STORYMIRROR

ପରୀ <3

Drama Tragedy Classics

3.2  

ପରୀ <3

Drama Tragedy Classics

ମୃତ ନାୟିକାର ଶେଷ ଚିଠି 🥀💌

ମୃତ ନାୟିକାର ଶେଷ ଚିଠି 🥀💌

4 mins
269

            ସେ ଫେରିବେ ! ସେ ଫେରିବେନି ! ସେ ଫେରିବେ ! ସେ....

             ଗୋଲାପର ଗୋଟିଏ ଗୋଟିଏ ପାଖୁଡ଼ାକୁ ଛିଡାଇ ଗୁଣୁଗୁଣୁ ହୋଇ କହିଯାଉଥିଲା ମାନିନୀ। "ରୂପ ହୋଇଥିବ ଲାବଣ୍ୟବତୀ.." ଏହି ସଙ୍ଗୀତ ଶୁଣି ଧଡ଼ପଡ ହୋଇ ଉଠି ଜୋରରେ ବନ୍ଦ କରିଦେଇଛି ରେଡିଓଟିକୁ। ଅବିନାଶ ଏହି ଗୀତ ଗାଆନ୍ତି, ତାକୁ ଦେଖି ବ୍ୟଙ୍ଗ କରିବା ପାଇଁ। ସେଥିପାଇଁ ଏହି ଗୀତ ତା'ର ଭାରି ପସନ୍ଦ। ଏବେ କିନ୍ତୁ ଏଇ ପଦକ ଶୁଣି ଦେଲେ ସ୍ମୃତିର କିୟଦଂଶ ସବୁ ଚିତ୍ର ହୋଇ ଆଙ୍କି ହୋଇଯାଆନ୍ତି ହୃଦୟର କାନଭାସ୍ ରେ ଆଉ ଦୁଇ ଧାର ଲୁହ ଝରିଯାଏ ମାନିନୀ ଆଖିରୁ। ନିଜ ଜୀବନରେ ବହୁ ବ୍ୟସ୍ତତା ଅଛି ଦେଖାଇବା ପାଇଁ ପର୍ସଟିକୁ ଧରି କୁଆଡେ ବହାରିଯାଇଛି ସେ। ଆଖି କୋଣରେ ଲୁହ ଟୋପାଟାଏ ଢଳଢଳ ହେଉଥାଏ। ଅନ୍ୟମନସ୍କ ରହିବାର ଅଭିନୟ କରି "ବୋଉ ! ମୁଁ ମନ୍ଦିର ଯାଉଛି" କହି ଘରୁ ବାହାରି ଆସିଛି ସେ।କେହି ଶୁଣି ନାହାଁନ୍ତି ତା' କଥା। ଶୁଖିଲା ଗୋଲାପ ପାଖୁଡା ଗୁଡ଼ିକ ବିଞ୍ଚି ହୋଇ ପଡ଼ିରହିଛି ଶେଯ ଉପରେ।

            ଘରେ ଝିଅ ମାନଙ୍କୁ କାନ୍ଦିବା କୁଆଡେ ମନା। ଶହେ କାରଣ କହିବାକୁ ପଡେ, ଅଧେ ସତ ହେଲେ ଅଧେ ମିଛ। ଅବଶ୍ୟ ସର୍ବରୀ ଏଇ ଦୁଃଖ ଦୂର କରିବାରେ ସହାୟକ ହୁଏ।ଆଖିରୁ ଲୁହ ଧାର ଦୁଇଟି ବାହାରି ଆସିବାକୁ ଶତ ଚେଷ୍ଟିତ ହେବା ପରେ ଶେଷରେ ବହି ଯାଇଛନ୍ତି ସବୁ ବାଧା ବନ୍ଧନ ଡେଇଁଯାଇ। ଲୁହକୁ ଲପନ ଦେଶରୁ ଲିଭାଇଦେଇ ମନ୍ଦିର ଯିବାକୁ ଅଟୋରିକ୍ସା ଅଟକାଇଛି ମାନିନୀ।

