'ନୂଆବର୍ଷ'-ନଈ ଭିତରେ ନିଆଁ
'ନୂଆବର୍ଷ'-ନଈ ଭିତରେ ନିଆଁ
ସୁଜାତା ର କବିତା ଲେଖିବାଠୁ ବେଶୀ ପ୍ରଶଂସା ତା ହରିଣୀ ପରି ଆଖି ଯୋଡିକର । ସେଥିରେ ବି ସେ ଖୁବ ବେଶୀ ଆମୋଦିତ ହୁଏ। କବିତା ସହ facebook ରେ ଭଳିକି ଭଳି ଫଟୋ ଛାଡ଼େ।
ମାନସ ବୋଲି କେହିଜଣେ ସାହିତ୍ୟ କରୁଥିବା ପୁଅ ପ୍ରଥମ କରି ତାର ଛାତି ଖୁବ ସୁନ୍ଦର କହିଥିଲା ବୋଲି ତା ସହ ତା'ର ଛାତିଏ ସମ୍ପର୍କ ଗଢିଉଠିଥିଲା।
ଦିନେ ମାନସ ତା ଜନ୍ମଦିନରେ ଗୋଟେ କାଚ ତିଆରି ପାନ ପତ୍ରିଆ ପାତ୍ର ଭିତରେ ପାଣି ଢଳ ଢଳ ହେଉଥିବାର ସୁନ୍ଦର ଉପହାର ଟେ ବି ପାଇଥିଲା ସୁଜାତା ଠୁ।
କବି ନିଜ ଇଚ୍ଛାରେ ବେଳେ ବେଳେ ଗୋଠ କରେ। ସେ ଗୋଠରେ ପସନ୍ଦ ଅନୁସାରେ କିଏ କେବେ ଭିତରେ ତ କିଏ ବାହାରେ।
କ୍ୟାଲେଣ୍ଡର ପୃଷ୍ଠାରେ କେବେ କୋଉଠି କାଇଁ ଗୋଲ ବୁଲା ହେଇ ଅଟକିଛି କି କବିଟେ
ମାନସ ଏସବୁରେ ବିଶ୍ୱାସକରେନି। ଗୋଠଛଡ଼ାଟା। ସ୍ୱାଭିମାନ ଓ ଆଦର୍ଶରେ ବଞ୍ଚେ। ସମୟ ପାଇଲେ ଅନ୍ୟକୁ ପଢ଼େ। ପ୍ରେରଣା ଦିଏ। ଗୋଠ ,ସଂଗତ ଅପେକ୍ଷା ଏକଲା ପଣରେ ଆକାଶକୁ ଦେଖେ। ନଈ ସହ କଥା ହୁଏ। ବେଳାଭୂମିରେ ସମୁଦ୍ରର ଲହଡ଼ିକୁ ପ୍ରେମର ହାତ ବଢାଏ।
ପ୍ରେମ କେବେ କଳଙ୍କ ନ ଛୁଉଁ ଏଥିପାଇଁ ଲହଡ଼ି ବି ବାରମ୍ବାର ଆସି ଫେରି ଯାଉଥାଏ।
ସେଇଥିପାଇଁ ତ ଫୁଲଠୁ ବି ଶୀଘ୍ର ସମ୍ପର୍କ ସବୁ ଅଚାନକ ମଉଳିଯାଏ। ଜହ୍ନର ସହରରେ ଖୁବବେଶୀ ଜ୍ବଳନ। ନଈ ଭିତରେ ନିଆଁ ର ସଂକ୍ରମଣ।
ବେଳାଭୂମିରେ ପ୍ରେମର ବେଳ ବୁଡିଯାଏ ଅନେକଙ୍କର।
ଏବେ ସେଠି ଅନେକ ହାତର ଭିଡ଼।
ଅନେକ ଦିନ ଧରି ମାନସ ଆଉ କବିତା ଲେଖିପାରେନି। ଆକାଶ, ନଈ ,ସମୁଦ୍ର ପାଖରେ ପହଞ୍ଚି ପାରେନି।
ରାସ୍ତାରେ ଚାଲେ।
କାଦମ୍ବିନୀ ର କିଛି କଞ୍ଚା କବିତା ସହ ଭେଟ ହୁଏ।
କବିତା କବିକୁ ସଜାଡେ
କବିତା କବିକୁ ଉଜାଡେ।
ମାନସ ସେଇମିତି ରାତିର ବହଳ ଅନ୍ଧାରରେ ସପନ ନୁହେଁ ଜୀବନ ଖୋଜେ । ଜୀବନ ପାଇଁ ନିଜର ଆହାପଣର ଶବ୍ଦ ସାଉଁଟେ।
