The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Biplab Pati

Abstract

5.0  

Biplab Pati

Abstract

ଖାଲି "ବାଡ଼ି " ବାଡ଼ି ତ ନୁହଁ

ଖାଲି "ବାଡ଼ି " ବାଡ଼ି ତ ନୁହଁ

4 mins
130


       


"ସତ କହିବି ସନ୍ତୋଷ !

 ତୁମକୁ ପାଇବାଠୁ ଭାବିନେଇଛି ତୁମେ ମୋ ଅବଶିଷ୍ଟ ଜୀବନରେ ବାଡିଟିଏ ପରି। ତୁମକୁ ଆଶ୍ରା କରି ବାଟ ଚାଲିବା ମୋ ଜୀବନର ଶ୍ରେୟ ଓ ଧ୍ୟେୟ।"

 ସନ୍ତୋଷର ହାତ ଧରି ଖୁଵ ଭରସାରେ ନଈ ପଠା ,ଆମ୍ବତୋଟା,ସମୁଦ୍ରକୂଳ,ଶ୍ରୀମନ୍ଦିର,ନନ୍ଦନକାନନ କୋଣାର୍କ ବୁଲୁଥିଲା ଶ୍ରେୟା।

କୋଣାର୍କରେ ମୂର୍ତ୍ତିମାନଙ୍କର ନିବିଡ଼ତାର ଆବେଗକୁ ନିଜ ଭିତରେ ଅନୁଭବ କଲାବେଳେ ବାଡ଼ିର ଉପର ମୁଣ୍ଡକୁ ବାର୍ଦ୍ଧକ୍ୟ ମୁଠା ଟାଣ କରି ଧରିବା ପରି ସମର୍ପିତ ସନ୍ତୋଷର ଶରୀରକୁ ଅନେକବାର ନିଜଭିତରେ ବେଶ ଅନୁଭବ କରିଛି ଶ୍ରେୟା। 


 -ଶେଷ କଥା କହିବାକୁ ଆସିଛି ସନ୍ତୋଷ !

 ତୁମ ବେକାରୀ ଜୀବନ କେବେ କାହା ପାଇଁ ବାଡ଼ିଟିଏ ହୋଇପାରିବନି। ନିଜେ ନିଜ ଗୋଡ଼ରେ ଠିଆ ହୋଇ ପାରୁନଥିବା ମଣିଷଟିଏ ଆଉ କାହାପାଇଁ ଚାଲିବାର ସାମର୍ଥ୍ୟଟେ ସାହାରାଟେ ହୋଇପାରିବ କେମିତି?ଏମିତିରେ ତୁମ ଭିତରେ ନିଜକୁ ବଞ୍ଚେଇ ରଖିପାରିବାର ସାମର୍ଥ୍ୟଟେ ବି ନାହିଁ।ତେଣୁ ବାପା ଭାଇଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ତୁମପରି ବାଡିର ହାତ ଛାଡି ସହରର ନାମୀ ଦାମୀ ଇଣ୍ଡଷ୍ଟ୍ରିଆଲିଷ୍ଟ ସୂର୍ୟାଂଶଙ୍କ ଅଗଣାର ଝୁଲଣାରେ ନିଜକୁ ବସେଇ ଦେଉଛି।


 ଜୀବନର ଆକାଂକ୍ଷିତ ସୁଖ ଆଡକୁ ଭଲପାଇବାର କିଛି ସ୍ମୃତି କଳଙ୍କର କୁକୁରଟେ ପରି କ୍ଷେପି ଆସୁଥିବାର ଦେଖି ଶ୍ରେୟା ତା ହାତରେ ଧରିଥିବା ବାଡିଟାକୁ ଯେମିତି ତା ଆଡ଼କୁ ଫିଙ୍ଗିଦେଲା।


କୂଳ ଖୋଜିବାକୁ ଆସିଥିବା ଢେ଼ଉ ପୁଣି ମହାସମୁଦ୍ରକୁ ଫେରିଗଲା ସିନା ବାଡିଟା ଅବିଶ୍ୱାସ୍ୟ ଆଘାତରେ ଦି'ଗଡ଼ ହୋଇଗଲା। ଏମିତି ଗୋଟେ ଆଘାତରେ ଭାଙ୍ଗିଯାଉଥିବା ବାଡିଟେ କାହାରି ଆଶାକୁ ଆଶ୍ରା ଦେଇପାରିବାର ସାମର୍ଥ୍ୟଟେ ଯୋଗାଡ଼ ବା କେମିତି କରି ପାରିଥାନ୍ତା ସତରେ!


     ପୁଅଟିଏ ଜନ୍ମକରି ଭାବିଥିଲି ଶେଷବେଳକୁ ବାଡ଼ିଟିଏ ପରି ଆଶ୍ରା ହେବ, ଆଶା ଭରସା ଦେବ।ଭଉଣୀର ରାଖୀ ପାଉଣା ଯୋଗାଡ଼ କରିପାରୁନଥିବା ,ନିଜ ଗୋଡ଼ରେ ନିଜେ ଠିଆ ହୋଇପାରୁନଥିବା ସନ୍ତୋଷ କେବେ କା'ପାଇଁ ଆଶା ଭରସାର ବାଡିଟେ ନୁହେଁ ବରଂ ବାଉଁଶ କି ବେତ ହୋଇ ବାଡ଼ି କି ଜଙ୍ଗଲରେ ରହିବା କଥା ।

 କୁଳାଙ୍ଗାର!

ବାପାଙ୍କର କଥାରେ ନିଜ ଭିତରେ ନିଜେ ଯେମିତି ଘୁଣ ଲଗା ବାଡ଼ିଟିଏ ପରି ମଡ଼ ମଡ଼ ଭାଙ୍ଗି ଯାଉଥିଲା ସନ୍ତୋଷ ।


 ସୂର୍ୟାଂଶଙ୍କର ଗୋଟେ କିଡନୀ ଫେଲ।

 ହତାଶ ସନ୍ତୋଷ ତା କିଡନୀ ଦାନ ଜନିତ ପାଉଣା ଧରି ଘରକୁ ଫେରିବା ବେଳେ ସୂର୍ୟାଂଶ ତାକୁ ତାଙ୍କ କଂପାନୀରେ ତାଙ୍କର ବ୍ୟକ୍ତିଗତ ସହାୟକ ଭାବେ ନିଯୁକ୍ତି ପତ୍ରଟିଏ ବଢ଼େଇ ଦେଲେ।

ଯୌତୁକ ଦେଇପାରିବାର ଅସାମର୍ଥ୍ୟ ଯୋଗୁଁ ଭାଙ୍ଗିଯିବାକୁ ବସିଥିବା ଭଉଣୀର ବାହାଘରକୁ ସଳଖି ନେବାକୁ ଟଙ୍କା ଧରି ତତରତରରେ ପହଁଚିଲା ସନ୍ତୋଷ।

ଶଯ୍ୟାଶାୟୀ ବାପା ବାଡ଼ିର ବେକ ନୁହଁ ବରଂ ତା କାନ୍ଧକୁ ଆଶ୍ରା କରି ଠିଆ ହେଲେ ,ଚାଲିଲେ ଅବଶିଷ୍ଟ ଜୀବନ ପାଇଁ।


          

 ମର୍ନିଂ ୱାକରେ ନିଜର କୁକୁରକୁ ଧରି ଲନରେ ବୁଲୁଥିବା ବେଳେ ଜରୁରୀ ଫାଇଲଟିଏ ଧରି ସୂର୍ୟାଂଶଙ୍କ ନିକଟରେ ପହଁଚିଲେ ସନ୍ତୋଷ।