             ଏହି ମାନିନୀ, ଡକ୍ଟର ମାନିନୀ ମିଶ୍ର। ସଫଳତା ସହ ପ୍ରେମ ଜିତିଥିଲା ସେ, ଦୁଃଖ ଗିରିର ନାନା ପାହାଚ ଅତିକ୍ରମ କରି ବାପାଙ୍କ ସ୍ଵପ୍ନ ପୂରଣ କରିଥିଲା। ମାତ୍ର ଜୀବନର ଏହି ତିନି ବର୍ଷ ଏକା ଏକୁଟିଆ କେମିତି ଯେ ସେ ବିତାଇଛି, ଏକା ସେ ଜାଣେ। ଆଜି ତାର ଜନ୍ମଦିନ। ଜନ୍ମଦିନରେ ଚିଠି ଲେଖେ ସେ, ତା ଅତୀତକୁ। ଅବିନାଶ, ତା ପ୍ରିୟ ଅତୀତ, ତା ପ୍ରେମ, ପ୍ରଣୟ, ପୂଜା, ପ୍ରତାରଣା ସବୁ ତ ସେହି ଜଣେ। ତିନି ବର୍ଷ ପୂର୍ବେ ଏକାଠି ଥିଲେ ଦୁହେଁ। ହଠାତ ଦିନେ ମନମାଳିନ୍ୟରେ ତାକୁ ପ୍ରେମ ମରୁଭୂମିରେ ମରୀଚିକା ପଛରେ ଧାଇଁବାକୁ ଏକା ଛାଡ଼ିଦେଇ ଅବିନାଶ ଫେରିଯାଇଥିଲେ କିଛି ନ କହି। ସେବେଠାରୁ ତାକୁ କେହି କିଛି କୁହନ୍ତିନାହିଁ କି ସେ କିଛି କହିଲେ କେହି ବୁଝନ୍ତି ନାହିଁ, କେଜାଣି କାହିଁକି। ଯାଇଥିଲେ ଯେ ଆଜି ଯାଏଁ ସେ ଫେରିନାହାନ୍ତି। ସତେ ଯେପରି ଉଜୁଡ଼ି ଯାଇଥିଲା ତା ଟିକି ସଂସାର ସେଦିନ ଠାରୁ। ପ୍ରତିବର୍ଷ ସେ ମନ୍ଦିର ଯାଇ ଚିଠି ଲେଖେ ତାଙ୍କୁ, କାଳେ କେବେ ଫେରିଆସିବେ ସେ।

              ମନ୍ଦିର ଦ୍ଵାରରେ ମାନିନୀ ଓହ୍ଲାଇ ପଡ଼ିଛି। ଦୂର ଦୂର ଯାଏଁ କେହି ଦେଖା ଯାଉନାହାନ୍ତି। ମନ୍ଦିର ଦୁଆରେ ବିରାଟକାୟ ବରଗଛଟିଏ, କାହିଁ କୋଉ କାଳରୁ ଆସ୍ଥାନ ଜମେଇ ରହିଛି ସେଠାରେ ଓ ସ୍ନେହରେ ମେଲାଇ ଦେଇଛି ନିଜର ସେ ବଡ଼ ବଡ଼ ଶାଖାପ୍ରଶାଖା ଗୁଡ଼ିକୁ, ଜେଜେମା ପିଲା ଗହଣରେ ଗପପେଡ଼ି ମେଲାଇଲା ପରି। ବରଗଛଟି ତାର ଅତି ପ୍ରିୟ।ସେଇଠି ହୋଇଥିଲା ପ୍ରଥମ ସାକ୍ଷାତ ତା'ର ଅବିନାଶଙ୍କ ସହ।ସେ ଘଟଣାକୁ କେତେ ଯୁଗ ବିତିଗଲା ପରି ଲାଗୁଥାଏ ତାକୁ ସେଦିନ।ପାହାଡ଼ ଉପରେ ମନ୍ଦିର ବୋଲି ବେଶୀ ଭିଡ଼ ନଥାଏ। ଏଇଠୁ ବାଙ୍କେ ବୁଲିଗଲେ ବଡ଼ ଝରଣାଟେ। କେଡେ ଶୀତଳ ପବନ, କେଡେ ମିଠା ଏଠାରେ କୁସୁମର ବାସ୍ନା। ସତେ ଯେପରି ସବୁ ସୌନ୍ଦର୍ଯ୍ୟକୁ ଏହି ସ୍ଥାନରେ ଅଜାଡ଼ି ଦେଇଛି ପ୍ରକୃତି, ସତେ ଯେମିତି ପରିବେଶ ପାଲଟିଛି ଲକ୍ଷେ ରଙ୍ଗ ସାଉଣ୍ଟିଥିବା ଚିତ୍ରକରର ଜୀବନ୍ତ କଳାକୃତି ଟିଏ। ବରଗଛ ତଳେ ବସିପଡ଼ି, ଚିଠି ଲେଖିବା ଆରମ୍ଭ କରିଛି ମାନିନୀ।

