STORYMIRROR

Satyabati Swain

Romance

4  

Satyabati Swain

Romance

ପ-15 ବଗ ଭାଇ ପର ଦେ

ପ-15 ବଗ ଭାଇ ପର ଦେ

4 mins
373

ଏବେ ବି ଆକାଶରେ ବଗଟିଏ ଦେଖିଲେ ପାଟିରୁ ସ୍ୱତଃ ବାହାରି ଆସେ" ବଗ ଭାଇ ବଗ ଭାଇ ପର ଦେ"ସେ ସବୁ ଭୁଲି ଆଗକୁ ବଢ଼ିଲା ; ସମ୍ପର୍କ ଯୋଡି ଘର ସଂସାର ଭିତରେ ଖୁସିରେ ରହିଲା। ଅଥଚ ତୁମେ ପାରିଲି ନାହିଁ ଏଇଆ ତ ?

ହଁ କାହିଁକି ଏକା ରହିଲ ? କାହିଁକି ଅଭିମାନ କଲ ଜୀବନ ଉପରେ ? ଏ ସୁନ୍ଦର ଜୀବନ ନଷ୍ଟ କରିବାକୁ,ବାପାମାଙ୍କ ସ୍ୱପ୍ନ ଭାଙ୍ଗିବା ଅଧିକାର ତୁମକୁ କିଏ ଦେଲା ମୋକ୍ଷ ଭାଇ ? ଅନେକ ପ୍ରଶ୍ନର ଉତ୍ତର ବେଳେବେଳେ ମଣିଷ ପାଖେ ନ ଥାଏ ମୁକ୍ତି। 

ନଥାଏ ନା ବାହାନା ଦେଖାଇ ଖସି ଯିବାକୁ କିଛି ଲୁଚେଇ ରଖିବା ଚେଷ୍ଟାରେ ମଣିଷ ମିଛ କୁହେ। ପ୍ରତ୍ୟେକ ପ୍ରଶ୍ନ ହେଉ କି ସମସ୍ୟା ସବୁର ଉତ୍ତର ଓ ସମାଧାନ ଥାଏ। ଆମେ ଖୋଜିଲେ ସିନା ପାଆନ୍ତେ ? ଯୁଦ୍ଧ କରିବା ଆଗରୁ ଆମେ ଭୀରୁ କାପୁରୁଷ ପରି ଅସ୍ତ୍ର ଛାଡି ଦିଅନ୍ତି।

ବହୁତ ବଡ଼ ହୋଇ ଯାଇଛୁ ନା ୟା ଭିତରେ ନାକ କାନ୍ଦୁରୀ ଓଜନ ଓଜନ କଥା କହିବା ଶିଖି ଯାଇଛୁ ? ସମସ୍ତେ ସବୁବେଳେ ଛୋଟ ଥାଆନ୍ତି କି ? ମନ ନ ଚାହିଁଲେ ବି ଆମେ ବଡ଼ ହୁଅନ୍ତି। କିନ୍ତୁ ମୁଁ ବଢିବା ସହ ତୁମେ ବି ବଢ଼ିଛ। ଆମ ବୟସ ଭିତରେ ଦୂରତା ଆଜି ବି ସେଇ ଏକା ଏଗାର ବର୍ଷ।

ଏଗାର ବର୍ଷ ! ତୋତେ ଏବେ ଚାଳିଶି, ନାଇଁ ?ଆଉ ମୋତେ ? କଳିଯୁଗ ବଞ୍ଚିବା ବୟସ ସୀମା କେତେ ? ଷାଠିଏ, ସତୁରୀ ! ତୋର ମ୍ୟାଥ୍ ମୁଣ୍ଡ ମୋ ମ୍ୟାଥ୍ ଅଧ୍ୟାପିକା ହିସାବ କର ଆଉ କେତେ ଦିନ ରହିବି ତୁମ ମାନଙ୍କ ଗହଣରେ?ଏମିତି ଅଛି ଠିକ୍ ଅଛି। ଏକାଵନ ଗୋଟେ ବୟସ ? ମୋ ମୋକ୍ଷ ଭାଇକୁ ଦେଖିଲେ କେହି କହିବ ଏତେ ବୟସ ହେଲାଣି ? ଏବେ ବି ନିଦ ହଜାଇବା ହିରୋ ଚେହେରା ତୁମର ମୋକ୍ଷ ଦା । ମାଉସୀ ଦେଖା ହୋଇଥିଲେ ମନ୍ଦିରରେ।ଖୁବ୍ କାନ୍ଦୁଥିଲେ। ତୁମେ ବିବାହ କରିଯାଅ ମୋକ୍ଷ ଦା।