   - ସନ୍ତୋଷ ତୁମକୁ ଗୋଟେ କଥାକହିବି ହସ ଲାଗିବ।

ଏ ଘରେ କୋଉଥିରେ ଅଭାବ ଅଛି କହିଲ? ମୋ ହାତରେ ଧରିଥିବା ଏ ଭଙ୍ଗା ଛୋଟିଆ ବାଡ଼ିଖଣ୍ଡକୁ ଦେଖ। ସେଦିନ ବାପା ଲନରେ ବୁଲୁଥିବାବେଳେ କିଛି ବାହାର କୁକୁର ଆମ କୁକୁର ଆଡ଼କୁ ମାଡ଼ିଆସୁଥିବାର ଦେଖି ତାଙ୍କ ଅଲିଅଳି ବୋହୁଙ୍କୁ ଡାକ ପକେଇଲେ ବୋହୁ ଝପଟି ଆସି ବାପାଙ୍କ ହାତରୁ ବାଡିଟାକୁ ନେଇ ସିଧା ସେ ବାରବୁଲା କୁକୁରଙ୍କ ଆଡ଼କୁ ଫିଙ୍ଗିଦେଲେ। କୁକୁରଗୁଡା ଛୁ ମାରିଲେ ସିନା ବାଡିଟା ମଝିରୁ ଦି'ଗଡ଼ ହୋଇଗଲା। ବାପାଙ୍କ ପାଇଁ ନୂଆ ବାଡିଟେ କିଣାଗଲା । ବାପା କିନ୍ତୁ ସେ ବାଡ଼ି ଦିଗଡ଼କୁ ସାଆତିଦେଲେ ସେଇଟା ତାଙ୍କୁ ବହୁତ ଭଲ ଲାଗେ ବୋଲି।

ସୂର୍ୟାଂଶ କଥା ହେଉ ହେଉ ଡ୍ରଇଂ ରୁମରେ ପହଂଚି ଡାକ ପକେଇଲେ। 

ଚଷମା ଧରି ଡ୍ରଇଂ ରୁମରେ ପ୍ରବେଶିଲେ

ଶ୍ରେୟା !


-ସନ୍ତୋଷ ! ୟେ ମୋ ବାପାଙ୍କ ଅଲିଅଳି ବୋହୁ ମାନେ ମୋ ସ୍ତ୍ରୀ ଶ୍ରେୟା,ଯା' କଥା ମୁଁ ଏଇ ଟିକିଏ ପୂର୍ବରୁ କହୁଥିଲି।


-ଶ୍ରେୟା! ୟେ ସନ୍ତୋଷ ଯାହା ଯୋଗୁ ମୁଁ ନୂଆ ଜୀବନ ପାଇଛି ।ଯିଏ ତୁମ ମଥାର ସିନ୍ଦୁର ,ହାତର ଶଙ୍ଖାକୁ ବାଡ଼ଟିଏ ହୋଇ ସୁରକ୍ଷା ଦେଇଛି।ସେଥିପାଇଁ ଅବଶିଷ୍ଟ ଆୟୁଷ ତା'ଉପରେ ଭରସା କରି ମୁଁ ତାକୁ ମୋ ସାନଭାଇଟେ ଭାବି ମୋ ବ୍ୟକ୍ତିଗତ ସହାୟକ ଭାବେ ଆମ କମ୍ପାନୀରେ ନିଯୁକ୍ତି ଦେଇଛି। ଯିଏ ମୋ ପରି ପର ମଣିଷଟିଏ ର ଜୀବନର ସୁରକ୍ଷା ପାଇଁ ନିଜର କିଡନୀ ଦାନ କରିଦେଇପାରିଲା ସେ ଆମ ବାର୍ଦ୍ଧକ୍ୟରେ ବି ବାଡ଼ିଟିଏ ପରି ଆମର ସାହାହେବ ଭାବୁଛି।

