ଅଭିମାନ
ଅଭିମାନ
ସେ କୋଉଠି ଶେଷ ହୋଇଛି ମୁଁ ଜାଣେନା କି ଆରମ୍ଭ କୋଉଠି ସେତକ ବି , କିନ୍ତୁ ମୋ ପାଇଁ ମାତ୍ର ବାଇଶି ରୁ ପଚିଶି କିଲୋମିଟର ଭିତରେ ସେ ନିତ୍ୟ ସହଚରୀ। କଳା ମଚମଚ ଚିକ୍କଣ ଦେହରେ ଧଳା ପଟାଦାଗ ତାକୁ ଦୁଇଭାଗ କରେ ତାର ପ୍ରେମିକ ମାନଙ୍କୁ ସାଇତି ରଖିବା ପାଇଁ ଅଲଗା ଅଲଗା କରି, ଠିକ୍ ହୃଦୟର ଚାରି କୋଠରୀ ପରି। ଦେହରେ ତାର ଦାଗଖଣ୍ଡେ ବି ନାହିଁ ତେଣୁ ମୋଟର ଉପରେ ଚଢି, ମାଡି ଗଲାବେଳେ ଲାଗେ ପବନଦୋଳିରେ ଉଡ଼ିଗଲାପରି। ଆଜି କିନ୍ତୁ ମୁଁ ଥିଲି ତା' ହୃଦୟକୁ ପୁରାପୁରି କବଜା କରିଥିବା ଏକାକୀ ପ୍ରେମିକ । ସାରା ରାସ୍ତା ଶୁନଶାନ୍, କାଁ ଭାଁ କୋଉଠି ଜଣେ ଅଧେ ସରକାରୀ ସ୍ଵୀକୃତି ପାଇଥିବା ମୋଟର ଚାଳକ ମୋ ପାଖଦେଇ ମାଡ଼ି ଯାଉଛନ୍ତି। ସ୍ବଛନ୍ଦରେ ବୁଲିବାର ମଜାକୁ ଏକଚାଟିଆ ଭାବେ ଉପଭୋଗ କରୁ କରୁ, ମୁଁ ସେମାନଙ୍କୁ ଦେଖି ଟିକେ ଅଭିମାନ କରେ । ହଁ ସେମାନେ ବି ମୋ ଭଳି କର୍ମଚାରୀ ହୋଇଥିବେ ନିହାତି,,, ନତୁବା ଖାକିବାଲାଙ୍କ କବଳରୁ କଣ ବର୍ତ୍ତିବା ସହଜ କଥା!!
ଆଜି ଧୂଳିକଣା ଗୁଡାକ ବି ଯନ୍ତ୍ର ଜନିତ କୃତିମ ବାୟୁର ସ୍ପର୍ଶରେ ଡେଣା ପାଇ ଗୋଟାଏ ଜାଗାରୁ ଉଡ଼ିଯାଇ ଆଉ ଗୋଟାଏ ଜାଗାରେ ପଡ଼ିବାରୁ ବଞ୍ଚିତ। ତେଣୁ କାଳି ସୁନ୍ଦରୀ ବି ଅଙ୍କା ବଙ୍କା ଦେହକୁ ଖୁବ୍ ଭଲଭାବେ ମୋତେ ଦେଖେଇ ପାରୁଛି,,,,, ଏତକ ଭିତରେ ଦୁଇପାଖରେ ଥିବା ଢେର୍ ଲମ୍ଭା ଆକାଶ ଛୁଆଁ ଶାଗୁଆନ ଆଉ ଶାଳଗଛଗୁଡାକ ପବନ ସହ ଘଷି ହୋଇ କାହିଁ କୋଉ ଦୂରରୁ ଆସୁଥିବା ଗାଡି ମୋଟର ଶବ୍ଦ କ୍ରମଶଃ ମୋ ପାଖକୁ ନେଇ ଆସୁଛନ୍ତି । କୋରାପୁଟର ଖଣ୍ଡି ଖଣ୍ଡି ପାହାଡ଼ ପଛକୁ ପଛ ଥାକ ଥାକ ହୋଇ ପଥଚାରୀଙ୍କ ମନ ମୋହୁଛନ୍ତି।
କାମ ସାରି ସଅଳ ଫେରିଯିବା ଭଲ। ପାହାଡ ତଳିଆ ରାସ୍ତା,, ଥରେ ଅଧେ ପାହାଡିଆ ଭେଣ୍ଡାମାନେ ତାଡ଼ି ପିଇ ଲୋକଙ୍କୁ ଅଟକେଇ ମାର ଧର କରିବାର ବି ମୁଁ ଶୁଣିଛି। ଦକ୍ଷିଣ ପଟୁ ଆକାଶଟା ବି ପାଣି ଧାରିଲାଣି, ତା'ରି ଭିତରେ ସୁରୁଜ ବି ହାଲକେଇ ଲୁଚିବାକୁ ଚେଷ୍ଟା କରୁଛି। ତରବରିଆ ହୋଇ ବାହାରିଗଲୁ ମଝୀବାବୁ ଆଉ ମୁଁ। ସେ ସେଠାକାର ଲୋକ, ତାଙ୍କସହ କିଛିଦୂର ମୋର ଯାତ୍ରା ହୁଏ କେବଳ ଫେରିବା ବେଳଟା। ଜୟନ୍ତିଗିରିଠୁ ଅମ୍ବଗୁଡ଼ା ବାଟ ତକ ମୋର।
ଆଜି କିନ୍ତୁ ସବୁକିଛି ଉପଭୋଗର ବସ୍ତୁ। ଆଜି ନା ଅଛି କୋଳାହଳ ନା ଧୂଳି ଧୂଆଁ। ମହାମାରୀ ମଣିଷକୁ ଏତେ ମାତ୍ରାରେ ଭୟଦେଇଥିଲା ସତେ। ମସ୍ତିଷ୍କ ଆଜି ଅଜଣା ଗୋଟେ ଆନନ୍ଦରେ ହଜି ଯାଉଥାଏ। ବେଳେବେଳେ ଗୁଣୁ ଗୁଣୁ ହୋଇ ଦୁଇପଦ ଆପେ ଆପେ ଝରିଯାଉଛି ମୋ ଓଠରୁ , ପୁଣି କେବଳ ମୋ ପାଇଁ !! ଲାଗୁଛି ବାଟତକ ଆଜି ଜଲଦି ସରିଯିବ ।ଖୁସିର ମୁହୂର୍ତ୍ତ କେବେ ବେଶୀ ତିଷ୍ଠି ପାରେ କି। ତଥାପି ମୁଁ ଏକାକୀ ଚାଲୁ ଚାଲୁ ନିରୋଳା ପ୍ରେମିକାର ଅଜଣା ସ୍ପର୍ଶ ପବନ ଦେହେ ମୋତେ ଅସ୍ଥିର କରୁଥାଏ।ମୁଁ କିନ୍ତୁ ଗୋଟାପଣେ କଳା ମଚମଚ ପିଚୁର ପ୍ରେମରେ।
ହଠାତ୍ କିଛିଦୂରରେ ଜଣେ ମଧ୍ୟ ବୟସ୍କ ଲୋକଟିଏ ତରବରିଆ ହୋଇ ପାଦକୁ ପାଦ ଛନ୍ଦି ଛାନ୍ଦି ମୋ ସହ ସମାନ ଦିଗକୁ ରାସ୍ତା ପାଖରେ ଚାଲିଯାଉଥିବାର ଦେଖି , ଚାଳିଶି ହାତ ଓସାରିଆ ବାଟକୁ ସମାନ୍ତରାଳ ହେଇ ଲମ୍ବିଥିବା ଆଉ ଗୋଟେ ପୁରା ଦେଶୀ ରାସ୍ତା ଲମ୍ବିଥିବା ପ୍ରଥମ ଥର ମୋ ଲକ୍ଷ୍ୟରେ ପଡ଼ିଲା, ଯଦିଓ ଅଲକ୍ଷ୍ୟରେ ସେ କେବେ ମୋ ନଜରକୁ ଆସିଥିବ।
