କୁମୁଦିନୀର ତପସ୍ୟା
କୁମୁଦିନୀର ତପସ୍ୟା
"ମୋର ଶ୍ରୀମନ୍ଦିର, ତୋର କେଉଁ ବିଷୟରେ ଲେଖିବାକୁ ଅଛି ?" ନିଶାର ପ୍ରଶ୍ନରେ ଚମକି ପଡ଼ିଛି ଚିତ୍ରା। ଅସ୍ତବ୍ୟସ୍ତ ମନ ଆକାଶରେ ପ୍ରଶ୍ନବାଚୀ ସାଜିଥିବା କଳା ବଉଦକୁ କ୍ଷଣିକ ପାଇଁ ଏଡେଇ ଦେଇ ଉତ୍ତର ଦେଇଛି "ହଁ, ମୋର ବିଷୟ ହେଲା କଇଁଫୁଲ, ଏବେ ତୁ କହ କଇଁ ଗୋଟେ କି ଜିନିଷ ଏମିତି ଯେ ମୁଁ ତା ପାଇଁ କାଗଜ କଲମ ଧରି ଲେଖିବାକୁ ବସିବି ! ହେଉ, ଅନ୍ଧାର ଆସିବ ଆସିବ ହେଲାଣି। ବୋଉ ମୋର ଚାହିଁ ବସିଥିବ, ମୁଁ ଆସୁଛି।" ଏତକ କହିଦେଇ କଲେଜ କ୍ୟାମ୍ପସ୍ ରୁ ବାହାରି ଆସିଛି ଚିତ୍ରା। ସେଠାରୁ ବସ୍ ରେ ଘରକୁ ଫେରେ ନିଇତି। ଆଜି ମଧ୍ୟ ବସ୍ ରେ ବସି ନିଜ ଜୀବନର ଅଧ୍ୟାୟକୁ ପୁନଶ୍ଚ ଦୋହରାଇବାର ଥିଲା ତାକୁ।
ସେପଟର ଆକାଶରୁ ଜହ୍ନ ମୁଣ୍ଡ ଟେକି ଚାହିଁଲେଣି। ଆହା ! କି ଅପରୂପ ତାଙ୍କ ସୌନ୍ଦର୍ଯ୍ୟ, କେଡେ ମନୋମୁଗ୍ଧକର ଏ ପୂର୍ଣ୍ଣମୀର ଶଶୀ ! କିନ୍ତୁ ଏମିତି ରକ୍ତିମ କାହିଁକି ତାଙ୍କ ମୁଖମଣ୍ଡଳ? କ'ଣ ବା ରହସ୍ୟ ଏହି ଲୋହିତ ରଙ୍ଗ ଧାରଣ ପଛରେ ? ମନେ ମନେ ଟିକେ ହସିଦେଇ ଆଖି ବନ୍ଦ କରି ଶୋଇଯିବ ଭାବିଛି ସେ। "ଏଁ !!! କଳାହାଣ୍ଡିଆ ମେଘଟା କୋଉଠି ଥିଲା ବା, ଆଜିକି ଆସିବାକୁ ବେଳ ମିଳିଲା ୟାକୁ।" ବସ୍ ଭିତରୁ ସ୍ତ୍ରୀ ଲୋକ ଜଣେ ପାଟି କରିଉଠିଲେ ଆଉ ତାଙ୍କୁ ଏହି କ୍ଷଣି ବସ୍ ରୁ ଓହ୍ଲାଇ ଦେବାପାଇଁ କହିଲେ। ବସ୍ ଟି ସେଠାରେ ଅଟକିଲା ଓ ଭଦ୍ର ମହିଳା ଜଣଙ୍କ ସେଠାରେ ଓହ୍ଲାଇ ଚାଲିଗଲେ।
