STORYMIRROR

Kumar Mrutyunjay

Inspirational

4.5  

Kumar Mrutyunjay

Inspirational

ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା

2 mins
1.0K


ଆମ ଘରଠୁ କେଇପାଦ ଦୂରରେ ଛକ ଉପରେ ପ୍ରଦୀପ ଭାଇଙ୍କ ପରିବାଦୋକାନ, ସକାଳୁ ସକାଳୁ ମୁଁ ଗୋଟେ ଝୁଲା ଧରି ହାଜିର ହେଇଯାଏ ସେଠି, ତାଜା ତାଜା ପରିବା ନେବାକୁ । ଘରେ ଫ୍ରିଜ ଥିଲେ ବି ମୋ ମାଆକୁ ନିତିଦିନିଆ ସଜ ପରିବା ଭଲ ଲାଗେ,ୟା ମାଧ୍ୟମରେ ମୋର ବି ସକାଳ ଚା ପିଇବା ହୋଇଯାଏ ତାଙ୍କ ସହ,ଲୋକ ଟା ବହୁତ ଭଲ ।


ଏଇ ଆଜି ସକାଳ ଘଟଣା ଟେ,ପରିବା ଆଣିବାକୁ ଯାଇ ପ୍ରଦୀପ ଭାଇ ସହ ଚା ପିଉଛି, ସେତିକି ବେଳେ ଜଣେ ବ୍ୟକ୍ତି, ଜଣାପଡୁଛି ମର୍ନିଙ୍ଗୱାକରୁ ଫେରୁଥିଲେ, ଦୋକାନ ଆଡେ ଆସି ସଦ୍ୟ ଥାକ କରି ଥୁଆ ହେଇଥିବା ପାଚିଲା ଅମୃତଭଣ୍ଡା ଗୁଡାକରୁ ଗୋଟେ ଉଠାଇ ପ୍ରଶ୍ନ କଲେ, "ଏଇ ଏଟା କେତେ? " ।  


ପ୍ରଦୀପ ଭାଇ କହିଲେ ଓଜନ ଯାହା ହେବ, ଦେଖିବା । । ।  


ଦଣ୍ଡିରେ ପକେଇ କହିଲେ, ସାର ସତର ଟଙ୍କା ହେଉଛି ପନ୍ଦର ଦିଅନ୍ତୁ । ।


ଲୋକ ଟି କର୍କଶ ଗଳାରେ କହିଲା, କଣ!ମୁଁ କଣ ନୂଆ କିଣୁଛି, ଦଶରେ ଦେ,,, 


ପ୍ରଦୀପ ଭାଇ କହିଲେ, ନା ହେବନି ସାର, ଏ ଜିନିଷ ବାଡିଆ ମୁଁ ଆଜି ସକାଳୁ ତୋଳିଛି, ହେବନି ଆଜ୍ଞା !


ହେଲେ ଲୋକ ଟି ନଛୋଡବନ୍ଧା ସେଇ ଦଶ ରୁ ଆଗକୁ ବଢ଼ିଲାନି,ପ୍ରଦୀପ ଭାଇ ପୁଣି କହିଲେ, ବଇନି ହେଇନି, ମୁଁ ଆପଣଙ୍କୁ ଠକେଇବିନି ।  


ଶେଷରେ ଲୋକଟି ଅତି ବାଦ ବିବାଦ କରି ନ ନେଇ ଚାଲିଗଲା ।  ଏଇ ଭିତରେ ମୁଁ ବି ପରିବା ବାଛୁ ଥାଏ ।

କିଛି ସମୟ ପରେ ଜଣେ ବୃଦ୍ଧ ସେଇ ବାଟରେ ଯାଉ ଯାଉ ପାଚିଲା ହଳଦୀ ଗରଗର ଅମୃତଭଣ୍ଡା ଗୁଡିକୁ ଦେଖି ପାଖରେ ଆସି ଗତ ଅମୃତଭଣ୍ଡାଠୁ ଟିକେ ସାନ ଆଉ ଗୋଟେ ଧରି ପଚାରିଲେ, ବାବୁରେ!ଏଟା କେତେ? 