ଏମିତି ଅସମୟରେ ନିଜ ଇଲାକା ଛାଡ଼ି ଏଭଳି ବାହାରକୁ ଆସିବାକୁ ଏମାନେ ସାହାସ କରନ୍ତିନି ପ୍ରାୟ। ଉପରେ ଖାକି ବାଲାଙ୍କୁ ଖୁବ୍ ଡରନ୍ତି । କୌତୁହଳ ବଶତଃ ଏତକ ଭିତରେ ମୋ ମୋଟର ତା' ପାଖରେ ଅଟକି ସାରିଥିଲା, ଗୋଟେ ସୁଚନାମୂଳକ ହର୍ଣ ସହ। ମୋ ମୋଟର ଅବାଜ୍ ପାଇ ସେ ରାସ୍ତାରୁ ଚାରିଫୁଟ ଦୂରରେ ଥମ୍ କରି ଛିଡାହୋଇ ଏକଲୟରେ ମୋତେ ଚାହୁଁଥିଲା।
ବେଶଭୂଷା ଠିକ୍ ଗୋଟେ ଆଦିବାସୀର, ଦେହସାରା ଖଣ୍ଡେ ଖଣ୍ଡେ କଳା ଝୋଟି, ମୁଣ୍ଡରେ କେତେଟା ଧଳା କଳା ପକ୍ଷୀ ପର, ଗୋଟାଏ କାନରେ ଧାଡ଼ି ଧାଡ଼ି ହୋଇ କେତେଟା କାନ ଫାସିଆ ଝୁଲୁଛି , କପାଳରେ ତିନି ଚାରି ରଙ୍ଗର ଶିରୀ । ଏମିତି ବହୁତ୍ କିଛି । ଉପରୁ ତଳ ଥରେ ଆଖି ବୁଲେଇ ଆଣିଲା ବେଳକୁ ତା'ର ଚାହାଣି ଭୟରେ ଅଲଗା କିଛି ଈଶାରା କରୁଥିଲା ବୋଧେ! ସରକାରୀ ବାବୁଙ୍କୁ ଏମାନଙ୍କ ଖୁବ୍ ଡର, ଯାହା ଗତ ଦୁଇବର୍ଷ ରହଣିରେ ମୁଁ ବୁଝିସାରିଥିଲି। ତାକୁ ଟିକେ ଆଶ୍ୱସ୍ତି ଦେବାଲାଗି ମୁଣ୍ଡରୁ ହେଲମେଟଟି ବାହାର କରି ଟିକେ ମୁରୁକି ହସିଦେଲି ସେଇ ଲୋକଟା ଉଦ୍ଦେଶ୍ୟରେ। ସେ କିନ୍ତୁ ପୂର୍ବବତ୍ ଚାହାଁଣୀରେ କୌଣସି ପରିବର୍ତ୍ତନ କରିନଥାଏ।
,,,, କି ହୋ ଦାଦା,,,କୁଆଡେ ଚାଲିଲ,,, ?
ଉଁ,,,,!
,,, ତୁମେ ଜାଣିନ କି ଏବେ ମହାମାରୀ ବେଳ,, !! ଘରୁ ବାହାରି ଏମିତି ରାସ୍ତାରେ କାଇଁ ବୁଲୁଛ,,,?
କହୁନ,, କଣ ହେଲା ,,, ?
,,, ବାବୁ ,, ତେମେ ସର୍କାରି ନୋକ!!,, ମୁଁ କାଇଁ ତୁମ ବାଟରେ ଯାଉଚି କି! ମୁଁ ତ ମୋର ବାଟରେ । ,,,
,, ମାନେ,,, ?
ମାନେ ଆଉ କିସ ଯେ!!,, ସେଇଟା ତୁମ ସର୍କାରର ଜେଗା,,, ତୁମ ବଡଲୋକର ବାଟ,,ଆମ ବାଟ ନାଇଁ।। ,,,ଆମ ବାଟ ତ ଏଇଟା ।!