ଚିତ୍ରା ସେପଟୁ ମନକୁ ଟାଣି ଆଣି ଜହ୍ନକୁ ଗଗନେ ଖୋଜିଲା ବେଳେ ଦେଖେ ଜହ୍ନ ତାକୁ ଠକିଦେଇ ବାଦଲ ଆଢ଼ୁଆଳରେ ଲୁଚି ଯାଇଛି ବୋଧ ହୁଏ। ହଠାତ ଭୀଷଣ ବଜ୍ରପାତ ସହ ଭୀମ ଗର୍ଜନ ପରି ଘଡ଼ଘଡ଼ି ଶୁଣାଗଲା। ତା ସାଙ୍ଗକୁ ବାରିବାହ ନିଜର ସରଗମ୍ ଗାଇବା ଖାଲି ବାକିଥିଲା।
ଦେଖୁଦେଖୁ ବର୍ଷା ହେବା ଆରମ୍ଭ ହେଲା। କିଛିଟା ମୁହୂର୍ତ୍ତ ପରେ ଭୀଷଣ ବର୍ଷା ଯୋଗୁ ପଥ ସବୁ ଜଳମଗ୍ନ ହୋଇଗଲା ଏବଂ ଯାନ ଚଳାଇବାକୁ ଅସୁବିଧା ହେବାରୁ, ଯାତ୍ରୀମାନଙ୍କୁ ଏକ ଅଟ୍ଟାଳିକା ସାମ୍ନାରେ ଓହ୍ଲାଇବାକୁ ପଡ଼ିଲା। ଅକସ୍ମାତ ଏପରି ଅତି ପ୍ରବଳ ବର୍ଷାର କାରଣ କେହି ବୁଝିପାରିନଥିଲେ ଏବଂ ଜଳରାଶି ବେଳକୁ ବେଳ ବଢ଼ିବାକୁ ଲାଗିଥିଲା। ସଭିଏଁ ସେଠାରେ ନିରାପଦରେ ଅଛନ୍ତି ବୋଲି ପରିଜନଙ୍କୁ ଜଣାଇବା କାମ କାଠିକର ପାଠ ପାଲଟିଥିଲା, କାରଣ ଇଣ୍ଟରନେଟ ସୁବିଧା ବାଧାପ୍ରାପ୍ତ ହୋଇଥିଲା। ହଠାତ ଚିତ୍ରା ଦେଖିଛି କେହି ଜଣେ ତାଣ୍ଡବ ଲୀଳା ରଚୁଥିବା ନଭକୁ ଅପଲକେ ଚାହିଁ ରହି ହସୁଛି। କ୍ରୋଧ ନ ସମ୍ଭାଳି ପାରି ତାଙ୍କୁ ଯାଇ ତାଙ୍କ ପାଗଳାମିର କାରଣ ପଚାରିଛି।
ଚିତ୍ରାକୁ ଦେଖି ତାଙ୍କ ମୁଖମଣ୍ଡଳରେ ଆହୁରି ଉତ୍କଟ ହାସ୍ୟଟେ ପ୍ରକାଶିତ ହୋଇଛି। ଚିତ୍ରା କିଛି ବୁଝିପାରିନି। ବ୍ୟକ୍ତି ଜଣଙ୍କ କହିଛନ୍ତି, "ମୁଁ ଶଶୀ, ଏମିତି ଦିନେ ମୋ କୁମୁଦିନୀ ମୋ ନିକଟକୁ ଆସିବାକୁ ଚେଷ୍ଟା କରିଥିଲା। ଜାଣିନଥିଲା ବୋଧହୁଏ ସେ ଯେଉଁ ବାରି ସାହାଯ୍ୟରେ ଆକାଶରେ ଶଶୀକୁ ଛୁଇଁବାର ସ୍ଵପ୍ନ ଦେଖୁଛି, ସେ ଜଳବିନ୍ଦୁ ଗୁଡ଼ିକ ତା'ର ଅସ୍ତିତ୍ବ ଲିଭାଇଦେବାକୁ ସଦା ଚେଷ୍ଟିତ।" ତାଙ୍କ କଥା କିଛି ନ ବୁଝିପାରି ଚିତ୍ରା ଚୁପ୍ ଚାପ୍ ଆସି ନିଜ ସ୍ଥାନରେ ବସି ଯାଇଛି।