ପ୍ରଦୀପ ଭାଇ ଦଣ୍ଡିରେ ପକେଇ କହିଲେ, ମଉସା ବାର ଟଙ୍କା । ବୃଦ୍ଧ ଗୋଟେ ଶହେ ଟଙ୍କାର ନୋଟ ବଢ଼େଇଦେଲେ,ପ୍ରଦୀପ ଭାଇ ତାଙ୍କୁ ଦୁଇ ଟଙ୍କା ଖୁଚୁରା ଅଛିକି ବୋଲି ପ୍ରଶ୍ନ କଲେ । ।


ବୃଦ୍ଧ ଜଣକ ଅନେକ ଖୋଜି କି ଗୋଟେ ଦଶ ଟଙ୍କା ଥିବା କଥା କହିଲେ, ସଙ୍ଗେସଙ୍ଗେ ଭାଇ କହିଲେ, ମଉସା ସେଟା ଦିଅନ୍ତୁ, ଆଉ ଶହେ ଟଙ୍କା ଟା ଫେରେଇଦେଲେ ।  


ହେଲେ ଆଶ୍ଚର୍ଯ୍ୟ କଥା ବୃଦ୍ଧ ଜଣକ ନେବାକୁ ରାଜି ନୁହେଁ, ତାଙ୍କ କହିବା କଥା ସେ ବାର ଟଙ୍କା ନିଅନ୍ତୁ, ଏପଟେ ପ୍ରଦୀପ ଭାଇ ବି କହିଲେ, ବାପା ଆପଣଙ୍କର ହେଇଯାଇଛି ମୁଁ ନେବିନି, କିନ୍ତୁ ବୃଦ୍ଧଙ୍କ ଅକାଟ୍ୟ ଯୁକ୍ତି ସେ କାହାରି ପଇସା ରଖିବେନି,ଯେତେ ବୁଝାଇଲେ ବି ଫଳ ଶୂନ,ଶେଷରେ ପ୍ରଦୀପ ଭାଇ ତାଙ୍କ ପାଖରେ ଫେରେଇବାକୁ ଆଠ ଟଙ୍କା ଖୁଚୁରା ନଥିବା କଥା ବି କହିଲେ, ହେଲେ ବୃଦ୍ଧ ଜଣକ ଶେଷରେ ସେଇ ଆଠ ଟଙ୍କାରେ ଚାରୋଟି ଲେମ୍ବୁ ଦେବାକୁ କହିଲେ ଆଉ ଶହେ ଟଙ୍କା ରୁ ଅଶୀ ଟଙ୍କା ଫେରେଇବାକୁ କହିଲେ । । । ଆଉ ଶେଷରେ ସେ ଯିବା ପରେ ପ୍ରଦୀପ ଭାଇ ମୋ ଆଡକୁ ଅନେଇ କହିଲେ, ବାବୁ ଦେଖୁଚୁ!ଆଜିର ଦୁନିଆରେ କେତେ ଭଲ ଲୋକ ଟେ,କଥାରେ ପରା ଅଛି, "ଯେମିତି ଠାକୁର ସେମିତି ପୂଜା" ।  


ମୁଁ ଓଡ଼ିଆର ଏଇ ଲୋକକଥାଟିଏ ଘଟଣାରେ କେତେ ପ୍ରଯୁଜ୍ୟ କଳନା କରୁ କରୁ ପୂର୍ବ ଲୋକ ଟି ଉଠେଇ ଥିବା ପାଚିଲା ଅମୃତଭଣ୍ଡା ଟି ମୋ ଆଡେ ଅନେଇ ଠୋ ଠୋ ହସୁଥିବା ପରି ମୋର ମନେ ହେଲା ।  



Rate this content
Log in

Similar oriya story from Inspirational