କାଶତଣ୍ଡି
କାଶତଣ୍ଡି
ନିହାତି ହୀନି କପାଳିଟା।ଭୋଜିଭାତ ନସରୁଣୁ ସ୍ୱାମୀକୁ ଖାଇଲା।
ଝିଅ ବେଳେ କାହା ସଙ୍ଗେ ନଟର ପଟର ହେଉଥିଲା, ୟାକୁ ଭୁଲି ନ ପାରି ଉପହାରରେ ଟୋକାଟା ଗୋଟେ ବୋମା ପଠାଇଥିଲା।
ପାର୍ସଲ ଖୋଲିଲାବେଳକୁ ଢୋ।
ପରିବାର ଟା ଖିନଭିନ ହୋଇଗଲା।
ଶାଶୁ ,ସ୍ୱାମୀଙ୍କ ପ୍ରାଣବାୟୁ ବାଏଁ ବାଏଁ ଉଡ଼ିଗଲା।
ବିଧବା ସ୍ତ୍ରୀଟା ଏବେ ଏବେ ଡାକ୍ତରଖାନାରୁ ଫେରିଛି।
ନିଜ କୁ ଓ ନିଜ ଭଲପାଇବାକୁ ବାରମ୍ବାର ଧିକ୍କାର କରି ଆକାଶକୁ ଚାହୁଁଥିଲା ପଦ୍ମା।
ପିଲାଦିନେ ସେ ବହୁତ ଭାବପ୍ରବଣ ଥିଲା ବୋଲି ଏକେଲା ଏକେଲା ଢ଼େର ସମୟ ଆକାଶକୁ ଚାହିଁ ବସୁଥିଲା।
ଭଲପାଇବାର କବିତା ସବୁ ଲେଖୁଥିଲା ମାଟି ଓ ଆକାଶ କୁ ନେଇ।
ସେଇଥିପାଇଁ ଆକାଶ ତା ଉପରେ ଆଜି ଦାଉ ସାଧିଲାକି କ'ଣ ତା ସିନ୍ଦୁରକୁ ତା ପାଖକୁ ନେଇ ଯାଇ ପଦ୍ମାର ଜୀବନକୁ ରଂଗହୀନ କରିଦେଲା।
ତା ରଙ୍ଗୀନ ଡେଣାରେ ଏବେ ଆକାଶପରି ସଫେଦ ଶାଢ଼ୀ।
ଜୀବନରେ ଅନେକବାର ରଙ୍ଗର ହୋଲି ଖେଳିଛି ପଦ୍ମା।
ଆଜି ସେସବୁ ରଂଗହୀନ।
ହାତରେ ଆଣିଥିବା ରଙ୍ଗ ଅବିରକୁ ବାରମ୍ବାର ଚାହୁଁଥିଲା ସେ।
ଏ ରଙ୍ଗ କୋଉଠି ଥାଏ ମାଟିରେ ନା ଆକାଶରେ।
ନିଶ୍ଚେ ମାଟିରେ।
ମାଟିକୁ ଦେଖେଇହେବାକୁ ଆକାଶ ବି ବେଳେ ବେଳେ ଇନ୍ଦ୍ରଧନୁ ପିନ୍ଧେ ଇର୍ଷାରେ।
ରଙ୍ଗମାନଙ୍କପ୍ରତି ସମସ୍ତଙ୍କର ଗୋଟେ ଅହେତୁକ ଦୁର୍ବଳତା।
ତା ପାଇଁ ରଙ୍ଗର ପିପାସା କିନ୍ତୁ ଗୋଟେ ଉଆଁସୀ ର ଆଶା।
ଶ୍ୱଶୁରଙ୍କର ଏକା ଜିଦ ପଦ୍ମା ତାଙ୍କ ସାନପୁଅକୁ ବାହାହେବ।
ଯାହା ହେବାର ଥିଲା ହେଲା।
ଝଡପରେ ବସା ସଜାଡ଼ିବା କଥା କାହାକୁ ଅଜଣା।
ଛାତ ଉପରେ ବସି ଦୋଳପୁନେଇଁ ରେ ଆକାଶର ଚାନ୍ଦକୁ ଢ଼େରଥର ଚାହୁଁଥିଲା ପଦ୍ମା।
ଜହ୍ନ ପରି ଆଜି ସେ ବି ସଫେଦ କିନ୍ତୁ ସୁନ୍ଦରୀ କିମ୍ବା
ସୌଭାଗ୍ୟବତୀ ନୁହେଁ।
ସତରେ କ'ଣ ସେ ପୁଣି ......