କିଛି କ୍ଷଣ ଅନ୍ତେ କକ୍ଷଟିରେ ଜଳ ପୂର୍ଣ୍ଣ ହେବା ଆରମ୍ଭ ହୋଇଛି। ସେଠାରେ ଏକତ୍ର ଥିବା ଯାତ୍ରୀଗଣ ଅଟ୍ଟାଳିକାର ଉପର ମହଲର ଏକ କକ୍ଷକୁ ଯିବାକୁ ନିଷ୍ପତି ନେଇଛନ୍ତି, ଏବଂ କୋଠରୀଟି ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହେବା ପୂର୍ବରୁ ସଭିଏଁ ସେଠାରୁ ଅନ୍ୟ କକ୍ଷକୁ ଚାଲିଯାଇଛନ୍ତି। ଏଥର ସେ ବ୍ୟକ୍ତି ଜଣଙ୍କ ଝରକା ଫିଟାଇ ବାହାରର ଦୃଶ୍ୟକୁ କରୁଣ ନୟନରେ ଚାହିଁଦେଇ ହସିବାକୁ ଲାଗିଛନ୍ତି। ଚିତ୍ରା ତାଙ୍କୁ ଅବାକ୍ ହୋଇ ଚାହିଁ ରହିଛି।
ସେ କହିବା ଆରମ୍ଭ କରିଛନ୍ତି " ମୋ ନାଁ ଶଶୀ। ମୁଁ ନିଶାରେ ଆଉ ପେଶା ରେ ଜଣେ ଲେଖକ। କଥାରେ ଅଛି ଲେଖକକୁ ପ୍ରେମ ହୁଏ ବାରମ୍ବାର ! ମାତ୍ର ଏଇ ଲେଖକକୁ ଥରେ ପ୍ରେମ ହୋଇଥିଲା, ହଁ ମାତ୍ର ଥରଟିଏ; ମର୍ତ୍ତ୍ୟର ପରୀଟିଏ ସହ। କୁମୁଦିନୀ, ନାୟିକା ମୋ ପ୍ରେମ କାହାଣୀର। ବଡ଼ ଅଜବ ଥିଲା ଆମ ପ୍ରେମ କାହାଣୀ। ଲାଗୁଥିଲା ବହୁଦୂରେ ମୁଁ ଓ ମୋର ଅତି ନିକଟରେ ସେ ସଦା ଉପସ୍ଥିତ ଥାଏ। ସ୍ୱାର୍ଥପରତାର ପରିଚୟ ସାଜିଥିବା ପ୍ରତ୍ୟେକ ମନୁଷ୍ୟମାନଙ୍କୁ ନେଇ ଗଢ଼ା ଏଇ ଧରିତ୍ରୀରେ ସେ ବୋଧେ ଥିଲା ନିଃସ୍ଵାର୍ଥପରତାର ସରନ୍ତି ସମ୍ବଳରୁ ଶେଷ କୋହିନୂର୍ ଟେ। ଲେଖା ମୋର ତାକୁ ପ୍ରାଣ ଠାରୁ ପ୍ରିୟ ଥିଲା, କିନ୍ତୁ ଦେଖ ସବୁଦିନ ପାଇଁ ସେ ହିଁ ମୋ କବିତାର ଶବ୍ଦ ହୋଇ ରହିଗଲା... ଅବଶ୍ୟ ଦେଖା ସାକ୍ଷାତ ଆମର ବେଶି ନଥିଲା, ଅଗଷ୍ଟ 12 ! ଶେଷ ସାକ୍ଷାତ ଥିଲା ତା ସହ। ତା ପରଠୁ ଏଇ ଶଶୀ କେତେ ଆକୁଳ କଣ୍ଠେ ଡାକିଛି ତାକୁ, ମାତ୍ର ସେ ଗଭୀର ନିଦ୍ରାରେ ଶଶୀର ସ୍ପର୍ଶକୁ ସ୍ୱପ୍ନେ ଅନୁଭବ କରୁଥିଲା କି କ'ଣ କେଜାଣି ; ଉତ୍ତରରେ ଓ! ଟିକେ ବି କଲାନାହିଁ। କୁହେ, 'ନାମ ଆମ ଦୁହିଁଙ୍କର ପରସ୍ପରର ପରିପୂରକ କାଇଁ ହୋଇଛି ଜାଣ ; ମୁଁ ଜନ୍ମ ଜନ୍ମ ପାଇଁ ତୁମର ହୋଇ ଫେରିବାକୁ ଆଉ ତୁମକୁ ଦଣ୍ଡକ ପାଇଁ ନିଜ ପଲକେ ଭରିଦେବା ନିମନ୍ତେ ପ୍ରାଣର ପ୍ରତି ରୁଧିର ବିନ୍ଦୁକୁ ଉତ୍ସର୍ଗ କରିବାକୁ ଓ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୁମ ସହ ପ୍ରଣୟ ଓ ତୁମ ବିହୁନେ ବିରହକୁ ସହିବାକୁ ପରା।' ମୋ ପାଇଁ ନିଜର ସବୁ କିଛି ଛାଡି ମୋ ପାଖକୁ ଆସିବାକୁ ଦିନେ ବାହାରିଥିଲା ସେ ! ଆଉ ଏଇ ଜଳଦ ସେଦିନ ଏମିତି ରିପୁ ସାଜି ଉପସ୍ଥିତ ହୋଇଥିଲା ତାକୁ ନିଜ ପୁଷ୍ପକ ବିମାନେ ବସାଇ ବଳାହକର ସ୍ୱର୍ଗପୁରୀକୁ ନେଇଯିବା ପାଇଁ। ଏବଂ ସେଦିନ ଏମିତି ବାରିଦ ନିଜ ତାଣ୍ଡବ ନୃତ୍ୟ ରଚନା କରୁଥିଲା ଆଉ ଏଇ ଶଶୀ ଚାହିଁ ବସିଥିଲା, ଜଳରାଶି ତା କୁମୁଦିନୀକୁ ଆଣି ଶିଖରରେ ପହଞ୍ଚାଇବାର ବାଟକୁ। କିନ୍ତୁ ଅଧା ବାଟରେ ସେ ଆସୁଥିବା ଯାନଟି ଜଳମଗ୍ନ ରାସ୍ତାରେ ଭାରସାମ୍ୟ ହରାଇ ସେତୁବନ୍ଧ ଉପରୁ ଖସିପଡ଼ିଲା ଓ କୁମୁଦିନୀ ସଦା ପାଇଁ ନୀରଜଗତର ବାସିନ୍ଦା ସାଜି ଆକାଶର ଏ ଜହ୍ନ ଠାରୁ ବିଦାୟ ନେଇ ଚାଲିଗଲା ଆଉ କେବେ ନ ଫେରିବାର ସମ୍ଭାବ୍ୟତାକୁ ୧ କରାଇ।"
