଉଛି । ମୁଣ୍ଡ ବାଳ ବି କାଁ ଭାଁ କୋଉଠି ଗୋଟାଏ ମୂଳ ରୂପରେ ନହେଲେ ସବୁ ରଙ୍ଗ ବଦଳେଇ ସାରିଲେଣି ଗାଁ ପରି । ଖୁବ୍ କ୍ଷୀଣ ଶରୀର ରେ ବଡ ବିକଳ ଦିଶୁଥିଲା । ଦିନ ଥିଲା ସେ ତାର ଯୁଆନ ପୁଅକୁ ଦେଶ ସେବାରେ ଟେକିଦେଇ ବଡ ଗର୍ବ କରୁଥିଲା। ସଭିଏଁ ଆଦରରେ ତାକୁ ପାଇକ ମାଁ ବୋଲି ଡାକୁଥିଲେ । ଅଜସ୍ର ସମ୍ପତ୍ତି ଯେ ବସି ଖାଇ ବାଣ୍ଟିଲେ ବି ସରିବାର ନାହିଁ । କେତେ କଣ ନ କରିଛି ସେ ସତେ ଗାଁ ପାଇଁ । ପୁଅଟା ଅଧାବୟସରୁ ଦେଶପାଇଁ ଜୀବନ ଦେଲାନି ଯେ ବୁଢୀର ଶିରି ଚାଲିଗଲା ଜାଣ। ବୁଢୀର ଦୁନିଆ କହିଲେ ତା ଛଡା ଆଠ ଦଶ ବରଷର ନାତିଟୋକାଟି । ଘର ଜମି ସବୁ ବିକିଦେଇ ପାରିଲା ପଣ ଯାଏଁ ଚେଷ୍ଟା କଲା ହେଲେ ବୋହୁଟାକୁ ବି ରଖିପାରିଲାନି । ଏବେ ଫୁଲମାଳ ଅଉ ଦୀପ ଏକା ଦୁଇପ୍ରାଣୀଙ୍କ ଅନ୍ନଥାଳି। ବୁଢୀଆଖିକୁ ଆଉ ଭଲ ଦିଶୁନି । ସ୍ମରଣ ବି ଗଲାଣି । ମୁଁ ତା ପାଖରେ ଆଣ୍ଠୁ ମାଡି ବସୁ ବସୁ ଦୀପ ଆଉ ମାଳ ଖଣ୍ଡେ ବଢେଇ ଦେଇ ଆଠ ଟଙ୍କା ମାଗିଲା । ମୁଁ ପକେଟରୁ ଶହେ ଟଙ୍କିଆ ନୋଟ୍ ଖଣ୍ଡେ ବାହାର କରି ଧରେଇ ଦେଇ କାନ ପାଖରେ ଯାଇ କହିଲି '' ପାଇକ ବୋଉ ! ମୁଁ ନେତ ବୋଉ ନାତି ପରା ! ଚିହ୍ନି ପାରୁନୁ କି ?ନେ ଏଇ ଶହେ ଟଙ୍କିଆ ଟା ରଖେ ।'' । ବୁଢୀ ବଲବଲ କରି ମୋତେ ଟିକେ ଚାହିଁ କାନି ଗଣ୍ଠି ଖୋଲି ବଳକା ପଇସାତକ ଗୋଟି ଗୋଟି କରି ମୁଠାକରି ଧରେଇ ଦେଲା। କହିଲା '' କରପୂର ସିନା ଉଡିଗଲାରେ ଗଳାମାଳି ! କନା ଏବେବି ପଡିଛିରେ '' । ଅନ୍ଧାର ହେଇ ଆସିଲାଣି । ଆଠ ଦଶ ବରଷର ନାତିଟୋକାଟି ଆସି ପସରା ଗୋଟାଗୋଟି କରି ବୁଢୀ କୁ ବାଟ କଢେଇ ଘେନିଗଲା ଘର ଆଡେ । କେଡେ ସ୍ୱାଭିମାନୀ ସତେ । ସବୁ ପରିବର୍ତ୍ତନ ଭିତରେ ବି ପାଇକ ମା ଆଜି ସ୍ଥିର ,ଅପରିବର୍ତ୍ତିତ ପ୍ରସ୍ତର ମୂର୍ତ୍ତି ସତେ । କାଉଁରିଆ କାଠି ଭାଙ୍ଗିଯିବ ପଛେ ନଇଁବ ନାହିଁ । ହୃଦୟରୁ ତା ପାଇଁ ଅଜାଣତରେ ଖୁବ୍ ସମ୍ମାନ ଆସୁଥାଏ । ଅଦୂରରେ ବିଗୁଲି ହର୍ଣ୍ଣ ମାରି ମୋତେ ଇସାରା ଦେଲା । ମନ୍ଦିର ବାରଣ୍ଡାରେ ଜୁହାର ହେଇ ଦୀପ ଆଉ ମାଳ ଖଣ୍ଡିକ ଥୋଇ ଦେଇ ଘର ଆଡେ ଚାଲିଲି । ଯାଉ ଯାଉ ମନେପଡିଗଲା ଗୀତ ପଦେ ''ଏ ଦୁନିଆ ବୁକୁ ରେ ବଞ୍ଚିବାକୁ ହେଲେ, ,,,,,,,,,,,