ବିବାହ ! ମୁକ୍ତି ସେ ମୋତେ ଏମିତି କାବୁ କରି ରଖିଛି ତା କବ୍ଜାରୁ ମୁକୁଳିବା ଭାରି କଷ୍ଟ ଲୋ ମୁକ୍ତି। ମୋ ସମଗ୍ର ଚେତା ଚେତନାକୁ କାଳିଶି ପରି ଗ୍ରାସିଛି । ତୁ ତ ଜନ୍ମ ସେତେବେଳେ କୁ ଜନ୍ମ ହୋଇ ନ ଥିଲୁ । କାଚ କେନ୍ଦୁ ପରି ପାଣି। ବିରାଟ ଘାଟ ଥିବା ତୁମ ପୋଖରୀ।ପଦ୍ମ ଫୁଲରେ ଛାଇ ହୋଇଥାଏ। ପୋଖରୀ ଉପରେ ତୁମ ଘର । ତୋ ନାନୀ ଓ ମୁଁ ଏକାଠି ତୁମ ଘରେ ଖାଇବା,ପିଇବା, ଖେଳିବା ସହ ଟିୟୁସନ ବି ହେଉଥିଲୁ। ଘର ଅପେକ୍ଷା ଅଧିକାଂଶ ସମୟ ମୋର ତୁମ ଘରେ କଟୁଥିଲା। ମୋ ମାଆ ରୋଗିଣା । କାମଧନ୍ଦା କରେଇ ଦେବି ନାହିଁ ବୋଲି

 ଜେଜେମା ମୋତୋ ନେଇ ତୁମ ଘରେ ଛାଡ଼ି ଦେଇ ଆସୁଥିଲା। ମୋତେ ପାଞ୍ଚକୁ ସ୍ମୃତିକୁ ତିନି।ସେ ପେନ୍ସିଲ ଧରୁଥିଲା ବେଳେ ମୋର ଷ୍ଟାଣ୍ଡର୍ଡ଼ ୱାନ୍।ଟିୟୁସନ ସାର୍ ଗଲା ପରେ ମୁଁ ତୋ ନାନୀର ହୋଇ ଯାଉଥିଲି ସାର୍।ବୟସ ବଢ଼ୁଥିଲା।ତାର ଷ୍ଟାଣ୍ଡର୍ଡ଼ ୱାନ୍ ମୋର ଥ୍ରୀ। ଦିନେ ସ୍ମୃତି କହିଲା: 

ତୁ କାଇଁ ମୋ ସାର୍ ହେବୁ ?

ସାର୍ ନୁହେଁ ତ ଆଉ କଣ ହେବି ?

ମୋ ବର।

ବର ସେଇଟା କଣ ?

ତୋ ଜେଜେମା କହୁଥିଲେ ମୁଁ କୁଆଡେ ତୋ କନିଆ ଆମ ଘରେ ଜନ୍ମ ନେଇଛି। ବଡ଼ ହେଲେ ତୋ କନିଆଁ ହୋଇ ଯିବି। କନିଆ କଣ କିରେ ମୋକ୍ଷ ? ତୁମ ଘରକୁ ଗଲେ କଣ କରିବି ?