ଏଇ ହୃଦୟଥରା ଅଙ୍ଗେ ନିଭା କାହାଣୀରେ ଏକଦମ୍ ହଜିଯାଇଥିଲା ଚିତ୍ରା। ଶଶୀ ଆଉ କିଛି ନ କହିବାରୁ ଅଜାଣତରେ ଚିତ୍ରା କହିପକାଇଛି "ତେବେ କ'ଣ କିଛି ମୂଲ୍ୟ ନାହିଁ କୁମୁଦିନୀର ତପସ୍ୟାର, କ'ଣ କେବେ ସେ ଶଶୀ ପାଖକୁ ସତରେ ଫେରିବେନି?" "ଏ ଶଶୀଟା ଏଡେ ଅଭାଗା ଯେ ଜୀବନ ଆଉ ମୃତ୍ୟୁର ରଜ୍ଜୁ ଛିଡ଼ାଇ ତା କୁମୁଦିନୀ ନିକଟକୁ ଫେରିଯାଇ ପାରୁନାହିଁ। କିଛି ହାସଲ କରିବାର ଆଶା ନ ରଖି ନିଜକୁ ସମ୍ପୂର୍ଣ୍ଣ ରୂପେ ମୋ ନିକଟେ ସମର୍ପଣ କରିଥିବା ସେ ପ୍ରଣୟିନୀକୁ ସୀମନ୍ତିନୀ ହେବାର ସୌଭାଗ୍ୟ ପ୍ରଦାନ କରିପାରିନାହିଁ। ଶଶୀର ସିନା ଏତେ ବଡ଼ ଆକାଶ, ସେ ଆକାଶ କିନ୍ତୁ ପ୍ରାଣହୀନ, କାରଣ ବିଧୁର ପ୍ରଣୟିନୀ ପାଇଁ ସେଠାରେ ଦେଖାଯାଏ ସ୍ଥାନର ଅଭାବ।"- ଶଶୀ ଉତ୍ତର ଦେଇଛନ୍ତି।
"ତେବେ କୁମୁଦିନୀ ଆଉ ଶଶୀ କେବେ ଆଉ କିପରି ଏକାଠି ହେବେ ?" ଦୁଃଖ ଭରା କଣ୍ଠେ ଚିତ୍ରା ପ୍ରଶ୍ନ କରିଛି ଶଶୀଙ୍କୁ। 'ମାଡାମ୍, ଆପଣଙ୍କ ଷ୍ଟପେଜ୍ ଆସିଲାଣି' କଣ୍ଡକ୍ଟରର ଡାକରେ ଚମକି ପଡ଼ିଛି ଚିତ୍ରା। ନିଦ ଭାଙ୍ଗି ଯାଇଛି ଓ ସେ ଦେଖିଛି ଏବେ ମଧ୍ୟ ସେ ବସ୍ ରେ ଯାତ୍ରୀଟିଏ। ଏସବୁ ତେବେ କ'ଣ ତାର ସ୍ଵପ୍ନ ଥିଲା ! ସ୍ୱପ୍ନରେ ସେ କାହାଣୀର ଆକୁଳତାକୁ ମନେ ପକାଇ ବର୍ତ୍ତମାନର ସତ୍ୟତାକୁ ସେ ସହଜରେ ସ୍ଵୀକାର କରିପାରୁନଥାଏ।
ଇତି ମଧ୍ୟରେ ବସ୍ ରୁ ଓହ୍ଲାଇ ଦେଖିଛି ନିର୍ମଳ ନଭଟି ଚନ୍ଦ୍ରମାଙ୍କୁ ଅଙ୍କେ ଧରି ତାକୁ ଚାହିଁ ହସୁଛି। ରକ୍ତିମ ରଙ୍ଗେ ଜହ୍ନ ତ ସେମିତି ଅଛି। ଲାଗୁଛି ସତେ, ପୂର୍ଣ୍ଣ ହେଲେ ବି ତା ମୁଖ କୁମୁଦିନୀର ଠିକଣାକୁ ବିକଳ ହୋଇ ଅଣ୍ଡାଳି ପକାଉଛି। ଚିତ୍ରା କିଛି ବାଟ ଚାଲିଚାଲି ଯାଇ ବାଟରେ ପୁଷ୍କରିଣୀଟିଏ ଦେଖିଛି। ଏହି ବାଟେ ତ ସିଏ ସବୁବେଳେ ଆସେ, କିନ୍ତୁ କେବେ ନଜର କରିନି ଯେ ଏଠାରେ କୁମୁଦିନୀ ଜହ୍ନଙ୍କୁ ଚାହିଁ ରହିଥାଏ ସଦା।
