ଓଦା ଛାତ
ଓଦା ଛାତ
ବର୍ଷାରେ ଯଦି କିଛି ବି ଓଦା ହେଲା ତାହେଲେ ମୋତେ ଚିହ୍ନିବୁ କହୁଛି' - ମା' ରୋଷେଇଘରୁ ଚିଲେଇ ଉଠୁଥିଲା। ଘଡ଼ଘଡ଼ି ସହ ବିଜୁଳି ଯେ ସଦା ବାରିବାହକୁ ଘେନି ଆଣନ୍ତି ନିଜ ସହ , ତାହା ସତ୍ୟ ନୁହେଁ ବୋଲି ବାରବାର ବୁଝାଇଲେ ମଧ୍ୟ ସେ ସତର୍କତା ଶୈଳର ଅଗ୍ରୀମ ଭାଗରେ ଉପସ୍ଥିତ ଥାଏ ସର୍ବଦା। ଅନୁ ସହ ଫୋନ୍ ରେ ଗପୁ ଗପୁ ପାହାଚ ସବୁ ଅତିକ୍ରମ କରିବା ସହଜ ହେବ ଭାବି ମୁଁ ଛାତ ଅଭିମୁଖେ ଯାତ୍ରା ଆରମ୍ଭ କଲି।
ପ୍ରଥମ ପାହାଚରେ ପାଦ ମୋର ରଖିଥିଲି ହେଁ ମୋ ଅଳତା ପିନ୍ଧା ପଦଦ୍ୱୟ ରହିଯାଅ କିଛି କ୍ଷଣ କହିଉଠିଲେ, ସେହି ପାହାଚରେ ବସି ମୁଁ ମୋ କଥାକାହାଣୀ ଖାତା ଧରି କେତେ କ'ଣ ମନଗଢ଼ା ଧାଡ଼ି ସବୁ ଲେଖିଯାଉଥିଲି ଆଉ ତାଙ୍କୁ ପଢି ଶୁଣାଉଥିଲି। ଆଜି ପାହାଚ ତ ଅଛି, ମୋ କଲମ ଆଉ କାଗଜ ତ ଅଛି, ମୁଁ ତ ଅଛି , ମାତ୍ର ସେ କାହାନ୍ତି ? " ଆରେ ମୋ କଥା ଶୁଣୁଛୁ କି ନାହିଁ " - ଅନୁର ସ୍ଵର ଶୁଣି ଚମକି ପଡ଼ିଲି ମୁଁ। ପରେ କଥା ହେବି କହିଦେଇ କଲ୍ କାଟିଦେଇ ପାହାଚଗୁଡ଼ିକର ଆଳାପ ଶୁଣି ଶୁଣି ପୁଣିଥରେ ଉପରକୁ ଯିବାକୁ ଆରମ୍ଭ କଲି। ଏ ସଭିଏଁ ତ ଦିନେ ମୋ ଆନନ୍ଦର କାରଣ ଥିଲେ, "ତୁମ ଠାରୁ ବେଶୀ ସୁନ୍ଦର ତ କାନ୍ଥର ରଙ୍ଗ, ଦେଖ କେମିତି ଚମକି ଉଠୁଛି" - ପ୍ରତି ଫଟୋରେ ତାଙ୍କର ଏହି ବ୍ୟଙ୍ଗ ସୁନିଶ୍ଚିତ ଥିଲା। ହାତରେ ଫୋନ୍ ଥାଇ ମଧ୍ୟ ଏବେ ଫଟୋ ଉଠାଏନି ମୁଁ। ବ୍ୟଙ୍ଗଟିଏ ଅଭାବ ବୋଧେ...
ମନର ମାନସପଟରେ ହସ ରଙ୍ଗେ ଆଙ୍କିଥିବା ସ୍ମୃତି ଚିତ୍ର ଗୁଡ଼ିକୁ କ୍ରମେ ଲିଭାଇ ଦେବାର ବୃଥା ଚେଷ୍ଟା କରି କରି ମୁଁ ଅତିକ୍ରମ କରୁଥାଏ ପାହାଚ ପରେ ପାହାଚ। ହେଇ ତ ! ମୁକ୍ତ ଅମ୍ବର ମୋତେ ତା ଠିକଣା ନିଜ ହସ୍ତେ ଦେଉଛି। କିଛି ଦୂର ଆଉ, ହଁ ତ, ପାଦେ ଆକାଶ !