ମୋତେ ଟିକେ ହସ ମାଇଲା।ହୁଣ୍ଡି କିଛି ନ ଜାଣି ବର କନିଆଁ ହେଉଛି। ମୋକ୍ଷ ଚାଲେ ପୋଖରୀ ଉପରେ ବସିବା। ତୁ ଦେଖିଛୁ ବଗ ମାନେ କେମିତି ଦଳ ଦଳ ହୋଇ ଆକାଶରୁ ଉଡି ଆସନ୍ତି ଆମ ପୋଖରୀକୁ ? ଦୂର ଆକାଶର ଉଡ଼ିଲା ବେଳେ କି ସୁନ୍ଦର ଦିଶନ୍ତି କହିଲୁ? ବେଳେବେଳେ ତାଙ୍କ ଦେହରୁ ଧଳା ସୁନ୍ଦର ଚିକ୍କଣ ପର ଖସି ପଡେ।ଦେଖ୍ କେତେଟା କେମିତି ସାଇତି ରଖିଛି । ଚାଲେ ବଗକୁ ଆଉ ପର ମାଗିବା।

 ଆମେ ଦୁହେଁ ପୋଖରୀ ହିଡରେ ବସି ଆକାଶକୁ ଅନାଉଁ କେତେବେଳେ ବଗ ଦଳ ଆସିବେ ଏବଂ ଆମେ ତାଙ୍କୁ ପର ମାଗିବୁ। ଦିନେ ଦିନେ ବଗ ଆସନ୍ତି ନାହିଁ। ସ୍ମୃତି ମନ ଊଣା କରେ। ମୋର ଇଚ୍ଛା ହୁଏ ବଗ ଯୁଆଡେ ଅଛନ୍ତି ଉଡି ଯାଇ ପୁଳାଏ ପର ନେଇ ଆସନ୍ତି। ନ ଦେଲେ ଜବରଦସ୍ତିଆ ଆଣନ୍ତି । ଆଉ ଯେଉଁ ଦିନ ବଗ ଆକାଶରେ ଉଡ଼ନ୍ତି ସ୍ମୃତି ର କି ନାଚ ଦେଖିବ ! ଉପରକୁ ମୁହଁ ଓ ହାତ କରି ଡେଇଁ ଡେଇଁ ଡାକିବ, ବଗ ଭାଇ ବଗ ଭାଇ ପର ଦେ "। ମୁଁ ବୁଝି ପାରେନି ବଗ ପର ସେ ଏତେ ଭଲ ପାଏ କାହିଁକି? ଈଶ୍ୱର ତାକୁ କେଉଁ ଜିନିଷ ଦେବାରେ ଊଣା କରି ନାହାନ୍ତି। କିନ୍ତୁ ବଗ ପର ପ୍ରତି ତାର ଅହେତୁକ ଆକର୍ଷଣ ମୋତେ କେବେ କେବେ ଶିକାରୀ ସଜାଏ।ଫାଶ ବସେଇ ବଗ ଧରେ ଖାସ୍ ତା ପାଇଁ। ପର ଦୁଇ ତିନିଟା ତା ଦେହରୁ ଟାଣି ଦିଏ। ବିଚରା ବଗ ଦେହରୁ ରକ୍ତ ବାହାରେ ମୋତେ ବହୁତ କଷ୍ଟ ଲାଗେ । ତଥାପି ସ୍ମୃତିର ଖୁସି ପାଇଁ ମୁଁ ଏମିତି କରେ।