କିଛି ସମୟ ପୂର୍ବରୁ ସେ କଇଁ ବିଷୟରେ କ'ଣ ଲେଖିବ ଭାବୁଥିଲା ମନେ ପକାଇ ହସିଛି ଚିତ୍ରା,ଏବେ କୁମୁଦିନୀ ବିଷୟରେ ତଥା କୁମୁଦିନୀର ତପସ୍ୟା ପରି ପ୍ରଣୟକୁ ବର୍ଣ୍ଣନା କରିବା ପାଇଁ ତା ସମ୍ମୁଖରେ ଅଛି ଜ୍ଵଳନ୍ତ ଉଦାହରଣଟିଏ।ପୁଷ୍କରିଣୀର ଠିକ୍ ମଧ୍ଯ ଭାଗରେ ଫୁଟିଛି କଇଁ ଫୁଲଟିଏ। ଝଲସି ଉଠୁଛି ସେ କଇଁର ଶ୍ୱେତ ରଙ୍ଗ, ଯାହା ଥିଲା ଅର୍ଣ୍ଣବ ଢେଉର ସିତ ରଙ୍ଗଠାରୁ ଗାଢ଼, ମେରୁ ବରଫର ଧବଳ ରଙ୍ଗଠାରୁ ଅଧିକ ସତେଜ, କାଗଜ ପୃଷ୍ଠାର ଧଳା ରଙ୍ଗଠାରୁ ଢେର ଅଧିକ ଶୁଦ୍ଧ। କଇଁର ସେ ମନଲୋଭା ସୌନ୍ଦର୍ଯ୍ୟରେ ମୋହିତ ହୋଇ ପୋଖରୀ କୂଳରେ ବସି ପଡ଼ିଛି ଚିତ୍ରା ଆଉ ସ୍ଵପ୍ନକୁ ସ୍ମରଣ କରି ଦଣ୍ଡେ କୁମୁଦିନୀକୁ ଆଉ ଦଣ୍ଡେ ଚନ୍ଦ୍ରମାକୁ ଚାହିଁ ଭାବିଛି ;
ରକ୍ତ ବର୍ଣ୍ଣେ ଜହ୍ନ ଆଜି ଗଗନରୁ ମୁକ୍ତି ଚାହୁଁଛି ବୋଧହୁଏ।
କେତେ ବର୍ଷ ଆଉ ବିରହର ଯନ୍ତ୍ରଣା ଭୋଗିବ,
ପ୍ରଶ୍ନ କରୁଛି ବୋଧହୁଏ।
ମଳିନ ସେ ମୁଖ ତାର ହଜିଲା କୁମୁଦିନୀର
ଠିକଣା ଖୋଜୁଛି ବୋଧହୁଏ।
ସବୁଦିନ ପାଇଁ ମୁକୁଳି ସେ ନିର୍ଜନତାରୁ ପୃଥିବୀପୃଷ୍ଠର
କୋଳାହଳକୁ ଅଙ୍ଗେ ନିଭାଇବାକୁ ଚାହୁଁଛି ବୋଧହୁଏ।
ସ୍ପଷ୍ଟ ଅଛି ମୁଁ,ଆଉ ଟିକିଏ ବେଶୀ ଯନ୍ତ୍ରଣା ସହିଲେ ଝାଉଁଳି ପଡ଼ିବ ସେ।
ଶିକୁଳି ରଜନୀର ନଥିଲେ ତା ପ୍ରଣୟିନୀକୁ
ଭେଟିବାକୁ ନିଶ୍ଚିତ ଆସନ୍ତା ସେ।
ସ୍ପର୍ଶ ତା'ର ପ୍ରଥମ ଓ ଅନ୍ତିମ ମୁହୂର୍ତ୍ତ ସାଜନ୍ତା ଆଲିଙ୍ଗନର।
ମହୀରେ ବିରଳ ସାଜନ୍ତା ସେ ଦୃଶ୍ୟ
-ପ୍ରଣୟ ଶଶୀ ଓ କୁମୁଦିନୀର !!
-ପରୀ❣️