ନଭ ଦେଶକୁ ଏଇ ଏବେ ଏବେ ବିଦାୟ କହିଛନ୍ତି ଅରୁଣ ଆଉ ସେ ବାଟ ଚାହିଁ ବସିଛି ଶଶୀର। ଅମ୍ବୋଦର ଆଢ଼ୁଆଳେ ଲୁଚି ରହିଥିବା ତାରାଗଣ ବେଳେବେଳେ ଆଖିମିଟିକା ମାରୁଛନ୍ତି ବୋଧହୁଏ। ହଁ, ଶେଷ ପାହାଚ ଉପରୁ ସେହି ଦୃଶ୍ୟ ସୁସ୍ପଷ୍ଟ ଭାବେ ଚିତ୍ତରେ ରହିଯାଇଛି ସବୁଦିନ ପାଇଁ ଅମର ହୋଇ। ତଳକୁ ହଠାତ ନଜର ପଡ଼ିବାରୁ ଦେଖିଲି ମୁଁ ଦିନେ ମେହେନ୍ଦୀ ଲଗାଇବା ବେଳେ ଏଠି ମୋ ନାମ ସହ ତାଙ୍କ ନାମ ଲେଖିଦେଇଥିଲି, ବ୍ୟସ୍ତ ହୋଇ ସେଠାରୁ ପାଦ ବଢ଼ାଇବା ବେଳେ ଆଖିରୁ ଠୋପାଏ ଲୁହ ଝରି ପଡ଼ିଲା ଛାତର ରୁକ୍ଷ ସେ ଚଟାଣ ଉପରେ; ଛାତ ହେଲା ଓଦା...
ଆହା ! ମୋ କଣ୍ଟକାତ୍ୟ ମୋତେ ତାଙ୍କ ବିଷୟରେ ପଚାରୁଛି କାହିଁକି ? ମୋର ମିଠା ଏଇ ଦୁନିଆ ସହ ତାଙ୍କୁ ପରିଚିତ ଟିକେ କ'ଣ କରାଇ ଦେଲି ଯେ ଏ ସଭିଏଁ ଏବେ ମୋତେ ପାଶୋରି ତାଙ୍କୁ ସ୍ମରଣ କରିବାରେ ଲାଗିପଡିଛନ୍ତି... ପାଖକୁ ଯାଇ ସ୍ପର୍ଶ କରି ଗୋଲାପକୁ, ମନଲୋଭା ତା ରଙ୍ଗକୁ ପାନ କରିଚାଲିଲି କିଛିକ୍ଷଣ, ଏଇ ମୋର ନେତ୍ରଯୁଗଳଙ୍କର ତୃଷ୍ଣା ସାରିବାକୁ ଖାଲି। କ'ଣ କେଜାଣି ଏଇ ପତ୍ର ସବୁ କହୁଥିଲେ ମୋତେ, ମୁଁ ନିଜେ ପରା ଏମାନଙ୍କୁ ତାଙ୍କ ପରିଚୟ ଦେଇଥିଲି, ଏବେ ଏମାନଙ୍କର ପ୍ରଶ୍ନ ସବୁ ମୋ ହୃଦୟ ଥରାଇ ଦିଅନ୍ତି କାହିଁକି ! ଦୀର୍ଘ ୩୭ ଦିନ ପରେ ମୁଁ ଯେ ପୁଣି ଥରେ ଛାତ ଉପରକୁ ଆସିଥିଲି ଆଜି.. ବ୍ୟସ୍ତତା କାରଣ ନୁହେଁ ଏହା ସତ ଯେ, ସ୍ମୃତି ସବୁ କ୍ଷତ ଦେବେ ଜାଣି ମନ ମୋର ମନା କରେ ମୋତେ।
ଆହା ! ଏ ତ ମୁଁ, କିନ୍ତୁ ଏଇ ଦୁଇଟି କ'ଣ ମୋର ଆଖି ! କେତେ ଦିନ ବିତିଗଲାଣି, ନିଇତି ଆଇନା ଦେଖୁଛି ସତ ମାତ୍ର ତାଙ୍କ ପାଇଁ ନୟନରେ କଜ୍ଜ୍ଵଳ ନାଇ ମୋତେ ଦେଖେ ଯେପରି ମୁଁ ନିଜେ, ସେହିପରି ଦେଖେନାହିଁ ଆଉ। ଚକ୍ଷୁଦ୍ବୟ ନିଜ ଠିକଣା ହଜାଇଥିବା ପାଦପ ପରି ଦିଶୁଛନ୍ତି କାହିଁ ଆଜି ! ଯାହାକୁ ଖୋଜି ବୁଲନ୍ତି ଦୁହେଁ, ସେ ଯେ କେବେ ଲେଉଟି ଆସିବେନି ଆଉ - ଏକଥା କିଏ ବା ବୁଝେଇବ ତାଙ୍କୁ ? ମୋତେ ଫେରିବାକୁ ହେବ ଭାବି ଶେଷ ଥର ମନଭରି ମୋ ପ୍ରତିବିମ୍ବକୁ ନଦେଖି ତରତର ହୋଇ ଚାଲିଆସୁଥାଏ ମୁଁ।