କାହିଁକି?,,, ତୁମେ ଏଇ ପକ୍କା ରାସ୍ତାର ଚାଲୁନ !,, ତୁମ ପାଇଁ ତ ଏଇ ବାଟ,,,
ନା ହୋ,, ଆମର ଲୋଡା ନାହିଁ ସେ ବାଟ,, !! ଆମର୍ ପେଟ କାଟି ଏଇ ବଣଘାଟି ସବୁ ଲୁଟିବା ପାଇଁ ତୁମ ବଡ଼ ସର୍କାର କରିଛି ବାଟ ଟା। ଆମ ଗଛ କାଟିଲ , ଆମ୍ବ ଦୁଇ ପୁଞ୍ଜା ଆଉ କାଇଁ ମିଳେ ଯେ?,,,,, ଗଛ କାଟି ଘେନିବାକୁ ସୁବିଧା ହେବା ଲାଗି ଏଟା ତିଆରିଛ,,, ଏଇ ବାଟଟା ମୋ ଘର ଆଡେ ଯାଉଛି , ଆଉ ତୁମର ଟା ସରକାର ଘରକୁ ଯାଉଛି। ତୁମେ ତା'ର ଲୋକ୍ ଯେ। ,,, ମୁଁ ଯିବି କାଇଁ !!, ଆମେ କହିଥିଲୁ କି ଆମର ଚିକ୍କଣ ବାଟ ଲୋଡା ବୋଲିକରି,,,,, ତୁମ ସରକାର ଆମ ପେଟ ଭୁକ ଚିହ୍ନି ପାରେ କି,,? ନାଇଁ ତ?,,, ତା'ର ବାଟରେ ଆମେ କାଇଁ ଯିବୁ,,,? ମୋର୍ ଜାତି ଆଦିବାସୀ,,, ମୋର ଜାତି ଆଦିବାସୀ,,,,,
ଲୋଡା ନାହିଁ ମୋର୍,,, ଲୋଡା ନାହିଁ ସେ ବାଟ,,,,,,
ଉପରକୁ ହାତ ଟେକି ଏତକ କହି କହି ଚାଲି ଯାଉଥିଲା,, ଗଲାବେଳେ ତା' ଛାତିର କ୍ଷୋଭ ଗଣ୍ଡିକ ଠୁଳ ହୋଇ ଆଖି ଦେଇ ଜଳିଉଠୁଥିବାର ମୁଁ ଦେଖିଛି। ସତରେ ସେ ଜାତି ଆଦିବାସୀ, ଯିଏ ଅବାଞ୍ଛିତ ଭାବେ ଏଡ଼େ ସୁନ୍ଦରିଆ ବାଟଟିକୁ ଆପଣେଇ ପାରୁନି ସେ ପୁଣି ରାସ୍ତା ଉପରକୁ ଆସି ଲୋକଙ୍କୁ ମାରପିଟ କରିବା ବୋଧହୁଏ ସମ୍ଭବ ପରିଧି ବାହାରେ। ଯେଉଁଠି ମାଗଣା ପାଇଲେ ଲୋକଙ୍କ ରକ୍ତ ଶୋଷି ଦେବାକୁ ସମାଜଟା ଦାନ୍ତ ଦେଖେଇ ବସିଛି ସେଇଠି ଏମିତି ଗୋଟେ ସ୍ୱାଭିମାନ ଜାତି ମୁଣ୍ଡ ଟେକି ଛିଡ଼ା ହୋଇପାରେ। ବହୁଦୂର ଯାଏଁ ଦୁଇ ଫୁଟ ଓସାରିଆ ମାଟିବାଟଟା ଅଙ୍କେଇ ବଙ୍କେଇ ଖୁବ୍ ଉଜ୍ଜ୍ୱଳ ଦିଶୁଥିଲା।ସେ ଉଜ୍ଜ୍ୱଳ ପଣ ବୋଧହୁଏ ଏଇଭଳି ଆତ୍ମା ମାନଙ୍କ ପାଦତଳର ଚର୍ମ ସ୍ପର୍ଶ ହେତୁ ସମ୍ଭବ ହୋଇପାରିଛି। ବାସ୍ ଆରପଖେ ମୁଁହ କଳା କରି ସୁଦ୍ଧା ଛାତି ଫୁଲେଇ ମାଡ଼ି ଚାଲିଛି ଆମ ସରକାରିଆଙ୍କ ରାସ୍ତା । କଥାରେ ଅଛି ଚୋର ମୁଁହ ଟାଣ,,
ଗୋଟେ ଅଭିମାନୀ ଆଉ ଗୋଟେ ସ୍ୱାଭିମାନୀର ମଝି ଧାର ଉପରେ ଛିଡା ହୋଇ ବେଶ୍ ହସିଦେଲି ମନଖୋଲା ହସଟେ। ମୁଁ ଏବେ ସେଇ ତନୁ ପତଳି ଅଭିମାନୀ ବାଟ ପ୍ରେମରେ। ହସୁ ହସୁ କେତେ ଛବି ତିଆରି ହେଲାଣି ଆଖିରେ,,, ଏତିକି ବେଳେ ଘରୁ ଶୁଭିଲା,,,
,,,,,ହ୍ୟାଲୋ,,!! ଆହେ ସରକାରୀ ବାବୁ! ଆଜି ପୁଣି କାହା ପ୍ରେମରେ ପଡି ବିଳମ୍ବ ?,,, ଆସ ଜଲଦି,,, ଡେରି ହେଲାଣି ,,,
ମୋଟର ମାଡ଼ି ଚାଲିଲା ଘର ଆଡ଼କୁ.....