             କେହିଜଣେ ଚିଠି ପଢ଼ିବା ଆରମ୍ଭ କରିଛନ୍ତି (ଅଜଣା ସ୍ୱର)। ଜନ୍ମ ଜନ୍ମର ପଶ୍ଚାତ୍ତାପ ଓ ଅସୁମାରି ଅକୁହା କୋହ ସହ ଅସହ୍ୟ ଯନ୍ତ୍ରଣା ମିଶା ଶୁଭୁଛି ସେ କଣ୍ଠ ସ୍ଵର।

ଏତେ କ'ଣ ରାଗ ଯେ !

ମୁଁ କ'ଣ କେବେ ତୁମକୁ ଛାଡି ବଞ୍ଚିବାର କଥା ଚିନ୍ତି ପାରିବି ? ଆଜି ଜନ୍ମଦିନଟା ମୋର, ଉପହାର ବଦଳରେ ନିର୍ଜନତା ଭେଟି ଦେଲ ତୁମେ।କୁହ, ପ୍ରେମିକାକୁ କେହି କେବେ, ପୁଣି ଜନ୍ମଦିନରେ ଏକା ଛାଡ଼ି ଯାଏ କି ? ତୁମ ଧଳା ସାର୍ଟ, ଯୋଉଟାକୁ ଆଇରନ୍ କରିବା ସମୟରେ ପୋଡିଦେଇ ଥିଲି, ତୁମ ପାଇଁ ନୂଆ ଆଣିଦେଇଛି। ତୁମେ ଫେରିଲେ କବିତା ସବୁ ପଢ଼ିବ।ତୁମେ ଯିବା ପରେ, ସମୟ ମୋତେ ଲେଖିବାକୁ କେଜାଣି କାହିଁ ବାଧ୍ୟ କଲା ! ମୁଁ ଏଠାରେ ଠିକ୍ ଅଛି, ଆଉ ମୋ କଥା ଭାବି ତୁମେ ଚିନ୍ତାରେ ରହିବନି। ଫେରିବ ଯେବେ ଗୋଲାପଟେ ଆଣିବ, କଣ୍ଟା ସହ। ହଁ, ଆସିବା ବାଟରେ କଲେଜ ପଡ଼ିବ ପରା, ସେଠାରୁ ପ୍ରୀତି ପାଖକୁ ଯାଇ ଫଟୋ ସବୁ ଆଣିଆସିବ। ସମୟର ନଈ କେବେ ସ୍ମୃତିର ସାଗରରେ ମିଶିଗଲା ଜାଣିହେଲା ନାହିଁ। ତୁମ ସହ ଦଶ ବର୍ଷର ଏ ସମ୍ପର୍କ କେବେ ହୃଦୟର ଗୋଟେ କୋଠରୀ ଅଧିକାର କରି ବସିଲା ଜଣାପଡିଲା ନାହିଁ।

.............

ଆଉ ଲେଖି ପାରିବିନି, ବୋଉକୁ କହି ଆସିଛି ମନ୍ଦିର ଯାଉଛି, ବେଳ ଗଡ଼ିଗଲେ ମୋତେ ମାରି ପକେଇବ ସିଏ। ଆଚ୍ଛା ତୁମେ ଜାଣିଛ, କଲେଜ ବେଳେ ଗୋଟେ କାହାଣୀ କଥା ଭାବୁଥିଲ ନା ତୁମେ ! ଯାହାର ନାଁ କି ପ୍ରସଙ୍ଗ ବାଛି ପାରୁନଥିଲ, 'ମୃତ ନାୟିକା' କହି ଅଟକି ଯାଉଥିଲ, ମୁଁ ନାଁଟି ଭାବିଛି, "ମୃତ ନାୟିକାର ଶେଷ ଚିଠି"। ହଁ, କାହାଣୀ ରଚିବାକୁ ଭୁଲିବନି। ପାରିବ ଯଦି ଲେଖି ଆଣି ମୋତେ ପଢ଼ି ଶୁଣାଇବ। ହଁ, ତୁମ ନାୟିକାର ନାମ ମାନିନୀ ହିଁ ଦେବ। ରାଗିକରି ଚିଠି ଚିରିବନି କି ନାୟିକାର ନାମ ମୋନାଲିସା ରଖିବନି। ଫେରିଲେ ଢେର୍ ସାରା କଥା କହିବାର ଅଛି। ଶୀଘ୍ର ଫେରିବ। ତେବେ ଏଇ ନାୟିକା ରହିଲା ତା ନାୟକର ଅପେକ୍ଷାରେ...

ll ଇତି ତୁମ ମାନିନୀ ll

           ଅବିନାଶ ଚିଠି ପଢ଼ିବା ଶେଷ କଲେ। ଦୁଇ ଆଖିରୁ ଧାର ଧାର ହୋଇ ଲୁହ ଟୋପା ଗୁଡ଼ିକ ଭୂଇଁରେ ଲୋଟିଗଲେ ବିକଳ ହୋଇ। ସେ ଚିଠିକୁ ଛାତିରେ ଲଗାଇ, ଅସହାୟ ପରି ଚିତ୍କାର କରୁଥାନ୍ତି, ଯଦି ସେଦିନ ସେ ତାଙ୍କ ପ୍ରେମିକାର ପାଖରେ ଥାଆନ୍ତେ, ତେବେ ଏହି ଚିଠି କ'ଣ ଶେଷ ଚିଠି ସାଜିଥାନ୍ତା ତାଙ୍କ ନାୟିକାର ! ତିନି ବର୍ଷ ତଳେ ଏଇଠି ଶେଷ ସାକ୍ଷାତ ହୋଇଥିଲା ତାଙ୍କର, ତାଙ୍କ ମୃତ ନାୟିକା ସହ। ଗାଡି ସହିତ ମାନିନୀ ପାହାଡ଼ ତଳକୁ ଖସି ପଡିଥିଲା, ସାମାନ୍ୟ ଆକ୍ସିଡେଣ୍ଟଟିଏ ଜନ୍ମ ଦିନରେ ଜୀବନର ଦୀପକୁ ଲିଭାଇଦେଇଥିଲା ମାନିନୀର। ସହସ୍ର ରବିଙ୍କ କିରଣ ସାଇତା ହୋଇଥିବା ପରି ସତେଜ ରହୁଥିବା ମୁହଁଟି ମାନିନୀର ମଳିନ ଥିଲା ସେଦିନ। ସେ ଯେପରି ତାଙ୍କୁ କହୁଥିଲା, ଶେଷ ଥର ମୋତେ ମୃତ ନାୟିକା ଭାବେ ଦେଖିବାକୁ ଫେରିଛ କି ତୁମେ !!

           ଏଇ ଚିଠି ନେଇ ସେ ଆସିଛନ୍ତି, ଶୁଷ୍କ ଗୋଲାପ ପାଖୁଡ଼ା ଉପରେ ପାଣି ଛିଞ୍ଚି ତାକୁ ବଞ୍ଚାଇବାକୁ ଚେଷ୍ଟା କରିବା ପରି ମାନିନୀର ଅଜସ୍ର ସ୍ମୃତି ସବୁକୁ ସତେଜ କରିବା ପାଇଁ। ମାନିନୀ ଦେଇଥିବା ଧଳା ରଙ୍ଗର ସାର୍ଟ ତାଙ୍କର ପରିଧାନ, ହାତରେ ବହିଟିଏ ସହ ଚିଠିଟି ଆଉ ଗୋଟିଏ ଗୋଲାପ ତା କଣ୍ଟା ସହ ଧରିଛନ୍ତି। ଆଜି ତାଙ୍କ କାହାଣୀ 'ମୃତ ନାୟିକାର ଶେଷ ଚିଠି'ଟି ପୁସ୍ତକ ଭାବେ ପ୍ରକାଶ ପାଇଛି, ମାନିନୀକୁ ଶୁଣାଇବାକୁ ସେ ବହିଟି ପଢ଼ିବା ଆରମ୍ଭ କରିଛନ୍ତି।

          ବାମ ପାର୍ଶ୍ୱରେ ମାନିନୀ ସ୍ମିତ ହାସ୍ୟଟେ ଦେଇ ଭାବୁଛି ମୃତ ନାୟିକାର ଶେଷ ଏଇ ଚିଠି ତାହେଲେ ଠିକଣା ପାଇଛି ତା' ପ୍ରିୟ ନାୟକର !!

-ପରୀ❣️


Rate this content
Log in

Similar oriya story from Drama