 ନା କଣ କହୁଛ ସନ୍ତୋଷ

- ବାଡ଼ିଟିଏର ଜୀବନ ତ ଏଇମିତି ସାର ! ନିଜର ସାମର୍ଥ୍ୟରେ ନିଜେ କେବେବି ଠିଆ ହୋଇପାରେନି କିନ୍ତୁ ଏତେ ଟିକେ ଭଲପାଇବାରେ,ଆପଣାପଣରେ ନିଜର ବେକ, ମୁଣ୍ଡ ସବୁକୁ ପତେଇ ଅନ୍ୟକୁ ଠିଆ କରେଇ ଦେବାକୁ ତିଳେହେଁ କୁଣ୍ଠା କରେନି। ନିନ୍ଦା,ଘୃଣା,ପ୍ରତାରଣା,ଅପବାଦ ସବୁକୁ ନିଜ ଭିତରେ ସହିନେବାର ସାହସ ରଖି ଛାତି ପାତି ,ବେକଭାଙ୍ଗି ,ମଥାନତ କରି ଟିକେ ବିଶ୍ୱାସ ଓ ଭଲପାଇବାରେ ନିଜକୁ ଆଉ କା' ହାତରେ ଧରେଇ ଦେଇ ତାକୁ ଠିଆ କରିବାକୁ ,ଠିଆ ହୋଇଥାଏ ଆଜୀବନ। ଆଉ କାହା ବିଶ୍ୱାସ,ସାହସ, ସ୍ନେହ ,ପ୍ରେମ ଓ ଭରସାକୁ ସମ୍ମାନ ଦେବାକୁ ,ତା'ର ଭଲ ପାଇଁ ନିଜେ ବରଂ ଭାଙ୍ଗିଯାଏ ସିନା କାହାକୁ ଭାଙ୍ଗିଦେଇପାରେନାହିଁ।

ସବୁବେଳେ ନିଜର କିଛିବି ଦୋଷ ନ ଥାଇ ଏତେ ସବୁ ନିନ୍ଦା ଅପବାଦ,ଘୃଣା,ପ୍ରତାରଣା କୁ ନିଜ ମୁଣ୍ଡଉପରକୁ ନେଇଯିବାର ଅର୍ଥ କେବଳ ସମ୍ପର୍କଟେ ଏମିତିରେ ଭାଙ୍ଗି ନ ଯାଉ ବଂଚିରହୁ ଚିରକାଳ।

ବାଡ଼ିଟିଏ ...ବାଡ଼ଟିଏ...ବନ୍ଧୁଟିଏ ଆଜୀବନ। ଗୋଟିଏ ଅସ୍ତ୍ର ନୁହେଁ ବରଂ ଅବଲମ୍ବନ।

ତା ଛଡ଼ା ତାର ଏଯାଏ ଆଉ କିଛିଵି ପରିଚୟ ନାହିଁ।ଭଲପାଇବାର ଭାଗ୍ୟରେ ତା ହାତରେ ହାତ ନୁହେଁ ବରଂ ବେକରେ ଗଣ୍ଠି ପକେଇଦେଇହୁଏ ଯାହାକୁ ଆଜୀବନ ସେ ମଥାପାତିନିଏ।


ଚିହ୍ନା ଚେହେରାଟି ଉପରେ ଶ୍ରେୟାର ଆଖି ଯୋଡିକ ପହଁରି ଯାଉଥିଲା।

 ଟି'ପୟ ଉପରେ ସୂର୍ୟାଂଶ ରଖିଥିବା ହାତ ବାଡିଟି ତଳକୁ ଗଡି ଯାଉଥିବାବେଳେ ଶ୍ରେୟା ତାକୁ ଯେମିତି ଛାତିରେ ଧରିନେଇ ଦୌଡ଼ିବାଭଳି ଘର ଭିତରକୁ ଚାଲିଗଲା।

- ହେ ଶ୍ରେୟା ! ଏତେ କଞ୍ଜୁସ ହୁଅନି ମ। ମୁଁ ଆଉ ଗୋଟେ କିଣି ଆଣିବି।ବଜାରରେ ବାଡ଼ିର କଣ ଅଭାବ ଅଛି? ବୁଝିଲ ସନ୍ତୋଷ ମୁଁ ମଜା କଥାଟି କହୁଥିଲି ପରା । ଏ ହାତବାଡ଼ି ମାନେ ରୁଲବାଡିଟି ମୋ କଞ୍ଜୁସ ଶ୍ରେୟା ବାପାଙ୍କର ସେ ଭଙ୍ଗା ବାଡିଟିକୁ ଚାକରକୁ କହି କଟେଇ ପ୍ରସ୍ତୁତ କରିଛି। ଗୋଟେ ବଡ଼ ସଞ୍ଚୟ ଯୋଜନା ନା କଣ କହୁଛ।

ହା...ହା...

ଶ୍ରେୟା ବାପାଙ୍କ ଭଙ୍ଗାବାଡ଼ିର ଆର ଅଧକ ଧରି ପହଁଚିଲେ ଯେଉଁ ଅଧକରେ ବାଡ଼ିର ବଙ୍କାବେକ ଲାଗିଥିଲା।ଆଖିରେ ଲୋତକର ବନ୍ୟା।

-ବୁଦ୍ଧିଆକୁ କହି ୟାର ବାଙ୍କିଯାଇଥିବା ଅଂଶକୁ କଟେଇ ଦେଇ ମୋ ହାତରେ ଧରେଇଦିଅ ସୂର୍ୟାଂଶ ! ମୁଁ ତାକୁ ନେଇ ତୁମ ସହ ଜୀବନରେ ବାକିଥିବା ସବୁ ରାସ୍ତାରେ ଚାଲିପାରିବି।


ସୂର୍ୟାଂଶ ବଲବଲ ଚାହିଁଥିଲେ କିଛିଵି ବୁଝିପାରୁନଥିବା ଢଙ୍ଗରେ।

ସନ୍ତୋଷ ବାଡ଼ିଟିଏ ପରି ମୁଣ୍ଡ ତଳକୁ କରି ଠିଆ ହୋଇଥିଲା।


ହଠାତ ସୂର୍ୟାଂଶ ଠିଆହୋଇପଡି ସନ୍ତୋଷର କରମର୍ଦ୍ଦନ କରିବାସହ ତାକୁ ନିଜଛାତି ଉପରକୁ କୁଣ୍ଢେଇ ନେଇ ବଂଧୁତା ଦିବସରେ ବଧେଇ ଜଣେଇଲେ।

ବାଡ଼ି ବନ୍ଧୁଟିଏ ପରି ବାଡ଼ ହୋଇ ଠିଆ ହୋଇପାରେ ପ୍ରେମରେ ,ପ୍ରତାରଣାରେ।


-ବୁଝିଲ ସନ୍ତୋଷ ! ଆଜିଠୁଁ ଆମେ ପରସ୍ପରକୁ ବିପଦ ଆପଦରେ ବେକ ନୁହେଁ ବରଂ କାନ୍ଧ ଦେବା।ଆମ ଭିତରୁ ଯିଏ ବି ଆଗ ମରିବ ସିଏ ଆର ଜଣକ କାନ୍ଧରେ ହିଁ ମଶାଣୀକୁ ଯିବ।


 ଶ୍ରେୟା ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଲୋତକ ପୂର୍ଣ ଆଖିରେ, ବାଡିଟିକୁ ନିଜ ଛାତିରେ ଜାବୁଡ଼ିଧରି ଵୋକ ପରେ ଵୋକ ଦେଇଚାଲିଥିଲା।


 ଏବେ ସୂର୍ୟାଂଶ ଓ ଶ୍ରେୟା ଦୁହେଁ ବେଶ ସନ୍ତୋଷ ରେ,ଦୁହିଙ୍କ ହାତରେ ବେକ ନୁଆଁଇ ନ ଥିବା ଦୁଇଟି ସିଧା ,ଅଧା ବାଡ଼ି।


Rate this content
Log in

More oriya story from Biplab Pati

Similar oriya story from Abstract