ଓଃ ! କି କଷ୍ଟ ! କାହିଁକି କଣ୍ଟକ, ତୁମ ଗୋଲାପକୁ ମୁଁ ତ ଭର୍ତ୍ସନା ଦେଇନି। ମୋତେ ଏ କଷ୍ଟ ତୁମେ ଭେଟି ଦେଲ କାହିଁକି ? ଅଜାଣତେ ପାଦରେ କଣ୍ଟା ଫୁଟିଗଲା ଆଉ ମୁଁ ଯନ୍ତ୍ରଣାରେ ସେଇଠି ବସିପଡ଼ି ପାଦକୁ ଠିକଣା ଭାବିଥିବା କଣ୍ଟାକୁ କାଢ଼ିବାକୁ ଲାଗିଲି। ରକ୍ତିମ କ୍ଷତରୁ ଶୋଣିତ ବିନ୍ଦୁଏ ଝରିଗଲା ଛାତର ଚଟାଣ ଉପରକୁ ; ଛାତ ହେଲା ଓଦା।
ମୃଦୁ ମଳୟ ! ଆସି ମୋତେ କହିଦେଇଗଲା ମୋର ବେଗ ବଢ଼ାଇବା ପୂର୍ବରୁ ସୁରକ୍ଷିତ ହେବନାହିଁ କି ତୁମେ। ବିକଳ ହୋଇ ଚାହିଁ ରହିଲି ତାକୁ ଦଣ୍ଡେ ଆଉ ପୀଡ଼ା ଭୁଲି ତାରରେ ଶୁଖିଥିବା ଲୁଗାପଟା ସବୁକୁ ଧରି ଫେରିଯିବାକୁ ବାହାରିଲି ମୁଁ। ଯାଉ ଯାଉ ସମୀର କହୁଥାଏ, ଏକାକୀ ବଞ୍ଚିବା ଶିଖିଯାଅ ତୁମେ ; ତୁମକୁ ସୁରକ୍ଷା ବଳୟକୁ ଟାଣି ଆଣିବାକୁ ସଦା ମୁଁ ଉପସ୍ଥିତ ରହି ନପାରେ। ତାକୁ ଚାହିଁ ସ୍ମିତହାସ୍ୟଟିଏ ଦେଲି।
ମେଘର ବାଧାକୁ ଏଡେଇ ସେତେବେଳେ ଜହ୍ନ ଚାହିଁଦେଲା ମୋତେ, ଏ ତ ତୁମରି ଛାୟା, ତୁମେ ବାର୍ତ୍ତାଳାପ ବନ୍ଦ କରିବା ସମୟରେ ଏଇ ଶଶୀ ମୋତେ ତୁମ ପରି ଦିଶୁଥିଲା ଆଉ ଆଜି ଏତେ ଦିନ ପରେ ପ୍ରତିବନ୍ଧକ ଥାଇ ସୁଦ୍ଧା ସେ ମୋତେ କାହିଁ ଚାହିଁ ରହିଛି ଏପରି ? ନା, ସେ ତ ପୁଣି ଲୁଚିଗଲା। ତୁମେ ଫେରି ଆସିବ କେଉଁ ସମୟେ ପୁଣିଥରେ , ଏହା ମୋର ଭ୍ରମ ମାତ୍ର। ବିଧୂର ଶେଷ ଚାହାଣିକୁ ଅନାଇ ଅଶ୍ରୁ ଧାରା ମୋ ଗଣ୍ଡଦେଶ ପାରିକରି ଭୂମିକୁ ସ୍ପର୍ଶ କରିଛି ହେଁ ଜଳଦ କାୟା ବିସ୍ତାର କରିବାକୁ ଲାଗିଲା ନିଜର।
ଓଃ ! ମୋ ମନର ଅଲିଭା ସ୍ମୃତିର ଚାରାରେ ଜଳଦାନ କରିସାରି, ହୃଦୟକୁ ଅସଂଖ୍ୟ କିୟଦଂଶରେ ବାଣ୍ଟି ସାରିବା ପରେ କଣ୍ଟକ ଦେଇଥିବା ପୀଡ଼ା ନେଇ ମୁଁ ଫେରୁଥାଏ। ଦ୍ଵାରଦେଶରେ ଛିଡ଼ା ହୋଇ ଶେଷଥର ମୁଁ ଦେଖି ଭାବୁଥାଏ, ମୋ ଲୁହରେ, ଲହୁରେ ନା ବାରିବାହର ଆଗମନେ ସିକ୍ତ ଏଇ ମୁଦିତ ଚଟାଣ ଖଣ୍ଡିକ ? କ୍ରମେ ବାରିବିନ୍ଦୁ ଅକ୍ତିଆର କରୁଥାନ୍ତି ପ୍ରତି କୋଣ ଓ ଅନୁକୋଣକୁ। ଛାତ ହେଉଥାଏ ଓଦା, ମୋ ଶୁଖିଲା ହୃଦୟ ଧରି ମୁଁ ଦେଖୁଥାଏ ଓଦା ଛାତର ପ୍ରତ୍ୟକ୍ଷ ଉଦାହରଣ....
-ପରୀ❣️