ତା ଜୀବନ ରଙ୍ଗୀନ ହେବ?
ତା' ଦିଅର ଶିଶିର କ'ଣ ଏଥିରେ ରାଜିହେବେ??
ନା ଶିଶିର ବିନ୍ଦୁ ପରି ପଦ୍ମାର ପଦ୍ମତୁଲ୍ୟ ଜୀବନକୁ....
କାଳେ ବାପା ଉଠିପଡିବେ, ଅଧରାତିରେ ଶିଶିର ପାଦ ଚିପି ଚିପି ଛାତ ଉପରେ ପହଁଚିଲେ। ହାତରେ ଗୋଟେ ଥାଳିରେ ରଙ୍ଗବେରଙ୍ଗୀ ଅବିର ।
ରଙ୍ଗଅବିର ଥାଳିକୁ ତଳେ ରଖିଦେଇ ନିମଗ୍ନଭାବରେ ଆକାଶକୁ ଚାହିଁଥିବା ପଦ୍ମାର ଆଖିଯୋଡିକୁ ଚାପିଧରିଲେ ଶିଶିର।
- ଭାଉଜ
ତୁମପରି ଜଣେ ନୃତ୍ୟନିପୁଣାଙ୍କୁ ଏମିତି ଦେଖିବାର ଆଶା କେହି କେବେ କରିପାରିବେନି।
ପ୍ଲିଜ ଭାଉଜ
ତୁମ ନୃତ୍ୟର ସେ ଅପୂର୍ବ ରଙ୍ଗରେ ମୋତେ ଦର୍ଶନ ଦିଅ ଯାହାକୁ ଦେଖି ମୋ ବାପା ତୁମକୁ ଏ ଘରକୁ ବୋହୁକରି ଆଣିବାକୁ ଜିଦ କରିଥିଲେ।
ଶିଶିର ଙ୍କ ଜିଦରେ କ୍ରମଶଃ ରୋମାଂଚିତ ହୋଇଉଠିଲା କି କ'ଣ ପଦ୍ମା.........
ପାଦ ଚିପି ଚିପି ଶୋଇବାଘରୁ ଗୋଟେ ନର୍ତ୍ତକୀ ର ରଙ୍ଗରେ ର
ଙ୍ଗୀନ ହୋଇ ଛାତ ଉପରେ ପହଂଚିଲାବେଳକୁ ଶିଶିର ଯେମିତି ବିକଳ ଭାବରେ ଅନେଇ ବସିଥିଲା ପଦ୍ମାକୁ।
ମୋବାଇଲ ରେ ଗୋଟେ ଶାସ୍ତ୍ରୀୟ ସଙ୍ଗୀତର ଚାପା ସ୍ୱରରେ ପଦ୍ମା ନାଚି ଚାଲିଲା।
ଶିଶିର ପଥର ହୋଇଗଲେକି ଆଉ!!!!
ନୃତ୍ୟର ଗତି ବଢିବାବେଳକୁ ଅବିରଥାଳି ଧରି ଏକାବେଳେକେ ଠିଆହୋଇପଡିଲେ ଶିଶିର।
ଧଇଁସଇଁ ହୋଇ ଠିଆ ହେଲା ପଦ୍ମା।
ପଦ୍ମାର କ୍ଷତାକ୍ତ ପାଦରୁ ରକ୍ତର ରଙ୍ଗ ଉପରେ ଅବିର ସବୁକୁ ଅବିଶ୍ରାନ୍ତ ଭାବରେ ପକେଇଚାଲିଲେ ଶିଶିର।
ପଥର ହୋଇଯାଉଥିଲା ପଦ୍ମା!!!!!
- ହେ ଦେବୀ ! ତୁମ କପାଳେ ସିନ୍ଦୁରର ରଙ୍ଗ ଭରିବାକୁ ନାହିଁ ମୋ ସାହସ ତେଣୁ ପାଦତଳେ ତୁମ ଅବିର ରଙ୍ଗ ଦେଇ ମାଗୁଛି ଆଶିଷ।
ପଦ୍ମା ସହାସ୍ୟ ବଦନରେ ଶିଶିରଙ୍କୁ ଚାହିଁଥିଲେ।
-ମୁଁ ବିବାହିତ ଭାଉଜ! ବାଙ୍ଗାଲୋର ରେ ମୁଁ ଚାକିରୀ କରୁଥିବା କମ୍ପାନୀରେ ଗୋଟେ ଝିଅକୁ ମୁଁ ଭଲପାଇ ବାହା ହୋଇଯାଇଛି।ଭୟରେ ବାପାଙ୍କୁ ଏକଥା କହିପାରିନି।
ବାପା ହାର୍ଟ ପେସେଣ୍ଟ।
କେତେବେଳେ .....