ରାଜାପୁଅ ସିଦ୍ଧାର୍ଥଙ୍କ ସିଦ୍ଧାନ୍ତ ସମସ୍ତେ ଆପଣେଇ ପାରନ୍ତିନି ବୋଲି ଧରିଥିବା ହାତ ସବୁକୁ ଛଡ଼େଇ ଦେଇ ଗଛମୂଳ କି ନଈ କୂଳକୁ ଶବ୍ଦନିର୍ବାଣ ପାଇଁ ଯାଇପାରେନି ବିଚରା । ତଥାପି ତୀକ୍ଷ୍ଣ ତୀର ସବୁ ତୈୟାର ଥାଆନ୍ତି ଶବ୍ଦଶଯ୍ୟାରେ ଭୀଷ୍ମକୁ ଶୁଆଇଦେଇ ଜୀବନ ମହାଭାରତର ଅନ୍ତିମ ସ୍ପର୍ଶ ଦେବା ପାଇଁ। ପାଣି ,ପବନ ସହ ଶବ୍ଦ ଟୋପେ ବି ଲୋଡ଼ା ଜୀବନ ଟେ ପାଇଁ। କବିଟେ ମରି ପାରେନି ଏଇଥିପାଇଁ।
ଗୋଟେ ସାହିତ୍ୟ ସଭାରେ କାଦମ୍ବିନୀ ସମ୍ବର୍ଦ୍ଧିତ ହେବ।
କେଡ଼େ ଖୁସି ତା'ଠି ! କଣ ପିନ୍ଧିକି ଯିବ ,କଣ କହିବ
ହଠାତ ଅନ୍ୟମନସ୍କତାରେ ନିଜ ହାତ ଓ ପାଦ ଉପରେ ପଡିଗଲା ଗରମ ପାଣି। ଫୋଟକା ବି ହୋଇଗଲା। ଯାଇ ହେବନି ଆଉ। ଆୟୋଜକଙ୍କ ବାରମ୍ବାର ଫୋନ। କାଦମ୍ବିନୀ ବି ଆଜିର ଆକର୍ଷଣ ଓ ଈର୍ଷାର କାରଣ ତା ସୌନ୍ଦର୍ଯ୍ୟ କିମ୍ବା କବିତା ପାଇଁ।
କବିତା ,ଗୋଠ ,ସଂଗତ ଠୁ ଦୂରରେ ରହୁଥିବା ମାନସ ଅନୁରୋଧ ଏଡେଇ ପାରିଲାନି ଆୟୋଜକ ମାନଙ୍କର। ଆଗରୁ ସେ ଅନେକବାର ସେଠିକି ଯାଇଛି କବିତା ପଢ଼ିଛି ପ୍ରଶଂସା ପାଇଛି। ପ୍ରେରଣା ବି ଜରୁରୀ କାଦମ୍ବିନୀକୁ । ବିଚାରି ଗୋଡ଼ ଖରାପ।
ଉତ୍ସବ ଆରମ୍ଭ ହୋଇସାରିଥିଲା। ନିଜର ସାଂପୋକରା କେଶ ଖୋଲି ,ହରିଣୀପରି ଚଳ ଚଂଚଳ ଆଖିନେଇ ସମ୍ମୋହନର ଶବ୍ଦସବୁ କବିତା ସଂଯୋଜନାରେ ସଅଁପୁ ଥିଲା ସୁଜାତା।
କାହାକୁ ଗୋଟେ ଖୋଜୁ ଥିଲା ବୋଧେ!
ଚିହ୍ନା କବିମାନଙ୍କ ଅନୁରୋଧ ତ ନୁହଁ ବରଂ ଅଧିକାର କୁ ଏଡ଼େଇ ନ ପାରି ଲେଖାଟିଏ ବି ବଢ଼େଇ ଦେଇଥିଲା ମାନସ ମଂଚକୁ।
ସୁଜାତା ଖୁବ ଖୋଜୁ ଥିଲା ସେ କବିତାକୁ। ପାଉ ନ ଥିଲା।
ଶେଷରେ ତା ହାତରେ ପଡିଥିଲା ଗୋଟେ ଡାକ୍ତରୀ ପ୍ରେସକ୍ରିପ୍ସନ। ଉପରେ ମାନସର ନାଁ।
ସୁଜାତା ନିହାତି ବେଦନାସିକ୍ତ ଭାବେ ମଂଚକୁ ଡାକିଥିଲା ମାନସକୁ।
ମଞ୍ଚରେ କବି ମାନସ ହାତରେ କବିତା ନୁହେଁ ତ ଗୋଟେ କ୍ୟାନ୍ସର ରୋଗୀର ପ୍ରେସକ୍ରିପ୍ସନ ।
ମାନସର ଶବ୍ଦ ଓ ସ୍ୱର ଥିଲା ଏଇମିତି:-
ରୋଗ:-
"ଭଙ୍ଗାମନ"
(ସମ୍ପର୍କ ସବୁ ଫୁଲଠୁ ଶୀଘ୍ର ଝାଉଁଳି ଯାଏ ବୋଲି)
