ଟ୍ରେନ ଧକ୍କା
ଟ୍ରେନ ଧକ୍କା
ସକାଳ ପ୍ରାୟ ଦଶଟା ବାଜିଗଲା। ବଡ଼ ବଡିଆ ଵାଵୁମାନେ ଚାଲିଲେଣି ଅଫିସ ଆଉ ଛୋଟ କାଟିଆମାନେ କାରଖାନା ଦେଖି ଅଣ୍ଟା ନୁଆଇଁ ଖଟିବାକୁ ଚାଲିଗଲେଣି। କେଁ ଭେଁ ଖଟ ଖଟ ସହର ଭିତରେ ଯେ ଯା କାମରେ ବ୍ୟସ୍ତ। ଆଉ ସୁନ୍ଦରୀ ପ୍ଲାଟଫର୍ମ ଟି ସକାଳ ବେଳେ ଖୁବ୍ ଛନ ଛନ ହେଇ ସମସ୍ତଙ୍କୁ ସୂଚେଇ ଦୋଉଚି , କୋଉ ପ୍ଲାଟଫର୍ମ ରେ କୋଉ ପଟୁ କୋଉ ଗାଡ଼ି ଆସିବ । ସେ ଅନୁସାରେ କୁଣିଆମାନେ ନିଜକୁ ପ୍ରସ୍ତୁତ କରି ନେଉଛନ୍ତି ।
ସେଇ ସୁନ୍ଦରୀର ନାକ କିନ୍ତୁ ତେଢ଼ା। ନହେଲେ ଏମିତି କେହି ଜଣେ ଘରକୁ ଆସୁ ଆସୁ ଗୋଡ଼ ହାତ ଧରି କତରା ଲଗା ନୁଖୁରା ମୁଣ୍ଡିଆ ଭିକାରୀ ଗୁଡାକ କଣ ହଇରାଣ କରନ୍ତେ। ତଥାପି ସେ ସୁନ୍ଦରୀ, ତରୁଣୀ।
ଚାହାଷ୍ଟଲ ପାଖରେ ଛଉଲଗା ବୁଜୁଳା ଧରି ଏଇ ସମୟ ହେଲେ ବସେ ଷାଠିଏ ବର୍ଷର ବୁଢୀଟି। ଆଉ ସାଙ୍ଗରେ ଥାଏ ଆଠକି ନଅ ବରଷ ର ଝିଅ ଟିଏ। ଦୁହିଁଙ୍କର ଅବସ୍ଥା ପ୍ରାୟ ଏକା ପରି। ବୁଢ଼ୀ ଏଠି ସେଠି ହାତ ପାତେ ଆଉ ଝିଅ ବିଚାରି କାହାର ଜୋତା ଦେଖିଦେଲେ ଆଣ୍ଠେଇ ପଡି କନା ଲଗେଇ ପୋଛା ମାରି ଚାରି ପାଞ୍ଚ ପଇସା ହାତ ଦେଖେଇ ଆଣେ। କେବେ କେମିତି। ହୋଟେଲ ବାଲା ଡାକି ନେଇ ବଳକା ତକ ଖାଇବାକୁ ଦେଇଦେଲେ ଦୁହିଁଙ୍କର ସେଦିନ ଭୋଜି।
ଆଜି ସକାଳୁ ବୁଢ଼ୀର ଅଧିକା ଦୁଇ ପଇସା ହେଇଛି ବୋଧେ। ବୁଢ଼ୀ ମନ କରିଲା ଆଜି ବଡ଼ ପୁରି ଯୋଡେ ଆଣିବ। ନିଜପାଇଁ ଗୋଟିଏ ଆଉ ନାତୁଣୀ ପାଇଁ। ସେ ଗୋଟି ଗୋଟି କରି ଟଙ୍କା ଗଣି ଗଣି ଷ୍ଟେସନ ବାହାରକୁ ଯାଇ ପଲିଥିନ ଭିତରେ ଭରି ନେଇ ଆସିଲା । ବୁଜୁଳି ପାଖରେ ଅଣ୍ଟା କୁ ଧରି ବସିଗଲା। ଏପଟେ ସେପଟେ ବହୁଦୂର ଯାଏ ଟୋକି କାଇଁ ଦିଶୁନି। ବୁଢ଼ୀ ଜୋତା ଟିକୁ ଦୁଇ ହାତରେ ପଦରେ ଜାବୁଡିଧରି ଏପଟ ସେପଟ କରି ଟିକେ ଆଗକୁ ବଢିଲା। ବୁଢ଼ୀର ଅନୁପସ୍ଥିତି ର ସୁଯୋଗ ନେଇ ରୁମହିନ କ୍ଷୀଣ ଦୁର୍ବଳ ଭୋକିଲା କୁକୁର ଗୋଟାଏ କେଉଁ ଆଡୁ ଦୌଡି ଆସି ଜଳଖିଆ ପୁଡ଼ିଆଟିକୁ ଦାନ୍ତରେ ଉଠେଇ ଚାଲିଲା ଖୁବ୍ ଜୋର୍ ରେ । ବୁଢ଼ୀ ଆଖି ଫେରେଇ ପାରୁ ଯାଏଁ ତାକୁ ଘଉଡାଇବାକୁ ଚେଷ୍ଟା କଲା । ଗହଳି ଭିତରେ କୁକୁର କବଳରୁ ଜଳଖିଆ ପୁଡିଆକୁ ବଞ୍ଚାଇବା ଉଦ୍ଧେଶ୍ୟରେ ବୁଢ଼ୀ ବି ମାଡ଼ି ଚାଲିଲା ଏକଲୟରେ। ଏପଟେ ଯଶୋବନ୍ତପୁର ସୁପର ଫାଷ୍ଟ ଏକ୍ସପ୍ରେସ କିଛି ସମୟରେ ପହଞ୍ଚିବାର ଘୋଷଣା ବି ସାରି ଯାଇଥାଏ। ଚାହୁଁ ଚାହୁଁ କୁକୁର ଟି କୁଦା ମାରିଲା ଧାରଣା ଉପରକୁ। ଆଉ ବୁଢ଼ୀ ବି କାନ୍ଥକୁ ଜାବୁଡି ଓହ୍ଲେଇ ପଡ଼ି ଧାଇଁଲା ସେ ପଟକୁ। ବଜିରି ପଥର ଦିହରେ ଫାଟୁଆ ପାଦ ସମ୍ବାଳୁ ସମ୍ଭାଳୁ କୁକୁର ଟି ସେଇଠି ଥୋଇଦେଲା ପୁଡିଆ ଟି। ବୁଢ଼ୀ ତରବରିଆ ଭାବେ ସେ ଆଡ଼କୁ ଯାଇ ପୁଡିଆ ଆଡ଼କୁ ହାତ ବଢ଼େଇଲା ବେଳକୁ ଲୋକମାନେ ଖୁବ୍ ଜୋରରେ ପାଟି କରିବାକୁ ଲାଗିଲେ। ଚାହୁଁ ଚାହୁଁ ଦୃତଗତିରେ ମାଡ଼ି ଆସିଲା ଏକ୍ସପ୍ରେସ ଟି। ଏବେ ପୋଲିସ ସେ ଆଡ଼କୁ ଦୌଡି ଆସିଲେଣି। କୁକୁର ଟି କିଛିଦୂର ଯାଇ ପୁଣି ଫେରିଆସି ଉଠେଇନେଲା ରକ୍ତ ଛିଟା ଲଗା ପୁଡିଆଟି। କୋଳାହଳ ଧୀରେ ଧୀରେ କମିଲାଣି। ନିଜ ନିଜ ଟ୍ରେନ ଧରି ଗନ୍ତବ୍ୟ ଆଡ଼କୁ ଚାଲିଲେଣି ଯାତ୍ରୀମାନେ।