ବାପାଙ୍କର କଥା ରଖିବାକୁଯାଇ ମୁଁ ତୁମ ମୁଣ୍ଡରେ ସିନ୍ଦୁରର ରଙ୍ଗ ଭରିବି ସତ କିନ୍ତୁ ......
ଦୂର ଆକାଶକୁ ଚାହିଁଲା ପଦ୍ମା।
ଉଲକା ଖସିଲା ଭଳି ଦେଖାଯାଉଥିଲା।
ଯାହା ମାଗିଲେ କାଳେ ମିଳେ ଏବେଳେ।
-ଶିଶିର ! ମୁଁ ଗୋଟେ କାଶତଣ୍ଡି।କେଉଁ ରଙ୍ଗରେ କିଏ ରଙ୍ଗେଇବ ମୋତେ?
ପ୍ରେମ, ପ୍ରତାରଣା,ଯନ୍ତ୍ରଣା, ଲାଂଛନା,ଏ ରଙ୍ଗ ସବୁ ମାଟିର। ଏଥର ଆକାଶର ରଙ୍ଗ ଦେଖିବା ବେଳ।
ମାଟି ଆଲଙ୍ଗିଲେ ମୋକ୍ଷ।
ମୋକ୍ଷ ମାନେ ସ୍ୱର୍ଗ ପ୍ରାପ୍ତି ମାନେ ଆକାଶକୁ ଗତି ।
ସେଠି ସିନ୍ଦୁର ଦେଇଥିବା ମୋ ଭାଗ୍ୟପୁରୁଷ ଅଛନ୍ତି।
ବାପା ଉଠିପଡିବେ ।
ଶିଶିର !
ଏଥର ମୋତେ ଧଳା ଶାଢ଼ୀଟା ପିନ୍ଧିବାର ସୁଯୋଗ ଦିଅ।
ବାଷ୍ପରୁଦ୍ଧ ହୋଇ ଆସିଲା ପଦ୍ମାର କଣ୍ଠ।
ଶିଶିର ତାକୁ ଧରିନେଲାବେଳକୁ ପଦ୍ମା ର ଶରୀର ବିଷ ରଙ୍ଗରେ ନୀଳ ପାଲଟିଯାଇଥିଲା।
ସେଦିନ ଫୁଲ ପାଖୁଡ଼ା ରେ ପଦ୍ମାର ବୈବାହିକ ଜୀବନର ଆରମ୍ଭକୁ ରଙ୍ଗୀନ କରି ସଜେଇଦେଇଥିବା ଶିଶିର ଆଜି ଶେଷରେ ଧଳା ଶାଢ଼ୀଟା ଘୋଡେଇଦେଇ ଛାତ ଉପରେ କୁଣ୍ଡରେ ଲାଗିଥିବା ଗୋଲାପ ଗଛରୁ କେତୋଟି ଫୁଲ ପାଖୁଡା ଆଣି ପକେଇଦେଲାବେଳକୁ ବାପା ନିଦ ରେ ବିଳ ବିଳେଇ କହୁଥିଲେ " ତୁ ଜମା ବ୍ୟସ୍ତ ହନାରେ ମା'। ଯିଏ ତୋ ଜୀବନକୁ ଛାରଖାର କରି ମୋ ପୁଅକୁ ମୋଠୁ ଛଡାଇ ନେଇଛି ସେ ଟୋକାଟା ଖାଲି ଧରାପଡୁ , ତୁ ଦେଖିବୁ , ତା ଜୀବନକୁ ଏ ରିଟାୟାର୍ଡ ମେଜର ଗୋଟେ ଗୁଳିରେ ରଂଗହୀନ କରିଦେବ।"
ଶିଶିର ଥାଳିରେ ବଳକା ରଙ୍ଗ ଅବିରକୁ ଦୁଃଖରେ ଘାଣ୍ଟି ଚକଟି ପକାଇଲା ତ ତାକୁ ସତରେ ସବୁ ମାଟି ପରି ଦେଖାଗଲା।
ବାକି ରହିଲା ଭାଉଜଙ୍କୁ ମାଟିର ରଙ୍ଗରେ ରଙ୍ଗେଇବା ବେଳ।