ବାରଣ:- ସମ୍ପର୍କ,ସୁଖ,ଖୁସି ସବୁ ଚିନି ଠୁ ମିଠା
ମଧୁମେହ ପାଇଁ ମନା
ପରୀକ୍ଷା ଜରୁରୀ:- ହୃଦୟ ଓ ଆବେଗ
ଔଷଧ ସେବନୀୟ :- ଆଜୀବନ ଦୈନିକ ଏକ ଚାମଚ ଲୁହ ରାତିରେ ଶୋଇବାକୁ ଯିବା ପୂର୍ବରୁ ଏବଂ ଉଠିବା ପୂର୍ବରୁ।
ବ୍ୟାୟାମ:- ଶୋଇବାକୁ ଓ ଭୁଲିବାକୁ ଚେଷ୍ଟା କରିବା ଆୟୁଷ ଥିବାଯାକେ।
ମଞ୍ଚରୁ ଓହ୍ଲେଇବା ବେଳକୁ ମାନସ ସୁନ୍ଦର ସଂଯୋଜନା ପାଇଁ ସୁଜାତା ହାତରେ ଗୋଟେ କଣ ଉପହାର ଧରେଇ ଦେଲା।
ଏକାନ୍ତରେ ସୁଜାତା ଉପହାର ଖୋଲିବା ବେଳକୁ ତା ହାତରେ ଅତୀତରେ ସେ ମାନସକୁ ଦେଇଥିବା କାଚ ତିଆରି ସେ ହୃଦୟ ଆକୃତିର ପାତ୍ରଟି ଭିତରେ ଆଜି ଯେମିତି ଖାଲି ମାନସର ସଞ୍ଚିତ ଲୁହ ସବୁ ଢଳ ଢଳ ହେଉଥିଲା।
ଆଗପଛ ବୁଲାଇ ଦେଖିବା ବେଳକୁ ସେଥିରେ 2019 ଲେଖା ଯାଇଥିଲା।
ହାତରୁ ଖସିପଡ଼ି କାଚତିଆରି ଉପହାରଟା ଭାଙ୍ଗିଗଲା। କାଚ ସାଉଁଟିବା ବେଳକୁ ସୁଜାତାବି ରକ୍ତାକ୍ତ ହେଲା।
ଲୁହ ,ଲହୁ ମିଶେଇ ଜୀବନ ,ସମ୍ପର୍କ ଆଉ ସମୟକୁ ଭୋଗ କରିହୁଏ କାଳେ।
ଘରେ ପହଞ୍ଚି କାଦମ୍ବିନୀ ମାନସ ତାକୁ ଦେଇଥିବା ଉପହାର ଖୋଲି ପକାଇଲା ।
ଗୋଟେ ଡାଏରି ଆଉ କଲମ। ଭିତରେ ମାନସର ହସ୍ତାକ୍ଷର
"2020" ସଫଳତାର ବର୍ଷ ହେଉ
ଛୁଟି ଆସୁଥାଉ କବିତାର ଢେଉ"
ଏଥର ମାନସ କଥା ପଚାରିବେ ନା ନାହିଁ ଆପଣ
"ମାନସ ବାସ ଖାଲି ଫର୍ଦ୍ଦେ ସାଧା କାଗଜ
ଯାହା ଦେହରେ ସମ୍ପର୍କ କି ତାରିଖ ଲେଖିବା ମନା
କାହିଁକିନା
କବିତା, ସାହିତ୍ୟ ପଥର ଫଟେଇ
ଅହରହ ଝୁରୁଥିବା,ଝରୁଥିବା ଗୋଟେ ବିରହୀ ଝରଣା।
ବି.ଦ୍ର:-ସୁଜାତା ଭୂମିକାରେ (ମୋତେ ଏଯାବତ ଭଲପାଇବା ଦେଇ ବଞ୍ଚେଇ ରଖିଥିବା ଆପଣମାନେ ସମସ୍ତେ)"2019" ଓ କାଦମ୍ବିନୀ ଭୂମିକାରେ (ମୋ ଅନିର୍ଦ୍ଦିଷ୍ଟ ଆୟୁଷର ଭବିଷ୍ୟ) "2020" ସମସ୍ତଙ୍କୁ ଢ଼େରସାରା ଭଲପାଇବା।
ଆଉ ଏ ଅଧମର ଶରୀରରେ 'ମାନସ' (ମାନେ ପବନ କି ଜୀବନ ପରି ତିଷ୍ଠି ରହିଥିବା କିଛିଟା ସୃଜନୀ ସତ୍ତା) ତରଫରୁ ସମସ୍ତଙ୍କୁ ଶବ୍ଦ ପ୍ରଣାମ ।
ନୂଆ ବର୍ଷ ଶୁଭଙ୍କରୀ ହେଉ ସମସ୍ତଙ୍କ ପାଇଁ।