ସବୁ ତ ଠିକ୍ ଥିଲା।କଣ ତୁମ ଦୁହିଙ୍କ ଭିତରେ ହେଲା ଯେ ସାଙ୍ଗ ଛଡା ଛଡି ହୋଇଗଲ ? ନ ବୁଝି ପିଲାଦିନେ କହିଥିବା କଥାକୁ ମୁଁ ସତ ଭାବିଥିଲା ବେଳେ ସେ ଭୁଲି ଯାଇଥିଲା। ସେ ଓଡ଼ିଶା ବାହାରକୁ ଗଲା ପଢିବାକୁ ।ମୁଁ ପଢ଼ିଲି ରେଭେନ୍ସାରେ।ଏହା ଭିତରେ ଚକିରୀଟିଏ ବି ପାଇଗଲି ମୁଁ। ବଡ଼ ହେଲା ପରେ ମଧ୍ୟ ଆମେ ବନ୍ଧୁ ହୀ ଥିଲୁ। ଦିନେ ସେ ଛୁଟିରେ ଆସିଥିବା ବେଳେ କହିଲି ତୁ ମୋ କନିଆଁ ହୋଇ କେବେ ଆମ ଘରକୁ ଯିବୁ ଲୋ ସ୍ମୃତି ? ବାପା ମାଆ ମୋ କନିଆ ଖୋଜାରେ ଲାଗି ଗଲେଣି। ବର ! କନିଆ ! ମୁଁ କାହିଁକି ତୁମ ଘରକୁ ଯିବି ? ପଢା ସରିଲେ ଗତିକୃଷ୍ଣ ସହ ମୋର ମ୍ୟାରେଜ ହେବ ତୁ କଣ ଏକଥା ଜାଣିନୁ ? ବାପା ବା ସବୁ ଠିକ୍ କରି ସାରିଛନ୍ତି ?

କିନ୍ତୁ ସେଇ ଯେଉଁ ବର,କନିଆ, ବଗ ପର କଥା ତୋର କିଛି ମନେ ନାହିଁ ?

ନା । ପିଲାଦିନ କେତେ ପଛରେ ରହିଲାଣି। ବର୍ତ୍ତମାନ କଥା ମନେ ରହୁନି ତ କୋଡ଼ିଏ ବର୍ଷ ତଳ କଥା କିଏ ମନେ ରଖିବ ?

 ମୁଁ କିନ୍ତୁ ଏବେ ବି ବଗକୁ ତୋ ପାଇଁ ପର ମାଗେ। ଦେଖବୁ କେତେ କଲିଣି ?

ତୁ ଗୋଟେ ପାଗଳାରେ ମୋକ୍ଷ । ତୁ ମୋର ବେଷ୍ଟ୍ ଫ୍ରେଣ୍ଡ୍।ସେଇ ଫ୍ରେଣ୍ଡ୍ ହୋଇ ରହ। ଏବେ ବଗ ପରର ଆବଶ୍ୟକତା କଣ ଅଛି ? ଦେଖ ଗତି ଦେଇଛି ଏ ପ୍ଲାଟିନମ୍ ହାର। ଆଉ ଦେଖେ ଏ ହୀରା ଫୁଲ ଓ ପଦକ।

ଓଃ ଏକ ତରଫା ପ୍ରେମ ଥିଲା ତେବେ ତୁମର ?

ପ୍ରେମ ତ ପ୍ରେମ ଲୋ ମୁକ୍ତି। ସେ ଏକ ତରଫା ହେଉ କି ଦୁଇ ତରଫା । 

ଏକଥା ସ୍ମୃତି ଦି ଜାଣିଛି ?

କହିନି କେବେ । କାଳେ ସେ ମନ ଦୁଃଖ କରିବ ଏତକ ଜାଣିଲେ।

ଆଚ୍ଛା ତୁ କାହିଁକି ବାହା ହେଇନୁ ମୁକ୍ତି ? ତୋର କଣ ବାହା ହେବା ବୟସ ହୋଇନି ? ମୋତେ କେହି ବଗ ପର ଆଣି ଦେବାକୁ ମିଳି ନାହାନ୍ତି ନା ? ଚାଲୁନ ଆଜି ଆମେ ସାଙ୍ଗ ହୋଇ ଆକାଶକୁ ଚାହିଁ ବଗକୁ ପର ମାଗି କହିବା, ବଗ ଭାଇ ବଗ ଭାଇ ପର ଦେ ଗୀତ ବୋଲି।

ମୁକ୍ତି ! ତୁ ମୋକ୍ଷକୁ ମୁକ୍ତି ଦେବୁ !

ହୁଁ ନଚେତ୍ ସେ ପର ଗୁଡିକ କାନ୍ଦିବେ ଯେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance